ପାଠ ୬୩
କାନ୍ଥରେ ଲେଖାଥିବା ଚାରିଟି ଶବ୍ଦ
କିଛି ସମୟ ପରେ ବେଲ୍ଶତ୍ସର ବାବିଲର ରାଜା ହେଲେ । ଦିନେ ରାତିରେ ସେ ସବୁଠୁ ବିଶେଷ ଲୋକଙ୍କୁ ଭୋଜିରେ ଡାକିଲେ । ଅତିଥିମାନଙ୍କ ସଂଖ୍ୟା ହଜାରେ ଥିଲା । ସେ ନିଜ ସେବକମାନଙ୍କୁ ଆଦେଶ ଦେଲେ ଯେ ସେମାନେ ସୁନାର ସେହି ପାତ୍ର ଆଣନ୍ତୁ ଯାହା ନବୂଖଦ୍ନିତ୍ସର ଯିହୋବାଙ୍କ ମନ୍ଦିରରୁ ଆଣିଥିଲେ । ବେଲ୍ଶତ୍ସର ଓ ତାଙ୍କ ଅତିଥିମାନେ ସେହି ପାତ୍ରଗୁଡ଼ିକରୁ ମଦ ପିଇଲେ ଏବଂ ସେମାନେ ନିଜ ଦେବତାମାନଙ୍କ ପ୍ରଶଂସା କରିବାକୁ ଲାଗିଲେ । ତେବେ ହଠାତ୍ ଜଣେ ବ୍ୟକ୍ତିର ହାତ ଦେଖାଗଲା ଏବଂ ଖାଇବା କୋଠରିର କାନ୍ଥରେ ଏପରି କିଛି ଶବ୍ଦ ଲେଖିବାକୁ ଲାଗିଲା ଯାହା କାହାରିକୁ ବୁଝା ପଡ଼ୁ ନ ଥିଲା ।
ବେଲ୍ଶତ୍ସର ବହୁତ ଡରିଗଲେ । ସେ ନିଜ ଯାଦୁଗରମାନଙ୍କୁ ଡାକି ସେମାନଙ୍କୁ ପ୍ରତିଜ୍ଞା କଲେ, ‘ଯଦି କେହି ମୋତେ ଏହି ଶବ୍ଦଗୁଡ଼ିକର ଅର୍ଥ କହିବ ତେବେ ସେହି ବ୍ୟକ୍ତି ବାବିଲର ତୃତୀୟ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବ ।’ ସେମାନେ ଚେଷ୍ଟା କଲେ କିନ୍ତୁ କେହି ବି ସେହି ଶବ୍ଦଗୁଡ଼ିକର ଅର୍ଥ କହିପାରିଲେ ନାହିଁ । ତାʼପରେ ରାଣୀ ଆସି ବେଲ୍ଶତ୍ସରକୁ କହିଲେ, ‘ଦାନିୟେଲ ନାମକ ଜଣେ ବ୍ୟକ୍ତି ଅଛନ୍ତି ଯିଏ ନବୂଖଦ୍ନିତ୍ସରଙ୍କୁ ଏପରି କଥାଗୁଡ଼ିକର ଅର୍ଥ ବୁଝାଉଥିଲେ । ସେ ଆପଣଙ୍କୁ ବି ଏହି ଶବ୍ଦଗୁଡ଼ିକର ଅର୍ଥ କହିପାରିବେ ।’
ତାʼପରେ ଦାନିୟେଲ ରାଜାଙ୍କ ପାଖକୁ ଗଲେ । ବେଲ୍ଶତ୍ସର ତାଙ୍କୁ କହିଲେ, ‘ଯଦି ତୁମେ ଏହି ଶବ୍ଦଗୁଡ଼ିକୁ ପଢ଼ି ତାର ଅର୍ଥ କହିବ ତେବେ ମୁଁ ତମକୁ ସୁନାର ହାର ଦେବି ଏବଂ ତମେ ବାବିଲର ତୃତୀୟ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବ ।’ ଦାନିୟେଲ କହିଲେ, ‘ମୋତେ ଆପଣଙ୍କ ଉପହାର ଦରକାର ନାହିଁ, ତଥାପି ମୁଁ ରାଜାଙ୍କୁ ଏହି ଶବ୍ଦଗୁଡ଼ିକର ଅର୍ଥ କହିବି । ଆପଣଙ୍କ ବାପା ନବୂଖଦ୍ନିତ୍ସର ଅହଂକାରୀ ଥିଲେ ଏବଂ ଯିହୋବା ତାଙ୍କୁ ଲଜ୍ଜିତ କଲେ । ଆପଣ ଏସବୁ ଜାଣିଲା ପରେ ବି ଯେ ତାଙ୍କ ସହ କʼଣ କʼଣ ହେଲା, ଯିହୋବାଙ୍କ ଅପମାନ କରିଛନ୍ତି ଏବଂ ତାଙ୍କ ମନ୍ଦିରର ସୁନାର ପାତ୍ରରେ ମଦ ପିଇଛନ୍ତି । ତେଣୁ ଈଶ୍ୱର ଏହି ଶବ୍ଦ ଲେଖିଲେ, “ମିନେ, ମିନେ, ତକେଲ, ଉପାରସୀନ ।” ଏହାର ଅର୍ଥ ହେଉଛି ମାଦୀୟ ଓ ପାରସିକ ଲୋକମାନେ ବାବିଲ ଉପରେ କବ୍ଜା କରିନେବେ ଏବଂ ଆପଣ ରାଜା ରହିବେ ନାହିଁ ।’
ବାବିଲ ବିଷୟରେ ଲୋକମାନଙ୍କୁ ଲାଗୁଥିଲା ଯେ କେହି ବି ତାକୁ ଜିତିପାରିବେ ନାହିଁ । ସେହି ସହରର ଚାରିଆଡ଼େ ମୋଟା ମୋଟା ପ୍ରାଚୀରଗୁଡ଼ିକ ଥିଲା ଏବଂ ଏକ ଗଭୀର ନଦୀ ଥିଲା । କିନ୍ତୁ ଯେଉଁ ଦିନ ଭୋଜି ଥିଲା ସେହି ରାତି ମାଦୀୟ ଓ ପାରସିକ ଲୋକମାନେ ବାବିଲ ଉପରେ ଆକ୍ରମଣ କରିଦେଲେ । ପାରସ୍ୟର ରାଜା କୋରସ୍ ନଦୀର ପାଣିକୁ ଅନ୍ୟପଟେ ମୋଡ଼ିଦେଲେ, ଯାହାଦ୍ୱାରା ତାଙ୍କ ସୈନିକ ନଦୀରୁ ଚାଲି ସହରର ଫାଟକଗୁଡ଼ିକ ଯାଏ ପହଞ୍ଚିପାରିବେ । ଯେବେ ସେମାନେ ସେଠାରେ ପହଞ୍ଚିଲେ ସେମାନେ ଦେଖିଲେ ଯେ ଫାଟକ ଖୋଲା ଅଛି ! ସୈନିକମାନେ ସହର ଭିତରକୁ ପଶିଗଲେ, ତାକୁ କବ୍ଜା କରିନେଲେ ଏବଂ ସେମାନେ ରାଜାଙ୍କୁ ମାରିଦେଲେ । ତାʼପରେ କୋରସ୍ ବାବିଲର ରାଜା ହୋଇଗଲେ ।
ବର୍ଷେ ଭିତରେ କୋରସ୍ ଏହା ଘୋଷଣା କଲେ: ‘ଯିହୋବା ମୋତେ ଯିରୂଶାଲମର ମନ୍ଦିର ପୁଣିଥରେ ତିଆରି କରିବା ପାଇଁ କହିଛନ୍ତି । ଯେଉଁ ଲୋକମାନେ ତାହା ତିଆରି କରିବାରେ ସାହାଯ୍ୟ କରିବା ପାଇଁ ଚାହାନ୍ତି ସେମାନେ ଯିରୂଶାଲମକୁ ଯାଇପାରିବେ ।’ ଏପରି ଭାବେ ଯିହୋବା ଯେପରି ପ୍ରତିଜ୍ଞା କରିଥିଲେ ଅନେକ ଯିହୁଦୀ ଯିରୂଶାଲମ ବିନାଶର ୭୦ ବର୍ଷ ପରେ ନିଜ ଦେଶକୁ ଫେରିଗଲେ । କୋରସ୍ ସୁନା, ରୂପାର ପାତ୍ର ଓ ଅନ୍ୟ ପାତ୍ର ପୁଣି ପଠାଇ ଦେଲେ ଯାହା ନବୂଖଦ୍ନିତ୍ସର ସେଠାର ମନ୍ଦିରରୁ ଆଣିଥିଲେ । ଦେଖିଲେ ଆପଣ, ଯିହୋବା କିପରି କୋରସ୍ଙ୍କ ଜରିଆରେ ନିଜ ଲୋକମାନଙ୍କ ରକ୍ଷା କଲେ ?
‘ମହାନଗରୀ ବାବିଲ ପତିତ, ଅଧଃପତିତ ହୋଇଅଛି ଏବଂ ତାହା ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବାସସ୍ଥାନ ହୋଇଅଛି ।’—ପ୍ରକାଶିତ ବାକ୍ୟ ୧୮:୨