ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr20 ଅଗଷ୍ଟ ପୃଷ୍ଠା ୧-୮
  • ଅଗଷ୍ଟ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଗଷ୍ଟ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
  • ଉପଶୀର୍ଷକ
  • ୩-୯ ଅଗଷ୍ଟ
  • ୧୦-୧୬ ଅଗଷ୍ଟ
  • ୧୭-୨୩ ଅଗଷ୍ଟ
  • ୨୪-୩୦ ଅଗଷ୍ଟ
  • ୩୧ ଅଗଷ୍ଟ–୬ ସେପ୍ଟେମ୍ବର
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
mwbr20 ଅଗଷ୍ଟ ପୃଷ୍ଠା ୧-୮

ଅଗଷ୍ଟ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୩-୯ ଅଗଷ୍ଟ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୩-୧୪

“ସୁସ୍ଥିର ହୁଅ ଓ ଯିହୋବା କିପ୍ରକାରେ ଉଦ୍ଧାର କରିବେ ତାହା ଦେଖ”

ପ୍ର୧୩-ହି ୪/୧ ପୃ ୪

ମୋଶା—ବିଶ୍ୱାସର ବଢ଼ିଆ ଉଦାହରଣ

ମୋଶା ହୁଏତ ଅନୁମାନ କରୁଥିଲେ ଯେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା ପାଇଁ ଯିହୋବା ଲାଲ ସାଗରକୁ ଦୁଇ ଭାଗ କରିବାକୁ ଯାଉଛନ୍ତି । କିନ୍ତୁ ମୋଶାଙ୍କ ପୂରା ବିଶ୍ୱାସ ଥିଲା ଯେ ଈଶ୍ୱର ନିଜ ଲୋକମାନଙ୍କୁ ରକ୍ଷା କରିବା ପାଇଁ କିଛି ନା କିଛି ନିଶ୍ଚୟ କରିବେ ଏବଂ ସେ ଚାହୁଁଥିଲେ ଯେ ତାଙ୍କ ଭଳି ଇସ୍ରାଏଲୀୟମାନେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ତେଣୁ ସେ ଇସ୍ରାଏଲୀୟମାନଙ୍କୁ କହିଲେ: “ଭୟ କର ନାହିଁ, ସୁସ୍ଥିର ହୁଅ; ସଦାପ୍ରଭୁ ଆଜି କିପ୍ରକାରେ ତୁମ୍ଭମାନଙ୍କୁ ଉଦ୍ଧାର କରିବେ, ତାହା ଦେଖ ।” (ଯାତ୍ରା ପୁସ୍ତକ ୧୪:୧୩) କʼଣ ମୋଶା ନିଜ ସାଥୀ ଇସ୍ରାଏଲୀୟମାନଙ୍କର ବିଶ୍ୱାସ ମଜବୁତ୍‌ କରିବାରେ ସଫଳ ହେଲେ ? ହଁ, କେବଳ ମୋଶାଙ୍କର ନୁହେଁ, ବରଂ ସମସ୍ତ ଇସ୍ରାଏଲୀୟମାନଙ୍କର ବିଶ୍ୱାସ ମଜବୁତ୍‌ ହେଲା । କାରଣ ବାଇବଲ କହେ: “ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୂଫ ସାଗରର ଭିତର ଦେଇ ପାର ହେଲେ ।” (ଏବ୍ରୀ ୧୧:୨୯) ମୋଶା ଯେଉଁ ବିଶ୍ୱାସ ଦେଖାଇଲେ, ସେଥିରୁ ନା କେବଳ ତାଙ୍କୁ ବରଂ ଅନ୍ୟମାନଙ୍କୁ ମଧ୍ୟ ବହୁତ ଲାଭ ହେଲା ।

ପ୍ର୧୮.୦୯-ହି ପୃ ୨୬ ¶୧୩

ସର୍ବଶକ୍ତିମାନ ହେବା ସତ୍ତ୍ୱେ ବିଚାରଶୀଳ

୧୩ ଯାତ୍ରା ପୁସ୍ତକ ୧୪:୧୯-୨୨ ପଢ଼ନ୍ତୁ । କଳ୍ପନା କରନ୍ତୁ ଯେ ଆପଣ ଇସ୍ରାଏଲୀୟମାନଙ୍କ ସହ ଅଛନ୍ତି । ଆପଣଙ୍କ ପଛରେ ମିଶରର ସେନା ଏବଂ ସାମନାରେ ଲାଲ ସାଗର । ଆପଣ ବୁଝିପାରୁ ନାହାନ୍ତି ଯେ କʼଣ କରିବେ । କିନ୍ତୁ ଠିକ୍‌ ସେତିକିବେଳେ ଈଶ୍ୱର ପଦକ୍ଷେପ ନିଅନ୍ତି । ସେ ମେଘସ୍ତମ୍ଭକୁ ଆପଣଙ୍କ ସାମନାରୁ ହଟାଇ ପଛକୁ ନେଇଯାଆନ୍ତି, ଯାହାଫଳରେ ମିଶରୀୟ ସେନା ଆପଣଙ୍କ ପିଛା କରିପାରନ୍ତି ନାହିଁ । ସେମାନଙ୍କ ଆଡ଼େ ଅନ୍ଧାର ହୋଇଯାଏ, କିନ୍ତୁ ଆପଣଙ୍କ ଆଡ଼େ ଆଲୋକ ଥାଏ ! ତାʼପରେ ଆପଣ ଦେଖନ୍ତି ଯେ ମୋଶା ନିଜ ହାତ ସମୁଦ୍ର ଆଡ଼କୁ ବଢ଼ାନ୍ତି ଏବଂ ପୂର୍ବ ଦିଗରୁ ଖୁବ୍‌ ବେଗରେ ପବନ ବହିବାକୁ ଲାଗେ । ଦେଖୁ ଦେଖୁ ସମୁଦ୍ର ମଝିରେ ଯଥେଷ୍ଟ ଓସାରିଆ ରାସ୍ତା ଦେଖାଯାଏ । ସେତେବେଳେ ଆପଣ ଓ ଅନ୍ୟମାନେ ସମସ୍ତେ ନିଜ ନିଜ ପରିବାର ଓ ପଶୁମାନଙ୍କ ସହ ଶୁଖିଲା ଭୂଇଁରେ ଚାଲିବାକୁ ଲାଗନ୍ତି । ସମସ୍ତେ ସଂଗଠିତ ଭାବେ ଆଗକୁ ବଢ଼ନ୍ତି । ଆପଣ ଶୁଖିଲା ଓ ଶକ୍ତ ଭୂଇଁକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ! କେଉଁଠି ବି ନା କାଦୁଅ ଅଛି, ନା ପାଣି ବରଫ ଭଳି ଜମା ହୋଇଛି, ଯେଉଁଥିରେ ଆପଣ ଖସି ପଡ଼ିବେ । ଆପଣ ଆରାମରେ ଚାଲୁଛନ୍ତି । ଏପରିକି ବହୁତ ଧିରେ ଧିରେ ଚାଲୁଥିବା ଲୋକେ ମଧ୍ୟ ସୁରକ୍ଷିତ ଭାବେ ସମୁଦ୍ରର ଆର ପାରିରେ ପହଞ୍ଚିଯାʼନ୍ତି ।

ପ୍ର୦୯-ହି ୩/୧୫ ପୃ ୭ ¶୩-୪

ଯିହୋବାଙ୍କୁ କେବେ ମଧ୍ୟ ଭୁଲନ୍ତୁ ନାହିଁ

ଗୋଟିଏ ପକ୍ଷରେ ମିଶରୀୟମାନେ ସେମାନଙ୍କ ଭାଙ୍ଗିରୁଜି ଯାଇଥିବା ରଥଗୁଡ଼ିକରେ ଫସି ଯାଇଥିଲେ, କିନ୍ତୁ ଅନ୍ୟ ପକ୍ଷରେ ଇସ୍ରାଏଲୀୟମାନେ ଲାଲ ସାଗରର ପୂର୍ବୀୟ ତଟରେ ପହଞ୍ଚିଯାଇଥିଲେ । ଠିକ୍‌ ଏତିକିବେଳକୁ ମୋଶା ନିଜ ହାତ ଲାଲ ସାଗର ଆଡ଼କୁ ବଢ଼ାଇଲେ । ଆଉ, ଯିହୋବା ପାଣିର ପ୍ରାଚୀରଗୁଡ଼ିକୁ ପକାଇଦେଲେ । ପାହାଡ଼ ଭଳି ଠିଆ ହୋଇଥିବା ପାଣିର ପ୍ରାଚୀରଗୁଡ଼ିକ ଗର୍ଜନ କରି ଫାରୋ ଓ ତାର ସେନା ଉପରେ ପଡ଼ିଲା ଏବଂ ସମସ୍ତେ ପାଣିରେ ବୁଡ଼ି ନିଜ ପ୍ରାଣ ହରାଇଲେ । ଗୋଟିଏ ହେଲେ ଶତ୍ରୁ ଜୀବିତ ରହିଲା ନାହିଁ । ଏବେ ଇସ୍ରାଏଲୀୟମାନେ ସ୍ୱାଧୀନ ଥିଲେ !—ଯାତ୍ରା. ୧୪:୨୬-୨୮; ଗୀତ. ୧୩୬:୧୩-୧୫.

ଏହି ଘଟଣା ପରେ ଆଖପାଖର ରାଷ୍ଟ୍ରଗୁଡ଼ିକର ଲୋକମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ଭୟ କରିବାକୁ ଲାଗିଲେ । (ଯାତ୍ରା. ୧୫:୧୪-୧୬) ଏହାର ୪୦ ବର୍ଷ ପରେ ଯିରୀହୋ ସହରରେ ରହୁଥିବା ରାହାବ ଦୁଇ ଇସ୍ରାଏଲୀୟ ପୁରୁଷଙ୍କୁ କହିଲେ: “ତୁମ୍ଭମାନଙ୍କ ବିଷୟକ ତ୍ରାସ ଆମ୍ଭମାନଙ୍କ ଉପରେ ପଡ଼ିଅଛି . . . କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସମୁଦ୍ରର ଜଳ ଶୁଷ୍କ କଲେ, . . . ତାହା ଆମ୍ଭେମାନେ ଶୁଣିଅଛୁ ।” (ଯିହୋ. ୨:୯, ୧୦) ଯିହୋବା ଯେପରି ଭାବେ ନିଜ ଲୋକମାନଙ୍କୁ ଉଦ୍ଧାର କଲେ, ତାହା ବିଧର୍ମୀ ରାଷ୍ଟ୍ରଗୁଡ଼ିକର ଲୋକମାନେ ଭୁଲିପାରି ନ ଥିଲେ । ତେଣୁ ଇସ୍ରାଏଲୀୟମାନେ ଏସବୁ ଆଦୌ ଭୁଲିବା ଉଚିତ୍‌ ନ ଥିଲା ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ପୃ ୧୧୧୭

ରାଜପଥ, ସଡ଼କ

ପ୍ରାଚୀନ ସମୟରେ ପାଲେଷ୍ଟାଇନରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଅନେକ ସଡ଼କ ଓ ରାଜପଥ ଥିଲା । ସେମଧ୍ୟରୁ କିଛି ସଡ଼କ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଯଥେଷ୍ଟ ସହାୟକ ହେଉଥିଲା । (ଗଣ ୨୦:୧୭-୧୯; ୨୧:୨୧, ୨୨; ୨୨:୫, ୨୧-୨୩; ଯିହୋ ୨:୨୨; ବିଚା ୨୧:୧୯; ୧ଶାମୁ ୬:୯, ୧୨; ୧୩:୧୭, ୧୮) ବ୍ୟବସାୟ ପାଇଁ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ରାସ୍ତା ମିଶରରୁ ଦାମାସ୍‌କସ୍‌ ପର୍ଯ୍ୟନ୍ତ ଯାଉଥିଲା । ଏହି ସଡ଼କ ମିଶରରୁ ବାହାରି ଘସା ଓ ଅସ୍କିଲୋନ ନାମକ ପଲେଷ୍ଟୀୟ ସହରଗୁଡ଼ିକ ମଧ୍ୟ ଦେଇ ଯାଉଥିଲା । ତାʼପରେ ଏହା ଉତ୍ତର-ପୂର୍ବ ଦିଗରେ ମଗିଦ୍ଦୋ ଆଡ଼କୁ ଟିକେ ମୋଡ଼ ନେଉଥିଲା ଏବଂ ପରେ ହାତ୍‌ସୋର ସହରରୁ ଆଗକୁ ବଢ଼ି ଗାଲିଲୀ ସମୁଦ୍ରର ଉତ୍ତର ଆଡ଼କୁ ହୋଇ ଦାମାସ୍‌କସ୍‌ ଯାଉଥିଲା । ମିଶରରୁ ପାଲେଷ୍ଟାଇନ ହୋଇ ପ୍ରତିଜ୍ଞା କରାଯାଇଥିବା ଦେଶକୁ ଯିବା ପାଇଁ ଏହି ରାସ୍ତା ସବୁଠାରୁ ଛୋଟ ଥିଲା । କିନ୍ତୁ ପଲେଷ୍ଟୀୟମାନେ ଇସ୍ରାଏଲୀୟମାନଙ୍କ ଉପରେ ଆକ୍ରମଣ ନ କରିବା ପାଇଁ ଯିହୋବା ସେମାନଙ୍କୁ ଅନ୍ୟ ରାସ୍ତା ଦେଇ ନେଇଗଲେ ।—ଯାତ୍ରା ୧୩:୧୭.

ଇନସାଇଟ୍‌-୧ ପୃ ୭୮୨ ¶୨-୩

ଇସ୍ରାଏଲୀୟମାନଙ୍କ ମିଶର ଦେଶରୁ ବାହାରିବା

ଲାଲ ସାଗରକୁ କେଉଁ ଜାଗାରେ ଦୁଇ ଭାଗ କରାଯାଇଥିବ, ଯାହାଫଳରେ ଇସ୍ରାଏଲୀୟମାନେ ପାରି ହୋଇପାରିଲେ ?

ଧ୍ୟାନ ଦିଅନ୍ତୁ ଯେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ “ପ୍ରାନ୍ତର-ଧାରସ୍ଥିତ” ଏଥମ୍‌ରେ ପହଞ୍ଚିଲେ, ସେତେବେଳେ ଯିହୋବା ମୋଶାଙ୍କୁ କହିଲେ ଯେ ସେମାନେ, “ଫେରି ପୀହହୀରୋତର . . . ସମୁଦ୍ର ନିକଟରେ ଛାଉଣି ସ୍ଥାପନ” କରନ୍ତୁ । ଏଥିରୁ ଫାରୋକୁ ଲାଗନ୍ତା ଯେ ଇସ୍ରାଏଲୀୟମାନେ “ଧନ୍ଦଳା” ବା ବାଟବଣା ହୋଇଯାଇଛନ୍ତି । (ଯାତ୍ରା ୧୩:୨୦; ୧୪:୧-୩) କିଛି ବିଦ୍ୱାନ୍‌ କହନ୍ତି ଯେ ଯେତେବେଳେ ଇସ୍ରାଏଲୀୟମାନେ ମିଶରରୁ ବାହାରିଲେ, ସେମାନେ ଏଲ ହଜ୍‌ର ରାସ୍ତା ଧରିଥିଲେ । ଏହି ବିଦ୍ୱାନ୍‌ମାନେ କହନ୍ତି, ଯେତେବେଳେ ଯିହୋବା ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ‘ଫେରିଯାଆନ୍ତୁ,’ ଏହା ପାଇଁ ମୂଳ ହସ୍ତଲିପିରେ ଯେଉଁ ଏବ୍ରୀ ଶବ୍ଦ ବ୍ୟବହାର କରାଯାଇଥିଲା, ତାର ଅର୍ଥ ସାମାନ୍ୟ ରାସ୍ତା ବଦଳାଇବା ନୁହେଁ, ବରଂ ସମ୍ପୂର୍ଣ୍ଣ ଭାବେ ଦିଗ ବଦଳାଇ ଦେବା ଅଟେ । ଇସ୍ରାଏଲୀୟମାନେ ଠିକ୍‌ କେଉଁ ଜାଗାରେ ଦିଗ ବଦଳାଇଥିଲେ ? ବିଦ୍ୱାନ୍‌ମାନଙ୍କ ମତରେ ଯେତେବେଳେ ସେମାନେ ସୁଏଜ ଉପସାଗରର ଉତ୍ତରରେ ପହଞ୍ଚିଲେ, ସେଠାରେ ସେମାନେ ଦିଗ ପରିବର୍ତ୍ତନ କଲେ ଏବଂ ଉପସାଗରର ପଶ୍ଚିମ ଅଞ୍ଚଳ ଆଡ଼କୁ ବଢ଼ିବାକୁ ଲାଗିଲେ । ବର୍ତ୍ତମାନ ସେମାନଙ୍କ ଗୋଟିଏ ପଟେ ଜେବେଲ ଆତାକା ପର୍ବତମାଳାର ପୂର୍ବୀୟ ଭାଗ ଥିଲା ଏବଂ ଅନ୍ୟ ପଟେ ସମୁଦ୍ର । ଇସ୍ରାଏଲୀୟମାନଙ୍କ ସଂଖ୍ୟା ଖୁବ୍‌ ବେଶି ଥିଲା । ତେଣୁ ଯଦି ମିଶରୀୟମାନେ ଉତ୍ତର ପଟୁ ସେମାନଙ୍କୁ ଆକ୍ରମଣ କରନ୍ତେ, ତେବେ ସେମାନେ ଶୀଘ୍ର ପଳାଇବା ପାଇଁ କୌଣସି ରାସ୍ତା ନ ଥିଲା । ଇସ୍ରାଏଲୀୟମାନେ ବଡ଼ ସଙ୍କଟରେ ପଡ଼ିଯାଇଥିଲେ ।

ପ୍ରଥମ ଶତାବ୍ଦୀରେ ଯିହୁଦୀମାନେ ମଧ୍ୟ ମାନୁଥିଲେ ଯେ ଇସ୍ରାଏଲୀୟମାନେ ଏହି ରାସ୍ତା ଦେଇ ଲାଲ ସାଗର ପର୍ଯ୍ୟନ୍ତ ପହଞ୍ଚିଥିବେ । ଏହା ସତ ଯେ ଅନେକ ବିଦ୍ୱାନ୍‌ମାନେ ଏଥିରେ ସହମତ ନୁହନ୍ତି, କିନ୍ତୁ ବାଇବଲ ମଧ୍ୟ ଏ କଥାକୁ ପ୍ରମାଣିତ କରେ । (ଯାତ୍ରା ୧୪:୯-୧୬) ଏପରି ଜଣାପଡ଼େ ଯେ ଇସ୍ରାଏଲୀୟମାନେ ସୁଏଜ ଉପସାଗରର ମୁଣ୍ଡ ଆଡ଼େ ଲାଲ ସାଗର ପାରି ହୋଇ ନ ଥିଲେ, ନହେଲେ ଫାରୋର ସେନା ଉପସାଗରର ତଟବର୍ତ୍ତୀ ଅଞ୍ଚଳ ଦେଇ ଆର ପଟୁ ସେମାନଙ୍କୁ ଆକ୍ରମଣ କରିଥାʼନ୍ତେ ।—ଯାତ୍ରା ୧୪:୨୨, ୨୩.

୧୦-୧୬ ଅଗଷ୍ଟ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୫-୧୬

“ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ”

ପ୍ର୯୫-ହି ୧୦/୧୫ ପୃ ୧୧ ¶୧୧

ବର୍ତ୍ତମାନ ସତ୍ୟ ଈଶ୍ୱରଙ୍କୁ କାହିଁକି ଭୟ କରିବା ?

୧୧ ଯିହୋବା ମିଶରୀୟ ସେନାକୁ ଯେଉଁ ବିନାଶ କଲେ, ତାହା ତାହାଙ୍କ ଉପାସକମାନଙ୍କ ଦୃଷ୍ଟିରେ ତାହାଙ୍କୁ ଉଚ୍ଚ କଲା ଏବଂ ତାହାଙ୍କ ନାମ ଦୂର ଦୂର ପର୍ଯ୍ୟନ୍ତ ପ୍ରସାରିତ ହେଲା । (ଯିହୋଶୂୟ ୨:୯, ୧୦; ୪:୨୩, ୨୪) ହଁ, ଯିହୋବା ନିଜ ନାମକୁ ମିଶରର ଶକ୍ତିହୀନ ଓ ମିଥ୍ୟା ଈଶ୍ୱରମାନଙ୍କଠାରୁ ଉଚ୍ଚ କଲେ, ଯେଉଁମାନେ ନିଜ ଉପାସକମାନଙ୍କୁ ରକ୍ଷା କରିପାରିଲେ ନାହିଁ । ମିଶରୀୟମାନେ ନିଜ ମିଥ୍ୟା ଦେବତାମାନଙ୍କ ଉପରେ ଭରସା କଲେ । ଏହା ଛଡ଼ା, ସେମାନେ ନିଜ ସେନା ଓ ମଣିଷମାନଙ୍କ ଉପରେ ଭରସା କଲେ, ଯାହାଫଳରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । (ଗୀତସଂହିତା ୧୪୬:୩) ଯେପରି ଭାବେ ଜୀବିତ ଈଶ୍ୱର ଯିହୋବା ନିଜ ଲୋକମାନଙ୍କୁ ଉଦ୍ଧାର କଲେ, ତାହା ଦେଖି ଇସ୍ରାଏଲୀୟମାନେ ଗୀତ ଗାଇ ତାହାଙ୍କର ପ୍ରଶଂସା କରିବାକୁ ଲାଗିଲେ ।

ପ୍ର୯୫-ହି ୧୦/୧୫ ପୃ ୧୧-୧୨ ¶୧୫-୧୬

ବର୍ତ୍ତମାନ ସତ୍ୟ ଈଶ୍ୱରଙ୍କୁ କାହିଁକି ଭୟ କରିବା ?

୧୫ ଯଦି ଆମେ ମୋଶାଙ୍କ ସହ ସୁରକ୍ଷିତ ଠିଆ ହୋଇଥାʼନ୍ତେ, ତେବେ ଆମେ ମଧ୍ୟ ଏହି ଗୀତ ଗାଇବା ପାଇଁ ପ୍ରେରିତ ହୋଇଥାʼନ୍ତେ: ‘ହେ ଯିହୋବା, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ ?’ (ଯାତ୍ରା ପୁସ୍ତକ ୧୫:୧୧) ସେହି ସମୟଠାରୁ ହଜାର ହଜାର ବର୍ଷ ଧରି ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନେ ଏପରି ଭାବନା ଦେଖାଇ ଆସିଛନ୍ତି । ବାଇବଲର ଶେଷ ବହିରେ ପ୍ରେରିତ ଯୋହନ ଈଶ୍ୱରଙ୍କ ବିଶ୍ୱସ୍ତ ଅଭିଷିକ୍ତ ସେବକମାନଙ୍କର ଏକ ସମୂହ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହନ୍ତି: “ସେମାନେ ଈଶ୍ୱରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ” ଗାଉଛନ୍ତି । ଏହି ମହାନ ଗୀତ କେଉଁଟି ? ‘ହେ ଯିହୋବା, ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସମୂହ ମହତ୍‌ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାଯ୍ୟ ଓ ସତ୍ୟ । ହେ ଯିହୋବା, କିଏ ତୁମ୍ଭକୁ ଭୟ ନ କରିବ ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ ? କାରଣ କେବଳ ତୁମ୍ଭେ ହିଁ ପବିତ୍ର ।’—ପ୍ରକାଶିତ ବାକ୍ୟ ୧୫:୨-୪.

୧୬ ଆଜି ମଧ୍ୟ ସାରା ପୃଥିବୀରେ ଯିହୋବାଙ୍କ ଉପାସକମାନଙ୍କଠାରେ ଯିହୋବାଙ୍କର ମହିମା କରିବାର ଅନେକ କାରଣ ରହିଛି । ସେମାନେ ନା କେବଳ ତାହାଙ୍କ ସୃଷ୍ଟିକୁ ଦେଖି ତାହାଙ୍କର ପ୍ରଂଶସା କରନ୍ତି, ବରଂ ତାହାଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକର ମଧ୍ୟ ଆଦର କରନ୍ତି । ଯିହୋବା ସେମାନଙ୍କୁ ମିଥ୍ୟା ଧର୍ମଗୁଡ଼ିକରୁ ମୁକ୍ତ କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ଏହି ଜଗତର ଭାଗ ନୁହନ୍ତି, କାରଣ ସେମାନେ ଈଶ୍ୱରଙ୍କ ନିୟମ ଓ ସିଦ୍ଧାନ୍ତଗୁଡ଼ିକୁ ପାଳନ କରନ୍ତି । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକେ ଏହି ଦୁଷ୍ଟ ଜଗତରୁ ବାହାରି ଯିହୋବାଙ୍କ ଶୁଦ୍ଧ ସଂଗଠନର ଭାଗ ହୁଅନ୍ତି । ଖୁବ୍‌ ଶୀଘ୍ର ଈଶ୍ୱର ମିଥ୍ୟା ଧର୍ମଗୁଡ଼ିକୁ ଓ ଏହି ଦୁଷ୍ଟ ଜଗତକୁ ବିନାଶ କରିଦେବେ । ତାʼପରେ ଯିହୋବାଙ୍କ ଉପାସକମାନେ ଏହି ପୃଥିବୀରେ ଚିରଦିନ ପାଇଁ ରହିବେ ।

ଇନସାଇଟ୍‌-୨ ପୃ ୪୫୪ ¶୧

ସଂଗୀତ

ଏପରି ଜଣାପଡ଼େ ଯେ ଇସ୍ରାଏଲୀୟମାନେ ଯେତେବେଳେ ମଧ୍ୟ ମିଶି ଗୀତ ଗାଉଥିଲେ, ସେତେବେଳେ ଗାୟକମାନଙ୍କର ଦୁଇଟି ସମୂହ ରହୁଥିଲା । ପ୍ରଥମେ ଗୋଟିଏ ସମୂହ ଗାଉଥିଲେ, ତାʼପରେ ଉତ୍ତରରେ ଅନ୍ୟ ସମୂହ ଗାଉଥିଲେ । କିମ୍ବା ଜଣେ ଗାୟକ ଗାଇବା ଆରମ୍ଭ କରୁଥିଲା ଏବଂ ଉତ୍ତରରେ ଗାୟକମାନଙ୍କର ସମୂହ କିଛି ଗାଉଥିଲେ । ସେମାନେ ସମ୍ପୂର୍ଣ୍ଣ ଗୀତ ଏହିପରି ଗାଉଥିଲେ । ବାଇବଲରେ ମଧ୍ୟ ଏବିଷୟରେ କୁହାଯାଇଛି । (ଯାତ୍ରା ୧୫:୨୧; ୧ଶାମୁ ୧୮:୬, ୭) କିଛି ଗୀତ, ଯେପରି ଗୀତସଂହିତା ୧୩୬ ଏହିପରି ଲେଖାଯାଇଥିଲା । ବାଇବଲରେ କୁହାଯାଇଛି ଯେ ନିହିମୀୟାଙ୍କ ସମୟରେ ଯେତେବେଳେ ଯିରୂଶାଲମର ପ୍ରାଚୀରର ଉଦ୍ଘାଟନ କରାଯାଇଥିଲା, ସେତେବେଳେ ଧନ୍ୟବାଦର ଗୀତ ଗାଇବା ପାଇଁ ଦୁଇଟି ବଡ଼ ଦଳ ଥିଲେ । ହୁଏତ ସେମାନେ ମଧ୍ୟ ଏହିପରି ଗୀତ ଗାଉଥିଲେ ।—ନିହି ୧୨:୩୧, ୩୮, ୪୦-୪୨.

ଇନସାଇଟ୍‌-୨ ପୃ ୬୯୮

ଭବିଷ୍ୟଦ୍‌ବକ୍ତ୍ରୀ

ମରୀୟମ ପ୍ରଥମ ସ୍ତ୍ରୀ ଥିଲେ, ଯାହାଙ୍କୁ ବାଇବଲରେ ଭବିଷ୍ୟଦ୍‌ବକ୍ତ୍ରୀ କୁହାଯାଇଛି । ମରୀୟମ ହୁଏତ ଈଶ୍ୱରଙ୍କ ପ୍ରେରଣାରେ ଯେଉଁ ଗୀତ ଗାଇଥିଲେ, ତାʼ ଜରିଆରେ ଈଶ୍ୱର ନିଜ ସେବକମାନଙ୍କ ପାଖକୁ ନିଜର ବାର୍ତ୍ତା ପହଞ୍ଚାଇଥିଲେ । (ଯାତ୍ରା ୧୫:୨୦, ୨୧) ବାଇବଲରେ ଲେଖା ଅଛି ଯେ ମରୀୟମ ଓ ହାରୋଣ ମୋଶାଙ୍କୁ କହିଲେ, “ସେ [ଯିହୋବା] କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହି ନାହାନ୍ତି ?” (ଗଣ ୧୨:୨) ଭବିଷ୍ୟଦ୍‌ବକ୍ତା ମୀଖାଙ୍କ ଜରିଆରେ ଯିହୋବା ନିଜେ ମଧ୍ୟ କହିଲେ ଯେ ଯେତେବେଳେ ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାର କରୁଥିଲେ, ସେତେବେଳେ ସେ “ମୋଶା, ହାରୋଣ ଓ ମରୀୟମକୁ” ସେମାନଙ୍କ ଆଗେ ଆଗେ ପଠାଇଲେ । (ମୀଖା ୬:୪) ଏହା ସତ ଯେ ମରୀୟମ ଯିହୋବାଙ୍କ ବିଚାରଧାରା ଲୋକମାନଙ୍କୁ ପାଖକୁ ପହଞ୍ଚାଇଲେ, କିନ୍ତୁ ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ଏତେ ମଜବୁତ୍‌ ନ ଥିଲା, ଯେତିକି ତାଙ୍କ ଭାଇ ମୋଶାଙ୍କର ଥିଲା । ଯେତେବେଳେ ମରୀୟମ ମୋଶାଙ୍କୁ ବିରୋଧ କଲେ ସେତେବେଳେ ଯିହୋବା ତାଙ୍କୁ ଦଣ୍ଡ ଦେଲେ, କାରଣ ଯିହୋବା ମୋଶାଙ୍କୁ ନେତୃତ୍ୱ ନେବା ପାଇଁ ବାଛିଥିଲେ ।—ଗଣ ୧୨:୧-୧୫.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୧-ଇଂ ୯/୧ ପୃ ୧୪

କʼଣ ଆପଣ ଜାଣନ୍ତି ?

ଯିହୋବା ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କୁ ଖାଇବା ପାଇଁ ଭାଟୋଇ ପକ୍ଷୀ କାହିଁକି ଦେଇଥିବେ ?

ଇସ୍ରାଏଲୀୟମାନେ ମିଶରରୁ ବାହାରିବା ପରେ ଯିହୋବା ସେମାନଙ୍କୁ ଦୁଇ ଥର ଖାଇବା ପାଇଁ ବହୁତ ଭାଟୋଇ ପକ୍ଷୀ ଦେଇଥିଲେ ।—ଯାତ୍ରା ପୁସ୍ତକ ୧୬:୧୩; ଗଣନା ପୁସ୍ତକ ୧୧:୩୧.

ଭାଟୋଇ ପକ୍ଷୀ ଆକାରରେ ଏକ ଛୋଟ ପକ୍ଷୀ । ଏହାର ଲମ୍ବ ପ୍ରାୟ ୭ ଇଞ୍ଚ (୧୮ ସେ.ମି.) ଏବଂ ଓଜନ ପ୍ରାୟ ୧୦୦ ଗ୍ରାମ୍‌ ହୋଇଥାଏ । ଭାଟୋଇ ପକ୍ଷୀ ପଶ୍ଚିମ ଏସିଆ ଓ ୟୁରୋପରେ ଅଣ୍ଡା ଦେଇଥାʼନ୍ତି । ଏମାନେ ପ୍ରବାସୀ ବା ଭ୍ରମଣଶୀଳ ପକ୍ଷୀ ଅଟନ୍ତି ଏବଂ ଶୀତ ଋତୁରେ ଉତ୍ତର ଆଫ୍ରିକା ଓ ଆରବୀୟ ଦେଶଗୁଡ଼ିକୁ ଚାଲିଯାʼନ୍ତି । ପ୍ରବାସନ ବା ଭ୍ରମଣ ସମୟରେ ସେମାନଙ୍କ ବଡ଼ ବଡ଼ ଦଳ ଭୂମଧ୍ୟ ସାଗରର ପୂର୍ବ ଉପକୂଳ ହୋଇ ସୀନୟ ଅଞ୍ଚଳର ଉପର ଦେଇ ଉଡ଼ି ଉଡ଼ି ଯାଆନ୍ତି ।

ଦି ନ୍ୟୁ ୱେଷ୍ଟମିନ୍‌ଷ୍ଟର ଡିକ୍ସନାରୀ ଅଫ୍‌ ଦି ବାଇବଲ ଅନୁସାରେ, ଭାଟୋଇ “ଖୁବ୍‌ ବେଗରେ ଓ ବଢ଼ିଆ ଭାବେ ଉଡ଼ିପାରନ୍ତି । ଅନେକ ଥର ସେମାନେ ପବନର ସାହାରାରେ ଉଡ଼ନ୍ତି, କିନ୍ତୁ ଯଦି ପବନର ଗତି ବଦଳିଯାଏ କିମ୍ବା ସେମାନେ ଉଡ଼ି ଉଡ଼ି ଥକିଯାʼନ୍ତି, ତେବେ ହୁଏତ ସେମାନଙ୍କ ପୂରା ଦଳ ଭୂଇଁରେ ପଡ଼ିଯାʼନ୍ତି ଏବଂ କିଛି ସମୟ ପାଇଁ ଅଚେତ ହୋଇ ପଡ଼ି ରହନ୍ତି ।” ସେମାନେ ନିଜ ଯାତ୍ରା ପୁଣି ଆରମ୍ଭ କରିବା ପୂର୍ବରୁ ସେମାନଙ୍କୁ ଗୋଟିଏ କିମ୍ବା ଦୁଇ ଦିନ ଭୂଇଁରେ ଆରାମ କରିବାକୁ ପଡ଼େ, ଯାହାଫଳରେ ଶିକାରୀମାନେ ସେମାନଙ୍କୁ ସହଜରେ ଧରି ପକାନ୍ତି । ବିଂଶ ଶତାବ୍ଦୀର ଆରମ୍ଭରେ ମିଶରରୁ ପ୍ରତିବର୍ଷ ଖାଇବା ପାଇଁ ପ୍ରାୟ ୩୦ ଲକ୍ଷ ଭାଟୋଇ ପକ୍ଷୀ ଅନ୍ୟ ଦେଶକୁ ପଠାଯାଉଥିଲା ।

ଦୁଇଟିଯାକ ଥର ଯିହୋବା ଇସ୍ରାଏଲୀୟମାନଙ୍କୁ ବସନ୍ତ ଋତୁରେ ଭାଟୋଇ ପକ୍ଷୀ ଦେଇଥିଲେ । ଏହା ସତ ଯେ ସେତେବେଳେ ଭାଟୋଇ ପକ୍ଷୀମାନେ ସୀନୟ ଅଞ୍ଚଳ ଦେଇ ଯାଉଥିଲେ, କିନ୍ତୁ ଯିହୋବା ଖୁବ୍‌ ଜୋର୍‌ରେ ପବନ ଚଲାଇବା ଯୋଗୁଁ ହିଁ ଏହି ପକ୍ଷୀମାନେ ଇସ୍ରାଏଲୀୟମାନଙ୍କ ଛାଉଣୀର ଆଖପାଖରେ ପଡ଼ିଗଲେ ।—ଗଣନା ପୁସ୍ତକ ୧୧:୩୧.

ପ୍ର୦୬-ହି ୧/୧୫ ପୃ ୩୧

ପାଠକମାନଙ୍କ ପ୍ରଶ୍ନ

ମିଶରରୁ ଉଦ୍ଧାର ପାଇବାର କିଛି ସମୟ ପରେ ହିଁ ଯେତେବେଳେ ଇସ୍ରାଏଲୀୟମାନେ ଖାଇବାକୁ ନେଇ ବଚସା କଲେ ବା ଯିହୋବାଙ୍କ ବିରୁଦ୍ଧରେ ଏଆଡ଼ୁ ସେଆଡ଼ୁ କହିବାକୁ ଲାଗିଲେ, ସେତେବେଳେ ଯିହୋବା ସେମାନଙ୍କ ପାଇଁ ମାନ୍ନାର ବ୍ୟବସ୍ଥା କଲେ । (ଯାତ୍ରା ପୁସ୍ତକ ୧୨:୧୭, ୧୮; ୧୬:୧-୫) ସେସମୟରେ ମୋଶା ହାରୋଣଙ୍କୁ ଏହି ପରାମର୍ଶ ଦେଲେ: “ତୁମ୍ଭେ ଗୋଟିଏ ପାତ୍ର ନେଇ ଏକ ଓମର ପରିମାଣ ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ ।” ବାଇବଲ ଆମକୁ କହେ: “ହାରୋଣ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସାକ୍ଷ୍ୟସିନ୍ଦୁକ [ଏକ ବାକ୍ସ ଯେଉଁଥିରେ ଜରୁରୀ କାଗଜପତ୍ର ସାଇତି ରଖାଯାଉଥିଲା] ନିକଟରେ ରଖାଯିବା ନିମିତ୍ତ ତାହା ସଞ୍ଚୟ କରି ରଖିଲେ ।” (ଯାତ୍ରା ପୁସ୍ତକ ୧୬:୩୩, ୩୪) ଏଥିରେ କୌଣସି ସନ୍ଦେହ ନାହିଁ ଯେ ହାରୋଣ ସେହି ସମୟରେ ଏକ ପାତ୍ରରେ ମାନ୍ନା ସଞ୍ଚୟ କରି ରଖିଥିବେ । ଆଉ, ପରେ ଯେତେବେଳେ ନିୟମ ସିନ୍ଦୁକ ନିର୍ମିତ ହୋଇ ପ୍ରସ୍ତୁତ ହେଲା ଏବଂ ମୋଶା ତାʼ ଭିତରେ ପ୍ରସ୍ତର-ଫଳକଗୁଡ଼ିକ ରଖିଲେ, ସେତେବେଳେ ହାରୋଣ ତାʼ ଭିତରେ ମାନ୍ନାର ପାତ୍ର ମଧ୍ୟ ରଖିଲେ ।

୧୭-୨୩ ଅଗଷ୍ଟ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୭-୧୮

“ନମ୍ର ଭାଇମାନେ ଅନ୍ୟମାନଙ୍କୁ ଶିଖାନ୍ତି ଓ ଦାୟିତ୍ୱ ଦିଅନ୍ତି”

ପ୍ର୧୩-ହି ୪/୧ ପୃ ୬

ମୋଶା—ପ୍ରେମର ଉଦାହରଣ

ମୋଶା ନିଜ ସାଥୀ ଇସ୍ରାଏଲୀୟମାନଙ୍କୁ ମଧ୍ୟ ପ୍ରେମ କଲେ । ଇସ୍ରାଏଲୀୟମାନେ ଏହା ଜାଣିଥିଲେ ଯେ ଯିହୋବା ମୋଶାଙ୍କୁ ସେମାନଙ୍କ ନେତୃତ୍ୱ ନେବା ପାଇଁ ବ୍ୟବହାର କରୁଛନ୍ତି । ତେଣୁ ଯେତେବେଳେ ବି କିଛି ସମସ୍ୟା ଉଠୁଥିଲା, ସେମାନେ ମୋଶାଙ୍କ ପାଖକୁ ଯାଉଥିଲେ । ବାଇବଲରେ ଆମେ ପଢ଼ୁ: “ଲୋକମାନେ ପ୍ରଭାତଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ଛିଡ଼ା ହୋଇ ରହିଲେ ।” (ଯାତ୍ରା ପୁସ୍ତକ ୧୮:୧୩-୧୬) କଳ୍ପନା କରନ୍ତୁ, ଲୋକେ ମୋଶାଙ୍କ ପାଖକୁ ଆସି ନିଜ ସମସ୍ୟାଗୁଡ଼ିକ ଜଣାଉଥିବେ, ସେ ଘଣ୍ଟା ଘଣ୍ଟା ଧରି ସେମାନଙ୍କ କଥା ଶୁଣୁଥିବେ ଏବଂ ସେ କେତେ ଥକି ଯାଉଥିବେ ! ତଥାପି ମୋଶା ସେମାନଙ୍କୁ ଖୁସିରେ ସାହାଯ୍ୟ କଲେ, କାରଣ ସେ ସେମାନଙ୍କୁ ପ୍ରେମ କରୁଥିଲେ ।

ପ୍ର୦୩-ହି ୧୧/୧ ପୃ ୬ ¶୨

ଜୀବନରେ ଖୁସିରେ ରହିବା ପାଇଁ ଭରସା ଜରୁରୀ

ଏମାନେ ଏପରି ବ୍ୟକ୍ତି ଥିଲେ, ଯେଉଁମାନେ ଦାୟିତ୍ୱପୂର୍ଣ୍ଣ ପଦବୀ ପାଇଁ ନିଯୁକ୍ତ କରାଯିବା ପୂର୍ବରୁ ହିଁ ଏପରି ଗୁଣ ଦେଖାଉଥିଲେ ଯାହା ଈଶ୍ୱର ପସନ୍ଦ କରନ୍ତି । ସେମାନେ ଆଗରୁ ହିଁ ପ୍ରମାଣିତ କରିଥିଲେ ଯେ ସେମାନେ ଈଶ୍ୱରଙ୍କୁ ଭୟ କରନ୍ତି, ସୃଷ୍ଟିକର୍ତ୍ତାଙ୍କ ପାଇଁ ସେମାନଙ୍କ ଗଭୀର ଶ୍ରଦ୍ଧା ଅଛି ଏବଂ କୌଣସି ପ୍ରକାରେ ମଧ୍ୟ ତାହାଙ୍କୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ । ସମସ୍ତ ଇସ୍ରାଏଲୀୟମାନେ ଏହା ସ୍ପଷ୍ଟ ଦେଖିପାରୁଥିଲେ ଯେ ସେହି ପୁରୁଷମାନେ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକ ଅନୁସାରେ ଚାଲିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ।ସେମାନେ ଅନ୍ୟାୟରେ ଧନ ଅର୍ଜନ କରିବାକୁ ଘୃଣା କରୁଥିଲେ । ଏଥିରୁ ଜଣାପଡ଼େ ଯେ ସେମାନେ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକୁ କେତେ ଆଦର କରୁଥିଲେ, ଯାହା ଯୋଗୁଁ ସେମାନଙ୍କୁ ଦାୟିତ୍ୱ ମିଳିବା ପରେ ମଧ୍ୟ ସେମାନେ ଭ୍ରଷ୍ଟ ହେଉ ନ ଥିଲେ । ସେମାନେ ଅନ୍ୟମାନଙ୍କ ଭରସାର ଫାଇଦା ଉଠାଇ ନିଜର ଓ ସମ୍ପର୍କୀୟମାନଙ୍କ କିମ୍ବା ବନ୍ଧୁବାନ୍ଧବମାନଙ୍କ ସ୍ୱାର୍ଥ ପୂରା କରୁ ନ ଥିଲେ ।

ପ୍ର୦୨-ହି ୫/୧୫ ପୃ ୨୫ ¶୫

ସଚ୍ଚୋଟତା ନମ୍ର ଲୋକମାନଙ୍କ ମାର୍ଗଦର୍ଶନ କରେ

ଆଉ ଜଣେ ନମ୍ର ବ୍ୟକ୍ତି ଥିଲେ ମୋଶା । ଯେତେବେଳେ ସେ ଲୋକମାନଙ୍କ ସମସ୍ୟାଗୁଡ଼ିକ ସମାଧାନ କରି ଥକି ଯାଉଥିଲେ, ସେତେବେଳେ ତାଙ୍କ ଶ୍ୱଶୂର ଯିଥ୍ରୋ ଏକ ବ୍ୟବହାରିକ ପରାମର୍ଶ ଦେଲେ । ସେ ମୋଶାଙ୍କୁ କହିଲେ ଯେ ସେ ନିଜ ଦାୟିତ୍ୱଗୁଡ଼ିକୁ ଅନ୍ୟ ଯୋଗ୍ୟ ପୁରୁଷମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ମୋଶା ନିଜ ସୀମା ଭିତରେ ରହି ସେହି ପରାମର୍ଶକୁ ମାନିଲେ ଏବଂ ଏହିପରି ଭାବେ ବୁଦ୍ଧିର ସହ କାମ କଲେ । (ଯାତ୍ରା ପୁସ୍ତକ ୧୮:୧୭-୨୬; ଗଣନା ପୁସ୍ତକ ୧୨:୩) ଜଣେ ନମ୍ର ବ୍ୟକ୍ତି ଅନ୍ୟମାନଙ୍କୁ ଅଧିକାରର ପଦ ଦେବା ପାଇଁ ସଙ୍କୋଚ କରନ୍ତି ନାହିଁ । ଏହା ଛଡ଼ା, ତାଙ୍କ ଡର ନ ଥାଏ ଯେ ଅନ୍ୟ ଯୋଗ୍ୟ ପୁରୁଷମାନଙ୍କୁ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ କିଛି ଦାୟିତ୍ୱ ଦେଲେ, ସେ ନିଜ ଅଧିକାର ହରାଇ ବସିବେ । (ଗଣନା ପୁସ୍ତକ ୧୧:୧୬, ୧୭, ୨୬-୨୯) ଏହା ପରିବର୍ତ୍ତେ, ଏପରି ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି କରିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହନ୍ତି । (୧ ତୀମଥି ୪:୧୫) କʼଣ ଆମେ ମଧ୍ୟ ଏପରି କରିବା ଉଚିତ୍‌ ନୁହେଁ ?

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୬.୦୯-ହି ପୃ ୬ ¶୧୪

“ତୁମ୍ଭର ହସ୍ତ ଶିଥିଳ ନ ହେଉ”

୧୪ ଯେତେବେଳେ ଇସ୍ରାଏଲୀୟମାନେ ଅମାଲେକୀୟମାନଙ୍କ ବିରୁଦ୍ଧରେ ଲଢ଼ୁଥିଲେ, ସେତେବେଳେ ହାରୋଣ ଓ ହୂର ମୋଶାଙ୍କ ଦୁଇ ହାତକୁ ମଜବୁତ୍‌ ଭାବରେ ଟେକି ସାହାରା ଦେଇଥିଲେ । ଆଜି ଆମେ ମଧ୍ୟ ଅନ୍ୟମାନଙ୍କୁ ସାହାରା ଦେବା ପାଇଁ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଖୋଜିବା ଉଚିତ୍‌ । ଆମ ଭାଇଭଉଣୀମାନେ ଅନେକ ଦୁଃଖକଷ୍ଟର ସାମନା କରନ୍ତି । ଯେପରି— ବୃଦ୍ଧାବସ୍ଥା, ସ୍ୱାସ୍ଥ୍ୟ ସମସ୍ୟା, ପରିବାରରୁ ବିରୋଧ, ଏକାକୀ ଅନୁଭବ କରିବା ଏବଂ ନିଜର ଆତ୍ମୀୟମାନଙ୍କୁ ମୃତ୍ୟୁରେ ହରାଇବା । ଆମେ ଯବକଯୁବତୀମାନଙ୍କର ମଧ୍ୟ ସାହସ ବାନ୍ଧିପାରିବା, ଯେଉଁମାନଙ୍କ ଉପରେ ଭୁଲ କାମ କରିବାର ଏବଂ ଏହି ଦୁନିଆରେ ନାମ ଅର୍ଜନ କରିବାର ଚାପ ଆସିଥାଏ । (୧ଥେସ. ୩:୧-୩; ୫:୧୧, ୧୪) ଯେତେବେଳେ ଆପଣ ନିଜ ଭାଇଭଉଣୀମାନଙ୍କ ସହ ରାଜ୍ୟଘରେ କିମ୍ବା ପ୍ରଚାର ସେବାରେ ଥାʼନ୍ତି, ସେମାନଙ୍କ ସହ ଭୋଜନ କରୁଥାʼନ୍ତି, କିମ୍ବା ସେମାନଙ୍କ ସହ ଫୋନ୍‌ରେ କଥା ହେଉଥାʼନ୍ତି, ସେତେବେଳେ ସେମାନଙ୍କ ପ୍ରତି ପ୍ରକୃତ ଆଗ୍ରହ ଦେଖାନ୍ତୁ ଏବଂ ସେମାନଙ୍କ ଉତ୍ସାହ ବଢ଼ାନ୍ତୁ ।

ଇନସାଇଟ୍‌-୧ ପୃ ୪୦୬

ସଙ୍କଳନ

ବାଇବଲରୁ ଏହାର ସ୍ପଷ୍ଟ ପ୍ରମାଣ ମିଳେ ଯେ ମୋଶା ଲେଖିଥିବା ଯେଉଁ ବହିଗୁଡ଼ିକ ପବିତ୍ର ଶାସ୍ତ୍ର ବାଇବଲର ଭାଗ ହୋଇଛି, ସେସବୁ ଈଶ୍ୱରଙ୍କ ମାର୍ଗଦର୍ଶନରେ ଲେଖାଯାଇଥିଲା ଏବଂ ଏଗୁଡ଼ିକରୁ ଆମେ ଜାଣିପାରୁ ଯେ ଈଶ୍ୱରଙ୍କ ଶୁଦ୍ଧ ଉପାସନା କିପରି କରାଯିବା ଉଚିତ୍‌ । ମୋଶା ନିଜ ଇଚ୍ଛାରେ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେଇ ନ ଥିଲେ । ଏପରିକି, ଯେତେବେଳେ ଯିହୋବା ତାଙ୍କୁ ଇସ୍ରାଏଲୀୟମାନଙ୍କର ନେତୃତ୍ୱ ନେବା ପାଇଁ କହିଲେ, ସେତେବେଳେ ସେ ମନା କରିଦେଲେ । (ଯାତ୍ରା ୩:୧୦, ୧୧; ୪:୧୦-୧୪) ଈଶ୍ୱର ମୋଶାଙ୍କୁ ଏହି ବିଶେଷ ଦାୟିତ୍ୱ ଦେଇଥିଲେ ଏବଂ ଚମତ୍କାର କରିବାର ଶକ୍ତି ମଧ୍ୟ ଦେଇଥିଲେ । ସେଥିପାଇଁ ଯେତେବେଳେ ଫାରୋର ଦରବାରରେ ଯାଦୁବିଦ୍ୟା କରୁଥିବା ପଣ୍ଡିତମାନେ ମୋଶାଙ୍କୁ ଚମତ୍କାର କରୁଥିବା ଦେଖିଲେ, ସେତେବେଳେ ସେମାନଙ୍କୁ ସ୍ୱୀକାର କରିବାକୁ ପଡ଼ିଲା ଯେ ସେ ଈଶ୍ୱରଙ୍କ ପବିତ୍ର ଶକ୍ତି ଦ୍ୱାରା ହିଁ ଏପରି କରିଥିଲେ । (ଯାତ୍ରା ୪:୧-୯; ୮:୧୬-୧୯) ତେଣୁ ଏହା କୁହାଯାଇପାରିବ ଯେ ମୋଶାଙ୍କଠାରେ ବହି ଲେଖିବା କିମ୍ବା ଲୋକମାନଙ୍କୁ ନିର୍ଦ୍ଦେଶ ଦେବାର ଇଚ୍ଛା ନ ଥିଲା । ଏହା ପରିବର୍ତ୍ତେ, ଈଶ୍ୱର ତାଙ୍କୁ ଏପରି କରିବାକୁ ଆଜ୍ଞା ଦେଇଥିଲେ । ପବିତ୍ର ଶକ୍ତିର ମାର୍ଗଦର୍ଶନରେ ହିଁ ମୋଶା ଯିହୋବାଙ୍କ ତରଫରୁ କହୁଥିଲେ ଏବଂ ବାଇବଲର ସଙ୍କଳନର ଭାଗ ହୋଇଥିବା ବହିଗୁଡ଼ିକ ଲେଖିଥିଲେ ।—ଯାତ୍ରା ୧୭:୧୪.

୨୪-୩୦ ଅଗଷ୍ଟ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୯-୨୦

“ଦଶ ଆଜ୍ଞା ଆମ ପାଇଁ କʼଣ ଅର୍ଥ ରଖେ ?”

ପ୍ର୮୯-ଇଂ ୧୧/୧୫ ପୃ ୬ ¶୧

ଦଶ ଆଜ୍ଞା ଆମ ପାଇଁ କʼଣ ଅର୍ଥ ରଖେ ?

ପ୍ରଥମ ଚାରୋଟି ଆଜ୍ଞାର ସମ୍ପର୍କ ଯିହୋବା ଓ ତାହାଙ୍କ ସେବା ସହ ରହିଛି । (ପ୍ରଥମ) ଯିହୋବା ଚାହାନ୍ତି ଯେ ଆମେ କେବଳ ତାହାଙ୍କ ଉପାସନା କରୁ । (ମାଥିଉ ୪:୧୦) (ଦ୍ୱିତୀୟ) ତାହାଙ୍କ ଉପାସକମାନେ ପ୍ରତିମା ବା ମୂର୍ତ୍ତିଗୁଡ଼ିକର ଉପାସନା କରିବା ଉଚିତ୍‌ ନୁହେଁ । (୧ ଯୋହନ ୫:୨୧) (ତୃତୀୟ) ଆମେ ଈଶ୍ୱରଙ୍କ ନାମ ସର୍ବଦା ଆଦରର ସହ ନେବା ଉଚିତ୍‌ । (ଯୋହନ ୧୭:୨୬; ରୋମୀୟ ୧୦:୧୩) (ଚତୁର୍ଥ) ଆମେ ଯିହୋବାଙ୍କ ସେବାକୁ ନିଜ ଜୀବନରେ ସବୁଠାରୁ ଅଧିକ ମହତ୍ତ୍ୱ ଦେବା ଉଚିତ୍‌ । ଏପରି କରି ଆମେ ନିଜର ଇଚ୍ଛାଗୁଡ଼ିକଠାରୁ ଅଧିକ ଯିହୋବାଙ୍କ ଉପାସନାରେ ଧ୍ୟାନ କେନ୍ଦ୍ରିତ କରିପାରିବା ଏବଂ ଦେଖାଇପାରିବା ଯେ ସତେ ଯେପରି ଆମେ “ବିଶ୍ରାମବାର” ପାଳନ କରୁଛୁ ।—ଏବ୍ରୀ ୪:୯, ୧୦.

ପ୍ର୮୯-ଇଂ ୧୧/୧୫ ପୃ ୬ ¶୨-୩

ଦଶ ଆଜ୍ଞା ଆମ ପାଇଁ କʼଣ ଅର୍ଥ ରଖେ ?

(ପଞ୍ଚମ) ଯଦି ପିଲାମାନେ ନିଜ ପିତାମାତାଙ୍କ ଆଜ୍ଞା ପାଳନ କରିବେ, ତେବେ ପରିବାରରେ ଏକତା ରହିବ ଓ ଯିହୋବା ସେମାନଙ୍କୁ ଆଶିଷ ଦେବେ । “ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା,” ଅର୍ଥାତ୍‌ ଏହି ପ୍ରଧାନ ଆଜ୍ଞାରେ ଏକ ପ୍ରତିଜ୍ଞା ଜଡ଼ିତ । ପିତାମାତାଙ୍କ ଆଜ୍ଞା ପାଳନ କଲେ ‘ଆମର ମଙ୍ଗଳ ହେବ’ ଏବଂ ‘ଆମେ ପୃଥିବୀରେ ଦୀର୍ଘାୟୁ ହେବା ।’ (ଏଫିସୀୟ ୬:୧-୩) ଏହି ପ୍ରତିଜ୍ଞା ଆଜିର ଏ ଦୁଷ୍ଟ ଜଗତର “ଶେଷକାଳରେ” ଯୁବକଯୁବତୀମାନଙ୍କ ପାଇଁ ଆହୁରି ଅଧିକ ମହତ୍ତ୍ୱ ରଖେ । ଯଦି ସେମାନେ ଏହି ଆଜ୍ଞାକୁ ପାଳନ କରିବେ, ତେବେ ସେମାନଙ୍କୁ ମରିବାକୁ ପଡ଼ିବ ନାହିଁ ।—୨ ତୀମଥି ୩:୧; ଯୋହନ ୧୧:୨୬.

ଆମଠାରେ ପଡ଼ୋଶୀଙ୍କ ପାଇଁ ପ୍ରେମ ରହିଲେ, ଆମେ ସେମାନଙ୍କୁ କୌଣସି କ୍ଷତି ପହଞ୍ଚାଇବା ନାହିଁ । ଯେପରି— (ଷଷ୍ଠ) ହତ୍ୟା କରିବା, (ସପ୍ତମ) ବ୍ୟଭିଚାର କରିବା, (ଅଷ୍ଟମ) ଚୋରୀ କରିବା ଓ (ନବମ) ସେମାନଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବା । (୧ ଯୋହନ ୩:୧୦-୧୨; ଏବ୍ରୀ ୧୩:୪; ଏଫିସୀୟ ୪:୨୮; ମାଥିଉ ୫:୩୭; ହିତୋପଦେଶ ୬:୧୬-୧୯) କିନ୍ତୁ କʼଣ ଏହି ଆଜ୍ଞାଗୁଡ଼ିକ କେବଳ ଆମ କାମଗୁଡ଼ିକରେ ସୀମିତ, ନା ଏଗୁଡ଼ିକରୁ ଆମକୁ ନିଜ ଉଦ୍ଦେଶ୍ୟଗୁଡ଼ିକୁ ଯାଞ୍ଚ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ମିଳେ ? (ଦଶମ) ଏହି ଆଜ୍ଞାରେ ଆମକୁ ଅନ୍ୟ କାହାରି ଜିନିଷକୁ ଲୋଭ କରିବାକୁ ମନା କରାଯାଇଛି । ଏଥିରୁ ଆମେ ଶିଖୁ ଯେ ଆମ ଉଦ୍ଦେଶ୍ୟ ସବୁବେଳେ ଯିହୋବାଙ୍କ ଦୃଷ୍ଟିରେ ସଠିକ୍‌ ହେବା ଉଚିତ୍‌ ବୋଲି ସେ ଚାହାନ୍ତି ।—ହିତୋପଦେଶ ୨୧:୨.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ପୃ ୬୮୭ ¶୧-୨

ଯାଜକ

ଖ୍ରୀଷ୍ଟଙ୍କ ଯାଜକପଦ— ଯିହୋବା ଇସ୍ରାଏଲୀୟମାନଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଯଦି ସେମାନେ ସେମାନଙ୍କ ସହ କରାଯାଇଥିବା ଚୁକ୍ତି ବା ନିୟମ ଅନୁସାରେ ଜୀବନଯାପନ କରିବେ, ତେବେ ସେମାନେ “ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ” ହେବେ । (ଯାତ୍ରା ୧୯:୬) କିନ୍ତୁ ହାରୋଣ ଓ ତାଙ୍କ ପୁଅମାନଙ୍କ ଯାଜକପଦ ଭବିଷ୍ୟତରେ ଆସିବାକୁ ଥିବା ଏକ ମହାନ ଯାଜକପଦ ବ୍ୟବସ୍ଥାର ଏକ ଛାୟାମାତ୍ର ଥିଲା । (ଏବ୍ରୀ ୮:୪, ୫) ଯେପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ରଦ୍ଦ ନ ହୁଅନ୍ତା ଏବଂ ନୂତନ ନିୟମ ଲାଗୁ ନ ହୁଅନ୍ତା, ସେପର୍ଯ୍ୟନ୍ତ ହାରୋଣଙ୍କ ଯାଜକପଦ ରହନ୍ତା । (ଏବ୍ରୀ ୭:୧୧-୧୪; ୮:୬, ୭, ୧୩) ଯିହୋବାଙ୍କ ରାଜ୍ୟରେ ଯାଜକ ଭାବେ ସେବା କରିବାର ସୁଯୋଗ ସର୍ବପ୍ରଥମେ ଇସ୍ରାଏଲ ରାଷ୍ଟ୍ରକୁ ମିଳିଥିଲା, କିନ୍ତୁ ଆଗକୁ ଯାଇ ଅଣଯିହୁଦୀମାନଙ୍କୁ ମଧ୍ୟ ଏହି ସୁଯୋଗ ଦିଆଗଲା ।—ପ୍ରେରି ୧୦:୩୪, ୩୫; ୧୫:୧୪; ରୋମୀ ୧୦:୨୧.

ଅଧିକାଂଶ ଯିହୁଦୀମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ ନାହିଁ, ତେଣୁ ଇସ୍ରାଏଲ ରାଷ୍ଟ୍ର ସ୍ୱର୍ଗରେ ଯାଜକମାନଙ୍କୁ ନେଇ ଗଠିତ ରାଜ୍ୟ ଓ ପବିତ୍ର ରାଷ୍ଟ୍ର ହେବାରୁ ବଞ୍ଚିତ ହେଲା । (ରୋମୀ ୧୧:୭, ୨୦) ଇସ୍ରାଏଲ ରାଷ୍ଟ୍ର ବାରମ୍ବାର ଯିହୋବାଙ୍କ ବିରୁଦ୍ଧରେ ଯାଉଥିଲା, ତେଣୁ ଯିହୋବା ଭବିଷ୍ୟଦ୍‌ବକ୍ତା ହୋଶେୟଙ୍କ ଜରିଆରେ ସେମାନଙ୍କୁ ଚେତାବନୀ ଦେଇଥିଲେ: “ତୁମ୍ଭେ ଜ୍ଞାନ ଅଗ୍ରାହ୍ୟ କରିଅଛ, ଆମ୍ଭେ ମଧ୍ୟ ତୁମ୍ଭକୁ ଅଗ୍ରାହ୍ୟ କରିବା, ତହିଁରେ ତୁମ୍ଭେ ଆମ୍ଭର ଯାଜକ ହେବ ନାହିଁ; ତୁମ୍ଭେ ଆପଣା ପରମେଶ୍ୱରଙ୍କ ବ୍ୟବସ୍ଥା ପାସୋରିବାରୁ ଆମ୍ଭେ ମଧ୍ୟ ତୁମ୍ଭ ସନ୍ତାନଗଣକୁ ପାସୋରି ପକାଇବା ।” (ହୋଶେ ୪:୬) ଠିକ୍‌ ଏହିପରି ଭାବେ ଯୀଶୁ ମଧ୍ୟ ଯିହୁଦୀ ଧର୍ମଗୁରୁମାନଙ୍କୁ କହିଲେ, “ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ିନିଆଯିବ, ପୁଣି ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ ।” (ମାଥି ୨୧:୪୩) ତଥାପି ଯେପର୍ଯ୍ୟନ୍ତ ଯୀଶୁ ପୃଥିବୀରେ ଥିଲେ, ସେ ବ୍ୟବସ୍ଥାକୁ ପାଳନ କଲେ ଏବଂ ନିଜ କାମରେ ଦେଖାଇଲେ ଯେ ସେ ହାରୋଣଙ୍କ ଯାଜକପଦର ଆଦର କରନ୍ତି । ଉଦାହରଣ ପାଇଁ, ଯେତେବେଳେ ସେ କୁଷ୍ଠରୋଗୀମାନଙ୍କୁ ସୁସ୍ଥ କଲେ, ସେ ସେମାନଙ୍କୁ କହିଲେ ଯେ ସେମାନେ ଯାଜକମାନଙ୍କ ପାଖକୁ ଯାଆନ୍ତୁ ଏବଂ ଶୁଦ୍ଧ ହେବା ପାଇଁ ବଳି ଚଢ଼ାନ୍ତୁ ।—ମାଥି ୮:୪; ମାର୍କ ୧:୪୪; ଲୂକ ୧୭:୧୪.

ପ୍ର୦୪-ହି ୩/୧୫ ପୃ ୨୭ ¶୧

ଯାତ୍ରା ପୁସ୍ତକ ବହିର ମୁଖ୍ୟାଂଶ

୨୦:୫—ଯିହୋବା ସନ୍ତାନମାନଙ୍କ ଉପରେ ‘ପୈତୃକ ଅପରାଧର ପ୍ରତିଫଳ’ ଦିଅନ୍ତି, ଏହାର ଅର୍ଥ କʼଣ ? ଜଣେ ସିଆଣିଆ ବ୍ୟକ୍ତିଙ୍କ ନ୍ୟାୟ ତାଙ୍କ ନିଜ ଚାଲିଚଳନ ଓ ମନୋଭାବ ଅନୁଯାୟୀ କରାଯାଏ । କିନ୍ତୁ ଯେତେବେଳେ ସମ୍ପୂର୍ଣ୍ଣ ଇସ୍ରାଏଲ ଜାତି ମୂର୍ତ୍ତିପୂଜା କରିବାକୁ ଲାଗିଲା, ଆଗାମୀ ଅନେକ ପିଢ଼ିଗୁଡ଼ିକୁ ଏହି ପାପର କୁପରିଣତି ଭୋଗିବାକୁ ପଡ଼ିଲା । ଏପରିକି ଏହାର ପ୍ରଭାବ ବିଶ୍ୱସ୍ତ ଲୋକମାନଙ୍କ ଉପରେ ମଧ୍ୟ ପଡ଼ିଲା । କାରଣ ଯେତେବେଳେ ସମଗ୍ର ଜଗତ ମିଥ୍ୟା ଧର୍ମରେ ବୁଡ଼ି ରହିଥିଲା, ଏପରି ପରିବେଶରେ ସେମାନଙ୍କୁ ନିଜ ସଚ୍ଚୋଟତା ବଜାୟ ରଖିବା ପାଇଁ କଠିନ ସଂଘର୍ଷ କରିବାକୁ ପଡ଼ିଲା । ଏହି ଅର୍ଥରେ ଇସ୍ରାଏଲ ଜାତିର ପାପ ଯୋଗୁଁ ଏହାର କୁପରିଣାମ ସେମାନଙ୍କୁ ମଧ୍ୟ ଭୋଗିବାକୁ ପଡ଼ିଲା ।

୩୧ ଅଗଷ୍ଟ–୬ ସେପ୍ଟେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୨୧-୨୨

“ଜୀବନ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ”

ଇନସାଇଟ୍‌-୧ ପୃ ୨୭୧

ପିଟିବା

ଯଦି ଜଣେ ଏବ୍ରୀ ବ୍ୟକ୍ତିର ଦାସ ତାʼ କଥା ମାନୁ ନ ଥିଲା କିମ୍ବା ତାʼ ବିରୁଦ୍ଧରେ ବିଦ୍ରୋହ କରୁଥିଲା, ତେବେ ସେ ତାକୁ ବାଡ଼ିରେ ପିଟି ପାରୁଥିଲା । କିନ୍ତୁ ଯଦି ତାʼର ପିଟିବା ଯୋଗୁଁ ସେହି ଦାସର ମୃତ୍ୟୁ ହୋଇଯାଏ, ତେବେ ମାଲିକକୁ ଦଣ୍ଡ ଦିଆଯାଉଥିଲା । କିନ୍ତୁ ଯଦି ଦାସ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିଲା, ତେବେ ଏଥିରୁ ପ୍ରମାଣିତ ହେଉଥିଲା ଯେ ମାଲିକର ଉଦ୍ଦେଶ୍ୟ ତାକୁ ଜୀବନରୁ ମାରିବା ନ ଥିଲା । ମାଲିକ ପାଖରେ ଦାସକୁ ଦଣ୍ଡ ଦେବାର ଅଧିକାର ଥିଲା, କାରଣ ଦାସ ତାʼ ପାଇଁ “ରୂପା ସ୍ୱରୂପ” ବା ସମ୍ପତ୍ତି ଭଳି ଥିଲା । କୌଣସି ବ୍ୟକ୍ତି ଜାଣିଶୁଣି ନିଜ ମୂଲ୍ୟବାନ ସମ୍ପତ୍ତିକୁ କ୍ଷତି ପହଞ୍ଚାଉ ନ ଥିଲା, କାରଣ ଏପରି କଲେ ତାʼ ନିଜର ହିଁ ହାନି ହୁଅନ୍ତା । ଯଦି ଦାସର ମୃତ୍ୟୁ ଦିନେ କିମ୍ବା ଦୁଇ ଦିନ ପରେ ହୁଏ, ତେବେ ଏହା କହିବା କଠିନ ହେଉଥିଲା ଯେ ତାʼ ମୃତ୍ୟୁ ମାଲିକ ପିଟିବା ଯୋଗୁଁ ହୋଇଛି ନା ଅନ୍ୟ କୌଣସି କାରଣରୁ ହୋଇଛି । ଏହି କାରଣ ଯୋଗୁଁ ଯଦି ସେ ଦିନେ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ଜୀବିତ ରହୁଥିଲା, ତେବେ ମାଲିକକୁ ଦଣ୍ଡ ଦିଆଯାଉ ନ ଥିଲା ।—ଯାତ୍ରା ୨୧:୨୦, ୨୧.

ପ୍ରେମରେ ସ୍ଥିର ପୃ ୯୫ ¶୧୬

ଈଶ୍ୱରଙ୍କ ପରି କʼଣ ଆପଣ ଜୀବନକୁ ବହୁମୂଲ୍ୟ ମନେ କରନ୍ତି ?

୧୬ ଯିହୋବାଙ୍କ ପାଇଁ ପ୍ରତ୍ୟେକଙ୍କ ଜୀବନ ବହୁମୂଲ୍ୟ ଅଟେ । ଏପରିକି ଗର୍ଭରେ ଥିବା ଶିଶୁର ଜୀବନ ମଧ୍ୟ । ମୋଶାଙ୍କ ନିୟମରେ କୁହାଯାଇଥିଲା ଯେ ଯଦି କୌଣସି ଲୋକ ଜଣେ ଗର୍ଭବତୀ ସ୍ତ୍ରୀକୁ ଆଘାତ କରେ ଏବଂ ସେହି ସ୍ତ୍ରୀ କିମ୍ବା ତାʼର ଶିଶୁର ମୃତ୍ୟୁ ହୋଇଯାଏ, ତେବେ ଯିହୋବା ସେହି ଲୋକକୁ ହତ୍ୟାକାରୀ ବୋଲି ମନେ କରୁଥିଲେ । ଯଦିଓ ସେ ଜାଣିଶୁଣି ଏହା କରି ନ ଥିବ, ତଥାପି ତାʼର ଭୁଲ ଯୋଗୁଁ ଜଣକର ଜୀବନ ଚାଲିଗଲା, ସେଥିପାଇଁ ତାକୁ ବଦଳରେ ମୃତ୍ୟୁଦଣ୍ଡ ମିଳୁଥିଲା । (ଯାତ୍ରା ପୁସ୍ତକ ୨୧:୨୨, ୨୩ ପଢ଼ନ୍ତୁ ।) ଯିହୋବାଙ୍କ ଦୃଷ୍ଟିରେ ଜନ୍ମ ହୋଇ ନ ଥିବା ଶିଶୁ ମଧ୍ୟ ଜୀବିତ ବ୍ୟକ୍ତି ଅଟେ, ତାହେଲେ ଗର୍ଭପାତ ବିଷୟରେ କʼଣ କୁହାଯାଇପାରିବ ? ଯେତେବେଳେ ଯିହୋବା ଦେଖନ୍ତି ଯେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶିଶୁଙ୍କୁ ଗର୍ଭରେ ହିଁ ମାରି ଦିଆଯାଏ, ତେବେ ତାହାଙ୍କୁ କିପରି ଲାଗୁଥିବ ?

ପ୍ର୧୦-ହି ୪/୧୫ ପୃ ୨୯ ¶୪

ଯିହୋବା ଚାହାନ୍ତି ଯେ ଆପଣ କୁଶଳରେ ରହନ୍ତୁ

ମୋଶାଙ୍କ ବ୍ୟବସ୍ଥାରେ ଏଭଳି ନିୟମ ଗୃହପାଳିତ ପଶୁମାନଙ୍କ ମାମଲାରେ ମଧ୍ୟ ଦିଆଯାଇଥିଲା । ଯଦି ଏକ ବଳଦର ଶିଙ୍ଗର ଆଘାତରେ କାହାରି ମୃତ୍ୟୁ ହୋଇଯାଏ, ତେବେ ବଳଦର ମାଲିକ ସେହି ବଳଦକୁ ହତ୍ୟା କରିବା ଉଚିତ୍‌ ଥିଲା, ଯାହାଫଳରେ ବଳଦଟି ଅନ୍ୟ କାହାରିକୁ କ୍ଷତି ପହଞ୍ଚାଇପାରିବ ନାହିଁ । ମାଲିକ ବଳଦର ମାଂସକୁ ନା ଖାଇ ପାରୁଥିଲା ନା ଅନ୍ୟମାନଙ୍କୁ ବିକି ପାରୁଥିଲା । ତେଣୁ ତାକୁ ଯଥେଷ୍ଟ କ୍ଷତି ସହିବାକୁ ପଡ଼ୁଥିଲା । ଧରନ୍ତୁ, ଯଦି ଏକ ବଳଦ କୌଣସି ବ୍ୟକ୍ତିକୁ ଆଘାତ କରିଛି ଏବଂ ଏହା ସତ୍ତ୍ୱେ ବଳଦର ମାଲିକ ସେହି ବଳଦକୁ ବାନ୍ଧି ରଖେ ନାହିଁ, ତେବେ କʼଣ ? ଯଦି ପରେ ସେହି ବଳଦ ଅନ୍ୟ କାହାରିକୁ ମାରିଦିଏ, ତେବେ ନିୟମ ଥିଲା ଯେ ସେହି ବଳଦ ଓ ତାର ମାଲିକ ଉଭୟଙ୍କୁ ହତ୍ୟା କରାଯାଉ । ଏହି ନିୟମ ଯୋଗୁଁ ସମସ୍ତେ ନିଜ ପଶୁସମ୍ପଦ ମାମଲାରେ ସାବଧାନ ରହୁଥିଲେ ।—ଯାତ୍ରା. ୨୧:୨୮, ୨୯.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୦-ହି ୧/୧୫ ପୃ ୪ ¶୪-୫

ଆମେ ନିଜ ଜୀବନ ଯିହୋବାଙ୍କୁ କାହିଁକି ସମର୍ପଣ କରିବା ଉଚିତ୍‌ ?

୪ ଖ୍ରୀଷ୍ଟୀୟ ସମର୍ପଣ ଏକ ଗମ୍ଭୀର ବିଷୟ । ଏହା କୌଣସି ସାମାନ୍ୟ ପ୍ରତିଜ୍ଞା ନୁହେଁ । ତଥାପି ଯଦି ଆମେ ଯିହୋବାଙ୍କୁ ଜୀବନ ସମର୍ପଣ କରୁ, ତେବେ ଆମର ଲାଭ ହୁଏ । ଏହି ଲାଭଗୁଡ଼ିକ କʼଣ ? ଏହା ଜାଣିବା ପାଇଁ ମଣିଷମାନଙ୍କ ସମ୍ପର୍କର ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ତାହା ହେଉଛି ମିତ୍ରତା । ମିତ୍ରତାର ସମ୍ପର୍କରୁ ଲାଭ ପାଇବା ପାଇଁ ଆପଣଙ୍କୁ ମଧ୍ୟ ଏକ ମିତ୍ରର ଦାୟିତ୍ୱ ତୁଲାଇବାକୁ ହେବ । ଯେପରି, ନିଜ ମିତ୍ରର ଦେଖାଶୁଣା କରିବାକୁ ନିଜ କର୍ତ୍ତବ୍ୟ ବୋଲି ଭାବିବା । ବାଇବଲରେ ଘନିଷ୍ଠ ମିତ୍ରତାର ଅନେକ ଉଦାହରଣ ଦିଆଯାଇଛି । ସେମଧ୍ୟରୁ ଗୋଟିଏ ହେଉଛି, ଦାଉଦ ଓ ଯୋନାଥନଙ୍କ ମିତ୍ରତା । ସେ ଦୁହିଁଙ୍କ ମିତ୍ରତା ଏତେ ଘନିଷ୍ଠ ଥିଲା ଯେ ସେ ଦୁହେଁ ପରସ୍ପରଠାରୁ ଅଲଗା ନ ହେବା ପାଇଁ ନିୟମ ବା ଚୁକ୍ତି କଲେ । (୧ ଶାମୁୟେଲ ୧୭:୫୭; ୧୮:୧, ୩ ପଢ଼ନ୍ତୁ ।) ଆଜିକାଲି ଏଭଳି ମିତ୍ରତା ବହୁତ କମ୍‌ ଦେଖିବାକୁ ମିଳେ । ତଥାପି ଯେତେବେଳେ ଦୁଇ ମିତ୍ର ପରସ୍ପରର ଦେଖାଶୁଣା କରିବାର କର୍ତ୍ତବ୍ୟକୁ କେବେ ଭୁଲନ୍ତି ନାହିଁ, ସେତେବେଳେ ସେମାନଙ୍କ ମିତ୍ରତା ଦିନକୁ ଦିନ, ବର୍ଷକୁ ବର୍ଷ ଆହୁରି ମଜବୁତ୍‌ ହୋଇ ହୋଇ ଯାଏ ।—ହିତୋ. ୧୭:୧୭; ୧୮:୨୪.

୫ ଖ୍ରୀଷ୍ଟୀୟ ସମର୍ପଣର ଦ୍ୱିତୀୟ ଲାଭ ଆମକୁ ଆଉ ଏକ ସମ୍ପର୍କରୁ ଜଣାପଡ଼େ, ଯାହା ବିଷୟରେ ଇସ୍ରାଏଲୀୟମାନଙ୍କୁ ଦିଆଯାଇଥିବା ନିୟମରେ କୁହାଯାଇଥିଲା । ତାହା ଥିଲା ଜଣେ ମାଲିକ ଓ ଜଣେ ଦାସ ମଧ୍ୟରେ ଥିବା ସମ୍ପର୍କ । ଯଦି ମାଲିକ ଭଲ ବ୍ୟକ୍ତି ହୋଇଥାଏ, ତେବେ ଜଣେ ଦାସ ତାʼ ସେବା କରିବାରେ ସୁରକ୍ଷିତ ଅନୁଭବ କରୁଥିଲା । ଯଦି ସେ ନିଜ ମାଲିକକୁ ଛାଡ଼ିବାକୁ ଚାହୁଁ ନ ଥିଲା ଏବଂ ଜୀବନସାରା ତାʼର ସେବା କରିବାକୁ ଚାହୁଁଥିଲା, ତେବେ ତାକୁ ମାଲିକ ସହ ନିୟମ କରିବାକୁ ହେଉଥିଲା । ନିୟମରେ ଲେଖାଥିଲା: “ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ୱରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ ।”—ଯାତ୍ରା. ୨୧:୫, ୬.

ଇନସାଇଟ୍‌-୧ ପୃ ୧୧୪୩

ଶିଙ୍ଗ

ଯାତ୍ରା ପୁସ୍ତକ ୨୧:୧୪ ପଦରେ ଯାହା ଲେଖା ଅଛି, ତାର ଅର୍ଥ ହୋଇପାରେ ଯେ ଯଦି ଜଣେ ଯାଜକ କାହାରିକୁ ହତ୍ୟା କରିଦିଏ, ତେବେ ତାକୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଉଥିଲା । କିମ୍ବା ଏହାର ଅର୍ଥ ହୋଇପାରେ ଯେ ଯଦି ଜଣେ ଜାଣିଶୁଣି କାହାରିକୁ ହତ୍ୟା କରିଦିଏ ଏବଂ ସେ ଯାଇ ବେଦିର ଶୃଙ୍ଗ ବା ଶିଙ୍ଗ ଧରେ, ତେବେ ମଧ୍ୟ ତାକୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା ।—୧ରାଜା ୨:୨୮-୩୪ ସହ ତୁଳନା କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