ମାର୍ଚ୍ଚ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୫-୧୧ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୦-୨୧
“ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”
ଅଧ୍ୟୟନ ବାଇବଲ—ଚିତ୍ର
ବଜାର
କିଛି ବଜାର ରାସ୍ତା କଡ଼ରେ ବସୁଥିଲା, ଠିକ୍ ଯେପରି ଏଠାରେ ଚିତ୍ରରେ ଦର୍ଶାଯାଇଛି। ଦୋକାନୀମାନେ ରାସ୍ତାରେ ଏତେ ବେଶି ଜିନିଷପତ୍ର ରଖୁଥିଲେ ଯେ ରାସ୍ତା ଜାମ୍ ହୋଇଯାଉଥିଲା। ଆଖପାଖର ଲୋକମାନେ ବଜାରରୁ ଘରୋଇ ସାମଗ୍ରୀ, ମାଟି ତିଆରି ପାତ୍ର, କାଚ ତିଆରି ଦାମିକା ଜିନିଷ ଓ ତଟକା ପନିପରିବା କିଣୁଥିଲେ। କାରଣ ସେସମୟରେ ଫ୍ରିଜ୍ ନ ଥିଲା, ତେଣୁ ଲୋକମାନଙ୍କୁ ପନିପରିବା କିଣିବା ପାଇଁ ପ୍ରତିଦିନ ବଜାରକୁ ଯିବାକୁ ପଡ଼ୁଥିଲା। ସେଠାରେ ଲୋକମାନେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବ୍ୟବସାୟୀ ଓ ଅନ୍ୟ ଲୋକମାନଙ୍କଠାରୁ ଖବରଗୁଡ଼ିକ ଜାଣିପାରୁଥିଲେ। ଛୋଟ ପିଲାମାନେ ସେଠାରେ ଖେଳୁଥିଲେ ଏବଂ ଯେଉଁମାନଙ୍କ ପାଖରେ କିଛି କାମଧନ୍ଦା ନ ଥିଲା, ସେମାନେ କାମ ଖୋଜୁଥିଲେ। ଯୀଶୁ ଖ୍ରୀଷ୍ଟ ବଜାରରେ ରୋଗୀମାନଙ୍କୁ ସୁସ୍ଥ କରୁଥିଲେ ଏବଂ ପାଉଲ ପ୍ରଚାର କରୁଥିଲେ। (ପ୍ରେରି ୧୭:୧୭) ଅନ୍ୟପକ୍ଷରେ, ଗର୍ବୀ ଶାସ୍ତ୍ରୀ ଓ ଫାରୂଶୀମାନେ ଏଭଳି ସର୍ବସାଧାରଣ ଜାଗାଗୁଡ଼ିକରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କଠାରୁ ନମସ୍କାର ପାଇବା ପସନ୍ଦ କରୁଥିଲେ।
ଅଧ୍ୟୟନ ବାଇବଲ—ମାଥି ୨୦:୨୦, ୨୧ ଅଧ୍ୟୟନ ତଥ୍ୟ
ଜେବଦୀଙ୍କ ପୁତ୍ରମାନଙ୍କ ମାତା: ଅର୍ଥାତ୍ ପ୍ରେରିତ ଯାକୁବ ଓ ଯୋହନଙ୍କ ମାʼ। ମାର୍କଙ୍କ କହିବା ଅନୁସାରେ ଯାକୁବ ଓ ଯୋହନ ଯୀଶୁଙ୍କୁ ଅନୁରୋଧ କରିଥିଲେ। ଏହା ସତ ଯେ ଏହି ଅନୁରୋଧ ସେମାନଙ୍କର ହିଁ ଥିଲା, କିନ୍ତୁ ସେମାନେ ନିଜ ମାʼ ଶଲୋମୀଙ୍କ ଜରିଆରେ ଏପରି କରିଥିଲେ। ଶଲୋମୀ ହୁଏତ ଯୀଶୁଙ୍କର ମାଉସୀ ଥିଲେ।—ମାଥି ୨୭:୫୫, ୫୬; ମାର୍କ ୧୫:୪୦, ୪୧; ଯୋହ ୧୯:୨୫.
ଜଣେ ଆପଣଙ୍କ ଦକ୍ଷିଣ ପାଶ୍ୱରେ ଓ ଅନ୍ୟ ଜଣେ ବାମ ପାଶ୍ୱରେ: ଏଠାରେ ଦୁଇଟିଯାକ ପଦବୀ ସମ୍ମାନ ଓ ଅଧିକାରକୁ ଦର୍ଶାଏ। କିନ୍ତୁ ଦକ୍ଷିଣ ପାଶ୍ୱର ପଦବୀକୁ ସର୍ବଦା ସବୁଠାରୁ ଅଧିକ ସମ୍ମାନଜନକ ବୋଲି ମନେ କରାଯାଏ।—ଗୀତ ୧୧୦:୧; ପ୍ରେରି ୭:୫୫, ୫୬; ରୋମୀ ୮:୩୪.
ଅଧ୍ୟୟନ ବାଇବଲ—ମାଥି ୨୦:୨୬, ୨୮ ଅଧ୍ୟୟନ ତଥ୍ୟ
ସେବକ: କିମ୍ବା “ଦାସ।” ଯେଉଁ ବ୍ୟକ୍ତି ଲଗାତାର ନମ୍ରତାର ସହିତ ଅନ୍ୟମାନଙ୍କର ସେବା କରୁଥିଲା, ସେହିପରି ବ୍ୟକ୍ତି ପାଇଁ ବାଇବଲରେ ଅନେକ ସମୟରେ ଗ୍ରୀକ୍ ଶବ୍ଦ ଡିଆକୋନୋସ୍ ବ୍ୟବହାର କରାଯାଉଥିଲା। ଏହି ଶବ୍ଦଟିକୁ ଖ୍ରୀଷ୍ଟ (ରୋମୀ ୧୫:୮), ଖ୍ରୀଷ୍ଟଙ୍କ ସେବକ (୧କରି ୩:୫-୭; କଲ ୧:୨୩), ସହାୟକ ସେବକ (ଫିଲିପ୍ ୧:୧; ୧ତୀମ ୩:୮), ଘରର କର୍ମଚାରୀ (ଯୋହ ୨:୫, ୯) ଏବଂ ସରକାରୀ ଅଧିକାରୀମାନଙ୍କ (ରୋମୀ ୧୩:୪) ପାଇଁ ମଧ୍ୟ ବ୍ୟବହାର କରାଯାଇଛି।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୨୧:୯ ଅଧ୍ୟୟନ ତଥ୍ୟ
ହୋଶାନ୍ନା: ଏହି ଗ୍ରୀକ୍ ଶବ୍ଦଟି ଏପରି ଏବ୍ରୀ ଶବ୍ଦସମୂହରୁ ଆସିଛି, ଯାହାର ଅର୍ଥ “ଆମେ ପ୍ରାର୍ଥନା କରୁଛୁ, ରକ୍ଷା କରନ୍ତୁ” କିମ୍ବା “ଦୟାକରି ରକ୍ଷା କରନ୍ତୁ।” ଏଠାରେ ଏହି ଶବ୍ଦର ଅର୍ଥ ହେଉଛି, ଉଦ୍ଧାର ପାଇବା କିମ୍ବା ବିଜୟୀ ହେବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା। ଏହାର ଅର୍ଥ “ଦୟାକରି ପରିତ୍ରାଣ କରନ୍ତୁ” ମଧ୍ୟ ହୋଇପାରେ। ସମୟକ୍ରମେ ଏହି ଶବ୍ଦଟି ଉଭୟ ପ୍ରାର୍ଥନା ଓ ମହିମା କରିବାରେ ବ୍ୟବହାର ହେବାକୁ ଲାଗିଲା। ଏହାର ଏବ୍ରୀ ଶବ୍ଦସମୂହ ଗୀତ ୧୧୮:୨୫ ପଦରେ ଦେଖିବାକୁ ମିଳେ। ଏହି ପଦ ‘ହାଲ୍ଲେଲ୍ ଗୀତର’ ଏକ ଅଂଶ, ଯାହା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଗାନ କରାଯାଉଥିଲା। ତେଣୁ ଏହି ଶବ୍ଦଗୁଡ଼ିକ ଲୋକମାନଙ୍କୁ ସହଜରେ ଏହି ଅବସରରେ ମନେ ପଡ଼ୁଥିଲା। ଏହି ପ୍ରାର୍ଥନାର ଉତ୍ତର ଈଶ୍ୱର ଅନେକ ଉପାୟରେ ଦେଲେ। ସେମଧ୍ୟରୁ ଗୋଟିଏ ଥିଲା ଯେ ସେ ଦାଉଦଙ୍କ ସନ୍ତାନ ଅର୍ଥାତ୍ ଯୀଶୁଙ୍କୁ ମୃତ୍ୟୁ ପରେ ପୁଣିଥରେ ଜୀବିତ କଲେ। ମାଥି ୨୧:୪୨ ପଦରେ ଯୀଶୁ ଗୀତ ୧୧୮:୨୨, ୨୩ ପଦରେ ଥିବା ଶବ୍ଦଗୁଡ଼ିକୁ ଉଲ୍ଲେଖ କରି ଦେଖାଇଲେ ଯେ ତାହା ଖ୍ରୀଷ୍ଟଙ୍କ ବିଷୟରେ ଥିଲା।
ଦାଉଦ-ସନ୍ତାନ: ଏହି ଶବ୍ଦସମୂହରୁ ଜଣାପଡ଼େ ଯେ ଯୀଶୁ କେଉଁ ବଂଶରୁ ଆସିଲେ ଏବଂ ସେ ହିଁ ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଥିଲେ।
ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୨୪୪ ¶୪-୬
ଡିମିରି ଗଛ—ବିଶ୍ୱାସ ବିଷୟରେ ଶିକ୍ଷା
କିନ୍ତୁ ଯୀଶୁ ଡିମିରି ଗଛକୁ ଶୁଖିଯିବା ପାଇଁ କାହିଁକି କହିଲେ? ସେ ବିଶ୍ୱାସ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେବାକୁ ଚାହୁଁଥିଲେ। ସେ କହିଲେ: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମିରି ଗଛ ପ୍ରତି ଯେପରି କରାଯାଇଅଛି, କେବଳ ଯେ ସେପରି କରିବ, ତାହା ନୁହେଁ, ମାତ୍ର ଯଦି ଏହି ପର୍ବତକୁ ସୁଦ୍ଧା ତୁ ଉଠି ସମୁଦ୍ରରେ ଯାଇ ପଡ଼୍ ବୋଲି କହିବ, ତାହାହେଲେ ତାହା ଘଟିବ। ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।” (ମାଥିଉ ୨୧:୨୧, ୨୨) ଏହି କଥାକୁ ସେ ଆଗରୁ ମଧ୍ୟ ଥରେ କହିଥିଲେ। ସେ କହିଥିଲେ ଯେ ଯଦି ବିଶ୍ୱାସ ଥାଏ, ତେବେ ପର୍ବତକୁ ଘୁଞ୍ଚାଇବା ମଧ୍ୟ ସମ୍ଭବ ହୋଇପାରିବ।—ମାଥିଉ ୧୭:୨୦.
