ପାଠ ୭୧
ଯିହୋବା ଯୀଶୁଙ୍କ ଜୀବନ ବଞ୍ଚାଇଲେ
ଇସ୍ରାଏଲର ପୂର୍ବରେ ଏକ ଦେଶ ଥିଲା ଯେଉଁଠାରେ ଲୋକମାନେ ବିଶ୍ୱାସ କରୁଥିଲେ ଯେ ତାରାଗୁଡ଼ିକ ସେମାନଙ୍କୁ ରାସ୍ତା ଦେଖାଇପାରିବ । ଦିନେ ରାତି ପୂର୍ବ ଦେଶର କିଛି ଲୋକ ଆକାଶରେ ଏପରି ଏକ ଜିନିଷ ଦେଖିଲେ ଯାହା ତାରା ଭଳି ଚମକୁ ଥିଲା ଏବଂ ଆଗକୁ ବଢ଼ୁଥିଲା । ସେହି ଲୋକମାନେ ତାହା ପଛେ ପଛେ ଯିବାକୁ ଲାଗିଲେ । ସେହି ତାରା ସେମାନଙ୍କୁ ଯିରୂଶାଲମକୁ ନେଇଗଲା । ସେଠାରେ ସେମାନେ ଲୋକମାନଙ୍କୁ ପଚାରିଲେ, ‘ସେହି ଶିଶୁ କେଉଁଠି ଯିଏ ବଡ଼ ହୋଇ ଯିହୁଦାର ରାଜା ହେବ ? ଆମେ ତାଙ୍କୁ ନଇଁ ପ୍ରଣାମ କରିବା ପାଇଁ ଆସିଛୁ ।’
ଯେବେ ଯିରୂଶାଲମର ରାଜା ହେରୋଦ ଏକ ନୂଆ ରାଜା ବିଷୟରେ ଶୁଣିଲା ସେ ବହୁତ ଚିନ୍ତାରେ ପଡ଼ିଗଲା । ସେ ପ୍ରଧାନ ଯାଜକମାନଙ୍କୁ ପଚାରିଲା, ‘ଏହି ରାଜା କେଉଁଠି ଜନ୍ମ ହେବ ?’ ସେମାନେ କହିଲେ, ‘ଭବିଷ୍ୟଦ୍ବକ୍ତାମାନେ କହିଥିଲେ ଯେ ସେ ବେଥଲିହିମରେ ଜନ୍ମ ହେବ ।’ ସେସମୟରେ ହେରୋଦ ପୂର୍ବ ଦେଶର ସେହି ଲୋକମାନଙ୍କୁ ଡକାଇଲେ ଏବଂ କହିଲେ, ‘ତମେମାନେ ବେଥଲିହିମକୁ ଯାଅ ଏବଂ ସେହି ଶିଶୁକୁ ଖୋଜ । ଯେବେ ତମେ ପାଇଯିବ ମୋତେ ଆସି କହିବ ଯେ ସେ କେଉଁଠି ଅଛି । ମୁଁ ମଧ୍ୟ ତାକୁ ନଇଁ ପ୍ରଣାମ କରିବାକୁ ଚାହେଁ ।’ କିନ୍ତୁ ହେରୋଦ ମିଛ କହୁଥିଲା ।
ତାରା ପୁଣିଥରେ ଆଗକୁ ବଢ଼ିବାକୁ ଲାଗିଲା । ପୂର୍ବ ଦେଶର ଲୋକମାନେ ତାʼର ପଛେ ପଛେ ଯାଇ ବେଥଲିହିମକୁ ପହଞ୍ଚିଲେ । ସେଠାରେ ତାରା ଗୋଟିଏ ଘର ଉପରେ ଯାଇ ଅଟକି ଗଲା । ସେହି ଲୋକମାନେ ଘର ଭିତରକୁ ଗଲେ ଏବଂ ଯୀଶୁଙ୍କୁ ତାଙ୍କ ମାଆ ମରୀୟମଙ୍କ ସହ ଦେଖିଲେ । ସେମାନେ ନଇଁ ଶିଶୁକୁ ପ୍ରଣାମ କଲେ ଏବଂ ଉପହାରରେ ସୁନା, କୁନ୍ଦୁରୁ ଓ ଗନ୍ଧରସ ଦେଲେ । କʼଣ ଯିହୋବା ହିଁ ସେହି ଲୋକମାନଙ୍କୁ ଯୀଶୁଙ୍କୁ ଖୋଜିବା ପାଇଁ ପଠାଇଥିଲେ ? ନୁହେଁ ।
ସେହି ରାତି ଯିହୋବା ଏକ ସ୍ୱପ୍ନରେ ଯୋଷେଫଙ୍କୁ କହିଲେ, ‘ହେରୋଦ ଯୀଶୁଙ୍କୁ ମାରି ଦେବା ପାଇଁ ଚାହେଁ । ତମେ ନିଜ ସ୍ତ୍ରୀ ଓ ପୁଅକୁ ନେଇ ମିଶରକୁ ପଳାଇ ଯାଅ । ମୁଁ ନ କହିବା ପର୍ଯ୍ୟନ୍ତ ତମେ ସେଠାରେ ହିଁ ରୁହ ।’ ଯୋଷେଫ ଓ ତାଙ୍କ ପରିବାର ତୁରନ୍ତ ମିଶରକୁ ପଳାଇଗଲା ।
ଯିହୋବା ପୂର୍ବ ଦେଶର ଲୋକମାନଙ୍କୁ ହେରୋଦ ପାଖକୁ ଫେରିବା ପାଇଁ ମନା କଲେ । ଯେବେ ହେରୋଦକୁ ଜଣାପଡ଼ିଲା ଯେ ସେହି ଲୋକମାନେ ଫେରିଲେ ନାହିଁ ତେବେ ସେ ବହୁତ ରାଗିଗଲା । ସେ ଯୀଶୁଙ୍କୁ ଖୋଜିପାରି ନ ଥାʼନ୍ତା, ତେଣୁ ସେ ଆଦେଶ ଦେଲା ଯେ ବେଥଲିହିମରେ ଯୀଶୁଙ୍କ ବୟସର ଯେତେ ବି ଛୋଟ ପୁଅ ପିଲା ଅଛନ୍ତି, ସେସମସ୍ତଙ୍କୁ ମାରି ଦିଆଯାଉ । କିନ୍ତୁ ଯୀଶୁ ବେଥଲିହିମରୁ ବହୁତ ଦୂର ମିଶରରେ ଥିଲେ, ତେଣୁ ତାଙ୍କୁ କୌଣସି ବିପଦ ନ ଥିଲା ।
କିଛି ସମୟ ପରେ ହେରୋଦର ମୃତ୍ୟୁ ହୋଇଗଲା । ଯିହୋବା ଯୋଷେଫଙ୍କୁ କହିଲେ, ‘ଏବେ କୌଣସି ବିପଦ ନାହିଁ, ତମେ ଫେରି ଯାଇପାର ।’ ଯୋଷେଫ, ମରୀୟମ ଓ ଯୀଶୁ ଇସ୍ରାଏଲକୁ ଫେରିଗଲେ ଏବଂ ସେମାନେ ନାଜରିତରେ ରହିବାକୁ ଲାଗିଲେ ।
“ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେପରି ହେବ; . . . ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ ।”—ଯିଶାଇୟ ୫୫:୧୧