ଜାନୁୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୧-୭ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧-୩
“ସ୍ୱର୍ଗରାଜ୍ୟ ସନ୍ନିକଟ”
ଅଧ୍ୟୟନ ବାଇବଲ—ମାଥି ୩:୧, ୨ ଅଧ୍ୟୟନ ତଥ୍ୟ
ଘୋଷଣା କରିବା: ଏହାର ଗ୍ରୀକ୍ ଶବ୍ଦର ମୂଳ ଅର୍ଥ ହେଉଛି, “ଲୋକମାନଙ୍କୁ ସର୍ବସାଧାରଣରେ ବାର୍ତ୍ତା ଶୁଣାଇବା।” ଏଥିରୁ ବାର୍ତ୍ତା ଶୁଣାଇବାର ପଦ୍ଧତି ବିଷୟରେ ଜଣାପଡ଼େ ଏବଂ ତାହା ହେଉଛି, ସର୍ବସାଧାରଣରେ ସବୁ ଲୋକଙ୍କୁ ବାର୍ତ୍ତା ଶୁଣାଇବା, ଏକ ସମୂହକୁ ଉପଦେଶ ଦେବା ନୁହଁ।
ରାଜ୍ୟ: ଗ୍ରୀକ୍ ଶବ୍ଦ ବାସିଲୀଆ ପ୍ରଥମ ଥର ପାଇଁ ଏହି ପଦରେ ମିଳେ। ଏହାର ଅର୍ଥ କେବଳ ଏକ ରାଜ୍ୟ ନୁହଁ, ବରଂ ଏଥିରେ ଜଣେ ରାଜାର ଶାସନ କ୍ଷେତ୍ର ଓ ତାʼର ପ୍ରଜାମାନେ ମଧ୍ୟ ସାମିଲ୍ ଅଛନ୍ତି। ବାସିଲୀଆ ଶବ୍ଦ ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ ୧୬୨ ଥର ଆସେ। ସେମଧ୍ୟରୁ ୫୫ ଥର ମାଥିଉ ବହିରେ ମିଳେ ଏବଂ ଅଧିକାଂଶ ପଦରେ ଏହା ଈଶ୍ୱରଙ୍କ ସ୍ୱର୍ଗୀୟ ରାଜ୍ୟ ପାଇଁ ବ୍ୟବହୃତ ହୋଇଛି। ମାଥିଉ “ରାଜ୍ୟ” ଶବ୍ଦକୁ ଏତେ ଥର ବ୍ୟବହାର କଲେ ଯେ ତାଙ୍କ ବହିକୁ ରାଜ୍ୟର ସୁସମାଚାର ବହି ବୋଲି କୁହାଯାଇପାରେ।
ସ୍ୱର୍ଗରାଜ୍ୟ: ଏହାର ଗ୍ରୀକ୍ ଶବ୍ଦ ପ୍ରାୟ ୩୦ ଥର ମିଳେ ଏବଂ ତାହା ମଧ୍ୟ କେବଳ ମାଥିଉ ବହିରେ। ଏହି ଶବ୍ଦ ଅନ୍ୟ ସୁସମାଚାର ବହିଗୁଡ଼ିକରେ ମିଳେ ନାହିଁ। ଯେଉଁ ବିବରଣୀଗୁଡ଼ିକରେ ମାଥିଉ ଏହି ଶବ୍ଦର ବ୍ୟବହାର କଲେ, ସେହି ବିବରଣୀଗୁଡ଼ିକୁ ଯେତେବେଳେ ମାର୍କ ଓ ଲୂକ ଲେଖିଲେ, ସେମାନେ “ଈଶ୍ୱରଙ୍କ ରାଜ୍ୟ” ଶବ୍ଦସମୂହର ବ୍ୟବହାର କଲେ। ଏଥିରୁ ଜଣାପଡ଼େ ଯେ “ଈଶ୍ୱରଙ୍କ ରାଜ୍ୟ” ସ୍ୱର୍ଗରେ ରହିଛି ଏବଂ ଏହା ସ୍ୱର୍ଗରୁ ଶାସନ କରିଥାଏ।—ମାଥି ୨୧:୪୩; ମାର୍କ ୧:୧୫; ଲୂକ ୪:୪୩; ଦାନି ୨:୪୪; ୨ତୀମ ୪:୧୮.
ସନ୍ନିକଟ: ଏହାର ଅର୍ଥ ସ୍ୱର୍ଗୀୟ ରାଜ୍ୟର ଭବିଷ୍ୟତର ରାଜା ଖୁବ୍ ଶୀଘ୍ର ଆସିଥାʼନ୍ତେ।
ଅଧ୍ୟୟନ ବାଇବଲ—ମାଥି ୩:୪ ଚିତ୍ର
ବାଯ୍ତିଜକ ଯୋହନଙ୍କର ବେଶଭୂଷା
ଯୋହନ ଓଟର ଲୋମରେ ବୁଣାଯାଇଥିବା ଲୁଗା ପିନ୍ଧୁଥିଲେ ଏବଂ ଅଣ୍ଟାରେ ଚମଡ଼ାର ଏପରି ଏକ ପଟି ବାନ୍ଧୁଥିଲେ, ଯେଉଁଥିରେ ଛୋଟ ଛୋଟ ଜିନିଷଗୁଡ଼ିକ ରଖା ଯାଇପାରୁଥିଲା। ଭବିଷ୍ୟଦ୍ବକ୍ତା ଏଲୀୟଙ୍କର ବେଶଭୂଷା ମଧ୍ୟ ପ୍ରାୟ ଏପରି ଥିଲା। (୨ରାଜା ୧:୮) ଓଟ ଲୋମରେ ତିଆରି କପଡ଼ା ଖଦଡ଼ ଥିଲା ଏବଂ ଏହାକୁ ସାଧାରଣତଃ ଗରିବ ଲୋକମାନେ ପିନ୍ଧୁଥିଲେ। ଅନ୍ୟପକ୍ଷରେ ଧନୀ ଲୋକମାନେ ରେଶମ କିମ୍ବା ଲିନେନ୍ରେ ତିଆରି ନରମ ପୋଷାକ ପିନ୍ଧୁଥିଲେ। (ମାଥି ୧୧:୭-୯) ଯୋହନ ଜନ୍ମରୁ ଜଣେ ନାସରୀୟ ଥିଲେ, ତେଣୁ ତାଙ୍କ କେଶ କେବେ ମଧ୍ୟ କଟାଯାଇ ନ ଥିବ। ହୁଏତ ତାଙ୍କ ବେଶଭୂଷା ଦେଖିବା ମାତ୍ରେ ହିଁ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ ତାଙ୍କର ଜୀବନ ଅତି ସରଳ ଥିଲା ଏବଂ ସେ ସର୍ବଦା ଈଶ୍ୱରଙ୍କ ସେବାରେ ହିଁ ବ୍ୟସ୍ତ ଥିଲେ।
ପଙ୍ଗପାଳ
ବାଇବଲରେ କୁହାଯାଇଥିବା “ପଙ୍ଗପାଳ” ଯେକୌଣସି ପ୍ରଜାତିର ଝିଣ୍ଟିକା ହୋଇପାରନ୍ତି, ଯେଉଁମାନଙ୍କର ଛୋଟ ଛୋଟ ଶୃଙ୍ଗିକା (ଆଣ୍ଟିନା) ଥାଏ। ବିଶେଷତଃ, ଏହି ଝିଣ୍ଟିକାମାନେ ବଡ଼ ବଡ଼ ଦଳ ବାନ୍ଧି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି। ଯିରୂଶାଲମରେ କରାଯାଇଥିବା ଏକ ଗବେଷଣା ଅନୁସାରେ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଝିଣ୍ଟିକାମାନଙ୍କଠାରେ ଶତକଡ଼ା ୭୫ ଭାଗ ପ୍ରୋଟିନ୍ ବା ପୁଷ୍ଟିସାର ଥାଏ। ଆଜି ଯେଉଁ ଲୋକମାନେ ଏହାକୁ ଖାଆନ୍ତି, ସେମାନେ ଏହାର ମୁଣ୍ଡ, ଗୋଡ଼, ଡେଣା ଓ ପେଟକୁ ଫିଙ୍ଗି ଦିଅନ୍ତି। ଅବଶିଷ୍ଟ ଭାଗ ଅର୍ଥାତ୍ ବକ୍ଷସ୍ଥଳକୁ କଞ୍ଚା କିମ୍ବା ରାନ୍ଧି ଖାଆନ୍ତି। ଏହାର ସ୍ୱାଦ ଚିଙ୍ଗୁଡ଼ି କିମ୍ବା କଙ୍କଡ଼ା ଭଳି ଏବଂ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଥାଏ ବୋଲି କୁହାଯାଏ।
