ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr19 ଜୁନ୍‌ ପୃଷ୍ଠା ୨-୬
  • ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
  • ଉପଶୀର୍ଷକ
  • ୩-୯ ଜୁନ୍‌
  • ୧୦-୧୬ ଜୁନ୍‌
  • ୧୭-୨୩ ଜୁନ୍‌
  • ୨୪-୩୦ ଜୁନ୍‌
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
mwbr19 ଜୁନ୍‌ ପୃଷ୍ଠା ୨-୬

ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୩-୯ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଗାଲାତୀୟ ୪-୬

“‘ରୂପକ’ ନାଟକ ଆମ ପାଇଁ କʼଣ ଅର୍ଥ ରଖେ?”

ଇନସାଇଟ୍‌-୧ ୧୦୧୮ ¶୨

ହାଗାର

ପ୍ରେରିତ ପାଉଲ ଯେଉଁ ଲାକ୍ଷଣିକ ନାଟକ ବିଷୟରେ କହିଲେ, ସେଥିରେ ହାଗାର ଇସ୍ରାଏଲ ଦେଶକୁ ସୂଚାଏ, ଯାହା ସହ ଯିହୋବା ସୀନୟ ପର୍ବତରେ ନିୟମର ଚୁକ୍ତି କରିଥିଲେ। ଏହି ଚୁକ୍ତି “ଦାସତ୍ୱ ନିମନ୍ତେ ସନ୍ତାନ” ଜନ୍ମ କରନ୍ତା। ପାପୀ ହେବା ଯୋଗୁଁ ଇସ୍ରାଏଲୀୟମାନେ ଏହି ଚୁକ୍ତିର ସର୍ତ୍ତଗୁଡ଼ିକୁ ପୂରଣ କରିପାରିଲେ ନାହିଁ। ଏଥିରୁ ଇସ୍ରାଏଲୀୟମାନଙ୍କୁ ସ୍ୱାଧୀନତା ମିଳିଲା ନାହିଁ, ବରଂ ସେମାନେ ଏହା ହୃଦୟଙ୍ଗମ କରିପାରିଲେ ଯେ ସେମାନେ ପାପୀ ଅଟନ୍ତି ଏବଂ ଦିନେ ସେମାନେ ମରିଯିବେ। ଏହି କାରଣରୁ ସେମାନଙ୍କୁ ଦାସ ବୋଲି କୁହାଗଲା। (ଯୋହ ୮:୩୪; ରୋମୀ ୮:୧-୩) ହାଗାର ପାଉଲଙ୍କ ସମୟର ଯିରୂଶାଲମ ସହ ସମାନ, କାରଣ ଯିରୂଶାଲମ ଇସ୍ରାଏଲ ଦେଶର ରାଜଧାନୀ ଥିଲା ଏବଂ ନିଜ ସନ୍ତାନମାନଙ୍କ ସହ ଦାସତ୍ୱରେ ଥିଲା। କିନ୍ତୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ “ଊର୍ଦ୍ଧ୍ୱସ୍ଥ ଯିରୂଶାଲମ” ଅର୍ଥାତ୍‌ ଈଶ୍ୱରଙ୍କ ଲାକ୍ଷଣିକ ପତ୍ନୀଙ୍କ ସନ୍ତାନମାନେ ଅଟନ୍ତି। ଏହି ଯିରୂଶାଲମ ସ୍ୱାଧୀନା ସ୍ତ୍ରୀ ସାରାଙ୍କ ଭଳି କେବେ ମଧ୍ୟ ଦାସତ୍ୱରେ ନ ଥିଲା। କିନ୍ତୁ ଯେପରି ଇସ୍‌ହାକଙ୍କ ଉପରେ ଇଶ୍ମାଏଲ ଅତ୍ୟାଚାର କଲା, ଠିକ୍‌ ସେହିପରି ‘ଊର୍ଦ୍ଧ୍ୱସ୍ଥ ଯିରୂଶାଲମର’ ସନ୍ତାନମାନଙ୍କ ଉପରେ, ଯେଉଁମାନଙ୍କୁ ପୁତ୍ର ସ୍ୱାଧୀନ କରିଛନ୍ତି, ଦାସତ୍ୱରେ ଥିବା ଯିରୂଶାଲମର ସନ୍ତାନମାନେ ଅତ୍ୟାଚାର କଲେ। କିନ୍ତୁ ହାଗାର ଓ ତାଙ୍କ ପୁତ୍ରକୁ ଘରୁ ବାହାର କରିଦିଆଗଲା, ଯାହା ଦର୍ଶାଏ ଯେ ଯିହୋବା ଇସ୍ରାଏଲ ଦେଶକୁ ପରିତ୍ୟାଗ କଲେ।—ଗାଲା ୪:୨୧-୩୧; ଦୟାକରି ଯୋହ ୮:୩୧-୪୦ ପଦ ମଧ୍ୟ ଦେଖନ୍ତୁ।

ପ୍ର୧୪-ହି ୧୦/୧୫ ୧୦ ¶୧୧

ଈଶ୍ୱରଙ୍କ ରାଜ୍ୟ ଉପରେ ଅତୁଟ ବିଶ୍ୱାସ ରଖନ୍ତୁ

୧୧ ଅବ୍ରହାମଙ୍କ ସହ କରାଯାଇଥିବା ଚୁକ୍ତିରେ ଈଶ୍ୱର ଯେଉଁସବୁ ପ୍ରତିଜ୍ଞା କରିଥିଲେ, ସେଗୁଡ଼ିକ ଅବ୍ରହାମଙ୍କ ବଂଶ ପ୍ରତିଜ୍ଞାତ ଦେଶରେ ପ୍ରବେଶ କଲା ସମୟରେ ପ୍ରଥମଥର ପାଇଁ ପୂରଣ ହେଲା। କିନ୍ତୁ ବାଇବଲ କହେ ଯେ ଏହି ଚୁକ୍ତି ଆଗକୁ ଯାଇ ବ୍ୟାପକ ଭାବେ ପୂରଣ ହେବ, ଯେତେବେଳେ ଏହା ମଣିଷମାନଙ୍କ ପାଇଁ କାହିଁ କେତେ ଗୁଣ ଅଧିକ ଆଶିଷ ଆଣିବ। (ଗାଲା. ୪:୨୨-୨୫) ପ୍ରେରିତ ପାଉଲ ବୁଝାଇଲେ ଯେ ଏହି ବ୍ୟାପକ ପୂର୍ତ୍ତିରେ ଅବ୍ରହାମଙ୍କ ବଂଶର ମୁଖ୍ୟ ଭାଗ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଏବଂ ବଂଶର ଅନ୍ୟ ଭାଗ ୧,୪୪,୦୦୦ ଜଣ ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଟନ୍ତି। (ଗାଲା. ୩:୧୬, ୨୯; ପ୍ରକା. ୫:୯, ୧୦; ୧୪:୧, ୪) ଏଦନ ଉଦ୍ୟାନରେ କରାଯାଇଥିବା ପ୍ରତିଜ୍ଞାରେ ଯେଉଁ ସ୍ତ୍ରୀ ବିଷୟରେ କୁହାଯାଇଥିଲା, ତାହା ଯିହୋବାଙ୍କ ସ୍ୱର୍ଗୀୟ ସଂଗଠନକୁ ଦର୍ଶାଏ। ଏହି ସ୍ତ୍ରୀକୁ “ଊର୍ଦ୍ଧ୍ୱସ୍ଥ ଯିରୂଶାଲମ” ବୋଲି କୁହାଯାଇଛି ଏବଂ ଏହା ବିଶ୍ୱସ୍ତ ଆତ୍ମିକ ପ୍ରାଣୀମାନଙ୍କୁ ନେଇ ଗଠିତ। (ଗାଲା. ୪:୨୬, ୩୧) ଯେପରି ଅବ୍ରହାମଙ୍କ ସହ କରାଯାଇଥିବା ଚୁକ୍ତିରେ ପ୍ରତିଜ୍ଞା କରାଯାଇଥିଲା, ଏହି ସ୍ତ୍ରୀର ବଂଶ ମଣିଷଜାତି ପାଇଁ ଚିରକାଳ ପାଇଁ ଆଶିଷ ଆଣିବ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୯-ଇଂ ୪/୧ ୧୩

ଆପଣ ଜାଣିଥିଲେ କି?

