ଅକ୍ଟୋବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
ଅକ୍ଟୋବର ୨-୮
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୭-୯
“ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଦାନିୟେଲଙ୍କ ଭବିଷ୍ୟତବାଣୀ”
ଇନସାଇଟ୍-୨ ୯୦୨ ¶୨
ସତୁରି ସଯ୍ତାହ
ଆଜ୍ଞା ଲଙ୍ଘନ ଓ ପାପ ସମାଯ୍ତ କରାଗଲା। ଯୀଶୁ ଖ୍ରୀଷ୍ଟ ଉଚ୍ଛିନ୍ନ ହେବା ଅର୍ଥାତ୍ ତାହାଙ୍କ ମୃତ୍ୟୁ ହେବା, ତାହାଙ୍କୁ ପୁଣିଥରେ ଜୀବିତ କରାଯିବା ଏବଂ ସ୍ୱର୍ଗ ଯିବା ଯୋଗୁଁ ‘ଆଜ୍ଞା ଲଙ୍ଘନ ସମାଯ୍ତ କରାଗଲା, ପାପର ଶେଷ କରାଗଲା ଓ ଅଧର୍ମର ପ୍ରାୟଶ୍ଚିତ୍ତ କରାଗଲା।’ (ଦାନି ୯:୨୪) ବ୍ୟବସ୍ଥାର ନିୟମ ଯୋଗୁଁ ଯିହୁଦୀମାନଙ୍କର ପାପ ସ୍ପଷ୍ଟ ଦେଖାଗଲା, ସେମାନେ ପାପୀ ସାବ୍ୟସ୍ତ ହେଲେ ଏବଂ ନିୟମ ଉଲ୍ଲଙ୍ଘନ କରିବା ଫଳରେ ସେମାନେ ଅଭିଶଯ୍ତ ହେଲେ। କିନ୍ତୁ, ଯେଉଁଠାରେ ପାପ “ଅଧିକ” ହେଲା ଅର୍ଥାତ୍ ମୋଶାଙ୍କ ନିୟମ ଯୋଗୁଁ ସେମାନଙ୍କ ପାପ ଆହୁରି ସ୍ପଷ୍ଟ ଭାବେ ପ୍ରକାଶିତ ହେଲା, ସେହିଠାରେ ସେମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ଜରିଆରେ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ଆହୁରି ଅତି ଅଧିକ ହେଲା। (ରୋମୀ ୫:୨୦) ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଅନୁତାପ କରୁଥିବା ପାପୀମାନଙ୍କର ଆଜ୍ଞା ଲଙ୍ଘନ ଓ ପାପ କ୍ଷମା କରାଯାଇପାରିବ ଏବଂ ସେମାନଙ୍କୁ ଦଣ୍ଡ ଦିଆଯିବ ନାହିଁ।
ଇନସାଇଟ୍-୨ ୯୦୦ ¶୭
ସତୁରି ସଯ୍ତାହ
‘ଅଣସ୍ତରି ସଯ୍ତାହ’ ପରେ ଖ୍ରୀଷ୍ଟଙ୍କ ଆଗମନ। “ବାଷଠି ସଯ୍ତାହ” (ଦାନି ୯:୨୫, NIBV) ମଧ୍ୟ ସତୁରି ସଯ୍ତାହର ଅଂଶ ଅଟେ ଏବଂ ପଦରେ ଏଗୁଡ଼ିକ ବିଷୟରେ “ସାତ ସଯ୍ତାହ” ପରେ କୁହାଯାଇଛି। ଏହି ବାଷଠି ସଯ୍ତାହର ଆରମ୍ଭ ‘ସାତ ସଯ୍ତାହର’ ସମୟ ଶେଷ ହେବା ପରେ ହୁଏ। ତେଣୁ, ଯିରୂଶାଲମର ପୁନଃନିର୍ମାଣର “ଆଦେଶ ଜାରି ହେବା ସମୟରୁ ଅଭିଷିକ୍ତ ବ୍ୟକ୍ତି, ଅର୍ଥାତ୍ ଶାସକଙ୍କର ଆଗମନ ପର୍ଯ୍ୟନ୍ତ” ୭ ଓ ୬୨ “ସଯ୍ତାହ” ଅର୍ଥାତ୍ ସର୍ବମୋଟ ୬୯ “ସଯ୍ତାହ” ବିତିବ। ଏହି ୬୯ ସଯ୍ତାହର ଆରମ୍ଭ ଖ୍ରୀ.ପୂ. ୪୫୫ରେ ହେଲା ଏବଂ ୨୯ ଖ୍ରୀଷ୍ଟାବ୍ଦରେ ଶେଷ ହେଲା ଏବଂ ଏହି ସମୟ ୪୮୩ ବର୍ଷର ଅଟେ। ଠିକ୍ ଯେପରି ପୂର୍ବରୁ କୁହାଯାଇଥିଲା, ୨୯ ଖ୍ରୀଷ୍ଟାବ୍ଦର ଶରତ ଋତୁରେ ଯୀଶୁ ପାଣିରେ ବାଯ୍ତିସ୍ମ ନେଲେ, ପବିତ୍ର ଆତ୍ମାରେ ତାହାଙ୍କର ଅଭିଷେକ କରାଗଲା ଏବଂ ସେ “ଅଭିଷିକ୍ତ ବ୍ୟକ୍ତି” ଭାବରେ ସେବା ଆରମ୍ଭ କଲେ।—ଲୂକ ୩:୧, ୨, ୨୧, ୨୨.
ଇନସାଇଟ୍-୨ ୯୦୧ ¶୨
ସତୁରି ସଯ୍ତାହ
ଅଧା ସଯ୍ତାହ ବିତିବା ପରେ ଖ୍ରୀଷ୍ଟ “ଉଚ୍ଛିନ୍ନ” ହେଲେ। ସ୍ୱର୍ଗଦୂତ ଗାବ୍ରିଏଲ ଦାନିୟେଲଙ୍କୁ ଏହା ମଧ୍ୟ କହିଲେ: “ତିନି କୋଡ଼ି ଦୁଇ ସଯ୍ତାହ [୬୨ ସଯ୍ତାହ] ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ [ତାହାଙ୍କ ପାଖରେ କିଛି ରହିବ ନାହିଁ]।” (ଦାନି ୯:୨୬) ଏହି ଘଟଣା ‘୭ ଓ ୬୨ ସଯ୍ତାହ’ ପୂରଣ ହେବାର କିଛି ସମୟ ପରେ ଘଟେ, ଅର୍ଥାତ୍ ୬୯ ସଯ୍ତାହର ପୂରା ହେବାର ପ୍ରାୟ ସାଢ଼େ ତିନି ବର୍ଷ ପରେ ଖ୍ରୀଷ୍ଟଙ୍କୁ କାଠ ଖୁଣ୍ଟରେ ହତ୍ୟା କରାଗଲା। ସେ ମଣିଷଜାତି ନିମନ୍ତେ ନିଜ ଜୀବନକୁ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କରି ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେଲେ। (ଯିଶା ୫୩:୮) ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଆରମ୍ଭର ଅଧା “ସଯ୍ତାହ” (ସାଢ଼େ ତିନି ବର୍ଷ) ଯୀଶୁ ପ୍ରଚାର କାମ କଲେ। ଥରେ ଯୀଶୁ ଏକ ଦୃଷ୍ଟାନ୍ତ ଦେଇଥିଲେ, ଯେଉଁଥିରେ ସେ ଯିହୁଦୀ ଜାତିର ତୁଳନା ଡିମିରି ଗଛ ସହିତ କଲେ। (ମାଥି ୧୭:୧୫-୨୦; ୨୧:୧୮, ୧୯, ୪୩ ସହିତ ତୁଳନା କରନ୍ତୁ।) ଦୃଷ୍ଟାନ୍ତରେ କୁହାଯାଇଥିବା ଡିମିରି ଗଛକୁ “ତିନି ବର୍ଷ” ବିତିଯାଇଥିଲା, କିନ୍ତୁ ସେଥିରେ କୌଣସି ଫଳ ଫଳି ନ ଥିଲା। ଦ୍ରାକ୍ଷାକ୍ଷେତ୍ରର ମାଳୀ ନିଜ ମାଲିକଙ୍କୁ କହିଲା: “ପ୍ରଭୋ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।” (ଲୂକ ୧୩:୬-୯) ଏଠାରେ ଯୀଶୁ ହୁଏତ ସେହି ତିନି ବର୍ଷ ବିଷୟରେ କହୁଥିଲେ, ଯେଉଁ ସମୟରେ ସେ ଯିହୁଦୀମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କଲେ, କିନ୍ତୁ ସେମାନେ ଆଦୌ ଧ୍ୟାନ ଦେଲେ ନାହିଁ। ସମ୍ଭବତଃ, ଯୀଶୁ ଏହି ଦୃଷ୍ଟାନ୍ତ ୩୨ ଖ୍ରୀଷ୍ଟାବ୍ଦର ଶରତ ଋତୁରେ କହିଥିଲେ, ଯେତେବେଳେ ସେ ପ୍ରାୟ ତିନି ବର୍ଷ ପ୍ରଚାର କାମ କରିସାରିଥିଲେ ଏବଂ ସେ ଏହି କାମ ଚତୁର୍ଥ ବର୍ଷରେ ମଧ୍ୟ କରିଥାʼନ୍ତେ।
ଇନସାଇଟ୍-୨ ୯୦୧ ¶୫
ସତୁରି ସଯ୍ତାହ
ସତୁରିତମ ସଯ୍ତାହର ‘ଅର୍ଦ୍ଧେକ କାଳ’ ସାତ ବର୍ଷର ମଝିରେ ଅର୍ଥାତ୍ ସାଢ଼େ ତିନି ବର୍ଷ ପରେ ଶେଷ ହୋଇଥାʼନ୍ତା। ସତୁରିତମ “ସଯ୍ତାହ” ୨୯ ଖ୍ରୀଷ୍ଟାବ୍ଦର ଶରତ ଋତୁରେ ଆରମ୍ଭ ହେଲା, ଯେତେବେଳେ ଯୀଶୁ ବାପ୍ତିସ୍ମ ନେଲେ ଏବଂ ଖ୍ରୀଷ୍ଟ ରୂପେ ଅଭିଷିକ୍ତ ହେଲେ। ଏହାର ଅର୍ଥ, ସତୁରିତମ ସଯ୍ତାହର ଅଧା ସଯ୍ତାହ (ସାଢ଼େ ତିନି ବର୍ଷ) ୩୩ ଖ୍ରୀଷ୍ଟାବ୍ଦର ବସନ୍ତ ଋତୁ ପର୍ଯ୍ୟନ୍ତ ଥିଲା, ଯେତେବେଳେ ନିସ୍ତାର ପର୍ବର ସମୟ (ନୀସନ୍ ୧୪) ମଧ୍ୟ ଥିଲା। ଗ୍ରେଗରିୟାନ କ୍ୟାଲେଣ୍ଡର୍ ଅନୁସାରେ ସେହି ଦିନ ୩୩ ଖ୍ରୀଷ୍ଟାବ୍ଦର ଏପ୍ରିଲ ୧ ତାରିଖ ଥିଲା। ପ୍ରେରିତ ପାଉଲ କହିଲେ ଯେ ଯୀଶୁ ଖ୍ରୀଷ୍ଟ ‘ଈଶ୍ୱର ଚାହିଁ ଥିବା କାର୍ଯ୍ୟଗୁଡ଼ିକ କରିବା ପାଇଁ ଆସିଥିଲେ’ ଏବଂ ଈଶ୍ୱରଙ୍କ ଇଚ୍ଛା ଥିଲା— ‘ପ୍ରଥମ ବଳିଦାନ ପ୍ରଥା [ବ୍ୟବସ୍ଥା ଅନୁଯାୟୀ ବଳିଦାନ ଓ ଉପହାର] ସମାଯ୍ତ କରି ନୂତନପ୍ରଥା ଆରମ୍ଭ କରିବା।’ ସେ ନିଜ ଶରୀରର ବଳିଦାନ ଦେଇ ଏପରି କଲେ।—ଏବ୍ରୀ ୧୦:୧-୧୦, ଇଜି-ଟୁ-ରିଡ୍ ଭର୍ସନ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୧-ହି ୫/୧୫ ୨୭
ପାଠକମାନଙ୍କ ପ୍ରଶ୍ନ
ଦାନିୟେଲ ୯:୨୪ ପଦରେ ଥିବା ଭବିଷ୍ୟତବାଣୀ ଅନୁଯାୟୀ ‘ପବିତ୍ରତମକୁ’ କେବେ ଅଭିଷେକ କରାଗଲା?
ଏହିପରି ଭାବରେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ନିଜ ଶରୀର ବଳିଦାନ କଲେ ଏବଂ ଯିହୋବା ତାକୁ ସ୍ୱୀକାର କଲେ, ଏହାର ଅର୍ଥ ଥିଲା ଯେ ଯିରୂଶାଲମ ମନ୍ଦିରର ବେଦି ଅପେକ୍ଷା କାହିଁ କେତେ ଅଧିକ ଏକ ମହାନ ବେଦି ଅସ୍ତିତ୍ୱରେ ଆସିଲା। ଏହା ଈଶ୍ୱରଙ୍କ ‘ଇଚ୍ଛାର’ ବେଦି ଥିଲା, କିମ୍ବା ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହା ଯୀଶୁଙ୍କ ମାନବୀୟ ଜୀବନର ବଳିଦାନକୁ ସ୍ୱୀକାର କରିବାର ଏକ ବ୍ୟବସ୍ଥା ଥିଲା। (ଏବ୍ରୀ ୧୦:୧୦) ପବିତ୍ର ଆତ୍ମା ଦ୍ୱାରା ଯୀଶୁଙ୍କ ଅଭିଷେକ କରାଯିବାର ଅର୍ଥ ଥିଲା ଯେ ବର୍ତ୍ତମାନ ଈଶ୍ୱର ତାହାଙ୍କ ସମ୍ପୂର୍ଣ୍ଣ ଆତ୍ମିକ ମନ୍ଦିରର ବ୍ୟବସ୍ଥା ଆରମ୍ଭ କରିଦେଇଥିଲେ। ତେଣୁ ଈଶ୍ୱରଙ୍କ ସ୍ୱର୍ଗୀୟ ନିବାସସ୍ଥାନର ଅଭିଷେକ ଯୀଶୁଙ୍କ ବାଯ୍ତିସ୍ମ ସମୟରେ ହେଲା, ଅର୍ଥାତ୍ ସ୍ୱର୍ଗୀୟ ନିବାସସ୍ଥାନକୁ “ପବିତ୍ରତମ” ଭାବରେ ମହାନ ଆତ୍ମିକ ମନ୍ଦିରର ବ୍ୟବସ୍ଥାରେ ଭିନ୍ନ ପରିଚୟ ଦିଆଗଲା।
ପ୍ର୦୭-ହି ୯/୧ ୨୧ ¶୪
ଦାନିୟେଲ ବହିର ମୁଖ୍ୟାଂଶ
୯:୨୭—ସତୁରିତମ ସଯ୍ତାହର (ବର୍ଷର ସଯ୍ତାହ) ଶେଷ ପର୍ଯ୍ୟନ୍ତ ବା ୩୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ “ଅନେକର ସହିତ କେଉଁ ଦୃଢ଼ ନିୟମ” କରାଯାଇଥିଲା? ବ୍ୟବସ୍ଥାର ନିୟମ ୩୩ ଖ୍ରୀଷ୍ଟାବ୍ଦରେ ହଟାଇ ଦିଆଗଲା, ଯେତେବେଳେ ଯୀଶୁଙ୍କୁ କାଠ ଖୁଣ୍ଟରେ ହତ୍ୟା କରାଗଲା। କିନ୍ତୁ, ଯିହୋବା ଅବ୍ରହାମଙ୍କ ସହିତ କରିଥିବା ଚୁକ୍ତିକୁ ୩୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବଜାୟ ରଖିଲେ। ଏହିପରି ଭାବେ, ଯିହୁଦୀମାନେ ଅବ୍ରହାମଙ୍କର ସନ୍ତାନ ହୋଇଥିବାରୁ ଯିହୋବା ସେମାନଙ୍କୁ ତାହାଙ୍କ ବିଶେଷ ଆଶିଷ ପାଇବାର ଆହୁରି ସୁଯୋଗ ଦେଲେ। କିନ୍ତୁ, “ଈଶ୍ୱରଙ୍କର ଇସ୍ରାଏଲ” କ୍ଷେତ୍ରରେ ଅବ୍ରହାମଙ୍କ ସହିତ କରାଯାଇଥିବା ଚୁକ୍ତି ଆଜି ପର୍ଯ୍ୟନ୍ତ ବଜାୟ ରହିଛି।—ଗାଲାତୀୟ ୩:୭-୯, ୧୪-୧୮, ୨୯; ୬:୧୬.
