ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଏପ୍ରିଲ୍‌ ପୃଷ୍ଠା ୨-୩
  • ଚିନ୍ତାଗୁଡ଼ିକର ଭଲଭାବେ ସାମନା କିପରି କରିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଚିନ୍ତାଗୁଡ଼ିକର ଭଲଭାବେ ସାମନା କିପରି କରିପାରିବା ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଦାଉଦ ଚିନ୍ତାଗୁଡ଼ିକର ସାମନା କିପରି କଲେ ?
  • ତାହା କରନ୍ତୁ ଯାହା ଦାଉଦ କରିଥିଲେ
  • ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ
  • ଯିହୋବାଙ୍କ ଉପରେ ଯିଏ ଭରସା ରଖେ, ତାʼର କୌଣସି ଭଲ ବିଷୟ ଅଭାବ ହେବ ନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଏପ୍ରିଲ୍‌ ପୃଷ୍ଠା ୨-୩
ଜଣେ ଭାଇ ରୋଗରେ ପଡ଼ିଥିବା ନିଜ ସ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ଯିଏ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି ।

ଚିନ୍ତାଗୁଡ଼ିକର ଭଲଭାବେ ସାମନା କିପରି କରିପାରିବା ?

ଚିନ୍ତାଗୁଡ଼ିକ ଭାରି ବୋଝ ଭଳି ହୋଇପାରେ । (ହିତୋ. ୧୨:୨୫) କʼଣ ଆପଣଙ୍କୁ କେବେ ଏପରି ଲାଗିଛି ଯେ ଆପଣ ଚିନ୍ତାଗୁଡ଼ିକର ଭାରି ବୋଝ ତଳେ ଦବିଯାଇଛନ୍ତି ଓ ତାହା ସାମନା କରିପାରିବେ ନାହିଁ । ଆମେ ଅନେକ କାରଣରୁ ଚିନ୍ତା କରିପାରୁ । ହୋଇପାରେ ଆମ ପରିବାରରେ କେହି ବେମାର ଅଛନ୍ତି ଓ ତାଙ୍କ ଦେଖାଶୁଣା କରି କରି ଆମେ ଥକିଯାଇଛୁ । କିମ୍ବା ଆମ ପରିବାରରେ କିମ୍ବା କୌଣସି ସାଙ୍ଗର ମୃତ୍ୟୁ ହୋଇଯାଇଛି ଓ ସେହି ଦୁଃଖକୁ ଆମେ ସହିପାରୁନୁ । କିମ୍ବା ଆମେ କୌଣସି ପ୍ରାକୃତିକ ବିପତ୍ତିର ସାମନା କରିଛୁ ଓ ଆଗକୁ କʼଣ ହେବ ତାହା ଭାବି ଭାବି ବେଶି ଚିନ୍ତା କରୁଛୁ । ଏପରି ସମୟରେ ଆମେ ଚିନ୍ତାଗୁଡ଼ିକର ସାମନା କିପରି କରିପାରିବା ?a

ଏହି ବିଷୟରେ ଆମେ ରାଜା ଦାଉଦଙ୍କଠାରୁ ବହୁତ କିଛି ଶିଖିପାରିବା । ତାଙ୍କ ଜୀବନରେ ଅନେକ ସମସ୍ୟା ଆସିଲା । ଅନେକ ଥର ତାଙ୍କ ଜୀବନ ପ୍ରତି ବି ବିପଦ ଥିଲା । (୧ ଶାମୁ. ୧୭:୩୪, ୩୫; ୧୮:୧୦, ୧୧) ଏପରି ସମୟରେ ଦାଉଦ କʼଣ କଲେ ? ତାଙ୍କ ଭଳି ଆମେ କିପରି ଚିନ୍ତାଗୁଡ଼ିକର ସାମନା କରିପାରିବା ?

ଦାଉଦ ଚିନ୍ତାଗୁଡ଼ିକର ସାମନା କିପରି କଲେ ?

