କʼଣ ଆପଣ ଜାଣନ୍ତି ?
ପ୍ରଥମ ଶତାବ୍ଦୀର ମନ୍ଦିରରେ ଯେଉଁ ପଶୁଗୁଡ଼ିକର ବଳିଦାନ ଚଢ଼ା ଯାଉଥିଲା, ସେମାନଙ୍କର ରକ୍ତକୁ କʼଣ କରାଯାଉଥିଲା ?
ପ୍ରାଚୀନ ସମୟରେ, ଇସ୍ରାଏଲରେ ଯାଜକମାନେ ପ୍ରତି ବର୍ଷ ମନ୍ଦିରର ବେଦିରେ ଲକ୍ଷ ଲକ୍ଷ ପଶୁର ବଳିଦାନ ଚଢ଼ାଉଥିଲେ । ପ୍ରଥମ ଶତାବ୍ଦୀର ଯିହୁଦୀ ଇତିହାସକାର ଜୋସିଫସ୍ କହନ୍ତି ଯେ ନିସ୍ତାର ପର୍ବରେ ୨,୫୦,୦୦୦ରୁ ବି ଅଧିକ ମେଷର ବଳି ଦିଆଯାଉଥିଲା । ତେଣୁ ନିଶ୍ଚିତ ପ୍ରଚୁର ପରିମାଣରେ ରକ୍ତ ଢଳା ଯାଉଥିଲା । (ଲେବୀ. ୧:୧୦, ୧୧; ଗଣ. ୨୮:୧୬, ୧୯) ଏହାପରେ ସେହି ରକ୍ତକୁ କʼଣ କରାଯାଉଥିଲା ?
ଯେବେ ଅନୁସନ୍ଧାନକାରୀମାନେ ହେରୋଦ ତିଆରି କରିଥିବା ମନ୍ଦିରର ଆଖପାଖରେ ଖୋଦନ କଲେ, ତେବେ ସେମାନଙ୍କୁ ପରସ୍ପର ସହ ଜଡ଼ିତ ଅନେକ ଡ୍ରେନ୍ ମିଳିଲା । ୭୦ ଖ୍ରୀଷ୍ଟାବ୍ଦରେ ମନ୍ଦିରର ବିନାଶ ହେବା ଯାଏ ଏଗୁଡ଼ିକର ବ୍ୟବହାର କରାଯାଉଥିଲା । ତେଣୁ ଆମେ କହିପାରିବା ଯେ ନିଶ୍ଚିତ ବେଦିରେ ଯେଉଁ ରକ୍ତ ଢଳା ଯାଉଥିଲା, ତାହା ଏହି ଡ୍ରେନ୍ ଦେଇ ମନ୍ଦିରରୁ ବାହାରି ଯାଉଥିଲା ।
ଡ୍ରେନ୍ଗୁଡ଼ିକର ଏହି ବ୍ୟବସ୍ଥା ବିଷୟରେ ଦୁଇଟି କଥା ଉପରେ ଧ୍ୟାନ ଦିଅନ୍ତୁ:
ବେଦି ତଳେ ଥିବା ଗାତଗୁଡ଼ିକ । ବେଦି ପାଇଁ ଯେଉଁ ଡ୍ରେନ୍ଗୁଡ଼ିକର ବ୍ୟବସ୍ଥା ଥିଲା, ସେବିଷୟରେ ମିସନାରେa ବୁଝାଇ ଦିଆଯାଇଛି । ଏଥିରେ ଲେଖାଅଛି, “ବେଦିର ଦକ୍ଷିଣ-ପଶ୍ଚିମ କଡ଼ରେ ଦୁଇଟି ଗାତ ଥିଲା, . . . ବେଦିର ପଶ୍ଚିମ ଓ ଦକ୍ଷିଣରେ ଯେଉଁ ରକ୍ତ ଢଳା ଯାଉଥିଲା ଓ ବେଦିକୁ ସଫା କରିବା ପାଇଁ ଯେଉଁ ପାଣି ବ୍ୟବହାର କରାଯାଉଥିଲା, ତାହା ଏହି ଗାତ ଭିତର ଦେଇ ଗୋଟିଏ କେନାଲ ଦ୍ୱାରା କିଦ୍ରୋଣ ଘାଟିକୁ ଚାଲି ଯାଉଥିଲା ।”
