ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w25 ଅଗଷ୍ଟ ପୃଷ୍ଠା ୨୬-୩୦
  • ଲାଜକୁଳୀ ଥିବା ସତ୍ତ୍ୱେ ମୁଁ ମିଶନାରୀ ସେବା କରିପାରିଲି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଲାଜକୁଳୀ ଥିବା ସତ୍ତ୍ୱେ ମୁଁ ମିଶନାରୀ ସେବା କରିପାରିଲି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଉପଶୀର୍ଷକ
  • ପୂର୍ଣ୍ଣ ସମୟର ସେବା ଆରମ୍ଭ କଲି
  • ମିଶନାରୀ ସେବା କରିବାର ଲକ୍ଷ୍ୟ
  • ଏପରି ଦେଶରେ ସେବା କରିବା ଯେଉଁଠି ଯୁଦ୍ଧ ଲାଗି ରହିଥିଲା
  • ଅନ୍ୟ କିଛି ସମସ୍ୟା ଆସିଲା
  • ସ୍ୱାସ୍ଥ୍ୟ ସହ ଜଡ଼ିତ ଅନ୍ୟ ସମସ୍ୟାଗୁଡ଼ିକ
  • ଯିହୋବା ପ୍ରତ୍ୟେକ ମୁହୂର୍ତ୍ତରେ ସାହାଯ୍ୟ କଲେ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
w25 ଅଗଷ୍ଟ ପୃଷ୍ଠା ୨୬-୩୦
ମାରିଆନା ୱର୍ଟହୋଲ୍ଜ ।

ଜୀବନ କାହାଣୀ

ଲାଜକୁଳୀ ଥିବା ସତ୍ତ୍ୱେ ମୁଁ ମିଶନାରୀ ସେବା କରିପାରିଲି

ମାରିଆନା ୱର୍ଟହୋଲ୍ଜଙ୍କ ଅନୁଭୂତି

ପିଲାବେଳେ ମୁଁ ଲାଜକୁଳୀ ସ୍ୱଭାବର ଥିଲି ଏବଂ ଲୋକମାନଙ୍କୁ ଡରୁଥିଲି । କିନ୍ତୁ ସମୟ ଗଡ଼ିବା ସହିତ ଯିହୋବା ମୋତେ ଲୋକମାନଙ୍କୁ ପ୍ରେମ କରିବା ପାଇଁ ଶିଖାଇଲେ ଏବଂ ମିଶନାରୀ ହେବା ପାଇଁ ସାହାଯ୍ୟ କଲେ । ତାହା କିପରି ? ପ୍ରଥମେ ସେ ମୋ ବାପାଙ୍କ ଜରିଆରେ ମୋତେ ସାହାଯ୍ୟ କଲେ । ଏହାପରେ ଜଣେ ଯୁବା ଭଉଣୀଙ୍କର ଭଲ ଉଦାହରଣରୁ ଶିଖାଇଲେ । ଆଉ ପରେ ମୋ ସ୍ୱାମୀଙ୍କ ଜରିଆରେ ମୋତେ ସାହାଯ୍ୟ କଲେ, ଯିଏ ମୋତେ ପ୍ରେମର ସହ ଭଲ ପରାମର୍ଶ ଦେଲେ । ଆସନ୍ତୁ ମୁଁ ନିଜ ଜୀବନ ବିଷୟରେ ଆଗକୁ ଆଉ କିଛି କଥା କହିବି ।

ମୋର ଜନ୍ମ ୧୯୫୧ ମସିହାରେ ଅଷ୍ଟ୍ରିଆର ଭିଏନା ସହରରେ ହୋଇଥିଲା । ମୋ ବାପାମାଆ କ୍ୟାଥଲିକ ଥିଲେ । ଯଦିଓ ମୁଁ ବହୁତ ଲାଜକୁଳୀ ସ୍ୱଭାବର ଥିଲି, ତଥାପି ମୁଁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲି ଏବଂ ପ୍ରାୟ ତାଙ୍କୁ ପ୍ରାର୍ଥନା କରୁଥିଲି । ଯେବେ ମୁଁ ୯ ବର୍ଷର ହେଲି, ତେବେ ମୋ ବାପା ଯିହୋବାଙ୍କ ସାକ୍ଷୀମାନଙ୍କ ସହ ଅଧ୍ୟୟନ କରିବା ଆରମ୍ଭ କଲେ । ପରେ ମୋ ମାଆ ବି ତାଙ୍କ ସହିତ ଅଧ୍ୟୟନ କରିବାକୁ ଲାଗିଲେ ।

ନିଜ ଭଉଣୀ ଏଲିଜାବେଥଙ୍କ ସହ (ବାମପଟେ)

ଖୁବ୍‌ ଶୀଘ୍ର ଆମେ ଭିଏନାର ଡବଲିଙ୍ଗ ମଣ୍ଡଳୀର ଭାଗ ହୋଇଗଲୁ । ଆମ ପରିବାର ସାଙ୍ଗରେ ମିଶି ବହୁତ କିଛି କଲା । ଆମେମାନେ ସାଙ୍ଗରେ ବାଇବଲ ପଢ଼ୁଥିଲୁ, ଅଧ୍ୟୟନ କରୁଥିଲୁ, ସଭାକୁ ଯାଉଥିଲୁ ଓ ସମ୍ମିଳନୀଗୁଡ଼ିକରେ ମଧ୍ୟ ସ୍ୱୟଂସେବକ ଭାବେ କାମ କରୁଥିଲୁ । ପିଲାବେଳରୁ ହିଁ ମୋ ବାପା ଯେପରି ଭାବେ ମୋତେ ଶିଖାଇଲେ, ଏହାଯୋଗୁଁ ମୁଁ ଯିହୋବାଙ୍କୁ ବହୁତ ପ୍ରେମ କରିବାକୁ ଲାଗିଲି । ମୋ ବାପା ଏହା ବି ପ୍ରାର୍ଥନା କରୁଥିଲେ ଯେ ମୁଁ ଏବଂ ମୋ ଭଉଣୀ ଅଗ୍ରଦୂତ ସେବା କରୁ । କିନ୍ତୁ ସେହି ସମୟରେ ମୁଁ ଅଗ୍ରଦୂତ ସେବା କରିବା ପାଇଁ ଚାହୁଁ ନ ଥିଲି ।

ପୂର୍ଣ୍ଣ ସମୟର ସେବା ଆରମ୍ଭ କଲି

୧୯୬୫ ମସିହାରେ ମୁଁ ୧୪ ବର୍ଷ ବୟସରେ ବାପ୍ତିସ୍ମ ନେଲି । କିନ୍ତୁ ଏବେ ବି ଅଜଣା ବ୍ୟକ୍ତିମାନଙ୍କୁ ପ୍ରଚାର କରିବା ମୋତେ ବହୁତ କଠିନ ଲାଗୁଥିଲା । ଯେବେ ମୁଁ ନିଜ ବୟସର ଅନ୍ୟ ଯୁବାମାନଙ୍କୁ ଦେଖୁଥିଲି, ତେବେ ମୁଁ ଭାବୁଥିଲି, କେତେ ଭଲ ହୁଅନ୍ତା ଯଦି ମୁଁ ମଧ୍ୟ ସେମାନଙ୍କ ଭଳି ଥାʼନ୍ତି ଏବଂ ସମସ୍ତେ ମତେ ପସନ୍ଦ କରନ୍ତେ । ସେଥିପାଇଁ ବାପ୍ତିସ୍ମର କିଛି ସମୟ ପରେ ମୁଁ ଏପରି ଲୋକମାନଙ୍କ ସହ ମିଳାମିଶା କରିବାକୁ ଲାଗିଲି, ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନ ଥିଲେ । ମୋତେ ସେମାନଙ୍କ ସହିତ ସମୟ ବିତାଇବା ଭଲ ଲାଗୁଥିଲା । କିନ୍ତୁ ମୋର ବିବେକ ମୋତେ ଅନୁଭବ କରାଉଥିଲା ଯେ ମୁଁ ଠିକ୍‌ କରୁ ନାହିଁ, କାରଣ ମୁଁ ସେମାନଙ୍କ ସହିତ ଅଧିକ ସମୟ ବିତାଉଥିଲି । ସେମାନଙ୍କ ସହ ମିଳାମିଶା ବନ୍ଦ କରିବା ପାଇଁ ମୋ ପାଖରେ ସାହସ ନ ଥିଲା । ମୋତେ କେଉଁ କଥାରୁ ସାହାଯ୍ୟ ମିଳିଲା ?

