ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lvs ଅଧ୍ୟା ୧୫ ପୃଷ୍ଠା ୨୦୦-୨୧୨
  • ନିଜ କାମରୁ ଖୁସି ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ କାମରୁ ଖୁସି ପାଆନ୍ତୁ
  • ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ଓ ଯୀଶୁ ଆମ ପାଇଁ ସବୁଠୁ ଭଲ ଉଦାହରଣ
  • କାମ ବିଷୟରେ ଆମ ଦୃଷ୍ଟିକୋଣ କିପରି ହେବା ଉଚିତ୍‌ ?
  • ଆପଣ କିପରି ଚାକିରି କରିବା ଉଚିତ୍‌ ?
  • ‘ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କର’
  • ସବୁଠୁ ଜରୁରୀ କାମ
  • କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
lvs ଅଧ୍ୟା ୧୫ ପୃଷ୍ଠା ୨୦୦-୨୧୨
ଜଣେ ଭାଇ ନିଜ କାମ ଜାଗାରେ ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି

ଅଧ୍ୟାୟ ୧୫

ନିଜ କାମରୁ ଖୁସି ପାଆନ୍ତୁ

‘ପ୍ରତ୍ୟେକ ମନୁଷ୍ୟ ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ ।’—ଉପଦେଶକ ୩:୧୩.

୧-୩. (କ) ଅନେକ ଲୋକ ନିଜ ଚାକିରି ବିଷୟରେ କିପରି ଅନୁଭବ କରନ୍ତି ? (ଖ) ଏହି ଅଧ୍ୟାୟରେ ଆମେ କେଉଁ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା ?

ସାରା ଜଗତରେ ଲୋକମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବହୁତ ପରିଶ୍ରମ କରନ୍ତି । ଅନେକ ଲୋକ ନିଜ ଚାକିରିକୁ ପସନ୍ଦ କରନ୍ତି ନାହିଁ । ଆଉ କିଛି ଲୋକ ପ୍ରତିଦିନ କାମକୁ ଯିବା ବିଷୟରେ ଭାବି ଡରିଯାʼନ୍ତି । ଯଦି ଆପଣ ବି ଏପରି ଭାବନ୍ତି, ତେବେ ଆପଣ କʼଣ କରିପାରିବେ ? ଆପଣ ନିଜ କାମରୁ ଖୁସି କିପରି ପାଇପାରିବେ ? ଆପଣ ଏପରି କʼଣ କରିପାରିବେ, ଯାହାଦ୍ୱାରା ଆପଣଙ୍କୁ ଆପଣଙ୍କ କାମ ଭଲ ଲାଗିବ ?

୨ ଯିହୋବା ଚାହାନ୍ତି ଯେ ‘ପ୍ରତ୍ୟେକ ମନୁଷ୍ୟ ଭୋଜନ ପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରୁ, ଏହା ପରମେଶ୍ୱରଙ୍କ ଦାନ ।’ (ଉପଦେଶକ ୩:୧୩) ଆମ ପାଇଁ କାମ କରିବା ବହୁତ ଜରୁରୀ ଅଟେ ଏବଂ ଆମ ଭିତରେ କାମ କରିବାର ଇଚ୍ଛା ସ୍ୱାଭାବିକ ଅଟେ । କାରଣ ଯିହୋବା ଆମକୁ ଏପରି ଭାବରେ ହିଁ ସୃଷ୍ଟି କରିଛନ୍ତି । ସେ ଚାହାନ୍ତି ଯେ ଆମେ ନିଜ କାମରୁ ଖୁସି ପାଉ ।—ଉପଦେଶକ ୨:୨୪; ୫:୧୮ ପଢ଼ନ୍ତୁ ।

୩ ଆମେ ନିଜ କାମରୁ ଖୁସି କିପରି ପାଇପାରିବା ? ଜଣେ ଖ୍ରୀଷ୍ଟିୟାନକୁ କିପରି ଚାକିରି କରିବା ଉଚିତ୍‌ ନୁହେଁ ? କାମ କରିବା ସହିତ ଯିହୋବାଙ୍କ ଉପାସନାକୁ ଆମେ କିପରି ଅଧିକ ମହତ୍ତ୍ୱ ଦେଇପାରିବା ? ଆମ ପାଇଁ ସବୁଠାରୁ ଜରୁରୀ କାମ କʼଣ ?

ଯିହୋବା ଓ ଯୀଶୁ ଆମ ପାଇଁ ସବୁଠୁ ଭଲ ଉଦାହରଣ

୪, ୫. କାମ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ କʼଣ ?

୪ ଯିହୋବାଙ୍କୁ କାମ କରିବା ବହୁତ ପସନ୍ଦ । ଆଦି ପୁସ୍ତକ ୧:୧ ପଦରେ ଲେଖାଅଛି, “ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।” ସେହି ଅଧ୍ୟାୟରେ ଆଗକୁ ଲେଖାଅଛି ଯେ ସେ ଗଛଲତା, ପଶୁପକ୍ଷୀ ଓ ମଣିଷକୁ ତିଆରି କଲେ । ଏସବୁ ତିଆରି କଲାପରେ ତାହାଙ୍କୁ ଏତେ ଭଲ ଲାଗିଲା ଯେ ସେ କହିଲେ, “ସମସ୍ତ ଅତ୍ୟୁତ୍ତମ ।”—ଆଦି ପୁସ୍ତକ ୧:୩୧.