ତେଣୁ ଡିମିରି ଗଛକୁ ଶୁଖାଇ ଯୀଶୁ ବିଶ୍ୱାସ ରଖିବା ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦେଉଥିଲେ। ସେ କହିଲେ: “ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ।” (ମାର୍କ ୧୧:୨୪) ଯୀଶୁଙ୍କ ସମସ୍ତ ଶିଷ୍ୟମାନେ ଏହି ଶିକ୍ଷାକୁ ସର୍ବଦା ମନେ ରଖିବା ଉଚିତ୍। ବିଶେଷ କରି ଯୀଶୁଙ୍କ ପ୍ରେରିତମାନଙ୍କ ପାଇଁ ଏହା ଅତି ଜରୁରୀ ଥିଲା, କାରଣ ସେମାନଙ୍କୁ ଖୁବ୍ ଶୀଘ୍ର କଠିନ ସମସ୍ୟାଗୁଡ଼ିକର ସାମନା କରିବାର ଥିଲା। ଡିମିରି ଗଛ ଶୁଖିଯିବା ଏହା ମଧ୍ୟ ଦର୍ଶାଏ ଯେ ଈଶ୍ୱରଙ୍କ ଉପରେ ବିଶ୍ୱାସର ଅଭାବ ଯୋଗୁଁ ଇସ୍ରାଏଲୀୟମାନଙ୍କର ଅବସ୍ଥା କʼଣ ହେବାକୁ ଯାଉଥିଲା।
ଇସ୍ରାଏଲ ରାଷ୍ଟ୍ର ମଧ୍ୟ ଏହି ଡିମିରି ଗଛ ଭଳି କେବଳ ବାହାରୁ ଭଲ ଦେଖା ଯାଉଥିଲା। ଏହି ରାଷ୍ଟ୍ର ସହିତ ଈଶ୍ୱର ଏକ ନିୟମ ବା ଚୁକ୍ତି କରିଥିଲେ। ଏହି ରାଷ୍ଟ୍ରର ଲୋକେ ଭାବୁଥିଲେ ଯେ ସେମାନେ ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରୁଛନ୍ତି। କିନ୍ତୁ ରାଷ୍ଟ୍ରର ଅଧିକାଂଶ ଲୋକଙ୍କଠାରେ ବିଶ୍ୱାସ ନ ଥିଲା ଏବଂ ସେମାନେ ଭଲ ଫଳ ଉତ୍ପନ୍ନ କରୁ ନ ଥିଲେ, ଅର୍ଥାତ୍ ସର୍ବଦା ମନ୍ଦ କାମରେ ବୁଡ଼ି ରହିଥିଲେ। ସେମାନେ ଏପରିକି ଈଶ୍ୱରଙ୍କ ପୁତ୍ରଙ୍କୁ ମଧ୍ୟ ଗ୍ରହଣ କଲେ ନାହିଁ! ଏହିପରି ଭାବେ ଡିମିରି ଗଛର ଦୃଷ୍ଟାନ୍ତ ସାହାଯ୍ୟରେ ଯୀଶୁ ଶିଖାଉଥିଲେ ଯେ ଅବିଶ୍ୱାସୀ ଇସ୍ରାଏଲ ରାଷ୍ଟ୍ରର ପରିଣାମ ଆଗକୁ କʼଣ ହେବ।
୧୨-୧୮ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୨-୨୩
“ଶ୍ରେଷ୍ଠ ଆଜ୍ଞା ଦୁଇଟିକୁ ପାଳନ କରନ୍ତୁ”
ଅଧ୍ୟୟନ ବାଇବଲ—ମାଥି ୨୨:୩୭ ଅଧ୍ୟୟନ ତଥ୍ୟ
ଅନ୍ତଃକରଣ: ଯେତେବେଳେ ଏହି ଶବ୍ଦକୁ ଲାକ୍ଷଣିକ ଭାବରେ ବ୍ୟବହାର କରାଯାଏ, ଏହା ସାଧାରଣତଃ ସୂଚାଏ ଯେ ଜଣେ ବ୍ୟକ୍ତି ହୃଦୟରୁ କିପରି ଅଟେ। କିନ୍ତୁ, ଯେତେବେଳେ ଏହାକୁ “ପ୍ରାଣ” ଓ “ମନ” ସହିତ ଉଲ୍ଲେଖ କରାଯାଏ, ସେତେବେଳେ ଏହାର ଆହୁରି ନିର୍ଦ୍ଦିଷ୍ଟ ଅର୍ଥ ରହିଥାଏ ଏବଂ ଏହା ଜଣେ ବ୍ୟକ୍ତିର ଆବେଗ, ଇଚ୍ଛା ଓ ଭାବନାକୁ ସୂଚାଏ। ଏଠାରେ ବ୍ୟବହୃତ ହୋଇଥିବା ତିନୋଟିଯାକ ଶବ୍ଦର (ଅନ୍ତଃକରଣ, ପ୍ରାଣ ଓ ମନ) ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଅର୍ଥ ନାହିଁ, ବରଂ ସେଗୁଡ଼ିକର ଅର୍ଥରେ କିଛି ସାମଞ୍ଜସ୍ୟ ରହିଛି। ଈଶ୍ୱରଙ୍କ ପ୍ରତି ଗଭୀର ଓ ବିଶ୍ୱସ୍ତ ପ୍ରେମ ରହିବା କେତେ ଜରୁରୀ, ଏହା ଉପରେ ଜୋର୍ ଦେବା ପାଇଁ ଏହି ଶବ୍ଦଗୁଡ଼ିକର ବ୍ୟବହାର କରାଯାଇଛି।
ପ୍ରାଣ: କିମ୍ବା “ସମ୍ପୂର୍ଣ୍ଣ ବ୍ୟକ୍ତି।”