ଯୀଶୁ ପ୍ରାର୍ଥନା କରିବା ସମୟରେ ଯିହୋବାଙ୍କୁ “ଆବ୍‌ବା, ପିତଃ” କାହିଁକି କହିଲେ?

ଆରାମୀ ଭାଷାରେ ଆବ୍‌ବା ଶବ୍ଦର ଅର୍ଥ “ପିତା” କିମ୍ବା “ହେ ପିତା” ହୋଇପାରେ। ଶାସ୍ତ୍ରରେ ଏହି ଶବ୍ଦ ତିନି ଥର ଅଛି ଏବଂ ପ୍ରତ୍ୟେକ ଥର ଏହି ଶବ୍ଦକୁ ପ୍ରାର୍ଥନା କରିବା ସମୟରେ ଯିହୋବାଙ୍କ ପାଇଁ ବ୍ୟବହାର କରାଯାଇଛି। ଏହି ଶବ୍ଦର ଅର୍ଥ କʼଣ?

ଦି ଇଣ୍ଟରନେସନାଲ୍‌ ଷ୍ଟାଣ୍ଡାଡ୍‌ ବାଇବଲ ଏନସାଇକ୍ଲୋପିଡିଆ ଅନୁସାରେ ଯୀଶୁଙ୍କ ଦିନରେ ପିଲାମାନେ ନିଜ ପିତାଙ୍କୁ ଆବ୍‌ବା କହି ଡାକୁଥିଲେ। ଏହି ଶବ୍ଦରୁ ପ୍ରେମ ଓ ଆଦର ଜଣାପଡ଼ୁଥିଲା। ଏହା ଏପରି ଶବ୍ଦଗୁଡ଼ିକ ମଧ୍ୟରୁ ଗୋଟେଏ ଥିଲା, ଯାହାକୁ ପିଲାମାନେ ସର୍ବପ୍ରଥମେ ଶିଖୁଥଲେ। ଯୀଶୁ ଯେତେବେଳେ ନିଜ ପିତାଙ୍କୁ ହୃଦୟରୁ ପ୍ରାର୍ଥନା କରୁଥିଲେ, ସେ ଏହି ଶବ୍ଦ ବ୍ୟବହାର କରୁଥିଲେ। ଯୀଶୁ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ଗେଥ୍‌ଶିମାନୀ ଉଦ୍ୟାନରେ ଯିହୋବାଙ୍କୁ ପ୍ରାର୍ଥନା କରିବା ସମୟରେ ତାହାଙ୍କୁ “ଆବ୍‌ବା, ପିତଃ” ବୋଲି କହିଥିଲେ।—ମାର୍କ ୧୪:୩୬.

ଏହି ଏନସାଇକ୍ଲୋପିଡିଆରେ ଏହା ମଧ୍ୟ କୁହାଯାଇଛି ଯେ ଗ୍ରୀକ୍‌ ଓ ରୋମୀୟ ଶାସନ କାଳରେ ଯିହୁଦୀ ସାହିତ୍ୟରେ ଈଶ୍ୱରଙ୍କ ପାଇଁ “ଆବ୍‌ବା” ଶବ୍ଦ ବ୍ୟବହାର କରାଯାଇ ନାହିଁ। ହୁଏତ ସେମାନେ ଏଥିପାଇଁ ବ୍ୟବହାର କରୁ ନ ଥିଲେ, କାରଣ ସେମାନଙ୍କୁ ଲାଗୁଥିଲା ଯେ ଈଶ୍ୱରଙ୍କୁ ଏହି ଶବ୍ଦରେ ଡାକିବା ତାହାଙ୍କ ଅନାଦର କରିବା ସହ ସମାନ। କିନ୍ତୁ, ଯେତେବେଳେ ଯୀଶୁ ପ୍ରାର୍ଥନାରେ ଏହି ଶବ୍ଦ ବ୍ୟବହାର କରୁଥିଲେ, ଏହା ଦେଖାଉଥିଲା ଯେ ସେ ପ୍ରକୃତରେ ଈଶ୍ୱରଙ୍କ ଅତି ନିକଟରେ ଅଛନ୍ତି, ଯାହା ସେ ନିଜେ ଦାବି ମଧ୍ୟ କରୁଥିଲେ। ଶାସ୍ତ୍ରରେ ଆଉ ଦୁଇଟି ଜାଗାରେ “ଆବ୍‌ବା” ଶବ୍ଦ ବ୍ୟବହାର କରାଯାଇଛି। ଏଥିରୁ ଜଣାପଡ଼େ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ମଧ୍ୟ ପ୍ରାର୍ଥନା କରିବା ସମୟରେ ଈଶ୍ୱରଙ୍କୁ ଆବ୍‌ବା ବୋଲି ଡାକୁଥିଲେ।—ରୋମୀୟ ୮:୧୫; ଗାଲାତୀୟ ୪:୬.

ପ୍ର୧୦-ଇଂ ୧୧/୧ ୧୫

ଆପଣ ଜାଣିଥିଲେ କି?

ଯେତେବେଳେ ପ୍ରେରିତ ପାଉଲ କହିଲେ ଯେ ସେ ନିଜ ଶରୀରରେ ‘ଯୀଶୁଙ୍କ କ୍ଷତଦାଗ ବହନ କରୁଅଛନ୍ତି,’ ଏହାର ଅର୍ଥ କʼଣ ଥିଲା?—ଗାଲାତୀୟ ୬:୧୭.

▪ ପାଉଲଙ୍କ ଏହି ଶବ୍ଦସମୂହକୁ ଶୁଣି ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ମନରେ ହୁଏତ ଅନେକ କଥା ଆସିଥିବ। ଉଦାହରଣ ପାଇଁ, ପ୍ରାଚୀନ ସମୟର ଯୁଦ୍ଧ ବନ୍ଦୀ, ମନ୍ଦିର ଲୁଣ୍ଠନକାରୀ ଓ ପଳାୟନ କରିଥିବା ଦାସମାନଙ୍କୁ ଚିହ୍ନିବା ପାଇଁ ଗରମ ଲୁହାରେ ଚେଙ୍କ ଦିଆଯାଉଥିଲା। ଯେତେବେଳେ ଲୋକଙ୍କୁ ଏପରି ଚେଙ୍କ ଦିଆଯାଉଥିଲା, ଏହା ଅତି ଅନାଦରର କଥା ବୋଲି ମନେ କରାଯାଉଥିଲା।

କିନ୍ତୁ ଏପ୍ରକାରର ଚିହ୍ନ ରହିବା ସବୁବେଳେ ଅନାଦରର କଥା ବୋଲି ଧରାଯାଉ ନ ଥିଲା। ପ୍ରାଚୀନ ସମୟରେ ଅନେକ ଲୋକ ନିଜ ଶରୀରରେ ଚେଙ୍କି କୌଣସି ଚିହ୍ନ ରଖୁଥିଲେ, ଯାହାଦ୍ୱାରା ସମସ୍ତେ ସହଜରେ ଚିହ୍ନି ପାରୁଥିଲେ ଯେ ସେମାନେ କୌଣସି ବିଶେଷ ଜାତିର ଅଟନ୍ତି କିମ୍ବା ଅମୁକ ଧର୍ମକୁ ମାନନ୍ତି। ଥିୟୋଲୋଜିକାଲ୍‌ ଡିକ୍ସନାରୀ ଅଫ୍‌ ଦି ନ୍ୟୁ ଟେଷ୍ଟାମେଣ୍ଟ ଅନୁସାରେ ଯେତେବେଳେ ସିରିଆର ଲୋକେ ନିଜକୁ ହଦଦ୍‌ କିମ୍ବା ଅଟାରଗାଟିସ୍‌ ଦେବତାକୁ ସମର୍ପଣ କରୁଥିଲେ, ସେମାନେ ନିଜ ବେକ କିମ୍ବା ହାତରେ ଏହାର ଏକ ଚିହ୍ନ ଚେଙ୍କୁଥିଲେ। ଡାୟୋନାଇସସ୍‌ ଦେବତାର ଭକ୍ତମାନେ ନିଜ ଶରୀରରେ ଆଇଭୀ ପତ୍ରର ଚିହ୍ନ ଚେଙ୍କୁଥିଲେ।