୫ ଯିହୋବା ସବୁବେଳେ କାମ କରୁଥାʼନ୍ତି । ଏପରିକି ସବୁକିଛି ସୃଷ୍ଟି କଲାପରେ ମଧ୍ୟ ସେ କାମ କରୁଛନ୍ତି । ଯୀଶୁ କହିଥିଲେ, “ମୋହର ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି ।” (ଯୋହନ ୫:୧୭) ଯିହୋବା ଆଜି ପର୍ଯ୍ୟନ୍ତ ଯେତେ ବି ଭଲ କାମ କରିଛନ୍ତି, ସେ ସମସ୍ତ ବିଷୟରେ ଆମେ ଜାଣି ନାହୁଁ । କିନ୍ତୁ ବାଇବଲରୁ ଆମେ କିଛି କାମଗୁଡ଼ିକ ବିଷୟରେ ଜାଣିପାରୁ । ଯେପରି, ସେ ନିଜ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ସ୍ୱର୍ଗରେ ଶାସନ କରିବା ପାଇଁ କିଛି ମଣିଷମାନଙ୍କୁ ବାଛୁଛନ୍ତି । (୨ କରିନ୍ଥୀୟ ୫:୧୭) ଯିହୋବା ମାନବଜାତିକୁ ସଠିକ୍‌ ବାଟ ଦେଖାଇ ଆସୁଛନ୍ତି ଏବଂ ସେମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରୁଛନ୍ତି । ସେ ସମଗ୍ର ଜଗତରେ ପ୍ରଚାର କାମ ମଧ୍ୟ କରାଉଛନ୍ତି । ଏହି କାମ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଯିହୋବାଙ୍କୁ ଜାଣିପାରିଛନ୍ତି ଏବଂ ସେମାନଙ୍କୁ ପାରଦୀଶରେ ଅନନ୍ତ ଜୀବନ ପାଇବାର ଆଶା ମିଳିଛି ।—ଯୋହନ ୬:୪୪; ରୋମୀୟ ୬:୨୩.

୬, ୭. କାମ ବିଷୟରେ ଯୀଶୁଙ୍କ ଦୃଷ୍ଟିକୋଣ କିପରି ଥିଲା ?

୬ ଯିହୋବାଙ୍କ ଭଳି ଯୀଶୁଙ୍କୁ ମଧ୍ୟ କାମ କରିବା ବହୁତ ପସନ୍ଦ । ଯେତେବେଳେ ଈଶ୍ୱର ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ଜିନିଷକୁ ସୃଷ୍ଟି କରୁଥିଲେ, ସେତେବେଳେ ଯୀଶୁ ତାହାଙ୍କୁ ସାହାଯ୍ୟ କରିଥିଲେ । ସେ ତାହାଙ୍କର “କର୍ମକର୍ତ୍ତା” ଥିଲେ । (ହିତୋପଦେଶ ୮:୨୨-୩୧; କଲସୀୟ ୧:୧୫-୧୭) ପୃଥିବୀରେ ଥିବା ସମୟରେ ମଧ୍ୟ ସେ ବହୁତ ପରିଶ୍ରମ କରୁଥିଲେ । ଛୋଟବେଳୁ ହିଁ ସେ ବଢ଼େଇ କାମ ଶିଖିଲେ । ହୁଏତ ସେ ଘର, ଟେବୁଲ, ଚେୟାର ଇତ୍ୟାଦି ତିଆରି କରୁଥିଲେ । ଯୀଶୁ ନିଜ କାମରେ ଏତେ ନିପୁଣ ଥିଲେ ଯେ ସେ ଜଣେ “ବଢ଼େଇ” ଭାବେ ପରିଚିତ ଥିଲେ ।—ମାର୍କ ୬:୩.

୭ ଯୀଶୁ ପ୍ରଚାର କାମକୁ ସବୁଠାରୁ ଅଧିକ ମହତ୍ତ୍ୱ ଦେଉଥିଲେ । ତାଙ୍କୁ ସାଢ଼େ ତିନି ବର୍ଷ ମଧ୍ୟରେ ଏହି କାମ ଶେଷ କରିବାର ଥିଲା । ତେଣୁ ସେ ସକାଳେ ଶୀଘ୍ର ଉଠୁଥିଲେ ଓ ବହୁତ ରାତି ପର୍ଯ୍ୟନ୍ତ ଲୋକମାନଙ୍କୁ ସୁସମାଚାର ଶୁଣାଉଥିଲେ ଏବଂ ଯିହୋବାଙ୍କ ବିଷୟରେ ଶିଖାଉଥିଲେ । (ଲୂକ ୨୧:୩୭, ୩୮; ଯୋହନ ୩:୨) ଏହି କାମ ପାଇଁ ସେ ଶହ ଶହ କିଲୋମିଟର ଧୂଳିମାଟି ଭରା ରାସ୍ତାରେ ଚାଲି ଚାଲି ଗଲେ, ସେ ଅଧିକରୁ ଅଧିକ ଲୋକଙ୍କୁ ସୁସମାଚାର ଶୁଣାଇବା ପାଇଁ ଚାହୁଁଥିଲେ ।—ଲୂକ ୮:୧.

୮, ୯. ଆମେ କିପରି କହିପାରିବା ଯେ ଯୀଶୁଙ୍କୁ କାମ କରିବା ବହୁତ ଭଲ ଲାଗୁଥିଲା ?

୮ ଯୀଶୁଙ୍କ ପାଇଁ ଈଶ୍ୱରଙ୍କ କାମ କରିବା ଖାଦ୍ୟ ଖାଇବା ଭଳି ଥିଲା, ଏହି କାମରୁ ତାଙ୍କୁ ଶକ୍ତି ଓ ବଳ ମିଳୁଥିଲା । ବେଳେ ବେଳେ ସେ ଈଶ୍ୱରଙ୍କ ସେବାରେ ଏତେ ବ୍ୟସ୍ତ ରହୁଥିଲେ ଯେ ସେ ଖାଦ୍ୟ ଖାଇବା ପାଇଁ ମଧ୍ୟ ସମୟ ବାହାର କରୁ ନ ଥିଲେ । (ଯୋହନ ୪:୩୧-୩୮) ସେ ନିଜ ପିତାଙ୍କ ବିଷୟରେ ଶିଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରୁ ନ ଥିଲେ । ତେଣୁ ସେ ଯିହୋବାଙ୍କୁ କହିପାରିଲେ, “ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି ।”—ଯୋହନ ୧୭:୪.