ବେଳେବେଳେ ଦାଉଦଙ୍କ ଜୀବନରେ ଏକାସାଙ୍ଗରେ ଅନେକଗୁଡ଼ିଏ ସମସ୍ୟା ଆସିଯାଉଥିଲା । ଆସନ୍ତୁ ଏପରି ଗୋଟିଏ ଘଟଣା ଉପରେ ଧ୍ୟାନ ଦେବା । ଏହା ସେତେବେଳର ଘଟଣା ଯେତେବେଳେ ରାଜା ଦାଉଦ ଶାଉଲଙ୍କଠାରୁ ଜୀବନ ବଞ୍ଚାଇ ପଳାଉଥିଲେ । ଥରେ ଦାଉଦ ଓ ତାଙ୍କ ଲୋକମାନେ ଯୁଦ୍ଧରୁ ଫେରି ଦେଖିଲେ ଯେ ତାଙ୍କ ଶତ୍ରୁମାନେ ତାଙ୍କ ସବୁ ଜିନିଷପତ୍ର ଲୁଟି ନେଇଯାଇଛନ୍ତି, ଘର ଜଳାଇ ଦେଇଛନ୍ତି ଏବଂ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀ କରି ନେଇଯାଇଛନ୍ତି । ସେତେବେଳେ “ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଏପରି କି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ ।” ଦାଉଦଙ୍କ ଚିନ୍ତା ସେତେବେଳେ ଆହୁରି ବଢ଼ିଗଲା, ଯେତେବେଳେ ତାଙ୍କ ନିଜ ଲୋକମାନେ ତାଙ୍କର ଶତ୍ରୁ ହୋଇଗଲେ । ସେମାନେ ତାଙ୍କୁ “ପଥରରେ ମାରିବାକୁ କହିଲେ ।” (୧ ଶାମୁ. ୩୦:୧-୬) ଦାଉଦଙ୍କ ଉପରେ ଏକାସାଙ୍ଗରେ ତିନୋଟି ବଡ଼ ବଡ଼ ସମସ୍ୟା ଆସିଗଲା । ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିଲା, ତାଙ୍କ ନିଜ ଲୋକମାନେ ତାଙ୍କୁ ମାରିବା ପାଇଁ ଭାବୁଥିଲେ ଆଉ ରାଜା ଶାଉଲ ମଧ୍ୟ ତାଙ୍କୁ ଗୋଡ଼ାଉ ଥିଲେ । ଟିକିଏ ଦାଉଦଙ୍କ ଅବସ୍ଥା ବିଷୟରେ ଭାବନ୍ତୁ ! ସେ ଏତେଗୁଡ଼ିଏ ସମସ୍ୟାକୁ କିପରି ସାମନା କରନ୍ତେ ?

ଦାଉଦ ତୁରନ୍ତ ‘ଯିହୋବାଙ୍କଠାରେ ଆପଣାକୁ ସବଳ କଲେ ।’ ତାହା କିପରି ? ଯେବେ ବି ଦାଉଦଙ୍କ ବହୁତ ଚିନ୍ତାଗୁଡ଼ିକର ସାମନା କରୁଥିଲେ, ତେବେ ସେ ତୁରନ୍ତ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ ଓ ମନେ ପକାଉଥିଲେ ଯେ ଯିହୋବା ଆଗରୁ ତାଙ୍କୁ କିପରି ସାହାଯ୍ୟ କରିଥିଲେ । (୧ ଶାମୁ. ୧୭:୩୭; ଗୀତ. ୧୮:୨, ୬) ଦାଉଦ ଜାଣିଥିଲେ ଯେ ଏପରି ସମୟରେ ଯିହୋବା ହିଁ ତାଙ୍କୁ ଠିକ୍‌ ଠିକ୍‌ ପରାମର୍ଶ ଦେଇପାରିବେ ଯେ ତାଙ୍କୁ କʼଣ କରିବା ଉଚିତ୍‌ । ସେଥିପାଇଁ ସେ ଯିହୋବାଙ୍କଠାରୁ ପରାମର୍ଶ ନେଲେ । ଯିହୋବା ତାଙ୍କୁ ଯାହା କହିଲେ, ସେ ତାହା ତୁରନ୍ତ କରିଲେ । ତାʼପରେ ଯିହୋବାଙ୍କ ସାହାଯ୍ୟରେ ଦାଉଦ ଓ ତାଙ୍କ ଲୋକମାନେ ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କର ଜୀବନ ରକ୍ଷା କରିପାରିଲେ ଓ ସେମାନଙ୍କ ଜିନିଷପତ୍ର ଫେରିପାଇଲେ । (୧ ଶାମୁ. ୩୦:୭-୯, ୧୮, ୧୯) କʼଣ ଆପଣ ଧ୍ୟାନ ଦେଲେ ଯେ ଦାଉଦ ଚିନ୍ତାଗୁଡ଼ିକୁ ସାମନା କରିବା ପାଇଁ କେଉଁ ତିନୋଟି କାମ କଲେ ? ସେ ଯିହୋବାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ପ୍ରାର୍ଥନା କଲେ, ମନେ ପକାଇଲେ ଯେ ଯିହୋବା ଆଗରୁ ତାଙ୍କୁ କିପରି ସାହାଯ୍ୟ କରିଥିଲେ ଓ ଯିହୋବାଙ୍କ ପରାମର୍ଶ ମୁତାବକ ସେ ପଦକ୍ଷେପ ନେଲେ । ଯେତେବେଳେ ଆମେ ଚିନ୍ତାଗୁଡ଼ିକର ସାମନା କରୁ, ଆମେ ମଧ୍ୟ ଦାଉଦଙ୍କ ଭଳି ଏହି ତିନୋଟି କାମ କରିପାରିବା ।

