ଅଗଷ୍ଟ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୬-୧୨ ଅଗଷ୍ଟ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୭-୧୮
“କୃତଜ୍ଞତା ଦେଖାନ୍ତୁ”
ଅଧ୍ୟୟନ ବାଇବଲ—ଲୂକ ୧୭:୧୨, ୧୪ ଅଧ୍ୟୟନ ତଥ୍ୟ
ଦଶ ଜଣ କୁଷ୍ଠୀ: ଏପରି ଜଣାପଡ଼େ ଯେ ବାଇବଲର ସମୟରେ କୁଷ୍ଠୀମାନେ ପରସ୍ପର ସହ ମିଶିବା ପାଇଁ ଏକାଠି ହେଉଥିଲେ କିମ୍ବା ଏକା ସାଙ୍ଗରେ ରହୁଥିଲେ । ଏହାଫଳରେ ସେମାନେ ପରସ୍ପରକୁ ସାହାଯ୍ୟ କରିପାରୁଥିଲେ । (୨ରାଜା ୭:୩-୫) ଈଶ୍ୱରଙ୍କ ବ୍ୟବସ୍ଥାରେ ନିୟମ ଥିଲା ଯେ କୁଷ୍ଠୀ ଲୋକମାନେ ଗାଁଠାରୁ କିଛି ଦୂରରେ ଅଲଗା ରହନ୍ତୁ । ଏହା ବ୍ୟତୀତ, ଲୋକମାନଙ୍କୁ ସାବଧାନ କରିବା ପାଇଁ ସେମାନଙ୍କୁ ଉଚ୍ଚ ସ୍ୱରରେ କହିବାକୁ ପଡ଼ୁଥିଲା, “ଅଶୁଚି ଅଶୁଚି ।” (ଲେବୀ ୧୩:୪୫, ୪୬) ଏହି ନିୟମକୁ ଧ୍ୟାନରେ ରଖି ଦଶ ଜଣ କୁଷ୍ଠୀ ଯୀଶୁଙ୍କଠାରୁ ଦୂରରେ ଠିଆ ହୋଇଥିଲେ ।
ଆପଣାକୁ ଯାଜକମାନଙ୍କୁ ଦେଖାଅ: ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଥିଲେ, ସେ ମୋଶାଙ୍କ ନିୟମର ଅଧୀନରେ ଥିଲେ ଏବଂ ସେ ଜାଣିଥିଲେ ଯେ ହାରୋଣଙ୍କ ବଂଶଧରମାନଙ୍କୁ ଯାଜକ ନିଯୁକ୍ତ କରାଯାଇଛି । ତେଣୁ ସେ ଯେଉଁ କୁଷ୍ଠୀମାନଙ୍କୁ ସୁସ୍ଥ କରୁଥିଲେ, ସେମାନଙ୍କୁ କହୁଥିଲେ ଯେ ସେମାନେ ଯାଇ ଯାଜକଙ୍କୁ ଦେଖାନ୍ତୁ । (ମାଥି ୮:୪; ମାର୍କ ୧:୪୪) ମୋଶାଙ୍କ ନିୟମ ଅନୁଯାୟୀ ଜଣେ ଯାଜକଙ୍କୁ କୁଷ୍ଠୀକୁ ଯାଞ୍ଚ କରି କହିବାକୁ ପଡ଼ୁଥିଲା ଯେ ସେ ସୁସ୍ଥ ହୋଇଯାଇଛି । ତେଣୁ ସୁସ୍ଥ ହୋଇଯାଇଥିବା କୁଷ୍ଠୀକୁ ମନ୍ଦିରକୁ ଯିବାକୁ ପଡ଼ୁଥିଲା ଏବଂ ବଳିଦାନ କରିବା ପାଇଁ ନିଜ ସହିତ ଦୁଇଟି ଜୀଅନ୍ତା ଶୁଚି ପକ୍ଷୀ, ଏରସ କାଠ, ସିନ୍ଦୂରବର୍ଣ୍ଣ ସାମଗ୍ରୀ ଓ ଏସୋବ ନେବାକୁ ହେଉଥିଲା ।—ଲେବୀ ୧୪:୨-୩୨.
ପ୍ର୦୮-ହି ୧୦/୧ ୨୨ ¶୮-୯
କୃତଜ୍ଞତା କାହିଁକି ଦେଖାଇବା?
ଯେତେବେଳେ ବାକି ନଅ ଜଣ ଲୋକ ଧନ୍ୟବାଦ କରିବାକୁ ଆସିଲେ ନାହିଁ, ଯୀଶୁ କିପରି ଅନୁଭବ କଲେ? ଆଗକୁ ଲେଖା ଅଛି: “ସେଥିରେ ଯୀଶୁ ଉତ୍ତର ଦେଲେ, ଦଶଜଣ କଅଣ ଶୁଚି ହେଲେ ନାହିଁ? ତେବେ ଆଉ ନଅଜଣ କାହାନ୍ତି? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ବିଜାତି ଲୋକଟି ଛଡ଼ା କଅଣ ଆଉ କେହି ବାହୁଡ଼ିଆସି ନାହିଁ?”—ଲୂକ ୧୭:୧୭, ୧୮.
ବାକି ନଅ ଜଣ କୁଷ୍ଠୀ ଦୁଷ୍ଟ ନ ଥିଲେ । ସେମାନେ ଯୀଶୁଙ୍କୁ ବିଶ୍ୱାସ କରିଥିଲେ ଏବଂ ଖୁସିର ସହିତ ତାହାଙ୍କ ପରାମର୍ଶଗୁଡ଼ିକୁ ପାଳନ କରିଥିଲେ । ଯେପରି— ସେମାନେ ଯିରୂଶାଲମକୁ ଗଲେ ଏବଂ ଯାଜକମାନଙ୍କୁ ଦେଖାଇଲେ । ଯୀଶୁ ସେମାନଙ୍କ ଉପରେ ଯେଉଁ ଦୟା ଦେଖାଇଲେ, ତାʼ ପାଇଁ ସେମାନେ ପ୍ରକୃତରେ ଅତ୍ୟନ୍ତ କୃତଜ୍ଞ ଥିଲେ । କେବଳ ଏହାକୁ ପ୍ରକାଶ କରିବାରେ ଅସଫଳ ହେଲେ । ସେମାନଙ୍କ ଏଭଳି ବ୍ୟବହାର ଯୋଗୁଁ ଯୀଶୁ ଦୁଃଖିତ ହେଲେ । ଆମ ବିଷୟରେ କʼଣ? ଯେତେବେଳେ କେହି ଆମ ସହିତ ଭଲ ବ୍ୟବହାର ଦେଖାନ୍ତି, କʼଣ ଆମେ ତୁରନ୍ତ ତାଙ୍କୁ ଧନ୍ୟବାଦ କହୁ ଏବଂ ଯଦି ସମ୍ଭବ, କʼଣ ଆମେ ନିଜ ଭାବନାକୁ ଲେଖି ତାଙ୍କୁ ଜଣାଇଥାଉ?