ଆଜି ଅନେକ ଟୀକାକାର ମାନନ୍ତି ଯେ ପାଉଲ ଏପରି ଦାଗଗୁଡ଼ିକ ବିଷୟରେ କହୁଥିଲେ, ଯାହା ମିଶନାରୀ ସେବା ସମୟରେ ତାଙ୍କ ପ୍ରତି କରାଯାଇଥିବା ନିର୍ଯ୍ୟାତନା ଯୋଗୁଁ ମିଳିଥିଲା। (୨ କରିନ୍ଥୀୟ ୧୧:୨୩-୨୭) କିନ୍ତୁ ହୁଏତ ପାଉଲଙ୍କ କହିବାର ଅର୍ଥ ଥିଲା— ତାଙ୍କ ଜୀବନ ଶୈଳୀରୁ ଜଣାପଡ଼େ ଯେ ସେ ଖ୍ରୀଷ୍ଟିୟାନ, ତାଙ୍କ ଶରୀରରେ ଥିବା ଦାଗ ଯୋଗୁଁ ନୁହେଁ।

୧୦-୧୬ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏଫିସୀୟ ୧-୩

“ଯିହୋବାଙ୍କ ବ୍ୟବସ୍ଥା ଏବଂ ସେଥିରୁ କʼଣ ହାସଲ ହୁଏ”

ଇନସାଇଟ୍‌-୨ ୮୩୭ ¶୪

ନିଗୂଢ଼ତତ୍ତ୍ୱ

ଖ୍ରୀଷ୍ଟୀୟ ରାଜ୍ୟ। ପାଉଲ ନିଜ ଚିଠିଗୁଡ଼ିକରେ କହିଲେ ଯେ ଖ୍ରୀଷ୍ଟଙ୍କ ନିଗୂଢ଼ତତ୍ତ୍ୱରେ କʼଣ କʼଣ ସାମିଲ୍‌ ଅଛି। ଏଫିସୀୟ ୧:୯-୧୧ ପଦରେ ସେ କହନ୍ତି ଯେ ଈଶ୍ୱର ନିଜ ଇଚ୍ଛାର “ନିଗୂଢ଼ତତ୍ତ୍ୱ” ପ୍ରକାଶ କରନ୍ତି। ପାଉଲ କହନ୍ତି: “ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୂଢ଼ତତ୍ତ୍ୱ ଜ୍ଞାତ କରାଇ ଅଛନ୍ତି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। ତାହାଙ୍କଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଙ୍କଳ୍ପାନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୂର୍ବରୁ ନିରୂପିତ ହେଲୁ।” “ନିଗୂଢ଼ତତ୍ତ୍ୱ” ଏକ ସରକାର ଅର୍ଥାତ୍‌ ଖ୍ରୀଷ୍ଟୀୟ ରାଜ୍ୟ ବିଷୟରେ ଅଟେ, ଯାହାର ବ୍ୟବସ୍ଥା ଈଶ୍ୱର କରିଛନ୍ତି। ପାଉଲ ଏଠାରେ ଯେଉଁ ‘ସ୍ୱର୍ଗରେ ଥିବା ସମସ୍ତ ବିଷୟରେ’ ବୋଲି କହିଲେ, ସେମାନେ ଏହି ରାଜ୍ୟର ଉତ୍ତାଧିକାରୀ ଅଟନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ଶାସନ କରିବେ। “ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ” ଏହି ରାଜ୍ୟର ପ୍ରଜା ଅଟନ୍ତି, ଅର୍ଥାତ୍‌ ଏପରି ଲୋକେ ଯେଉଁମାନେ ପୃଥିବୀରେ ରହିବେ। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି।” (ମାର୍କ ୪:୧୧) ଏହା କହି ସେ ଜଣାଉଥିଲେ ଯେ ଈଶ୍ୱରଙ୍କ ରାଜ୍ୟ ସହ ନିଗୂଢ଼ତତ୍ତ୍ୱର ସମ୍ବନ୍ଧ ରହିଛି।

ପ୍ର୧୨-ହି ୭/୧୫ ୨୭-୨୮ ¶୩-୪

“ଏକମାତ୍ର ସଦାପ୍ରଭୁ [ଯିହୋବା]” ନିଜ ପରିବାରକୁ ଏକତ୍ର କରନ୍ତି

୩ ମୋଶା ଇସ୍ରାଏଲୀୟମାନଙ୍କୁ କୁହନ୍ତି, “ସଦାପ୍ରଭୁ [ଯିହୋବା] ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ [ଯିହୋବା] ଅଟନ୍ତି।” (ଦ୍ୱିବି. ୬:୪) ଯିହୋବା ସମସ୍ତ କାମ ନିଜ ଉଦ୍ଦେଶ୍ୟ ଅନୁଯାୟୀ କରନ୍ତି। ତେଣୁ “କାଳର ପୂର୍ଣ୍ଣତା” ହେଲା ପରେ, ଈଶ୍ୱର ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତଙ୍କୁ ଏକତାର ବନ୍ଧନରେ ବାନ୍ଧି ରଖିବା ପାଇଁ ଏକ ‘ସଙ୍କଳ୍ପର’ ବା ବ୍ୟବସ୍ଥାର ଆରମ୍ଭ କଲେ। (ଏଫିସୀୟ ୧:୮-୧୦ ପଢ଼ନ୍ତୁ।) ଏହି ବ୍ୟବସ୍ଥାରେ ଦୁଇଟି ଭାଗ ଅଛି। ପ୍ରଥମ ଭାଗରେ, ଯୀଶୁ ଖ୍ରୀଷ୍ଟଙ୍କ ଅଧୀନରେ ସ୍ୱର୍ଗରେ ରହି କାମ କରିବା ପାଇଁ ଈଶ୍ୱର ଲୋକମାନଙ୍କୁ ବାଛନ୍ତି ଏବଂ ସେମାନଙ୍କୁ ପ୍ରସ୍ତୁତ କରନ୍ତି। ଏହି ଭାଗର ଆରମ୍ଭ ୩୩ ଖ୍ରୀଷ୍ଟାବ୍ଦ ପେଣ୍ଟିକଷ୍ଟ ଦିନ ହେଲା, ଯେତେବେଳେ ଯିହୋବା ସ୍ୱର୍ଗରେ ଶାସନ କରିବା ପାଇଁ ଲୋକମାନଙ୍କୁ ଅଭିଷେକ କରିବା ଆରମ୍ଭ କଲେ। (ପ୍ରେରି. ୨:୧-୪) ସେ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟର ଆଧାରରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଜୀବନ ପାଇବା ପାଇଁ ଧାର୍ମିକ ମନେ କରନ୍ତି। ତେଣୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କହିପାରନ୍ତି ଯେ ସେମାନଙ୍କୁ “ଈଶ୍ୱରଙ୍କ ସନ୍ତାନ” ଭାବେ ସ୍ୱୀକାର କରାଯାଇଛି।—ରୋମୀ. ୩:୨୩, ୨୪; ୫:୧; ୮:୧୫-୧୭.