ମାରିଆନା ଏବଂ ଡରଥି ।

ମୁଁ ଡରଥିଠାରୁ ଅନେକ କଥା ଶିଖିଲି (ବାମପଟେ)

ସେହି ସମୟ ମଧ୍ୟରେ ୧୬ ବର୍ଷର ଥିବା ଜଣେ ଭଉଣୀ ଆମ ମଣ୍ଡଳୀକୁ ଆସିଲା । ତାʼ ନାମ ଡରଥି । ସେ ଉତ୍ସାହର ସହିତ ଘର ଘର ପ୍ରଚାର କରୁଥିଲା, ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ବୟସରେ ତାʼଠାରୁ ଟିକିଏ ବଡ଼ ଥିଲି, କିନ୍ତୁ ମୋ ଭିତରେ ତାʼଭଳି ଉତ୍ସାହ ନ ଥିଲା । ମୁଁ ଭାବୁଥିଲି, ‘ମୋର ବାପାମାଆ ତ ଯିହୋବାଙ୍କ ସାକ୍ଷୀ ଅଟନ୍ତି, କିନ୍ତୁ ଡରଥିର ପରିବାରରେ କେହି ବି ସତ୍ୟରେ ନାହାନ୍ତି । ସେ ରୋଗରେ ପୀଡ଼ିତ ଥିବା ନିଜ ମାଆଙ୍କ ଦେଖାଶୁଣା ବି କରେ, ତଥାପି ସେ ସବୁବେଳେ ପ୍ରଚାରରେ ଆସେ ।’ ତାʼ ବିଷୟରେ ଭାବି ମୋତେ ବି ଯିହୋବାଙ୍କ ପାଇଁ ଆହୁରି କିଛି କରିବା ପାଇଁ ଇଚ୍ଛା ହେବାକୁ ଲାଗିଲା । ଖୁବ୍‌ ଶୀଘ୍ର ମୁଁ ଡରଥି ସହ ମିଶି ଅଗ୍ରଦୂତ ସେବା କରିବାକୁ ଲାଗିଲି । ପ୍ରଥମେ ଆମେ ସହଯୋଗୀ ଅଗ୍ରଦୂତ ସେବା କଲୁ (ଯାହାକୁ ସେସମୟରେ “ୱେକେଶନ ଅଗ୍ରଦୂତ” ସେବା କୁହାଯାଉଥିଲା) ଏବଂ ଏହାପରେ ଆମେ ନିୟମିତ ଅଗ୍ରଦୂତ ଭାବେ ସେବା କଲୁ । ଡରଥିର ଉତ୍ସାହ ଦେଖି ମୋ ଭିତରେ ବି ଉତ୍ସାହ ଭରିଗଲା । ତାʼ ସାହାଯ୍ୟରୁ ମୁଁ ପ୍ରଥମ ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲି । କିଛି ସମୟ ପରେ ଘର ଘର ପ୍ରଚାରରେ, ସର୍ବସାଧାରଣ ଜାଗାରେ କିମ୍ବା ଅନ୍ୟ ସମୟରେ ଅଜଣା ବ୍ୟକ୍ତିମାନଙ୍କ ସହିତ କଥା ହେବା ମୋ ପାଇଁ ସହଜ ହୋଇଗଲା ।

ମୋର ଅଗ୍ରଦୂତ ସେବା କରିବାର ପ୍ରଥମ ବର୍ଷ ମଧ୍ୟରେ ହିଁ ଅଷ୍ଟ୍ରିଆରୁ ଜଣେ ଭାଇ ଆମ ମଣ୍ଡଳୀକୁ ଆସିଲେ । ତାଙ୍କ ନାମ ହିଣ୍ଟଜ । ତାଙ୍କୁ କାନାଡ଼ାରେ ଥିବା ନିଜ ଭାଇଙ୍କଠାରୁ ସତ୍ୟ ମିଳିଲା, ଯିଏ ପୂର୍ବରୁ ଜଣେ ଯିହୋବାଙ୍କ ସାକ୍ଷୀ ଥିଲେ । ଥରେ ଯେବେ ହିଣ୍ଟଜ ତାଙ୍କୁ ଭେଟିବା ପାଇଁ କାନାଡ଼ାକୁ ଯାଇଥିଲେ, ସେଠାରୁ ସେ ସତ୍ୟ ଶିଖିଲେ । ହିଣ୍ଟଜକୁ ଭିଏନାରେ ଆମ ମଣ୍ଡଳୀରେ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ ପଠାଯାଇଥିଲା । ମୁଁ ଆରମ୍ଭରୁ ହିଁ ତାଙ୍କୁ ପସନ୍ଦ କରୁଥିଲି । ସେହି ଭାଇ ମିଶନାରୀ ହେବା ପାଇଁ ଚାହୁଁଥିଲେ, କିନ୍ତୁ ମୁଁ ମିଶନାରୀ ହେବା ପାଇଁ ଚାହୁଁ ନ ଥିଲି । ସେଥିପାଇଁ ମୁଁ ଆରମ୍ଭରେ ତାଙ୍କୁ ଏହା ଦେଖାଇଲି ନାହିଁ ଯେ ମୁଁ ତାଙ୍କୁ ପସନ୍ଦ କରେ । କିନ୍ତୁ କିଛି ସମୟ ପରେ ଆମେ ଡେଟିଙ୍ଗ୍‌ କରିବାକୁ ଲାଗିଲୁ ଏବଂ ଆମର ବାହା ହୋଇଗଲା । ଏହାପରେ ଆମେ ଦୁହେଁ ମିଶି ଅଷ୍ଟ୍ରିଆରେ ଅଗ୍ରଦୂତ ସେବା କଲୁ ।