ବନମଧୁ
ଏଠାରେ (୧) ବଣୁଆ ମହୁମାଛିର ଏକ ଫେଣା ଏବଂ (୨) ମହୁରେ ଭରା ଏକ ମହୁକୋଷର ଚିତ୍ର ଦିଆଯାଇଛି। ଯୋହନ ଯେଉଁ ମହୁ ଖାଉଥିଲେ, ତାହା ହୁଏତ ଏପିସ୍ ମେଲିଫେରା ସିରିଆକା ନାମକ ବଣୁଆ ମହୁମାଛି ଦ୍ୱାରା ତିଆରି ମହୁ ଥିଲା। ଏହି ପ୍ରଜାତିର ମହୁମାଛିଗୁଡ଼ିକ ଅତ୍ୟଧିକ ଆକ୍ରମଣାତ୍ମକ ହୋଇଥାʼନ୍ତି ଏବଂ ଯିହୁଦାର ମରୁଭୂମି ଅଞ୍ଚଳରେ ଦେଖିବାକୁ ମିଳିଥାʼନ୍ତି। ଏଗୁଡ଼ିକ ମରୁଭୂମିର ଗରମ ଓ ଶୁଷ୍କ ଜଳବାୟୁରେ ମଧ୍ୟ ରହିପାରନ୍ତି। କିନ୍ତୁ ମହୁଚାଷରେ ଏହି ପ୍ରଜାତିର ମହୁମାଛିଙ୍କୁ ବ୍ୟବହାର କରିବା ଅସମ୍ଭବ। ଯର୍ଦ୍ଦନ ଉପତ୍ୟକାର ଏକ ଅଞ୍ଚଳରେ, ଯାହା ପୁରାତନ ସମୟରେ ଏକ ସହରାଞ୍ଚଳ ଥିଲା (ଆଜିର ଟେଲ୍ ରିହୋବ୍), ମହୁମାଛି ଫେଣାର ଅନେକ ପୁରୁଣା ଖଣ୍ଡଗୁଡ଼ିକ ମିଳିଛି। ଏଗୁଡ଼ିକ ପ୍ରାୟ ଖ୍ରୀଷ୍ଟ ପୂର୍ବ ନବମ ଶତାବ୍ଦୀର ଅଟେ। ସେସମୟରେ ଇସ୍ରାଏଲର ଲୋକେ ମହୁ ଏକତ୍ର କରିବା ପାଇଁ ମାଟିର ନଳାକାର ପାତ୍ରଗୁଡ଼ିକରେ ଏକ ଭିନ୍ନ ପ୍ରଜାତିର ମହୁମାଛିଗୁଡ଼ିକୁ ରଖୁଥିଲେ। ଏହି ପ୍ରଜାତିର ମହୁମାଛିଗୁଡ଼ିକୁ ହୁଏତ ଆଜିର ତୁର୍କୀ କୁହାଯାଉଥିବା ଅଞ୍ଚଳରୁ ଅଣାଯାଇଥିଲା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୧:୩ ଅଧ୍ୟୟନ ତଥ୍ୟ
ତାମର: ମାଥିଉ ବହିରେ ଖ୍ରୀଷ୍ଟଙ୍କର ବଂଶାବଳୀରେ ଯେଉଁ ପାଞ୍ଚ ଜଣ ମହିଳାମାନଙ୍କର ନାମ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ପ୍ରଥମ ନାମ ହେଉଛି— ତାମର। ଅନ୍ୟ ଚାରି ଜଣ ସ୍ତ୍ରୀଙ୍କର ନାମ ହେଉଛି— ରାହାବ ଓ ରୂତ ଯେଉଁମାନେ ଇସ୍ରାଏଲୀୟ ନ ଥିଲେ (ପଦ ୫); “ଉରୀୟଙ୍କ ଭାର୍ଯ୍ୟା” ବତ୍ଶେବା (ପଦ ୬) ଓ ମରୀୟମ (ପଦ ୧୬)। ସାଧାରଣତଃ ପୁରୁଷମାନଙ୍କର ଏହି ବଂଶାବଳୀରେ ଏହି ସ୍ତ୍ରୀମାନଙ୍କର ନାମ ହୁଏତ ଏଥିପାଇଁ ଦିଆଯାଇଛି, କାରଣ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଯେପରି ଭାବେ ଯୀଶୁଙ୍କର ପୂର୍ବପୁରୁଷମାନଙ୍କ ମଧ୍ୟରେ ସାମିଲ୍ ହୋଇଥିଲେ, ତାହା ଅତି ଅସାଧାରଣ ଥିଲା।
ଅଧ୍ୟୟନ ବାଇବଲ—ମାଥି ୩:୧୧ ଅଧ୍ୟୟନ ତଥ୍ୟ
ତୁମ୍ଭମାନଙ୍କୁ . . . ବାଯ୍ତିସ୍ମ ଦେଉଅଛି: ବା “ତୁମ୍ଭମାନଙ୍କୁ ଡୁବନ କରାଉଛି।” ଗ୍ରୀକ୍ ଶବ୍ଦ ବାପ୍ଟାଇଜୋର ଅର୍ଥ ହେଉଛି: “ପାଣିରେ ବୁଡ଼ାଇବା” କିମ୍ବା “ପାଣିରେ ବୁଡ଼ାଇ ଉଠାଇବା।” ବାଇବଲକୁ ବୁଝାଇବା ପାଇଁ ଲେଖାଯାଇଥିବା ଅନ୍ୟ ବହିଗୁଡ଼ିକ କହେ ଯେ ବାଯ୍ତିସ୍ମରେ ପାଣି ଭିତରେ ସମ୍ପୂର୍ଣ୍ଣ ରୂପେ ବୁଡ଼ିବା ସାମିଲ୍ ରହିଛି। ଥରେ ଯୋହନ ଶାଲମ ନିକଟସ୍ଥ ଯର୍ଦ୍ଦନ ଉପତ୍ୟକାରେ ଲୋକମାନଙ୍କୁ ବାଯ୍ତିସ୍ମ ଦେଉଥିଲେ “କାରଣ ସେସ୍ଥାନରେ ବହୁଳ ଜଳ ଥିଲା।” (ଯୋହ ୩:୨୩) ଯେତେବେଳେ ଫିଲିପ୍ପ ଇଥିଓପିଆର ନପୁଂସକଙ୍କୁ ବାଯ୍ତିସ୍ମ ଦେଲେ, ସେମାନେ “ଉଭୟ ଜଳ ଭିତରକୁ ଓହ୍ଲାଇଗଲେ।” (ପ୍ରେରି ୮:୩୮) ଗ୍ରୀକ୍ ଶବ୍ଦ ବାପ୍ଟାଇଜୋ ହିଁ ସେପ୍ଟୁଆଜେଣ୍ଟ୍ରେ ୨ରାଜା ୫:୧୪ ପଦରେ ବ୍ୟବହୃତ ହୋଇଛି, ଯେଉଁଠାରେ କୁହାଯାଇଛି ଯେ ନାମାନ୍ “ଯର୍ଦ୍ଦନରେ ଆପଣାକୁ ସାତ ଥର ବୁଡ଼ାଇଲା।”
୮-୧୪ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୪-୫
“ଯୀଶୁଙ୍କ ପାର୍ବତ୍ୟ ଉପଦେଶରୁ ମିଳୁଥିବା ଶିକ୍ଷା”
ଅଧ୍ୟୟନ ବାଇବଲ—ମାଥି ୫:୩ ଅଧ୍ୟୟନ ତଥ୍ୟ
ଧନ୍ୟ: ଯେଉଁ ଗ୍ରୀକ୍ ଶବ୍ଦରୁ “ଧନ୍ୟ” ଅନୁବାଦ କରାଯାଇଛି, ତାର ଶାବ୍ଦିକ ଅର୍ଥ ହେଉଛି ‘ସୁଖୀ’। ଏହି ଶବ୍ଦର ଅର୍ଥ କେବଳ ଖୁସି ହେବା ନୁହଁ, ଯେପରି ଜଣେ ବ୍ୟକ୍ତି ମଉଜମସ୍ତି କରିବା ସମୟରେ ଅନୁଭବ କରିଥାଏ। ଏହା ପରିବର୍ତ୍ତେ, ଯେତେବେଳେ ଜଣେ ବ୍ୟକ୍ତିକୁ ସୁଖୀ କୁହାଯାଇଛି, ଏହାର ଅର୍ଥ ତାʼ ଉପରେ ଈଶ୍ୱରଙ୍କର ଆଶିଷ ଓ ମଞ୍ଜୁରି ରହିଛି। ଠିକ୍ ଏହି ଗ୍ରୀକ୍ ଶବ୍ଦ ଈଶ୍ୱରଙ୍କ ବିଷୟରେ ଏବଂ ସ୍ୱର୍ଗରେ ମହିମା ପାଇଥିବା ଯୀଶୁଙ୍କ ବିଷୟରେ କହିବା ପାଇଁ ମଧ୍ୟ ବ୍ୟବହୃତ ହୋଇଛି।—୧ତୀମ ୧:୧୧; ୬:୧୫.
