ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • kl ଅଧ୍ୟା ୧୯ ପୃଷ୍ଠା ୧୮୧-୧୯୧
  • ଯେବେ ପରମେଶ୍ୱରଙ୍କ ଜ୍ଞାନ ପୃଥିବୀକୁ ପୂର୍ଣ୍ଣ କରିଦିଏ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେବେ ପରମେଶ୍ୱରଙ୍କ ଜ୍ଞାନ ପୃଥିବୀକୁ ପୂର୍ଣ୍ଣ କରିଦିଏ
  • ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଆର୍ମାଗେଦନ ପରେ—ପାରଦୀଶ ପୃଥିବୀ
  • ମାନବଜାତିର ପରିବର୍ତ୍ତନ
  • ଆନନ୍ଦମୟ ପୁନରୁତ୍ଥାନ
  • ଅବଷେଶରେ ସିଦ୍ଧତା !
  • ଆପଣ କʼଣ କରିବେ ?
  • ପୃଥିବୀ ପ୍ରତି ପରମେଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ?
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ଆପଣଙ୍କର ଭବିଷ୍ୟତ ସୁଖମୟ ହୋଇପାରେ !
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
kl ଅଧ୍ୟା ୧୯ ପୃଷ୍ଠା ୧୮୧-୧୯୧

ଅଧ୍ୟାୟ ୧୯

ଯେବେ ପରମେଶ୍ୱରଙ୍କ ଜ୍ଞାନ ପୃଥିବୀକୁ ପୂର୍ଣ୍ଣ କରିଦିଏ

୧, ୨. ଯିହୋବାଙ୍କ ସୃଷ୍ଟି କିପରି କ୍ଷତିଗ୍ରସ୍ତ ହୋଇଥିଲା ?

ଧରନ୍ତୁ ଜଣେ ମହାନ ଚିତ୍ରକର ବର୍ତ୍ତମାନ ଗୋଟିଏ ଅତି ସୁନ୍ଦର ଚିତ୍ର ତିଆରି କରିଛି । ସେ ଉତ୍ତମ ରୂପେ ବିଚାର କରି ଉକ୍ତ ଚିତ୍ରଟି ଭଲ ହୋଇଛି ବୋଲି ଭାବୁଛି—ଏକ ଉତ୍କୃଷ୍ଟ କଳାକୃତି ! କିନ୍ତୁ ରାତାରାତି ଜଣେ ଇର୍ଷାନିତ୍ୱ ବିରୋଧୀ ଏହାକୁ ବିକୃତ କରିପକାଏ । ସ୍ୱାଭାବିକ ରୂପେ ଏହି କାରଣରୁ ସେହି ଚିତ୍ରକରକୁ ବହୁତ କଷ୍ଟ ଲାଗେ । କଳାକୃତିକୁ ବିରୋଧ କରୁଥିବା ଅସଭ୍ୟ ଲୋକଟିକୁ କାରାରୁଦ୍ଧ ଅବସ୍ଥାରେ ଦେଖିବା ପାଇଁ ସେ କେତେ ଯେ ବ୍ୟକୁଳ ! ଆପଣ କଳ୍ପନା କରିପାରିବେ ଯେ ସେହି ଚିତ୍ରକର ତାଙ୍କର କଳାକୃତିଟିର ପୂର୍ବ ସୌନ୍ଦର୍ଯ୍ୟ ଫେରିପାଇବା ପାଇଁ କେତେ ବ୍ୟକୁଳ ଅଛନ୍ତି ।

୨ ସେହି ଚିତ୍ରକର ପରି ଏକ ଶ୍ରେଷ୍ଠ କଳାକୃତି ରୂପେ ପୃଥିବୀକୁ ସୃଷ୍ଟିକରି ଯିହୋବା ସେଥିରେ ମନୁଷ୍ୟଜାତିକୁ ଗଢ଼ିଥିଲେ । ପୁରୁଷ ଓ ନାରୀକୁ ସୃଷ୍ଟି କଲାପରେ ସେ ସମସ୍ତ ପାର୍ଥିବ କାର୍ଯ୍ୟକୁ “ଅତି ଉତ୍ତମ” ବୋଲି ଘୋଷଣା କଲେ । (ଆଦିପୁସ୍ତକ ୧:୩୧) ଆଦମ ଓ ହବା ପରମେଶ୍ୱରଙ୍କ ନିଜ ସନ୍ତାନ ଥିଲେ, ସେ ସେମାନଙ୍କୁ ଭଲ ପାଉଥିଲେ । ସେ ସେମାନଙ୍କ ପାଇଁ ଏକ ସୁଖକର ଉଜ୍ୱଳ ଭବିଷ୍ୟତର କଳ୍ପନା କରିଥିଲେ । ଏହା ସତ୍ୟ, ଶୟତାନ ସେମାନଙ୍କୁ ବିଦ୍ରୋହଆଡ଼କୁ ନେଇଯାଇଥିଲା, କିନ୍ତୁ ଏଥିଯୋଗୁଁ ଈଶ୍ୱରଙ୍କ ଅଦ୍ଭୁତ ସୃଷ୍ଟିର ଅପୁରଣୀୟ କ୍ଷତି ହୋଇନଥିଲା ।—ଆଦିପୁସ୍ତକ ୩:୨୩, ୨୪; ୬:୧୧, ୧୨.