ତାହା କରନ୍ତୁ ଯାହା ଦାଉଦ କରିଥିଲେ

ଚିତ୍ରଗୁଡ଼ିକ: ଚିନ୍ତାର ସାମନା କରିବା ପାଇଁ କʼଣ କରିବା ? ୧. ପ୍ରାର୍ଥନା କରନ୍ତୁ । ଜଣେ ଭାଇ ରୋଗରେ ପଡ଼ିଥିବା ନିଜ ସ୍ତ୍ରୀଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି, ଯିଏ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ୨. ମନେପକାନ୍ତୁ । ସେହି ଭାଇ ମନେ ପକାନ୍ତି ଯେ ଥରେ ଯେତେବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ଜଣେ ଭାଇ ପଦ ପଢ଼ି ତାଙ୍କ ସାହସ ବଢ଼ାଇଥିଲେ । ୩. ପଦକ୍ଷେପ ନିଅନ୍ତୁ । ଭାଇ ଗୋଟିଏ ପଦ ପଢ଼ି ତାଙ୍କ ସ୍ତ୍ରୀଙ୍କ ସାହସ ବଢ଼ାଉଛନ୍ତି ।

୧. ପ୍ରାର୍ଥନା କରନ୍ତୁ । ଯେତେବେଳେ ଆମକୁ କୌଣସି କଥାକୁ ନେଇ ଚିନ୍ତା ହୁଏ, ସେତେବେଳେ ଆମେ ପ୍ରାର୍ଥନା କରି ଯିହୋବାଙ୍କୁ ବୁଦ୍ଧି ଓ ସାହାଯ୍ୟ ମାଗିପାରିବା । ଆମେ ତାଙ୍କୁ ମନର ସବୁ କଥା କହିପାରିବା । ଏପରି କଲେ ଆମ ମନ ହାଲୁକା ହୋଇଯିବ । କିନ୍ତୁ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରାର୍ଥନା କରିବା ସମ୍ଭବ ନୁହେଁ, ତାହେଲେ ଆମେ ମନେ ମନେ ଗୋଟିଏ ଛୋଟ ପ୍ରାର୍ଥନା କରିପାରିବା । ଯେତେବେଳେ ମଧ୍ୟ ଆମେ ଯିହୋବାଙ୍କୁ ସାହାଯ୍ୟ ମାଗୁ, ସେତେବେଳେ ଆମେ ଦେଖାଉ ଯେ ଆମକୁ ବି ଦାଉଦଙ୍କ ଭଳି ତାଙ୍କ ଉପରେ ପୂରା ଭରସା ଅଛି । ଦାଉଦ ଲେଖିଲେ, “ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା; ମୋହର ପରମେଶ୍ୱର, ମୋହର ଦୃଢ଼ ଶୈଳ, ମୁଁ ତାହାଙ୍କଠାରେ ଶରଣ ନେବି ।” (ଗୀତ. ୧୮:୨) କʼଣ ପ୍ରାର୍ଥନା କଲେ ସତରେ ଏପରି ସାହାଯ୍ୟ ମିଳେ ? କୌଲିଆ ନାମକ ଜଣେ ଅଗ୍ରଦୂତ ଭଉଣୀ କହନ୍ତି, “ପ୍ରାର୍ଥନା କଲେ ମୋ ମନ ଶାନ୍ତ ହୋଇଯାଏ । ମୁଁ ଯିହୋବାଙ୍କ ଭଳି ଭାବିବାକୁ ଲାଗେ ଓ ମୋର ଭରସା ବଢ଼ିଯାଏ ଯେ ସେ ମୋ ସହିତ ଅଛନ୍ତି ।” ସତରେ, ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆମକୁ ତାଙ୍କ ସହ କଥା ହେବା ପାଇଁ ସୁଯୋଗ ଦେଇଛନ୍ତି । ଏଥିରୁ ଆମକୁ ଚିନ୍ତାଗୁଡ଼ିକର ସାମନା କରିବା ପାଇଁ ବହୁତ ସାହାଯ୍ୟ ମିଳେ ।

