ସାରା ବିଶ୍ୱରେ ମସୀହଙ୍କ ମୃତ୍ୟୁର ସ୍ମାରକ ପାଳିତ ହୁଏ
ଯିହୋବା ଆମ୍ଭମାନଙ୍କୁ ଅନେକ ଦାନ ଦେଇଛନ୍ତି । ତାଙ୍କର ସମସ୍ତ ଭଲ କାର୍ଯ୍ୟ ଓ ପ୍ରେମମୟ କୃପାକୁ ସ୍ପଷ୍ଟଭାବେ “ଈଶ୍ୱରଙ୍କ ଅକଥନୀୟ ଦାନ” କୁହାଯାଏ । ହଁ, ‘ଈଶ୍ୱରଙ୍କ ଅନୁଗ୍ରହ’ କେତେ ଅଦ୍ଭୁତ ଯାହାର ବର୍ଣନା ଆମେ କରିପାରିବା ନାହିଁ।—୨ କରି. ୯:୧୪, ୧୫.
୨ ତାଙ୍କର ସର୍ବୋତ୍ତମ ଦାନ: ମଣିଷଜାତିର ମୁକ୍ତିଦାତା, ଯୀଶୁ ଖ୍ରୀଷ୍ଟ ସବୁଠାରୁ ସର୍ବୋତ୍ତମ ଦାନ ଅଟନ୍ତି । ମଣିଷଜାତିଙ୍କ ପ୍ରତି ତାଙ୍କର ମହାନ ପ୍ରେମ ବ୍ୟକ୍ତ କରିବା ପାଇଁ ଯିହୋବା ତାଙ୍କର ଅତି ପ୍ରିୟ ଓ ଅଦ୍ୱିତୀୟ ପୁତ୍ରଙ୍କୁ ଦେଲେ । (ଯୋହ. ୩:୧୬) ପରମେଶ୍ୱରଙ୍କଠାରୁ ଆମକୁ ଏହି ପ୍ରକାର ଆଶୀର୍ବାଦ ମିଳିଛି, ତେଣୁ ଆମେ ସାରା ବିଶ୍ୱରେ ଏହି ସ୍ମାରକ ଉତ୍ସବକୁ ପାଳନ କରିବା ଉଚିତ୍ ! କେବେ ଏବଂ କିପରି? ଗୁରୁବାର, ଏପ୍ରିଲ ୧, ୧୯୯୯, ସନ୍ଧ୍ୟାରେ, ସାରା ବିଶ୍ୱରେ ରହୁଥିବା ଖ୍ରୀଷ୍ଟିଆନମାନେ ପ୍ରଭୁଭୋଜର ସ୍ମାରକ ଉତ୍ସବ ପାଳନ କରିବେ । ଏହି ଉତ୍ସବ ସବୁଠାରୁ ମହାନ ବଳିଦାନର ସ୍ମାରକ ଅଟେ ।—୧ କରି. ୧୧:୨୦, ୨୩-୨୬.
୩ “ଆମ୍ଭେମାନେ ପାପୀ ଥିବା ସମୟରେ” ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁର ସ୍ମାରକ ଉତ୍ସବକୁ ପାଳନ କରିବା ଦ୍ୱାରା ଏବଂ ଏହି ଅତି ମହତ୍ତ୍ୱପୂର୍ଣ୍ଣ ଅବସରରେ ଆମ ସହିତ ଉପସ୍ଥିତ ହେବା ପାଇଁ ଲୋକମାନଙ୍କୁ ଆମନ୍ତ୍ରିତ କରିବା ଦ୍ୱାରା ଆମ୍ଭେମାନେ ନିଜର କୃତଜ୍ଞତା ଜଣାଇ ପାରିବା ।—ରୋମୀ. ୫:୮.