୩. “ପ୍ରକୃତରୂପେ ଜୀବନ” କʼଣ ?

୩ ପରମେଶ୍ୱର ସ୍ଥିତି ସୁଧାରିବାକୁ ଆଗରୁ ମନସ୍ଥ କରିଥିଲେ । ଆମେ ଯେପରି ମୂଳ ଉଦ୍ଦେଶ୍ୟ ଅନୁସାରେ ବାସ କରୁ, ଏହା ଦେଖିବାକୁ ତାଙ୍କର ହାର୍ଦିକ ଇଚ୍ଛା ଅଛି । ଆମର ସ୍ୱଳ୍ପ ଏବଂ ଦୁଃଖପୂର୍ଣ୍ଣ ଅସ୍ତିତ୍ୱ “ପ୍ରକୃତ ଜୀବନ” ନୁହେଁ, କାରଣ ଏହା ଅତି ନିକୃଷ୍ଟ । ଯାହା ଯିହୋବାଙ୍କ ମନରେ ଅଛି ତାହା ଉତ୍କୃଷ୍ଟତର । “ପ୍ରକୃତ ଜୀବନ” ହେଉଛି “ଅନନ୍ତ ଜୀବନ” ଯାହା ପରମେଶ୍ୱର ଆମ ପାଇଁ ସମ୍ପୂର୍ଣ୍ଣ ଶୁଦ୍ଧ ପରିସ୍ଥିତିରେ ଚାହାନ୍ତି ।—୧ ତୀମଥି ୬:୧୨, ୧୯.

୪, ୫. (କ) ପାରଦୀଶର ଆଶା କିପରି ବାସ୍ତବରେ ପରିଣତ ହେବ ? (ଖ) ଆମେ କାହିଁକି ଆମର ଭବିଷ୍ୟତ ବିଷୟରେ ଆଶା ପାଇଁ ଚିନ୍ତା କରିବା ?

୪ ପରମେଶ୍ୱରଙ୍କ ଜ୍ଞାନ ଯିହୋବାଙ୍କ ପ୍ରତି ଦାୟିତ୍ୱ ଆଣିଥାଏ । (ଯାକୁବ ୪:୧୭) ସେହି ଆଶୀର୍ବାଦ ବିଷୟରେ ଚିନ୍ତା କରନ୍ତୁ, ଯଦି ଆପଣ ଈଶ୍ୱରଙ୍କ ଜ୍ଞାନକୁ ଜୀବନରେ ପ୍ରୟୋଗ କରିବେ, ତାହାହେଲେ ଜୀବନକୁ ଉପଭୋଗ କରିପାରିବେ ଏବଂ ଅନନ୍ତ ଜୀବନରେ ପହଞ୍ଚି ପାରିବେ । ନିକଟ ଭବିଷ୍ୟତରେ ପୃଥିବୀରେ ହେବାକୁ ଥିବା ପାରଦୀଶ କିପରି ହେବ, ଯିହୋବା ପରମେଶ୍ୱର ଏହାର ଏକ ସୁନ୍ଦର ଚିତ୍ର ତାଙ୍କ ବାକ୍ୟ ବାଇବଲରେ ଉଲ୍ଲେଖ କରିଛନ୍ତି । ଯିହୋବାଙ୍କ ଲୋକ ହେବା ଯୋଗୁଁ ଆମେ କେବଳ ପ୍ରତିଫଳ ପାଇବା ଆଶାରେ ତାଙ୍କର ସେବା କରିବା ନାହିଁ । ଆମେ ଈଶ୍ୱରଙ୍କୁ ଭଲ ପାଉଥିବା ଯୋଗୁଁ ତାଙ୍କର ସେବା କରୁ । (ମାର୍କ ୧୨:୨୯, ୩୦) ଏହା ଛଡ଼ା ଈଶ୍ୱରଙ୍କୁ ସେବା କରିବା ଦ୍ୱାରା ଆମେ ଜୀବନ ଅର୍ଜ୍ଜନ କରୁନାହୁଁ । ଅନନ୍ତ ଜୀବନ ପରମେଶ୍ୱରଙ୍କର ଏକ ଉପହାର । (ରୋମୀୟ ୬:୨୩) ଏପରି ଜୀବନ ସମ୍ବନ୍ଧରେ ଧ୍ୟାନ କଲେ ଆମର ଉପକାର ହେବ, କାରଣ ପାରଦୀଶର ଆଶା ଆମକୁ ସ୍ମରଣ କରିଦିଏ ଯେ ଯିହୋବା କି ପ୍ରକାର ଈଶ୍ୱର—“ନିଷ୍ଠାପର ଭାବେ ତାଙ୍କୁ ଚାହୁଁଥିବା ଲୋକଙ୍କ ପାଇଁ ସେ ପ୍ରେମମୟ ପୁରସ୍କାର ଦାତା ।” (ଏବ୍ରୀ ୧୧:୬, NW) ଆମ ମନରେ ଓ ହୃଦୟରେ ପ୍ରଜ୍ଜ୍ୱଳିତ ଉଜ୍ୱଳ ଆଶା ହିଁ ଏହି ଶୟତାନ ଜଗତର ଦୁଃଖ କଷ୍ଟ ସହିବା ପାଇଁ ଆମକୁ ସକ୍ଷମ କରେ ।—ଯିରିମିୟ ୨୩:୨୦.