ଆତ୍ମାରେ ଦୀନହୀନ ଲୋକେ [ଯେଉଁମାନଙ୍କଠାରେ ଈଶ୍ୱରଙ୍କଠାରୁ ମାର୍ଗଦର୍ଶନ ପାଇବାର ଭୋକ ରହିଛି, NW]: ଏହି ପଦରେ “ଦୀନହୀନ ଲୋକେ” ବୋଲି ଅନୁବାଦ କରାଯାଇଥିବା ଗ୍ରୀକ୍ ଶବ୍ଦସମୂହ ଏପରି ଲୋକମାନଙ୍କ ପାଇଁ ବ୍ୟବହୃତ ହୋଇଛି, ଯେଉଁମାନଙ୍କୁ ପ୍ରକୃତରେ କୌଣସି ଜିନିଷ ଆବଶ୍ୟକ ଏବଂ ସେମାନେ ଏବିଷୟରେ ପ୍ରକୃତରେ ସଚେତନ ଥାʼନ୍ତି। ଲୂକ ୧୬:୨୦, ୨୨ ପଦରେ ଠିକ୍ ଏହି ଗ୍ରୀକ୍ ଶବ୍ଦ ଲାଜାର ନାମକ ଜଣେ “ଭିକାରୀ” ପାଇଁ ବ୍ୟବହୃତ ହୋଇଛି। ଯେଉଁ ଗ୍ରୀକ୍ ଶବ୍ଦସମୂହକୁ “ଆତ୍ମାରେ ଦୀନହୀନ ଲୋକେ” ବୋଲି ଅନୁବାଦ କରାଯାଇଛି, ଏହାର ଅର୍ଥ ହେଉଛି, ଏପରି ଲୋକ ଯେଉଁମାନେ ଭଲଭାବେ ଜାଣନ୍ତି ଯେ ସେମାନେ ଆଧ୍ୟାତ୍ମିକ ରୂପେ ଗରିବ ଏବଂ ସେମାନଙ୍କୁ ଈଶ୍ୱରଙ୍କର ମାର୍ଗଦର୍ଶନ ଆବଶ୍ୟକ।
ଅଧ୍ୟୟନ ବାଇବଲ—ମାଥି ୫:୭ ଅଧ୍ୟୟନ ତଥ୍ୟ
ଦୟାଳୁ: ବାଇବଲରେ “ଦୟାଳୁ” ଓ “ଦୟା” ଶବ୍ଦର ଅର୍ଥ କେବଳ କାହାରିକୁ କ୍ଷମା କରିବା କିମ୍ବା ଦଣ୍ଡକୁ କୋହଳ କରିବା ନୁହଁ। ଏଥିରେ ସାଧାରଣତଃ କରୁଣା ଓ ସହାନୁଭୂତିର ଭାବନା ମଧ୍ୟ ସାମିଲ୍ ଥାଏ। ଏହି ଗୁଣ ଜଣେ ବ୍ୟକ୍ତିକୁ ଅଭାବଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଦେଇଥାଏ।
ଅଧ୍ୟୟନ ବାଇବଲ—ମାଥି ୫:୯ ଅଧ୍ୟୟନ ତଥ୍ୟ
ଶାନ୍ତିକାରକ: ଏପରି ଲୋକମାନେ କେବଳ ଯେ ଶାନ୍ତି ବଜାୟ ରଖନ୍ତି ତାʼ ନୁହଁ, ବରଂ ଯେଉଁଠାରେ ଶାନ୍ତି ନ ଥାଏ, ସେଠାରେ ଶାନ୍ତି ଆଣିବା ପାଇଁ ଚେଷ୍ଟା ମଧ୍ୟ କରିଥାʼନ୍ତି।
ପ୍ର୦୭-ହି ୧୨/୧ ପୃ. ୧୭
ନିଜ ପିଲାଙ୍କୁ ଶାନ୍ତିପ୍ରିୟ ହେବା ପାଇଁ ଶିଖାନ୍ତୁ
ଖ୍ରୀଷ୍ଟିୟାନ ପିତାମାତାମାନେ ନିଜ ପିଲାଙ୍କୁ “ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ” ହେବା ପାଇଁ ତାଲିମ୍ ଦେବାରେ ଗଭୀର ଆଗ୍ରହ ରଖନ୍ତି। (୧ ପିତର ୩:୧୧) ଏହା ସତ ଯେ ସନ୍ଦେହ, ନୈରାଶ୍ୟ ଓ ଘୃଣାଭାବ ଭଳି ମନ୍ଦ ଭାବନାଗୁଡ଼ିକୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ବଜାୟ ରଖିବାରେ ଅଧିକ ପରିଶ୍ରମ ଆବଶ୍ୟକ ହୁଏ। କିନ୍ତୁ ଏଥିରୁ ଯେଉଁ ଖୁସି ମିଳେ, ତାʼ ତୁଳନାରେ ଏହି ପରିଶ୍ରମ କିଛି ନୁହଁ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୪:୯ ଅଧ୍ୟୟନ ତଥ୍ୟ
ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ [ଗୋଟିଏ ଥର ପାଇଁ ମୋତେ ଉପାସନା କରିବ, NW]: ଏଠାରେ ଯେଉଁ ଗ୍ରୀକ୍ କ୍ରିୟାକୁ ‘ଭୂମିଷ୍ଠ ପ୍ରଣାମ କରିବା’ (‘ଉପାସନା କରିବା’) ବୋଲି ଅନୁବାଦ କରାଯାଇପାରେ, ତାହା କ୍ଷଣିକ ପାଇଁ ହେଉଥିବା କୌଣସି କାମକୁ ସୂଚାଏ। ଏଥିରୁ ଜଣାପଡ଼େ ଯେ ଶୟତାନ ଯୀଶୁ ଖ୍ରୀଷ୍ଟଙ୍କୁ ଲଗାତାର ଉପାସନା କରିବା ପାଇଁ କହୁ ନ ଥିଲା, ବରଂ ମାତ୍ର ଥରେ “ଭୂମିଷ୍ଠ ପ୍ରଣାମ” ବା ଉପାସନା କରିବାକୁ କହୁଥିଲା।
ଅଧ୍ୟୟନ ବାଇବଲ—ମାଥି ୪:୨୩ ଅଧ୍ୟୟନ ତଥ୍ୟ
ଶିକ୍ଷା ଦେଇ . . . ଘୋଷଣା [ପ୍ରଚାର] କରି: ଶିକ୍ଷା ଦେବା ଓ ପ୍ରଚାର କରିବା ମଧ୍ୟରେ ତଫାତ୍ ରହିଛି। ପ୍ରଚାର କରିବାର ଅର୍ଥ ହେଉଛି, ବାର୍ତ୍ତା ଶୁଣାଇବା। କିନ୍ତୁ ଶିକ୍ଷା ଦେବାରେ ପରାମର୍ଶ ଦେବା, ବୁଝାଇବା, ଠୋସ୍ ଆଧାର ନେଇ ତର୍କ କରିବା ଏବଂ ପ୍ରମାଣ ଦେବା ମଧ୍ୟ ସାମିଲ୍ ରହିଛି।
୧୫-୨୧ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୬-୭
“ପ୍ରଥମେ ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ କରନ୍ତୁ”
ଅଧ୍ୟୟନ ବାଇବଲ—ମାଥି ୬:୨୪ ଅଧ୍ୟୟନ ତଥ୍ୟ
ଦାସ: ଯେଉଁ ଗ୍ରୀକ୍ କ୍ରିୟାଟି ଦାସ ରୂପେ କାମ କରିବାକୁ ସୂଚାଏ, ଏହାର ଅର୍ଥରେ କେବଳ ଗୋଟିଏ ମାଲିକର ସେବା କରିବା ମଧ୍ୟ ସାମିଲ୍ ରହିଛି। ଯୀଶୁ ଏଠାରେ କହୁଥିଲେ ଯେ ଜଣେ ଖ୍ରୀଷ୍ଟିୟାନ ବିଳାସବ୍ୟସନର ଜିନିଷପତ୍ର ସାଉଁଟିବାରେ ଲାଗି ରହିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଭକ୍ତି କରିପାରିବ ନାହିଁ। କାରଣ କେବଳ ଈଶ୍ୱର ହିଁ ଆମର ଭକ୍ତି ପାଇବାର ଏକମାତ୍ର ଅଧିକାରୀ।
ଅଧ୍ୟୟନ ବାଇବଲ—ମାଥି ୬:୩୩ ଅଧ୍ୟୟନ ତଥ୍ୟ
ଅନ୍ୱେଷଣ କର: ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍ କ୍ରିୟା କୌଣସି କାମକୁ ନିୟମିତ ଭାବେ କରାଯିବାକୁ ସୂଚାଏ। କʼଣ ଯୀଶୁଙ୍କ କହିବାର ଅର୍ଥ ଏହା ଥିଲା ଯେ ତାହାଙ୍କ ପ୍ରକୃତ ଅନୁଗାମୀମାନେ କେବଳ କିଛି ସମୟ ପାଇଁ ରାଜ୍ୟର ଅନ୍ୱେଷଣ କରିଥାʼନ୍ତେ ଏବଂ ତାʼପରେ ଅନ୍ୟ କାମଗୁଡ଼ିକରେ ଲାଗିପଡ଼ିଥାʼନ୍ତେ? ନା, ବରଂ ସେମାନଙ୍କୁ ସର୍ବଦା ଏହାକୁ ଜୀବନରେ ପ୍ରଥମ ସ୍ଥାନ ଦେବା ଉଚିତ୍ ଥିଲା।
ତାହାଙ୍କ ରାଜ୍ୟ: “ତାହାଙ୍କ” ଶବ୍ଦର ଅର୍ଥ ହେଉଛି ଈଶ୍ୱରଙ୍କ, ଯାହାଙ୍କୁ ମାଥିଉ ୬:୩୨ ପଦରେ “ସ୍ୱର୍ଗସ୍ଥ ପିତା” ବୋଲି କୁହାଯାଇଛି। କେତେକ ପ୍ରାଚୀନ ଗ୍ରୀକ୍ ହସ୍ତଲିପିରେ ଏଠାରେ “ଈଶ୍ୱରଙ୍କ ରାଜ୍ୟ” ଲେଖାଯାଇଛି।
ଧାର୍ମିକତା: ଯେଉଁମାନେ ଈଶ୍ୱରଙ୍କ ଧାର୍ମିକତାର ଅନ୍ୱେଷଣ କରନ୍ତି, ସେମାନେ ସ୍ୱେଚ୍ଛାରେ ଓ ଆନନ୍ଦରେ ତାହାଙ୍କ ଇଚ୍ଛା ପୂରଣ କରନ୍ତି ଏବଂ ଠିକ୍-ଭୁଲ୍ ନିର୍ଣ୍ଣୟ କରିବା ସମୟରେ ଈଶ୍ୱରଙ୍କ ମାନଦଣ୍ଡ ଅନୁଯାୟୀ ଚାଲନ୍ତି। କିନ୍ତୁ ଫାରୂଶୀମାନଙ୍କର ଶିକ୍ଷା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। କେଉଁଗୁଡ଼ିକ ଧାର୍ମିକତାର କାମ ଏବଂ କେଉଁଗୁଡ଼ିକ ଧାର୍ମିକତାର କାମ ନୁହଁ, ଏହା ପାଇଁ ସେମାନେ ନିଜେ ମାନଦଣ୍ଡ ନିର୍ଦ୍ଧାରଣ କରୁଥିଲେ।—ମାଥି ୫:୨୦.