୯ ଯେପରି ଆମେ ଦେଖିଲୁ, ଯିହୋବା ଓ ଯୀଶୁ ଦୁହେଁ ବହୁତ ପରିଶ୍ରମ କରନ୍ତି ଏବଂ ନିଜ କାମରୁ ଖୁସି ପାଆନ୍ତି । ଆମେ ମଧ୍ୟ “ଈଶ୍ୱରଙ୍କ ଅନୁକାରୀ” ହେବା ଓ ଯୀଶୁଙ୍କ “ପଦଚିହ୍ନ ଦେଇ ଗମନ” କରିବା ଉଚିତ୍‌ । (ଏଫିସୀୟ ୫:୧; ୧ ପିତର ୨:୨୧) ଆମେ ପରିଶ୍ରମୀ ହେବା ଉଚିତ୍‌ ଏବଂ ଯାହା ବି କାମ କରୁ, ତାହା ଭଲଭାବେ କରିବା ଉଚିତ୍‌ ।

କାମ ବିଷୟରେ ଆମ ଦୃଷ୍ଟିକୋଣ କିପରି ହେବା ଉଚିତ୍‌ ?

୧୦, ୧୧. କେଉଁ କଥା ମନେ ରଖିଲେ ଆମେ ନିଜ ଚାକିରି ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା ?

୧୦ ଯିହୋବାଙ୍କ ସେବକ ହେବା ଯୋଗୁଁ ଆମେ ନିଜ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ବହୁତ ପରିଶ୍ରମ କରୁ । ହୁଏତ ଆମେ ଯେଉଁ କାମ କରୁଛୁ, ସେଥିରୁ ଆମକୁ ଖୁସି ମିଳୁ ନାହିଁ । ଏପରି ପରିସ୍ଥିତିରେ ଆମେ କʼଣ କରିପାରିବା ?

ଜଣେ ଭାଇ ନିଜ କାମ ଖୁସିର ସହ କରୁଛନ୍ତି

ସଠିକ୍‌ ଦୃଷ୍ଟିକୋଣ ରଖିଲେ ଆପଣ ଯେକୌଣସି କାମକୁ ମଧ୍ୟ ଖୁସି ଖୁସି କରିପାରିବେ

୧୧ ସଠିକ୍‌ ଦୃଷ୍ଟିକୋଣ ରଖନ୍ତୁ । ହୁଏତ ଆମେ ଏପରି ଜାଗାରେ କାମ କରୁଛୁ, ଯେଉଁଠାରେ ଆମକୁ କାମ କରିବା ପସନ୍ଦ ନାହିଁ କିମ୍ବା ଯେଉଁଠାରେ ବହୁତ ବେଶି କାମ କରିବାକୁ ପଡ଼େ । ଆମେ ନିଜ ପରିସ୍ଥିତିକୁ ବଦଳାଇପାରିବା ନାହିଁ, କିନ୍ତୁ ଚାକିରି ବିଷୟରେ ନିଜ ଦୃଷ୍ଟିକୋଣ ନିଶ୍ଚୟ ବଦଳାଇପାରିବା । ଆମେ ଜାଣିବା ଉଚିତ୍‌ ଯେ ଯିହୋବା ଆମଠାରୁ କʼଣ ଆଶା କରନ୍ତି, ତେବେ ଆମେ କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା । ଉଦାହରଣ ପାଇଁ, ଯିହୋବା ଚାହାନ୍ତି ଯେ ପରିବାରର ମୁଖିଆ ନିଜ ପରିବାରର ଭଲଭାବେ ଯତ୍ନ ନିଅନ୍ତୁ । ପ୍ରକୃତରେ ବାଇବଲ କହେ ଯେ ଯିଏ ନିଜ ପରିବାରର ଯତ୍ନ ନିଏ ନାହିଁ ସେ, “ଅବିଶ୍ୱାସୀଠାରୁ ଅଧମ ଅଟେ ।” (୧ ତୀମଥି ୫:୮) ଯଦି ଆପଣଙ୍କର ଗୋଟିଏ ପରିବାର ଅଛି, ତେବେ ହୁଏତ ଆପଣଙ୍କୁ ସେମାନଙ୍କ ଆବଶ୍ୟକତାଗୁଡ଼ିକ ପୂରଣ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିବ । ଆପଣ ନିଜ ଚାକିରି ପସନ୍ଦ କରନ୍ତୁ ବା ନ କରନ୍ତୁ, ମନେ ରଖନ୍ତୁ ଯେ ଯେତେବେଳେ ଆପଣ ନିଜ ଦାୟିତ୍ୱ ପୂରଣ କରନ୍ତି, ସେତେବେଳେ ଯିହୋବା ଆପଣଙ୍କଠାରୁ ଖୁସି ହୁଅନ୍ତି ।

ଜଣେ ଭଉଣୀ ନିଜ କାମ ଖୁସିର ସହ କରୁଛନ୍ତି

୧୨. ପରିଶ୍ରମୀ ଓ ସଚ୍ଚୋଟ ହେଲେ ଆମକୁ କିପରି ଲାଭ ମିଳିବ ?