୫ ବର୍ତ୍ତମାନ ଆସନ୍ତୁ, ଭବିଷ୍ୟତରେ ହେବାକୁ ଥିବା ପାର୍ଥିବ ପାରଦୀଶରେ ପାଇବାକୁ ଥିବା ଅନନ୍ତ ଜୀବନର ବାଇବଲ ଆଧାରିତ ଆଶା ଉପରେ ଆମର ଧ୍ୟାନକୁ କେନ୍ଦ୍ରିଭୂତ କରିବା । ଯେତେବେଳେ ଈଶ୍ୱରଙ୍କ ଜ୍ଞାନରେ ପୃଥିବୀ ପରିପୂର୍ଣ୍ଣ ହେବ, ସେତେବେଳେ ଜୀବନ କିପରି ହେବ ?

ଆର୍ମାଗେଦନ ପରେ—ପାରଦୀଶ ପୃଥିବୀ

୬. ପାରଦୀଶ କʼଣ ଏବଂ ମଣିଷଜାତି ପାଇଁ ଏହାର ଅର୍ଥ କʼଣ ?

୬ ଯେପରିକି ଆଗରୁ ଦର୍ଶାଯାଇଛି, ଯିହୋବା ପରମେଶ୍ୱର ଅତି ଶୀଘ୍ର ଏହି ଦୁଷ୍ଟ ରୀତି ବ୍ୟବସ୍ଥାକୁ ଧ୍ୱଂସ କରିବେ । ବାଇବଲ ଯାହାକୁ ହର୍ମିଗିଦ୍ଦୋନ ବା ଆର୍ମାଗେଦନ୍‌ କୁହେ, ସଂସାର ତୀବ୍ର ବେଗରେ ସେହିଆଡ଼କୁ ଗତି କରୁଛି । ଏହି ଶବ୍ଦରୁ ହୁଏତ କିଛି ଲୋକଙ୍କ ମନରେ ଯୁଦ୍ଧଖୋର ରାଷ୍ଟଙ୍କ ଦ୍ୱାରା କରାଯାଉଥିବା ପରମାଣୁ ବୋମା ବିଷୟରେ ଚିନ୍ତା ହୁଏ । କିନ୍ତୁ ଆର୍ମାଗେଦନ୍‌ ଏପରି କିଛି ନୁହେଁ । ଆର୍ମାଗେଦନ୍‌ “ପରମେଶ୍ୱରଙ୍କ ମହାଦିନର ଏକ ଯୁଦ୍ଧ”, ଯାହା ପ୍ରକାଶିତ ବାକ୍ୟ ୧୬:୧୪-୧୬ ପଦରେ ଉଲ୍ଲେଖ ଅଛି । ଏହା ଏପରି ଯୁଦ୍ଧ ଯେଉଁଥିରେ ସମଗ୍ର ରାଷ୍ଟ୍ରର ବା “ପୃଥିବୀର ରାଜାମାନେ” ଅଂଶ ନେବ । ଯିହୋବା ପରମେଶଙ୍କ ପୁତ୍ର, ମନୋନୀତ ରାଜା ଅତି ଶୀଘ୍ର ଏହି ଯୁଦ୍ଧରେ ଭାଗ ନେବେ । ପରିଣାମ ସୁନିଶ୍ଚିତ, ଯେଉଁମାନେ ଈଶ୍ୱରଙ୍କ ରାଜ୍ୟର ବିରୋଧ କରନ୍ତି ଓ ଯେଉଁମାନେ ଶୟତାନର ଦୁଷ୍ଟ ବ୍ୟବସ୍ଥାର ଏକ ଅଂଶ, ସେମାନେ ସମସ୍ତେ ଉଚ୍ଛିନ୍ନ ହେବେ । ଯେଉଁମାନେ କେବଳ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ସେମାନେ ରକ୍ଷା ପାଇବେ ।—ପ୍ରକାଶିତ ବାକ୍ୟ ୭:୯, ୧୪; ୧୯:୧୧-୨୧.