ପ୍ର୧୬.୦୭-ହି ୧୨ ¶୧୮
ରାଜ୍ୟର ଅନ୍ୱେଷଣ କରନ୍ତୁ, ଅନ୍ୟସବୁ ବିଷୟର ନୁହଁ
ମାଥିଉ ୬:୩୩ ପଢ଼ନ୍ତୁ। ଯଦି ଆମେ ଈଶ୍ୱରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦେବା, ତେବେ ଯିହୋବା ଆମର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବେ। ଯୀଶୁ ଖ୍ରୀଷ୍ଟ କହିଲେ ଯେ ଯଦି ଆମେ ଏପରି କରିବା, ତେବେ ଆମକୁ ‘ଏହିସମସ୍ତ ବିଷୟ ମଧ୍ୟ ଦିଆଯିବ।’ ସେ ବୁଝାଇଲେ ଯେ ଆମେ କାହିଁକି ଏହି ପ୍ରତିଶୃତି ଉପରେ ଦୃଢ଼ ଭରସା ରଖିପାରିବା। ସେ ଏହାର ପୂର୍ବବର୍ତ୍ତୀ ପଦରେ କହିଲେ, “ଏହିସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ପ୍ରୟୋଜନ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।” ଯିହୋବା ଆମଠାରୁ ମଧ୍ୟ ଆଗରୁ ଜାଣନ୍ତି ଯେ ଆମର କʼଣ କʼଣ ଆବଶ୍ୟକତା ରହିଛି। (ଫିଲିପ୍ପୀ. ୪:୧୯) ସେ ଜାଣନ୍ତି ଯେ ଆପଣଙ୍କ କେଉଁ ପୋଷାକ ଆଉ ଆଗକୁ କାମରେ ଆସିବ ନାହିଁ ଏବଂ ଆପଣଙ୍କ ଶରୀରର ପୋଷଣ ପାଇଁ ଆପଣ କିଭଳି ଖାଦ୍ୟ ଖାଇବା ଉଚିତ୍। ସେ ଏହା ମଧ୍ୟ ଜାଣନ୍ତି ଯେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ରହିବା ପାଇଁ ଘର ଆବଶ୍ୟକ। ଯିହୋବା ଆପଣଙ୍କୁ ଏପରି ପ୍ରତ୍ୟେକ ଜିନିଷ ଦେବେ, ଯେଉଁଗୁଡ଼ିକର ପ୍ରକୃତରେ ଆପଣଙ୍କର ଆବଶ୍ୟକତା ରହିଛି।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୪-ହି ୫/୧୫ ୧୪-୧୫ ¶୧୪-୧୬
ପ୍ରଚାର କରିବା ସମୟରେ ସୁବର୍ଣ୍ଣ ନିୟମକୁ ମନେ ରଖନ୍ତୁ
କଳ୍ପନା କରନ୍ତୁ ଯେ କେହି ଜଣେ ଆପଣଙ୍କୁ ଫୋନ୍ କରେ, କିନ୍ତୁ ଆପଣ ତାʼ ସ୍ୱର ଚିହ୍ନିପାରନ୍ତି ନାହିଁ। ସେ ଜଣେ ଅଚିହ୍ନା ବ୍ୟକ୍ତି ଏବଂ ସେ ଆପଣଙ୍କୁ ପଚାରେ ଯେ ଆପଣ କେଉଁ ପ୍ରକାର ଖାଦ୍ୟ ପସନ୍ଦ କରନ୍ତି। ଆପଣ ଭାବନ୍ତି, କିଏ ଫୋନ୍ କରିଛି ଏବଂ ସେ ପ୍ରକୃତରେ କʼଣ ଚାହେଁ। ଆପଣ ନମ୍ର ହୋଇଥିବାରୁ ହୁଏତ କିଛି ସମୟ ପାଇଁ ତାʼ ସହିତ କଥା ହୋଇଯାʼନ୍ତି। କିନ୍ତୁ, ପରେ ହୁଏତ ଆପଣ ଆଗକୁ କଥାବାର୍ତ୍ତା ଜାରି ନ ରଖିବା ପାଇଁ ତାକୁ କହି ଦିଅନ୍ତି। ବର୍ତ୍ତମାନ ଏହି ଦୃଶ୍ୟକୁ ପୁଣିଥରେ କଳ୍ପନା କରନ୍ତୁ। ଜଣେ ବ୍ୟକ୍ତି ଆପଣଙ୍କୁ ଫୋନ୍ କରନ୍ତି। କିନ୍ତୁ ଏଥର ସେ ଆପଣଙ୍କୁ ନିଜର ପରିଚୟ ଦିଅନ୍ତି। ସେ କହନ୍ତି ଯେ ସେ ଏପରି ଏକ ଚାକିରି କରୁଛନ୍ତି, ଯେଉଁଥିରେ ସେ ଲୋକମାନଙ୍କୁ ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ପ୍ରୋତ୍ସାହନ ଦେଇଥାʼନ୍ତି। ସେ ଆପଣଙ୍କୁ କହନ୍ତି ଯେ ତାଙ୍କ ପାଖରେ ଏପରି କିଛି ତଥ୍ୟ ରହିଛି, ଯେଉଁଥିରୁ ଆପଣଙ୍କୁ ସାହାଯ୍ୟ ମିଳିପାରିବ। ଏପରି କ୍ଷେତ୍ରରେ ଆପଣ ହୁଏତ ତାଙ୍କ କଥା ଶୁଣିବାକୁ ଚାହିଁବେ। ପ୍ରକୃତରେ ଯେତେବେଳେ ଲୋକେ ଆମ ସହିତ କଥା ହେବା ସମୟରେ ନିଜ ପରିଚୟ ଦିଅନ୍ତି, ସେତେବେଳେ ଆମକୁ ଭଲ ଲାଗେ। ପ୍ରଚାର କରିବା ସମୟରେ ଆମେ ଲୋକମାନଙ୍କ ପାଇଁ ଏପରି ଆଦର କିପରି ଦେଖାଇପାରିବା?
