ପାଠ ୨୫
ଉପାସନା ପାଇଁ ପବିତ୍ର ତମ୍ବୁ
ମୋଶା ସୀନୟ ପାହାଡ଼ ଉପରେ ଥିବା ସମୟରେ ଯିହୋବା ତାଙ୍କୁ କହିଲେ ସେ ଏକ ବିଶେଷ ତମ୍ବୁ ତିଆରି କରନ୍ତୁ, ଯାହାକୁ ପବିତ୍ର ତମ୍ବୁ କୁହାଯିବ ଏବଂ ଯାହା ସାମନାରେ ଇସ୍ରାଏଲୀୟ ତାଙ୍କ ଉପାସନା କରିପାରିବେ । ସେମାନେ ଯେଉଁଠି ବି ଯିବେ ସେହି ତମ୍ବୁକୁ ମଧ୍ୟ ଉଠାଇ ନେଇପାରିବେ ।
ଯିହୋବା କହିଲେ, ‘ଲୋକମାନଙ୍କୁ କୁହ ଯେ ପବିତ୍ର ତମ୍ବୁ ତିଆରି କରିବା ପାଇଁ ଯାହା ଯାହା ଜିନିଷ ଦେଇପାରିବେ ସେମାନେ ସେସବୁ ଦିଅନ୍ତୁ ।’ ଇସ୍ରାଏଲୀୟମାନେ ସୁନା, ରୂପା, ବହୁମୂଲ୍ୟ ରତ୍ନ ଓ ଗହଣା ଦେଲେ । ସେମାନେ ପଶମ, ସୂକ୍ଷ୍ମ ରେଶମ, ପଶୁ ଚର୍ମ ଏବଂ ଅନ୍ୟ ଜିନିଷଗୁଡ଼ିକ ମଧ୍ୟ ଦେଲେ । ସେମାନେ ଏତେ ଗୁଡ଼ାଏ ଜିନିଷ ଦେଲେ ଯେ ମୋଶାଙ୍କୁ କହିବାକୁ ପଡ଼ିଲା, ‘ଏବେ ଆଉ କୌଣସି ଜିନିଷ ଆଣ ନାହିଁ । ଆମ ପାଖରେ ଯଥେଷ୍ଟ ଜିନିଷଗୁଡ଼ିକ ଅଛି !’
ଅନେକ ଦକ୍ଷ ପୁରୁଷ ଓ ସ୍ତ୍ରୀ ତମ୍ବୁ ତିଆରି କାମରେ ସାହାଯ୍ୟ କଲେ । ଯିହୋବା ଏହି କାମ କରିବା ପାଇଁ ସେମାନଙ୍କୁ ବୁଦ୍ଧି ଦେଲେ । କିଛି ଲୋକ ସୂତା ତିଆରି କଲେ, ଆଉ କିଛି ସୂତାରେ ବୁଣି କପଡ଼ା ତିଆରି କଲେ ଏବଂ କିଛି ସେଥିରେ ଶିଳ୍ପ କାମ କଲେ । ଅନ୍ୟମାନେ ରତ୍ନ ଖୋଚିତ କାମ କଲେ, ସୁନାର ଜିନିଷଗୁଡ଼ିକ ତିଆରି କଲେ ଏବଂ କାଠରେ ଖୋଦିତ ଜିନିଷଗୁଡ଼ିକ ତିଆରି କଲେ ।
ଲୋକମାନେ ପବିତ୍ର ତମ୍ବୁକୁ ସେହିପରି ତିଆରି କଲେ ଯେପରି ଯିହୋବା କହିଥିଲେ । ସେମାନେ ଗୋଟିଏ ସୁନ୍ଦର ପରଦା ତିଆରି କଲେ ଯାହା ସେହି ତମ୍ବୁର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଝିରେ ଲଗାଯାʼନ୍ତା । ମହାପବିତ୍ର ସ୍ଥାନରେ ନିୟମ ସିନ୍ଦୁକ ଥିଲା ଯାହା ଶିଟୀମ୍ କାଠରେ ଏବଂ ସୁନାରେ ତିଆରି ହୋଇଥିଲା । ପବିତ୍ର ସ୍ଥାନରେ ସୁନାର ଗୋଟିଏ ଦୀପବୃକ୍ଷ, ଗୋଟିଏ ମେଜ ଓ ଧୂପ ଜଳାଇବା ପାଇଁ ଗୋଟିଏ ବେଦି