ପାଠ ୫୮
ଯିରୂଶାଲମର ବିନାଶ
ଯିହୁଦାର ଲୋକମାନେ ବାରମ୍ବାର ଯିହୋବାଙ୍କୁ ଛାଡ଼ି ମିଥ୍ୟା ଦେବତାମାନଙ୍କ ପୂଜା କରୁଥିଲେ । ଅନେକ ବର୍ଷ ଯାଏ ଯିହୋବା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲେ । ସେ ସେମାନଙ୍କୁ ଚେତାବନୀ ଦେବା ପାଇଁ ଅନେକ ଭବିଷ୍ୟଦ୍ବକ୍ତା ପଠାଇଲେ, କିନ୍ତୁ ସେମାନେ ତାଙ୍କ କଥା ଶୁଣିଲେ ନାହିଁ । ବରଂ ସେମାନେ ଭବିଷ୍ୟଦ୍ବକ୍ତାମାନଙ୍କ ଥଟ୍ଟା କଲେ । ଯିହୋବା ସେମାନଙ୍କ ମୂର୍ତ୍ତିପୂଜାର ଅନ୍ତ କିପରି କଲେ ?
ବାବିଲର ରାଜା ନବୂଖଦ୍ନିତ୍ସର ଗୋଟିଏ ପରେ ଗୋଟିଏ ଅନେକ ଦେଶ ଉପରେ କବ୍ଜା କରୁଥିଲେ । ଯେବେ ସେ ପ୍ରଥମ ଥର ଯିରୂଶାଲମ ଉପରେ କବ୍ଜା କଲେ ତେବେ ସେ ରାଜା ଯିହୋୟାଖୀନ୍, ତାଙ୍କ ଅଧିପତି, ସୈନିକ ଓ କାରିଗରମାନଙ୍କୁ ବନ୍ଦୀ କରିନେଲେ ଓ ସେ ସେମାନଙ୍କୁ ବାବିଲକୁ ନେଇଗଲେ । ସେ ଯିହୋବାଙ୍କ ମନ୍ଦିରର ସମସ୍ତ ଧନ ମଧ୍ୟ ନେଇଗଲେ । ଏହାପରେ ସେ ସିଦିକୀୟଙ୍କୁ ଯିହୁଦାର ରାଜା କଲେ ।
ସିଦିକୀୟ ଆରମ୍ଭରେ ନବୂଖଦ୍ନିତ୍ସରଙ୍କ କଥା ମାନିଲେ । କିନ୍ତୁ ପରେ ଆଖପାଖର ଦେଶଗୁଡ଼ିକ ଓ ମିଥ୍ୟା ଭବିଷ୍ୟଦ୍ବକ୍ତାମାନେ ତାଙ୍କୁ କହିଲେ ଯେ ସେ ବାବିଲ ସହ ବିଦ୍ରୋହ କରନ୍ତୁ । ଯିରିମୀୟ ସିଦିକୀୟଙ୍କୁ କହିଲେ, ‘ଯଦି ତମେ ବିଦ୍ରୋହ କରିବ ତେବେ ଯିହୁଦାରେ ହତ୍ୟା ହେବ, ଖାଇବା ଅଭାବ ହେବ ଏବଂ ରୋଗ ବ୍ୟାପିବ ।’
ସିଦିକୀୟ ଆଠ ବର୍ଷ ଯାଏ ଶାସନ କରିବା ପରେ ବାବିଲ ସହ ବିଦ୍ରୋହ କରିବା ପାଇଁ ନିଷ୍ପତ୍ତି ନେଲେ । ସେ ମିଶରୀୟ ସେନାକୁ ସାହାଯ୍ୟ ମାଗିଲେ । ସେସମୟରେ ନବୂଖଦ୍ନିତ୍ସର ଯିରୂଶାଲମ ଉପରେ ଆକ୍ରମଣ କରିବା ପାଇଁ ନିଜ ସୈନିକମାନଙ୍କୁ ପଠାଇଲେ ଏବଂ ସେମାନେ ସହରକୁ ଘେରି ଗଲେ । ଯିରିମୀୟ ସିଦିକୀୟଙ୍କୁ କହିଲେ, ‘ଯିହୋବା କହିଛନ୍ତି ଯେ ତମେ ବାବିଲ ଆଗରେ ହାର ମାନିଯାଅ । ତେବେ ତମେ ଓ ଏହି ସହର ଉଭୟ ରକ୍ଷା ପାଇବ । କିନ୍ତୁ ଯଦି ତମେ ଏପରି କରିବ ନାହିଁ ତେବେ ବାବିଲର ଲୋକମାନେ ଯିରୂଶାଲମକୁ ଜାଳି ଦେବେ ଏବଂ ତମକୁ ବନ୍ଦୀ କରି ନେଇଯିବେ ।’ ସିଦିକୀୟ କହିଲେ, ‘ମୁଁ ହାର ମାନିବି ନାହିଁ !’
ଦେଢ଼ ବର୍ଷ ପରେ ବାବିଲର ସୈନିକମାନେ ଯିରୂଶାଲମର ପ୍ରାଚୀର ଭାଙ୍ଗି ସହର ଭିତରକୁ ପଶିଗଲେ ଏବଂ ସେମାନେ ତାହାକୁ ଜାଳିଦେଲେ । ସେମାନେ ମନ୍ଦିରକୁ ଜାଳି ପାଉଁଶ କରିଦେଲେ, ଅନେକ ଲୋକଙ୍କୁ ମାରିଦେଲେ ଏବଂ ସେମାନେ ହଜାର ହଜାର ଲୋକଙ୍କୁ ବନ୍ଦୀ କରି ନେଇଗଲେ ।
ସିଦିକୀୟ ଯିରୂଶାଲମରୁ ପଳାଇଗଲେ, କିନ୍ତୁ ବାବିଲର ସୈନିକମାନେ ତାଙ୍କ ପିଛା କଲେ । ସେମାନେ ଯିରୀହୋ ପାଖରେ ତାଙ୍କୁ ଧରି ନେଲେ ଏବଂ ବାବିଲର ରାଜା ନବୂଖଦ୍ନିତ୍ସର ପାଖକୁ ନେଇଗଲେ । ନବୂଖଦ୍ନିତ୍ସର ସିଦିକୀୟଙ୍କ ଆଖି ଆଗରେ ତାଙ୍କ ପୁଅମାନଙ୍କ ହତ୍ୟା କରିଦେଲେ । ତାʼପରେ ସିଦିକୀୟଙ୍କୁ ଅନ୍ଧ କରିଦେଲେ ଏବଂ ତାଙ୍କୁ ଜେଲରେ ବନ୍ଦୀ କରିଦେଲେ । ପରେ ସେଠାରେ ତାଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ ଯିହୋବା ଯିହୁଦାର ଲୋକମାନଙ୍କୁ ପ୍ରତିଜ୍ଞା କଲେ, ‘ମୁଁ ୭୦ ବର୍ଷ ପରେ ତମମାନଙ୍କୁ ପୁଣିଥରେ ଯିରୂଶାଲମକୁ ଫେରାଇ ଆଣିବି ।’
ସେହି ଯୁବାମାନଙ୍କ କʼଣ ହେଲା ଯେଉଁମାନଙ୍କୁ ଧରି ବାବିଲକୁ ନିଆଯାଇଥିଲା ? କʼଣ ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ?
‘ହେ ସର୍ବଶକ୍ତିମାନ ଈଶ୍ୱର ଯିହୋବା, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଧାର୍ମିକ ।’—ପ୍ରକାଶିତ ବାକ୍ୟ ୧୬:୭