ମିଶନାରୀ ସେବା କରିବାର ଲକ୍ଷ୍ୟ

ହିଣ୍ଟଜ ମିଶନାରୀ ସେବା କରିବା ପାଇଁ ଚାହୁଁଥିଲେ ଏବଂ ଏହି ବିଷୟରେ ସେ ଅଧିକାଂଶ ସମୟରେ ମୋ ସହିତ କଥା ହେଉଥିଲେ । ସେ ମୋ ଉପରେ କେବେ ବି ଚାପ ପକାଇଲେ ନାହିଁ । କିନ୍ତୁ ସେ ବେଳେବେଳେ ଏପରି କିଛି ପ୍ରଶ୍ନ ପଚାରୁଥିଲେ, ଯାହାଯୋଗୁଁ ମୁଁ ଭାବିବା ପାଇଁ ବାଧ୍ୟ ହୋଇଯାଉଥିଲି । ଯେପରି, ‘ଆମର ତ ପିଲାଛୁଆ ନାହାନ୍ତି, ତେଣୁ ଯିହୋବାଙ୍କ ସେବାରେ ଆମେ ଅଧିକ କଲେ କେମିତି ହୁଅନ୍ତା ?’ ଯେପରି ମୁଁ ପୂର୍ବରୁ କହିଥିଲି ଯେ ମୁଁ ବହୁତ ଲାଜକୁଳୀ ସ୍ୱଭାବର ଥିଲି, ତେଣୁ ମିଶନାରୀ ସେବା କରିବା ବିଷୟରେ ଭାବି ମୋତେ ବହୁତ ଡର ଲାଗୁଥିଲା । ଏହା ସତ ଯେ ମୁଁ ଅଗ୍ରଦୂତ ସେବା କରୁଥିଲି, କିନ୍ତୁ ଯେବେ ବି ମୁଁ ମିଶନାରୀ ସେବା ବିଷୟରେ ଭାବୁଥିଲି, ତେବେ ମୋତେ ଲାଗୁଥିଲା ଯେ ଏହା ମୋ ଦ୍ୱାରା ହୋଇପାରିବ ନାହିଁ । ତଥାପି ହିଣ୍ଟଜ ହାର ମାନିଲେ ନାହିଁ । ସେ ଲଗାତାର ମୋ ସହିତ ମିଶନାରୀ ସେବା କରିବା ବିଷୟରେ କଥା ହେଉଥିଲେ । ସେ ମୋତେ ପ୍ରୋତ୍ସାହନ ଦେଲେ ଯେ ମୁଁ ନିଜ ବିଷୟରେ ଭାବିବା ପରିବର୍ତ୍ତେ ଲୋକମାନଙ୍କ ବିଷୟରେ ଭାବେ । ତାଙ୍କର ପରାମର୍ଶରୁ ମୋତେ ବହୁତ ଲାଭ ହେଲା ।

୧୯୭୪ ମସିହାରେ ହିଣ୍ଟଜ ଅଷ୍ଟ୍ରିଆର ସାଲଜବର୍ଗରେ ସର୍ବୋ-କ୍ରୋଏସିଆନ୍‌ ଭାଷା କହୁଥିବା ମଣ୍ଡଳୀରେ ପ୍ରହରୀଦୁର୍ଗ ସଞ୍ଚାଳନ କରୁଥିବା ସମୟର ଚିତ୍ର

ଧିରେ ଧିରେ ମୋତେ ବି ମିଶନାରୀ ସେବା କରିବାର ଇଚ୍ଛା ହେବାକୁ ଲାଗିଲା । ସେଥିପାଇଁ ଆମେ ଗିଲିଅଡ୍‌ ସ୍କୁଲ ପାଇଁ ଫର୍ମ ଭରିଲୁ । କିନ୍ତୁ ସେହି ସମୟରେ ଶାଖା କାର୍ଯ୍ୟାଳୟରେ ଦାୟିତ୍ୱ ସମ୍ଭାଳୁ ଥିବା ଜଣେ ଭାଇ ମୋତେ ଇଂରାଜୀ ଭାଷାରେ ସୁଧାର କରିବା ପାଇଁ ପରାମର୍ଶ ଦେଲେ । ତିନି ବର୍ଷ ଯାଏ ମୁଁ ଇଂରାଜୀ ଭାଷା ଭଲଭାବେ ଶିଖିବା ପାଇଁ ବହୁତ ପରିଶ୍ରମ କଲି । କିନ୍ତୁ ପରେ ହଠାତ୍‌ ଆମକୁ ଅଷ୍ଟ୍ରିଆର ସାଲଜବର୍ଗ ସହରରେ ଯିବା ପାଇଁ ଏବଂ ସେଠାର ସର୍ବୋ-କ୍ରୋଏସିଆନ୍‌ ଭାଷା କହୁଥିବା ମଣ୍ଡଳୀରେ ସେବା କରିବା ପାଇଁ କୁହାଗଲା । ଆମେ ସାତ ବର୍ଷ ଯାଏ ସେଠାରେ ସେବା କଲୁ । ଆଉ ସେହି ସମୟ ମଧ୍ୟରେ ଗୋଟିଏ ବର୍ଷ ଆମକୁ ସର୍କିଟ କାମ କରିବା ପାଇଁ ବି ସୁଯୋଗ ମିଳିଲା । ସର୍ବୋ-କ୍ରୋଏସିଆନ୍‌ ଭାଷା ଶିଖିବା ସହଜ ନ ଥିଲା, କିନ୍ତୁ ଆମକୁ ଅନେକ ବାଇବଲ ଅଧ୍ୟୟନ ମିଳିଲା ।

୧୯୭୯ ମସିହାରେ ଶାଖା କାର୍ଯ୍ୟାଳୟରେ ନେତୃତ୍ୱ ନେଉଥିବା ଭାଇମାନେ ଆମକୁ କିଛି ସମୟ ପାଇଁ ବୁଲଗେରିଆ ଯିବା ପାଇଁ କହିଲେ । ସେଠାରେ ଆମର ପ୍ରଚାର କାମରେ ରୋକ ଲାଗିଥିଲା । ସେଥିପାଇଁ ସେମାନେ ଆମକୁ ଏପରି ଭାବେ ଯିବା ପାଇଁ କହିଲେ, ଯେପରି ଆମେ ଛୁଟିରେ ଆସିଛୁ । ଆମକୁ କୁହାଗଲା ଯେ ଆମେ ସେଠାରେ ପ୍ରଚାର କାମ କରିବା ନାହିଁ । କିନ୍ତୁ ଆମକୁ ଲୁଚିଛପି ନିଜ ସହିତ ଛୋଟ ଛୋଟ ଆକାରରେ ପ୍ରସ୍ତୁତ ହୋଇଥିବା ବହି ପତ୍ରିକାଗୁଡ଼ିକୁ ନେଇ, ସେହି ଦେଶର ରାଜଧାନୀ ସୋଫିଆରେ ରହୁଥିବା ଆମର ପାଞ୍ଚଜଣ ଭଉଣୀଙ୍କ ଯାଏ ପହଞ୍ଚାଇବାର ଥିଲା । ମୁଁ ବହୁତ ଡରି ଯାଇଥିଲି । କିନ୍ତୁ ଯିହୋବାଙ୍କ ସାହାଯ୍ୟରୁ ଆମେ ଏହି କାମ ପୂରା କରିପାରିଲୁ । ସେହି ପାଞ୍ଚଜଣ ଭଉଣୀଙ୍କ ବିଶ୍ୱାସ ଯୋଗୁଁ ସେମାନଙ୍କୁ କେବେ ବି ଜେଲ ହୋଇପାରନ୍ତା । କିନ୍ତୁ ସେମାନଙ୍କର ସାହସ ଏବଂ ଖୁସି ଦେଖି ମୋତେ ମଧ୍ୟ ପ୍ରୋତ୍ସାହନ ମିଳିଲା ଯେ ମୁଁ ସଂଗଠନରୁ ଯାହା ବି କାମ ମିଳେ, ତାହାକୁ ମନପ୍ରାଣ ଦେଇ କରେ ।

ସେହି ସମୟ ମଧ୍ୟରେ ଆମେ ପୁଣିଥରେ ଗିଲିଅଡ୍‌ ପାଇଁ ଫର୍ମ ଭରିଲୁ । ଆଉ ଏଥର ଆମକୁ ମଞ୍ଜୁରି ମିଳିଲା । ଆମେ ଭାବିଲୁ ଯେ ଆମକୁ ଆମେରିକାରେ ଇଂରାଜୀ ଭାଷାରେ ହେଉଥିବା କ୍ଲାସରେ ଉପସ୍ଥିତ ହେବାର ସୁଯୋଗ ମିଳିବ । କିନ୍ତୁ ନଭେମ୍ବର ୧୯୮୧ ମସିହାରେ ଜର୍ମାନୀର ବିସୱେଡନ ସହରରେ ‘ଗିଲିଅଡ୍‌ ଏକ୍ସଷ୍ଟେନସନ୍‌ ସ୍କୁଲର’ ଆରମ୍ଭ ହେଲା । ସେଥିପାଇଁ ଆମକୁ ଜର୍ମାନ ଭାଷାରେ ହେଉଥିବା ସ୍କୁଲରେ ଉପସ୍ଥିତ ହେବାର ସୁଯୋଗ ମିଳିଲା । ଆଉ ଏହା ମୋ ପାଇଁ ଭଲ ବି ଥିଲା, କାରଣ ଜର୍ମାନ ଭାଷାରେ ମୁଁ ସବୁକିଛି ଭଲଭାବେ ବୁଝିପାରିଲି । ଏହାପରେ ଆମକୁ କେଉଁଠି ପଠାଯାʼନ୍ତା ?

ଏପରି ଦେଶରେ ସେବା କରିବା ଯେଉଁଠି ଯୁଦ୍ଧ ଲାଗି ରହିଥିଲା

ଆମକୁ କେନିଆରେ ସେବା କରିବା ପାଇଁ ପଠାଗଲା । କିନ୍ତୁ କେନିଆରେ ଥିବା ଶାଖା କାର୍ଯ୍ୟାଳୟର ଭାଇମାନେ ଆମକୁ ପଚାରିଲେ ଯେ କʼଣ ଆମେ ପଡ଼ୋଶୀ ଦେଶ ୟୁଗାଣ୍ଡାରେ ସେବା କରିବା ପାଇଁ ଯାଇପାରିବା । ପ୍ରାୟ ୧୦ ବର୍ଷ ପୂର୍ବେ ୟୁଗାଣ୍ଡାରେ ଜଣେ ସେନା ଅଧିକାରୀ ଜନରଲ ଇଡ଼ି ଆମିନ ସେଠାର ଶାସନ ନିଜ ହାତକୁ ନେଇଥିଲେ । ସେ କଠୋର ଏକଛତ୍ରବାଦ ଶାସକ ଥିଲେ, ତେଣୁ ଆଗାମୀ କିଛି ବର୍ଷ ଯାଏ ସେ ହଜାର ହଜାର ଲୋକମାନଙ୍କର ଜୀବନ ନେଲେ ଏବଂ ଲକ୍ଷ ଲକ୍ଷ ଲୋକମାନଙ୍କ ପାଇଁ ବଞ୍ଚିବା କଷ୍ଟକର କରିଦେଇଥିଲେ । କିନ୍ତୁ ପରେ ୧୯୭୯ ମସିହାରେ ଜନରଲ ଇଡି ଆମିନଙ୍କ ବିରୋଧୀମାନେ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଲେ ଏବଂ ତାଙ୍କୁ ଶାସନ ଛାଡ଼ିବାକୁ ବାଧ୍ୟ କରିଦେଲେ । ଆପଣ ବୁଝିପାରୁଥିବେ ଯେ କାହିଁକି ଆରମ୍ଭରେ ମୋତେ ଏପରି ଦେଶରେ ଯାଇ ସେବା କରିବା ପାଇଁ ଡର ଲାଗୁଥିଲା । କିନ୍ତୁ ଗିଲିଅଡ୍‌ରୁ ଆମେ ଯିହୋବାଙ୍କ ଉପରେ ଭରସା ରଖିବା ଶିଖିଲୁ । ସେଥିପାଇଁ ଆମେ ସେଠାକୁ ଯିବା ପାଇଁ ରାଜି ହୋଇଗଲୁ ।

ୟୁଗାଣ୍ଡାର ପରିସ୍ଥିତି ଭାରି କଷ୍ଟକର ଥିଲା । ସରକାର ସେଠାରେ ପାଣି, ବିଜୁଳି, ଟେଲିଫୋନ୍‌ ଭଳି ଜରୁରୀ ସୁବିଧା ଯୋଗାଇବା ପାଇଁ ସକ୍ଷମ ନ ଥିଲା । ଲୋକମାନେ ଅନ୍ୟ ଲୋକମାନଙ୍କ ଉପରେ ଗୁଳି ଚଳାଉଥିଲେ ଏବଂ ଲୁଟପାଟ କରୁଥିଲେ । ବିଶେଷ କରି ରାତି ସମୟରେ । ସେଥିପାଇଁ ଅନ୍ଧାର ହେବା ମାତ୍ରେ ସମସ୍ତେ ଘରେ ରହୁଥିଲେ, ତାʼସହିତ ସେମାନେ ଏହା ଆଶା ରଖୁଥିଲେ ଏବଂ ପ୍ରାର୍ଥନା କରୁଥିଲେ ଯେ କେହି ସେମାନଙ୍କ ଘରେ ପଶି ନ ଯାʼନ୍ତୁ ଏବଂ ସେମାନଙ୍କ ଜିନିଷ ଚୋରି ନ କରନ୍ତୁ କିମ୍ବା ସେମାନଙ୍କର ହତ୍ୟା ନ କରିଦିଅନ୍ତୁ । ଏହି କଷ୍ଟଭରା ପରିସ୍ଥିତି ସତ୍ତ୍ୱେ ସେଠାର ଭାଇଭଉଣୀମାନେ ଖୁସିର ସହ ଯିହୋବାଙ୍କର ସେବା କରୁଥିଲେ ।

ୱାଇସ୍ୱାଙ୍କ ଘରେ ଖାଇବା ପ୍ରସ୍ତୁତ କରୁଥିବା ସମୟର ଚିତ୍ର

୧୯୮୨ ମସିହାରେ ମୁଁ ଏବଂ ହିଣ୍ଟଜ ୟୁଗାଣ୍ଡାର ରାଜଧାନୀ କାମ୍ପାଲା ଆସିଗଲୁ । ପ୍ରଥମ ପାଞ୍ଚ ମାସ ଯାଏ ଆମେ ଭାଇ ସ୍ୟାମ ଏବଂ ଭଉଣୀ କ୍ରିଷ୍ଟିନା ୱାଇସ୍ୱାଙ୍କ ସହ ରହିଲୁ । ତାଙ୍କ ପରିବାରରେ ତାଙ୍କ ସହ ପାଞ୍ଚଜଣ ପିଲା ଏବଂ ଚାରିଜଣ ସମ୍ପର୍କୀୟମାନେ ମଧ୍ୟ ରହୁଥିଲେ । ଭାଇ ଏବଂ ଭଉଣୀ ୱାଇସ୍ୱାଙ୍କ ପରିବାର ପ୍ରାୟ ଦିନରେ ଥରେ ହିଁ ଖାଇ ପାରୁଥିଲା । ତଥାପି ସେମାନେ ଆମ ପାଇଁ ଯେଉଁ ଉଦାରତା ଦେଖାଇଲେ, ତାହା ନିଆରା ଥିଲା । ତାଙ୍କ ପରିବାର ସହ ରହି ମୁଁ ଏବଂ ହିଣ୍ଟଜ ଅନେକ ଭଲ କଥା ଶିଖିଲୁ, ଯାହା ଆମ ମିଶନାରୀ ସେବାରେ ବହୁତ କାମରେ ଆସିଲା । ଆମେ ଶିଖିଲୁ ଯେ ଆମେ କିପରି ପାଣି ନଷ୍ଟ କରିବା ନାହିଁ । ଯେପରି, ଆମେ କିଛି ଲିଟର ପାଣିରେ ଗାଧୋଇପାରିବା ଏବଂ ମଇଳା ପାଣିକୁ ପାଇଖାନାରେ ବ୍ୟବହାର କରିପାରିବା । ତାʼପରେ ୧୯୮୩ ମସିହାରେ ଆମକୁ ଗୋଟିଏ ଘର ମିଳିଲା, ଯାହା କାମ୍ପାଲାର ଟିକିଏ ସୁରକ୍ଷିତ ଅଞ୍ଚଳରେ ଥିଲା ।

କାମ୍ପାଲାରେ ସେବା କରିବା ବହୁତ ମଜାଦାର ଥିଲା । ମୋତେ ମନେ ଅଛି ଯେ ଆମେ ଗୋଟିଏ ମାସରେ ଲୋକମାନଙ୍କୁ ପ୍ରାୟ ୪,୦୦୦ରୁ ବି ବେଶୀ ପତ୍ରିକାଗୁଡ଼ିକ ଦେଲୁ । କିନ୍ତୁ ସବୁଠାରୁ ଭଲ କଥା ଏହା ଯେ ସେଠାର ଲୋକମାନଙ୍କୁ ଈଶ୍ୱର ଏବଂ ବାଇବଲ ବିଷୟରେ କଥା ହେବା ବହୁତ ଭଲ ଲାଗୁଥିଲା । ହିଣ୍ଟଜ ଓ ମୁଁ ପ୍ରାୟ ୧୦-୧୦ଟି ୧୫-୧୫ଟି ବାଇବଲ ଅଧ୍ୟୟନ ଚଲାଉଥିଲୁ । ଆମେ ଆମର ବିଦ୍ୟାର୍ଥୀମାନଙ୍କଠାରୁ ମଧ୍ୟ ବହୁତ କିଛି ଶିଖିପାରିଲୁ । ଯେପରି, ସେମାନଙ୍କୁ ସଭା ପାଇଁ ଚାଲିଚାଲି ଯିବା ଆସିବା କରିବାକୁ ପଡ଼ୁଥିଲା, କିନ୍ତୁ ସେମାନେ ସବୁବେଳେ ଖୁସି ରହୁଥିଲେ ଏବଂ କୌଣସି ଅଭିଯୋଗ ମଧ୍ୟ କଲେ ନାହିଁ । ସେମାନଙ୍କର ଉତ୍ସାହ ଦେଖି ଆମକୁ ବହୁତ ଭଲ ଲାଗୁଥିଲା ।

୧୯୮୫ ଏବଂ ୧୯୮୬ ମସିହାରେ ୟୁଗାଣ୍ଡାରେ ଆହୁରି ଦୁଇଟି ଯୁଦ୍ଧ ହେଲା । ଆମେ ପ୍ରାୟ ସମୟରେ ଦେଖୁଥିଲୁ ଯେ ଛୋଟ ପିଲାମାନେ ବନ୍ଧୁକ ଧରି ବୁଲୁଛନ୍ତି ଏବଂ ଯେଉଁ ଜାଗାରେ ରାସ୍ତା ବନ୍ଦ କରାଯାଇଥିଲା ସେଠାରେ ସେମାନଙ୍କୁ ମୁତୟନ କରାଯାଇଛି । ସେହି ସମୟରେ ଆମେ ପ୍ରାର୍ଥନା କରୁଥିଲୁ ଯେ ଆମେ ଶାନ୍ତ ରହିପାରିବା, ଭାବିଚିନ୍ତି କାମ କରିପାରିବା ଏବଂ ପ୍ରଚାର କରିବା ସମୟରେ ଆମ ସନ୍ଦେଶରେ ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ ଖୋଜିପାରିବା । ଯିହୋବା ଆମର ପ୍ରାର୍ଥନାର ଉତ୍ତର ଦେଲେ । ପ୍ରାୟ ଏପରି ହେଉଥିଲା ଯେ ଯେବେ ଆମେ ଏପରି ବ୍ୟକ୍ତିଙ୍କୁ ଭେଟୁଥିଲୁ ଯିଏ ଆମ ସନ୍ଦେଶ ପ୍ରତି ଆଗ୍ରହ ଦେଖାଉଥିଲେ, ତେବେ ଆମେ ନିଜର ଡର ଭୁଲି ଯାଉଥିଲୁ ।

ହିଣ୍ଟଜ ଏବଂ ମୁଁ, ତାତ୍ୟାନାଙ୍କ ସହ (ମଝିରେ ତାତ୍ୟାନା)

ଆମକୁ ଅନ୍ୟ ଦେଶର ଲୋକମାନଙ୍କୁ ପ୍ରଚାର କରିବା ପାଇଁ ବି ଭଲ ଲାଗୁଥିଲା । ଯେପରି, ଆମେ ମୁରତ ଏବଂ ଦିଲ୍‌ବର ଇବାତୁଲିନ ନାମକ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ଭେଟିଲୁ, ଯେଉଁମାନେ ତାତାରସ୍ତାନରୁ (ମଧ୍ୟ-ରୁଷରୁ) ଥିଲେ । ମୁରତ ଜଣେ ଡାକ୍ତର ଥିଲେ । ସେ ଦୁହେଁ ସତ୍ୟ ଶିଖିଲେ ଏବଂ ଉତ୍ସାହର ସହ ଯିହୋବାଙ୍କ ସେବା କରିବାକୁ ଲାଗିଲେ । ଏହାର କିଛି ସମୟ ପରେ ମୁଁ ୟୁକ୍ରେନ୍‌ର ତାତ୍ୟାନା ୱିଲେସ୍କା ନାମକ ଜଣେ ମହିଳାଙ୍କୁ ଭେଟିଲି । ସେହି ସମୟରେ ସେ ବହୁତ ନିରାଶ ଥିଲେ ଏବଂ ଆତ୍ମହତ୍ୟା କରିବା ପାଇଁ ଭାବୁଥିଲେ । କିନ୍ତୁ ପରେ ସେ ସତ୍ୟ ଶିଖିଲେ ଏବଂ ବାପ୍ତିସ୍ମ ନେଲେ । ଏହାପରେ ସେ ୟୁକ୍ରେନ୍‌ ଫେରିଗଲେ ଏବଂ ସେଠାରେ ସେ ଆମ ପ୍ରକାଶନଗୁଡ଼ିକର ଅନୁବାଦ କାମରେ ସାହାଯ୍ୟ କଲେ ।a

ଅନ୍ୟ କିଛି ସମସ୍ୟା ଆସିଲା

୧୯୯୧ ମସିହାରେ ଯେବେ ଆମେ ଛୁଟିରେ ଅଷ୍ଟ୍ରିଆ ଯାଇଥିଲୁ, ତେବେ ସେଠାର ଶାଖା କାର୍ଯ୍ୟାଳୟ ଆମକୁ ଜଣାଇଲା ଯେ ଏବେ ଆମକୁ ବୁଲଗେରିଆ ନାମକ ଅନ୍ୟ ଜାଗାକୁ ପଠାଯାଉଛି । ପୂର୍ବ ୟୁରୋପରେ ଯେବେ ସାମ୍ୟବାଦ ଶେଷ ହେଲା, ତେବେ ବୁଲଗେରିଆରେ ଯିହୋବାଙ୍କ ସାକ୍ଷୀମାନଙ୍କ କାମକୁ ଆଇନ ମାନ୍ୟତା ମିଳିଲା । ଆପଣଙ୍କୁ ମନେ ଥିବ, ଆମେ ଆଗରୁ ବି ସେଠାକୁ ଯାଇଥିଲୁ । ସେହି ସମୟରେ ବୁଲଗେରିଆରେ ଆମ କାମ ଉପରେ ରୋକ ଲାଗିଥିଲା ଏବଂ ଆମେ ଲୁଚିଛପି ବହି ପତ୍ରିକାଗୁଡ଼ିକ ନେଇକି ଯାଇଥିଲୁ, କିନ୍ତୁ ଏବେ ଆମକୁ ସେଠାକୁ ପ୍ରଚାର କରିବା ପାଇଁ ପଠାଯାଉଥିଲା ।