୪ ଅତି ମହତ୍ତ୍ୱପୂର୍ଣ୍ଣ ଘଟଣା: ଖ୍ରୀଷ୍ଟ ପରମେଶ୍ୱରଙ୍କ ସାର୍ବଭୌମତ୍ୱକୁ ଭଲଭାବରେ ସମର୍ଥନ କରିଥିଲେ ବୋଲି ତାଙ୍କ ମୃତ୍ୟୁର ସ୍ମାରକ ଉତ୍ସବ ମୁଖ୍ୟଭାବେ ଏହି ବିଷୟକୁ ପ୍ରଦର୍ଶିତ କରେ । ଆମେ ଯୀଶୁଙ୍କ ବଳିଦାନରେ ବିଶ୍ୱାସ କରିବା ଦ୍ୱାରା ଯିହୋବାଙ୍କ ସମ୍ମୁଖରେ ଶୁଦ୍ଧ ସ୍ଥିତି ବଜାୟ ରଖି ପାରିବା ବୋଲି ଏହି ଘଟଣା ଆମକୁ ସ୍ମରଣ କରାଏ । ଏହିପରି ଆମକୁ ପରିତ୍ରାଣର ଆଶ୍ୱାସନ ମିଳିବ । (ପ୍ରେରି. ୪:୧୨) ବାସ୍ତବରେ, ଏହି ଘଟଣା ବର୍ଷକର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଘଟଣା ଅଟେ !
୫ ଯେତେବେଳେ ଆମେ ଆମର ପ୍ରତିବାସୀମାନଙ୍କୁ ଆମ ସହିତ ପ୍ରଭୁଭୋଜର ଉତ୍ସବ ପାଳନ କରିବା ପାଇଁ ଆମନ୍ତ୍ରିତ କରୁ, ସେତେବେଳେ ଆମେ ସେମାନଙ୍କ ପ୍ରତି ଆମର ପ୍ରେମ ଦର୍ଶାଉ । ଯେଉଁ ଲକ୍ଷ ଲକ୍ଷ ଲୋକ ମୁକ୍ତି ବଲିଦାନର ଉତ୍କୃଷ୍ଠ ମୂଲ୍ୟ ବିଷୟରେ ଶିଖିବାକୁ ଚାହାନ୍ତି, ସେମାନଙ୍କ ପାଇଁ ମୁକ୍ତି ବଳିଦାନର ଲାଭ ଉପଲବ୍ଧ ହୁଏ । (ଫିଲୀ. ୩:୮) ଯେଉଁମାନେ ଖ୍ରୀଷ୍ଟଙ୍କ ବଳିଦାନରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନର ଦୃଢ଼ ଆଶା ପାଇ ପାରିବେ ।—ଯୋହ. ୧୭:୩.
୬ ପରମେଶ୍ୱରଙ୍କ ଏହି ଦୟାର ଆଶିର୍ବାଦ ପାଇଁ ମୂଲ୍ୟାଙ୍କନ ବ୍ୟକ୍ତ କରିବା ନିମିତ୍ତ ସ୍ମାରକ ମାସରେ ଆମକୁ ବିଶେଷ ଅବସର ମିଳେ । ପରମେଶ୍ୱରଙ୍କ ରାଜ୍ୟର ସୁସମାଚାରକୁ ଅତ୍ୟୁତ୍ସାହଭାବେ ପ୍ରଚାର କରିବାରେ ଭାଗ ନେବା ପାଇଁ ଏହା ଉତ୍ତମ ସମୟ । ଯେଉଁମାନେ ଯିହୋବାଙ୍କ ଅକଥନୀୟ ମାଗଣା ଦାନରେ ପ୍ରାର୍ଥନାପୂର୍ବକ ବିଚାର କରନ୍ତି ଏବଂ ଏହି ବର୍ଷର ପ୍ରଭୁଭୋଜ ଉତ୍ସବରେ ଉପସ୍ଥିତ ହେବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବହୁତ ଲାଭ ମିଳିବ।