ଅନୁସନ୍ଧାନକାରୀମାନଙ୍କୁ ଖୋଦନ କରି ପ୍ରମାଣ ମିଳିଥିବା ଯୋଗୁଁ ସେମାନେ ବି ମାନନ୍ତି ଯେ ପ୍ରାଚୀନ ସମୟରେ ବେଦି ପାଖରେ ଗାତ ଥିଲା । ଯିହୁଦୀମାନଙ୍କର ଇତିହାସରେ ଲେଖାଥିବା ଗୋଟିଏ ବହିରେ ମଧ୍ୟ କୁହାଯାଇଛି ଯେ ମନ୍ଦିର ପାଖରେ “ଅନେକଗୁଡ଼ିଏ ଡ୍ରେନ୍ର ବ୍ୟବସ୍ଥା” କରାଯାଇ ଥିବାର ପ୍ରମାଣ ମିଳିଛି । ସେଥିରେ ଲେଖା ହୋଇଛି, “ମନ୍ଦିରରେ ବ୍ୟବହାର ହେଉଥିବା ପାଣି ଓ ବଳି କରାଯାଇଥିବା ପଶୁଗୁଡ଼ିକର ରକ୍ତ ଏହି ଡ୍ରେନ୍ଗୁଡ଼ିକରୁ ବାହାରି ଯାଉଥିବ ।”
ଭରପୂର ପାଣିର ବ୍ୟବସ୍ଥା । ବେଦିକୁ ଓ ରକ୍ତ ବହୁଥିବା ନାଳକୁ ସଫା ରଖିବା ପାଇଁ ଯାଜକମାନଙ୍କୁ ପ୍ରଚୁର ପାଣି ବ୍ୟବହାର କରିବାକୁ ପଡ଼ୁଥିଲା ଓ ଏହି ଜରୁରୀ କାମକୁ କରିବା ପାଇଁ ସେମାନଙ୍କୁ ଲଗାତାର ସହରରୁ ସଫା ପାଣି ମିଳୁଥିଲା । କିପରି ? ସେଠାରେ କେନାଲଗୁଡ଼ିକ ଓ ଜଳକୁଣ୍ଡଗୁଡ଼ିକ ଥିଲା, ଯେଉଁଥିରୁ ପାଣି ବହି ସହରକୁ ଆସୁଥିଲା । ତାʼସହିତ ଅନେକ ପୋଖରୀ ମଧ୍ୟ ଥିଲା, ଯେଉଁଠୁ ପାଣି ଆସୁଥିଲା । ଅନୁସନ୍ଧାନକାରୀ ଜୋସଫ ପ୍ୟାଟ୍ରିକ୍ କହନ୍ତି, “ଏହି ମନ୍ଦିର ଯାଏ ପାଣି ପହଞ୍ଚାଇବା, ମନ୍ଦିରକୁ ସଫା ରଖିବା ଓ ପାଣିର ନିଷ୍କାସନ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଥିଲା, ତାହା ସେସମୟର ଆଉ କୌଣସି ମନ୍ଦିରରେ ନ ଥିଲା ।”
a ତୃତୀୟ ଶତାବ୍ଦୀର ଆରମ୍ଭରେ ଲେଖାଥିବା ଏହି ବହିରେ ଯିହୁଦୀମାନଙ୍କୁ ମୁହଁ ବୋଲା ଦିଆଯାଇଥିବା ନିୟମ ଲେଖା ହୋଇଛି ।