୨. ମନେପକାନ୍ତୁ । ମନେପକାନ୍ତୁ ଯେ ଆଗରୁ ମଧ୍ୟ ଯେବେ ଆପଣଙ୍କ ଉପରେ ସମସ୍ୟାଗୁଡ଼ିକ ଆସିଥିଲା, ତେବେ ଯିହୋବା ଆପଣଙ୍କୁ କିପରି ସମ୍ଭାଳି ଥିଲେ । ଯେବେ ଆପଣ ଏବିଷୟରେ ଓ ଯିହୋବା ପ୍ରାଚୀନ କାଳର ତାଙ୍କ ସେବକମାନଙ୍କୁ କିପରି ସମ୍ଭାଳି ଥିଲେ ସେବିଷୟରେ ଭାବିବେ, ତେବେ ଆପଣଙ୍କୁ ସାହସ ମିଳିବ ଓ ଯିହୋବାଙ୍କ ଉପରେ ଆପଣଙ୍କ ଭରସା ବଢ଼ିବ । (ଗୀତ. ୧୮:୧୭-୧୯) ଯୋଶୁଆ ନାମକ ଜଣେ ପ୍ରାଚୀନ କହନ୍ତି, “ଯିହୋବା ମୋର କେଉଁ ସବୁ ପ୍ରାର୍ଥନାର ଉତ୍ତର ଦେଇଛନ୍ତି ତାହାର ମୋ ପାଖରେ ଏକ ଲମ୍ବା ସୂଚୀ ଅଛି । ଏଥିରୁ ମୁଁ ମନେ ପକାଇପାରେ ଯେ ଯିହୋବା ଠିକ୍‌ ତାହା କଲେ, ଯାହା ପାଇଁ ମୁଁ ପ୍ରାର୍ଥନା କରିଥିଲି ।” ଯୋଶୁଆଙ୍କ ଭଳି ଯେବେ ଆମେ ମନେ ରଖୁ ଯେ ଯିହୋବା ଆମକୁ କିଭଳି ସାହାଯ୍ୟ କରିଥିଲେ, ତେବେ ଚିନ୍ତାଗୁଡ଼ିକର ସାମନା କରିବାରେ ଆମକୁ ଶକ୍ତି ମିଳେ ।

