ପାଠ ୫୭
ଯିହୋବା ଯିରିମୀୟଙ୍କୁ ପ୍ରଚାର କରିବା ପାଇଁ ପଠାଇଲେ
ଯିହୋବା ଯିହୁଦାର ଲୋକମାନଙ୍କୁ ପ୍ରଚାର କରିବା ପାଇଁ ଯିରିମୀୟଙ୍କୁ ଭବିଷ୍ୟଦ୍ବକ୍ତା ଭାବେ ବାଛିଲେ । ଯିହୋବା ତାଙ୍କୁ କହିଲେ ଯେ ସେ ଲୋକମାନଙ୍କୁ ଦୁଷ୍ଟ କାମ ଛାଡ଼ିବା ପାଇଁ କହନ୍ତୁ । କିନ୍ତୁ ଯିରିମୀୟ କହିଲେ, ‘ହେ ଯିହୋବା, ମୁଁ ଲୋକମାନଙ୍କ ସହ କଥା କହି ଜାଣେ ନାହିଁ, କାରଣ ମୁଁ ତ ଜଣେ ବାଳକ ।’ ଯିହୋବା ତାଙ୍କୁ କହିଲେ, ‘ଡର ନାହିଁ, ମୁଁ ତମକୁ ସାହାଯ୍ୟ କରିବି । ମୁଁ କହିବି ଯେ ତମକୁ କʼଣ କହିବାର ଅଛି ।’
ଯିହୋବା ଯିରିମୀୟଙ୍କୁ କହିଲେ ଯେ ସେ ଲୋକମାନଙ୍କ ମୁଖିଆମାନଙ୍କୁ ଏକାଠି କରନ୍ତୁ, ସେମାନଙ୍କ ଆଗରେ ମାଟିରେ ତିଆରି ଗୋଟିଏ ସୁରେଇ ଭାଙ୍ଗନ୍ତୁ ଏବଂ କହନ୍ତୁ, ‘ଏହିପରି ଯିରୂଶାଲମକୁ ବିନାଶ କରି ଦିଆଯିବ ।’ ଯେବେ ଯିରିମୀୟ ଏପରି କଲେ ତେବେ ମୁଖିଆମାନେ ବହୁତ ରାଗିଗଲେ । ପଶ୍ହୂର ନାମକ ଜଣେ ଯାଜକ ଯିରିମୀୟଙ୍କୁ ପିଟିଲେ ଏବଂ ତାଙ୍କ ହାତଗୋଡ଼ କାଠ ଖଣ୍ଡରେ ବାନ୍ଧି ଦେଲେ । ଯିରିମୀୟ ରାତିସାରା ହଲିପାରିଲେ ନାହିଁ । ଆରଦିନ ସକାଳେ ପଶ୍ହୂର ତାଙ୍କୁ ଛାଡ଼ିଦେଲେ । ଯିରିମୀୟ କହିଲେ, ‘ବହୁତ ହେଲା । ଏବେ ମୁଁ ଆଉ ପ୍ରଚାର କରିବି ନାହିଁ ।’ କʼଣ ସେ ସତରେ ପ୍ରଚାର କରିବା ଛାଡ଼ିଦେଲେ ? ନୁହେଁ । ଯେବେ ଯିରିମୀୟ ଏବିଷୟରେ ଆହୁରି ଭାବିଲେ ତେବେ ସେ କହିଲେ, ‘ଯିହୋବାଙ୍କ ସନ୍ଦେଶ ମୋ ଭିତରେ ନିଆଁ ଭଳି ଅଟେ । ମୁଁ ପ୍ରଚାର କରିବା ବନ୍ଦ କରିପାରିବି ନାହିଁ ।’ ଆଉ ସେ ଲୋକମାନଙ୍କୁ ବିନାଶ ବିଷୟରେ କହିବା ଜାରି ରଖିଲେ ।