୯-୧୫ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୧୦-୧୨
“ଯିହୋବା ପୂର୍ବରୁ ହିଁ ରାଜାମାନଙ୍କର ଭବିଷ୍ୟତ କହିଲେ”
ଦାନିୟେଲ (ହିନ୍ଦୀ) ୨୧୨-୨୧୩ ¶୫-୬
ଦୁଇ ରାଜାଙ୍କ ମଧ୍ୟରେ ସଂଘର୍ଷ
ପ୍ରଥମ ତିନୋଟି ରାଜା ଥିଲେ- କୋରସ ମହାନ, କାମ୍ବିସିଜ୍ ଦ୍ୱିତୀୟ ଓ ଦାରୀୟାବସ ପ୍ରଥମ (ହିସ୍ତସ୍ପିଜ୍)। ଯେହେତୁ ବାର୍ଡିୟା (କିମ୍ବା ସମ୍ଭବତଃ, ସିଂହାସନ ଦାବି କରୁଥିବା ଗୌମାଟା ନାମକ ଜଣେ ବ୍ୟକ୍ତି) କେବଳ ସାତ ମାସ ପାଇଁ ଶାସନ କରିଥିଲା, ଏହି ଭବିଷ୍ୟତବାଣୀରେ ତାʼର ଅଳ୍ପ କାଳର ଶାସନକୁ ଗଣନାରେ ନିଆଯାଇ ନ ଥଲା। ଖ୍ରୀ.ପୂ. ୪୯୦ରେ ତୃତୀୟ ରାଜା ଦାରୀୟାବସ ପ୍ରଥମ ଗ୍ରୀସ୍ ଉପରେ ଦ୍ୱିତୀୟ ଥର ପାଇଁ ଆକ୍ରମଣ କଲା। କିନ୍ତୁ, ଗ୍ରୀକ୍ମାନେ ପାରସ୍ୟର ସୈନ୍ୟମାନଙ୍କୁ ମାରାଥନ ଅଞ୍ଚଳରୁ ତଡ଼ିଦେଲେ। ତେଣୁ ସେମାନେ ପଛଘୁଞ୍ଚା ଦେଇ ଏସିଆ ମାଇନର ଅଞ୍ଚଳକୁ ପଳାୟନ କଲେ। ଯଦିଓ ଦାରୀୟାବସ ପୁଣିଥରେ ଗ୍ରୀକ୍ ଉପରେ ଆକ୍ରମଣ କରିବା ପାଇଁ ଭାବିଚିନ୍ତି ଭଲଭାବେ ପ୍ରସ୍ତୁତ ହେଲା, କିନ୍ତୁ ସେ ଆକ୍ରମଣ କରିପାରିଲା ନାହିଁ ଏବଂ ଚାରି ବର୍ଷ ପରେ ତାʼର ମୃତ୍ୟୁ ହେଲା। ତାʼପରେ, ଏହି କାମକୁ ପୂରା କରିବାର ଦାୟିତ୍ୱ ତାʼର ପୁତ୍ର ଅର୍ଥାତ୍ “ଚତୁର୍ଥ” ରାଜା ଅକ୍ଷଶ୍ୱେରଶ ନିଜ ହାତକୁ ନେଲା। ଏହି ରାଜାକୁ ଅହଶ୍ୱେରଶ ମଧ୍ୟ କୁହାଯାଉଥିଲା, ଯିଏ ଏଷ୍ଟରଙ୍କୁ ବିବାହ କରିଥିଲା।—ଏଷ୍ଟର ୧:୧; ୨:୧୫-୧୭.
ସେସମୟରେ ସମଗ୍ର ଗ୍ରୀସ୍ ଅଞ୍ଚଳ ବିଭିନ୍ନ ରାଜ୍ୟଗୁଡ଼ିକରେ ଭାଗ ଭାଗ ଥିଲା। ଅକ୍ଷଶ୍ୱେରଶ ପ୍ରଥମ ଏହି “ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ”କଲା। ଏକ ବହି (The Medes and Persians—Conquerors and Diplomats) କହେ: “ଅକ୍ଷଶ୍ୱେରଶ ରାଜାର ସବୁଠାରୁ ଘନିଷ୍ଠ ମିତ୍ର ଓ ମନ୍ତ୍ରୀମାନେ ଗ୍ରୀସ୍ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଯୋଜନା କରୁଥିଲେ। ସେମାନଙ୍କ ଚାପରେ ଆସି ରାଜା ଜଳ ଓ ସ୍ଥଳ ଉଭୟ ତରଫରୁ ଗ୍ରୀସ୍ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ କଲା।” ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ଗ୍ରୀକ୍ ଐତିହାସିକ ହେରୋଡୋଟସ୍ ଲେଖିଥିଲେ: “ଏହା ପୂର୍ବରୁ କେହି ମଧ୍ୟ ଯୁଦ୍ଧ ପାଇଁ ଏତେ ବଡ଼ ପ୍ରସ୍ତୁତି କରି ନ ଥିଲେ।” ସେ ଏହା ମଧ୍ୟ କହିଥିଲେ ଯେ ସାମୁଦ୍ରିକ ସୈନ୍ୟବାହିନୀରେ “ସର୍ବମୋଟ ୫,୧୭,୬୧୦ ସୈନିକ ଥିଲେ। ସ୍ଥଳ ଭାଗର ସୈନ୍ୟବାହିନୀରେ ୧୭,୦୦,୦୦୦ ପଦାତିକ ସୈନ୍ୟ ଓ ୮୦,୦୦୦ ଅଶ୍ୱାରୋହୀ ଥିଲେ। ଏହା ବ୍ୟତୀତ, ଓଟ ଉପରେ ବସି ଯୁଦ୍ଧ କରୁଥିବା ଆରବୀୟମାନେ ଥିଲେ ଏବଂ ଲିବୀୟାର ରଥଗୁଡ଼ିକ ମଧ୍ୟ ଥିଲା, ଯାହା ମୋʼ ହିସାବରେ ୨୦,୦୦୦ ଥିଲା। ଏହିପରି ଭାବେ, ଜଳ ଓ ସ୍ଥଳ ଉଭୟ ସୈନ୍ୟବାହିନୀର ସର୍ବମୋଟ ସଂଖ୍ୟା ୨୩,୧୭,୬୧୦ ଥିଲା।”
ଦାନିୟେଲ (ହିନ୍ଦୀ) ୨୧୪ ¶୮
ଦୁଇ ରାଜାଙ୍କ ମଧ୍ୟରେ ସଂଘର୍ଷ
ସେହି ସ୍ୱର୍ଗଦୂତ କହିଲେ: “ଏକ ବିକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହାକର୍ତ୍ତୃତ୍ୱରେ ଶାସନ କରିବ ଓ ସ୍ୱେଚ୍ଛାନୁସାରେ କର୍ମ କରିବ।” (ଦାନିୟେଲ ୧୧:୩) ଏହି ରାଜା ଆଲେକ୍ଜାଣ୍ଡାର ଥିଲା। ସେ ପ୍ରକୃତରେ “ଏକ ବିକ୍ରମୀ ରାଜା” ପ୍ରମାଣିତ ହେଲା, ତେଣୁ ସେ ଆଲେକ୍ଜାଣ୍ଡାର ମହାନ ରୂପେ ପରିଚିତ। ଖ୍ରୀ.ପୂ. ୩୩୬ରେ କୋଡ଼ିଏ ବର୍ଷ ବୟସର ଆଲେକ୍ଜାଣ୍ଡାର “ଉତ୍ପନ୍ନ” ହେଲା, ଅର୍ଥାତ୍ ସେ ମାସିଡୋନିଆ ନାମକ ଏକ ଛୋଟ ରାଜ୍ୟର ରାଜା ହେଲା। କିନ୍ତୁ, ଖୁବ୍ ଶୀଘ୍ର ସେ ନିଜ ପିତା ଫିଲିପ୍ ଦ୍ୱିତୀୟର ଯୋଜନା ମୁତାବକ ପାରସ୍ୟ ସାମ୍ରାଜ୍ୟର ମଧ୍ୟ-ପୂର୍ବ ଅଞ୍ଚଳରେ ଥିବା ପାରସ୍ୟର ରାଜ୍ୟଗୁଡ଼ିକୁ ଜୟ କଲା। ଏହାପରେ ସେ ଟାଇଗ୍ରିସ୍ ଓ ଇଉଫ୍ରେଟିସ୍ ନଦୀ ପାର ହୋଇ ଆଗକୁ ବଢ଼ିଲା। ଗୌଗମେଲାଠାରେ ତାʼର ୪୭,୦୦୦ ସୈନିକ ପାରସ୍ୟର ସମ୍ରାଟ ଦାରୀୟାବସ ତୃତୀୟର ୨,୫୦,୦୦୦ ସୈନ୍ୟଙ୍କୁ ଛିନ୍ନଭିନ୍ନ କରିଦେଲେ। ପରାଜିତ ଦାରୀୟାବସ ସେଠାରୁ ପଳାୟନ କଲା ଏବଂ ପରେ ତାକୁ ହତ୍ୟା କରାଗଲା। ତାʼର ମୃତ୍ୟୁ ପରେ ପାରସ୍ୟର ରାଜାମାନଙ୍କର ରାଜତ୍ୱ ସମାଯ୍ତ ହେଲା ଏବଂ ଗ୍ରୀକ୍ ସାମ୍ରାଜ୍ୟ ବିଶ୍ୱଶକ୍ତି ଭାବରେ ପରିଗଣିତ ହେଲା। ଆଲେକ୍ଜାଣ୍ଡାର ଏକ ବୃହତ୍ ସାମ୍ରାଜ୍ୟ ଉପରେ ଶାସନ କରିବାକୁ ଲାଗିଲା। ସେ ‘ମହାକର୍ତ୍ତୃତ୍ୱରେ ଶାସନ କଲା ଓ ସ୍ୱେଚ୍ଛାନୁସାରେ କର୍ମ କଲା।’