କିଛି ଅଞ୍ଚଳରେ ଆମେ ଘରମାଲିକଙ୍କୁ ସ୍ପଷ୍ଟ ଭାବେ କହିବା ଉଚିତ୍ ଯେ ଆମ ଆସିବାର ଉଦ୍ଦେଶ୍ୟ କʼଣ। କଳ୍ପନା କରନ୍ତୁ ଯେ ଆପଣ ଏକ ଘରର କବାଟକୁ ଠକ୍ ଠକ୍ କରନ୍ତି। ଆପଣଙ୍କ ପାଖରେ ଅନେକ ବହୁମୂଲ୍ୟ ତଥ୍ୟ ରହିଛି, ଯାହା ଘରମାଲିକଙ୍କ ପାଇଁ ଅତି ଜରୁରୀ। କିନ୍ତୁ ଆପଣ ତାଙ୍କୁ କହନ୍ତି ନାହିଁ ଯେ ଆପଣ କିଏ ଏବଂ କାହିଁକି ତାଙ୍କ ଘରକୁ ଆସିଛନ୍ତି। ଏହା ପରିବର୍ତ୍ତେ, ଆପଣ ସିଧାସଳଖ ଏପରି କିଛି ପ୍ରଶ୍ନ ପଚାରି ଆପଣଙ୍କ କଥା ଆରମ୍ଭ କରିଦିଅନ୍ତି: “ଯଦି ଆପଣ ଏହି ଜଗତର କୌଣସି ସମସ୍ୟାର ସମାଧାନ କରିପାରନ୍ତେ, ତେବେ ଆପଣ କେଉଁ ସମସ୍ୟାକୁ ପ୍ରଥମେ ଦୂର କରନ୍ତେ?” ଆପଣ ଏହି ପ୍ରଶ୍ନ ଏଥିପାଇଁ ପଚାରନ୍ତି, କାରଣ ଆପଣ ଜାଣିବାକୁ ଚାହାନ୍ତି ଯେ ଘରମାଲିକ କେଉଁ ବିଷୟରେ ଭାବୁଛନ୍ତି ଏବଂ ତାʼପରେ ଆପଣ ବାଇବଲରୁ କୌଣସି ପଦ ପଢ଼ିପାରିବେ। କିନ୍ତୁ, ଘରମାଲିକ ହୁଏତ ଭାବନ୍ତି: ‘ଏହି ଅଚିହ୍ନା ବ୍ୟକ୍ତିଟି କିଏ ଏବଂ ସେ କାହିଁକି ମୋତେ ଏହି ପ୍ରଶ୍ନ ପଚାରୁଛନ୍ତି?’ ଆମେ ଚାହୁଁ ଯେ ଲୋକେ ଆମ ସହିତ କଥା ହୋଇ ଖୁସି ହୁଅନ୍ତୁ। (ଫିଲିପ୍ପୀ. ୨:୩, ୪) ଆମେ ଏହା କିପରି କରିପାରିବା?
ଅଧ୍ୟୟନ ବାଇବଲ—ମାଥି ୭:୨୮, ୨୯ ଅଧ୍ୟୟନ ତଥ୍ୟ
ଆଶ୍ଚର୍ଯ୍ୟାନ୍ୱିତ ହେଲେ: ଏଠାରେ ବ୍ୟବହୃତ ଗ୍ରୀକ୍ କ୍ରିୟାର ଅର୍ଥ ହୋଇପାରେ: “ଏଭଳି ଆଶ୍ଚର୍ଯ୍ୟ ହେବା ସତେ ଯେପରି ମୂକ ପାଲଟିଯିବା।” ଏଠାରେ ଏହି କ୍ରିୟାଟିକୁ ଯେପରି ଭାବେ ବ୍ୟବହାର କରାଯାଇଛି, ସେଥିରୁ ଜଣାପଡ଼େ ଯେ ଯୀଶୁଙ୍କ ଶିକ୍ଷା ଲମ୍ବା ସମୟ ପର୍ଯ୍ୟନ୍ତ ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରୁଥିଲା।
ତାହାଙ୍କ ଶିକ୍ଷାରେ [ତାହାଙ୍କ ଶିକ୍ଷା ଦେବାର ଶୈଳୀରେ, NW]: ଏହି ଶବ୍ଦସମୂହରୁ ଜଣାପଡ଼େ ଯେ ଯୀଶୁ କିପରି ଶିଖାଇଲେ, ଅର୍ଥାତ୍ ତାହାଙ୍କ ଶିଖାଇବାର ପଦ୍ଧତି ଏବଂ ସେ ତାହାଙ୍କ ପାର୍ବତ୍ୟ ଉପଦେଶରେ କʼଣ ଶିକ୍ଷା ଦେଇଥିଲେ, ସେସବୁ ମଧ୍ୟ ସାମିଲ୍ ଅଛି।
ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ: ଯୀଶୁ ନିଜ କଥାକୁ ପ୍ରମାଣିତ କରିବା ପାଇଁ ଶାସ୍ତ୍ରୀମାନଙ୍କ ଭଳି ରାବ୍ବୀମାନଙ୍କ ଦ୍ୱାରା କୁହାଯାଇଥିବା କଥାକୁ ଦୋହରାଉ ନ ଥିଲେ। ଏହା ପରିବର୍ତ୍ତେ, ସେ ଜଣେ ଅଧିକାରପ୍ରାଯ୍ତ ବ୍ୟକ୍ତିଙ୍କ ପରି ଶିଖାଉଥିଲେ। ସେ ଯିହୋବାଙ୍କ ତରଫରୁ କହୁଥିଲେ ଏବଂ ତାହାଙ୍କ ବାକ୍ୟର ଆଧାରରେ ଶିଖାଉଥିଲେ।—ଯୋହ ୭:୧୬.
୨୨-୨୮ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୮-୯
“ଯୀଶୁ ଲୋକମାନଙ୍କୁ ପ୍ରେମ କରୁଥିଲେ”
ଅଧ୍ୟୟନ ବାଇବଲ—ମାଥି ୮:୩ ଅଧ୍ୟୟନ ତଥ୍ୟ
ଯୀଶୁ . . . ତାହାକୁ ଛୁଇଁ କହିଲେ: ମୋଶାଙ୍କ ନିୟମ ଅନୁଯାୟୀ କୁଷ୍ଠ ରୋଗ ସଂକ୍ରମିତ ନ ହେବା ପାଇଁ ଏହି ରୋଗୀମାନଙ୍କୁ ଅଲଗା ରଖାଯାଉଥିଲା। (ଲେବୀ ୧୩:୪୫, ୪୬; ଗଣ ୫:୧-୪) କିନ୍ତୁ ଯିହୁଦୀ ଧର୍ମଗୁରୁମାନେ ଏଥିରେ ଆହୁରି ନିୟମ ଯୋଡ଼ି ଦେଇଥିଲେ। ଉଦାହରଣସ୍ୱରୂପ, ଜଣେ ବ୍ୟକ୍ତିକୁ ଏକ କୁଷ୍ଠ ରୋଗୀଠାରୁ ୪ ହାତ ବା ପ୍ରାୟ ୬ ଫୁଟ୍ (୧.୮ ମି.) ଦୂରରେ ରହିବାକୁ ପଡ଼ୁଥିଲା। କିନ୍ତୁ ପବନ ବହିଲେ ୧୦୦ ହାତ ବା ପ୍ରାୟ ୧୫୦ ଫୁଟ୍ (୪୫ ମି.) ଦୂରରେ ରହିବାକୁ ପଡ଼ୁଥିଲା। ଏଭଳି ନିୟମଗୁଡ଼ିକ ଯୋଗୁଁ କୁଷ୍ଠ ରୋଗୀମାନଙ୍କ ସହିତ ନିଷ୍ଠୁର ବ୍ୟବହାର କରାଯାଉଥିଲା। ଯେପରି, ଜଣେ ରାବ୍ବୀ କୁଷ୍ଠ ରୋଗୀମାନଙ୍କୁ ଦେଖି ଲୁଚି ଯାଉଥିଲା ଏବଂ ଆଉ ଜଣେ ସେମାନଙ୍କୁ ଘଉଡ଼ାଇବା ପାଇଁ ସେମାନଙ୍କ ଉପରେ ଟେକା ଫିଙ୍ଗୁଥିଲା। ପ୍ରାଚୀନ ଯିହୁଦୀ ଲେଖାଗୁଡ଼ିକରେ ଏହି ରାବ୍ବୀମାନଙ୍କୁ ପ୍ରଶଂସା କରାଯାଇଛି। ଏହାର ଠିକ୍ ବିପରୀତ, ଯୀଶୁ ଏଠାରେ କୁହାଯାଇଥିବା କୁଷ୍ଠ ରୋଗୀର ଦୁର୍ଦ୍ଦଶାକୁ ଦେଖି ଦୟାରେ ଭରିଗଲେ ଏବଂ ସେ ଏପରି କାମ କଲେ, ଯାହା ଯିହୁଦୀମାନେ କେବେ ମଧ୍ୟ ଭାବି ନ ଥିବେ। ସେ ତାହାକୁ ଛୁଇଁଲେ। ଯୀଶୁ କୁଷ୍ଠ ରୋଗୀକୁ ନିଜ କଥାରେ ହିଁ ସୁସ୍ଥ କରିପାରିଥାʼନ୍ତେ, କିନ୍ତୁ ସେ ତାକୁ ଛୁଇଁ ସୁସ୍ଥ କଲେ।—ମାଥି ୮:୫-୧୨.