୪ ଏହି ବ୍ୟବସ୍ଥାର ଅନ୍ୟ ଭାଗରେ ଯିହୋବା ଲୋକମାନଙ୍କୁ ଖ୍ରୀଷ୍ଟୀୟ ରାଜ୍ୟର ଅଧୀନରେ ରହିବା ପାଇଁ ପ୍ରସ୍ତୁତ କରନ୍ତି, ଯେଉଁମାନେ ପାରଦୀଶରେ ପରିଣତ ପୃଥିବୀରେ ରହିବେ। ଏହି ପାରଦୀଶରେ ଯେଉଁମାନେ ରହିବେ ସେମାନଙ୍କ ମଧ୍ୟରୁ ପ୍ରଥମ ଭାଗ “ମହା ଜନତା” ଅଟନ୍ତି। (ପ୍ରକା. ୭:୯, ୧୩-୧୭; ୨୧:୧-୫) ଏକ ହଜାର ବର୍ଷର ଶାସନ କାଳରେ ମହା ଜନତା ଛଡ଼ା ପୁନରୁତ୍ଥାନ କରାଯାଇଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ଏହି ପାରଦୀଶରେ ରହିବେ। (ପ୍ରକା. ୨୦:୧୨, ୧୩) ପୁନରୁତ୍ଥାନ କରାଯାଇଥିବା ଲୋକେ ଓ ମହା ଜନତା ଉଭୟ “ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ” ଅଟନ୍ତି। ଟିକେ ଭାବି ଦେଖନ୍ତୁ, ପୁନରୁତ୍ଥାନ ପରେ ମଣିଷମାନେ ପ୍ରକୃତ ଏକତା ଦେଖାଇବା ପାଇଁ କେତେ ବଢ଼ିଆ ସୁଯୋଗ ପାଇବେ! ଏକ ହଜାର ବର୍ଷର ଶାସନର ଶେଷରେ ଏମାନଙ୍କ ଉପରେ ଶେଷ ପରୀକ୍ଷା ଅଣାଯିବ। ଯେଉଁମାନେ ଏହି ପରୀକ୍ଷାରେ ବିଶ୍ୱସ୍ତ ରହିବେ, ସେମାନଙ୍କୁ ପୃଥିବୀରେ “ଈଶ୍ୱରଙ୍କ ସନ୍ତାନ” ଭାବେ ସ୍ୱୀକାର କରାଯିବ।—ରୋମୀ. ୮:୨୧; ପ୍ରକା. ୨୦:୭, ୮.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୩-ହି ୨/୧୫ ୨୮ ¶୧୫

କୌଣସି କଥା ଆପଣଙ୍କୁ ଗୌରବ ପାଇବାଠାରୁ ବଞ୍ଚିତ ନ କରୁ

୧୫ ଈଶ୍ୱରଙ୍କଠାରୁ ଗୌରବ ପାଇବା ପାଇଁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା? ଗୋଟିଏ ଉପାୟ ହେଉଛି, ଧୈର୍ଯ୍ୟ ଧରିବାରେ ବଢ଼ିଆ ଉଦାହରଣ ରଖି। ଏଫିସର ମଣ୍ଡଳୀକୁ ପାଉଲ ଲେଖିଥିଲେ: “ମୁଁ ଅନୁରୋଧ କରେ, ତୁମ୍ଭମାନଙ୍କ ନିମନ୍ତେ ମୋହର ଯେଉଁ କ୍ଳେଶଭୋଗ, ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମ୍ଭମାନଙ୍କର ଗୌରବ।” (ଏଫି. ୩:୧୩) ପାଉଲ ଏପରି କାହିଁକି କହିଲେ ଯେ ତାଙ୍କ ଦୁଃଖକଷ୍ଟର ଅର୍ଥ ଏଫିସର ଭାଇମାନଙ୍କ “ଗୌରବ” ଅଟେ? ପରୀକ୍ଷାଗୁଡ଼ିକ ସତ୍ତ୍ୱେ ଭାଇମାନଙ୍କ ସେବା କରିବା ଜାରି ରଖି ପାଉଲ ଦେଖାଇଲେ ଯେ ଯିହୋବାଙ୍କ ସେବା କରିବା ଖ୍ରୀଷ୍ଟିୟାନମାନଙ୍କ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେବା ଉଚିତ୍‌। ଯଦି ପାଉଲ ଏପରି କରିବାରେ ହାର୍‌ ମାନିଯାʼନ୍ତେ, ତେବେ ଭାଇମାନଙ୍କୁ ଲାଗନ୍ତା ଯେ ଯିହୋବାଙ୍କ ସେବା କରିବା, ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ଏବଂ ସେମାନଙ୍କ ଆଶା କୌଣସି ବିଶେଷ ମହତ୍ତ୍ୱ ରଖେ ନାହିଁ। ଧୈର୍ଯ୍ୟ ଧରିବାରେ ଏକ ବଢ଼ିଆ ଉଦାହରଣ ରଖି ପାଉଲ ଭାଇମାନଙ୍କୁ ଦେଖାଇଲେ ଯେ ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ଅନ୍ୟ ଯେକୌଣସି ତ୍ୟାଗଠାରୁ କେତେ ମହାନ!

ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୯ ¶୨୧

‘ଖ୍ରୀଷ୍ଟଙ୍କ ପ୍ରେମ ବିଷୟରେ ଜ୍ଞାତ ହୁଅ’

୨୧ ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଜ୍ଞାତ ହୁଅ” କରାଯାଇଛି, ତାʼର ଅର୍ଥ ହେଉଛି— “ବ୍ୟବହାରିକ ଉପାୟରେ, ଅନୁଭୂତି ଜରିଆରେ” ଜାଣିବା। ଯେତେବେଳେ ଆମେ ଯୀଶୁଙ୍କ ଭଳି ପ୍ରେମ କରିବା, ଅର୍ଥାତ୍‌ ଅନ୍ୟମାନଙ୍କ ମଙ୍ଗଳ ପାଇଁ ନିଃସ୍ୱାର୍ଥ ଭାବରେ ନିଜକୁ ଦେଇଦେବା, କରୁଣା ଦେଖାଇ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କାମ କରିବା, ହୃଦୟରୁ ସେମାନଙ୍କୁ କ୍ଷମା କରିବା, ତେବେଯାଇ ଆମେ ପ୍ରକୃତରେ ସେମାନଙ୍କ ଭାବନାକୁ ବୁଝିପାରିବା। ଏହିପରି ଭାବେ ଆମେ ନିଜ ଅନୁଭୂତିରୁ ‘ବୋଧର ଅଗମ୍ୟ ଯେ ଖ୍ରୀଷ୍ଟଙ୍କ ପ୍ରେମ, ତାହା ଜ୍ଞାତ ହେବା।’ ଆଉ ହଁ, ଆମେ ଏହା କେବେ ମଧ୍ୟ ଭୁଲିବା ଉଚିତ୍‌ ନୁହେଁ ଯେ ଆମେ ଯେତେ ଅଧିକ ଖ୍ରୀଷ୍ଟଙ୍କ ଭଳି ହେବା, ସେତେ ଅଧିକ ଆମେ ନିଜ ପ୍ରେମମୟ ଈଶ୍ୱର ଯିହୋବାଙ୍କ ନିକଟବର୍ତ୍ତୀ ହେବା, କାରଣ ଖ୍ରୀଷ୍ଟ ଠିକ୍‌ ନିଜ ପିତାଙ୍କ ଭଳି ଥିଲେ।

୧୭-୨୩ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏଫିସୀୟ ୪-୬

“ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର”

ପ୍ର୧୮.୦୫-ହି ୨୭ ¶୧

ଯୁବକଯୁବତୀମାନେ, ଶୟତାନ ବିରୁଦ୍ଧରେ ଅଟଳ ଭାବେ ଠିଆ ହୁଅନ୍ତୁ

ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କ ତୁଳନା ସୈନିକମାନଙ୍କ ସହ କଲେ। କିନ୍ତୁ ଆମର ଯୁଦ୍ଧ ହାଡ଼ ମାଂସର ମଣିଷମାନଙ୍କ ବିରୁଦ୍ଧରେ ନୁହେଁ, ବରଂ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ। ଏହି ଶତ୍ରୁମାନେ ହଜାର ହଜାର ବର୍ଷ ଧରି ଯୁଦ୍ଧ କରିଆସୁଛନ୍ତି ଏବଂ ଯୁଦ୍ଧ କରିବାରେ ଏମାନେ ଅତି ନିପୁଣ। ଏପରି ଲାଗିପାରେ ଯେ ସେମାନଙ୍କ ଉପରେ ଜୟ ହାସଲ କରିବା ଅସମ୍ଭବ, ବିଶେଷ କରି ଯୁବକଯୁବତୀମାନଙ୍କ ପାଇଁ। ଏବେ ପ୍ରଶ୍ନ ଉଠେ— କʼଣ ଯୁବକଯୁବତୀମାନେ ଏହି ଶକ୍ତିଶାଳୀ ଶତ୍ରୁମାନଙ୍କ ଉପରେ ଜୟ ହାସଲ କରିପାରିବେ? ନିଶ୍ଚୟ। ଯିହୋବାଙ୍କ ଶକ୍ତି ସାହାଯ୍ୟରେ ଅନେକ ଯୁବକଯୁବତୀ ଜୟ ହାସଲ କରୁଛନ୍ତି। ଏହା ବ୍ୟତୀତ, ଭଲ ଯୋଦ୍ଧାଙ୍କ ଭଳି ଲଢ଼ିବା ପାଇଁ ସେମାନେ “ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ” କରିଥାʼନ୍ତି।—ଏଫିସୀୟ ୬:୧୦-୧୨ ପଢ଼ନ୍ତୁ ।