ଦାନିୟେଲ (ହିନ୍ଦୀ) ୨୧୫ ¶୧୧
ଦୁଇ ରାଜାଙ୍କ ମଧ୍ୟରେ ସଂଘର୍ଷ
ଆଲେକ୍ଜାଣ୍ଡାରର ମୃତ୍ୟୁ ପରେ ତାʼର ରାଜ୍ୟ “ଚାରି ଦିଗରେ ବିଭକ୍ତ” ହେଲା। ଗ୍ରୀକ୍ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଭାଗଗୁଡ଼ିକ ଉପରେ ନିଜ ନିଜ କ୍ଷମତା ବିସ୍ତାର କରିବା ପାଇଁ ଆଲେକ୍ଜାଣ୍ଡାରର ଅନେକ ସେନାପତିମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଲା। ଏଣ୍ଟିଗୋନସ୍ ପ୍ରଥମ ନାମକ ଜଣେ ସେନାପତି, ଯିଏ କେବଳ ଗୋଟିଏ ଆଖିରେ ଦେଖିପାରୁଥିଲା, ଆଲେକ୍ଜାଣ୍ଡାରର ସମଗ୍ର ସାମ୍ରାଜ୍ୟ ଉପରେ ଅଧିକାର କରିବାକୁ ଚେଷ୍ଟା କଲା। କିନ୍ତୁ, ସେ ଫ୍ରିଜିୟାର ଇପସସ୍ ନାମକ ନଗରରେ ଏକ ଯୁଦ୍ଧରେ ନିଜ ପ୍ରାଣ ହରାଇଲା। ଖ୍ରୀ.ପୂ. ୩୦୧ ବେଳକୁ ଦୂରଦୂରାନ୍ତରେ ବିସ୍ତୃତ ଆଲେକ୍ଜାଣ୍ଡାର ସାମ୍ରାଜ୍ୟ ଉପରେ ତାʼର ଚାରି ଜଣ ସେନାପତି ଅଧିକାର କରିନେଇଥିଲେ। ସେନାପତି କସାଣ୍ଡର୍ ମାସିଡୋନିଆ ଓ ଗ୍ରୀସ୍ ଅଧିକାର କଲା। ସେନାପତି ଲିସିମକସ୍ ଏସିଆ ମାଇନର୍ ଓ ଥ୍ରେସ୍ ଅଧିକାର କଲା। ସେଲ୍ୟୁକସ୍ ପ୍ରଥମ ନିକେଟୋର୍ ନାମକ ସେନାପତି ମେସୋପଟାମିଆ ଓ ସିରିଆ ଅଧିକାର କଲା। ଆଉ, ଟୋଲ୍ମୀ ଲାଗସ୍ ସମୟକ୍ରମେ ଇଜିପ୍ଟ ଓ ପାଲେଷ୍ଟାଇନ୍ ଅଧିକାର କଲା। ଠିକ୍ ଯେପରି ଭବିଷ୍ୟତବାଣୀରେ କୁହାଯାଇଥିଲା, ଆଲେକ୍ଜାଣ୍ଡାରର ବୃହତ୍ ସାମ୍ରାଜ୍ୟ ଚାରୋଟି ରାଜ୍ୟରେ ବିଭକ୍ତ ହେଲା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୩-ହି ୭/୧୫ ୧୩ ¶୧୬, ପାଦଟୀକା
‘ଆଉ ଦେଖ, ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି’
ଦାନିୟେଲ ୧୨:୩ ପଦ କହେ: ‘ଯେଉଁମାନେ ଜ୍ଞାନବାନ [ଅଭିଷିକ୍ତ ଖ୍ରୀଷ୍ଟିୟାନ], ସେମାନେ ଆକାଶର ଦୀଯ୍ତିର ତୁଲ୍ୟ ତେଜସ୍ୱୀ ହେବେ।’ ଯେପର୍ଯ୍ୟନ୍ତ ସେମାନେ ଏହି ପୃଥିବୀରେ ଅଛନ୍ତି, ପ୍ରଚାର କାମ କରିବା ଦ୍ୱାରା ସେମାନେ ସତେ ଯେପରି ଦୀଯ୍ତିର ତୁଲ୍ୟ ତେଜସ୍ୱୀ ହେଉଛନ୍ତି। କିନ୍ତୁ, ମାଥିଉ ୧୩:୪୩ ପଦରେ ସେସମୟ ବିଷୟରେ କୁହାଯାଇଛି, ଯେତେବେଳେ ସେମାନେ ଈଶ୍ୱରଙ୍କ ସ୍ୱର୍ଗୀୟ ରାଜ୍ୟରେ ତେଜୋମୟ ହେବେ। ପୂର୍ବରୁ ଆମର ଧାରଣା ଥିଲା ଯେ ଏହି ଉଭୟ ପଦ ପ୍ରଚାର କାମକୁ ସୂଚିତ କରେ।
ଦାନିୟେଲ (ହିନ୍ଦୀ) ୩୧୪-୩୧୫ ¶୧୮
ଯିହୋବା ଦାନିୟେଲଙ୍କୁ ଏକ ବିସ୍ମୟକର ପୁରସ୍କାର ଦେବା ପାଇଁ ପ୍ରତିଜ୍ଞା କରନ୍ତି
ଦାନିୟେଲ ବହି ଈଶ୍ୱରଙ୍କର ଏପରି ଏକ ସୁନ୍ଦର ପ୍ରତିଜ୍ଞାରେ ସମାଯ୍ତ ହୁଏ, ଯାହା ହୁଏତ ଈଶ୍ୱର କେବେ ଅନ୍ୟ କାହାରିକୁ ପ୍ରତିଜ୍ଞା କରି ନ ଥିଲେ। ଯିହୋବାଙ୍କ ସ୍ୱର୍ଗଦୂତ ଦାନିୟେଲଙ୍କୁ କହିଲେ: “ତୁମ୍ଭେ . . . କାଳର ଶେଷରେ ଆପଣା ଅଧିକାରରେ ଠିଆ ହେବ।” ସ୍ୱର୍ଗଦୂତଙ୍କ ଏପରି କହିବାର ଅର୍ଥ କʼଣ ଥିଲା? ସେ ଏପରି କହିବା ସମୟରେ ଏହା ମଧ୍ୟ କହିଥିଲେ ଯେ ଦାନିୟେଲ “ବିଶ୍ରାମ” ପାଇବେ, ଅର୍ଥାତ୍ ଦାନିୟେଲ ମୃତ୍ୟୁର ନିଦ୍ରାରେ ଶୋଇଥାʼନ୍ତେ। ତେବେ ଦାନିୟେଲ ‘ଠିଆ ହେବେ’ ବୋଲି ସ୍ୱର୍ଗଦୂତଙ୍କ ପ୍ରତିଜ୍ଞା କରିବାର ଗୋଟିଏ ହିଁ ଅର୍ଥ ହୋଇପାରେ ଯେ ଦାନିୟେଲ ପୁଣିଥରେ ଉଠିବେ ବା ତାଙ୍କର ପୁନରୁତ୍ଥାନ ହେବ! ଅନେକ ବିଦ୍ୱାନମାନେ କହନ୍ତି ଯେ ଏବ୍ରୀ ଶାସ୍ତ୍ରରେ ପ୍ରଥମ ଥର ପାଇଁ ପୁନରୁତ୍ଥାନ ବିଷୟରେ ସ୍ପଷ୍ଟ ଶବ୍ଦରେ ଦାନିୟେଲ ବହିର ୧୨ ଅଧ୍ୟାୟରେ ହିଁ ମିଳିଥାଏ। (ଦାନିୟେଲ ୧୨:୨) କିନ୍ତୁ ସେମାନଙ୍କ ଏପରି କହିବା ସଠିକ୍ ନୁହେଁ, କାରଣ ଦାନିୟେଲ ନିଜେ ପୁନରୁତ୍ଥାନର ଆଶା ବିଷୟରେ ପୂର୍ବରୁ ହିଁ ଜାଣିଥିଲେ।
ଅକ୍ଟୋବର ୧୬-୨୨
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ହୋଶେୟ ୧-୭
“ଯିହୋବା ବିଶ୍ୱସ୍ତ ପ୍ରେମ ଦେଖି ଖୁସି ହୁଅନ୍ତି—ଆପଣଙ୍କ ବିଷୟରେ କʼଣ?”