୧୨ ପରିଶ୍ରମୀ ଓ ସଚ୍ଚୋଟ ହୁଅନ୍ତୁ । ଯଦି ଆପଣ ଏପରି କାମ କରିବେ, ତେବେ ଆପଣଙ୍କୁ ନିଜ କାମରୁ ବହୁତ ଖୁସି ମିଳିବ । (ହିତୋପଦେଶ ୧୨:୨୪; ୨୨:୨୯) ଆପଣଙ୍କ ମାଲିକ ଆପଣଙ୍କ ଉପରେ ଭରସା କରିବେ । ସମସ୍ତେ ସଚ୍ଚୋଟ ବ୍ୟକ୍ତିକୁ କାମରେ ରଖିବା ପାଇଁ ପସନ୍ଦ କରନ୍ତି । କାରଣ ସେ ପଇସା, ଜିନିଷ ଓ ସମୟ ଚୋରି କରେ ନାହିଁ । (ଏଫିସୀୟ ୪:୨୮) ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଆପଣ ପରିଶ୍ରମ କରନ୍ତି ଏବଂ ସଚ୍ଚୋଟ ରହନ୍ତି, ସେତେବେଳେ ଯିହୋବା ତାହାକୁ ଧ୍ୟାନ ଦିଅନ୍ତି । ଆପଣଙ୍କୁ ଏହା ଜାଣି ଭଲ ଲାଗିବ ଯେ ଆପଣ ଯିହୋବାଙ୍କୁ ଖୁସି କରୁଛନ୍ତି ଏବଂ ଆପଣଙ୍କର “ସୁବିବେକ” ରହିବ ।—ଏବ୍ରୀ ୧୩:୧୮; କଲସୀୟ ୩:୨୨-୨୪.

ଜଣେ ଭାଇ ନିଜ କାମ ଜାଗାରେ ଜଣେ ବ୍ୟକ୍ତିକୁ ସାକ୍ଷ୍ୟ ଦେଉଛନ୍ତି

୧୩. ଆମେ ସଚ୍ଚୋଟ ହେବା ଯୋଗୁଁ ଆଉ କʼଣ କʼଣ ଭଲ ପରିଣାମ ହୋଇପାରେ ?

୧୩ ଆପଣଙ୍କ ପରିଶ୍ରମ ଓ ସଚ୍ଚୋଟତା ଯୋଗୁଁ ଯିହୋବାଙ୍କ ମହିମା ହୋଇପାରେ । ଏକଥାକୁ ମନେ ରଖିଲେ ଆମେ ଖୁସିର ସହ କାମ କରିପାରିବା । (ତୀତସ ୨:୯, ୧୦) ହୁଏତ ଆପଣଙ୍କ ଭଲ ଉଦାହରଣ ଦେଖି ଆପଣଙ୍କ କୌଣସି ସହକର୍ମୀ ବାଇବଲ ଅଧ୍ୟୟନ କରିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ।—ହିତୋପଦେଶ ୨୭:୧୧; ୧ ପିତର ୨:୧୨ ପଢ଼ନ୍ତୁ ।

ଆପଣ କିପରି ଚାକିରି କରିବା ଉଚିତ୍‌ ?

୧୪-୧୬. ଚାକିରିର ନିଷ୍ପତ୍ତି ନେବା ସମୟରେ ଆମେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ ?

୧୪ ବାଇବଲରେ ଲେଖାଯାଇ ନାହିଁ ଯେ ଖ୍ରୀଷ୍ଟିୟାନମାନଙ୍କୁ କିପରି ଚାକିରି କରିବା ଉଚିତ୍‌ ଓ କିପରି ଚାକିରି କରିବା ଉଚିତ୍‌ ନୁହେଁ । କିନ୍ତୁ ଏଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକ ଉପରେ ଚିନ୍ତନ କଲେ ଆମେ ଚାକିରି ମାମଲାରେ ସଠିକ୍‌ ନିଷ୍ପତ୍ତି ନେଇପାରିବା । (ହିତୋପଦେଶ ୨:୬) ଆସନ୍ତୁ ଦେଖିବା ଆମେ ଏହି ନିଷ୍ପତ୍ତି କିପରି ନେଇପାରିବା ।

ଜଣେ ଭାଇ ଖବରକାଗଜରେ କିଛି ଚାକିରି ଖୋଜୁଛନ୍ତି

ଏପରି ଚାକିରି ଖୋଜନ୍ତୁ, ଯେଉଁଠାରେ ଆପଣଙ୍କୁ ଯିହୋବାଙ୍କ ମାନଦଣ୍ଡ ବିରୁଦ୍ଧରେ କାମ କରିବାକୁ ପଡ଼ିବ ନାହିଁ

୧୫ କʼଣ ଏହି ଚାକିରିରେ ମୋତେ ଏପରି କୌଣସି କାମ କରିବାକୁ ପଡ଼ିବ ଯାହାକୁ ଯିହୋବା ଘୃଣା କରନ୍ତି ? ଆମେ ପୂର୍ବରୁ ଶିଖିସାରିଛୁ ଯେ ଯିହୋବା କେଉଁ କାମଗୁଡ଼ିକୁ ଘୃଣା କରନ୍ତି । ଯେପରି— ଚୋରି କରିବା ଓ ମିଛ କହିବା । (ଯାତ୍ରା ପୁସ୍ତକ ୨୦:୪; ପ୍ରେରିତ ୧୫:୨୮, ୨୯; ଏଫିସୀୟ ୪:୨୮; ପ୍ରକାଶିତ ବାକ୍ୟ ୨୧:୮) ଆମେ ଏପରି କୌଣସି ଚାକିରି କରିବା ଉଚିତ୍‌ ନୁହେଁ, ଯାହାଦ୍ୱାରା ଆମକୁ ଯିହୋବାଙ୍କ ମାନଦଣ୍ଡ ବିରୁଦ୍ଧରେ କାମ କରିବାକୁ ପଡ଼ିପାରେ ।—୧ ଯୋହନ ୫:୩ ପଢ଼ନ୍ତୁ ।

