ପାଠ ୬୮
ଏଲୀଶାବେଥଙ୍କ ଶିଶୁ ହେଲା
ଯିରୂଶାଲମର ପ୍ରାଚୀରଗୁଡ଼ିକ ପୁଣି ତିଆରି କରି ୪୦୦ ବର୍ଷରୁ ବି ଅଧିକ ହୋଇଯାଇଥିଲା । ଯିରୂଶାଲମ ସହର ପାଖରେ ଜିଖରୀୟ ନାମକ ଜଣେ ଯାଜକ ଏବଂ ତାଙ୍କ ସ୍ତ୍ରୀ ଏଲୀଶାବେଥ ରହୁଥିଲେ । ସେମାନଙ୍କ ବିବାହକୁ ଅନେକ ବର୍ଷ ହୋଇଯାଇଥିଲା । କିନ୍ତୁ ସେମାନଙ୍କ କୌଣସି ସନ୍ତାନ ନ ଥିଲା । ଦିନେ ଜିଖରୀୟ ଯେବେ ମନ୍ଦିରର ପବିତ୍ର ସ୍ଥାନରେ ଧୂପ ଜଳାଉଥିଲେ ତେବେ ଗାବ୍ରିଏଲ ନାମକ ଜଣେ ସ୍ୱର୍ଗଦୂତ ତାଙ୍କ ସାମନାକୁ ଆସିଲେ । ଜିଖରୀୟ ଡରିଗଲେ, କିନ୍ତୁ ଗାବ୍ରିଏଲ ତାଙ୍କୁ କହିଲେ, ‘ଡର ନାହିଁ । ମୁଁ ଯିହୋବାଙ୍କ ତରଫରୁ ତମ ପାଇଁ ଗୋଟିଏ ଖୁସିର ଖବର ଆଣିଛି । ତମ ସ୍ତ୍ରୀ ଏଲୀଶାବେଥ ଜଣେ ପୁଅକୁ ଜନ୍ମ ଦେବେ ଏବଂ ତାʼର ନାମ ଯୋହନ ହେବ । ଯିହୋବା ଯୋହନକୁ ଏକ ବିଶେଷ କାମ ପାଇଁ ବାଛିଛନ୍ତି ।’ ଜିଖରୀୟ କହିଲେ, ‘ମୁଁ ଆପଣଙ୍କ କଥା ଉପରେ କିପରି ବିଶ୍ୱାସ କରିବି ? ମୁଁ ଓ ମୋ ସ୍ତ୍ରୀ ବହୁତ ବୁଢ଼ାବୁଢ଼ୀ ହୋଇଯାଇଛୁ, ଆମର କୌଣସି ସନ୍ତାନ କିପରି ହୋଇପାରିବ ?’ ଗାବ୍ରିଏଲ କହିଲେ, ‘ମୋତେ ଏହି ଖବର ଦେବା ପାଇଁ ଈଶ୍ୱର ପଠାଇଛନ୍ତି । ତଥାପି ତମେ ମୋ କଥା ଉପରେ ବିଶ୍ୱାସ କଲ ନାହିଁ । ତେଣୁ ଛୁଆ ଜନ୍ମ ନ ହେବା ପର୍ଯ୍ୟନ୍ତ ତମେ କଥା କହିପାରିବ ନାହିଁ ।’
ଜିଖରୀୟ ମନ୍ଦିର ଭିତରେ ବହୁତ ଡେରି କରୁଥିଲେ ଏବଂ ଲୋକମାନେ ବାହାରେ ତାଙ୍କ ଅପେକ୍ଷା କରୁଥିଲେ । ତେଣୁ ଯେବେ ସେ ବାହାରକୁ ଆସିଲେ ସେମାନେ ଜାଣିବା ପାଇଁ ଚାହୁଁଥିଲେ ଯେ କʼଣ ହେଲା । କିନ୍ତୁ ଜିଖରୀୟ କିଛି କହିପାରିଲେ ନାହିଁ । ସେ କେବଳ ହାତରେ କିଛି ସଙ୍କେତ କଲେ । ସେସମୟରେ ଲୋକମାନେ ବୁଝିଗଲେ ଯେ ଜିଖରୀୟଙ୍କୁ ଈଶ୍ୱରଙ୍କ ତରଫରୁ କୌଣସି ସନ୍ଦେଶ ମିଳିଛି ।