ପ୍ର୧୦-ହି ୮/୧୫ ୨୫ ¶୧୮
ନିଜ କଥାବାର୍ତ୍ତାରେ ବିଶ୍ୱସ୍ତ ପ୍ରେମ ଦେଖାନ୍ତୁ
ଭାଇଭଉଣୀମାନଙ୍କ ସହିତ ଆମ ବ୍ୟବହାରରେ ସବୁବେଳେ ପ୍ରକୃତ ପ୍ରେମ ଦେଖାଯିବା ଉଚିତ୍। ପରିସ୍ଥିତି ଯାହା ମଧ୍ୟ ହେଉନା କାହିଁକି, ବିଶ୍ୱସ୍ତ ପ୍ରେମ ଆମ କଥାବାର୍ତ୍ତାରେ ସବୁବେଳେ ଦେଖାଯିବା ଉଚିତ୍। ଯେତେବେଳେ ଇସ୍ରାଏଲୀୟମାନଙ୍କର ବିଶ୍ୱସ୍ତ ପ୍ରେମ “ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ” ଉଭେଇ ଗଲା, ଏହା ଦେଖି ଯିହୋବା ଅତି ଦୁଃଖିତ ହେଲେ। (ହୋଶେ. ୬:୪, ୬) ଅନ୍ୟପକ୍ଷରେ, ଯଦି ବିଶ୍ୱସ୍ତ ପ୍ରେମ ଦେଖାଇବା ଆମ ଜୀବନର ଏକ ଭାଗ ହୋଇଯାଏ, ତେବେ ଏହା ଦେଖି ଯିହୋବା ଅତି ଆନନ୍ଦିତ ହୋଇଥାʼନ୍ତି। ଧ୍ୟାନ ଦିଅନ୍ତୁ ଯେ ଯେଉଁ ଲୋକମାନେ ଏପରି କରନ୍ତି, ସେମାନଙ୍କୁ ଯିହୋବା କିଭଳି ଅସୀମ ଆଶିଷ ଦେଇଥାʼନ୍ତି।
ପ୍ର୦୭-ହି ୧୦/୧ ୪ ¶୧୩
ହୋଶେୟ ବହିର ମୁଖ୍ୟାଂଶ
୬:୬. ଯଦି ଜଣେ ବ୍ୟକ୍ତି ନିୟମିତ ପାପ କରେ, ତେବେ ଏହା ଦେଖାଏ ଯେ ତାʼ ହୃଦୟରେ ଈଶ୍ୱରଙ୍କ ପାଇଁ ବିଶ୍ୱସ୍ତ ପ୍ରେମ ନାହିଁ। ସେ ଯେତେ ମଧ୍ୟ ଆଧ୍ୟାତ୍ମିକ ବଳିଦାନ ଦେଉ ନା କାହିଁକି, ଏହାଦ୍ୱାରା ସେ ଏହି ଅଭାବକୁ ପୂରଣ କରିପାରିବ ନାହିଁ।
ପ୍ର୦୭-ହି ୭/୧ ୨୦ ¶୭
ଆପଣଙ୍କ ଆଜ୍ଞାକାରୀ ହେବା ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ
ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ଯିହୋବା ପ୍ରାଚୀନ କାଳରେ ନିଜ ଲୋକମାନଙ୍କୁ କʼଣ କହିଥିଲେ। ସେ କହିଥିଲେ ଯେ ଆଜ୍ଞା ପାଳନ କରିବା ପଶୁବଳିଠାରୁ ଅଧିକ ଜରୁରୀ। (ହିତୋପଦେଶ ୨୧:୩, ୨୭; ହୋଶେୟ ୬:୬; ମାଥିଉ ୧୨:୭) ଯିହୋବା ଏପରି କାହିଁକି କହିଲେ? କʼଣ ସେ ନିଜେ ଲୋକଙ୍କୁ ପଶୁବଳି ଉତ୍ସର୍ଗ କରିବାର ଆଜ୍ଞା ଦେଇ ନ ଥିଲେ? ଟିକେ ଭାବି ଦେଖନ୍ତୁ, ଜଣେ ବ୍ୟକ୍ତି କେଉଁ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ? ଯିହୋବାଙ୍କୁ ଖୁସି କରିବା ପାଇଁ, ନା କେବଳ କିଛି ପ୍ରଥାକୁ ମାନିବା ପାଇଁ? ଯଦି ଜଣେ ଉପାସକ ଈଶ୍ୱରଙ୍କୁ ପ୍ରକୃତରେ ଖୁସି କରିବାକୁ ଚାହେଁ, ତେବେ ସେ ଈଶ୍ୱରଙ୍କ ସମସ୍ତ ଆଜ୍ଞା ପାଳନ କରିବ। ପ୍ରକୃତରେ କହିବାକୁ ଗଲେ, ଈଶ୍ୱରଙ୍କୁ ପଶୁବଳିର ଆବଶ୍ୟକତା ନାହିଁ। କିନ୍ତୁ, ଯେତେବେଳେ ଆମେ ତାହାଙ୍କ ଆଜ୍ଞା ପାଳନ କରୁ, ଆମେ ତାହାଙ୍କୁ ପଶୁବଳିଠାରୁ ମଧ୍ୟ ଅଧିକ ବହୁମୂଲ୍ୟ ବଳି ଉତ୍ସର୍ଗ କରିଥାଉ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୦/୧ ୩ ¶୭
ହୋଶେୟ ବହିର ମୁଖ୍ୟାଂଶ
୧:୭—କେବେ ଯିହୁଦା-ବଂଶ ପ୍ରତି ଦୟା କରାଗଲା ଏବଂ ସେମାନଙ୍କୁ ଉଦ୍ଧାର କରାଗଲା? ଏହି ଭବିଷ୍ୟତବାଣୀ ଖ୍ରୀ.ପୂ. ୭୩୨ରେ ରାଜା ହିଜକୀୟଙ୍କ ଶାସନ କାଳରେ ପୂରଣ ହେଲା। ସେସମୟରେ ଯିରୂଶାଲମ ଉପରେ ଅଶୂରୀୟମାନଙ୍କ ଆକ୍ରମଣର ଆଶଙ୍କା ଥିଲା। ଯିହୋବା ଏକ ସ୍ୱର୍ଗଦୂତଙ୍କୁ ପଠାଇଲେ, ଯିଏ ମାତ୍ର ଗୋଟିଏ ରାତିରେ ୧,୮୫,୦୦୦ ଅଶୂରୀୟମାନଙ୍କୁ ମାରିଦେଲେ। (୨ ରାଜାବଳୀ ୧୯:୩୪, ୩୫) ଏହିପରି ଭାବରେ ଯିହୋବା “ଧନୁ କି ଖଡ଼୍ଗ କି ଯୁଦ୍ଧ କି ଅଶ୍ୱଗଣ କିଅବା ଅଶ୍ୱାରୋହୀଗଣ ଦ୍ୱାରା” ନୁହଁ, ବରଂ ଜଣେ ସ୍ୱର୍ଗଦୂତଙ୍କ ଜରିଆରେ ଯିହୁଦାକୁ ଉଦ୍ଧାର କଲେ।
ପ୍ର୦୫-ହି ୧୧/୧୫ ୨୦ ¶୧୬
ହୋଶେୟଙ୍କ ଭବିଷ୍ୟତବାଣୀ ଆମକୁ ଈଶ୍ୱରଙ୍କ ସହିତ ଚାଲିବା ପାଇଁ ସାହାଯ୍ୟ କରେ
ଈଶ୍ୱର ତାହାଙ୍କ ଏହି ପ୍ରତିଜ୍ଞା ମଧ୍ୟ ପୂରଣ କଲେ: “ଆମ୍ଭେ ସେମାନଙ୍କ ନିମନ୍ତେ କ୍ଷେତ୍ରସ୍ଥ ପଶୁ ଓ ଆକାଶସ୍ଥ ପକ୍ଷୀ ଓ ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ସହିତ ନିୟମ କରିବା ଓ ଆମ୍ଭେ ଦେଶରୁ ଧନୁ, ଖଡ଼୍ଗ ଓ ଯୁଦ୍ଧ ଉଚ୍ଛିନ୍ନ କରିବା, ଆଉ ସେମାନଙ୍କୁ ନିରାପଦରେ ଶୟନ କରାଇବା।” (ହୋଶେୟ ୨:୧୮) ବାବିଲରୁ ଯେଉଁ ଅବଶିଷ୍ଟ ଯିହୁଦୀମାନେ ନିଜ ଦେଶକୁ ଫେରିଲେ, ସେମାନେ ସେଠାରେ ନିର୍ଭୟରେ ବାସ କଲେ। ସେମାନଙ୍କୁ ହିଂସ୍ର ଜନ୍ତୁଙ୍କର କୌଣସି ଭୟ ନ ଥିଲା। ଏହି ଭବିଷ୍ୟତବାଣୀ ପୁଣିଥରେ ୧୯୧୯ ଖ୍ରୀଷ୍ଟାବ୍ଦରେ ପୂରଣ ହେଲା, ଯେତେବେଳେ ଆତ୍ମିକ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ “ମହାନଗରୀ ବାବିଲ” ଅର୍ଥାତ୍ ମିଥ୍ୟା ଧର୍ମର ସାମ୍ରାଜ୍ୟରୁ ମୁକ୍ତ କରାଗଲା। ବର୍ତ୍ତମାନ ସେମାନେ ଆଧ୍ୟାତ୍ମିକ ପାରଦୀଶରେ ନିଜର ଏପରି ସାଥୀମାନଙ୍କ ସହିତ ନିର୍ଭୟ ଓ ଆନନ୍ଦରେ ରହୁଛନ୍ତି, ଯେଉଁମାନଙ୍କଠାରେ ନୂତନ ପୃଥିବୀରେ ସର୍ବଦା ଜୀବିତ ରହିବାର ଆଶା ରହିଛି। ଏହି ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କଠାରେ ଜୀବଜନ୍ତୁଙ୍କ ଭଳି ହିଂସ୍ର ସ୍ୱଭାବ ନାହିଁ।—ପ୍ରକାଶିତ ବାକ୍ୟ ୧୪:୮; ଯିଶାଇୟ ୧୧:୬-୯; ଗାଲାତୀୟ ୬:୧୬.
ସଜା୦୫-ଇଂ ୯/୮ ୧୨ ¶୨
ଯେତେବେଳେ ସମଗ୍ର ପୃଥିବୀରେ ଶାନ୍ତି ଓ ଏକତା ରହିବ
ସେସମୟରେ ପୃଥିବୀରେ ଏକ ନୂଆ ପ୍ରକାରର ଶାନ୍ତି ଓ ଏକତା ବଜାୟ ରହିବ। ସେତେବେଳେ ଈଶ୍ୱର ବିଶ୍ୱସ୍ତ ଲୋକମାନଙ୍କୁ ଶିଖାଇବେ ଯେ ସେମାନେ ନିଜର ଘର ଅର୍ଥାତ୍ ଏହି ପୃଥିବୀର କିପରି ଭଲ ଭାବରେ ଯତ୍ନ ନେଇପାରିବେ। ଏପରିକି ସେ ହିଂସ୍ର ଜନ୍ତୁଙ୍କ ସହିତ ‘ନିୟମ କରିବେ,’ ଯାହାଫଳରେ ସେମାନେ ଲୋକମାନଙ୍କ ଅଧୀନରେ ରହିବେ ଏବଂ ଶାନ୍ତି ବଜାୟ ରଖିବେ।—ହୋଶେୟ ୨:୧୮; ଆଦି ପୁସ୍ତକ ୧:୨୬-୨୮; ଯିଶାଇୟ ୧୧:୬-୮.
୨୩-୨୯ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ହୋଶେୟ ୮-୧୪
“ଯିହୋବାଙ୍କୁ ଆପଣଙ୍କର ସବୁଠାରୁ ଉତ୍ତମ ଉପହାର ଉତ୍ସର୍ଗ କରନ୍ତୁ”
ପ୍ର୦୭-ଇଂ ୪/୧ ୨୦ ¶୨
ଏପରି ବଳି ଉତ୍ସର୍ଗ କରନ୍ତୁ, ଯେଉଁଥିରେ ଈଶ୍ୱର ଖୁସି ହୁଅନ୍ତି
ଏହା ଛଡ଼ା, ବାଇବଲ କହେ ଯେ ଯିହୋବାଙ୍କର ପ୍ରଶଂସା କରିବା ମଧ୍ୟ ତାହାଙ୍କୁ ବଳିଦାନ ଚଢ଼ାଇବା ସହିତ ସମାନ। ଭବିଷ୍ୟଦ୍ବକ୍ତା ହୋଶେୟ “ଓଷ୍ଠାଧରର ଉପହାର” ଅର୍ଥାତ୍ ଆମ ମୁଖରୁ ବାହାରୁଥିବା ପ୍ରଶଂସାକୁ “ବୃଷ” ବଳି ସହିତ ତୁଳନା କରିଥିଲେ। (ହୋଶେୟ ୧୪:୨) ଏଥିରୁ ଜଣାପଡ଼େ ଯେ ଯେତେବେଳେ ଆମେ ଈଶ୍ୱରଙ୍କ ପ୍ରଶଂସା କରୁ, ସେ ଏହାକୁ ଏକ ପ୍ରକାର ଉତ୍କୃଷ୍ଟ ବଳିଦାନ ମନେ କରିଥାʼନ୍ତି। ପ୍ରେରିତ ପାଉଲ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ “ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାରୂପ ବଳି, ଅର୍ଥାତ୍ ତାହାଙ୍କ ନାମ ସ୍ୱୀକାରକାରୀ ଓଷ୍ଠାଧରର ଫଳ ନିତ୍ୟ ଉତ୍ସର୍ଗ” କରନ୍ତୁ। (ଏବ୍ରୀ ୧୩:୧୫) ଆଜି ସାରା ପୃଥିବୀରେ ଯିହୋବାଙ୍କ ସାକ୍ଷୀମାନେ ସୁସମାଚାର ପ୍ରଚାର କରିବା ଏବଂ ସବୁ ରାଷ୍ଟ୍ରର ଲୋକମାନଙ୍କୁ ଶିଷ୍ୟ କରିବାର କାମରେ ପ୍ରାଣପଣେ ଉଦ୍ୟମ କରୁଛନ୍ତି। (ମାଥିଉ ୨୪:୧୪; ୨୮:୧୯, ୨୦) ସେମାନେ ଦିନରାତି ଈଶ୍ୱରଙ୍କ ପ୍ରଶଂସାର ବଳି ଉତ୍ସର୍ଗ କରିଥାʼନ୍ତି।—ପ୍ରକାଶିତ ବାକ୍ୟ ୭:୧୫.
ପ୍ର୧୧-ହି ୨/୧୫ ୧୬ ¶୧୫
ଯଦି ଆମେ ଈଶ୍ୱରଙ୍କ ମଞ୍ଜୁରି ପାଇବା, ଆମକୁ ଅନନ୍ତ ଜୀବନ ମିଳିବ
ଇସ୍ରାଏଲୀୟମାନେ ଯିହୋବାଙ୍କୁ ଯେଉଁସବୁ ପଶୁଗୁଡ଼ିକର ବଳି ଚଢ଼ାଉଥିଲେ, ସେମଧ୍ୟରୁ ବଳଦ ସବୁଠାରୁ ଦାମୀ ଥିଲା। ତେଣୁ “ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ” କରିବାର ଅର୍ଥ ଥିଲା, ବୁଝିବିଚାରି ଓ ହୃଦୟରୁ ଶବ୍ଦଗୁଡ଼ିକର ବ୍ୟବହାର କରି ସତ୍ୟ ଈଶ୍ୱରଙ୍କର ମହିମା କରିବା। ଏପରି ବଳି ଉତ୍ସର୍ଗ କରୁଥିବା ଲୋକମାନଙ୍କ ବିଷୟରେ ଯିହୋବା କʼଣ କହିଲେ? ସେ କହିଲେ, “ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା।” (ହୋଶେୟ ୧୪:୪) ଯିହୋବା ଏପରି ଲୋକମାନଙ୍କୁ କ୍ଷମା କଲେ, ମଞ୍ଜୁରି ଦେଲେ ଏବଂ ସେମାନଙ୍କୁ ନିଜ ମିତ୍ର ମନେ କଲେ।
ଯିହୋବାଙ୍କ ଦିନ (ଇଂରାଜୀ) ୮୭ ¶୧୧
ଯିହୋବାଙ୍କ ଉଚ୍ଚ ସ୍ତର ଅନୁସାରେ ତାହାଙ୍କର ସେବା କରନ୍ତୁ
ହୋଶେୟ ୧୪:୯ ପଦରେ ଏହା ମଧ୍ୟ କୁହାଯାଇଛି ଯେ ଯିହୋବାଙ୍କର ସରଳ ପଥରେ ଚାଲିବା ଦ୍ୱାରା କʼଣ କʼଣ ଲାଭ ହୋଇଥାଏ। ଯେତେବେଳେ ଆମେ ଯିହୋବାଙ୍କ ଇଚ୍ଛା ଅନୁଯାୟୀ ଜୀବନଯାପନ କରୁ, ଆମକୁ ଏହାର ଅନେକ ଲାଭ ଓ ଆଶିଷ ମିଳିଥାଏ। ସୃଷ୍ଟିକର୍ତ୍ତା ହୋଇଥିବାରୁ ସେ ଆମକୁ ଭଲ ଭାବେ ଜାଣନ୍ତି। ସେ ଆମଠାରୁ ଯାହା ଆଶା କରନ୍ତି, ସେଥିରେ ଆମର ହିଁ ମଙ୍ଗଳ ହୋଇଥାଏ। ମଣିଷ ଓ ଈଶ୍ୱର ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ତାକୁ ଆମେ ଏକ କାର୍ ଓ ଏହାର ନିର୍ମାତା ସହିତ ତୁଳନା କରିପାରିବା। ନିର୍ମାତା ଭଲ ଭାବେ ଜାଣେ ଯେ କାର୍ଟିକୁ କିପରି ତିଆରି କରାଯାଇଛି ଏବଂ କେତେ କେତେ ବ୍ୟବଧାନରେ କାର୍ର ଇଞ୍ଜିନ୍ ତେଲ ବଦଳାଇବା ଉଚିତ୍। ଭାବି ଦେଖନ୍ତୁ, ଯଦି ଆପଣ ଏହି ପରାମର୍ଶକୁ ଅବହେଳା କରନ୍ତି ଏବଂ କାର୍ଟି ଭଲ ଚାଲୁଛି ଭାବି ତେଲ ବଦଳାନ୍ତି ନାହିଁ, ତେବେ କʼଣ ହୋଇପାରେ? ଇଞ୍ଜିନ୍ ହୁଏତ ଶୀଘ୍ର ଖରାପ ହୋଇଯାଇପାରେ ଏବଂ କାର୍ ଆଉ ଚାଲି ନ ପାରେ। ଆମ ମଣିଷମାନଙ୍କର ମଧ୍ୟ ଠିକ୍ ଏହା ହିଁ ହୋଇଥାଏ। ଆମ ସୃଷ୍ଟିକର୍ତ୍ତା ଆମକୁ କିଛି ଆଜ୍ଞା ଦେଇଛନ୍ତି। ଯଦି ଆମେ ସେଗୁଡ଼ିକୁ ପାଳନ କରିବା, ତେବେ ଆମର ହିଁ ଉପକାର ବା ମଙ୍ଗଳ ହେବ। (ଯିଶାଇୟ ୪୮:୧୭, ୧୮) ଏହି ସତ୍ୟତାକୁ ହୃଦୟଙ୍ଗମ କରିବା ଦ୍ୱାରା ଯିହୋବାଙ୍କ ସ୍ତର ଅନୁସାରେ ଚାଲିବା ଏବଂ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ଆମର ଇଚ୍ଛା ଆହୁରି ଦୃଢ଼ ହେବ।—ଗୀତସଂହିତା ୧୧୨:୧.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୫-ହି ୧୧/୧୫ ୨୮ ¶୭
‘ଯିହୋବାଙ୍କର ପଥସକଳ ସରଳ’
ଯଦି ଆମେ ସଚ୍ଚୋଟତାର ସହିତ ଯିହୋବାଙ୍କ ଉପାସନା କରିବା ଏବଂ ଆମ ଉପାସନାରେ କୌଣସି କପଟତା ନ ଥିବ, ତେବେ ଈଶ୍ୱରଙ୍କ ଦୟା ବା ତାହାଙ୍କ ବିଶ୍ୱସ୍ତ ପ୍ରେମ ଆମେ ନିଜ ଜୀବନରେ ଅନୁଭବ କରିବା। ବିପଥଗାମୀ ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା: “ତୁମ୍ଭେମାନେ ଆପଣାମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ; ଆପଣାମାନଙ୍କର ପଡ଼ିଆ-ଭୂମି ଭାଙ୍ଗ; କାରଣ ଯେପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେପର୍ଯ୍ୟନ୍ତ ତାହାଙ୍କର ଅନ୍ୱେଷଣ କରିବାର ସମୟ ଅଛି।”—ହୋଶେୟ ୧୦:୧୨.
ପ୍ର୧୧-ହି ୮/୧୫ ୧୦ ¶୧୦
ସେମାନେ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷା କଲେ
ଇସ୍ରାଏଲୀୟମାନଙ୍କ ଭଳି ଖ୍ରୀଷ୍ଟଙ୍କୁ ମଧ୍ୟ ମିସରରୁ ଡକାଯିବ। (ହୋଶେ. ୧୧:୧) ହେରୋଦ ଶିଶୁମାନଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେବା ପୂର୍ବରୁ ଜଣେ ସ୍ୱର୍ଗଦୂତ ଯୋଷେଫଙ୍କୁ କହିଲେ ଯେ ସେ ମରୀୟମ ଓ ଯୀଶୁଙ୍କୁ ନେଇ ମିସରକୁ ଚାଲିଯାଉ। ସେମାନେ “ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ [ହୋଶେୟ] ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିସରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ।” (ମାଥି. ୨:୧୩-୧୫) ନିଜର ଜନ୍ମ ଓ ବାଲ୍ୟକାଳ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀ ଉପରେ ଯୀଶୁଙ୍କର ନିଶ୍ଚିତ ଭାବେ କୌଣସି ନିୟନ୍ତ୍ରଣ ନ ଥିଲା।
ଅକ୍ଟୋବର ୩୦–ନଭେମ୍ବର ୫
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋୟେଲ ୧-୩
“ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ”
ପ୍ର୦୨-ହି ୮/୧ ୧୫ ¶୪-୫
“ଈଶ୍ୱରଙ୍କ ମହତ୍ ମହତ୍ କର୍ମ” ବିଷୟରେ ଶୁଣି ସେମାନେ ଉତ୍ସାହରେ ଭରିଗଲେ
ପବିତ୍ର ଆତ୍ମା ପାଇବା ପରେ ଯିରୂଶାଲମରେ ଯୀଶୁଙ୍କର ଶିଷ୍ୟମାନେ ବିଳମ୍ବ ନ କରି ଅନ୍ୟମାନଙ୍କୁ ଉଦ୍ଧାରର ସୁସମାଚାର ଶୁଣାଇଲେ ଏବଂ ଏହା ସେମାନେ ସେହି ସକାଳେ ଏକତ୍ର ହୋଇଥିବା ଭିଡ଼ରୁ ହିଁ ଆରମ୍ଭ କରିଥିଲେ। ସେମାନଙ୍କ ପ୍ରଚାର କାମ ଦ୍ୱାରା ଏକ ବିଶେଷ ଭବିଷ୍ୟତବାଣୀ ପୂରଣ ହେଲା, ଯାହା ସେହି ଘଟଣାର ଆଠ ଶହ ବର୍ଷ ପୂର୍ବେ ପଥୂୟେଲଙ୍କର ପୁତ୍ର ଯୋୟେଲ ଲେଖିଥିଲେ: “ସଦାପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନର ପୂର୍ବେ,” “ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ; ଆଉ, ସେସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା।”—ଯୋୟେଲ ୧:୧; ୨:୨୮, ୨୯, ୩୧; ପ୍ରେରିତ ୨:୧୭, ୧୮, ୨୦.