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୧୭:୧୦ ଅଧ୍ୟୟନ ତଥ୍ୟ
ଅକର୍ମଣ୍ୟ: ଶା., “ଅଦରକାରୀ; ମୂଲ୍ୟହୀନ ।” ଯୀଶୁ ଏହା କହୁ ନ ଥିଲେ ଯେ ଦାସମାନେ ଅର୍ଥାତ୍ ତାହାଙ୍କ ଶିଷ୍ୟମାନେ ନିଜକୁ ଅଦରକାରୀ କିମ୍ବା ମୂଲ୍ୟହୀନ ମନେ କରିବା ଉଚିତ୍ । ଏହା ପରିବର୍ତ୍ତେ, ସନ୍ଦର୍ଭ ଅନୁଯାୟୀ “ଅକର୍ମଣ୍ୟ” ଶବ୍ଦରୁ ଜଣାପଡ଼େ ଯେ ଶିଷ୍ୟମାନେ ମର୍ଯ୍ୟାଦାରେ ରହିବା ଉଚିତ୍ ଏବଂ ଏହା ଭାବିବା ଅନୁଚିତ୍ ଯେ ସେମାନେ ବିଶେଷ ସମ୍ମାନ କିମ୍ବା ପ୍ରଂଶସା ପାଇବା ପାଇଁ ଯୋଗ୍ୟ । କିଛି ବିଦ୍ୱାନ୍ ଭାବନ୍ତି ଯେ ଏହି ଶବ୍ଦ ଅତିଶୟୋକ୍ତି ଭାବେ ବ୍ୟବହୃତ ହୋଇଛି ଏବଂ ଏହାର ଅର୍ଥ ହେଉଛି, “ଆମେ ସାମାନ୍ୟ ଦାସ ଏବଂ ଆମେ ବିଶେଷ ଧ୍ୟାନ ଦିଆଯିବାର ଯୋଗ୍ୟ ନୋହୁଁ ।”
ଅଧ୍ୟୟନ ବାଇବଲ—ଲୂକ ୧୮:୮ ଅଧ୍ୟୟନ ତଥ୍ୟ
କଅଣ ବିଶ୍ୱାସ: କିମ୍ବା “ଏଭଳି ବିଶ୍ୱାସ ।” ଶା., “ଏହି ବିଶ୍ୱାସ ।” ମୂଳ ଗ୍ରୀକ୍ ଭାଷାରେ “ବିଶ୍ୱାସ” ଶବ୍ଦ ପୂର୍ବରୁ ସାର୍ବନାମିକ ବିଶେଷଣ ଲେଖା ଅଛି । ଏହା ଦେଖାଏ ଯେ ଯୀଶୁ କୌଣସି ସାଧାରଣ ବିଶ୍ୱାସ ବିଷୟରେ କହୁ ନ ଥିଲେ । ବରଂ ଏକ ବିଶେଷ ଧରଣର ବିଶ୍ୱାସ ବିଷୟରେ କହୁଥିଲେ, ଠିକ୍ ଯେପରି ଯୀଶୁଙ୍କ ଦୃଷ୍ଟାନ୍ତରେ କୁହାଯାଇଥିବା ବିଧବା ଜଣକ ଦେଖାଇଥିଲେ । (ଲୂକ ୧୮:୧-୮) ଏଭଳି ବିଶ୍ୱାସରେ ଏହା ଭରସା ରଖିବା ମଧ୍ୟ ସାମିଲ୍ ଥିଲା ଯେ ପ୍ରାର୍ଥନାରେ ବହୁତ ଶକ୍ତି ଅଛି ଏବଂ ଯିହୋବା ନିଜ ଲୋକମାନଙ୍କ ସପକ୍ଷରେ ନ୍ୟାୟ କରିବେ । ଯୀଶୁ ବିଶ୍ୱାସ ବିଷୟରେ ନିଜ ପ୍ରଶ୍ନର ଉତ୍ତର ଦେଲେ ନାହିଁ । କାରଣ ହୁଏତ ସେ ଚାହୁଁଥିଲେ ଯେ ତାହାଙ୍କ ପ୍ରତ୍ୟେକ ଶିଷ୍ୟ ନିଜ ବିଶ୍ୱାସ କେତେ ମଜବୁତ୍, ସେବିଷୟରେ ନିଜେ ଚିନ୍ତା କରନ୍ତୁ । ଯୀଶୁ ପ୍ରାର୍ଥନା ଓ ବିଶ୍ୱାସ ବିଷୟରେ ଦୃଷ୍ଟାନ୍ତ ଦେବା ଉପଯୁକ୍ତ ଥିଲା, କାରଣ ଏହାର ଠିକ୍ ପୂର୍ବରୁ ସେ କହିଥିଲେ ଯେ ତାହାଙ୍କ ଶିଷ୍ୟମାନଙ୍କୁ କିଭଳି ପରୀକ୍ଷାଗୁଡ଼ିକର ସାମନା କରିବାକୁ ପଡ଼ିବ ।—ଲୂକ ୧୭:୨୨-୩୭.