ମୁଁ ଇଚ୍ଛା କରୁଅଛି: ଯୀଶୁ ଯେ କେବଳ ତାʼର ଅନୁରୋଧକୁ ଶୁଣିଲେ, ତା ନୁହଁ, ବରଂ ତାକୁ ପୂରଣ କରିବା ପାଇଁ ଦୃଢ଼ ଇଚ୍ଛା ମଧ୍ୟ ଦେଖାଇଲେ। ସେ ଏହାକୁ କେବଳ କର୍ତ୍ତବ୍ୟ ଭାବି ନୁହଁ, ବରଂ ହୃଦୟର ସହିତ ତାକୁ ସୁସ୍ଥ କରିବାକୁ ଚାହୁଁଥିଲେ।
ଅଧ୍ୟୟନ ବାଇବଲ—ମାଥି ୯:୧୦ ଅଧ୍ୟୟନ ତଥ୍ୟ
ଭୋଜନ କରିବାକୁ ବସିବା: କିମ୍ବା “ମେଜ ଉପରେ ଆଉଜି ହୋଇ ବସିବା।” କାହାରି ସହିତ ମେଜ ଉପରେ ଆଉଜି ହୋଇ ବସିବା ଦେଖାଉଥିଲା ଯେ ସେମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ତେଣୁ ଯୀଶୁଙ୍କ ସମୟରେ ଯିହୁଦୀମାନେ ଅଣଯିହୁଦୀମାନଙ୍କ ସହିତ ଏଭଳି କେବେ ମଧ୍ୟ ଏକାଠି ବସୁ ନ ଥିଲେ କିମ୍ବା ଭୋଜନ ମଧ୍ୟ କରୁ ନ ଥିଲେ।
କରଗ୍ରାହୀ: ଅନେକ ଯିହୁଦୀ ରୋମୀୟ ଅଧିକାରୀମାନଙ୍କ ପାଇଁ କର ଆଦାୟ କରୁଥିଲେ। ଏହି ଯିହୁଦୀମାନଙ୍କୁ ଲୋକେ ଘୃଣା କରୁଥିଲେ, କାରଣ ସେମାନେ ଏପରି ବିଦେଶୀ ସରକାରକୁ ସମର୍ଥନ କରୁଥିଲେ, ଯାହାକୁ ଲୋକେ ଆଦୌ ପସନ୍ଦ କରୁ ନ ଥିଲେ। ଏହା ବ୍ୟତୀତ, ଏହି ଯିହୁଦୀମାନେ ନିର୍ଦ୍ଧାରିତ କର ଅପେକ୍ଷା ଅଧିକ କର ଆଦାୟ କରୁଥିଲେ। ଯିହୁଦୀମାନେ ଏହି କରଗ୍ରାହୀମାନଙ୍କୁ ପାପୀ ଓ ବେଶ୍ୟାମାନଙ୍କ ଭଳି ତୁଚ୍ଛ ମନେ କରୁଥିଲେ ଏବଂ ସେମାନଙ୍କଠାରୁ ଦୂରେଇ ରହୁଥିଲେ।—ମାଥି ୧୧:୧୯; ୨୧:୩୨.
ଅଧ୍ୟୟନ ବାଇବଲ—ମାଥି ୯:୩୬ ଅଧ୍ୟୟନ ତଥ୍ୟ
ଦୟାରେ ବିଗଳିତ ହେଲେ: ଏଠାରେ ଏହି ଶବ୍ଦସମୂହ ପାଇଁ ଗ୍ରୀକ୍ କ୍ରିୟା ସ୍ପ୍ଲେଗଖ୍ନୀଜୋମାଇ ବ୍ୟବହୃତ ହୋଇଛି, ଯାହା ‘ଅନ୍ତ୍ରନଳୀର’ ଗ୍ରୀକ୍ ଶବ୍ଦ (ସ୍ପ୍ଲେଗଖ୍ନା) ସହିତ ସମ୍ବନ୍ଧ ରହିଛି। ଏହାର ଅର୍ଥ ଏଭଳି ଏକ ଭାବନା, ଯାହା ହୃଦୟର ଗଭୀରତାରୁ ଆସିଥାଏ। ଗ୍ରୀକ୍ ଭାଷାରେ ଏହି ଶବ୍ଦ ଗଭୀର କରୁଣାର ଭାବନା ପାଇଁ ବ୍ୟବହୃତ ହୁଏ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୨-ହି ୮/୧୫ ୧୩ ¶୧୬
“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”
ଠିକ୍ ସେହିପରି, ଯେତେବେଳେ ଜଣେ ଶତସେନାପତି, ଯିଏ ହୁଏତ ଜଣେ ଅଣଯିହୁଦୀ ବା ରୋମୀୟ ଥିଲେ, ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ନିଜ ରୋଗଗ୍ରସ୍ତ ଦାସକୁ ସୁସ୍ଥ କରି ଦିଅନ୍ତୁ। ଯୀଶୁ ଜାଣିଥିଲେ ଯେ ସେହି ସୈନିକ ଜୀବନରେ ଅନେକ ପାପ କରିଥିଲେ। ସେସମୟରେ ଜଣେ ଶତସେନାପତିର ଅତୀତ ଜୀବନ ହିଂସାରେ ପରିପୂର୍ଣ୍ଣ ଥିଲା। ସେ ଅନେକ ହତ୍ୟା କରୁଥିଲା ଏବଂ ଏପରିକି ମିଥ୍ୟା ଉପାସନାରେ ବୁଡ଼ି ରହୁଥିଲା। ତଥାପି ଯୀଶୁ ସେହି ବ୍ୟକ୍ତିଙ୍କ ଗୋଟିଏ ଭଲ ଗୁଣ ପ୍ରତି ଧ୍ୟାନ ଦେଲେ, ଯାହା ଥିଲା ତାଙ୍କ ଦୃଢ଼ ବିଶ୍ୱାସ। (ମାଥିଉ ୮:୫-୧୩) ଠିକ୍ ସେହିପରି, ଯୀଶୁ ନିଜ ମୃତ୍ୟୁ ପୂର୍ବରୁ କାଠଖୁଣ୍ଟରେ ଥିବା ସମୟରେ ତାହାଙ୍କ ପାର୍ଶ୍ୱରେ ଥିବା ଜଣେ ଅପରାଧୀ ସହିତ ମଧ୍ୟ ଏପରି ଭାବନା ଦେଖାଇଥିଲେ। ସେହି ଅପରାଧୀର ପାପଗୁଡ଼ିକୁ ନେଇ ତାʼ ପ୍ରତି ବିରକ୍ତ ହେବା ପରିବର୍ତ୍ତେ ତାକୁ ଭବିଷ୍ୟତ ପାଇଁ ଏକ ଆଶା ଦେଲେ। (ଲୂକ ୨୩:୪୩) ଯୀଶୁ ଭଲ ଭାବେ ଜାଣିଥିଲେ ଯେ ଅନ୍ୟମାନଙ୍କର ଭୁଲ୍ ବାହାର କରିବା ଏବଂ ସେମାନଙ୍କ କଥାକୁ କାଟିବା ଦ୍ୱାରା କେବଳ ଲୋକେ ନିରୁତ୍ସାହିତ ହୋଇଥାʼନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅନ୍ୟମାନଙ୍କର ଭଲ ଗୁଣଗୁଡ଼ିକ ପ୍ରତି ସେ ଅଧିକ ଧ୍ୟାନ ଦେଉଥିବା ଯୋଗୁଁ ଅନେକ ଲୋକେ ନିଜ ଜୀବନକୁ ସୁଧାରିବା ପାଇଁ ପ୍ରେରଣା ପାଇଥିଲେ।
ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୭୦ ¶୬
ଯୀଶୁଙ୍କ ଶିଷ୍ୟମାନେ କାହିଁକି ଉପବାସ କରନ୍ତି ନାହିଁ?
