ପାଠ ୬୪
ଦାନିୟେଲ ସିଂହମାନଙ୍କ ଗର୍ତ୍ତରେ
ବାବିଲର ଆଉ ଜଣେ ରାଜା ଥିଲେ ଦାରୀୟାବସ । ସେ ଜଣେ ମାଦୀୟ ଥିଲେ । ସେ ଦେଖିଲେ ଯେ ଦାନିୟେଲ ଅନ୍ୟମାନଙ୍କଠୁ ବହୁତ ଅଲଗା । ତେଣୁ ସେ ଦାନିୟେଲଙ୍କୁ ଦେଶର ବଡ଼ ବଡ଼ ବ୍ୟକ୍ତିମାନଙ୍କ ଉପରେ ଅଧିକାରୀ ନିଯୁକ୍ତ କଲେ । ଏହି ବ୍ୟକ୍ତିମାନେ ଦାନିୟେଲଙ୍କୁ ଈର୍ଷା କରୁଥିଲେ ଏବଂ ତାଙ୍କୁ ମାରିଦେବା ପାଇଁ ଚାହୁଁଥିଲେ । ସେମାନେ ଜାଣିଥିଲେ ଯେ ଦାନିୟେଲ ପ୍ରତିଦିନ, ତିନି ଥର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । ତେଣୁ ସେମାନେ ଦାରୀୟାବସଙ୍କୁ କହିଲେ, ‘ହେ ରାଜା, ଏପରି ଏକ ନିୟମ ହେବା ଉଚିତ୍ ଯେ ସମସ୍ତ ଲୋକ କେବଳ ଆପଣଙ୍କୁ ପ୍ରାର୍ଥନା କରିବେ । ଯେକେହି ଏହି ନିୟମ ମାନିବେ ନାହିଁ ତାଙ୍କୁ ସିଂହର ଗର୍ତ୍ତରେ ଫିଙ୍ଗି ଦିଆଯାଉ ।’ ଦାରୀୟାବସଙ୍କୁ ଏହି କଥା ଭଲ ଲାଗିଲା ଏବଂ ସେ ନିୟମରେ ଦସ୍ତଖତ କରିଦେଲେ ।
ଦାନିୟେଲ ଏହି ନୂଆ ନିୟମ ବିଷୟରେ ଶୁଣିବା ମାତ୍ରେ ସେ ନିଜ ଘରକୁ ଗଲେ । ସେ ଖୋଲା ଝରକା ଆଗରେ ଆଣ୍ଠୁମାଡ଼ି ଯିହୋବାଙ୍କୁ ପ୍ରାର୍ଥନା କଲେ । ତେବେ ସେହି ଈର୍ଷା କରୁଥିବା ବ୍ୟକ୍ତିମାନେ, ଏକାଥରେ ତାଙ୍କ ଘର ଭିତରକୁ ପଶି ତାଙ୍କୁ ପ୍ରାର୍ଥନା କରୁଥିବାର ଦେଖିଲେ । ସେମାନେ ଦୌଡ଼ି ଦାରୀୟାବସଙ୍କ ପାଖକୁ ଗଲେ ଏବଂ ତାଙ୍କୁ କହିଲେ, ‘ଦାନିୟେଲ ଆପଣଙ୍କ ଆଜ୍ଞା ଭାଙ୍ଗି ଦେଇଛି । ସେ ପ୍ରତିଦିନ ତିନି ଥର ନିଜ ଈଶ୍ୱରଙ୍କୁ ପ୍ରାର୍ଥନା କରେ ।’ ଦାରୀୟାବସ ଦାନିୟେଲଙ୍କୁ ବହୁତ ପସନ୍ଦ କରୁଥିଲେ, ତେଣୁ ସେ ଚାହୁଁ ନ ଥିଲେ ଯେ ଦାନିୟେଲଙ୍କ ମୃତ୍ୟୁ ହୋଇଯାଉ । ସେ ସାରା ଦିନ ଭାବୁଥିଲେ ଯେ ସେ ଦାନିୟେଲଙ୍କୁ କିପରି ରକ୍ଷା କରିବେ । କିନ୍ତୁ ଥରେ ଯେବେ ରାଜା କୌଣସି ନିୟମରେ ଦସ୍ତଖତ କରନ୍ତି ତେବେ ସେ ନିଜେ ବି ତାକୁ ବଦଳାଇ ପାରୁ ନ ଥିଲେ । ତେଣୁ ସେ ନିଜ ବ୍ୟକ୍ତିମାନଙ୍କୁ ଆଦେଶ ଦେଲେ ଯେ ସେମାନେ ଦାନିୟେଲଙ୍କୁ ହିଂସ୍ରକ ସିଂହମାନଙ୍କ ଗର୍ତ୍ତରେ ଫିଙ୍ଗି ଦିଅନ୍ତୁ ।
ରାତିସାରା ଦାରୀୟାବସ ଦାନିୟେଲଙ୍କ ଚିନ୍ତାରେ ଶୋଇପାରିଲେ ନାହିଁ । ସକାଳେ ସକାଳେ ସେ ଦୌଡ଼ି ଗର୍ତ୍ତ ପାଖକୁ ଗଲେ ଏବଂ ଦାନିୟେଲଙ୍କୁ ଡାକି କହିଲେ, ‘କʼଣ ତମ ଈଶ୍ୱର ତମକୁ ରକ୍ଷା କରିଛନ୍ତି ?’
ଦାରୀୟାବସଙ୍କୁ ଏକ ଶବ୍ଦ ଶୁଣାଗଲା ଯାହା ଦାନିୟେଲଙ୍କ ଥିଲା । ସେ ଦାରୀୟାବସଙ୍କୁ କହିଲେ, ‘ଯିହୋବାଙ୍କ ସ୍ୱର୍ଗଦୂତ ସିଂହମାନଙ୍କ ମୁହଁ ବନ୍ଦ କରିବା ଯୋଗୁଁ ମୋର କିଛି କ୍ଷତି ହେଲା ନାହିଁ ।’ ଦାରୀୟାବସ ବହୁତ ଖୁସି ହେଲେ । ସେ ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବା ପାଇଁ ଆଦେଶ ଦେଲେ । ଦାନିୟେଲଙ୍କ ଶରୀରରେ କୌଣସି ପ୍ରକାର କ୍ଷତର ଚିହ୍ନ ନ ଥିଲା । ତାʼପରେ ରାଜା ଆଦେଶ ଦେଲେ, ‘ଯେଉଁ ବ୍ୟକ୍ତିମାନେ ଦାନିୟେଲଙ୍କ ଉପରେ ଦୋଷ ଲଗାଇ ଥିଲେ ସେମାନଙ୍କୁ ଗର୍ତ୍ତରେ ଫିଙ୍ଗି ଦିଆଯାଉ ।’ ସେହି ବ୍ୟକ୍ତିମାନଙ୍କୁ ଗର୍ତ୍ତରେ ଫିଙ୍ଗିବା ପରେ ସିଂହମାନେ ସେମାନଙ୍କୁ ଫାଡ଼ି ଖାଇଦେଲେ ।
ଦାରୀୟାବସ ନିଜ ଲୋକମାନଙ୍କୁ ଏହି ଆଦେଶ ଦେଲେ, ‘ସମସ୍ତେ ଦାନିୟେଲଙ୍କ ଈଶ୍ୱରଙ୍କ ଭୟ ମାନିବା ଉଚିତ୍ । ସେ ଦାନିୟେଲଙ୍କୁ ସିଂହମାନଙ୍କ ମୁହଁରୁ ରକ୍ଷା କଲେ ।’
କʼଣ ଆପଣ ମଧ୍ୟ ଦାନିୟେଲଙ୍କ ଭଳି ପ୍ରତିଦିନ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି ?
‘ଯିହୋବା ଧର୍ମପରାୟଣମାନଙ୍କୁ ପରୀକ୍ଷାରୁ ରକ୍ଷା କରିବାକୁ ଜାଣନ୍ତି ।’—୨ ପିତର ୨:୯