ମନ: ଯଦି ଜଣେ ବ୍ୟକ୍ତି ଈଶ୍ୱରଙ୍କୁ ଜାଣିବାକୁ ଚାହେଁ ଏବଂ ତାହାଙ୍କ ପାଇଁ ପ୍ରେମ ବଢ଼ାଇବାକୁ ଚାହେଁ, ତେବେ ସେ ନିଜ ମାନସିକ ସାମର୍ଥ୍ୟ ବ୍ୟବହାର କରିବା ଉଚିତ୍। (ଯୋହ ୧୭:୩; ରୋମୀ ୧୨:୧) ଏଠାରେ ଦ୍ୱିବି ୬:୫ ପଦରେ ଥିବା କଥା ଲେଖାଯାଇଛି ଏବଂ ମୂଳ ଏବ୍ରୀ ଭାଷାରେ ଏହି ପଦରେ ବ୍ୟବହୃତ ହୋଇଥିବା ତିନୋଟି ଶବ୍ଦ ହେଉଛି, ‘ଅନ୍ତଃକରଣ, ପ୍ରାଣ ଓ ଶକ୍ତି।’ କିନ୍ତୁ, ଯେତେବେଳେ ମାଥିଉ ଗ୍ରୀକ୍ ଭାଷାରେ ଏହି ପଦର ଅନୁବାଦ କଲେ, ସେ “ଶକ୍ତି” ଜାଗାରେ “ମନ” ଶବ୍ଦ ବ୍ୟବହାର କଲେ। ଏପରି କରିବାର ଅନେକ କାରଣ ହୋଇପାରେ। ପ୍ରଥମତଃ, ପ୍ରାଚୀନ ଏବ୍ରୀ ଭାଷାରେ “ମନ” ଶବ୍ଦ ପାଇଁ କୌଣସି ନିର୍ଦ୍ଦିଷ୍ଟ ଶବ୍ଦ ନ ଥିଲା। କିନ୍ତୁ ଏହାର ଅର୍ଥ ସାଧାରଣତଃ ‘ଅନ୍ତଃକରଣର’ ଏବ୍ରୀ ଶବ୍ଦରେ ସାମିଲ୍ ଥିଲା। ଯେତେବେଳେ ଏବ୍ରୀ ଭାଷାରେ ଅନ୍ତଃକରଣ ଶବ୍ଦ ଲାକ୍ଷଣିକ ଭାବେ ବ୍ୟବହୃତ ହେଉଥିଲା, ଏହା ଜଣେ ବ୍ୟକ୍ତି ହୃଦୟରୁ କିପରି, ତାହା ଦର୍ଶାଉଥିଲା, ଯେଉଁଥିରେ ତାʼର ଚିନ୍ତାଧାରା, ଭାବନା, ଦୃଷ୍ଟିକୋଣ ଓ ଇଚ୍ଛା ସାମିଲ୍ ଥିଲା। (ଦ୍ୱିବି ୨୯:୪; ଗୀତ ୨୬:୨; ୬୪:୬; ଏହି ପଦରେ ଥିବା ଅନ୍ତଃକରଣ ଉପରେ ଅଧ୍ୟୟନ ତଥ୍ୟ ଦେଖନ୍ତୁ।) ତେଣୁ ଏବ୍ରୀ ଶାସ୍ତ୍ରରେ ଯେଉଁ ଜାଗାରେ “ଅନ୍ତଃକରଣ” ଶବ୍ଦ ବ୍ୟବହୃତ ହୋଇଛି, ସେଠାରେ ଗ୍ରୀକ୍ ସେପ୍ଟୁଆଜେଣ୍ଟ୍ରେ ସାଧାରଣତଃ “ମନ” ଶବ୍ଦ ବ୍ୟବହୃତ ହୋଇଛି। (ଆଦି ୮:୨୧; ୧୭:୧୭; ହିତୋ ୨:୧୦; ଯିଶା ୧୪:୧୩) ଦ୍ୱିତୀୟତଃ, “ଶକ୍ତି” ଶବ୍ଦର ଏବ୍ରୀ ଶବ୍ଦରେ ଶାରୀରିକ ଓ ମାନସିକ ଶକ୍ତି ଉଭୟ ସାମିଲ୍ ହୋଇପାରେ। ଏହାର କାରଣ ଯାହା ମଧ୍ୟ ହେଉ ନା କାହିଁକି, ଏହି ଏବ୍ରୀ ଓ ଗ୍ରୀକ୍ ଶବ୍ଦଗୁଡ଼ିକର ଅର୍ଥ ପରସ୍ପର ପ୍ରାୟ ମେଳ ଖାଉଥିଲା ଏବଂ କିଛି ଅର୍ଥ ସମ୍ପୂର୍ଣ୍ଣ ଅଲଗା ମଧ୍ୟ ଥିଲା। ତେଣୁ ସୁସମାଚାର ବହିଗୁଡ଼ିକର ଲେଖକମାନେ ଦ୍ୱିତୀୟ ବିବରଣର କଥାକୁ ଲେଖିବା ସମୟରେ ଏକାଭଳି ଶବ୍ଦ ବ୍ୟବହାର କରି ନ ଥିଲେ।
ଅଧ୍ୟୟନ ବାଇବଲ—ମାଥି ୨୨:୩୯ ଅଧ୍ୟୟନ ତଥ୍ୟ
ଦ୍ୱିତୀୟଟି: ଫାରୂଶୀ ଜଣକର ପ୍ରଶ୍ନର ସିଧାସଳଖ ଉତ୍ତର ଯୀଶୁ କିପରି ଦେଇଥିଲେ, ତାହା ମାଥି ୨୨:୩୭ ପଦରେ ଲେଖାଯାଇଛି। କିନ୍ତୁ ଯୀଶୁ ଉତ୍ତରରେ ଆଉ ଏକ ଆଜ୍ଞା ବିଷୟରେ କହିଥିଲେ। (ଲେବୀ ୧୯:୧୮) ଏହିପରି ଭାବେ ସେ ଶିଖାଇଲେ ଯେ ଏହି ଉଭୟ ଆଜ୍ଞାଗୁଡ଼ିକର ପରସ୍ପର ମଧ୍ୟରେ ସମ୍ପର୍କ ରହିଛି ଏବଂ ଏହି ଆଜ୍ଞାଗୁଡ଼ିକ ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଶିକ୍ଷାଗୁଡ଼ିକ ଆଧାରିତ।—ମାଥି ୨୨:୪୦.
ପ୍ରତିବାସୀ: ଶା., “ଯିଏ ପାଖରେ ରହେ।” ଏହାର ଗ୍ରୀକ୍ ଶବ୍ଦର ଅର୍ଥ କେବଳ ଆଖପାଖରେ ରହୁଥିବା ଲୋକମାନଙ୍କୁ ସୂଚାଇ ନ ଥାଏ, ବରଂ ଏପରି ଲୋକମାନଙ୍କୁ ମଧ୍ୟ ସୂଚାଏ, ସାଧାରଣତଃ ଯେଉଁମାନଙ୍କ ସମ୍ପର୍କରେ ଜଣେ ବ୍ୟକ୍ତି ଆସିଥାଏ।—ଲୂକ ୧୦:୨୯-୩୭; ରୋମୀ ୧୩:୮-୧୦.
ଅଧ୍ୟୟନ ବାଇବଲ—ମାଥି ୨୨:୪୦ ଅଧ୍ୟୟନ ତଥ୍ୟ
ବ୍ୟବସ୍ଥା ଓ ଭାବବାଦୀ: “ବ୍ୟବସ୍ଥା” ଶବ୍ଦ ଆଦି ପୁସ୍ତକଠାରୁ ଦ୍ୱିତୀୟ ବିବରଣ ପର୍ଯ୍ୟନ୍ତ ବାଇବଲ ବହିଗୁଡ଼ିକୁ ସୂଚାଇଥାଏ। “ଭାବବାଦୀ” ଶବ୍ଦ ଭବିଷ୍ୟଦ୍ବକ୍ତାମାନଙ୍କ ଦ୍ୱାରା ଲିଖିତ ଏବ୍ରୀ ଶାସ୍ତ୍ରର ବହିଗୁଡ଼ିକୁ ସୂଚାଇଥାଏ। କିନ୍ତୁ, ଯେତେବେଳେ ଉଭୟ ଶବ୍ଦ ଏକା ସାଙ୍ଗରେ ଥାଏ, ସେତେବେଳେ ଏହାର ଅର୍ଥ ସମ୍ପୂର୍ଣ୍ଣ ଏବ୍ରୀ ଶାସ୍ତ୍ର ହୋଇପାରେ।—ମାଥି ୭:୧୨; ୨୨:୪୦; ଲୂକ ୧୬:୧୬.