ଆମକୁ ପୁଣିଥରେ ୟୁଗାଣ୍ଡା ନ ଯିବା ପାଇଁ କୁହାଗଲା । ଆମେ କାମ୍ପାଲାରେ ଥିବା ନିଜ ମିଶନାରୀ ଘର ଯିବା ଏବଂ ସେଠାର ସାଙ୍ଗମାନଙ୍କ ସହିତ ଭେଟିବା ପରିବର୍ତ୍ତେ ଜର୍ମାନୀ ବୈଥେଲ ଚାଲିଗଲୁ । ସେଠାରୁ ଆମେ ଗୋଟିଏ ଗାଡ଼ି ନେଇ ବୁଲଗେରିଆ ଚାଲିଗଲୁ । ଆମକୁ ସୋଫିଆ ସହରର ଗୋଟିଏ ସମୂହରେ ସେବା କରିବା ପାଇଁ ପଠାଗଲା । ସେହି ସମୟରେ ସେଠାରେ ୨୦ ଜଣ ପ୍ରଚାରକ ଥିଲେ ।

ବୁଲଗେରିଆରେ ମଧ୍ୟ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା । ଗୋଟିଏ ସମସ୍ୟା ଏହା ଥିଲା, ଆମେ ସେଠାର ଭାଷା ଜାଣି ନ ଥିଲୁ । ଏହା ବ୍ୟତୀତ ବୁଲଗେରିୟ ଭାଷାରେ କେବଳ ଦୁଇଟି ବହି ଥିଲା: ସତ୍ୟ ଜୋ ଅନନ୍ତ ଜୀୱନ କି ଓର ଲେ ଜାତା ହୈ ଏବଂ ବାଇବଲ କାହାନୀୟୋ କି ମେରି ମନପସନ୍ଦ କିତାବ । ସେଠାରେ ଆମ ପାଇଁ ବାଇବଲ ଅଧ୍ୟୟନ ଆରମ୍ଭ କରିବା ବି ବହୁତ କଠିନ ଥିଲା । ଏହିସବୁ ସମସ୍ୟାଗୁଡ଼ିକ ସତ୍ତ୍ୱେ ସୋଫିଆର ଆମ ଛୋଟ ସମୂହରେ ଉନ୍ନତି ହେଉଥିଲା । ସେଠାର ଭାଇଭଉଣୀମାନଙ୍କ ଭିତରେ ବହୁତ ଉତ୍ସାହ ଥିଲା । କିନ୍ତୁ ଯେବେ ସେଠାର ଅର୍ଥଡୋକ୍ସ ଚର୍ଚ୍ଚର ପାଦରିମାନେ ଆମ କାମ ଉପରେ ଧ୍ୟାନ ଦେଲେ, ତେବେ ଆମମାନଙ୍କୁ ଅନେକ ସମସ୍ୟାର ସାମନା କରିବା ପାଇଁ ପଡ଼ିଲା ।

୧୯୯୪ ମସିହାରେ ସେଠାରେ ସାକ୍ଷୀମାନଙ୍କର ଆଇନ ମାନ୍ୟତା ରଦ୍ଦ କରିଦିଆଗଲା ଏବଂ ସେଠାର ଅନେକ ଲୋକ ଭାବୁଥିଲେ ଯେ ଯିହୋବାଙ୍କ ସାକ୍ଷୀମାନେ ଭୟଙ୍କର ଧାର୍ମିକ ସମୂହର ଲୋକ ଅଟନ୍ତି । କିଛି ଭାଇଙ୍କୁ ଜେଲ ହୋଇଗଲା । ମିଡିଆରେ ବି ଆମ ବିଷୟରେ ପୂରାପୂରି ମିଛ କଥା ପ୍ରସାରିତ କରାଗଲା । ଯେପରି, ସେମାନେ କହୁଥିଲେ ଯେ ଯିହୋବାଙ୍କ ସାକ୍ଷୀମାନେ ନିଜ ପିଲାମାନଙ୍କୁ ମରିବା ପାଇଁ ଛାଡ଼ିଦିଅନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ଜୀବନ ନେବା ପାଇଁ ବାଧ୍ୟ କରନ୍ତି । ଆମ ଦୁହିଁଙ୍କ ପାଇଁ ଏଠାରେ ପ୍ରଚାର କରିବା ବହୁତ କଠିନ ଥିଲା । ଆମେ ପ୍ରାୟ ପ୍ରଚାର କରିବା ସମୟରେ ଏପରି ଲୋକମାନଙ୍କୁ ଭେଟୁଥିଲୁ, ଯେଉଁମାନେ ଆମମାନଙ୍କୁ ଧମକ ଦେଉଥିଲେ, ଆମ ଉପରେ କିଛି ଜିନିଷଗୁଡ଼ିକ ଫିଙ୍ଗୁଥିଲେ ଏବଂ ବେଳେବେଳେ ସେମାନେ ପୋଲିସକୁ ବି ଡାକୁଥିଲେ । ସେହି ଦେଶରେ ବହି ପତ୍ରିକାଗୁଡ଼ିକ ପହଞ୍ଚାଇବା ସମ୍ଭବ ନ ଥିଲା ଏବଂ ସଭାଗୁଡ଼ିକ ପାଇଁ କୌଣସି ଜାଗା ଭଡ଼ାରେ ନେବା ବି ବହୁତ କଠିନ ଥିଲା । ଥରେ ଆମ ଅଧିବେଶନ ଚାଲୁଥିବା ସମୟରେ ପୋଲିସ ଆସି ଆମ କାର୍ଯ୍ୟକ୍ରମ ରୋକି ଦେଲା । ଏଗୁଡ଼ିକ ଆମ ପାଇଁ ନୂଆ କଥା ଥିଲା । ଏଠାର ଲୋକମାନେ ୟୁଗାଣ୍ଡାର ଲୋକମାନଙ୍କଠାରୁ ପୂରାପୂରି ଭିନ୍ନ ଥିଲେ । ୟୁଗାଣ୍ଡାର ଲୋକମାନେ ବହୁତ ଭଲଭାବେ ମିଳାମିଶା କରୁଥିଲେ ଏବଂ ସେମାନେ ଆମର ସନ୍ଦେଶ ଧ୍ୟାନର ସହ ଶୁଣୁଥିଲେ । ସେଥିପାଇଁ ଏଠାର ହିଂସ୍ର ସ୍ୱଭାବର ଲୋକମାନଙ୍କ ସାମନା କରିବା ଆମ ପାଇଁ ବହୁତ କଠିନ ଥିଲା । ତଥାପି ଆମେ କେଉଁ କାରଣ ଯୋଗୁଁ ଏପରି ପରିସ୍ଥିତିରେ ମଧ୍ୟ ଖୁସିର ସହ ଯିହୋବାଙ୍କର ସେବା କରିପାରିଲୁ ?