୧୬ କʼଣ ଏହି ଚାକିରି ଏପରି କୌଣସି କାମକୁ ପ୍ରୋତ୍ସାହନ ଦିଏ, ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ? କଳ୍ପନା କରନ୍ତୁ ଆପଣଙ୍କୁ ଏକ ରକ୍ତଦାନ ଶିବିର ବା କେନ୍ଦ୍ରରେ ରିସେପ୍ସନିଷ୍ଟର କାମ ମିଳେ । କʼଣ ଆପଣ ସେ ଚାକିରି କରିବେ ? ରିସେପ୍ସନିଷ୍ଟ ଭାବେ କାମ କରିବା ଭୁଲ ନୁହେଁ । କିନ୍ତୁ ଆପଣ ଜାଣନ୍ତି ଯେ ଯିହୋବା ରକ୍ତର ବ୍ୟବହାର ବିଷୟରେ କିପରି ଦୃଷ୍ଟିକୋଣ ରଖନ୍ତି । ଯଦିଓ ଆପଣ ନିଜେ ରକ୍ତ ଚଢ଼ାଇବା କାମ କରୁ ନାହାନ୍ତି, ତଥାପି ସେଠାରେ ରିସେପ୍ସନିଷ୍ଟ ଭାବେ କାମ କରିବା ଦ୍ୱାରା କʼଣ ଆପଣ ସେହି ପାପରେ ଭାଗୀଦାର ହେବେ ନାହିଁ ?—ପ୍ରେରିତ ୧୫:୨୯.

୧୭. ଆମେ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିବା ?

୧୭ ଈଶ୍ୱରଙ୍କ ସିଦ୍ଧାନ୍ତଗୁଡ଼ିକ ଉପରେ ଚିନ୍ତନ କରିବା ଦ୍ୱାରା ଆମେ ଏବ୍ରୀ ୫:୧୪ ପଦରେ ଲେଖା ହୋଇଥିବା କଥା ଅନୁସାରେ କାମ କରୁଥିବା । ଆମେ “ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ” ହେଉଥିବା । ନିଜକୁ ପଚାରନ୍ତୁ, ‘ଯଦି ମୁଁ ଏହି ଚାକିରି କରେ, ତେବେ କʼଣ ଏହା ଅନ୍ୟମାନଙ୍କ ଝୁଣ୍ଟିବାର କାରଣ ହେବ ? କʼଣ ମୋତେ ନିଜ ପତି କିମ୍ବା ପତ୍ନୀ ଓ ପିଲାମାନଙ୍କୁ ଛାଡ଼ି ବିଦେଶ ଯିବାକୁ ପଡ଼ିବ ? ମୁଁ ବିଦେଶ ଗଲେ ସେମାନଙ୍କ ଉପରେ କିପରି ପ୍ରଭାବ ପଡ଼ିବ ?’

‘ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କର’

୧୮. ଯିହୋବାଙ୍କ ଉପାସନାକୁ ମହତ୍ତ୍ୱ ଦେବା କାହିଁକି କଷ୍ଟକର ହୋଇପାରେ ?

୧୮ ଆଜି ଆମେ ‘ଭୀଷଣ ସମୟରେ’ ବଞ୍ଚୁଛୁ । (୨ ତୀମଥି ୩:୧) ଏପରି ସମୟରେ ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦେବା ଆମ ପାଇଁ କଷ୍ଟକର ହୋଇପାରେ । ଆଜି ଚାକିରି ମିଳିବା ବହୁତ କଠିନ ଓ ମିଳିଲେ ତାହା ଚାଲିଯିବାର ଡର ଥାଏ । ପରିବାରର ଭରଣପୋଷଣ କରିବା ଆମ ଦାୟିତ୍ୱ, କିନ୍ତୁ ଆମେ ଜାଣୁ ଯେ ଯିହୋବାଙ୍କ ସେବା କରିବା ଅଧିକ ଜରୁରୀ । ଆମେ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ହିଁ ସବୁ ସମୟ ଦେବା ଉଚିତ୍‌ ନୁହେଁ । (୧ ତୀମଥି ୬:୯, ୧୦) ଆସନ୍ତୁ ଆମେ ଦେଖିବା ଯେ ଆମେ ପରିବାରର ଭରଣପୋଷଣ କରିବା ସହିତ କିପରି “ଉତ୍କୃଷ୍ଟ [“ମହତ୍ତ୍ୱ ରଖୁଥିବା,” NW ] ବିଷୟଗୁଡ଼ିକ ସମର୍ଥନ” କରିପାରିବା ।—ଫିଲିପ୍‌ପୀୟ ୧:୧୦.

୧୯. ଯିହୋବାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିବାରୁ ଆମେ ଚାକିରିକୁ କେତେ ମହତ୍ତ୍ୱ ଦେଉ ?

୧୯ ଯିହୋବାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ । (ହିତୋପଦେଶ ୩:୫, ୬ ପଢ଼ନ୍ତୁ ।) ଯିହୋବା ଭଲଭାବେ ଜାଣନ୍ତି ଯେ ଆମକୁ କେଉଁ ଜିନିଷ କେତେବେଳେ ଦରକାର ଏବଂ ସେ ଆମର ଚିନ୍ତା କରନ୍ତି । (ଗୀତସଂହିତା ୩୭:୨୫; ୧ ପିତର ୫:୭) ବାଇବଲରେ ପରାମର୍ଶ ଦିଆଯାଇଛି, “ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ, କାରଣ ସେ ନିଜେ କହିଅଛନ୍ତି, ‘ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।’” (ଏବ୍ରୀ ୧୩:୫) ଯିହୋବା ଚାହାନ୍ତି ନାହିଁ ଯେ ଆମେ ସବୁବେଳେ ଆମ ପରିବାରର ଭରଣପୋଷଣ ବିଷୟରେ ହିଁ ଚିନ୍ତା କରୁ । ସେ ନିଜ ଲୋକମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସକ୍ଷମ ଏବଂ ସେ ସର୍ବଦା ଏପରି କରନ୍ତି । (ମାଥିଉ ୬:୨୫-୩୨) ହୁଏତ ନିଜ ଚାକିରି ଯୋଗୁଁ ଆମ ପାଇଁ ବାଇବଲ ଅଧ୍ୟୟନ କରିବା, ପ୍ରଚାର କରିବା ଓ ସଭାଗୁଡ଼ିକରେ ଯିବା କଷ୍ଟକର ହୋଇପାରେ । କିନ୍ତୁ ଆମେ ଏହି ସବୁ କରିବା ଛାଡ଼ି ନ ଥାଉ ।—ମାଥିଉ ୨୪:୧୪; ଏବ୍ରୀ ୧୦:୨୪, ୨୫.