୧୩-୧୯ ଅଗଷ୍ଟ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୧୯-୨୦
“ଦଶଗୋଟି ମୋହରର ଦୃଷ୍ଟାନ୍ତରୁ ଶିଖନ୍ତୁ”
ଯୀଶୁ ହିଁ ପଥ (ଇଂରାଜୀ) ୨୩୨ ¶୨-୪
ଦଶଗୋଟି ମୋହରର ଦୃଷ୍ଟାନ୍ତ
ଯୀଶୁ କହିଲେ: “ଜଣେ କୁଳୀନ ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ପ୍ରାଯ୍ତ ହୋଇ ବାହୁଡ଼ି ଆସିବା ସକାଶେ ଦୂର ଦେଶକୁ ଯାତ୍ରା କଲେ ।” (ଲୂକ ୧୯:୧୨) ଦୂର ଦେଶକୁ ଯାତ୍ରା କରିବା ଯୋଗୁଁ ତାଙ୍କୁ ଫେରି ଆସିବାରେ ଲମ୍ବା ସମୟ ଲାଗନ୍ତା । ଏଥିରୁ ଜଣାପଡ଼େ ଯେ ସେହି “କୁଳୀନ ବ୍ୟକ୍ତି” ହେଉଛନ୍ତି ଯୀଶୁ ଖ୍ରୀଷ୍ଟ, ଯିଏ “ଦୂର ଦେଶକୁ” ଅର୍ଥାତ୍ ସ୍ୱର୍ଗକୁ ଯାଇଥାʼନ୍ତେ । ସେଠାରେ ତାହାଙ୍କ ପିତା ତାହାଙ୍କୁ ରାଜପଦ ଦିଅନ୍ତେ ।
ଏହି ଦୃଷ୍ଟାନ୍ତରେ “କୁଳୀନ ବ୍ୟକ୍ତି” ଜଣକ ଦୂର ଦେଶକୁ ଯାତ୍ରା କରିବା ପୂର୍ବରୁ ନିଜ ଦଶ ଜଣ ଦାସଙ୍କୁ ଡାକି ପ୍ରତ୍ୟେକକୁ ଗୋଟିଏ ଲେଖାଏଁ ରୂପାର ମୋହର ଦେଇ କହିଲେ: “ମୋର ଆସିବା ପର୍ଯ୍ୟନ୍ତ ବେପାର କର ।” (ଲୂକ ୧୯:୧୩) ରୂପାର ମୋହରଗୁଡ଼ିକର ମୂଲ୍ୟ ବହୁତ ହୋଇଥାଏ । କ୍ଷେତରେ କାମ କରୁଥିବା ମୂଲିଆମାନଙ୍କୁ ଗୋଟିଏ ରୂପାର ମୋହର ରୋଜଗାର କରିବା ପାଇଁ ତିନି ମାସରୁ ଅଧିକ ସମୟ ଲାଗୁଥିଲା ।
ଯୀଶୁଙ୍କ ଶିଷ୍ୟମାନେ ବୁଝିଯାଇଥିବେ ଯେ ଦୃଷ୍ଟାନ୍ତରେ କୁହାଯାଇଥିବା ଦାସ ସେମାନେ ହିଁ ଅଟନ୍ତି, କାରଣ କିଛି ସମୟ ପୂର୍ବରୁ ଯୀଶୁ ସେମାନଙ୍କ ତୁଳନା ଶସ୍ୟ କଟାଳିମାନଙ୍କ ସହିତ କରିଥିଲେ । (ମାଥିଉ ୯:୩୫-୩୮) ଯୀଶୁ ସେମାନଙ୍କୁ ଏହା କହୁ ନ ଥିଲେ ଯେ ସେମାନେ କ୍ଷେତରେ ଯାଇ ଫସଲ କାଟନ୍ତୁ । ଏଠାରେ ଫସଲ କାଟିବାର ଅର୍ଥ ଥିଲା ଆହୁରି ଶିଷ୍ୟ କରିବା, ଯେଉଁମାନେ ଆଗକୁ ଯାଇ ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୁଅନ୍ତେ । ନୂଆ ଶିଷ୍ୟ କରିବା ପାଇଁ ତାହାଙ୍କ ଶିଷ୍ୟମାନଙ୍କୁ ନିଜ ମନପ୍ରାଣ ଦେଇ କାମ କରିବାର ଥିଲା ।
ଯୀଶୁ ହିଁ ପଥ (ଇଂରାଜୀ) ୨୩୨ ¶୭
ଦଶଗୋଟି ମୋହରର ଦୃଷ୍ଟାନ୍ତ
ଯଦି ଶିଷ୍ୟମାନେ ବୁଝିଯାଇଥିବେ ଯେ ସେମାନେ ହିଁ ଦାସ ଏବଂ ନିଜ ସବୁକିଛି ଦେଇ ଶିଷ୍ୟ କରିବାର କାମ କରିବେ, ତେବେ ସେମାନେ ପୂରା ଭରସା ରଖିପାରିଥିବେ ଯେ ଯୀଶୁ ସେମାନଙ୍କ ଉପରେ ଖୁସି ହେବେ । ତାʼ ସହିତ ସେମାନେ ଭରସା ରଖିପାରିଥିବେ ଯେ ସେମାନଙ୍କ କଠିନ ପରିଶ୍ରମ ପାଇଁ ଯୀଶୁ ନିଶ୍ଚୟ ପୁରସ୍କାର ଦେବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କ ପରିସ୍ଥିତି ଏକାଭଳି ହୋଇ ନ ଥାʼନ୍ତା, ସେମାନଙ୍କୁ ସେବା କରିବାର ଏକାଭଳି ସୁଯୋଗ ମିଳି ନ ଥାʼନ୍ତା ଏବଂ ସେମାନଙ୍କଠାରେ ଏକାଭଳି ସାମର୍ଥ୍ୟ ମଧ୍ୟ ନ ଥିଲା । ତଥାପି ଯୀଶୁ, ଯାହାଙ୍କୁ “ରାଜପଦ” ମିଳିଛି, ଧ୍ୟାନ ଦିଅନ୍ତି ଯେ ସେମାନେ ଶିଷ୍ୟ କରିବାର କାମରେ କେତେ ପରିଶ୍ରମ କରନ୍ତି ଏବଂ ସେ ସେମାନଙ୍କୁ ପୁରସ୍କାର ଦିଅନ୍ତି ।—ମାଥିଉ ୨୮:୧୯, ୨୦.