ବୁଲଗେରିଆର ଭାଇଭଉଣୀମାନଙ୍କ ସହିତ ସମୟ ବିତାଇ ଆମକୁ ବହୁତ ଭଲ ଲାଗୁଥିଲା । ଆମେ ଦେଖିପାରିଲୁ ଯେ ସେମାନେ ସତ୍ୟ ଶିଖି କେତେ ଖୁସି ଅଛନ୍ତି ଏବଂ ଏହି କଥା ପାଇଁ ବି ସେମାନେ ବହୁତ କୃତଜ୍ଞ ଥିଲେ ଯେ ଆମେ ସେମାନଙ୍କର ସହଯୋଗ କରିପାରୁଛୁ । ସମସ୍ତେ ପରସ୍ପର ପାଇଁ ବହୁତ ଚିନ୍ତା କରୁଥିଲେ ଏବଂ ସବୁବେଳେ ପରସ୍ପରକୁ ସାହାଯ୍ୟ କରୁଥିଲେ । ଏଗୁଡ଼ିକରୁ ଆମେ ଶିଖିଲୁ ଯେ ଆମେ ଯେକୌଣସି ବି ଜାଗାରେ ଯିହୋବାଙ୍କର ସେବା କରୁ ନା କାହିଁକି, ଯଦି ଆମେ ଲୋକମାନଙ୍କୁ ପ୍ରେମ କରିବା ଜାରି ରଖିବା ତାହେଲେ ଆମେ ଖୁସିରେ ରହିପାରିବା ।

ମାରିଆନା ଏବଂ ହିଣ୍ଟଜ ୱର୍ଟହୋଲ୍ଜ ।

୨୦୦୭ ମସିହାରେ ବୁଲଗେରିଆ ଶାଖା କାର୍ଯ୍ୟାଳୟରେ

କିନ୍ତୁ କିଛି ସମୟ ପରେ ସେଠାର ପରିସ୍ଥିତିରେ ସୁଧାର ହେଲା । ୧୯୯୮ ମସିହାରେ ଆମକୁ ପୁଣିଥରେ ଆଇନ ମାନ୍ୟତା ମିଳିଗଲା । ଖୁବ୍‌ ଶୀଘ୍ର ବୁଲଗେରିୟ ଭାଷାରେ ଅନେକ ବହି ପତ୍ରିକାଗୁଡ଼ିକ ମଧ୍ୟ ଆସିଲା । ଏହାପରେ ୨୦୦୪ ମସିହାରେ ନୂଆ ଶାଖା କାର୍ଯ୍ୟାଳୟ ତିଆରି ହେଲା । ଆଜି ବୁଲଗେରିଆରେ ୫୭ଟି ମଣ୍ଡଳୀ ଅଛି, ଯେଉଁଠି ୨,୯୫୩ ଜଣ ପ୍ରଚାରକ ଅଛନ୍ତି । ବିଗତ ସେବା ବର୍ଷର ସ୍ମାରକରେ ୬,୪୭୫ ଜଣ ଲୋକ ଉପସ୍ଥିତ ଥିଲେ । ସୋଫିଆ ସହରରେ ଗୋଟିଏ ସମୟରେ କେବଳ ପାଞ୍ଚଜଣ ଭଉଣୀ ଥିଲେ, କିନ୍ତୁ ଆଜି ସେଠାରେ ନଅଟି ମଣ୍ଡଳୀ ଅଛି । ଆମେ ଦୁହେଁ ସେଠାରେ ଯିଶାଇୟ ୬୦:୨୨ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀକୁ ପୂରା ହେବାର ଦେଖିଲୁ । ଯେଉଁଠି ଲେଖାଅଛି, “କ୍ଷୁଦ୍ର ଜଣକ ସହସ୍ର ହେବ ।”

ସ୍ୱାସ୍ଥ୍ୟ ସହ ଜଡ଼ିତ ଅନ୍ୟ ସମସ୍ୟାଗୁଡ଼ିକ

ମୋର ସ୍ୱାସ୍ଥ୍ୟ ପ୍ରାୟ ଖରାପ ହେବାକୁ ଲାଗିଲା । ଏପରି ବର୍ଷ ବର୍ଷ ଧରି ଚାଲିଲା । ଡାକ୍ତରମାନେ ମୋତେ କହିଲେ ଯେ ମୋର ଶରୀରରେ ଅନେକ ଟ୍ୟୁମର ଅଛି, ଏପରିକି ମୋର ମସ୍ତିଷ୍କରେ ବି । ମୋର ରେଡିଏସନ୍‌ ଥେରାପି (ବିକିରଣ ଚିକିତ୍ସା) ହେଲା ଏବଂ ଆଗକୁ ଯାଇ ଚିକିତ୍ସା କରିବା ପାଇଁ ମୁଁ ଭାରତକୁ ଗଲି, ଯେଉଁଠି ମୋର ଗୋଟିଏ ଅପରେସନ ୧୨ ଘଣ୍ଟା ଧରି ଚାଲିଲା । ସେହି ଅପରେସନରେ ମୋର ମସ୍ତିଷ୍କରୁ ପ୍ରାୟ ଟ୍ୟୁମରକୁ ବାହାର କରିଦିଆଗଲା । ଅପରେସନ ପରେ ମୁଁ କିଛି ସମୟ ଯାଏ ଭାରତ ବୈଥେଲରେ ହିଁ ରହିଲି, ଯାହାଫଳରେ ମୁଁ ପୂରାପୂରି ଭାବେ ଠିକ୍‌ ହୋଇପାରେ । ଏହାପରେ ମୁଁ ପୁଣିଥରେ ବୁଲଗେରିଆ ଫେରିଗଲି ।

ସେହି ସମୟ ମଧ୍ୟରେ ହିଣ୍ଟଜଙ୍କୁ ହଟିଙ୍ଗଟନ୍‌ ନାମକ ଗୋଟିଏ ମାନସିକ ରୋଗ ହୋଇଗଲା, ଯାହା ବହୁତ କମ୍‌ ଲୋକଙ୍କୁ ହୋଇଥାଏ । ଏହି ରୋଗ ପ୍ରାୟ ବାପାମାଆଙ୍କଠାରୁ ପିଲାମାନଙ୍କୁ ହୁଏ । ଏହି ରୋଗ ଯୋଗୁଁ ହିଣ୍ଟଜଙ୍କ ପାଇଁ ଚାଲିବା, କଥା ହେବା କିମ୍ବା ଅନ୍ୟ ଛୋଟ ଛୋଟ କାମ କରିବା ବହୁତ କଠିନ ହୋଇଯାଉଥିଲା । ଯେପରି ଭାବେ ଏହି ରୋଗ ବଢ଼ିବାକୁ ଲାଗିଲା, ହିଣ୍ଟଜ ମୋ ଉପରେ ଅଧିକ ନିର୍ଭର ରହିବାକୁ ଲାଗିଲେ । ବେଳେବେଳେ ମୁଁ ବହୁତ ଥକି ଯାଉଥିଲି ଏବଂ ମୋତେ ଏହା ଚିନ୍ତା ହେଉଥିଲା ଯେ ମୁଁ କିପରି ତାଙ୍କୁ ସମ୍ଭାଳିବି । ବୋବି ନାମକ ଜଣେ ଯୁବା ଭାଇ ଥିଲେ, ଯିଏ ପ୍ରାୟ ଆମ ଘରକୁ ଆସୁଥିଲେ ଏବଂ ହିଣ୍ଟଜଙ୍କୁ ନିଜ ସହ ପ୍ରଚାରରେ ନେଇ ଯାଉଥିଲେ । ବୋବିକୁ ଏହା ଭାବି ଚିନ୍ତା ଲାଗୁ ନ ଥିଲା ଯେ ଯେବେ ହିଣ୍ଟଜ ଠିକ୍‌ରେ କଥା କହିପାରିବେ ନାହିଁ କିମ୍ବା ନିଜ ହାତ ଗୋଡ଼କୁ କାବୁରେ ରଖିପାରିବେ ନାହିଁ, ତେବେ ଲୋକମାନେ କʼଣ ଭାବିବେ । ମୋତେ ଏହି କଥା ଉପରେ ପୂରା ଭରସା ଥିଲା ଯେ ମୁଁ ହିଣ୍ଟଜଙ୍କ ସହ ନ ଥିଲେ ବି ବୋବି ତାଙ୍କର ଭଲଭାବେ ଯତ୍ନ ନେଇପାରିବେ । ଅବଶ୍ୟ ମୁଁ ଏବଂ ହିଣ୍ଟଜ ଏହା ଭାବିଥିଲୁ ଯେ ଆମେ ଏହି ଦୁନିଆରେ ପିଲାଛୁଆ କରିବା ନାହିଁ, କିନ୍ତୁ ଆମକୁ ଏପରି ଲାଗୁଥିଲା ଯେ ଯିହୋବା ବୋବି ରୂପରେ ଆମ ଦୁହିଁଙ୍କୁ ଗୋଟିଏ ପୁଅ ଦେଇଦେଲେ ।—ମାର୍କ ୧୦:୨୯, ୩୦.