ନିର୍ଭର କରେ: ଏହାର ଗ୍ରୀକ୍ କ୍ରିୟାର ଶାବ୍ଦିକ ଅର୍ଥ ହେଉଛି, “ଟଙ୍ଗାଇବା।” କିନ୍ତୁ ଏଠାରେ ଏହି କ୍ରିୟା ଲାକ୍ଷଣିକ ଭାବେ ବ୍ୟବହୃତ ହୋଇଛି, ଯାହାର ଅର୍ଥ “ଆଧାରିତ ହେବା” ମଧ୍ୟ ହୋଇପାରେ। ଏହିପରି ଭାବେ ଯୀଶୁ ବୁଝାଇବାକୁ ଚାହୁଁଥିଲେ ଯେ ସମ୍ପୂର୍ଣ୍ଣ ଏବ୍ରୀ ଶାସ୍ତ୍ର ପ୍ରେମ ଉପରେ ଆଧାରିତ, କେବଳ ବ୍ୟବସ୍ଥା ଓ ସେଥିରେ ଥିବା ଦଶ ଆଜ୍ଞା ନୁହେଁ।—ରୋମୀ ୧୩:୯.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୨୨:୨୧ ଅଧ୍ୟୟନ ତଥ୍ୟ
କାଇସରଙ୍କର ଯାହା, ତାହା କାଇସରଙ୍କୁ: ଯୀଶୁ ରୋମୀୟ ସମ୍ରାଟ କାଇସରଙ୍କ ବିଷୟରେ କହିଥିବା ସମାନ କଥାକୁ ଏହି ପଦରେ ଏବଂ ମାର୍କ ୧୨:୧୭ ଓ ଲୂକ ୨୦:୨୫ ପଦରେ ଲେଖାଯାଇଛି। ଏହା ହିଁ ଏକମାତ୍ର ଘଟଣା, ଯାହା ଯୀଶୁ କାଇସରଙ୍କ ବିଷୟରେ କହିଥିଲେ। “କାଇସରଙ୍କର ଯାହା” ତାହା ତାଙ୍କୁ ଦେବାର ଅର୍ଥ ହେଉଛି, ସରକାରଙ୍କଠାରୁ ମିଳୁଥିବା ସେବାଗୁଡ଼ିକର ମୂଲ୍ୟ ଦେବା, ସରକାରୀ ଅଧିକାରୀମାନଙ୍କୁ ଆଦର କରିବା ଏବଂ ସେମାନଙ୍କ ଅଧୀନରେ ରହିବା।—ରୋମୀ ୧୩:୧-୭.
ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ: ଏଥିରେ ଏସବୁ ସାମିଲ୍ ରହିଛି: ସମ୍ପୂର୍ଣ୍ଣ ହୃଦୟର ସହିତ ତାହାଙ୍କ ଉପାସନା କରିବା, ଆନ୍ତରିକତାର ସହିତ ତାହାଙ୍କୁ ପ୍ରେମ କରିବା, ତାହାଙ୍କ ବିଶ୍ୱସ୍ତ ରହିବା ଏବଂ ତାହାଙ୍କ ପ୍ରତ୍ୟେକ ଆଜ୍ଞା ପାଳନ କରିବା।—ମାଥି ୪:୧୦; ୨୨:୩୭, ୩୮; ପ୍ରେରି ୫:୨୯; ରୋମୀ ୧୪:୮.
ଅଧ୍ୟୟନ ବାଇବଲ—ମାଥି ୨୩:୨୪ ଅଧ୍ୟୟନ ତଥ୍ୟ
ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ: ଇସ୍ରାଏଲୀୟମାନଙ୍କ ପାଇଁ ମଶା ସବୁଠାରୁ ଛୋଟ ଏବଂ ଓଟ ସବୁଠାରୁ ବଡ଼ ଅଶୁଦ୍ଧ ପ୍ରାଣୀ ଥିଲା। (ଲେବୀ ୧୧:୪, ୨୧-୨୪) ଏଠାରେ ଯୀଶୁ ନା କେବଳ ଅତିଶୟୋକ୍ତି ଅଳଙ୍କାରର ବ୍ୟବହାର କରୁଥିଲେ, ବରଂ ବ୍ୟଙ୍ଗୋକ୍ତିର ମଧ୍ୟ ବ୍ୟବହାର କରୁଥିଲେ। ସେ କହୁଥିଲେ ଯେ ଧର୍ମଗୁରୁମାନେ ଅଶୁଦ୍ଧ ନ ହେବା ପାଇଁ ନିଜ ପାନୀୟ ପଦାର୍ଥଗୁଡ଼ିକୁ ଛାଣି ମଶାକୁ ତ ବାହାର କରିଦେଉଥିଲେ, କିନ୍ତୁ ବ୍ୟବସ୍ଥାର ବଡ଼ ବଡ଼ ଆଜ୍ଞାଗୁଡ଼ିକୁ ଅଣଦେଖା କରିଦେଉଥିଲେ, ଯାହା ଓଟକୁ ଗିଳିବା ଭଳି ଥିଲା।
୧୯-୨୫ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୪
“ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ”
ଇନସାଇଟ୍-୨ ପୃଷ୍ଠା ୨୭୯ ¶୬
ପ୍ରେମ
ପ୍ରେମ ଶୀତଳ ହୋଇପାରେ। ଯେତେବେଳେ ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ବିଷୟରେ କହୁଥିଲେ, ସେ ଏହା ମଧ୍ୟ କହିଲେ ଯେ ଈଶ୍ୱରଙ୍କୁ ମାନିବାର ଦାବି କରୁଥିବା ଅଧିକାଂଶ ଲୋକଙ୍କର ପ୍ରେମ (ଆଗାପୀ) ଶୀତଳ ହୋଇଯିବ। (ମାଥି ୨୪:୩, ୧୨) ପ୍ରେରିତ ପାଉଲ ମଧ୍ୟ କହିଲେ ଯେ ଯେତେବେଳେ ଭୀଷଣ ସମୟ ଆସିବ, ଲୋକେ “ଧନଲୋଭୀ” ହେବେ। (୨ତୀମ ୩:୧, ୨) ଏଥିରୁ ଜଣାପଡ଼େ ଯେ ଜଣେ ବ୍ୟକ୍ତିର ଧ୍ୟାନ ଅତି ସହଜରେ ସଠିକ୍ ସିଦ୍ଧାନ୍ତଗୁଡ଼ିକଠାରୁ ହଟିଯାଇପାରେ ଏବଂ ତାʼଠାରେ ପୂର୍ବେ ଯେଉଁ ପ୍ରେମ ଥିଲା, ତାହା କମିଯାଇପାରେ। ତେଣୁ ଏହା ଜରୁରୀ ଯେ ଜଣେ ବ୍ୟକ୍ତି ନିଜ ପ୍ରେମକୁ କେବେ ମଧ୍ୟ ଥଣ୍ଡା ହେବାକୁ ଦେବା ଉଚିତ୍ ନୁହେଁ ଏବଂ ଲଗାତାର ଏହି ଗୁଣ ବଢ଼ାଇବା ଉଚିତ୍। ଯଦି ସେ ଈଶ୍ୱରଙ୍କ ବାକ୍ୟ ଉପରେ ଚିନ୍ତନ କରେ ଏବଂ ତାହାଙ୍କ ସିଦ୍ଧାନ୍ତଗୁଡ଼ିକ ଅନୁଯାୟୀ ଜୀବନରେ ଲଗାତାର ପରିବର୍ତ୍ତନ କରେ, ତେବେ ତାʼର ପ୍ରେମ କେବେ ମଧ୍ୟ ଥଣ୍ଡା ହେବ ନାହିଁ।—ଏଫି ୪:୧୫, ୨୨-୨୪.