ଯୀଶୁ ବାଯ୍ତିଜକ ଯୋହନଙ୍କର ଶିଷ୍ୟମାନଙ୍କୁ ଏହା ବୁଝିବାରେ ସାହାଯ୍ୟ କଲେ ଯେ ତାହାଙ୍କ ଅନୁଗାମୀମାନେ ଯିହୁଦୀ ଧର୍ମର ପୁରାତନ ପାରମ୍ପାରିକ ରୀତିନୀତିଗୁଡ଼ିକୁ ପାଳନ କରନ୍ତୁ ବୋଲି ଲୋକେ ଆଶା କରନ୍ତୁ ନାହିଁ। ଯେପରି— ଉପବାସ କରିବାର ପ୍ରଥା। ଯୀଶୁ ଯିହୁଦୀ ଧର୍ମକୁ ସୁଧାରିବା ପାଇଁ ଆସି ନ ଥିଲେ, ଯାହାକୁ ଈଶ୍ୱର ଖୁବ୍ ଶୀଘ୍ର ପରିତ୍ୟାଗ କରିବାକୁ ଯାଉଥିଲେ। କାରଣ ଏହି ଧର୍ମ ମଣିଷମାନେ ଆରମ୍ଭ କରିଥିବା ରୀତିନୀତିରେ ଭରି ରହିଥିଲା। ଯୀଶୁ ଲୋକମାନଙ୍କୁ ଉପାସନା କରିବାର ଏପରି ପଦ୍ଧତି ଶିଖାଉଥିଲେ, ଯାହା ସେସମୟର ଯିହୁଦୀ ଧର୍ମର ପରମ୍ପରାଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଯୀଶୁ ଏକ ପୁରୁଣା ଓ ଚିରା ଲୁଗାରେ ନୂଆ ଲୁଗାର ତାଳି ଦେବା କିମ୍ବା ପୁରୁଣା କୁମ୍ପାରେ ନୂଆ ଦ୍ରାକ୍ଷାରସ ଭରିବାକୁ ଆସି ନ ଥିଲେ।
୨୯ ଜାନୁୟାରୀ–୪ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୦-୧୧
“ଯୀଶୁ ଲୋକମାନଙ୍କୁ ସତେଜ କରୁଥିଲେ”
ଅଧ୍ୟୟନ ବାଇବଲ—ମାଥି ୧୦:୨୯, ୩୦ ଅଧ୍ୟୟନ ତଥ୍ୟ
ଘରଚଟିଆ: ଏହି ଶବ୍ଦ ପାଇଁ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦ ଷ୍ଟ୍ରୁଥିଓନ ଯେକୌଣସି ଛୋଟ ଚଢ଼େଇକୁ ବୁଝାଏ। କିନ୍ତୁ ଏହି ଶବ୍ଦ ସାଧାରଣତଃ ଘରଚଟିଆ ପାଇଁ ବ୍ୟବହୃତ ହେଉଥିଲା, ଯାହା ଭୋଜନ ପାଇଁ ସବୁଠାରୁ ଶସ୍ତା ଚଢ଼େଇ ଥିଲା।
ଗୋଟିଏ ପଇସାରେ: ଶା., “ଏକ ଅସାରିୟନ୍,” ଯାହା ଜଣେ ମଜୁରିଆର ୪୫ ମିନିଟ୍ର ମଜୁରି ଥିଲା। (ଅତି. ଖ୧୪ ଦେଖନ୍ତୁ।) ଯେତେବେଳେ ଯୀଶୁ ଗାଲିଲୀକୁ ତୃତୀୟ ଥର ପାଇଁ ଯାତ୍ରା କରୁଥିଲେ, ସେ କହିଲେ ଯେ ଦୁଇଟି ଘରଚଟିଆର ମୂଲ୍ୟ ଏକ ଅସାରିୟନ୍। ଅନ୍ୟ ଏକ ଘଟଣାରେ, ହୁଏତ ଗୋଟିଏ ବର୍ଷ ପରେ ଯିହୁଦାରେ ପ୍ରଚାର କରିବା ସମୟରେ, ଯୀଶୁ କହିଲେ ଯେ ପାଞ୍ଚଟି ଘରଚଟିଆର ମୂଲ୍ୟ ଦୁଇ ଅସାରିୟନ୍। (ଲୂକ ୧୨:୬) ଅର୍ଥାତ୍ ବ୍ୟାପାରୀମାନେ ଗୋଟିଏ ଘରଚଟିଆକୁ ବିନା ମୂଲ୍ୟରେ ଦେଇଦେଉଥିଲେ, ଯେଉଁଥିରୁ ଜଣାପଡ଼େ ଯେ ଘରଚଟିଆର ମୂଲ୍ୟ ଅତି କମ୍ ଥିଲା।
ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି: ଜଣେ ବ୍ୟକ୍ତିର ମୁଣ୍ଡରେ ହାରାହାରି ୧,୦୦,୦୦୦ କେଶ ଥାଏ ବୋଲି କୁହାଯାଏ। ଯିହୋବାଙ୍କର ଏପରି ଟିକିନିଖି ତଥ୍ୟ ରଖିବା ଆମକୁ ଭରସା ଦିଏ ଯେ ତାହାଙ୍କଠାରେ ଖ୍ରୀଷ୍ଟଙ୍କର ପ୍ରତ୍ୟେକ ଅନୁଗାମୀମାନଙ୍କ ପାଇଁ ଗଭୀର ଆଗ୍ରହ ରହିଛି।
ଅଧ୍ୟୟନ ବାଇବଲ—ମାଥି ୧୦:୨୯ ଚିତ୍ର
ଘରଚଟିଆ
ଖାଇବା ପାଇଁ ବିକ୍ରି ହେଉଥିବା ଚଢ଼େଇ ମଧ୍ୟରୁ ଘରଚଟିଆ ସବୁଠାରୁ ଶସ୍ତା ଥିଲା। ଜଣେ ମଜୁରିଆକୁ ୪୫ ମିନିଟ୍ କାମ କରି ଯେତେ ମଜୁରି ମିଳୁଥିଲା, ସେଥିରେ ଦୁଇଟି ଘରଚଟିଆ କିଣା ଯାଇପାରୁଥିଲା। ଘରଚଟିଆ ପାଇଁ ଯେଉଁ ଗ୍ରୀକ୍ ଶବ୍ଦ ବ୍ୟବହାର କରାଯାଇଛି, ତାʼର ଅର୍ଥ ବିଭିନ୍ନ ପ୍ରକାରର ଛୋଟ ଛୋଟ ଚଢ଼େଇ ହୋଇପାରନ୍ତି। ସେଗୁଡ଼ିକ ମଧ୍ୟରୁ ଦୁଇଟି ହେଲା, ସାଧାରଣ ଘରଚଟିଆ (ପାସେର୍ ଡୋମେଷ୍ଟିକସ୍ ବିବ୍ଲିକସ୍) ଓ ସ୍ପାନିଶ୍ ଘରଚଟିଆ (ପାସେର୍ ହିସ୍ପାନିଓଲେନ୍ସିସ୍), ଯାହା ଆଜି ମଧ୍ୟ ଇସ୍ରାଏଲ ଦେଶରେ ପ୍ରଚୁର ମାତ୍ରାରେ ଦେଖିବାକୁ ମିଳେ।
ଅଧ୍ୟୟନ ବାଇବଲ—ମାଥି ୧୧:୨୮ ଅଧ୍ୟୟନ ତଥ୍ୟ
ଭାରଗ୍ରସ୍ତ: ଯୀଶୁ ଯେଉଁ ଲୋକମାନଙ୍କୁ ନିଜ ପାଖକୁ ଆସିବା ପାଇଁ ସଙ୍କେତ ଦେଲେ, ସେମାନେ ଜୀବନର ଚିନ୍ତା ଓ କଠିନ କାମରେ “ଭାରଗ୍ରସ୍ତ” ହୋଇଯାଇଥିଲେ। ସେମାନଙ୍କ ପାଇଁ ଯିହୋବାଙ୍କ ଉପାସନା ମଧ୍ୟ ଏକ ଭାରସ୍ୱରୂପ ହୋଇଯାଇଥିଲା। କାରଣ ମୋଶାଙ୍କ ନିୟମରେ ମାନବୀୟ ପରମ୍ପରାଗୁଡ଼ିକ ଯୋଡ଼ି ଦିଆଯାଇଥିଲା। (ମାଥିଉ ୨୩:୪) ଏପରିକି ବିଶ୍ରାମ ଦିନ ମାନିବା ମଧ୍ୟ ଭାରସ୍ୱରୂପ ହୋଇଯାଇଥିଲା, ଯେଉଁଥିରୁ ସେମାନଙ୍କୁ ସତେଜତା ମିଳିବା ଉଚିତ୍ ଥିଲା।—ଯାତ୍ରା. ୨୩:୧୨; ମାର୍କ ୨:୨୩-୨୮; ଲୂକ ୬:୧-୧୧.
ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି [ମୁଁ ତୁମ୍ଭମାନଙ୍କୁ ସତେଜ କରିବି, NW]: “ସତେଜ” ପାଇଁ ଗ୍ରୀକ୍ ଶବ୍ଦର ଅର୍ଥ ହୋଇପାରେ ବିଶ୍ରାମ (ମାଥି ୨୬:୪୫; ମାର୍କ ୬:୩୧) କିମ୍ବା ଆଶ୍ୱାସ ବା ଆଶ୍ୱସ୍ତ, ଯେଉଁଥିରୁ ଶରୀରକୁ ପୁଣିଥରେ ଶକ୍ତି ମିଳିଥାଏ। (୨କରି ୭:୧୩; ଫିଲୀ ୭) ଏଠାକାର ପ୍ରସଙ୍ଗରୁ ଜଣାପଡ଼େ ଯେ ଯୀଶୁଙ୍କର “ଜୁଆଳି” ଉଠାଇବାରେ (ମାଥି ୧୧:୨୯) କାମ କରିବା ସାମିଲ୍ ରହିଛି, ବିଶ୍ରାମ କରିବା ନୁହଁ। ତେଣୁ ଏଠାରେ ଯୀଶୁ କହୁଥିଲେ ଯେ କ୍ଳାନ୍ତ ଲୋକମାନଙ୍କୁ ସେ ପୁଣିଥରେ ସତେଜ କରିବେ ଏବଂ ସେମାନଙ୍କ ଶରୀରରେ ଶକ୍ତି ଭରିଦେବେ, ଯାହାଫଳରେ ସେମାନେ ତାହାଙ୍କ ହାଲୁକା ଜୁଆଳିକୁ ସହଜରେ ଓ ଆନନ୍ଦରେ ଉଠାଇପାରିବେ।
ଅଧ୍ୟୟନ ବାଇବଲ—ମାଥି ୧୧:୨୯ ଅଧ୍ୟୟନ ତଥ୍ୟ
ମୋହର ଜୁଆଳି ଆପଣା ଆପଣା ଉପରେ ଘେନ: ଯୀଶୁ ଏଠାରେ “ଜୁଆଳି” ଶବ୍ଦକୁ ଲାକ୍ଷଣିକ ଭାବେ ବ୍ୟବହାର କଲେ, ଯାହାକୁ ଉଠାଇବାର ଅର୍ଥ ହେଉଛି, ଅଧିକାର ସ୍ୱୀକାର କରିବା ଏବଂ ନିର୍ଦ୍ଦେଶ ପାଳନ କରିବା। ଯଦି ଯୀଶୁଙ୍କ ମନରେ ଦୁଇଟି ପଶୁ ଉପରେ ରଖାଯାଉଥିବା ଜୁଆଳି ଥିଲା, ତେବେ ସତେ ଯେପରି ସେ କହୁଥିଲେ ଯେ ଯିହୋବା ତାହାଙ୍କ ଉପରେ ଯେଉଁ ଜୁଆଳି ରଖିଥିଲେ, ସେଥିରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ସହିତ ଭାର ବହନ କରିବେ ଏବଂ ସେ ସେମାନଙ୍କୁ ସାହାଯ୍ୟ କରିବେ। ତେବେ ‘ମୋହର ଜୁଆଳି ଆପଣା ଆପଣା ଉପରେ ଘେନର’ ଅନୁବାଦ ଏପରି କରାଯାଇପାରେ: “ମୋ ସହିତ ମୋହର ଜୁଆଳି ବହନ କର।” କିନ୍ତୁ, ଯଦି ତାହାଙ୍କ କହିବାର ଅର୍ଥ ଥିଲା ଯେ ସେ ନିଜେ ଶିଷ୍ୟମାନଙ୍କ ଉପରେ ଜୁଆଳି ରଖିଛନ୍ତି, ତେବେ ସେ ସେମାନଙ୍କୁ ତାହାଙ୍କ ଅଧୀନରେ ରହିବାକୁ କହୁଥିଲେ, ଅର୍ଥାତ୍ ତାହାଙ୍କ ଅଧିକାରକୁ ସ୍ୱୀକାର କରିବା ଏବଂ ତାହାଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବାକୁ କହୁଥିଲେ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୯୬ ¶୨-୩
ଯୋହନ ଯୀଶୁଙ୍କଠାରୁ କିଛି ଜାଣିବାକୁ ଚାହୁଁଥିଲେ
କʼଣ ଆପଣ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଯୋହନ ଏହି ପ୍ରଶ୍ନ କାହିଁକି କଲେ? ଯୋହନ ଈଶ୍ୱରଙ୍କର ଜଣେ ବିଶ୍ୱସ୍ତ ସେବକ ଥିଲେ। ପ୍ରାୟ ଦୁଇ ବର୍ଷ ପୂର୍ବେ ଯେତେବେଳେ ସେ ଯୀଶୁଙ୍କୁ ବାଯ୍ତିସ୍ମ ଦେଲେ, ସେ ତାହାଙ୍କ ଉପରେ ପବିତ୍ର ଶକ୍ତି ଓହ୍ଲାଇବାର ଦେଖିଥିଲେ। ସେ ଯିହୋବାଙ୍କର ଏହି ବାଣୀ ମଧ୍ୟ ଶୁଣିଥିଲେ ଯେ ସେ ଯୀଶୁଙ୍କୁ ମଞ୍ଜୁର କରିଛନ୍ତି। କʼଣ ବର୍ତ୍ତମାନ ଯୋହନଙ୍କ ବିଶ୍ୱାସ ଦୁର୍ବଳ ହୋଇଗଲା? ଯଦି ଏପରି ହୋଇଥାʼନ୍ତା, ତେବେ ଯୀଶୁ ଯୋହନଙ୍କର ଏତେ ପ୍ରଶଂସା କରି ନ ଥାʼନ୍ତେ, ଯେପରି ସେ ଏହି ଘଟଣାରେ କରିଥିଲେ। ଯୋହନଙ୍କ ମନରେ ଯୀଶୁଙ୍କୁ ନେଇ କୌଣସି ସନ୍ଦେହ ନ ଥିଲା। ତେବେ ସେ ଏହି ପ୍ରଶ୍ନ କାହିଁକି କଲେ?
ହୁଏତ ଯୋହନ ଯୀଶୁଙ୍କଠାରୁ ସିଧାସଳଖ ଜାଣିବାକୁ ଚାହୁଁଥିଲେ ଯେ ସେ ହିଁ ଖ୍ରୀଷ୍ଟ ଅଟନ୍ତି। ଏହା ଜାଣିବା ଦ୍ୱାରା ତାଙ୍କୁ କାରାଗାରରେ ଜୀବନ କାଟିବାକୁ ସାହସ ମିଳନ୍ତା। ତାଙ୍କ ପ୍ରଶ୍ନ କରିବାର ହୁଏତ ଆଉ ଏକ କାରଣ ରହିଥିଲା। ବାଇବଲର କିଛି ଭବିଷ୍ୟତବାଣୀଗୁଡ଼ିକରେ କୁହାଯାଇଥିଲା ଯେ ଈଶ୍ୱରଙ୍କ ଅଭିଷିକ୍ତ ବ୍ୟକ୍ତି ଜଣେ ରାଜା ଓ ଉଦ୍ଧାରକର୍ତ୍ତା ହେବେ। ଯୋହନ ସେହି ଭବିଷ୍ୟତବାଣୀଗୁଡ଼ିକ ସହିତ ପରିଚିତ ଥିଲେ। କିନ୍ତୁ ଯୀଶୁଙ୍କ ବାଯ୍ତିସ୍ମର ଅନେକ ମାସ ପରେ ମଧ୍ୟ ଯୋହନ କାରାଗାରରୁ ବାହାରି ନ ଥିଲେ। ତେଣୁ ସେ ପଚାରୁଥିଲେ ଯେ କʼଣ ଯୀଶୁଙ୍କ ପରେ ଆଉ କେହି ଆସିବେ, ଯିଏ ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ଅବଶିଷ୍ଟ ଭବିଷ୍ୟତବାଣୀଗୁଡ଼ିକୁ ପୂରଣ କରିବେ।
ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୯୮ ¶୧-୨
ଯୀଶୁ ସମ୍ବେଦନହୀନ ଲୋକଙ୍କର ପିଢ଼ିକୁ ଧିକ୍କାର କଲେ
ଯୀଶୁଙ୍କ ହୃଦୟରେ ବାଯ୍ତିଜକ ଯୋହନଙ୍କ ପ୍ରତି ଖୁବ୍ ଆଦର ଥିଲା। କିନ୍ତୁ ଅଧିକାଂଶ ଲୋକ ଯୋହନଙ୍କୁ କିପରି ଦୃଷ୍ଟିରେ ଦେଖୁଥିଲେ? ଯୀଶୁ ସେସମୟର ପିଢ଼ି ବିଷୟରେ କହିଲେ: “ଯେଉଁ ପିଲାମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ, ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।”—ମାଥି ୧୧:୧୬, ୧୭.
ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ଥିଲା? ଏବିଷୟରେ ବୁଝାଇବାକୁ ଯାଇ ସେ କହନ୍ତି: “ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ସେ ଭୂତଗ୍ରସ୍ତ। ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।” (ମାଥିଉ ୧୧:୧୮, ୧୯) ଗୋଟିଏ ପଟେ, ଯୋହନ ଜଣେ ନାସରୀୟ ହୋଇଥିବାରୁ ସରଳ ଜୀବନଯାପନ କରୁଥିଲେ, ଏପରିକି ଦ୍ରାକ୍ଷାରସ ମଧ୍ୟ ପିଉ ନ ଥିଲେ। (ଗଣନା ପୁସ୍ତକ ୬:୨, ୩; ଲୂକ ୧:୧୫) ଅନ୍ୟ ପଟେ, ଯୀଶୁ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରୁଥିଲେ। ସେ ସୀମାରେ ରହି ଖାଇବାପିଇବା କରୁଥିଲେ, କିନ୍ତୁ ଲୋକେ ତାହାଙ୍କୁ ପେଟୁକ ଓ ମଦୁଆ କହୁଥିଲେ। ଏପରି ଲାଗେ ଯେ ଏହି ପିଢ଼ିର ଲୋକଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ।