ପାଠ ୩୩
ରୂତ ଓ ନୟମୀ
ଥରେ ଇସ୍ରାଏଲରେ ଯେବେ ଦୁର୍ଭିକ୍ଷ ପଡ଼ିଲା ତେବେ ନୟମୀ ନାମକ ଜଣେ ଇସ୍ରାଏଲୀୟ ସ୍ତ୍ରୀ ନିଜ ସ୍ୱାମୀ ଓ ଦୁଇ ପୁଅଙ୍କ ସହିତ ମୋୟାବ ଦେଶକୁ ଯିବା ପାଇଁ ବାହାରି ଗଲେ । ପରେ ନୟମୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ତାଙ୍କ ପୁଅମାନେ ମୋୟାବୀୟ ମହିଳାମାନଙ୍କୁ ବିବାହ କଲେ । ଜଣକର ନାମ ରୂତ ଥିଲା ଏବଂ ଅନ୍ୟ ଜଣକ ନାମ ଅର୍ପା । କିନ୍ତୁ ଦୁଃଖର କଥା ଯେ କିଛି ସମୟ ପରେ ନୟମୀଙ୍କ ପୁଅମାନଙ୍କ ମଧ୍ୟ ମୃତ୍ୟୁ ହୋଇଗଲା ।
ଯେବେ ନୟମୀ ଶୁଣିଲେ ଯେ ଇସ୍ରାଏଲରେ ଏବେ ଦୁର୍ଭିକ୍ଷ ନାହିଁ ତେବେ ସେ ନିଜ ଦେଶକୁ ଫେରି ଯିବା ପାଇଁ ନିଷ୍ପତ୍ତି ନିଅନ୍ତି । ରୂତ ଓ ଅର୍ପା ତାଙ୍କ ସହିତ ବାହାରି ପଡ଼ନ୍ତି । କିନ୍ତୁ ରାସ୍ତାରେ ନୟମୀ ସେମାନଙ୍କୁ କହନ୍ତି, ‘ତମେ ଦୁହେଁ ସ୍ତ୍ରୀ ଓ ବୋହୂର ଦାୟିତ୍ୱ ଭଲ ଭାବରେ ତୁଲାଇଛ । ଏବେ ମୁଁ ଚାହେଁ ଯେ ତମେ ଦୁହେଁ ପୁଣିଥରେ ବିବାହ କର । ତେଣୁ ତମେ ମୋୟାବ ନିଜ ଘରକୁ ଫେରି ଯାଅ ।’ କିନ୍ତୁ ସେମାନେ କହିଲେ, ‘ଆମେ ତମକୁ ପ୍ରେମ କରୁ । ଆମେ ତମକୁ ଛାଡ଼ି ଯିବା ପାଇଁ ଚାହୁଁନୁ ।’ ନୟମୀ ସେମାନଙ୍କୁ ବାରମ୍ବାର ଯିବା ପାଇଁ କହିଲେ । ଶେଷରେ ଅର୍ପା ନିଜ ଘରକୁ ଫେରିଗଲେ, କିନ୍ତୁ ରୂତ ଗଲେ ନାହିଁ । ନୟମୀ ତାଙ୍କୁ କହିଲେ, ‘ଅର୍ପା ନିଜ ଲୋକମାନଙ୍କ ଏବଂ ନିଜ ଦେବତାମାନଙ୍କ ପାଖକୁ ଫେରି ଯାଉଛି । ତମେ ମଧ୍ୟ ତାʼ ସହିତ ନିଜ ମାଁ ଘରକୁ ଫେରି ଯାଅ ।’ କିନ୍ତୁ ରୂତ କହିଲେ, ‘ମୁଁ ତୁମକୁ ଛାଡ଼ି ଯିବି ନାହିଁ । ତମ ଲୋକ ହିଁ ମୋର ଲୋକ ଓ ତମ ଈଶ୍ୱର ହିଁ ମୋର ଈଶ୍ୱର ହେବେ ।’ ଆପଣଙ୍କୁ କʼଣ ଲାଗେ, ରୂତଙ୍କ ଏହି କଥା ଶୁଣି ନୟମୀଙ୍କୁ କିପରି ଲାଗିଥିବ ?