କʼଣ ଏହାର ଅର୍ଥ ଥିଲା ଯେ ଯିହୋବା ଈଶ୍ୱର ଦାଉଦ, ଯୋୟେଲ ଓ ଦବୋରାଙ୍କ ଭଳି ଭବିଷ୍ୟତବାଣୀ କରୁଥିବା ସ୍ତ୍ରୀ-ପୁରୁଷମାନଙ୍କର ଏକ ସମ୍ପୂର୍ଣ୍ଣ ପିଢ଼ି ପ୍ରସ୍ତୁତ କରନ୍ତେ ଏବଂ ସେମାନଙ୍କ ଜରିଆରେ ଆଗାମୀ ଘଟଣାଗୁଡ଼ିକର ଭବିଷ୍ୟତବାଣୀ କରାଇଥାʼନ୍ତେ? ଆଦୌ ନୁହଁ। ଖ୍ରୀଷ୍ଟିୟାନ ‘ପୁତ୍ରକନ୍ୟାଗଣ ଓ ଦାସଦାସୀଗଣ’ ଭବିଷ୍ୟତବାଣୀ କରିବାର ଅର୍ଥ ଥିଲା ଯେ ସେମାନେ ଯିହୋବାଙ୍କ ଆତ୍ମା ଦ୍ୱାରା ପ୍ରେରିତ ହୋଇଥାʼନ୍ତେ ଏବଂ ଯିହୋବା ସେପର୍ଯ୍ୟନ୍ତ କରିଥିବା ଓ ଆଗକୁ ମଧ୍ୟ କରିବାକୁ ଯାଉଥିବା ‘ମହତ୍ ମହତ୍ କର୍ମଗୁଡ଼ିକର’ ଘୋଷଣା କରିବା ପାଇଁ ପ୍ରୋତ୍ସାହନ ପାଇଥାʼନ୍ତେ। ଏହିପରି ଭାବେ ସେମାନେ ସର୍ବୋପରିସ୍ଥ ଈଶ୍ୱରଙ୍କର ତରଫରୁ କହୁଥିବା ପ୍ରତିନିଧି ଭାବେ କାମ କରିଥାʼନ୍ତେ। କିନ୍ତୁ, ସେଠାରେ ଉପସ୍ଥିତ ଥିବା ଭିଡ଼ କିପରି ପ୍ରତିକ୍ରିୟା ଦେଖାଇଲା?—ଏବ୍ରୀ ୧:୧, ୨.
ଯିହୋବାଙ୍କ ଦିନ (ଇଂରାଜୀ) ୧୬୭ ¶୪
“ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର”
ଏକ ଭିନ୍ନ ଦୃଷ୍ଟିକୋଣରୁ ଏକଥାକୁ ବିଚାର କରନ୍ତୁ। ଯିହୋବା ଈଶ୍ୱର ଭବିଷ୍ୟଦ୍ବକ୍ତା ଯୋୟେଲଙ୍କୁ ଏପରି ଏକ ସମୟ ବିଷୟରେ କହିଲେ, ଯେତେବେଳେ ସମସ୍ତ ପ୍ରକାର ଲୋକମାନେ ଭବିଷ୍ୟତବାଣୀ କରିଥାʼନ୍ତେ। ଏବିଷୟରେ ସେ କହିଲେ: “ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା; ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍ବାକ୍ୟ ପ୍ରଚାର କରିବେ, ତୁମ୍ଭମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ, ତୁମ୍ଭମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ।” (ଯୋୟେଲ ୨:୨୮-୩୨) ଏହି ପଦଗୁଡ଼ିକୁ ପ୍ରେରିତ ପିତର ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନରେ ଏକ ଘରର ଉପର କୋଠରିରେ ହୋଇଥିବା ଘଟଣା ଉପରେ ଲାଗୁ କଲେ। ସେଠାରେ ଯେଉଁ ଲୋକମାନେ ଏକତ୍ରିତ ହୋଇଥିଲେ, ସେମାନଙ୍କ ଉପରେ ପବିତ୍ର ଆତ୍ମା ଢାଳି ଦିଆଗଲା ଏବଂ ତାʼପରେ ସେମାନେ “ଈଶ୍ୱରଙ୍କ ମହତ୍ ମହତ୍ କର୍ମର” ପ୍ରଚାର କରିବାକୁ ଲାଗିଲେ। (ପ୍ରେରିତ ୧:୧୨-୧୪; ୨:୧-୪, ୧୧, ୧୪-୨୧) ବର୍ତ୍ତମାନ ଆମ ସମୟ ବିଷୟରେ ଭାବି ଦେଖନ୍ତୁ। ଯୋୟେଲଙ୍କ ଭବିଷ୍ୟତବାଣୀର ବଡ଼ ଧରଣର ପୂର୍ତ୍ତି ବିଂଶ ଶତାବ୍ଦୀର ଆରମ୍ଭରୁ ହିଁ ହେବାକୁ ଲାଗିଲା। ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ଯୁବକଯୁବତୀ ହୁଅନ୍ତୁ ଅବା ବୃଦ୍ଧବୃଦ୍ଧା, ପବିତ୍ର ଆତ୍ମା ଦ୍ୱାରା ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସମସ୍ତେ “ଭବିଷ୍ୟଦ୍ବାକ୍ୟ” ପ୍ରଚାର କରିବାକୁ ଲାଗିଲେ, ଅର୍ଥାତ୍ “ଈଶ୍ୱରଙ୍କ ମହତ୍ ମହତ୍ କର୍ମର” ପ୍ରଚାର କରିବାକୁ ଲାଗିଲେ। ଏହି କାମରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଶୁଣାଇବା ମଧ୍ୟ ସାମିଲ୍ ରହିଛି, ଯେଉଁ ରାଜ୍ୟ ବର୍ତ୍ତମାନ ସ୍ୱର୍ଗରେ ଆରମ୍ଭ ହୋଇଯାଇଛି।
ପ୍ର୦୭-ହି ୧୦/୧ ୬ ¶୬
ଯୋୟେଲ ଓ ଆମୋଷ ବହିର ମୁଖ୍ୟାଂଶ
୨:୩୨—‘ଯିହୋବାଙ୍କ ନାମରେ ପ୍ରାର୍ଥନା କରିବାର’ ଅର୍ଥ କʼଣ? ଈଶ୍ୱରଙ୍କ ନାମରେ ପ୍ରାର୍ଥନା କରିବାର ଅର୍ଥ ହେଉଛି— ତାହାଙ୍କ ନାମ ଜାଣିବା, ତାହାଙ୍କ ନାମର ଆଦର କରିବା ଏବଂ ଯିଏ ଏହି ନାମ ଧାରଣ କରନ୍ତି, ତାହାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିବା।—ରୋମୀୟ ୧୦:୧୩, ୧୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୭-ହି ୧୦/୧ ୬ ¶୯
ଯୋୟେଲ ଓ ଆମୋଷ ବହିର ମୁଖ୍ୟାଂଶ
୨:୧୨, ୧୩. ଯେଉଁ ଅନୁତାପ ହୃଦୟର ସହିତ କରାଯାଏ, ତାକୁ ପ୍ରକୃତ ଅନୁତାପ କୁହାଯାଏ। ଏଥିରେ ‘ଆପଣା ବସ୍ତ୍ର ଚିରିବା’ ନୁହଁ, ବରଂ ‘ଆପଣା ଅନ୍ତଃକରଣ ଚିରିବା’ ସାମିଲ୍ ରହିଛି।
ପ୍ର୦୭-ହି ୧୦/୧ ୬ ¶୭
ଯୋୟେଲ ଓ ଆମୋଷ ବହିର ମୁଖ୍ୟାଂଶ
୩:୧୪—“ଦଣ୍ଡାଜ୍ଞାର ଉପତ୍ୟକା” କʼଣ? ଏହା ଏକ ଲାକ୍ଷଣିକ ଜାଗା, ଯେଉଁଠାରେ ଈଶ୍ୱର ନିଜ ଶତ୍ରୁମାନଙ୍କୁ ଦଣ୍ଡ ଦେବେ। ଯିହୁଦାର ରାଜା ଯିହୋଶାଫଟଙ୍କ (ଯାହାର ନାମର ଅର୍ଥ “ସଦାପ୍ରଭୁଙ୍କ ବିଚାର”) ସମୟରେ ଯିହୁଦା ନଗର ଉପରେ ଆଖପାଖରେ ଥିବା ଜାତିଗୁଡ଼ିକଠାରୁ ଆକ୍ରମଣର ଆଶଙ୍କା ଥିଲା। ଈଶ୍ୱର ଯିହୁଦାକୁ ସେହି ଜାତିଗୁଡ଼ିକଠାରୁ ରକ୍ଷା କରିବା ପାଇଁ ସେମାନଙ୍କ ସୈନ୍ୟବାହିନୀ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିଦେଲେ। ଏଥିପାଇଁ ଏହି ଉପତ୍ୟକାକୁ “ଯିହୋଶାଫଟ ଉପତ୍ୟକା” ମଧ୍ୟ କୁହାଯାଏ। (ଯୋୟେଲ ୩:୨, ୧୨) ଆମ ସମୟରେ ଏହି ଉପତ୍ୟକା ଏପରି ଏକ ଲାକ୍ଷଣିକ ଜାଗାକୁ ସୂଚିତ କରେ, ଯେଉଁଠାରେ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଳି ଦିଆଯିବ, ଯେପରି ଦ୍ରାକ୍ଷାକୁଣ୍ଡରେ ଅଙ୍ଗୁର ଦଳାଯାଏ।—ପ୍ରକାଶିତ ବାକ୍ୟ ୧୯:୧୫.