୭. ଖ୍ରୀଷ୍ଟଙ୍କ ହଜାର ବର୍ଷର ରାଜତ୍ୱ କାଳରେ ଶୟତାନ ଓ ତାʼର ମନ୍ଦ ଦୂତମାନେ କେଉଁଠାରେ ରହିବେ ? ଏବଂ ଏହା ମାନବଜାତିକୁ କିପରି ଉପକୃତ କରିବ ?

୭ କଳ୍ପନା କରନ୍ତୁ ଯେ ଅପଣ ସେହି ଧ୍ୱଂସରୁ ରକ୍ଷା ପାଇଛନ୍ତି । ପରମେଶ୍ୱରଙ୍କ ପ୍ରତିଶ୍ରୁତ ନୂତନ ପୃଥିବୀରେ ଜୀବନ କିପରି ହେବ ? (୨ ପିତର ୩:୧୩) ଆମେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ବାଇବଲ ଆମକୁ ଯାହା କୁହେ, ତାହା ରୋମାଞ୍ଚକର । ଆମେ ଜାଣୁ ଯେ ଶୟତାନ ଓ ତାʼର ମନ୍ଦ ଦୂତଙ୍କୁ ନିଷ୍କ୍ରିୟ କରାଯିବ, ଯୀଶୁଖ୍ରୀଷ୍ଟଙ୍କ ହଜାର ବର୍ଷ ରାଜତ୍ୱ କାଳରେ ସେମାନଙ୍କୁ କର୍ମହୀନତାର ଅତଳ ଗହ୍ୱରରେ କାରାବଦ୍ଧ କରାଯିବ । ସେମାନେ ଆଉ ଅଦୃଶ୍ୟ ଭାବେ ବିଚରଣ କରିବେ ନାହିଁ । ଈଶ୍ୱରଙ୍କ ବିରୋଧରେ ଆମକୁ ଅବିଶ୍ୱାସୀ କାର୍ଯ୍ୟରେ ଉତ୍ତେଜିତ କରିପାରିବେ ନାହିଁ । ଏହା କେତେ ଯେ ସ୍ୱସ୍ତିଜନକ !—ପ୍ରାକାଶିତ ବାକ୍ୟ ୨୦:୧-୩.

୮, ୯. ନୂତନ ଜଗତରେ ଦୁଃଖଜନ୍ତ୍ରଣା, ରୋଗବ୍ୟାଧି ଏବଂ ବାର୍ଦ୍ଧକ୍ୟର କʼଣ ଘଟିବ ?

୮ ଯଥା ସମୟରେ ବହୁ ରୋଗବ୍ୟାଧି ଅଦୃଶ୍ୟ ହୋଇଯିବ । (ଯିଶାଇୟ ୩୩:୨୪) ଛୋଟା ଲୋକ ଛିଡ଼ା ହୋଇପାରିବ, ଚାଲିବ, ଦୌଡ଼ିବ ଓ ନାଚିବ । ଜୀବନର ବହୁ ବର୍ଷ ପରେ ବଧିରମାନେ ସେମାନଙ୍କ ଚାରିପାଖରେ ଆନନ୍ଦର ଧ୍ୱନି ଶୁଣିବେ । ଅନ୍ଧମାନେ ଆଶ୍ଚର୍ଯ୍ୟ ହୋଇଯିବେ ଯେତେବେଳେ ସେମାନଙ୍କର ଆଖି ଆଗରେ ରଙ୍ଗିନ ଅପୂର୍ବ ଏକ ଜଗତ ଉନ୍ମୋଚିତ ହେବ । (ଯିଶାଇୟ ୩୫:୫, ୬) ଶେଷରେ ସେମାନଙ୍କ ପ୍ରିୟଜନଙ୍କର ମୁହଁ ଦେଖିବେ । ସେତେବେଳେ କ୍ଷଣିତ ପାଇଁ ସେମାନଙ୍କ ଦୃଷ୍ଟି ଆଦନ୍ଦାଶ୍ରୁରେ ଅସ୍ପଷ୍ଟ ହୋଇଯିବ ।