ଯେବେ ରୂତ ଓ ନୟମୀ ଇସ୍ରାଏଲକୁ ପହଞ୍ଚିଲେ ସେ ଯାଏ ଯବ କଟା ଆରମ୍ଭ ହୋଇଯାଇଥିଲା । ଦିନେ ରୂତ ବୋୟଜ ନାମକ ଜଣେ ବ୍ୟକ୍ତିର କ୍ଷେତରେ ବଳିଥିବା ଶସ୍ୟ ଗୋଟାଇବାକୁ ଗଲେ । ବୋୟଜ, ରାହାବଙ୍କ ପୁଅ ଥିଲେ । ବୋୟଜ ଶୁଣିଲେ ଯେ ରୂତ ଜଣେ ମୋୟାବୀୟ ମହିଳା ଅଟନ୍ତି ଏବଂ ସେ ନୟମୀଙ୍କୁ ଛାଡ଼ିଲେ ନାହିଁ । ବୋୟଜ କ୍ଷେତରେ କାମ କରୁଥିବା ଲୋକମାନଙ୍କୁ କ୍ଷେତରେ ଅଧିକ ଶସ୍ୟ ଛାଡ଼ି ଦେବା ପାଇଁ କହନ୍ତି ଯାହାଦ୍ୱାରା ରୂତ ସେସବୁ ଶସ୍ୟକୁ ଗୋଟାଇପାରିବେ ।
ସନ୍ଧ୍ୟାରେ ନୟମୀ ରୂତଙ୍କୁ ପଚାରନ୍ତି, ‘ତମେ ଆଜି କାହା କ୍ଷେତରେ କାମ କଲ ?’ ରୂତ କହନ୍ତି, ‘ବୋୟଜ ନାମକ ଜଣେ ବ୍ୟକ୍ତିଙ୍କ କ୍ଷେତରେ ।’ ନୟମୀ କହିଲେ, ‘ସେ ମୋ ସ୍ୱାମୀଙ୍କ ସମ୍ପର୍କୀୟ ଅଟନ୍ତି । ତମେ ଅନ୍ୟ ଯୁବା ମହିଳାମାନଙ୍କ ସହ ସେହି କ୍ଷେତରେ କାମ କରିବ । ସେଠାରେ ତମେ ସୁରକ୍ଷିତ ଥିବ ।’
ରୂତ ଯବ କଟା ଶେଷ ହେବା ଯାଏ ବୋୟଜର କ୍ଷେତରେ ହିଁ କାମ କଲେ । ବୋୟଜ ଦେଖିଲେ ଯେ ରୂତ ବହୁତ ପରିଶ୍ରମୀ ଏବଂ ଜଣେ ଭଲ ମହିଳା ଅଟନ୍ତି । ସେସମୟରେ ଯଦି ଜଣେ ପୁରୁଷର ମୃତ୍ୟୁ ହୋଇଯାଏ ଏବଂ ତାʼର କୌଣସି ପୁଅ ନ ଥାଏ, ତେବେ ତାଙ୍କ ଜଣେ ସମ୍ପର୍କୀୟ ସେହି ବିଧବାକୁ ବିବାହ କରନ୍ତି । ତେଣୁ ବୋୟଜ ରୂତଙ୍କୁ ବିବାହ କଲେ । ସେମାନଙ୍କ ଜଣେ ପୁଅ ହେଲା ଯାହାର ନାମ ଓବେଦ୍ ଥିଲା । ଓବେଦ୍ ଆଗକୁ ଯାଇ ରାଜା ଦାଉଦଙ୍କ ଜେଜେବାପା ହେଲେ । ନୟମୀଙ୍କ ସାହି ପଡ଼ିଶାର ସ୍ତ୍ରୀମାନେ ବହୁତ ଖୁସି ହେଲେ । ସେମାନେ କହିଲେ, ‘ଯିହୋବା ପ୍ରଥମେ ତମକୁ ରୂତ ଦେଲେ ଯିଏ ସବୁବେଳେ ତମ ମଙ୍ଗଳ କଲେ ଏବଂ ଏବେ ସେ ତମକୁ ଜଣେ ନାତି ଦେଇଛନ୍ତି । ଯିହୋବାଙ୍କ ପ୍ରଶଂସା ହେଉ ।’
“ଜଣେ ପ୍ରେମକାରୀ ଅଛନ୍ତି, ଯେ ଭାଇ ଅପେକ୍ଷା ଅଧିକ ନିକଟ ଲାଗି ରହନ୍ତି ।”—ହିତୋପଦେଶ ୧୮:୨୪