ଯୀଶୁ ହିଁ ପଥ (ଇଂରାଜୀ) ୨୩୩ ¶୧
ଦଶଗୋଟି ମୋହରର ଦୃଷ୍ଟାନ୍ତ
ଦୁଷ୍ଟ ଦାସ ଜଣକ ନିଜ ମାଲିକର ସମ୍ପତ୍ତି ବଢ଼ାଇବା ପାଇଁ ପରିଶ୍ରମ କଲା ନାହିଁ, ଯେଉଁଥିପାଇଁ ତାକୁ କ୍ଷତି ସହିବାକୁ ପଡ଼ିଲା । ପ୍ରେରିତମାନେ ସେସମୟରେ ଆଶା କରୁଥିଲେ ଯେ ଯୀଶୁ ଖୁବ୍ ଶୀଘ୍ର ଈଶ୍ୱରଙ୍କ ରାଜ୍ୟରେ ଶାସନ କରିବା ଆରମ୍ଭ କରିଦେବେ । ତେଣୁ ଦୁଷ୍ଟ ଦାସ ବିଷୟରେ ଯୀଶୁ ଯାହା କହିଲେ, ସେଥିରୁ ସେମାନେ ବୁଝିଯାଇଥିବେ ଯେ ଯଦି ସେମାନେ ମଧ୍ୟ ପରିଶ୍ରମ ନ କରିବେ, ତେବେ ଈଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇପାରିବେ ନାହିଁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୧୯:୪୩ ଅଧ୍ୟୟନ ତଥ୍ୟ
ବନ୍ଧ ବାନ୍ଧି: କିମ୍ବା “ଗୋଜିଆ କାଠର ବାଡ଼ ବାନ୍ଧି ।” ଗ୍ରୀକ୍ ଶବ୍ଦ ଖାରକ୍ସ ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ କେବଳ ଏହି ପଦରେ ଅଛି । ଏହି ଶବ୍ଦର ସଂଜ୍ଞା ହେଉଛି, ‘ଗୋଜିଆ କାଠ କିମ୍ବା ଖମ୍ବ ସାହାଯ୍ୟରେ ବନ୍ଧାଯାଉଥିବା ବାଡ଼ ।’ ଏହି ଶବ୍ଦର ଅର୍ଥ “କାଠ ପୋତି ଘେରାବନ୍ଦୀ; ବାଡ଼” ମଧ୍ୟ ହୋଇପାରେ । ଯୀଶୁଙ୍କର ଏହି ଭବିଷ୍ୟତବାଣୀ ୭୦ ଖ୍ରୀଷ୍ଟାବ୍ଦରେ ପୂରଣ ହେଲା, ଯେତେବେଳେ ଟାଇଟସ୍ର ଅଧୀନରେ ରୋମୀୟ ସୈନ୍ୟମାନେ ଯିରୂଶାଲମର ଘେରାବନ୍ଦୀ କରିବା ପାଇଁ ଏହାର ଚାରିଆଡ଼େ ପ୍ରାଚୀର ଠିଆ କଲେ କିମ୍ବା ବାଡ଼ ବାନ୍ଧିଲେ । ଏପରି କରିବା ପଛରେ ଟାଇଟସ୍ର ତିନୋଟି ଉଦ୍ଦେଶ୍ୟ ଥିଲା: ଯିହୁଦୀମାନେ ସହରରୁ ପଳାଇପାରିବେ ନାହିଁ, ସେମାନେ ଭୟରେ ଆତ୍ମ ସମର୍ପଣ କରିବେ ଏବଂ ଭୋକଉପାସରେ ରହିବା ଯୋଗୁଁ ସେମାନଙ୍କ ଅଧୀନ ହେବା ପାଇଁ ବାଧ୍ୟ ହୋଇଯିବେ । ଯିରୂଶାଲମର ଘେରାବନ୍ଦୀ କରିବା ପାଇଁ ସୈନ୍ୟମାନେ ଚାରିଆଡ଼େ ଥିବା ଗଛଗୁଡ଼ିକୁ କାଟି ଦେଇଥିଲେ ।
ଅଧ୍ୟୟନ ବାଇବଲ—ଲୂକ ୨୦:୩୮ ଅଧ୍ୟୟନ ତଥ୍ୟ
କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି: କିମ୍ବା “କାରଣ ସମସ୍ତେ ତାହାଙ୍କ ଦୃଷ୍ଟିରେ ଜୀବିତ ଅଟନ୍ତି ।” ବାଇବଲ କହେ ଯେ ଯେଉଁମାନେ ଈଶ୍ୱରଙ୍କଠାରୁ ଦୂରରେ ଅଛନ୍ତି, ସେମାନେ ତାହାଙ୍କ ଦୃଷ୍ଟିରେ ମରିଯାଇଛନ୍ତି । (ଏଫି ୨:୧, ୨; ୧ତୀମ ୫:୬) ଠିକ୍ ସେହିପରି, ଏହା ମଧ୍ୟ କୁହାଯାଇପାରେ ଯେ ଯିହୋବାଙ୍କ ମଞ୍ଜୁରି ମିଳିଥିବା ସେବକମାନଙ୍କର ମୃତ୍ୟୁ ହୋଇଯାଉ ପଛେ ସେମାନେ ତାହାଙ୍କ ଦୃଷ୍ଟିରେ ଜୀବିତ ରହନ୍ତି । କାରଣ ସେମାନଙ୍କୁ ପୁଣିଥରେ ଜୀବିତ କରିବାର ଈଶ୍ୱରଙ୍କ ଉଦ୍ଦେଶ୍ୟ ନିଶ୍ଚୟ ପୂରଣ ହେବ ।—ରୋମୀ ୪:୧୬, ୧୭.
୨୦-୨୬ ଅଗଷ୍ଟ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨୧-୨୨
“ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ”
ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୨୬ ¶୯
ଈଶ୍ୱରଙ୍କ ରାଜ୍ୟ ଏହାର ଶତ୍ରୁମାନଙ୍କୁ ବିନାଶ କରିବ
ଆକାଶରେ ଭୟଙ୍କର ଚିହ୍ନସବୁ ଦେଖାଯିବ: ଯୀଶୁ ଭବିଷ୍ୟତବାଣୀ କଲେ, “ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି ନକ୍ଷତ୍ରମାଳା ଆକାଶରୁ ସ୍ଖଳିତ ହେବେ ।” ଏହାର ଅର୍ଥ ହେଉଛି, ସେମସୟରେ ଲୋକେ ଜ୍ଞାନର ଆଲୋକ କିମ୍ବା ମାର୍ଗଦର୍ଶନ ପାଇଁ ଧର୍ମଗୁରୁମାନଙ୍କ ଉପରେ ଆଉ ଭରସା କରିବେ ନାହିଁ । କʼଣ ଯୀଶୁ ଏହା ମଧ୍ୟ କହୁଥିଲେ ଯେ ଆକାଶରେ ସତକୁ ସତ କିଛି ଅଲୌକିକ ଚିହ୍ନ ଦେଖାଯିବ? ହୁଏତ ହଁ । (ଯିଶା. ୧୩:୯-୧୧; ଯୋୟେ. ୨:୧, ୩୦, ୩୧) ଏହି ଚିହ୍ନସବୁର ଲୋକମାନଙ୍କ ଉପରେ କʼଣ ପ୍ରଭାବ ପଡ଼ିବ? ସେମାନଙ୍କ “କ୍ଳେଶ” ଯୋଗୁଁ “ସେମାନେ ହତବୁଦ୍ଧି ହେବେ ।” (ଲୂକ ୨୧:୨୫; ସିଫ. ୧:୧୭) ହଁ, ଈଶ୍ୱରଙ୍କ ରାଜ୍ୟର ଶତ୍ରୁମାନେ ଭୟଭୀତ ହେବେ । ‘ରାଜାଠାରୁ’ ଆରମ୍ଭ କରି “ଦାସ” ପର୍ଯ୍ୟନ୍ତ ସମସ୍ତେ ଅତ୍ୟନ୍ତ ବିଚଳିତ ହେବେ । “ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ ।” ସେମାନେ ଆଶ୍ରୟ ପାଇଁ ଏଆଡ଼େ ସେଆଡ଼େ ପଳାଇବାକୁ ଲାଗିବେ । କିନ୍ତୁ ସେମାନଙ୍କୁ ଏପରି କୌଣସି ଜାଗା ମିଳିବ ନାହିଁ, ଯେଉଁଠାରେ ସେମାନେ ଆମ ରାଜାଙ୍କ କ୍ରୋଧରୁ ରକ୍ଷା ପାଇପାରିବେ ।—ଲୂକ ୨୧:୨୬; ୨୩:୩୦; ପ୍ରକା. ୬:୧୫-୧୭, ଇଜି-ଟୁ-ରିଡ୍ ଭର୍ସନ ।
ପ୍ର୧୬.୦୧-ହି ୧୦-୧୧ ¶୧୭
