ପାଠ ୪୫
ରାଜ୍ୟର ବିଭାଜନ
ଯେଉଁ ପର୍ଯ୍ୟନ୍ତ ଶଲୋମନ ଯିହୋବାଙ୍କ ଉପାସନା କଲେ, ଇସ୍ରାଏଲରେ ଶାନ୍ତି ଥିଲା । କିନ୍ତୁ ସେ ଅନ୍ୟ ଦେଶଗୁଡ଼ିକର ଅନେକ ମହିଳାଙ୍କୁ ବିବାହ କଲେ ଯେଉଁମାନେ ମୂର୍ତ୍ତିପୂଜା କରୁଥିଲେ । ଧିରେ ଧିରେ ଶଲୋମନ ବଦଳିଗଲେ ଏବଂ ସେ ମଧ୍ୟ ମୂର୍ତ୍ତିପୂଜା କରିବାକୁ ଲାଗିଲେ । ଏହା ଦେଖି ଯିହୋବା ବହୁତ ରାଗିଗଲେ । ସେ ଶଲୋମନଙ୍କୁ କହିଲେ, ‘ଇସ୍ରାଏଲ ରାଜ୍ୟ ତମ ପରିବାରଠାରୁ ଛଡ଼ାଇ ନିଆଯିବ ଏବଂ ତାହାକୁ ଦୁଇଟି ଭାଗରେ ବିଭକ୍ତ କରାଯିବ । ବଡ଼ ଭାଗ ମୁଁ ତମ ଜଣେ ସେବକଙ୍କୁ ଦେବି ଏବଂ ତମ ପରିବାର କେବଳ ଛୋଟିଆ ଭାଗରେ ଶାସନ କରିବ ।’
ଯିହୋବା ନିଜ ଏହି ନିଷ୍ପତ୍ତି ଆଉ ଏକ ଉପାୟରେ ସ୍ପଷ୍ଟ କହିଲେ । ଶଲୋମନଙ୍କ ଜଣେ ସେବକ ଯାରବୀୟାମ ରାସ୍ତାରେ ଯିବା ସମୟରେ ତାଙ୍କୁ ଭବିଷ୍ୟଦ୍ବକ୍ତା ଅହୀୟ ଭେଟନ୍ତି । ଅହୀୟ ନିଜ କପଡ଼ା ଚିରି ତାକୁ ୧୨ଟି ଖଣ୍ଡ କରନ୍ତି ଏବଂ ଯାରବୀୟାମଙ୍କୁ କହନ୍ତି, ‘ଯିହୋବା, ଶଲୋମନଙ୍କ ପରିବାରଠାରୁ ଇସ୍ରାଏଲ ରାଜ୍ୟ ଛଡ଼ାଇ ନେବେ ଏବଂ ତାହାର ଦୁଇଟି ଭାଗ କରିଦେବେ । ତମେ ଏହି ଦଶଟି ଖଣ୍ଡ ନେଇକି ଯାଅ କାରଣ ତମେ ଦଶଟି ଗୋଷ୍ଠୀର ରାଜା ହେବ ।’ ଯେବେ ରାଜା ଶଲୋମନଙ୍କୁ ଏ କଥା ଜଣାପଡ଼ିଲା ତେବେ ସେ ଯାରବୀୟାମଙ୍କୁ ମାରିବା ପାଇଁ ଚେଷ୍ଟା କଲେ । ଯାରବୀୟାମ ମିଶରକୁ ପଳାଇଗଲେ । କିଛି ସମୟ ପରେ ଶଲୋମନଙ୍କ ମୃତ୍ୟୁ ହୋଇଗଲା ଏବଂ ତାଙ୍କ ପୁଅ ରିହବୀୟାମ ରାଜା ହେଲେ । ସେସମୟରେ ଯାରବୀୟାମଙ୍କୁ ଲାଗିଲା ଯେ ଇସ୍ରାଏଲ ଫେରିବାରେ ଏବେ କୌଣସି ବିପଦ ନାହିଁ ।
