ପାଠ ୭୨
ଯୀଶୁଙ୍କର ପିଲାଦିନ
ଯୋଷେଫ ଓ ମରୀୟମ, ଯୀଶୁ ଓ ଅନ୍ୟ ପୁଅ ଝିଅମାନଙ୍କ ସହ ନାଜରିତରେ ରହୁଥିଲେ । ଯୋଷେଫ ନିଜ ପରିବାରର ଭରଣପୋଷଣ ପାଇଁ ବଢ଼େଇ କାମ କରୁଥିଲେ । ସେ ସେମାନଙ୍କୁ ଯିହୋବା ଓ ତାଙ୍କ ବ୍ୟବସ୍ଥା ବିଷୟରେ ମଧ୍ୟ ଶିଖାଉଥିଲେ । ପୂରା ପରିବାର ଉପାସନା ପାଇଁ ନିୟମିତ ଭାବେ ସଭାଘରକୁ ଯାଉଥିଲେ ଏବଂ ପ୍ରତିବର୍ଷ ନିସ୍ତାର ପର୍ବ ପାଳନ କରିବା ପାଇଁ ଯିରୂଶାଲମକୁ ଯାଉଥିଲେ ।
ଯୀଶୁ ୧୨ ବର୍ଷର ଥିବା ବେଳେ ତାଙ୍କ ପରିବାର ପ୍ରତିବର୍ଷ ଭଳି ଗୋଟିଏ ଲମ୍ବା ଯାତ୍ରା କରି ଯିରୂଶାଲମକୁ ଗଲା । ସହରରେ ବହୁତ ଭିଡ଼ ଥିଲା କାରଣ ଲୋକମାନେ ନିସ୍ତାର ପର୍ବ ପାଳନ କରିବା ପାଇଁ ଆସିଥିଲେ । ପର୍ବ ପାଳନ ପରେ ଯୋଷେଫ ଓ ମରୀୟମ ଘରକୁ ଫେରି ଯିବା ପାଇଁ ବାହାରି ପଡ଼ିଲେ । ସେମାନଙ୍କୁ ଲାଗିଲା ଯେ ଯୀଶୁ ଅନ୍ୟ ଯାତ୍ରୀମାନଙ୍କ ସହିତ ଅଛନ୍ତି । କିନ୍ତୁ ପରେ ଯେବେ ସେମାନେ ତାଙ୍କୁ ନିଜ ସମ୍ପର୍କୀୟମାନଙ୍କ ମଧ୍ୟରେ ଖୋଜିଲେ, ତେବେ ସେମାନେ ତାଙ୍କୁ ପାଇଲେ ନାହିଁ ।
ସେମାନେ ଯିରୂଶାଲମକୁ ଫେରିଗଲେ ଏବଂ ତିନି ଦିନ ଯାଏ ନିଜ ପୁଅକୁ ଖୋଜିଲେ । ଶେଷରେ ସେମାନେ ମନ୍ଦିରକୁ ଗଲେ । ସେଠାରେ ସେମାନେ ଦେଖିଲେ ଯେ ଯୀଶୁ ଶିକ୍ଷକମାନଙ୍କ ମଝିରେ ବସି ସେମାନଙ୍କର କଥା ଧ୍ୟାନର ସହ ଶୁଣୁଛନ୍ତି ଏବଂ ଭଲ ଭଲ ପ୍ରଶ୍ନ ପଚାରୁଛନ୍ତି । ଶିକ୍ଷକମାନେ ଯୀଶୁଙ୍କୁ ଏତେ ପସନ୍ଦ କଲେ ଯେ ସେମାନେ ତାଙ୍କୁ ପ୍ରଶ୍ନ ପଚାରିବାକୁ ଲାଗିଲେ ଏବଂ ଯେବେ ଯୀଶୁ ସେମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଲେ ତେବେ ସେମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଦେଖିପାରୁଥିଲେ ଯେ ସେ ଯିହୋବାଙ୍କ ବ୍ୟବସ୍ଥାକୁ ଭଲଭାବେ ବୁଝିପାରନ୍ତି ।
ଯୋଷେଫ ଓ ମରୀୟମ ଯୀଶୁଙ୍କୁ ଖୋଜୁ ଖୋଜୁ ବହୁତ ବ୍ୟସ୍ତ ହୋଇ ଯାଇଥିଲେ । ତେଣୁ ମରୀୟମ କହିଲେ, ‘ପୁଅ ତମେ କେଉଁଠି ଥିଲ ? ଆମେ ତମକୁ ସବୁ ଜାଗାରେ ଖୋଜୁଥିଲୁ !’ ଯୀଶୁ କହିଲେ, ‘କʼଣ ଆପଣମାନଙ୍କୁ ଜଣା ନ ଥିଲା ଯେ ମୁଁ ନିଜ ପିତାଙ୍କ ଘରେ ଥିବି ?’
ଯୀଶୁ ନିଜ ବାପାମାଆଙ୍କ ସହ ନିଜ ଘର ନାଜରିତକୁ ଫେରିଗଲେ । ଯୋଷେଫ ତାଙ୍କୁ ବଢ଼େଇ କାମ ଶିଖାଇଲେ । ଆପଣଙ୍କୁ କʼଣ ଲାଗେ ଯେବେ ଯୀଶୁ ଯୁବା ହେଲେ ତେବେ ସେ କିପରି ବ୍ୟକ୍ତି ହେଲେ ? ସେ ବଡ଼ ହେବା ସହିତ ଆହୁରି ବୁଦ୍ଧିମାନ ହୋଇଗଲେ ଏବଂ ଈଶ୍ୱର ଓ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ ।
“ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋʼ ହୃଦୟରେ ଅଛି ।”—ଗୀତସଂହିତା ୪୦:୮