ଦୃଢ଼ ସଂକଳ୍ପ କରନ୍ତୁ ଯେ ଆପଣଙ୍କ “ଭ୍ରାତୃପ୍ରେମ ସ୍ଥିର ହୋଇଥାଉ”
‘ସାହସୀ’ ହୁଅନ୍ତୁ । (ଏବ୍ରୀ ୧୩:୬ ପଢ଼ନ୍ତୁ ।) ଯିହୋବାଙ୍କଠାରେ ଭରସା ରଖିବା ଦ୍ୱାରା ଆମକୁ କଠିନ ପରିସ୍ଥିତିରେ ଧୈର୍ଯ୍ୟ ଧରିବା ପାଇଁ ସାହସ ମିଳେ । ଏହାଦ୍ୱାରା ଆମେ ସକାରାତ୍ମକ ମନୋଭାବ ବା ସଠିକ୍ ଦୃଷ୍ଟିକୋଣ ରଖିପାରୁ । ଆଉ, ସକାରାତ୍ମକ ମନୋଭାବ ରଖିବା ଦ୍ୱାରା ଆମେ ନିଜ ଭାଇଭଉଣୀମାନଙ୍କର ସାହସ ବଢ଼ାଇପାରୁ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇପାରୁ । ଏହିପରି ଭାବେ ଆମେ ଦେଖାଇଥାଉ ଯେ ଆମ ମଧ୍ୟରେ ଭ୍ରାତୃପ୍ରେମ ରହିଛି । (୧ ଥେସ. ୫:୧୪, ୧୫) ଏପରିକି ମହାକ୍ଳେଶ ସମୟରେ ମଧ୍ୟ, ଯେତେବେଳେ ଏ ଜଗତ କଠିନ ସମୟର ସାମନା କରିବ, ଆମେ ସାହସର ସହିତ ‘ଊର୍ଦ୍ଧଦୃଷ୍ଟି କରିବା ଓ ମସ୍ତକ ଉତ୍ତୋଳନ କରିବା,’ କାରଣ ଆମର ମୁକ୍ତି ସନ୍ନିକଟ ଥିବ ।—ଲୂକ ୨୧:୨୫-୨୮.
ପ୍ର୧୫-ହି ୭/୧୫ ୧୭-୧୮ ¶୧୩
“ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ”!
ଯେତେବେଳେ ଛାଗ ସଦୃଶ ଲୋକମାନେ ଜାଣିବେ ଯେ ସେମାନଙ୍କୁ “ଅନନ୍ତ ଶାସ୍ତି” ଦିଆଯିବ, ସେତେବେଳେ ସେମାନଙ୍କର ପ୍ରତିକ୍ରିୟା କʼଣ ହେବ? ସେମାନେ ଦୁଃଖରେ “ବିଳାପ କରିବେ ।” (ମାଥି. ୨୪:୩୦) କିନ୍ତୁ, ସେସମୟରେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଏବଂ ସେମାନଙ୍କୁ ସହଯୋଗ କରୁଥିବା ବିଶ୍ୱସ୍ତ ଭାଇଭଉଣୀମାନେ କିଭଳି ପ୍ରତିକ୍ରିୟା ଦେଖାଇବେ? ସେମାନେ ଠିକ୍ ତାହା କରିବେ, ଯାହା ଯୀଶୁ କହିଥିଲେ: “ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।” (ଲୂକ ୨୧:୨୮) ହଁ, ଆମେ ଏକ ସକାରାତ୍ମକ ମନୋଭାବ ଦେଖାଇବା ଏବଂ ଆମକୁ ମୁକ୍ତି ମିଳିବ ବୋଲି ନିଶ୍ଚିତ ହୋଇପାରିବା ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୨୧:୩୩ ଅଧ୍ୟୟନ ତଥ୍ୟ
ଆକାଶ ଓ ପୃଥିବୀ ଲୋପ ପାଇବ: ବାଇବଲର ଅନ୍ୟ ପଦଗୁଡ଼ିକରୁ ଜଣାପଡ଼େ ଯେ ଆକାଶ ଓ ପୃଥିବୀ ଚିରକାଳ ପାଇଁ ରହିବ । (ଆଦି ୯:୧୬; ଗୀତ ୧୦୪:୫; ଉପ ୧:୪) ତେଣୁ କୁହାଯାଇପାରେ ଯେ ଯୀଶୁ ଏଠାରେ ଅତିଶୟୋକ୍ତି ବ୍ୟବହାର କରୁଥିଲେ, ଯାହାର ଅର୍ଥ ହେଉଛି, ଅସମ୍ଭବ ଘଟଣା ଘଟୁ ପଛେ ଅର୍ଥାତ୍ ଆକାଶ ଓ ପୃଥିବୀ ଲୋପ ପାଉ ପଛେ, କିନ୍ତୁ ଯୀଶୁଙ୍କ କଥା ନିଶ୍ଚୟ ସତ ହେବ । (ମାଥି ୫:୧୮ ସହିତ ତୁଳନା କରନ୍ତୁ ।) କିନ୍ତୁ ଏପରି ଲାଗେ ଯେ ଏଠାରେ ଲାକ୍ଷଣିକ ଆକାଶ ଓ ପୃଥିବୀ ବିଷୟରେ କୁହାଯାଇଛି, ଯାହାକୁ ପ୍ରକା ୨୧:୧ ପଦରେ “ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ” ବୋଲି କୁହାଯାଇଛି ।
ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ: କିମ୍ବା “ମୋହର ବାକ୍ୟସମୂହ ଯେକୌଣସି ପରିସ୍ଥିତିରେ ମଧ୍ୟ ଲୋପ ପାଇବ ନାହିଁ ।” ମୂଳ ଗ୍ରୀକ୍ ଭାଷାରେ ଏଠାରେ କ୍ରିୟା ସହିତ ଦୁଇଟି ଶବ୍ଦ ବ୍ୟବହୃତ ହୋଇଛି । ଉଭୟ ଶବ୍ଦର ଅର୍ଥ ହେଉଛି, “ନାହିଁ ।” ଏଥିରୁ ଜଣାପଡ଼େ, ଯୀଶୁଙ୍କ କଥା ଯେ ସତ ନ ହେବ ଏହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଭାବେ ଏଠାରେ ଜୋର୍ ଦିଆଯାଇଛି ଯେ ଯୀଶୁଙ୍କ କଥା ନିଶ୍ଚୟ ସତ ହେବ ।
ପ୍ର୧୪-ହି ୧୦/୧୫ ୧୬-୧୭ ¶୧୫-୧୬
ତୁମ୍ଭେମାନେ “ଯାଜକମାନଙ୍କର ଏକ ରାଜବଂଶ” ହେବ
ପ୍ରଭୁଭୋଜ ପାଳନ କରିବା ପରେ ଯୀଶୁ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହିତ ଏକ ନିୟମ ବା ଚୁକ୍ତି କଲେ, ଯାହାକୁ ରାଜ୍ୟର ଚୁକ୍ତି ବୋଲି କୁହାଯାଏ । (ଲୂକ ୨୨:୨୮-୩୦ ପଢ଼ନ୍ତୁ ।) ଏହି ଚୁକ୍ତି ଅନ୍ୟ ଚୁକ୍ତିଗୁଡ଼ିକଠାରୁ ଭିନ୍ନ । କିପରି? ଏହି ଚୁକ୍ତିରେ ଯିହୋବା ସାମିଲ୍ ନାହାନ୍ତି । ଏହା ବ୍ୟତୀତ, ଏହି ଚୁକ୍ତି ଯୀଶୁ ଓ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ କରାଯାଇଛି । ଯେତେବେଳେ ଯୀଶୁ ନିଜ ପ୍ରେରିତମାନଙ୍କୁ କହିଲେ: “ମୋହର ପିତା ଯେପରି ମୋʼ ନିମନ୍ତେ ରାଜ୍ୟ ନିରୂପଣ କଲେ,” ସେତେବେଳେ ସେ ହୁଏତ “ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ” ହେବାର ଚୁକ୍ତି ବିଷୟରେ ଉଲ୍ଲେଖ କରୁଥିଲେ, ଯାହା ଯିହୋବା ତାହାଙ୍କ ସହିତ କରିଥିଲେ ।—ଏବ୍ରୀ ୫:୫, ୬.