ଇସ୍ରାଏଲର ପ୍ରାଚୀନମାନେ ରିହବୀୟାମଙ୍କୁ କହିଲେ, ‘ଯଦି ତମେ ଲୋକମାନଙ୍କ ସହିତ ଭଲ ବ୍ୟବହାର କରିବ ତେବେ ସେମାନେ ତମର ବିଶ୍ୱସ୍ତ ରହିବେ ।’ କିନ୍ତୁ ରିହବୀୟାମଙ୍କ ଯୁବା ସାଙ୍ଗମାନେ କହିଲେ, ‘ତମେ ଲୋକମାନଙ୍କ ସହ କଡ଼ାକଡ଼ି ଭାବେ ବ୍ୟବହାର କର । ସେମାନଙ୍କୁ ଆହୁରି ଅଧିକ କାମ କରାଅ ।’ ରିହବୀୟାମ ନିଜ ସାଙ୍ଗମାନଙ୍କ କଥା ମାନିଲେ । ସେ ଲୋକମାନଙ୍କ ସହ ଖରାପ ବ୍ୟବହାର କରୁଥିଲେ, ତେଣୁ ଲୋକମାନେ ତାଙ୍କ ବିରୁଦ୍ଧରେ ହୋଇଗଲେ । ସେମାନେ ଯାରବୀୟାମଙ୍କୁ ଦଶଟି ଗୋଷ୍ଠୀର ରାଜା କଲେ ଏବଂ ସେହି ଗୋଷ୍ଠୀ ଇସ୍ରାଏଲ ରାଜ୍ୟ ନାମରେ ପରିଚିତ ହେଲା । ଆଉ ଦୁଇଟି ଗୋଷ୍ଠୀ ଯିହୁଦା ରାଜ୍ୟ ନାମରେ ପରିଚିତ ହେଲା ଏବଂ ସେହି ଗୋଷ୍ଠୀର ଲୋକମାନେ ରିହବୀୟାମଙ୍କୁ ସହଯୋଗ କଲେ । ଏପରି ଭାବେ ଇସ୍ରାଏଲ ୧୨ଟି ଗୋଷ୍ଠୀରେ ବିଭକ୍ତ ହୋଇଗଲା ।
ଯାରବୀୟାମ ଚାହୁଁ ନ ଥିଲେ ଯେ ତାଙ୍କ ଲୋକମାନେ ଉପାସନା କରିବା ପାଇଁ ଯିରୂଶାଲମ ଯାʼନ୍ତୁ ଯାହା ରିହବୀୟାମଙ୍କ ରାଜ୍ୟରେ ଥିଲା । ଜାଣିଛ କାହିଁକି ? କାରଣ ଯାରବୀୟାମଙ୍କୁ ଡର ଥିଲା ଯେ ସେମାନେ ତାଙ୍କୁ ଛାଡ଼ି ରିହବୀୟାମଙ୍କ ଆଡ଼କୁ ହୋଇଯିବେ । ତେଣୁ ସେ ସୁନାର ଦୁଇଟି ବାଛୁରୀ ତିଆରି କଲେ ଏବଂ ନିଜ ଲୋକମାନଙ୍କୁ କହିଲେ, ‘ଯିରୂଶାଲମ ବହୁତ ଦୂରରେ ଅଛି । ତମେମାନେ ଏଠାରେ ହିଁ ଉପାସନା କରିପାରିବ ।’ ଲୋକମାନେ ସୁନାର ବାଛୁରୀଗୁଡ଼ିକର ଉପାସନା କରିବାକୁ ଲାଗିଲେ ଏବଂ ପୁଣିଥରେ ଯିହୋବାଙ୍କୁ ଭୁଲିଗଲେ ।
“ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? . . . କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ ?”—୨ କରିନ୍ଥୀୟ ୬:୧୪, ୧୫