୨୦. ସରଳ ଜୀବନଯାପନ କରିବା ପାଇଁ ଆମେ କʼଣ କରିପାରିବା ?

୨୦ ନିଜ ଆଖି ଗୋଟିଏ ବିଷୟ ଉପରେ କେନ୍ଦ୍ରିତ କରନ୍ତୁ । (ମାଥିଉ ୬:୨୨, ୨୩ ପଢ଼ନ୍ତୁ ।) ଯୀଶୁ କହିଥିଲେ ଯେ ଆମ ଆଖି “ନିର୍ମଳ” ହେବା ଉଚିତ୍‌ । ଏହାର ଅର୍ଥ ଆମେ ସରଳ ଜୀବନଯାପନ କରିବା ଉଚିତ୍‌, ଯାହାଫଳରେ ଆମେ ଯିହୋବାଙ୍କ ସେବା ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବା । ଆମେ ଜାଣୁ ଯେ ଯିହୋବାଙ୍କ ସହିତ ନିଜ ମିତ୍ରତା ଅପେକ୍ଷା ଟଙ୍କାପଇସା ପଛରେ ଗୋଡ଼ାଇବା, ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଚାହିଁବା କିମ୍ବା ନୂଆ ନୂଆ ଇଲେକ୍‌ଟ୍ରୋନିକ ଉପକରଣ ପାଇବା ପାଇଁ ଚେଷ୍ଟା କରିବା ମୂର୍ଖାମି ଅଟେ । ଆମେ ଠିକ୍‌ ବିଷୟଗୁଡ଼ିକୁ ମହତ୍ତ୍ୱ କିପରି ଦେଇପାରିବା ? ଆମେ ଋଣ ନ ନେବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଯଦି ଆମେ ଋଣ ନେଇଛୁ, ତେବେ ତାହାକୁ କମ୍‌ କରିବା ପାଇଁ କିମ୍ବା ତାହାକୁ ସମ୍ପୂର୍ଣ୍ଣ ଭାବେ ପରିଶୋଧ କରିବା ପାଇଁ ଉପାୟ ବାହାର କରିବା ଉଚିତ୍‌ । ଅଧିକରୁ ଅଧିକ ଜିନିଷ ଠୁଳ କରିବା ଦ୍ୱାରା ଆମର ବହୁତ ସମୟ ନଷ୍ଟ ହୋଇପାରେ ଏବଂ ଆମେ ଥକି ଯାଇପାରୁ । ଏପରି କଲେ ପ୍ରାର୍ଥନା କରିବା ପାଇଁ, ଅଧ୍ୟୟନ କରିବା ପାଇଁ ଓ ପ୍ରଚାର କରିବା ପାଇଁ ମଧ୍ୟ ସମୟ ମିଳିବ ନାହିଁ । ସୁଖସୁବିଧାର ଜିନିଷ ପାଇବାର ଇଚ୍ଛା ଯୋଗୁଁ ଆମ ଜୀବନରେ ସମସ୍ୟା ବଢ଼ିପାରେ, ତେଣୁ ଯଦି ଆମ ପାଖରେ “ଅନ୍ନବସ୍ତ୍ର” ଅଛି, ତେବେ ଆମେ ସେଥିରେ ସନ୍ତୁଷ୍ଟ ରହିବା ଉଚିତ୍‌ । (୧ ତୀମଥି ୬:୮) ଆମ ଆର୍ଥିକ ପରିସ୍ଥିତି ଯେପରି ଥାଉ ନା କାହିଁକି, ଆମେ ସମୟ ସମୟରେ ଯାଞ୍ଚ କରିବା ଉଚିତ୍‌ ଯେ ଆମେ ଯିହୋବାଙ୍କ ସେବାରେ ଆହୁରି ଅଧିକ କିପରି କରିପାରିବା ।

୨୧. ଆମେ ଜରୁରୀ ବିଷୟଗୁଡ଼ିକୁ କାହିଁକି ମହତ୍ତ୍ୱ ଦେବା ଉଚିତ୍‌ ?

୨୧ ଜରୁରୀ ବିଷୟଗୁଡ଼ିକୁ ମହତ୍ତ୍ୱ ଦିଅନ୍ତୁ । ଆମେ ନିଜ ସମୟ, ଟଙ୍କାପଇସା ଓ ଶକ୍ତିର ଭଲ ବ୍ୟବହାର କରିବା ଉଚିତ୍‌ । ଏପରି ନ କଲେ ଆମ ସମୟ ଏପରି କାମଗୁଡ଼ିକରେ ନଷ୍ଟ ହୋଇପାରେ ଯାହା ଜରୁରୀ ନୁହେଁ, ଯେପରି— ଅଧିକ ପଇସା ଅର୍ଜନ କିମ୍ବା ଉଚ୍ଚ ଶିକ୍ଷା ହାସଲ କରିବାରେ । ଯୀଶୁ କହିଥିଲେ, ‘ପ୍ରଥମରେ ରାଜ୍ୟ ଅନ୍ୱେଷଣ କର ।’ (ମାଥିଉ ୬:୩୩) ଆମ ନିଷ୍ପତ୍ତି, ଆମ ଅଭ୍ୟାସ, ଆମ ପ୍ରତିଦିନର କାର୍ଯ୍ୟ ଓ ଆମ ଲକ୍ଷ୍ୟଗୁଡ଼ିକରୁ ଜଣାପଡ଼େ ଯେ ଆମେ କେଉଁ ବିଷୟଗୁଡ଼ିକୁ ଅଧିକ ମହତ୍ତ୍ୱ ଦେଉ ।

ସବୁଠୁ ଜରୁରୀ କାମ

୨୨, ୨୩. (କ) ଖ୍ରୀଷ୍ଟିୟାନମାନଙ୍କ ପାଇଁ ସବୁଠୁ ଜରୁରୀ କାମ କʼଣ ? (ଖ) କେଉଁ କଥାକୁ ମନେ ରଖିଲେ ଆମେ ନିଜ କାମ ଖୁସିର ସହ କରିପାରିବା ?