ପ୍ର୧୮.୦୫-ହି ୨୮-୨୯ ¶୪, ୭, ୧୦

ଯୁବକଯୁବତୀମାନେ, ଶୟତାନ ବିରୁଦ୍ଧରେ ଅଟଳ ଭାବେ ଠିଆ ହୁଅନ୍ତୁ

୪ ଯେଭଳି ସୈନିକର କଟିବନ୍ଧ ବା ବେଲ୍‌ଟ ତାʼର ରକ୍ଷା କରିଥାଏ, ଠିକ୍‌ ସେହିପରି ଈଶ୍ୱରଙ୍କ ବାକ୍ୟରେ ଦିଆଯାଇଥିବା ସତ୍ୟଗୁଡ଼ିକ ମିଥ୍ୟା ଶିକ୍ଷାଗୁଡ଼ିକରୁ ଆମକୁ ରକ୍ଷା କରିଥାଏ। (ଯୋହ. ୮:୩୧, ୩୨; ୧ ଯୋହ. ୪:୧) ଆମେ ଯେତେ ବେଶି ସେହି ସତ୍ୟଗୁଡ଼ିକୁ ପ୍ରେମ କରିବା, ସେତେ ବେଶି ଈଶ୍ୱରଙ୍କ ମାନଦଣ୍ଡ ଅନୁଯାୟୀ ଚାଲିବା, ଅର୍ଥାତ୍‌ ଆମ ପାଇଁ ନିଜ “ଉରସ୍ତ୍ରାଣ” ବା କବଚ ପିନ୍ଧିବା ସହଜ ହେବ। (ଗୀତ. ୧୧୧:୭, ୮: ୧ ଯୋହ. ୫:୩) ଏହା ବ୍ୟତୀତ, ଯେତେବେଳେ ଆମେ ସତ୍ୟଗୁଡ଼ିକୁ ଆହୁରି ଭଲ ଭାବେ ବୁଝୁ, ଆମେ ସମ୍ପୂର୍ଣ୍ଣ ସାହସର ସହ ସେଗୁଡ଼ିକର ସପକ୍ଷରେ ଠିଆ ହୋଇପାରୁ।—୧ ପିତ. ୩:୧୫.

୭ ସେହି କବଚ ଭଳି ଯିହୋବାଙ୍କ ଧାର୍ମିକ ମାନଦଣ୍ଡ ମଧ୍ୟ ଆମ ‘ହୃଦୟର’ ଅର୍ଥାତ୍‌ ଅନ୍ତରର ମନୁଷ୍ୟକୁ ରକ୍ଷା କରେ। (ହିତୋ. ୪:୨୩) ଜଣେ ସୈନିକ କେବେ ମଧ୍ୟ ଲୁହାର କବଚ ଓହ୍ଲାଇ ଶସ୍ତା ଧାତୁରେ ତିଆରି କବଚ ପିନ୍ଧିବ ନାହିଁ, ଠିକ୍‌ ସେହିପରି ଆମେ ଯିହୋବାଙ୍କ ଧାର୍ମିକ ମାନଦଣ୍ଡଗୁଡ଼ିକୁ ଛାଡ଼ି ନିଜ ମାନଦଣ୍ଡ ଅନୁଯାୟୀ ଚାଲିବା ନାହିଁ। ଆମେ ନିଜ ବୁଦ୍ଧିର ସାହାଯ୍ୟରେ କେବେ ମଧ୍ୟ ନିଜ ହୃଦୟକୁ ରକ୍ଷା କରିପାରିବା ନାହିଁ। (ହିତୋ. ୩:୫, ୬) ତେଣୁ ଆମେ ସବୁବେଳେ ଯାଞ୍ଚ କରିବା ଉଚିତ୍‌ ଯେ କʼଣ ଆମର “ଉରସ୍ତ୍ରାଣ” ଆମ ହୃଦୟକୁ ରକ୍ଷା କରୁଛି।

୧୦ ଏହା ସତ ଯେ ଜଣେ ରୋମୀୟ ସୈନିକ ଜୋତା ପିନ୍ଧି ଯୁଦ୍ଧକୁ ଯାଉଥିଲା, କିନ୍ତୁ ଖ୍ରୀଷ୍ଟିୟାନମାନେ ଲାକ୍ଷଣିକ ପାଦୁକା ବା ଜୋତା ପିନ୍ଧି “ଶାନ୍ତିଦାୟକ ସୁସମାଚାର” ଶୁଣାଇବା ପାଇଁ ଯାʼନ୍ତି। (ଯିଶା. ୫୨:୭; ରୋମୀ. ୧୦:୧୫) କେବେ କେବେ ସୁସମାଚାର ଶୁଣାଇବା ପାଇଁ ଆମକୁ ସାହସ ଅତି ଜରୁରୀ ହୋଇଥାଏ। ୨୦ ବର୍ଷ ବୟସର ରୋବର୍ଟ କହନ୍ତି: “ମୁଁ ନିଜ କ୍ଲାସର ସାଙ୍ଗମାନଙ୍କୁ ସାକ୍ଷ୍ୟ ଦେବା ପାଇଁ ବହୁତ ଡରୁଥିଲି। ହୁଏତ ମୁଁ ଲାଜ କରୁଥିଲି। ଏବେ ଯେତେବେଳେ ମୁଁ ସେବିଷୟରେ ଭାବେ, ମୋତେ ଲାଗେ ଯେ ଏଥିରେ ଲାଜ କରିବାର କʼଣ ଅଛି! ଆଜି ମୁଁ ଖୁସିରେ ନିଜ ବୟସର ପିଲାମାନଙ୍କୁ ସାକ୍ଷ୍ୟ ଦିଏ।”

ପ୍ର୧୮.୦୫-ହି ୨୯-୩୧ ¶୧୩, ୧୬, ୨୦

ଯୁବକଯୁବତୀମାନେ, ଶୟତାନ ବିରୁଦ୍ଧରେ ଅଟଳ ଭାବେ ଠିଆ ହୁଅନ୍ତୁ

୧୩ ଆପଣ ଯୁବକଯୁବତୀମାନଙ୍କୁ ଶୟତାନ କେଉଁସବୁ “ଅଗ୍ନିବାଣ” ବା ଜ୍ୱଳନ୍ତ ତୀରରେ ଆକ୍ରମଣ କରେ? ହୁଏତ ସେ ଯିହୋବାଙ୍କ ବିଷୟରେ ମିଛ କହେ, ଯେପରି— ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାହିଁ ଏବଂ ସେ ଆପଣଙ୍କ ପାଇଁ ଚିନ୍ତା କରନ୍ତି ନାହିଁ। ଉଣେଇଶ ବର୍ଷ ବୟସର ଆଇଡା କହନ୍ତି: “ଅନେକ ଥର ମୋତେ ଏପରି ଲାଗେ ଯେପରି ଯିହୋବା ମୋʼଠାରୁ ବହୁ ଦୂରରେ ଅଛନ୍ତି, ଆଉ ସେ ମୋʼ ସାଙ୍ଗ ହେବାକୁ ଚାହାନ୍ତିନି।” ଆଇଡା ଶୟତାନର ଏହି ଆକ୍ରମଣର ସାମନା କିପରି କରନ୍ତି? ସେ କହନ୍ତି: “ସଭାଗୁଡ଼ିକରୁ ମୋର ବିଶ୍ୱାସ ମଜବୁତ୍‌ ହୁଏ। ପ୍ରଥମେ ସଭାଗୁଡ଼ିକରେ ମୁଁ ଚୁପ୍‌ଚାପ୍‌ ବସୁଥିଲି, କିଛି ଉତ୍ତର ଦେଉ ନ ଥିଲି। ମୁଁ ଭାବୁଥିଲି ଯେ କିଏ ମୋʼ ଉତ୍ତର ଶୁଣିବାକୁ ଚାହିଁବ। କିନ୍ତୁ, ଏବେ ମୁଁ ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରେ ଏବଂ ଦୁଇଟି କିମ୍ବା ତିନୋଟି ଉତ୍ତର ଦେବାକୁ ଚେଷ୍ଟା କରେ। ମୋʼ ପାଇଁ ଏପରି କରିବା ସହଜ ନୁହେଁ। କିନ୍ତୁ ଏପରି କରିବା ପରେ ମୋତେ ବହୁତ ଭଲ ଲାଗେ। ଭାଇଭଉଣୀମାନେ ମଧ୍ୟ ମୋର ଉତ୍ସାହ ବଢ଼ାନ୍ତି। ପ୍ରତ୍ୟେକ ସଭା ପରେ ମୋର ବିଶ୍ୱ।ସ ହୋଇଯାଏ ଯେ ଯିହୋବା ପ୍ରକୃତରେ ମୋତେ ପ୍ରେମ କରନ୍ତି।”