ଯୀଶୁଙ୍କର ୧୧ ଜଣ ବିଶ୍ୱସ୍ତ ପ୍ରେରିତମାନେ ତାହାଙ୍କ ‘ସମସ୍ତ ପରୀକ୍ଷାରେ ତାହାଙ୍କ ସହିତ ରହିଆସିଥିଲେ ।’ ରାଜ୍ୟର ଚୁକ୍ତି ଏହାର ଗ୍ୟାରେଣ୍ଟି ଦେଲା ଯେ ପ୍ରେରିତମାନେ ସ୍ୱର୍ଗରେ ସିଂହାସନରେ ବସି ଯୀଶୁଙ୍କ ସହିତ ରାଜା ଓ ଯାଜକ ଭାବରେ ସେବା କରିବେ । କିନ୍ତୁ ଏହି ସମ୍ମାନ କେବଳ ୧୧ ଜଣ ପ୍ରେରିତମାନଙ୍କୁ ମିଳିବ ନାହିଁ । ଯୀଶୁ ପ୍ରେରିତ ଯୋହନଙ୍କୁ ଏକ ଦର୍ଶନରେ ଦେଖାଦେଇ ତାଙ୍କୁ କହିଲେ: “ଆମ୍ଭେ ଯେପରି ଜୟ କରି ଆମ୍ଭର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରେ, ଆମ୍ଭେ ତାହାଙ୍କୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ ।” (ପ୍ରକା. ୩:୨୧) ଏହାର ଅର୍ଥ, ରାଜ୍ୟର ଚୁକ୍ତି ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କ ସହିତ କରାଯାଇଛି । (ପ୍ରକା. ୫:୯, ୧୦; ୭:୪) ନ୍ୟାୟର ଆଧାରରେ ଏହି ଚୁକ୍ତି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଯୀଶୁଙ୍କ ସହିତ ସ୍ୱର୍ଗରେ ଶାସନ କରିବା ସମ୍ଭବ କରାଏ । ଏହା ଏଭଳି ଅଟେ, ଠିକ୍ ଯେପରି ଜଣେ କନ୍ୟା ରାଜାଙ୍କୁ ବିବାହ କଲା ପରେ, ତାଙ୍କ ସହିତ ଶାସନ କରିପାରେ । ପ୍ରକୃତରେ ଦେଖିବାକୁ ଗଲେ, ବାଇବଲ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କ “କନ୍ୟା” ଓ “ସତୀ କନ୍ୟା” ବୋଲି କହେ, ଯାହାର ବିବାହ ଖ୍ରୀଷ୍ଟଙ୍କ ସହିତ ହେବ ।—ପ୍ରକା. ୧୯:୭, ୮; ୨୧:୯; ୨ କରି. ୧୧:୨.
୨୭ ଅଗଷ୍ଟ–୨ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨୩-୨୪
“କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ”
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୭ ¶୧୬
‘ଖ୍ରୀଷ୍ଟଙ୍କ ପ୍ରେମ ଜ୍ଞାତ ହୁଅ’
ଯୀଶୁ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଉପାୟରେ ନିଜ ପିତାଙ୍କ ଭଳି ପ୍ରେମ ଦେଖାଇଲେ— ସେ “କ୍ଷମା କରିବାକୁ ପ୍ରସ୍ତୁତ” ଥିଲେ । (ଗୀତସଂହିତା ୮୬:୫) ଯେତେବେଳେ ସେ ଯାତନାର କାଠଖୁଣ୍ଟରେ ଥିଲେ, ସେତେବେଳେ ମଧ୍ୟ ଏହା ସ୍ପଷ୍ଟ ଜଣାଗଲା ଯେ ସେ କ୍ଷମା କରିବା ପାଇଁ ପ୍ରସ୍ତୁତ ଥିଲେ । ଯେତେବେଳେ ଯୀଶୁଙ୍କ ହାତ ଓ ପାଦ କାଠଖୁଣ୍ଟରେ କଣ୍ଟା ଦ୍ୱାରା ପିଟି ଦିଆଗଲା ଏବଂ ଅତି ଲଜ୍ଜାଜନକ ଭାବେ ମରିବା ପାଇଁ ଛାଡ଼ି ଦିଆଗଲା, ଯୀଶୁଙ୍କ ମୁହଁରୁ କିପରି ଶବ୍ଦ ବାହାରିଲା? କʼଣ ସେ ନିଜ ହତ୍ୟାକାରୀମାନଙ୍କୁ ଦଣ୍ଡ ଦେବା ପାଇଁ ଯିହୋବାଙ୍କୁ ଅନୁରୋଧ କଲେ? ନା । ଏହା ପରିବର୍ତ୍ତେ, ଯୀଶୁଙ୍କ ଅନ୍ତିମ ଶବ୍ଦଗୁଡ଼ିକ ମଧ୍ୟରେ କିଛି ଏପରି ଥିଲା: “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ।”—ଲୂକ ୨୩:୩୪.