ଅନେକ ବର୍ଷ ବିତିଗଲା ଏବଂ ଯିହୁଦା ଉପରେ ଏବେ ଜଣେ ନୂଆ ରାଜା ଶାସନ କରୁଥିଲେ । ଯାଜକ ଓ ମିଥ୍ୟା ଭବିଷ୍ୟଦ୍ବକ୍ତା ଯିରିମୀୟଙ୍କ ସନ୍ଦେଶ ବିଲକୁଲ୍ ପସନ୍ଦ କରୁ ନ ଥିଲେ । ସେମାନେ ଅଧିପତିମାନଙ୍କୁ କହିଲେ, ‘ଏହି ମନୁଷ୍ୟ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ ।’ ଯିରିମୀୟ କହିଲେ, ‘ଯଦି ତମେମାନେ ମୋତେ ମାରିଦେବ, ତାହେଲେ ତମେମାନେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିର ହତ୍ୟା କରିଦେବ । ମୁଁ ନିଜ କଥା କହୁ ନାହିଁ, ଯିହୋବାଙ୍କ କଥା ଶୁଣାଉଛି ।’ ଯେବେ ଅଧିପତିମାନେ ଏହା ଶୁଣିଲେ ସେମାନେ କହିଲେ, ‘ଏହି ମନୁଷ୍ୟ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ ନୁହେଁ ।’
ଯିରିମୀୟ ପ୍ରଚାର କରିବା ଜାରି ରଖିଲେ ଏବଂ ଅଧିପତିମାନେ ବହୁତ ରାଗିଗଲେ । ସେମାନେ ରାଜାଙ୍କୁ କହିଲେ ଯେ ସେ ଯିରିମୀୟଙ୍କୁ ମାରି ଦିଅନ୍ତୁ । ରାଜା ସେମାନଙ୍କୁ କହିଲେ ଯେ ସେମାନେ ଯିରିମୀୟଙ୍କ ସହ ଯାହା ଚାହିଁବେ ତାହା କରିପାରିବେ । ସେମାନେ ଯିରିମୀୟଙ୍କୁ ଧରି ନେଇଗଲେ ଏବଂ ଗୋଟିଏ କୂଅରେ ଫିଙ୍ଗି ଦେଲେ ଯାହା ବହୁତ ଗଭୀର ଓ କାଦୁଅରେ ଭରିଥିଲା । ସେମାନେ ଭାବିଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଯିବ । ଯିରିମୀୟ କାଦୁଅ ଭିତରେ ପଶିବାକୁ ଲାଗିଲେ ।
ତେବେ ରାଜାଙ୍କ ଜଣେ ଅଧିକାରୀ ଯାହାର ନାମ ଏବଦ୍-ମେଲକ୍ ଥିଲା, ରାଜାଙ୍କୁ କହିଲେ, ‘ଅଧିପତିମାନେ ଯିରିମୀୟଙ୍କୁ ଗୋଟିଏ କୂଅରେ ଫିଙ୍ଗି ଦେଇଛନ୍ତି ! ଯଦି ଆମେ ସେଠାରେ ହିଁ ତାଙ୍କୁ ଛାଡ଼ିଦେବା ତାହେଲେ ତାଙ୍କ ମୃତ୍ୟୁ ହୋଇଯିବ ।’ ରାଜା, ଏବଦ୍-ମେଲକ୍କୁ ଆଦେଶ ଦେଲେ ଯେ ସେ ନିଜ ସହ ୩୦ ଜଣ ପୁରୁଷଙ୍କୁ ନେଇ ଯିରିମୀୟଙ୍କୁ କୂଅରୁ ବାହାର କରନ୍ତୁ । କʼଣ ଆମେ ବି ଯିରିମୀୟଙ୍କ ପରି ହୋଇପାରିବା ଯିଏ ପ୍ରତ୍ୟେକ ସମସ୍ୟା ସତ୍ତ୍ୱେ ପ୍ରଚାର କରିବା ଛାଡ଼ିଲେ ନାହିଁ ?
“ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।”—ମାଥିଉ ୧୦:୨୨