୧୬ ଯେଭଳି ଏକ ଶିରସ୍ତ୍ରାଣ ବା ଟୋପି ସୈନିକର ମସ୍ତିଷ୍କର ରକ୍ଷା କରେ, ଠିକ୍‌ ସେହିପରି “ପରିତ୍ରାଣରୂପ ଶିରସ୍ତ୍ରାଣ” ପିନ୍ଧିବା ଦ୍ୱାରା ଆମର ଚିନ୍ତାଧାରାଗୁଡ଼ିକର ରକ୍ଷା ହୁଏ। (୧ ଥେସ. ୫:୮; ହିତୋ. ୩:୨୧) ଏହି ଆଶା ଯୋଗୁଁ ଆମେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିପାରୁ ଏବଂ ପରୀକ୍ଷାଗୁଡ଼ିକ ସମୟରେ ନିରାଶ ହୋଇ ନ ଥାଉ। (ଗୀତ. ୨୭:୧, ୧୪; ପ୍ରେରି. ୨୪:୧୫) ଆମେ ଏହି ଆଶା ଉପରେ ସମ୍ପୂର୍ଣ୍ଣ ଭରସା ରଖିବା ଉଚିତ୍‌, ତେବେଯାଇ ଏହା ଆମକୁ ରକ୍ଷା କରିପାରିବ। ହଁ, ଆମେ ନିଜ “ଶିରସ୍ତ୍ରାଣ” ସର୍ବଦା ପିନ୍ଧିବା ଉଚିତ୍‌, ହାତରେ ଧରିବା ଉଚିତ୍‌ ନୁହେଁ।

୨୦ ପାଉଲ ଈଶ୍ୱରଙ୍କ ବାକ୍ୟର ତୁଳନା ଏକ ଖଡ଼୍‌ଗ ସହ କଲେ। ଯିହୋବା ଆମକୁ ତାହାଙ୍କ ବାକ୍ୟ ଦେଇଛନ୍ତି। କିନ୍ତୁ ଆମକୁ ତାର ସଠିକ୍‌ ବ୍ୟବହାର କରିବା ଶିଖିବାକୁ ହେବ, ଯାହାଫଳରେ ଆମେ ନିଜ ବିଶ୍ୱାସକୁ ରକ୍ଷା କରିପାରିବା ଏବଂ ନିଜ ଚିନ୍ତାଧାରାକୁ ସୁଧାରିପାରିବା। (୨ କରି. ୧୦:୪, ୫; ୨ ତୀମ. ୨:୧୫) ଆମେ ଏହା କିପରି କରିପାରିବା? ୨୧ ବର୍ଷ ବୟସର ସେବାଷ୍ଟିଆନ୍‌ କହନ୍ତି, “ଯେତେବେଳେ ମୁଁ ବାଇବଲ ପଢ଼େ, ପ୍ରତ୍ୟେକ ଅଧ୍ୟାୟରୁ ଗୋଟିଏ ପଦ ଲେଖି ପକାଏ। ଏହିପରି ଭାବେ ମୁଁ ନିଜ ମନପସନ୍ଦ ପଦଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛି।” ସେବାଷ୍ଟିଆନ୍‌ଙ୍କୁ ଲାଗେ ଯେ ଏପରି କରିବା ଦ୍ୱାରା ସେ ଯିହୋବାଙ୍କ ଚିନ୍ତାଧାରାକୁ ଆହୁରି ଭଲ ଭାବେ ବୁଝିପାରିଛନ୍ତି। ଦାନିୟେଲ, ଯାହାଙ୍କ ବିଷୟରେ ପୂର୍ବରୁ କୁହାଯାଇଥିଲା, କହନ୍ତି, “ବାଇବଲ ପଢ଼ିବା ସମୟରେ ମୁଁ ଏପରି ପଦଗୁଡ଼ିକୁ ବାଛିନିଏ, ଯେଉଁଥିରୁ ପ୍ରଚାର ସେବାରେ ଲୋକଙ୍କୁ ଲାଭ ମିଳିପାରେ। ଯେତେବେଳେ ଆମେ ଉତ୍ସାହର ସହ ବାଇବଲରୁ ପଦଗୁଡ଼ିକୁ ଦେଖାଉ ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁ, ସେମାନେ ଧ୍ୟାନ ଦେଇ ଆମ କଥା ଶୁଣିଥାʼନ୍ତି।”

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୧୧୨୮ ¶୩

ପବିତ୍ରତା

ପବିତ୍ର ଆତ୍ମା। ଯିହୋବାଙ୍କ ସକ୍ରିୟ ଶକ୍ତି ଯାହା ସମ୍ପୂର୍ଣ୍ଣ ଭାବେ ତାହାଙ୍କ ଅଧୀନରେ ଅଛି ଏବଂ ଯାହାକୁ ବ୍ୟବହାର କରି ସେ ନିଜ ଉଦ୍ଦେଶ୍ୟ ପୂରଣ କରନ୍ତି। ଏହି ଶକ୍ତି ଶୁଦ୍ଧ, ନିଷ୍କଳଙ୍କ ଓ ପବିତ୍ର ଅଟେ। ଈଶ୍ୱର ଏହାକୁ ଭଲ କାମ କରିବା ପାଇଁ ଅଲଗା କରିଛନ୍ତି। ସେଥିପାଇଁ ଏହାକୁ “ପବିତ୍ର ଆତ୍ମା” କିମ୍ବା “ଧର୍ମମୟ ଆତ୍ମା” ବୋଲି କୁହାଯାଇଛି। (ଗୀତ ୫୧:୧୧; ଲୂକ ୧୧:୧୩; ରୋମୀ ୧:୪; ଏଫି ୧:୧୩) ଯେତେବେଳେ ଏହି ଶକ୍ତି କୌଣସି ମଣିଷଠାରେ କାମ କରେ, ଏହା ତାକୁ ପବିତ୍ର କିମ୍ବା ଶୁଦ୍ଧ ରହିବା ପାଇଁ ପ୍ରେରିତ କରେ। ଯଦି ଜଣେ ବ୍ୟକ୍ତି କୌଣସି ଅଶୁଦ୍ଧ କିମ୍ବା ଭୁଲ୍‌ କାମ କରେ, ସେ ଈଶ୍ୱରଙ୍କ ପବିତ୍ର ଶକ୍ତିର ବିରୁଦ୍ଧରେ କାମ କରେ, କିମ୍ବା ତାକୁ “ଦୁଃଖ” ଦିଏ। (ଏଫି ୪:୩୦) ଏହା ସତ ଯେ ପବିତ୍ର ଆତ୍ମା କୌଣସି ବ୍ୟକ୍ତି ନୁହେଁ, ତଥାପି ଜଣେ ମଣିଷ ତାକୁ “ଦୁଃଖ” ଦେଇପାରେ। କିପରି? ପବିତ୍ର ଶକ୍ତି ସର୍ବଦା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାମ କରେ। କିନ୍ତୁ ଯଦି ଆମେ ଏପରି କୌଣସି କାମ କରିବା, ଯାହା ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଅଟେ, ତେବେ ଆମେ ପବିତ୍ର ଶକ୍ତିକୁ ଦୁଃଖ ଦେଇଥାଉ। ଯେତେବେଳେ ଜଣେ ବ୍ୟକ୍ତି ଭୁଲ୍‌ କାମ କରେ, ସେ ‘ଆତ୍ମାକୁ ନିର୍ବାଣ କରେ।’ (୧ଥେସ ୫:୧୯) କିନ୍ତୁ ଯଦି ଭୁଲ କାମ କରିବା ତାʼର ଅଭ୍ୟାସ ହୋଇଯାଏ, ତେବେ ସେ ଈଶ୍ୱରଙ୍କ ପବିତ୍ର ଶକ୍ତିକୁ ଦୁଃଖ ଦେଇଥାଏ। ଏହିପରି ଭାବେ, ସେହି ବିରୋଧୀ ବ୍ୟକ୍ତି ଜଣକ ଈଶ୍ୱରଙ୍କୁ ନିଜ ଶତ୍ରୁ କରିନିଏ। (ଯିଶା ୬୩:୧୦) ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ପବିତ୍ର ଶକ୍ତିକୁ ଦୁଃଖ ଦିଏ, ସେ ପବିତ୍ର ଶକ୍ତି ବିରୁଦ୍ଧରେ ନିନ୍ଦା କଥା ମଧ୍ୟ କହିବାକୁ ଲାଗିପାରେ। ଯୀଶୁ ଖ୍ରୀଷ୍ଟ କହିଥିଲେ ଯେ ଏହା ଏପରି ପାପ, ଯାହା ନା ତ ଆଜିର ଯୁଗରେ ନା ଆଗାମୀ ଯୁଗରେ କେବେ କ୍ଷମା କରାଯିବ।—ମାଥି ୧୨:୩୧, ୩୨; ମାର୍କ ୩:୨୮-୩୦.