୩. ପଦକ୍ଷେପ ନିଅନ୍ତୁ । ଯେତେବେଳେ ଆମେ ଚିନ୍ତାରେ ଥାଉ, ସେତେବେଳେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ଦେଖିବା ଉଚିତ୍‌ ଯେ ସେ ବିଷୟରେ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି । (ଗୀତ. ୧୯:୭, ୧୧) ଅନେକ ଭାଇଭଉଣୀ କହନ୍ତି ଯେ ଯେତେବେଳେ ସେମାନେ କୌଣସି ପଦ ବିଷୟରେ ଅନୁସନ୍ଧାନ କରନ୍ତି, ସେତେବେଳେ ସେମାନେ ଆହୁରି ଭଲଭାବେ ବୁଝିପାରନ୍ତି ଯେ ସେହି ପଦରେ ଦିଆଯାଇଥିବା ପରାମର୍ଶକୁ ସେମାନେ କିପରି ମାନିପାରିବେ । ଜେରଡ ନାମକ ଜଣେ ପ୍ରାଚୀନ କହନ୍ତି, “ଯେବେ ମୁଁ କୌଣସି ପଦ ବିଷୟରେ ଅନୁସନ୍ଧାନ କରେ, ତେବେ ମୁଁ ତାହା ଆହୁରି ଭଲଭାବେ ବୁଝିପାରେ ଓ ଜାଣିପାରେ ଯେ ଯିହୋବା ମୋତେ କʼଣ କହୁଛନ୍ତି । ଏପରି ଭାବେ ସେହି ପଦ ମୋ ଉପରେ ଗଭୀର ପ୍ରଭାବ ପକାଏ ଓ ମୁଁ ତାହା କରିପାରେ, ଯାହା ଯିହୋବା ମୋଠାରୁ ଚାହାନ୍ତି ।” ଯଦି ଆମେ ବାଇବଲ ପଢ଼ି ଯିହୋବାଙ୍କଠାରୁ ପରାମର୍ଶ ନେବା ଓ ତାହା ମାନିବା, ତାହେଲେ ଆମେ ନିଜ ଚିନ୍ତାଗୁଡ଼ିକର ଆହୁରି ଭଲଭାବେ ସାମନା କରିପାରିବା ।

ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ

ଦାଉଦ ଭଲଭାବେ ଜାଣିଥିଲେ ଯେ ସେ ଯିହୋବାଙ୍କ ସାହାଯ୍ୟରେ ହିଁ ସେ ନିଜ ଚିନ୍ତାଗୁଡ଼ିକର ସାମନା କରିପାରିବେ । ଆଉ ସତରେ ଯିହୋବା ତାଙ୍କୁ ସାହାଯ୍ୟ କଲେ । ତେଣୁ ଦାଉଦ କହିପାରିଲେ, “ମୋʼ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀର ଡିଏଁ । ସେହି ପରମେଶ୍ୱର ବଳ ଦେଇ ମୋହର କଟି ବାନ୍ଧନ୍ତି ।” (ଗୀତ. ୧୮:୨୯, ୩୨) ହୁଏତ ଆମକୁ ଆମ ସମସ୍ୟାଗୁଡ଼ିକ ବଡ଼ ପ୍ରାଚୀର ଭଳି ଲାଗୁଥିବ, ଯାହାକୁ ଆମେ କେବେ ପାର କରିପାରିବା ନାହିଁ । କିନ୍ତୁ ଆମ ସମସ୍ୟାଗୁଡ଼ିକ ଯେତେ ବି ବଡ଼ ଥାଉ ନା କାହିଁକି ଯିହୋବାଙ୍କ ସାହାଯ୍ୟରେ ଆମେ ସେଗୁଡ଼ିକୁ ପାର କରିପାରିବା । ତେଣୁ ଯେବେ ବି ଆମକୁ କୌଣସି କଥାକୁ ନେଇ ଚିନ୍ତା ହୁଏ, ସେତେବେଳେ ଆମେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବା ଉଚିତ୍‌, ମନେପକାଇବା ଉଚିତ୍‌ ଯେ ସେ ଆଗରୁ ଆମ ପାଇଁ କʼଣ କʼଣ କରିଥିଲେ ଓ ସେ ଯାହା କହନ୍ତି, ତାʼ ଅନୁସାରେ ପଦକ୍ଷେପ ନେବା ଉଚିତ୍‌ । ଏପରି କଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ବୁଦ୍ଧି ଓ ଶକ୍ତି ଦେବେ ଏବଂ ଆମେ ନିଜ ଚିନ୍ତାଗୁଡ଼ିକର ଆହୁରି ଭଲଭାବେ ସାମନା କରିପାରିବା ।

a ଯେଉଁମାନେ ଗଭୀର ଚିନ୍ତାରେ ପୀଡ଼ିତ ଅଛନ୍ତି, ହୁଏତ ସେମାନଙ୍କୁ ଡାକ୍ତରଙ୍କଠାରୁ ଚିକିତ୍ସା କରାଇବାକୁ ପଡ଼ିପାରେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