ପ୍ର୯୯-ହି ୧୧/୧୫ ୧୯ ¶୫
ଆପଣ ଈଶ୍ୱରଙ୍କ ପ୍ରତି ନିଜ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ତୁଲାଉଛନ୍ତି କି?
ଯୀଶୁ ଖ୍ରୀଷ୍ଟ ଆଜିର ଶେଷକାଳ ବିଷୟରେ କହିଥିଲେ: “ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ। କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ପ୍ରବୃତ୍ତ ଥିଲେ, ପୁଣି ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାରେ ହେବ।” (ମାଥିଉ ୨୪:୩୭-୩୯) ଦେଖିବାକୁ ଗଲେ, ଖାଇବାପିଇବାରେ କୌଣସି ଭୁଲ୍ ନାହିଁ, ବିବାହ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ବ୍ୟବସ୍ଥା। (ଆଦି ପୁସ୍ତକ ୨:୨୦-୨୪) କିନ୍ତୁ, ଯଦି ଆମେ ନିଜ ସବୁତକ ସମୟ ଏସବୁ ପଛରେ ନଷ୍ଟ କରୁଛୁ, ତେବେ ଆମେ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍ ଏବଂ ତାହାଙ୍କୁ ସାହାଯ୍ୟ ମାଗିବା ଉଚିତ୍। ଯିହୋବା ଆମକୁ ନିଶ୍ଚୟ ସାହାଯ୍ୟ କରିବେ, ଯାହାଫଳରେ ଆମେ ତାହାଙ୍କ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇପାରିବା। ଏହିପରି ଭାବେ ଆମେ ସଠିକ୍ କାମ କରିପାରିବା ଏବଂ ଯିହୋବାଙ୍କ ପ୍ରତି ନିଜ କର୍ତ୍ତବ୍ୟକୁ ତୁଲାଇପାରିବା।—ମାଥିଉ ୬:୩୩; ରୋମୀୟ ୧୨:୧୨; ୨ କରିନ୍ଥୀୟ ୧୩:୭.
ଯୀଶୁ ହିଁ ପଥ (ଇଂରାଜୀ) ପୃଷ୍ଠା ୨୫୯ ¶୫
ଶିଷ୍ୟମାନେ ଲକ୍ଷଣ ପଚାରନ୍ତି
ସେ କହନ୍ତି ଯେ ତାହାଙ୍କ ଶିଷ୍ୟମାନଙ୍କୁ ସତର୍କ ରହିବାକୁ ହେବ, ଜାଗ୍ରତ ରହିବାକୁ ହେବ ଏବଂ ପ୍ରସ୍ତୁତ ରହିବାକୁ ହେବ। ଯୀଶୁ ଏହା ଉପରେ ଜୋର୍ ଦେବାକୁ ଯାଇ ଆଉ ଏକ ଦୃଷ୍ଟାନ୍ତ ଦେଲେ: “ଏହା ଜାଣିଥାଅ, କେଉଁ ପହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ସିନ୍ଧି କାଟିବାକୁ ଦିଅନ୍ତେ ନାହିଁ। ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ଡରେ ମନୁଷ୍ୟପୁତ୍ର ଆସିବେ।”—ମାଥିଉ ୨୪:୪୩, ୪୪.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୨୪:୮ ଅଧ୍ୟୟନ ତଥ୍ୟ
ପ୍ରସବବେଦନା: ଏହାର ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, ଶିଶୁ ଜନ୍ମ ଦେବା ସମୟରେ ହେଉଥିବା ପ୍ରବଳ ଯନ୍ତ୍ରଣା। ଏହା ସତ ଯେ ଏଠାରେ ଦୁଃଖକଷ୍ଟ, କ୍ଳେଶ ଓ ଯନ୍ତ୍ରଣା ବିଷୟରେ କୁହାଯାଇଛି, କିନ୍ତୁ ଏହି ପ୍ରସବବେଦନା ହୁଏତ ମାଥି ୨୪:୨୧ ପଦରେ କୁହାଯାଇଥିବା କଥାକୁ ବୁଝାଇବା ପାଇଁ ବ୍ୟବହାର କରାଯାଇଛି। ଅର୍ଥାତ୍ ମହାକ୍ଳେଶ ପୂର୍ବରୁ ଯେଉଁ ଦୁଃଖକଷ୍ଟ ଆସିବ, ତାହା ପ୍ରସବବେଦନା ଭଳି ବହୁତ ବଢ଼ିଯିବ, ଅତି କଷ୍ଟଦାୟକ ହେବ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ।
ଅଧ୍ୟୟନ ବାଇବଲ—ମାଥି ୨୪:୨୦ ଅଧ୍ୟୟନ ତଥ୍ୟ
ଶୀତକାଳରେ: ଏହି ଋତୁରେ ପ୍ରବଳ ବର୍ଷା ଓ ଭୀଷଣ ଥଣ୍ଡା ହେଉଥିଲା ଏବଂ ବନ୍ୟା ଆସୁଥିଲା। ତେଣୁ ଏପରି ସମୟରେ ଲୋକମାନଙ୍କ ପାଇଁ ପଳାୟନ କରିବା ସହିତ ଖାଇବା ଜିନିଷ ଓ ରହିବା ପାଇଁ ଆଶ୍ରୟ ଖୋଜିବା କଷ୍ଟକର ହୋଇଥାʼନ୍ତା।—ଏଜ୍ରା ୧୦:୯, ୧୩.