୯ କେବଳ ଭାବନ୍ତୁ ! ଆଉ ଚସମା ନାହିଁ, ଖଞ୍ଜର ବାଡ଼ି ନାହିଁ, ଔଷଧ ନାହିଁ, ଚିକିତ୍ସାଳୟ ନାହିଁ, ଦନ୍ତ ଚିକିତ୍ସାଳୟ ମଧ୍ୟ ନାହିଁ ! ଆଉ କେବେ ମାନସିକ ବ୍ୟାଧି ଓ ହତାଶ ମଣିଷକୁ ଆନନ୍ଦରୁ ବଞ୍ଚିତ କରିବ ନାହିଁ । କୌଣସି ଶିଶୁ ଆଉ ରୋଗଗ୍ରସ୍ତ ହେବେ ନାହିଁ । ବାର୍ଦ୍ଧକ୍ୟ ଅବସ୍ଥାକୁ ଓଲଟାଇ ଦିଆଯିବ । (ଆୟୁବ୍‌ ୩୩:୨୫) ଆମ୍ଭେମାନେ ସ୍ୱାସ୍ଥ୍ୟବାନ ହେବୁ । ରାତ୍ରିର ନିଦ୍ରାରୁ ସତେଜ ହୋଇ ସକାଳୁ ଉଠିବୁ ନବ ଉଦ୍ୟମରେ ପୂର୍ଣ୍ଣ ସନ୍ତୋଷଜନକ କାର୍ଯ୍ୟର ଏକ ନୂତନ ଦିନ ପାଇଁ ଆଗ୍ରହୀ ହୋଇ ।

୧୦. ଆର୍ମାଗେଦନ୍‌ରୁ ରକ୍ଷାପ୍ରାପ୍ତ ବ୍ୟକ୍ତିମାନେ କେଉଁ ନିର୍ଦ୍ଦିଷ୍ଟ କର୍ମଭାର ସମ୍ଭାଳିବେ ?

୧୦ ଆର୍ମାଗେଦନ୍‌ରୁ ରକ୍ଷା ପ୍ରାପ୍ତ ହୋଇଥିବା ଲୋକଙ୍କ ପାଇଁ ବହୁ ଆନନ୍ଦ ଥିବ । ସେମାନେ ଏହି ପୃଥିବୀକୁ ଏକ ପାରଦୀଶରେ ପରିଣତ କରିବେ । ଦୂଷିତ ପୁରାତନ ଜଗତର ଶେଷ ଚିହ୍ନକୁ ପୋଛି ଦିଆଯିବ । ଧ୍ୱଂସ ପ୍ରାପ୍ତ ଜାଗାଗୁଡ଼କରେ ପ୍ରମୋଦଉଦ୍ୟାନ ଓ ବଗିଚା ଗଢ଼ିଉଠିବ । ପ୍ରତ୍ୟେକେ ଆରାମଦାୟକ ଘର ଉପୋଭୋଗ କରିବେ । (ଯିଶାଇୟ ୬୫:୨୧) ଯେତେବେଳ ପର୍ଯ୍ୟନ୍ତ ସମଗ୍ର ପୃଥିବୀ ସୃଷ୍ଟିକର୍ତ୍ତାଙ୍କ ଏଦନ ଉଦ୍ୟାନ ପରି ସୁନ୍ଦର ହୋଇନଯାଏ, ସେପର୍ଯ୍ୟନ୍ତ ଏହି ପାରଦୀଶ ପରି ପୃଥିବୀର ଅଶଂଗୁଡ଼ିକ ବୃଦ୍ଧିପାଇ ମିଳିତ ହେବ । ସେହି କାର୍ଯ୍ୟରେ ଅଂଶ ନେବା କେତେ ଯେ ସନ୍ତୋଷପ୍ରଦ ହେବ !

୧୧. ପୃଥିବୀର ପରିବେଶ ଓ ପଶୁଜୀବନ ସଙ୍ଗେ ମଣିଷର ଭବିଷ୍ୟତ ଜୀବନ କିପରି ହେବ ?