ସଜା-ହି ୪/୦୮ ୩୦ ¶୫-୬
ଈଶ୍ୱର ଗମ୍ଭୀର ପାପଗୁଡ଼ିକୁ କ୍ଷମା କରନ୍ତି କି?
ଯିହୋବା ଯେ କେବଳ ପାପକୁ ଦେଖନ୍ତି ତାʼ ନୁହେଁ, ବରଂ ସେ ପାପୀ ମଣିଷର ମନୋଭାବ ପ୍ରତି ମଧ୍ୟ ଧ୍ୟାନ ଦେଇଥାʼନ୍ତି । (ଯିଶାଇୟ ୧:୧୬-୧୯) ଆସନ୍ତୁ କିଛି ସମୟ ପାଇଁ ସେହି ଦୁଇ ଜଣ କୁକର୍ମୀମାନଙ୍କ ପ୍ରତି ଧ୍ୟାନ ଦେବା, ଯେଉଁମାନଙ୍କୁ ଯୀଶୁଙ୍କ ଉଭୟ ପାର୍ଶ୍ୱରେ କାଠଖୁଣ୍ଟରେ ଚଢ଼ାଯାଇଥିଲା । ସେ ଦୁହେଁ ନିଶ୍ଚୟ ଗୁରୁତର ଅପରାଧ କରିଥିବେ, କାରଣ ସେମାନଙ୍କ ମଧ୍ୟରୁ ଜଣେ ସ୍ୱୀକାର କଲା: “ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି [ଯୀଶୁ] କୌଣସି ଦୋଷ କରି ନାହାନ୍ତି ।” (ଲୂକ ୨୩:୪୧) ସେହି ଅପରାଧୀର କଥାରୁ ଜଣାପଡ଼େ ଯେ ସେ ଯୀଶୁଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିଲା । ହୁଏତ ଏହି ତଥ୍ୟ ଯୋଗୁଁ ତାʼର ମନୋଭାବରେ ପରିବର୍ତ୍ତନ ଆସିଥିବ । ଏହା ସେ ଆଗକୁ କହିଥିବା କଥାରୁ ଜଣାପଡ଼େ: “ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।” (ଲୂକ ୨୩:୪୨) ଅପରାଧୀ ଜଣକ ହୃଦୟରୁ କରିଥିବା ଗୁହାରିର ଯୀଶୁ କʼଣ ଉତ୍ତର ଦେଲେ? ଯୀଶୁ ତାକୁ କହିଲେ: “ମୁଁ ଆଜି ତୁମ୍ଭକୁ ସତ୍ୟ କହୁଅଛି, ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।”—ଲୂକ ୨୩:୪୩, NW.
ଟିକେ ଭାବି ଦେଖନ୍ତୁ: ମଣିଷ ଭାବରେ ଯୀଶୁ ଯେଉଁ ଅନ୍ତିମ କିଛି କଥାଗୁଡ଼ିକ କହିଥିଲେ, ସେଥିରୁ ତାହାଙ୍କ ଦୟା ଗୁଣର ପ୍ରମାଣ ମିଳେ । ଏହି ଦୟା ସେ ଏପରି ଜଣେ ବ୍ୟକ୍ତିଙ୍କ ଉପରେ ଦେଖାଇଲେ, ଯିଏ ନିଜେ ସ୍ୱୀକାର କଲା ଯେ ସେ ମୃତ୍ୟୁଦଣ୍ଡ ପାଇଁ ଯୋଗ୍ୟ ଥିଲା । ଏଥିରୁ ଆମକୁ କେତେ ସାନ୍ତ୍ୱନା ମିଳେ! ହଁ, ଆମେ ଦୃଢ଼ ଭରସା ରଖିପାରିବା ଯେ ଯେଉଁମାନେ ହୃଦୟର ସହିତ ଅନୁତାପ କରନ୍ତି, ସେମାନେ ଅତୀତରେ ଯେତେ ଗମ୍ଭୀର ପାପ କରିଥାʼନ୍ତୁ ନା କାହିଁକି, ଯୀଶୁ ଖ୍ରୀଷ୍ଟ ଓ ତାହାଙ୍କ ପିତା ଯିହୋବା ସେମାନଙ୍କ ଉପରେ ଦୟା କରିଥାʼନ୍ତି ।—ରୋମୀୟ ୪:୭.
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୭-୨୯୮ ¶୧୭-୧୮
‘ଖ୍ରୀଷ୍ଟଙ୍କ ପ୍ରେମ ଜ୍ଞାତ ହୁଅ’
ଯୀଶୁଙ୍କ କ୍ଷମା କରିବାର ଗୁଣ ବିଷୟରେ ଏହାଠାରୁ ମଧ୍ୟ ଆହୁରି ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା, ପ୍ରେରିତ ପିତରଙ୍କ ସହ ତାହାଙ୍କ ବ୍ୟବହାରରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପିତର ଯୀଶୁଙ୍କୁ ହୃଦୟରୁ ଭଲ ପାଉଥିଲେ । ନୀସନ୍ ୧୪ ତାରିଖରେ ଯେତେବେଳେ ଯୀଶୁଙ୍କ ଜୀବନର ଶେଷ ରାତି ଥିଲା, ପିତର ତାହାଙ୍କୁ କହିଲେ: “ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି ।” ଏପରି କହିବା ସତ୍ତ୍ୱେ, ମାତ୍ର କିଛି ଘଣ୍ଟା ପରେ ପିତର ଯୀଶୁଙ୍କୁ ଜାଣିବାର ତିନି ଥର ଅସ୍ୱୀକାର କଲେ! ବାଇବଲ କହେ ଯେ ଯେତେବେଳେ ପିତର ତୃତୀୟ ଥର ପାଇଁ ଯୀଶୁଙ୍କୁ ଜାଣିବାର ଅସ୍ୱୀକାର କଲେ, ସେତେବେଳେ କʼଣ ହେଲା: “ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ ।” ପିତର ନିଜ ପାପ ଯୋଗୁଁ ଗଭୀର ଅନୁତାପରେ ଭାଙ୍ଗି ପଡ଼ିଥିଲେ ଏବଂ ସେ “ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ ।” ପରେ ଯେତେବେଳେ ସେହି ଦିନ ଯୀଶୁଙ୍କ ମୃତ୍ୟୁ ହେଲା, ସେତେବେଳେ ଏହି ପ୍ରେରିତଙ୍କ ମନରେ ଏ ପ୍ରଶ୍ନ ନିଶ୍ଚୟ ଆସିଥିବ: ‘କଅଣ ପ୍ରଭୁ ମୋତେ କ୍ଷମା କରିଛନ୍ତି?’—ଲୂକ ୨୨:୩୩, ୬୧, ୬୨.