କିଛି ସମୟ ପରେ ଏଲୀଶାବେଥ ଗର୍ଭବତୀ ହେଲେ ଏବଂ ସେ ଜଣେ ପୁଅକୁ ଜନ୍ମ ଦେଲେ, ଠିକ୍ ଯେପରି ସ୍ୱର୍ଗଦୂତ କହିଥିଲେ । ଏଲୀଶାବେଥଙ୍କ ସମ୍ପର୍କୀୟ ଓ ସାଙ୍ଗମାନେ ଶିଶୁକୁ ଦେଖିବାକୁ ଆସିଲେ । ସେମାନେ ତାଙ୍କ ଖୁସିରେ ସାମିଲ୍ ହେଲେ । ଏଲୀଶାବେଥ କହିଲେ, ‘ଏହି ଶିଶୁର ନାମ ଯୋହନ ହେବ ।’ କିନ୍ତୁ ସେମାନେ କହିଲେ, ‘ତମ ପରିବାରରେ କାହାରି ନାମ ଯୋହନ ନାହିଁ । ତାʼର ବାପାଙ୍କ ଭଳି ତାʼର ନାମ ଜିଖରୀୟ ରଖ ।’ କିନ୍ତୁ ଜିଖରୀୟ ଲୋକମାନଙ୍କୁ ଲେଖି ଦେଖାଇଲେ, ‘ଏହାର ନାମ ଯୋହନ ହେବ ।’ ସେସମୟରେ ଜିଖରୀୟ ପୁଣି କଥା କହିପାରିଲେ ! ଶିଶୁର ଜନ୍ମର ଖବର ସାରା ଯିହୁଦାର ଅଞ୍ଚଳରେ ବ୍ୟାପିଗଲା । ଲୋକମାନେ ଭାବିବାକୁ ଲାଗିଲେ, ‘ଏହି ଶିଶୁ ବଡ଼ ହୋଇ କʼଣ ହେବ ?’
ତାʼପରେ ଜିଖରୀୟ ପବିତ୍ର ଶକ୍ତିରେ ଭରିଗଲେ । ସେ ଏହି ଭବିଷ୍ୟତବାଣୀ କଲେ, ‘ଯିହୋବାଙ୍କ ଜୟଜୟକାର ହେଉ । ସେ ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ ଆମକୁ ରକ୍ଷା କରିବା ପାଇଁ ମସୀହଙ୍କୁ ପଠାଇବେ । ଯୋହନ ଜଣେ ଭବିଷ୍ୟଦ୍ବକ୍ତା ହେବ ଏବଂ ମସୀହଙ୍କ ପାଇଁ ପଥ ପ୍ରସ୍ତୁତ କରିବ ।’
ଏଲୀଶାବେଥଙ୍କ ସମ୍ପର୍କୀୟ ମରୀୟମଙ୍କ ସହ ମଧ୍ୟ ଗୋଟିଏ ବିଶେଷ ଘଟଣା ଘଟିଲା । ଆସନ୍ତୁ ଏ ବିଷୟରେ ପରବର୍ତ୍ତୀ ଅଧ୍ୟାୟରେ ଦେଖିବା ।
‘ଏହା ମନୁଷ୍ୟ ପାଇଁ ଅସମ୍ଭବ, କିନ୍ତୁ ଈଶ୍ୱରଙ୍କ ପାଇଁ ସମସ୍ତ ସମ୍ଭବ ।’—ମାଥିଉ ୧୯:୨୬