୨୨ ଜଣେ ଖ୍ରୀଷ୍ଟିୟାନଙ୍କ ପାଇଁ ସବୁଠୁ ଜରୁରୀ କାମ ହେଉଛି, ଯିହୋବାଙ୍କ ସେବା କରିବା ଓ ଲୋକମାନଙ୍କୁ ସୁସମାଚାର ଶୁଣାଇବା । (ମାଥିଉ ୨୪:୧୪; ୨୮:୧୯, ୨୦) ଯୀଶୁଙ୍କ ଭଳି ଆମେ ମଧ୍ୟ ଏହି କାମରେ ବହୁତ ପରିଶ୍ରମ କରିବା ଉଚିତ୍‌ । କିଛି ଭାଇଭଉଣୀମାନେ ଏପରି ଜାଗାରେ ଯାଇ ସେବା କରୁଛନ୍ତି, ଯେଉଁଠାରେ ପ୍ରଚାରକମାନଙ୍କ ବହୁତ ଆବଶ୍ୟକତା ରହିଛି । ଆଉ କିଛି ଭାଇଭଉଣୀ ନୂଆ ଭାଷା ଶିଖୁଛନ୍ତି, ଯାହାଦ୍ୱାରା ସେମାନେ ସେହି ଭାଷା କହୁଥିବା ଲୋକମାନଙ୍କୁ ପ୍ରଚାର କରିପାରିବେ । ସେହି ଭାଇଭଉଣୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହି କାମ କିପରି କରିପାରିଲେ । ସେମାନଙ୍କ ଅନୁଭୂତିରୁ ଆପଣ ଜାଣିପାରିବେ ଯେ ଏପରି ଭାବେ ଯିହୋବାଙ୍କ ସେବା କରିବା ଦ୍ୱାରା ସେମାନେ ଆଗ ଅପେକ୍ଷା ଅଧିକ ଖୁସିରେ ଅଛନ୍ତି ।—ହିତୋପଦେଶ ୧୦:୨୨ ପଢ଼ନ୍ତୁ ।

ଜଣେ ପତିପନୀ ଚାର କରୁଛନ୍ତି

ଆମ ପାଇଁ ସବୁଠୁ ଜରୁରୀ କାମ ହେଉଛି ଯିହୋବାଙ୍କ ସେବା କରିବା

୨୩ ଆଜି ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି କାମ କରିବାକୁ ପଡ଼େ କିମ୍ବା ଏକରୁ ଅଧିକ ଚାକିରି କରିବାକୁ ପଡ଼ିଥାଏ । ତେବେଯାଇ ପରିବାରର ଆବଶ୍ୟକତାଗୁଡ଼ିକ ପୂରଣ ହୋଇଥାଏ । ଯିହୋବା ଆମ ପରିସ୍ଥିତିକୁ ଭଲଭାବେ ବୁଝନ୍ତି ଓ ଆମ ପରିଶ୍ରମ ଦେଖି ବହୁତ ଖୁସି ହୁଅନ୍ତି । ଏହି କଥାକୁ ମନେ ରଖିଲେ ଆମେ ଯେକୌଣସି ଚାକିରି କରୁଥିଲେ ମଧ୍ୟ ଆମେ ନିଜ କାମରୁ ଖୁସି ପାଇପାରିବା । ଆସନ୍ତୁ, ଆମେ ଯିହୋବା ଓ ଯୀଶୁ ଖ୍ରୀଷ୍ଟଙ୍କ ଭଳି ପରିଶ୍ରମ କରିବା । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବାଙ୍କ ସେବା କରିବା ଓ ରାଜ୍ୟର ସୁସମାଚାର ପ୍ରଚାର କରିବା ସବୁଠାରୁ ଜରୁରୀ କାମ । ଏହି କାମରୁ ହିଁ ଆମକୁ ପ୍ରକୃତ ଖୁସି ମିଳିଥାଏ ।

ବାଇବଲର ସିଦ୍ଧାନ୍ତ

୧ ଆମ ଭିତରେ କାମ କରିବାର ଇଚ୍ଛା ସ୍ୱାଭାବିକ ଅଟେ, କାରଣ ଯିହୋବା ଆମକୁ ଏପରି ଭାବରେ ସୃଷ୍ଟି କରିଛନ୍ତି

“ପ୍ରତ୍ୟେକ ମନୁଷ୍ୟ ଭୋଜନ ପାନ କରି ଆପଣା ସକଳ ପରିଶ୍ରମରେ ସୁଖଭୋଗ କରିବ, ଏହା ପରମେଶ୍ୱରଙ୍କ ଦାନ ।”—ଉପଦେଶକ ୩:୧୩

କାମ କରିବା ଈଶ୍ୱରଙ୍କ ତରଫରୁ କିପରି ଏକ ଉପହାର ଭଳି ଅଟେ ?

