ପାଠ ୬୯
ଗାବ୍ରିଏଲ ମରୀୟମଙ୍କ ପାଖକୁ ଆସିଲେ
ଏଲୀଶାବେଥଙ୍କ ସମ୍ପର୍କୀୟ ମରୀୟମ ତାଙ୍କଠୁ ବୟସରେ ବହୁତ ଛୋଟ ଥିଲେ ଏବଂ ଗାଲିଲୀର ନାଜରିତ ସହରରେ ରହୁଥିଲେ । ମରୀୟମଙ୍କ ନିର୍ବନ୍ଧ ଯୋଷେଫଙ୍କ ସହ ହୋଇ ସାରିଥିଲା ଯିଏ ଜଣେ ବଢ଼େଇ ଥିଲେ । ଯେବେ ଏଲୀଶାବେଥଙ୍କୁ ଗର୍ଭବତୀ ହୋଇ ଛଅ ମାସ ବିତି ସାରିଥିଲା ତେବେ ଗାବ୍ରିଏଲ ସ୍ୱର୍ଗଦୂତ ମରୀୟମ ପାଖକୁ ଆସିଲେ । ସେ ମରୀୟମଙ୍କୁ କହିଲେ, ‘ନମସ୍କାର ମରୀୟମ ! ଯିହୋବା ତମକୁ ବହୁତ ବଡ଼ ଆଶିଷ ଦେଇଛନ୍ତି ।’ ମରୀୟମ ତାଙ୍କ କଥାର ଅର୍ଥ ବୁଝିପାରିଲେ ନାହିଁ । ସେସମୟରେ ଗାବ୍ରିଏଲ ତାଙ୍କୁ କହିଲେ, ‘ତମେ ଗର୍ଭବତୀ ହେବ ଏବଂ ଜଣେ ପୁଅକୁ ଜନ୍ମ ଦେବ । ତମେ ତାଙ୍କ ନାମ ଯୀଶୁ ରଖିବ । ସେ ରାଜା ହେବେ ଏବଂ ତାଙ୍କ ଶାସନ ସବୁଦିନ ପାଇଁ ରହିବ ।’
କିନ୍ତୁ ମରୀୟମ କହିଲେ, ‘ମୋର ଛୁଆ କିପରି ହୋଇପାରିବ, ମୁଁ ଜଣେ କୁମାରୀ ?’ ଗାବ୍ରିଏଲ କହିଲେ, ‘ଯିହୋବାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ । ପବିତ୍ର ଶକ୍ତି ତମ ଉପରେ ଆସିବ ଏବଂ ତମକୁ ଏକ ପୁଅ ହେବ । ତମ ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି ।’ ସେସମୟରେ ମରୀୟମ କହିଲେ, ‘ମୁଁ ତ ଯିହୋବାଙ୍କ ଦାସୀ । ଆପଣ ଯେପରି କହୁଛନ୍ତି, ମୋ ସହିତ ସେପରି ହେଉ ।’
ମରୀୟମ, ଏଲୀଶାବେଥଙ୍କୁ ଭେଟିବା ପାଇଁ ପାହାଡ଼ଗୁଡ଼ିକ ଉପରେ ଥିବା ଏକ ସହରକୁ ଗଲେ । ଯେବେ ମରୀୟମ ଏଲୀଶାବେଥଙ୍କୁ ନମସ୍କାର କଲେ ତେବେ ଏଲୀଶାବେଥଙ୍କୁ ଅନୁଭବ ହେଲା ଯେ ତାଙ୍କ ଗର୍ଭରେ ଥିବା ଶିଶୁ ନାଚି ଉଠିଲା । ତାʼପରେ ଏଲୀଶାବେଥ ପବିତ୍ର ଶକ୍ତିରେ ଭରିଗଲେ ଏବଂ ସେ କହିଲେ, ‘ମରୀୟମ, ଯିହୋବା ତମକୁ ଆଶିଷ ଦେଇଛନ୍ତି । ଏହା ମୋ ପାଇଁ ବଡ଼ ସମ୍ମାନର କଥା ଯେ ମୋ ପ୍ରଭୁଙ୍କ ମାଆ ମୋ ଘରକୁ ଆସିଛି ।’ ମରୀୟମ କହିଲେ, ‘ମୁଁ ହୃଦୟରୁ ଯିହୋବାଙ୍କ ପ୍ରଶଂସା କରେ ।’ ମରୀୟମ ତିନି ମାସ ଯାଏ ଏଲୀଶାବେଥଙ୍କ ସହ ରହିଲେ ଏବଂ ପରେ ନିଜ ଘର ନାଜରିତକୁ ଫେରିଗଲେ ।
ଯେବେ ଯୋଷେଫଙ୍କୁ ଜଣାପଡ଼ିଲା ଯେ ମରୀୟମ ଗର୍ଭବତୀ ଅଛନ୍ତି ତେବେ ସେ ତାଙ୍କ ସହ ନିର୍ବନ୍ଧ ଭାଙ୍ଗିଦେବା ପାଇଁ ଚାହିଁଲେ । କିନ୍ତୁ ଜଣେ ସ୍ୱର୍ଗଦୂତ ତାଙ୍କ ସ୍ୱପ୍ନରେ ଆସି ତାଙ୍କୁ କହିଲେ, ‘ତମେ ମରୀୟମଙ୍କୁ ବାହା ହେବା ପାଇଁ ଡର ନାହିଁ । ସେ କିଛି ଭୁଲ କରିନାହିଁ ।’ ସେସମୟରେ ଯୋଷେଫ ମରୀୟମକୁ ନିଜ ସ୍ତ୍ରୀ କଲେ ଏବଂ ନିଜ ଘରକୁ ନେଇଗଲେ ।
‘ଆକାଶରେ ଓ ପୃଥିବୀରେ, ଯିହୋବା ଯାହା ଇଚ୍ଛା କଲେ, ତାହା କରିଅଛନ୍ତି ।’—ଗୀତସଂହିତା ୧୩୫:୬