ପାଠ ୫୦
ଯିହୋବା ଯିହୋଶାଫଟ୍ଙ୍କୁ ରକ୍ଷା କଲେ
ଯିହୁଦାର ରାଜା ଯିହୋଶାଫଟ୍ ନିଜ ଦେଶରୁ ବାଲ୍ ଦେବତାର ବେଦି ଓ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଲେ । ସେ ଚାହୁଁଥିଲେ ଯେ ଲୋକମାନେ ଯିହୋବାଙ୍କ ନିୟମ ଜାଣନ୍ତୁ । ତେଣୁ ସେ ଅଧିପତି ଓ ଲେବୀୟମାନଙ୍କୁ ସାରା ଯିହୁଦା ଦେଶରେ ପଠାଇଲେ, ଯେଉଁଥିରୁ ସେମାନେ ଲୋକମାନଙ୍କୁ ଯିହୋବାଙ୍କ ନିୟମ ଶିଖାଇବେ ।
ଆଖପାଖ ଦେଶ ଯିହୁଦା ଉପରେ ଆକ୍ରମଣ କରିବା ପାଇଁ ଡରୁଥିଲା କାରଣ ସେମାନେ ଜାଣିଥିଲେ ଯେ ଯିହୋବା ନିଜ ଲୋକମାନଙ୍କ ସହ ଅଛନ୍ତି । ସେମାନେ ରାଜା ଯିହୋଶାଫଟ୍ଙ୍କୁ ଉପହାରଗୁଡ଼ିକ ମଧ୍ୟ ଦେଉଥିଲେ । କିନ୍ତୁ କିଛି ସମୟ ପରେ ମୋୟାବ, ଅମ୍ମୋନ ଓ ସେୟୀର ନାମକ ଅଞ୍ଚଳର ଲୋକମାନେ ଯିହୁଦା ଦେଶ ସହିତ ଯୁଦ୍ଧ କରିବାକୁ ଆସିଲେ । ଯିହୋଶାଫଟ୍ ଜାଣିଥିଲେ ଯେ ତାଙ୍କୁ ଯିହୋବାଙ୍କ ସାହାଯ୍ୟ ଦରକାର । ସେ ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ଯିରୂଶାଲମରେ ଏକାଠି କଲେ । ତାʼପରେ ସମସ୍ତଙ୍କ ଆଗରେ ପ୍ରାର୍ଥନା କଲେ, ‘ହେ ଯିହୋବା, ଆପଣଙ୍କ ସାହାଯ୍ୟ ବିନା ଆମେ ଏହି ଯୁଦ୍ଧ ଜିତିପାରିବୁ ନାହିଁ । ଦୟାକରି ଆମକୁ କୁହନ୍ତୁ ଯେ ଆମେ କʼଣ କରିବା ଉଚିତ୍ ।’
ଯିହୋବା ଉତ୍ତର ଦେଲେ, ‘ତମେମାନେ ଡର ନାହିଁ । ମୁଁ ତମମାନଙ୍କୁ ସାହାଯ୍ୟ କରିବି । ତମେମାନେ କେବଳ ନିଜ ଜାଗାରେ ଛିଡ଼ା ହୋଇ ରହିବ ଏବଂ ଦେଖିବ ଯେ ମୁଁ ତମମାନଙ୍କୁ କିପରି ରକ୍ଷା କରୁଛି ।’ ଯିହୋବା ସେମାନଙ୍କୁ କିପରି ରକ୍ଷା କଲେ ?
ତା ପରଦିନ, ଯିହୋଶାଫଟ୍ କିଛି ଗାୟକଙ୍କୁ ବାଛିଲେ ଏବଂ ସେମାନଙ୍କୁ କହିଲେ ଯେ ସେମାନେ ସେନାର ଆଗେ ଆଗେ ଯାʼନ୍ତୁ । ସେମାନେ ଯିରୂଶାଲମରୁ ଚାଲି ଚାଲି ତକୋୟ ନାମକ ଜାଗାର ଯୁଦ୍ଧ ପଡ଼ିଆ ପର୍ଯ୍ୟନ୍ତ ଗଲେ ।
ଯେବେ ଗାୟକମାନେ ଉଚ୍ଚ ସ୍ୱରରେ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଗୀତ ଗାଇବାକୁ ଲାଗିଲେ, ତେବେ ଯିହୋବା ନିଜ ଲୋକମାନଙ୍କ ତରଫରୁ ଲଢ଼ିଲେ । ସେ ଅମ୍ମୋନୀୟ ଓ ମୋୟାବୀୟ ଲୋକମାନଙ୍କ ମଧ୍ୟରେ ଏପରି ଦ୍ୱନ୍ଦ୍ୱ ସୃଷ୍ଟି କଲେ ଯେ ସେମାନେ ପରସ୍ପରକୁ ମାରି ପକାଇଲେ । ସେମାନଙ୍କ ମଧ୍ୟରୁ ଜଣେ ବି ଜୀବିତ ରହିଲେ ନାହିଁ । କିନ୍ତୁ ଯିହୋବା ଯିହୁଦାର ଲୋକ, ସୈନିକ ଓ ଯାଜକମାନଙ୍କୁ ରକ୍ଷା କଲେ । ଆଖପାଖ ଦେଶର ଲୋକମାନେ ଯେବେ ଶୁଣିଲେ ଯେ ଯିହୋବା କʼଣ କଲେ, ସେମାନେ ଜାଣିଗଲେ ଯେ ଯିହୋବା ଏବେ ବି ନିଜ ଲୋକମାନଙ୍କ ରକ୍ଷା କରୁଛନ୍ତି । ଯିହୋବା ନିଜ ଲୋକମାନଙ୍କୁ କିପରି ରକ୍ଷା କରନ୍ତି ? ଅନେକ ଉପାୟରେ । ତାଙ୍କୁ ମଣିଷମାନଙ୍କ ସାହାଯ୍ୟ ଦରକାର ନାହିଁ ।
‘ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ଯିହୋବା କିପରି ଉଦ୍ଧାର କରିବେ, ତାହା ଦେଖ ।’—୨ ବଂଶାବଳୀ ୨୦:୧୭