୧୧ ଏହି ସମସ୍ତ କାର୍ଯ୍ୟ ଐଶିକ ପରିଚାଳନାରେ କରାଯିବ ଯେପରି ପରିବେଶ କ୍ଷତିଗ୍ରସ୍ତ ନହୁଏ । ମନୁଷ୍ୟ ପଶୁଙ୍କ ସହିତ ଶାନ୍ତିରେ ବସବାସ କରିବେ । ଖାମଖିଆଲି ହୋଇ ସେମାନଙ୍କୁ ମାରିବା ପରିବର୍ତ୍ତେ ମଣିଷ ପୃଥିବୀରେ ସେମାନଙ୍କ ଦାଇତ୍ୱ ଗ୍ରହଣ କରିବ ଓ ସେମାନଙ୍କର ଉତ୍ତମ ଯତ୍ନ ନେବ । କଳ୍ପନା କରନ୍ତୁ ଯେ, ଚିତାବାଘ ଓ ମେଷ, ସିଂହ ଓ ଗୋବତ୍ସ ଏକତ୍ର ଭୋଜନ କରୁଛନ୍ତି ଏବଂ ଗୃହପାଳିତ ପଶୁ ସମ୍ପୁର୍ଣ୍ଣ ସୁରକ୍ଷିତ । ଏପରିକି ଏକ ସାନପିଲା ମଧ୍ୟ ବନ୍ୟ ଜନ୍ତୁଙ୍କୁ ଭୟ କରିବ ନାହିଁ କିମ୍ବା ନୂତନ ଜଗତର ଶାନ୍ତି, କ୍ରୁର ଓ ହିଂସ୍ର ଲୋକମାନଙ୍କ ଦ୍ୱରା ଭଙ୍ଗ ହେବ ନାହିଁ । (ଯିଶାଇୟ ୧୧:୬-୮) ସେହି ନୂତନ ଜଗତ କେତେ ଶାନ୍ତିପୂର୍ଣ୍ଣ ହେବ !

ମାନବଜାତିର ପରିବର୍ତ୍ତନ

୧୨. ଯିଶାଇୟ ୧୧:୯ ପଦ କିପରି ବର୍ତ୍ତମାନ ପରିପୂର୍ଣ୍ଣ ହେଉଛି ଏବଂ ତାହା ପାରଦୀଶରେ କିପରି ସଫଳ ହେବ ?

୧୨ ଯିଶାଇୟ ୧୧:୯ ପଦ ଆମକୁ କୁହେ, କାହିଁକି ପୃଥିବୀର କ୍ଷତି କରାଯିବ ନାହିଁ । ଏଠାରେ ଉଲ୍ଲେଖ ଅଛି, “ସମୁଦ୍ର ଯେପରି ଜଳରେ ଆଚ୍ଛନ ପୃଥିବୀ ସେହିପରି ଯିହୋବାଙ୍କ ଜ୍ଞାନରେ ପରିପୂର୍ଣ୍ଣ ହେବ ।” ଏହି ବିଷୟ ମନୁଷ୍ୟର ପ୍ରାସଙ୍ଗିକ, କାରଣ ପଶୁ “ଯିହୋବାଙ୍କ ଜ୍ଞାନ” ଶିକ୍ଷା କରି ନିଜକୁ ପରିବର୍ତ୍ତନ କରିପାରେ ନାହିଁ, ଯେହେତୁ ସେମାନେ ସହଜାତ ପ୍ରବୃତି ଦ୍ୱାରା ପରିଚାଳିତ ହୁଅନ୍ତି । ଆମ ସୃଷ୍ଟିକର୍ତ୍ତାଙ୍କ ଜ୍ଞାନ ଲୋକଙ୍କୁ ପରିବର୍ତ୍ତନ କରେ । ନିଶ୍ଚିତ ଭାବେ ଈଶ୍ୱର ବିଷୟକ ଜ୍ଞାନ ଆପଣଙ୍କ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଆପଣ ଇତି ମଧ୍ୟରେ ନିଜକୁ ପରିବର୍ତ୍ତନ କରିପାରନ୍ତି । ଲକ୍ଷ ଲକ୍ଷ ବ୍ୟକ୍ତି ତାହା କରିଅଛନ୍ତି । ସୁତରାଂ ଯେଉଁମାନେ ଯିହୋବାଙ୍କ ସେବା କରିଛନ୍ତି, ତାହାଙ୍କ ଭିତରେ ଏହି ଭବିଷ୍ୟଦ୍‌ବାଣୀ ପରିପୂର୍ଣ୍ଣ ହେବାରେ ଆରମ୍ଭ କରିଛି । ତଥାପି ଏହା ସେହି ସମୟକୁ ନିର୍ଦ୍ଦେଶ କରିଥାଏ ଯେତେବେଳେ ସମଗ୍ର ପୃଥିବୀର ଲୋକ ସକଳ ପାଶବିକ ବା ହିଂସ୍ର ପ୍ରବୃତି ଛାଡ଼ି ସବୁଦିନ ପାଇଁ ଶାନ୍ତିପ୍ରିୟ ହେବେ ।

୧୩. ପୃଥିବୀରେ କି ପ୍ରକାର ଶିକ୍ଷଣୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ?