ଇନସାଇଟ୍‌-୧ ୧୦୦୬ ¶୨

ଲୋଭ

କାମଗୁଡ଼ିକରୁ ଜଣାପଡ଼େ। ଯଦି ଜଣେ ବ୍ୟକ୍ତି ଲୋଭୀ ଅଟେ, ତେବେ ଏହା ତାର କୌଣସି ନା କୌଣସି କାମରୁ ଜଣା ପଡ଼ିଯାଏ। ତାʼର କାମଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ତାʼଠାରେ କୌଣସି ଭୁଲ୍‌ ଇଚ୍ଛା ରହିଛି। ବାଇବଲର ଜଣେ ଲେଖକ ଯାକୁବ କହିଲେ ଯେ ଯେତେବେଳେ ଭୁଲ୍‌ କାମନା ବା ଇଚ୍ଛା ଗର୍ଭଧାରଣ କରେ, ତାହା ପାପକୁ ଜନ୍ମ ଦିଏ। (ଯାକୁ ୧:୧୪, ୧୫) ତେଣୁ ଜଣେ ବ୍ୟକ୍ତିର କାମଗୁଡ଼ିକରୁ ତାʼ ଭିତରେ ଲୁଚିଥିବା ଲୋଭ ସ୍ପଷ୍ଟ ଭାବେ ଜଣା ପଡ଼ିଯାଏ। ପ୍ରେରିତ ପାଉଲ କହିଲେ ଯେ ଜଣେ ଲୋଭୀ ବ୍ୟକ୍ତି ମୂର୍ତ୍ତିପୂଜା କରୁଥିବା ବ୍ୟକ୍ତି ସହ ସମାନ। (ଏଫି ୫:୫) ଜଣେ ଲୋଭୀ ବ୍ୟକ୍ତି ଯେଉଁ ଜିନିଷ ପାଇଁ ଇଚ୍ଛା କରେ, ତାକୁ ସେ ନିଜ ଈଶ୍ୱର କରିନିଏ ଏବଂ ତାକୁ ସୃଷ୍ଟିକର୍ତ୍ତାଙ୍କ ଉପାସନା ଓ ଭକ୍ତିଠାରୁ ମଧ୍ୟ ଅଧିକ ଉଚ୍ଚ ସ୍ଥାନରେ ରଖିଥାଏ।—ରୋମୀ ୧:୨୪, ୨୫.

୨୪-୩୦ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଫିଲିପ୍‌ପୀୟ ୧-୪

“କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ”

ପ୍ର୧୭.୦୮-ହି ୧୦ ¶୧୦

ଈଶ୍ୱରଙ୍କ ଶାନ୍ତି ସମସ୍ତ ବୋଧର ଅଗମ୍ୟ

୧୦ “କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ” ଏବଂ “ଈଶ୍ୱରଙ୍କ ଶାନ୍ତି” ପାଇବାରେ ଆମକୁ କʼଣ ସାହାଯ୍ୟ କରିପାରିବ? ଫିଲିପ୍ପୀର ଭାଇମାନଙ୍କୁ ଲେଖିଥିବା ଚିଠିରେ ପାଉଲ ଚିନ୍ତା ଦୂର କରିବାର ଉପାୟ କହିଲେ। ତାହା ହେଲା ପ୍ରାର୍ଥନା କରିବା। ତେଣୁ ଯେତେବେଳେ ଆମେ କୌଣସି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ୁ, ସେତେବେଳେ ଆମକୁ ପ୍ରାର୍ଥନା କରିବା ଉଚିତ୍‌। (୧ ପିତର ୫:୬, ୭ ପଢ଼ନ୍ତୁ ।) ଯେତେବେଳେ ଆପଣ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି, ସମ୍ପୂର୍ଣ୍ଣ ଭରସା ରଖନ୍ତୁ ଯେ ସେ ଆପଣଙ୍କ ପାଇଁ ଚିନ୍ତା କରନ୍ତି। ଯିହୋବାଙ୍କଠାରୁ ମିଳିଥିବା ପ୍ରତ୍ୟେକ ଆଶିଷ ପାଇଁ ତାହାଙ୍କୁ ଧନ୍ୟବାଦ ଜଣାନ୍ତୁ। କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ସେ “ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି।”—ଏଫି. ୩:୨୦.

ପ୍ର୧୭.୦୮-ହି ୧୦ ¶୭

ଈଶ୍ୱରଙ୍କ ଶାନ୍ତି ସମସ୍ତ ବୋଧର ଅଗମ୍ୟ

୭ ଯେତେବେଳେ ଫିଲିପ୍ପୀର ଭାଇମାନେ ପାଉଲଙ୍କ ଚିଠି ପଢ଼ିଥିବେ, ସେମାନେ କେଉଁ କଥା ମନେ ପକାଇଥିବେ? ସେମାନେ ନିଶ୍ଚୟ ମନେ ପକାଇଥିବେ ଯେ ଯେତେବେଳେ ପାଉଲ ଓ ଶୀଲା ଜେଲ୍‌ରେ ଥିଲେ, ଯିହୋବା ସେମାନଙ୍କୁ କିପରି ଅଦ୍ଭୁତ ଭାବରେ ମୁକ୍ତ କଲେ। କେହି ମଧ୍ୟ ଆଶା କରି ନ ଥିଲେ ଯେ ଯିହୋବା ଏପରି ଭାବେ ସେମାନଙ୍କୁ ସାହାଯ୍ୟ କରିବେ। ପାଉଲ ନିଜ ଚିଠି ଜରିଆରେ ଏହି ଭାଇମାନଙ୍କୁ କʼଣ ଶିକ୍ଷା ଦେଉଥିଲେ? ତାହା ଥିଲା— ଚିନ୍ତା କର ନାହିଁ, ପ୍ରାର୍ଥନା କର। ତେବେଯାଇ ତୁମ୍ଭେମାନେ “ଈଶ୍ୱରଙ୍କ ଶାନ୍ତି,” ଯାହା “ସମସ୍ତ ବୋଧର ଅଗମ୍ୟ” ତାହା ପାଇପାରିବ। ଏହି ଶବ୍ଦଗୁଡ଼ିକର ଅର୍ଥ କʼଣ? କିଛି ବାଇବଲଗୁଡ଼ିକରେ ଏହି ଶବ୍ଦଗୁଡ଼ିକର ଅନୁବାଦ କରାଯାଇଛି— “ଆମ ସମସ୍ତ କଳ୍ପନାଠାରୁ ଅଗମ୍ୟ” କିମ୍ବା “ମଣିଷର ସମସ୍ତ ଯୋଜନାଠାରୁ ଶ୍ରେଷ୍ଠ।” ପାଉଲ ଏଠାରେ କହୁଥିଲେ, “ଈଶ୍ୱରଙ୍କ ଶାନ୍ତି” ଏତେ ବଢ଼ିଆ ଯେ ଏହା ବିଷୟରେ କହିବା ପାଇଁ କୌଣସି ଶବ୍ଦ ନାହିଁ। ଏହା ସତ ଯେ କେବେ କେବେ ଆମକୁ ନିଜ ସମସ୍ୟାଗୁଡ଼ିକର ସମାଧାନ ଜଣା ନ ଥାଏ, କିନ୍ତୁ ଯିହୋବା ସେଗୁଡ଼ିକର ସମାଧାନ ଜାଣନ୍ତି। ସେ ଏପରି କିଛି କରିପାରନ୍ତି ଯାହା ଆମେ କେବେ ଆଶା ମଧ୍ୟ କରି ନ ଥାଉ।—୨ ପିତର ୨:୯ ପଢ଼ନ୍ତୁ ।

ପ୍ର୧୭.୦୮-ହି ୧୦ ¶୧୬

ଈଶ୍ୱରଙ୍କ ଶାନ୍ତି ସମସ୍ତ ବୋଧର ଅଗମ୍ୟ

୧୬ ବାଇବଲ କହେ ଯେ ଯେତେବେଳେ ଆମକୁ “ଈଶ୍ୱରଙ୍କ ଶାନ୍ତି” ମିଳେ, ସେତେବେଳେ ଏହି ଶାନ୍ତି ଆମର ହୃଦୟ ଓ ମନକୁ ସୁରକ୍ଷା କରେ। (ଫିଲିପ୍ପୀ. ୪:୭) ଏଠାରେ ସୁରକ୍ଷା କରିବା ବିଷୟରେ ଯେଉଁ କୁହାଯାଇଛି, ସେଥିରୁ ମୂଳ ଭାଷାରେ ଗୋଟିଏ ସହରକୁ ସୁରକ୍ଷା କରୁଥିବା ସୈନ୍ୟଦଳର ଚିତ୍ର ମିଳେ। ଫିଲିପ୍ପୀ ଏହିପରି ଏକ ସହର ଥିଲା। ସେଠାକାର ଲୋକେ ରାତିରେ ନିଶ୍ଚିନ୍ତରେ ଶୋଉଥିଲେ, କାରଣ ସେମାନେ ଜାଣିଥିଲେ ଯେ ସୈନିକମାନେ ସହରକୁ ସୁରକ୍ଷା କରୁଛନ୍ତି। ଠିକ୍‌ ସେହିପରି, ଯେତେବେଳେ ଆମକୁ “ଈଶ୍ୱରଙ୍କ ଶାନ୍ତି” ମିଳେ, ଆମେ ଅତ୍ୟଧିକ ଚିନ୍ତା କରି ନ ଥାଉ ଏବଂ ଆମ ହୃଦୟ ଓ ମନକୁ ଆରାମ ମିଳେ, କାରଣ ଆମେ ଜାଣୁ ଯେ ଯିହୋବା ଆମ ପାଇଁ ଚିନ୍ତା କରନ୍ତି ଏବଂ ସେ ଆମ ସହ ଅଛନ୍ତି। (୧ ପିତ. ୫:୧୦) ଏହି କଥା ଆମକୁ ଚିନ୍ତିତ ହେବା ଓ ନିରାଶାରେ ବୁଡ଼ିଯିବାଠାରୁ ରକ୍ଷା କରିଥାଏ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୮-ହି ୮/୧୫ ୨୮ ¶୨

ଗାଲାତୀୟ, ଏଫିସୀୟ, ଫିଲିପ୍‌ପୀୟ ଓ କଲସୀୟ ବହିର ମୁଖ୍ୟାଂଶ

୧:୨୩—କେଉଁ ‘ଦୁଇଟି ବିଷୟକୁ’ ନେଇ ପାଉଲ ସମସ୍ୟାରେ ଥିଲେ ଏବଂ ସେ କେଉଁ “ପ୍ରସ୍ଥାନ” ପାଇଁ ଇଚ୍ଛା ରଖୁଥିଲେ? ପାଉଲ ଯେଉଁ ପରିସ୍ଥିତିରେ ଥିଲେ, ତାଙ୍କ ପାଇଁ ଦୁଇଟି ବାଟ ଥିଲା। ଗୋଟିଏ ଥିଲା ଜୀବନ ଏବଂ ଅନ୍ୟଟି ଥିଲା ମୃତ୍ୟୁ। (ଫିଲିପ୍ପୀ. ୧:୨୧) ସେ ଏ ମଧ୍ୟରୁ କାହାକୁ ବାଛିବେ, ସେବିଷୟରେ ସେ କିଛି କହିଲେ ନାହିଁ। କିନ୍ତୁ ସେ କହିଲେ ଯେ ସେ “ଖ୍ରୀଷ୍ଟଙ୍କ ସହିତ ରହିବାକୁ” ଚାହାନ୍ତି। (ଫିଲିପ୍ପୀ. ୩:୨୦,୨୧; ୧ ଥେସ. ୪:୧୬) ପାଉଲଙ୍କ ଏହି ଇଚ୍ଛା ଖ୍ରୀଷ୍ଟଙ୍କ ଉପସ୍ଥିତି ସମୟରେ ପୂରଣ ହେଲା, ଯେତେବେଳେ ଯିହୋବା ତାଙ୍କ ପାଇଁ ଯେଉଁ ପୁରସ୍କାର ରଖିଥିଲେ, ତାହା ତାଙ୍କୁ ମିଳିଲା।—ମାଥି ୨୪:୩.

ଇନସାଇଟ୍‌-୨ ୫୨୮ ¶୫

ଉପହାର

ନୈବେଦ୍ୟ। ଅଧିକାଂଶ ସମୟରେ ଉପହାର ସହ ନୈବେଦ୍ୟ ଦିଆଯାଉଥିଲା। ଯେତେବେଳେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ବସତି ସ୍ଥାପନ କଲେ, ବିଶେଷ କରି ତେବେଠାରୁ ଏହା ଆରମ୍ଭ ହେବାକୁ ଲାଗିଲା। (ଗଣ ୧୫:୨, ୫, ୮-୧୦) ଏହି ନୈବେଦ୍ୟ ଦ୍ରାକ୍ଷାରସର ଥିଲା ଏବଂ ଏହାକୁ ବେଦି ଉପରେ ଢଳା ଯାଉଥିଲା। (ଗଣ ୨୮:୭, ୧୪; ଦୟାକରି ଯାତ୍ରା ୩୦:୯; ଗଣ ୧୫:୧୦ ସହ ତୁଳନା କରନ୍ତୁ।) ପ୍ରେରିତ ପାଉଲ ଫିଲିପ୍ପୀରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ, “ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଉଅଛି, ତାହାହେଲେ ଆନନ୍ଦ କରୁଅଛି।” ପାଉଲ ଏଠାରେ ପେୟ ନୈବେଦ୍ୟର ବ୍ୟବହାର ଲାକ୍ଷଣିକ ଭାବେ କଲେ। ସେ ଜଣାଇବାକୁ ଚାହୁଁଥିଲେ ଯେ ସେ କିପରି ନିଜ ଖ୍ରୀଷ୍ଟୀୟ ଭାଇଭଉଣୀମାନଙ୍କ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ ଥିଲେ। (ଫିଲିପ୍‌ ୨:୧୭) ସେ ନିଜ ମୃତ୍ୟୁର କିଛି ସମୟ ପୂର୍ବେ ତୀମଥିଙ୍କୁ ଲେଖିଲେ, “ଏବେ ହେଁ ମୋʼର ପ୍ରାଣ ଆହୁତି ପରି ଢଳାଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।”—୨ତୀମ ୪:୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