  • ଆଦି ପୁସ୍ତକ ୧:୧, ୩୧; ଉପଦେଶକ ୨:୨୪; ଯୋହନ ୫:୧୭

    ଯିହୋବା ବହୁତ ପରିଶ୍ରମୀ ଅଟନ୍ତି । ତାହାଙ୍କୁ ନିଜ କାମରୁ ଖୁସି ମିଳେ ଏବଂ ସେ ଚାହାନ୍ତି ଯେ ଆମକୁ ମଧ୍ୟ ନିଜ କାମରୁ ଖୁସି ମିଳୁ ।

  • ହିତୋପଦେଶ ୮:୨୨-୩୧; କଲସୀୟ ୧:୧୫-୧୭

    ଯୀଶୁ ସ୍ୱର୍ଗରେ ଥିବା ସମୟରେ ବହୁତ ପରିଶ୍ରମ କଲେ । ଏପରିକି ପୃଥିବୀରେ ଥିବା ସମୟରେ ମଧ୍ୟ ବହୁତ ପରିଶ୍ରମ କଲେ ।

  • ମାର୍କ ୬:୩; ଲୂକ ୨୧:୩୭, ୩୮; ଯୋହନ ୪:୩୧-୩୮; ୧୭:୪

    ଯୀଶୁ ସବୁ କାମ ଭଲଭାବେ କଲେ । ତାଙ୍କୁ ଦିଆଯାଇଥିବା କାମ କଷ୍ଟକର ଥିବା ସତ୍ତ୍ୱେ ସେ ତାହାକୁ ପୂରା କଲେ ।

୨ ଆମେ କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା

“ତୁମ୍ଭେ କି କୌଣସି ଲୋକକୁ ଆପଣା ବ୍ୟବସାୟରେ ତତ୍ପର ଦେଖୁଅଛ ? ସେ ରାଜାମାନଙ୍କ ସମ୍ମୁଖରେ ଠିଆ ହେବ ।”—ହିତୋପଦେଶ ୨୨:୨୯

ଆମେ ନିଜ କାମରୁ ଖୁସି କିପରି ପାଇପାରିବା ?

  • ହିତୋପଦେଶ ୧୨:୨୪; କଲସୀୟ ୩:୨୨-୨୪; ଏବ୍ରୀ ୧୩:୧୮

    ହୁଏତ ଆମେ ନିଜ ଚାକିରି ବଦଳାଇପାରିବା ନାହିଁ, କିନ୍ତୁ ଆମେ ଚାକିରି ବିଷୟରେ ନିଜ ଦୃଷ୍ଟିକୋଣ ନିଶ୍ଚୟ ବଦଳାଇପାରିବା । ଆମେ ପରିଶ୍ରମୀ ଓ ସଚ୍ଚୋଟ ହେବା ଉଚିତ୍‌ ।

  • ହିତୋପଦେଶ ୨୭:୧୧; ୧ ତୀମଥି ୫:୮; ୧ ପିତର ୨:୧୨

    ଯେତେବେଳେ ଆପଣ ନିଜ ପରିବାରର ଭରଣପୋଷଣ କରିବା ପାଇଁ ପରିଶ୍ରମ କରନ୍ତି, ସେତେବେଳେ ଆପଣ ଈଶ୍ୱରଙ୍କ ଆଜ୍ଞା ପାଳନ କରୁଥାʼନ୍ତି । ଆପଣଙ୍କ ଭଲ ବ୍ୟବହାର ଯୋଗୁଁ ଯିହୋବାଙ୍କ ମହିମା ହୋଇଥାଏ ।

  • ଯାତ୍ରା ପୁସ୍ତକ ୨୦:୧୩-୧୫; ହିତୋପଦେଶ ୨:୬; ରୋମୀୟ ୧୪:୧୯-୨୨; ଏଫିସୀୟ ୫:୨୮–୬:୪; ୧ ଯୋହନ ୫:୩; ପ୍ରକାଶିତ ବାକ୍ୟ ୧୮:୪

    ବାଇବଲର ସିଦ୍ଧାନ୍ତଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତନ କଲେ ଆମେ ଜାଣିପାରିବା ଯେ କୌଣସି ଚାକିରି ଆମ ଉପରେ, ଆମ ପରିବାର ଉପରେ ଓ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ଉପରେ କିପରି ପ୍ରଭାବ ପକାଇବ ଏବଂ ଯିହୋବାଙ୍କୁ କିପରି ଲାଗିବ ।

୩ ଜରୁରୀ ବିଷୟଗୁଡ଼ିକୁ ମହତ୍ତ୍ୱ ଦେଲେ ଆମେ ନିଜ କାମରୁ ଖୁସି ପାଇବା

‘ଉତ୍କୃଷ୍ଟ [“ମହତ୍ତ୍ୱ ରଖୁଥିବା,” NW ] ବିଷୟଗୁଡ଼ିକ ସମର୍ଥନ କର ।’—ଫିଲିପ୍‌ପୀୟ ୧:୧୦

ଆମେ କେଉଁ ବିଷୟଗୁଡ଼ିକୁ ମହତ୍ତ୍ୱ ଦେବା ଉଚିତ୍‌ ?

  • ଗୀତସଂହିତା ୩୭:୨୫; ହିତୋପଦେଶ ୩:୫, ୬; ୧ ପିତର ୫:୭

    ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଯେ ସେ ଆପଣଙ୍କ ପ୍ରତିଦିନର ଆବଶ୍ୟକତାଗୁଡ଼ିକୁ ପୂରଣ କରିବେ ।

  • ମାଥିଉ ୬:୨୫-୩୨; ୧ ତୀମଥି ୬:୮-୧୦; ଏବ୍ରୀ ୧୩:୫

    ଆପଣଙ୍କ ପାଖରେ ଯାହା ଅଛି, ସେଥିରେ ସନ୍ତୁଷ୍ଟ ରହିବା ଶିଖନ୍ତୁ ।

  • ହିତୋପଦେଶ ୧୦:୨୨; ମାଥିଉ ୬:୩୩; ୨୮:୧୯, ୨୦; ଏବ୍ରୀ ୧୦:୨୪, ୨୫

    ଯିହୋବାଙ୍କ ସେବା କରିବା ଓ ସୁସମାଚାର ଶୁଣାଇବା ସବୁଠୁ ମହତ୍ତ୍ୱପୂର୍ଣ୍ଣ କାମ ଅଟେ । ଏହି କାମ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