ପାଠ ୫୨
ଯିହୋବାଙ୍କ ଅଗ୍ନିମୟ ସେନା
ଅରାମର ରାଜା ବିନ୍ହଦଦ୍ ବାରମ୍ବାର ଇସ୍ରାଏଲ ଉପରେ ଆକ୍ରମଣ କରୁଥିଲା । କିନ୍ତୁ ସବୁ ଥର ଭବିଷ୍ୟଦ୍ବକ୍ତା ଇଲୀଶାୟ ଆଗରୁ ହିଁ ଇସ୍ରାଏଲର ରାଜାକୁ କହି ଦେଉଥିଲେ ଯେ ଆକ୍ରମଣ ହେବାକୁ ଯାଉଛି ଏବଂ ରାଜା ବଞ୍ଚି ଯାଉଥିଲେ । ତେଣୁ ବିନ୍ହଦଦ୍ ଇଲୀଶାୟଙ୍କୁ ଅପହରଣ କରିବା ପାଇଁ ନିଷ୍ପତ୍ତି ନେଲା । ତାକୁ ଜଣାପଡ଼ିଲା ଯେ ଇଲୀଶାୟ ଦୋଥନ ସହରରେ ଅଛନ୍ତି । ତାଙ୍କୁ ଧରି ଆଣିବା ପାଇଁ ସେ ନିଜ ସେନାକୁ ସେଠାକୁ ପଠାଏ ।
ଅରାମର ସୈନିକ ରାତିରେ ଦୋଥନକୁ ପହଞ୍ଚନ୍ତି । ତା ପରଦିନ ସକାଳେ ଯେବେ ଇଲୀଶାୟଙ୍କ ସେବକ ବାହାରକୁ ଗଲେ, ସେ ଦେଖିଲେ ଯେ ସହରକୁ ଏକ ବଡ଼ ସେନା ଘେରି ରହିଛି । ସେ ଡରିଗଲେ ଏବଂ ପାଟି କରିବାକୁ ଲାଗିଲେ, ‘ଇଲୀଶାୟ, ଏବେ ଆମେ କʼଣ କରିବା ?’ ଇଲୀଶାୟ ତାଙ୍କୁ କହିଲେ, ‘ସେମାନଙ୍କ ସହିତ ଯେତିକି ଅଛନ୍ତି ତାʼଠୁ ଅଧିକ ଆମ ସହିତ ଅଛନ୍ତି ।’ ସେହିକ୍ଷଣି ଯିହୋବା ଏପରି କଲେ ଯେ ଇଲୀଶାୟଙ୍କ ସେବକଙ୍କୁ ସହରର ଚାରିଆଡ଼େ ଥିବା ପାହାଡ଼ଗୁଡ଼ିକରେ ଅନେକ ଘୋଡ଼ା ଓ ଯୁଦ୍ଧ ରଥ ଦେଖାଗଲା, ଯାହା ନିଆଁ ଭଳି ଦେଖା ଯାଉଥିଲା ।
ଯେବେ ଅରାମର ସୈନିକମାନେ ଇଲୀଶାୟଙ୍କୁ ଧରିବା ପାଇଁ ଚେଷ୍ଟା କଲେ, ତେବେ ସେ ପ୍ରାର୍ଥନା କଲେ, ‘ହେ ଯିହୋବା ଏମାନଙ୍କୁ ଅନ୍ଧ କରିଦିଅନ୍ତୁ ।’ ହଠାତ୍ ଏପରି ହେଲା ଯେ ସୈନିକମାନେ ସବୁ ଦେଖିପାରୁଥିଲେ କିନ୍ତୁ ବୁଝିପାରୁ ନ ଥିଲେ ଯେ ସେମାନେ କେଉଁଠି ଅଛନ୍ତି । ଇଲୀଶାୟ ସେମାନଙ୍କୁ କହିଲେ, ‘ତମେମାନେ ଅନ୍ୟ ସହରକୁ ଆସିଛ । ମୋ ସହିତ ଚାଲ ମୁଁ ତମମାନଙ୍କୁ ସେହି ବ୍ୟକ୍ତି ପାଖକୁ ନେଇଯିବି ଯାହାକୁ ତମେମାନେ ଖୋଜୁଛ ।’ ସେମାନେ ଇଲୀଶାୟଙ୍କ ପଛେ ପଛେ ଯାଇ ଶମିରୋଣ ପହଞ୍ଚିଲେ । ଯେଉଁଠି ଇସ୍ରାଏଲର ରାଜା ରହୁଥିଲେ ।
ଏବେ ଅରାମର ସୈନିକମାନେ ବୁଝିଗଲେ ଯେ ସେମାନେ କେଉଁଠି ଅଛନ୍ତି । କିନ୍ତୁ ସେ ଯାଏ ବହୁତ ଡେରି ହୋଇଯାଇଥିଲା । ଇସ୍ରାଏଲର ରାଜା ଇଲୀଶାୟଙ୍କୁ ପଚାରିଲେ, ‘କʼଣ ମୁଁ ଏମାନଙ୍କୁ ମାରିଦେବି ?’ କʼଣ ଇଲୀଶାୟ ଭାବିଲେ ଯେ ଏହା ପ୍ରତିଶୋଧ ନେବାର ଏକ ବଢ଼ିଆ ସୁଯୋଗ ଯେଉଁମାନେ ମୋତେ ଆଘାତ ପହଞ୍ଚାଇବା ପାଇଁ ଆସିଥିଲେ ? ନୁହେଁ । ସେ ରାଜାଙ୍କୁ କହିଲେ, ‘ଏମାନଙ୍କୁ ମାର ନାହିଁ । ଏମାନଙ୍କୁ ଖାଇବା ଦେଇ ପଠାଇ ଦିଅ ।’ ତେବେ ରାଜା ସେସମସ୍ତଙ୍କ ପାଇଁ ବଡ଼ ଭୋଜି ରଖିଲେ ଏବଂ ସେମାନଙ୍କୁ ଘରକୁ ପଠାଇଦେଲେ ।
“ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି ।”—୧ ଯୋହନ ୫:୧୪