ଏହାର ଉତ୍ତର ପାଇବା ପାଇଁ ପିତରଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ନୀସନ୍ ୧୬ ତାରିଖ ସକାଳେ ଯୀଶୁଙ୍କୁ ପୁନରୁତ୍ଥାନ କରାଗଲା । ଏହା ସ୍ପଷ୍ଟ ଜଣାପଡ଼େ ଯେ ସେହି ଦିନ ହିଁ ଯୀଶୁ ପିତରଙ୍କୁ ନିଜେ ଯାଇ ଭେଟିଲେ । (ଲୂକ ୨୪:୩୪; ୧ କରିନ୍ଥୀୟ ୧୫:୪-୮) ଯେଉଁ ପ୍ରେରିତ ତାହାଙ୍କୁ ଏତେ ଥର ଜୋର୍ ଦେଇ ଅସ୍ୱୀକାର କରିଥିଲେ, ତାଙ୍କ ପ୍ରତି ଯୀଶୁ କାହିଁକି ଏଭଳି ବିଶେଷ ଧ୍ୟାନ ଦେଲେ? ଯୀଶୁ ହୁଏତ ହୃଦୟରୁ ଅନୁତାପ କରିଥିବା ପିତରଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଥିଲେ ଯେ ସେ ଏବେ ମଧ୍ୟ ତାଙ୍କୁ ଭଲ ପାʼନ୍ତି ଏବଂ ବହୁମୂଲ୍ୟ ମନେ କରନ୍ତି । କିନ୍ତୁ ଯୀଶୁ ପିତରଙ୍କୁ ଏହି ପ୍ରତିଶ୍ରୁତି ଦେବା ପାଇଁ ଆହୁରି କିଛି କରିଥିଲେ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଲୂକ ୨୩:୩୧ ଅଧ୍ୟୟନ ତଥ୍ୟ
ଯଦି ସତେଜ ବୃକ୍ଷ . . . ତେବେ ଶୁଷ୍କ ବୃକ୍ଷ: ସମ୍ଭବତଃ ଯୀଶୁ ଏଠାରେ ଯିହୁଦୀ ରାଷ୍ଟ୍ର ବିଷୟରେ କହୁଥିଲେ । ଏହା ଏପରି ଏକ ବୃକ୍ଷ ଭଳି ଥିଲା, ଯାହା ଧୀରେ ଧୀରେ ଶୁଖି ଯାଉଥିଲା । ତଥାପି ତାହା କିଛି ମାତ୍ରାରେ ସତେଜ ଥିଲା । କାରଣ ଯୀଶୁ ଓ ତାହାଙ୍କ ଉପରେ ବିଶ୍ୱାସ କରୁଥିବା କିଛି ଯିହୁଦୀ ଏବେ ମଧ୍ୟ ଏହି ରାଷ୍ଟ୍ରରେ ଥିଲେ । କିନ୍ତୁ ଅତି ଶୀଘ୍ର ଯୀଶୁଙ୍କୁ ହତ୍ୟା କରାଯାʼନ୍ତା ଏବଂ ବିଶ୍ୱସ୍ତ ଯିହୁଦୀମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ କରାଯିବା ପରେ ସେମାନେ ଈଶ୍ୱରଙ୍କ ଇସ୍ରାଏଲର ଭାଗ ହୋଇଯାʼନ୍ତେ । (ରୋମୀ ୨:୨୮, ୨୯; ଗାଲା ୬:୧୬) ସେତେବେଳେ ଇସ୍ରାଏଲ ରାଷ୍ଟ୍ର ଈଶ୍ୱରଙ୍କ ଦୃଷ୍ଟିରେ ସତେ ଯେପରି ମୃତ ପାଲଟିଯାʼନ୍ତା । ଏହି ଅର୍ଥରେ ଇସ୍ରାଏଲ ରାଷ୍ଟ୍ର ଆଗକୁ ଯାଇ ଏକ ଶୁଷ୍କ ବୃକ୍ଷ ଭଳି ହୋଇଯାʼନ୍ତା ।—ମାଥି ୨୧:୪୩.
ଅଧ୍ୟୟନ ବାଇବଲ—ଚିତ୍ର
ଗୋଇଠି ହାଡ଼ରେ କଣ୍ଟା
ଏହି ଫଟୋରେ ଆମେ ଦେଖୁଛୁ ଯେ ଏକ ହାଡ଼ରେ ୧୧.୫ ସେଣ୍ଟିମିଟର (ବା ୪.୫ ଇଞ୍ଚ୍) ଲମ୍ବା ଏକ ଲୁହା କଣ୍ଟା ପିଟାଯାଇଛି । ଏହା ମଣିଷର ଗୋଇଠିରେ ଥିବା ହାଡ଼ର ଏକ ଅବିକଳ ନକଲ ଅଟେ, ପ୍ରକୃତ ହାଡ଼ ନୁହେଁ । (ସପୁ୧୭.୧୨.୫ ଦେଖନ୍ତୁ ।) ପ୍ରକୃତ ହାଡ଼ଖଣ୍ଡଟି ୧୯୬୮ ମସିହାରେ ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାକାରୀ ବା ପ୍ରତ୍ନତତ୍ତ୍ୱବିତ୍ମାନଙ୍କୁ ଉତ୍ତର ଯିରୂଶାଲମରେ ଖୋଦନ କରିବା ସମୟରେ ମିଳିଥିଲା । ଏହା ରୋମୀୟମାନଙ୍କ ସମୟର ଥିଲା । ଏହା ଏକ ପ୍ରମାଣ ଯେ ଜଣେ ବ୍ୟକ୍ତିକୁ କାଠଖୁଣ୍ଟରେ ପିଟି ମୃତ୍ୟୁଦଣ୍ଡ ଦେବା ସମୟରେ କଣ୍ଟାର ବ୍ୟବହାର କରାଯାଉଥିଲା । ରୋମୀୟ ସୈନିକମାନେ ହୁଏତ ଠିକ୍ ଏଭଳି କଣ୍ଟା ସାହାଯ୍ୟରେ ଯୀଶୁ ଖ୍ରୀଷ୍ଟଙ୍କୁ କାଠଖୁଣ୍ଟରେ ପିଟିଥିଲେ । ଏହି ହାଡ଼ଖଣ୍ଡଟି ପଥରର ଏକ ବାକ୍ସରେ ମିଳିଥିଲା, ଯେଉଁଥିରେ ଶବ ପଚିଯିବା ପରେ ତାʼର ହାଡ଼ଗୁଡ଼ିକୁ ରଖାଯାଉଥିଲା । ଏଥିରୁ ଜଣାପଡ଼େ ଯେ କାହାରିକୁ କାଠଖୁଣ୍ଟରେ କଣ୍ଟା ପିଟି ମାରିବା ପରେ ତାʼର ଶବକୁ ବେଳେ ବେଳେ ମାଟି ତଳେ ପୋତି ଦିଆଯାଉଥିଲା ।