୧୩ ଯେତେବେଳେ ପୃଥିବୀ ପରମେଶ୍ୱରଙ୍କ ଜ୍ଞାନରେ ପୂର୍ଣ୍ଣହେବ, ସେହି ସମୟ କେତେ ଭଲ ହେବ ! ଯୀଶୁଖ୍ରୀଷ୍ଟ ତାଙ୍କ ୧,୪୪,୦୦୦ ସହଶାସକଙ୍କ ନିର୍ଦ୍ଦେଶନାରେ ଶିକ୍ଷା ସମ୍ବନ୍ଧୀୟ ଏକ ବିସ୍ତୃତ କାର୍ଯ୍ୟକ୍ରମ କରାଯିବ । ସେତେବେଳେ ନୂତନ ପୁସ୍ତକର ବ୍ୟବହାର କରାଯିବ । ଏହା ପରମେଶ୍ୱରଙ୍କ ଲିଖିତ ଉପଦେଶ ଯାହା ପୃଥିବୀବାସୀଙ୍କ ଶିକ୍ଷାର ଭିତ୍ତି ଭାବରେ କାର୍ଯ୍ୟକରିବ । (ପ୍ରକାଶିତ ବାକ୍ୟ ୨୦:୧୨) ମଣିଷ ଯୁଦ୍ଧ ଶିକ୍ଷା ନକରି ଶାନ୍ତି ଶିଖିବ । ସମସ୍ତ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ଚିରଦିନ ପାଇଁ ଲୋପ କରାଯିବ । (ଗୀତସଂହିତା ୪୬:୯) ନୂତନ ଜଗତର ବାସିନ୍ଦାଙ୍କୁ ନିଜ ସହମାନବଙ୍କ ସହିତ ପ୍ରେମ, ସମ୍ମାନ ଓ ଭଦ୍ରତାର ସହିତ ବ୍ୟବହାର କରିବା ଶିଖାଇ ଦିଆଯିବ ।

୧୪. ଯେତେବେଳେ ମଣିଷଜାତି ଏକ ପରିବାର ହେବେ, ସେତେବେଳେ ପୃଥିବୀ କିପରି ଭିନ୍ନରୂପ ନେବ ?

୧୪ ମାନବଜାତି ଏକ ସଞ୍ଜୁକ୍ତ ପରିବାର ହେବ । ଏକତା ଓ ଭାତୃଭାବ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ । (ଗୀତସଂହିତା ୧୩୩:୧-୩) ଚୋରି ଭୟରେ କୌଣସି ଘର ତାଲା ପକାଇବା ଆବଶ୍ୟକ ହେବନାହିଁ । ପ୍ରତ୍ୟେକ ଘରେ, ପ୍ରତ୍ୟେକ ହୃଦୟରେ ଏବଂ ପୃଥିବୀର ସବୁଜାଗାରେ ଶାନ୍ତି ରାଜତ୍ୱ କରିବ ।—ମୀଖା ୪:୪.

ଆନନ୍ଦମୟ ପୁନରୁତ୍ଥାନ

୧୫. ପୃଥିବୀରେ କେଉଁ ଦୁଇଟି ଦଳ ପୁନରୁତ୍‌ଥିତ ହେବ ?

୧୫ ସେହି ଶହସ୍ର ବର୍ଷ ଧରି ପୁନରୁତ୍ଥାନ ଘଟିଚାଲିବ । ଯେଉଁମାନେ ସ୍ୱଚ୍ଛାକୃତ ଭାବେ ପବିତ୍ର ଆତ୍ମା ବା ସକ୍ରିୟ ଶକ୍ତି ବିରୁଦ୍ଧରେ ପାପ କରିଛନ୍ତି, ଯେଉଁମାନେ ପ୍ରକାଶରେ ବା ପରିଚାଳନାର ବିପରୀତରେ ଅନୁତାପହୀନ କାର୍ଯ୍ୟ କରିଛନ୍ତି, ସେମାନଙ୍କର ପୁନରୁତ୍ଥାନ ହେବ ନାହିଁ । (ମାଥିଉ ୨୩:୧୫, ୩୩; ଏବ୍ରୀ ୬:୪-୬) ଅବଶ୍ୟ ତାହା ଈଶ୍ୱର ସ୍ଥିର କରିବେ, କେଉଁମାନେ ସେହି ପାପ କରିଅଛନ୍ତି । କିନ୍ତୁ ଦୁଇଟି ସ୍ୱତନ୍ତ୍ର ଦଳ ପୁନରୁତ୍‌ଥିତ ହେବେ—“ଧାର୍ମିକ ଓ ଅଧାର୍ମିକ ।” (ପ୍ରେରିତ ୨୪:୧୫) ଯେହେତୁ ଉପଯୁକ୍ତ କ୍ରମେ ଏହା ସିଦ୍ଧାନ୍ତ କରିବା ଯୁକ୍ତିଯୁକ୍ତ ହେବ, ଯେଉଁମାନେ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ପରିଚର୍ଯ୍ୟା କରିଥିଲେ, ସେହି ଧାର୍ମିକମାନଙ୍କୁ ପ୍ରଥମେ ପୃଥିବୀରେ ପୁନର୍ଜୀବିତ କରାଯବ ।—ଏବ୍ରୀ ୧୧:୩୫-୩୯.