ଥିଲା । ବାହାର ଅଗଣାରେ ଗୋଟିଏ ଜଳ କୁଣ୍ଡ ଏବଂ ଗୋଟିଏ ବଡ଼ ବେଦି ଥିଲା । ନିୟମ ସିନ୍ଦୁକ ଇସ୍ରାଏଲୀୟମାନଙ୍କୁ ଏହା ମନେ ପକାଇ ଦେବା ପାଇଁ ତିଆରି କରାଯାଇଥିଲା ଯେ ସେମାନେ ଯିହୋବାଙ୍କ ଆଜ୍ଞା ମାନିବାର ବିଶେଷ ପ୍ରତିଜ୍ଞା କରିଛନ୍ତି ।
ଯିହୋବା ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକ ଭାବେ ନିଯୁକ୍ତ କଲେ ଯାହାଦ୍ୱାରା ସେମାନେ ତମ୍ବୁ ପାଖରେ କାମ କରିବେ । ସେମାନଙ୍କୁ ତାର ଦେଖାଶୁଣା କରିବାର ଥିଲା ଏବଂ ସେଠାରେ ଯିହୋବାଙ୍କ ପାଇଁ ବଳିଦାନ ଚଢ଼ାଇବାର ଥିଲା । ହାରୋଣ ମହାଯାଜକ ଥିଲେ ଏବଂ କେବଳ ସେ ହିଁ ମହାପବିତ୍ର ସ୍ଥାନ ଭିତରକୁ ଯାଇପାରୁଥିଲେ । ସେ ବର୍ଷକୁ ଥରେ ସେଠାକୁ ଯାଉଥିଲେ । ସେଠାରେ ସେ ନିଜ ପାପ, ନିଜ ପରିବାରର ପାପ ଏବଂ ସାରା ଇସ୍ରାଏଲ ରାଷ୍ଟ୍ରର ପାପଗୁଡ଼ିକର କ୍ଷମା ପାଇଁ ବଳିଦାନ ଅର୍ପଣ କରୁଥିଲେ ।
ଇସ୍ରାଏଲୀୟମାନେ ମିଶରରୁ ବାହାରିବାର ବର୍ଷେ ପରେ, ପବିତ୍ର ତମ୍ବୁ ତିଆରି କାମକୁ ଶେଷ କଲେ । ଏବେ ସେମାନଙ୍କ ପାଖରେ ଯିହୋବାଙ୍କ ଉପାସନା କରିବା ପାଇଁ ଗୋଟିଏ ଜାଗା ଥିଲା ।
ଯିହୋବା ସେହି ତମ୍ବୁକୁ ନିଜ ମହିମାରେ ଭରି ଦେଲେ ଏବଂ ସେହି ତମ୍ବୁ ଉପରେ ମେଘ ଦେଖାଗଲା । ଯେତେ ଯାଏ ମେଘ ତମ୍ବୁ ଉପରେ ରହିଲା, ଇସ୍ରାଏଲୀୟ ସେଇଠି ତମ୍ବୁ ପକାଇ ରହିଲେ । କିନ୍ତୁ ଯେବେ ମେଘ ଉଠି ଯାଉଥିଲା ତେବେ ସେମାନଙ୍କୁ ଜଣା ପଡ଼ୁଥିଲା ଯେ ଆଗକୁ ବଢ଼ିବାର ସମୟ ଆସିଯାଇଛି । ସେମାନେ ପବିତ୍ର ତମ୍ବୁର ଭାଗଗୁଡ଼ିକୁ ଅଲଗା କରି ଏବଂ ସେଗୁଡ଼ିକୁ ଉଠାଇ ମେଘର ପଛେ ପଛେ ଚାଲୁଥିଲେ ।
“ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶବ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ୱରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ।”—ପ୍ରକାଶିତ ବାକ୍ୟ ୨୧:୩, ୪