ବିଶ୍ରାମବାରରେ: ବିଶ୍ରାମବାର ସହ ଜଡ଼ିତ ନିୟମଗୁଡ଼ିକ ଯୋଗୁଁ ଯିହୁଦା ଭଳି ଅଞ୍ଚଳଗୁଡ଼ିକରେ ଅନେକ କଟକଣା ରହିଥିଲା। ତେଣୁ ଜଣେ ବ୍ୟକ୍ତିକୁ ନିଜ ଜିନିଷପତ୍ର ନେଇ ଲମ୍ବା ସମୟ ଧରି ଯାତ୍ରା କରିବା କଷ୍ଟକର ହୋଇଥାʼନ୍ତା। ଏହା ଛଡ଼ା, ବିଶ୍ରାମବାରରେ ସହରର ଫାଟକଗୁଡ଼ିକ ମଧ୍ୟ ବନ୍ଦ ରହୁଥିଲା।—ପ୍ରେରି ୧:୧୨ ଏବଂ ଆପେଣ୍ଡିକ୍ସ ଖ୧୨ ଦେଖନ୍ତୁ।
୨୬ ମାର୍ଚ୍ଚ–୧ ଏପ୍ରିଲ୍
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୫-ହି ୩/୧୫ ପୃ ୨୬-୨୭ ¶୭
ଖ୍ରୀଷ୍ଟଙ୍କର ଭ୍ରାତୃବୃନ୍ଦଙ୍କ ବିଶ୍ୱସ୍ତ ରହନ୍ତୁ ଏବଂ ସେମାନଙ୍କୁ ସହଯୋଗ କରନ୍ତୁ
ଆଜି ଆମେ ମେଷ ଓ ଛାଗର ଦୃଷ୍ଟାନ୍ତକୁ ଆହୁରି ଭଲ ଭାବେ ବୁଝିଛୁ। ଆମେ ଜାଣୁ ଯେ “ମନୁଷ୍ୟପୁତ୍ର” ବା ରାଜା ହେଉଛନ୍ତି ଯୀଶୁ। ରାଜାଙ୍କର “ଭ୍ରାତୃବୃନ୍ଦ” ଏପରି ଭାଇଭଉଣୀମାନେ ଅଟନ୍ତି, ଯେଉଁମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ କରାଯାଇଛି ଏବଂ ସେମାନେ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରୁ ଶାସନ କରିବେ। (ରୋମୀ. ୮:୧୬, ୧୭) “ମେଷ” ଓ “ଛାଗ” ସମସ୍ତ ରାଷ୍ଟ୍ରର ଲୋକମାନଙ୍କୁ ସୂଚାଇଥାଏ ଏବଂ ସେମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ କରାଯାଏ ନାହିଁ। ଏମାନଙ୍କର ନ୍ୟାୟ କେବେ କରାଯିବ? ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ମହାକ୍ଳେଶର ପ୍ରାୟ ଶେଷ ଆଡ଼କୁ। କିନ୍ତୁ କିଛି ଲୋକମାନଙ୍କୁ ମେଷ ଏବଂ ଆଉ କିଛି ଲୋକମାନଙ୍କୁ ଛାଗ କାହିଁକି କୁହାଯାଏ? କାରଣ ଲୋକେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ଭିନ୍ନ ଭିନ୍ନ ବ୍ୟବହାର ଦେଖାଇଥାʼନ୍ତି। ସେମାନେ ପୃଥିବୀରେ ଥିବା ବାକିତକ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପ୍ରତି ଯେଭଳି ବ୍ୟବହାର ଦେଖାନ୍ତି, ସେହି ଆଧାରରେ ସେମାନଙ୍କର ନ୍ୟାୟ କରାଯିବ। ଯିହୋବା ଅନେକ ବର୍ଷ ଧରି ଆମକୁ ଏହି ଦୃଷ୍ଟାନ୍ତ ଏବଂ ମାଥିଉ ୨୪ ଓ ୨୫ ଅଧ୍ୟାୟରେ ଲିଖିତ ଥିବା ଅନ୍ୟ ଦୃଷ୍ଟାନ୍ତଗୁଡ଼ିକୁ ଆହୁରି ଭଲ ଭାବେ ବୁଝିବା ପାଇଁ ସାହାଯ୍ୟ କରିଛନ୍ତି। ପ୍ରକୃତରେ, ଆମେ ଯିହୋବାଙ୍କଠାରେ କେତେ କୃତଜ୍ଞ!
ପ୍ର୦୯-ହି ୧୦/୧୫ ପୃ ୧୬ ¶୧୬-୧୮
“ତୁମ୍ଭେମାନେ ମୋହର ବନ୍ଧୁ”
ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଶାସନ କରିବ, ସେତେବେଳେ ଆପଣ ଏହି ପୃଥିବୀରେ ଜୀବିତ ରହିବାର ଆଶା ରଖନ୍ତି କି? ଯଦି ହଁ, ତେବେ ଆପଣ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଭ୍ରାତୃବୃନ୍ଦଙ୍କ ପ୍ରତି ବନ୍ଧୁତା ଭାବ କିପରି ଦେଖାଇପାରିବେ? ଆସନ୍ତୁ କେବଳ ତିନୋଟି ଉପାୟ ପ୍ରତି ଧ୍ୟାନ ଦେବା। ପ୍ରଥମତଃ, ପ୍ରଚାର କାମରେ ଆନ୍ତରିକତାର ସହିତ ଭାଗ ନେବା। ଯୀଶୁ ଖ୍ରୀଷ୍ଟ ନିଜ ଭ୍ରାତୃବୃନ୍ଦଙ୍କୁ ଆଜ୍ଞା ଦେଇଥିଲେ ଯେ ସେମାନେ ରାଜ୍ୟର ସୁସମାଚାର ସମଗ୍ର ପୃଥିବୀରେ ଘୋଷଣା କରନ୍ତୁ। (ମାଥି. ୨୪:୧୪) ଆଜି ପୃଥିବୀରେ ଯୀଶୁଙ୍କର ଅଳ୍ପ କିଛି ଭାଇ ବାକି ରହିଛନ୍ତି। ତେଣୁ ଯଦି ସେମାନଙ୍କ ସାଥୀମାନେ ଅର୍ଥାତ୍ ଅନ୍ୟ ମେଷର ସଦସ୍ୟମାନେ ସେମାନଙ୍କୁ ସହଯୋଗ ନ କରନ୍ତେ, ତେବେ ଏହି ଦାୟିତ୍ୱ ପୂରା କରିବା ସେମାନଙ୍କ ପକ୍ଷରେ କଷ୍ଟକର ହୁଅନ୍ତା। ହଁ, ଯେତେବେଳେ ମଧ୍ୟ ଅନ୍ୟ ମେଷର ସଦସ୍ୟମାନେ ପ୍ରଚାର କାମରେ ଭାଗ ନିଅନ୍ତି, ସେମାନେ ଖ୍ରୀଷ୍ଟଙ୍କ ଭାଇମାନଙ୍କୁ ନିଜ ପବିତ୍ର କାମକୁ ପୂରା କରିବାରେ ସହଯୋଗ କରିଥାʼନ୍ତି। ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଏବଂ ଯୀଶୁ ଖ୍ରୀଷ୍ଟ ସେମାନଙ୍କର ଏହି ବନ୍ଧୁତାକୁ ଖୁବ୍ ପ୍ରଶଂସା କରିଥାʼନ୍ତି।
ଖ୍ରୀଷ୍ଟଙ୍କ ଭ୍ରାତୃବୃନ୍ଦଙ୍କ ପ୍ରତି ବନ୍ଧୁତା ଭାବ ଦେଖାଇବାର ଦ୍ୱିତୀୟ ଉପାୟଟି ହେଉଛି, ପ୍ରଚାର କାମ ପାଇଁ ଆର୍ଥିକ ସହଯୋଗ କରିବା। ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ “ଅଧର୍ମ ଧନରେ” ନିଜ ପାଇଁ ବନ୍ଧୁ ଲାଭ କରନ୍ତୁ। (ଲୂକ ୧୬:୯) ଏହାର ଅର୍ଥ ନୁହେଁ ଯେ ଆମେ ଯିହୋବା ଓ ଯୀଶୁଙ୍କ ବନ୍ଧୁତାକୁ କିଣିପାରିବା। ବରଂ ଏହାର ଅର୍ଥ ହେଉଛି, ପ୍ରଚାର କାମ ଆଗକୁ ବଢ଼ାଇବା ପାଇଁ ନିଜ ସମ୍ପତ୍ତିକୁ ବ୍ୟବହାର କରିବା। ଏହିପରି ଭାବରେ ଆମେ ନା କେବଳ କଥାରେ, ବରଂ “କାର୍ଯ୍ୟରେ ଓ ସତ୍ୟରେ” ନିଜ ବନ୍ଧୁତା ଓ ପ୍ରେମର ପ୍ରମାଣ ଦେଇଥାଉ। (୧ ଯୋହ. ୩:୧୬-୧୮) ଆର୍ଥିକ ସହଯୋଗ କରିବାର ଉପାୟଗୁଡ଼ିକ ହେଉଛି— ପ୍ରଚାର କାମରେ ଭାଗ ନେବା, ଉପାସନା ଜାଗାର ନିର୍ମାଣ ଓ ମରାମତି ତଥା ସାରା ପୃଥିବୀରେ ଚାଲିଥିବା ପ୍ରଚାର କାମ ପାଇଁ ଦାନ ଦେବା। ଆମେ ହୁଏତ ଅଳ୍ପ ଦେଉ କିମ୍ବା ଅଧିକ, ଯେତେବେଳେ ଆମେ ଖୁସିର ସହିତ ଦେଉ, ଯିହୋବା ଓ ଯୀଶୁ ଏହାକୁ ବହୁମୂଲ୍ୟ ମନେ କରିଥାʼନ୍ତି।—୨ କରି. ୯:୭.
ଆମେ ଯୀଶୁଙ୍କ ଭ୍ରାତୃବୃନ୍ଦଙ୍କ ବନ୍ଧୁ ବୋଲି ପ୍ରମାଣିତ କରିବାର ତୃତୀୟ ଉପାୟଟି ହେଉଛି, ମଣ୍ଡଳୀରେ ପ୍ରାଚୀନମାନଙ୍କ ପରାମର୍ଶଗୁଡ଼ିକୁ ପାଳନ କରିବା। ଏହି ପ୍ରାଚୀନମାନଙ୍କୁ ଖ୍ରୀଷ୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ପବିତ୍ର ଶକ୍ତି ଦ୍ୱାରା ନିଯୁକ୍ତ କରାଯାଏ। (ଏଫି. ୫:୨୩) ପ୍ରେରିତ ପାଉଲ ଲେଖିଲେ: “ତୁମମାନଙ୍କ ମଧ୍ୟରେ ଯେଉଁମାନେ ନେତୃତ୍ୱ ନିଅନ୍ତି, ସେମାନଙ୍କ ଆଜ୍ଞା ପାଳନ କରନ୍ତୁ ଏବଂ ସେମାନଙ୍କ ଅଧୀନରେ ରହନ୍ତୁ।” (ଏବ୍ରୀ ୧୩:୧୭, NW) ପ୍ରାଚୀନମାନେ ଆମକୁ ବାଇବଲ ଆଧାରିତ ଅନେକ ପରାମର୍ଶ ଦେଇଥାʼନ୍ତି। କିନ୍ତୁ ବେଳେ ବେଳେ ସେଗୁଡ଼ିକୁ ପାଳନ କରିବା ଆମ ପାଇଁ କଷ୍ଟକର ହୋଇପାରେ। ଆମେ ହୁଏତ ସେମାନଙ୍କ ଦୁର୍ବଳତାଗୁଡ଼ିକ ବିଷୟରେ ଭଲ ଭାବେ ଜାଣୁ ଏବଂ ଏଥିପାଇଁ ଆମେ ସେମାନଙ୍କ ପରାମର୍ଶର ଭୁଲ୍ ଅର୍ଥ ବାହାର କରିପାରୁ। କିନ୍ତୁ ଆମେ ମନେ ରଖିବା ଉଚିତ୍ ଯେ ଆମ ମଣ୍ଡଳୀର ମସ୍ତକ ଯୀଶୁ ଖ୍ରୀଷ୍ଟ ଏହି ଅସିଦ୍ଧ ପୁରୁଷମାନଙ୍କୁ ବ୍ୟବହାର କରିବାରେ ଖୁସି ଅଛନ୍ତି। ତେଣୁ ସେମାନଙ୍କ ଅଧିକାର ପ୍ରତି ଆମେ ଯେଭଳି ବ୍ୟବହାର ଦେଖାଉ, ତାହା ଯୀଶୁଙ୍କ ସହିତ ଆମର ବନ୍ଧୁତା ଉପରେ ସିଧାସଳଖ ଗଭୀର ପ୍ରଭାବ ପକାଇଥାଏ। ଯେତେବେଳେ ଆମେ ପ୍ରାଚୀନମାନଙ୍କର ଦୁର୍ବଳତାଗୁଡ଼ିକୁ ଭୁଲିଯାଇ ଖୁସିର ସହିତ ସେମାନଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ କରୁ, ଆମେ ଖ୍ରୀଷ୍ଟଙ୍କ ପାଇଁ ନିଜ ପ୍ରେମ ଦେଖାଇଥାଉ।