ହିଣ୍ଟଜକୁ କ୍ୟାନସର ବି ହୋଇଯାଇଥିଲା । ଦୁଃଖର କଥା ଯେ ୨୦୧୫ ମସିହାରେ ମୃତ୍ୟୁ ହିଣ୍ଡଜଙ୍କୁ ମୋଠାରୁ ଛଡ଼ାଇ ନେଇଗଲା । ହିଣ୍ଟଜଙ୍କ ମୃତ୍ୟୁ ପରେ ମୋତେ ଭାରି ଅସହାୟ ଲାଗୁଥିଲା । ମୋତେ ଲାଗୁ ନ ଥିଲା ଯେ ସେ ଏବେ ଆଉ ନାହାନ୍ତି । କିନ୍ତୁ ମୋ ସ୍ମୃତିରେ ସେ ଏବେ ବି ଜୀବିତ ଅଛନ୍ତି । (ଲୂକ ୨୦:୩୮) ସେ ମୋ ସହିତ ଯେଉଁ ପ୍ରେମଭରା କଥା ହେଉଥିଲେ, ମୋତେ ଯେଉଁ ଭଲ ପରାମର୍ଶ ଦେଉଥିଲେ, ତାହା ମୁଁ ସବୁବେଳେ ମନେ ପକାଏ । ଏପରି ଗୋଟିଏ ବି ଦିନ ନାହିଁ ଯେବେ ମୋତେ ତାଙ୍କର କଥା ମନେପଡ଼ି ନ ଥିବ । ମୁଁ ବହୁତ ଖୁସି ଯେ ଆମେ ଏତେ ବର୍ଷ ଯାଏ ମିଶି ବିଶ୍ୱସ୍ତତାର ସହିତ ଯିହୋବାଙ୍କର ସେବା କଲୁ ।

ଯିହୋବା ପ୍ରତ୍ୟେକ ମୁହୂର୍ତ୍ତରେ ସାହାଯ୍ୟ କଲେ

ଯିହୋବା ସବୁବେଳେ ମୋତେ ସମସ୍ୟା ସମୟରେ ସମ୍ଭାଳିଲେ । ତାଙ୍କର ସାହାଯ୍ୟରୁ ହିଁ ମୁଁ ଲାଜକୁଳୀ ସ୍ୱଭାବ ସତ୍ତ୍ୱେ ମିଶନାରୀ ହୋଇପାରିଲି ଏବଂ ଲୋକମାନଙ୍କୁ ପ୍ରେମ କରିବା ଶିଖିପାରିଲି । (୨ ତୀମ. ୧:୭) ଯିହୋବାଙ୍କୁ ଅଶେଷ ଧନ୍ୟବାଦ ଯେ ଆଜି ମୁଁ ଏବଂ ମୋର ସାନ ଭଉଣୀ ପୂର୍ଣ୍ଣ ସମୟର ସେବା କରିପାରୁଛୁ । ସେ ଏବଂ ତାଙ୍କ ସ୍ୱାମୀ ୟୁରୋପର ସର୍ବିଆନ୍‌ ଭାଷା କହୁଥିବା ସର୍କିଟରେ ସେବା କରୁଛନ୍ତି । ଆମେ ଛୋଟ ଥିବା ସମୟରେ ମୋର ବାପା ଯେଉଁ ପ୍ରାର୍ଥନା କରିଥିଲେ, ଯିହୋବା ତାହାର ଉତ୍ତର ଦେଲେ ।

ବାଇବଲ ଅଧ୍ୟୟନ କରି ମୋତେ ମନର ଶାନ୍ତି ମିଳିଲା । ମୁଁ ଶିଖିଲି ଯେ ସମସ୍ୟା ସମୟରେ ମୋତେ “ଆହୁରି ଏକାଗ୍ର ଭାବରେ ପ୍ରାର୍ଥନା” କରିବା ଉଚିତ୍‌, ଯେପରି ଯୀଶୁ କରିଥିଲେ । (ଲୂକ ୨୨:୪୪) ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ବି ମୋର ପ୍ରାର୍ଥନାର ଉତ୍ତର ଦେଲେ । ସୋଫିଆର ନଡେଜ୍‌ଡା ମଣ୍ଡଳୀର ମୋର ପ୍ରିୟ ଭାଇଭଉଣୀମାନେ ମୋତେ ବହୁତ ପ୍ରେମ କରନ୍ତି ଏବଂ ମୋତେ ସାହାଯ୍ୟ କରନ୍ତି । ସେମାନେ ମୋ ସହ ସମୟ ବିତାଇବା ପାଇଁ ମୋତେ ତାଙ୍କ ଘରକୁ ଡାକନ୍ତି ଏବଂ ପ୍ରାୟ ସେମାନେ ମୋର ପ୍ରଶଂସା କରନ୍ତି । ଏହିସବୁ କଥାରୁ ମୋତେ ବହୁତ ଖୁସି ମିଳେ ।

ମୁଁ ପ୍ରାୟ ପାରଦୀଶ ବିଷୟରେ କଳ୍ପନା କରେ, ସେଥିରେ ମୁଁ ନିଜ ପରିବାରକୁ ଦେଖେ । ମୁଁ ଦେଖେ ଯେ ମୋର ବାପାମାଆ ଆମ ଘର ବାହାରେ ଛିଡ଼ା ହୋଇଛନ୍ତି ଏବଂ ସେମାନେ ଦୁହେଁ ସେତିକି ହିଁ ସୁନ୍ଦର ଦେଖାଯାଉଛନ୍ତି, ଯେତିକି ସୁନ୍ଦର ସେମାନେ ତାଙ୍କର ବିବାହ ଦିନରେ ଦେଖାଯାଉଥିଲେ । ମୋ ଭଉଣୀ ଖାଦ୍ୟ ପ୍ରସ୍ତୁତି କରୁଛି । ହିଣ୍ଟଜ ନିଜ ଘୋଡ଼ା ସହ ଛିଡ଼ା ହୋଇଛନ୍ତି । ଏହିସବୁ କଥା ବିଷୟରେ ଭାବି ମୁଁ ନିରାଶ କରୁଥିବା କଥାଗୁଡ଼ିକରୁ ନିଜ ଧ୍ୟାନ ହଟାଇପାରେ ଏବଂ ମୋର ହୃଦୟ ଯିହୋବାଙ୍କ ପାଇଁ କୃତଜ୍ଞତାରେ ଭରିଯାଏ ।

ଯେବେ ମୁଁ ନିଜ ଅତୀତକୁ ମନେ ପକାଏ ଏବଂ ଭବିଷ୍ୟତ ବିଷୟରେ ଭାବେ, ତେବେ ମୁଁ ଦାଉଦଙ୍କ ଭଳି ଅନୁଭବ କରେ । ସେ କହିଲେ, ‘ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି । ସଦାପ୍ରଭୁଙ୍କର ଅନୁସରଣ [“ଆଶା,” NWT] କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆଶା ରଖ ।’—ଗୀତ. ୨୭:୧୩, ୧୪.

a ତାତ୍ୟାନା ୱିଲେସ୍କାଙ୍କ ଜୀବନ କାହାଣୀ ୨୨ ଡିସେମ୍ବର, ୨୦୦୦ ମସିହାର ଇଂରାଜୀ ସଜାଗ ହୁଅର ! ପୃଷ୍ଠା ୨୦-୨୪ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