୧୬. (କ) ପୃଥିବୀ ଉପରେ “ଧାର୍ମିକମାନଙ୍କ” ମଧ୍ୟରୁ କେଉଁମାନେ ପୁନରୁତ୍‌ଥିତ ହେବେ ? (ଖ) ପ୍ରାଚୀନକାଳର କେଉଁ ବିଶ୍ୱସ୍ତ ବ୍ୟକ୍ତିମାନଙ୍କୁ ଆପଣ ବିଶେଷଭାବେ ସାକ୍ଷାତ କରିବାକୁ ଚାହାନ୍ତି ଓ କାହିଁକି ?

୧୬ ଯୁଦ୍ଧ, ଆକସ୍ମିକ ବିପର୍ଯ୍ୟୟ ଓ ମୃତ୍ୟୁ ସମ୍ବାଦ ପରିବର୍ତ୍ତେ ଯିହୋବାଙ୍କ ସେବକମାନେ ପୁନରୁତ୍ଥାନର ଅପୂର୍ବ ସମ୍ବାଦ ପାଇବେ । ହେବଲ, ହନୋକ, ନୋହ, ଆବ୍ରାହାମ, ଶାରା ଆୟୁବ, ମୋସା, ରାହାବ, ରୁଥ, ଦାଉଦ, ଏଲିୟ, ଏଷ୍ଟର ଏମାନଙ୍କପରି ବିଶ୍ୱସ୍ତ ପୁରୁଷ ଓ ନାରୀମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧରେ ଜାଣିବା ରୋମାଞ୍ଚକର ହେବ । ସେତେବେଳେ ସେମାନେ ବାଇବଲ ଘଟଣାର ବିଷଦ ବିବରଣୀ ଦେବେ, କେତେ ଉତ୍ତେଜନା ପୂର୍ଣ୍ଣ ଐତିହାସିକ ତଥ୍ୟ ସେମାନେ ଉପସ୍ଥାପିତ କରିବେ ! ଏଥିରେ ସନ୍ଦେହ ନାହିଁ, ସେମାନେ ଏବଂ ନିକଟ ଅତୀତରେ ଯେଉଁମାନେ ମରିଯାଇଛନ୍ତି, ସେମାନେ ମଧ୍ୟ ଖୁବ୍‌ ଆଗ୍ରହୀ ହେବେ । ଶୟତାନର ଏହି ବିଧି ବ୍ୟବସ୍ଥା ଶେଷରେ ଯିହୋବା କିପରି ତାଙ୍କ ପବିତ୍ର ନାମ ଓ ତାଙ୍କ ସାର୍ବଭୌମତ୍ୱକୁ ଦୋଷମୁକ୍ତ କଲେ ତାହା ଜାଣିବେ ।

୧୭. ଅନ୍ୟ କେଉଁମାନେ ପୁନରୁତ୍‌ଥିତ ହେବେ, ସେମାନଙ୍କୁ ବିଶ୍ୱସ୍ତ ବ୍ୟକ୍ତିମାନେ କିପରି ସାହାଯ୍ୟ କରିବେ ?

୧୭ ଏହି ବିଶ୍ୱସ୍ତ ବ୍ୟକ୍ତିମାନେ ପୁନରୁତ୍ଥାନର ପରବର୍ତ୍ତୀ ପର୍ଯ୍ୟାୟରେ କେତେ ସହାୟକ ନ ହେବେ ଯେତେବେଳେ ଶହଶହ “ଧାର୍ମିକ” ବ୍ୟକ୍ତିମାନଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରାଯିବ ! ବହୁଲୋକ ଯିହୋବାଙ୍କୁ ଜାଣିବାକୁ ସୁଯୋଗ ପାଇ ନଥିଲେ । ଶୟତାନ ସେମାନଙ୍କ ବୁଦ୍ଧିକୁ ଅନ୍ଧ କରି ରଖିଥିଲା । (୨ କରିନ୍ଥୀୟ ୪:୪) କିନ୍ତୁ ଶୟତାନର କାର୍ଯ୍ୟକୁ ନିସ୍ଫଳ କରି ଦିଆଯିବ । ଅଧାର୍ମିକମାନେ ଏକ ସୁନ୍ଦର ଶାନ୍ତିପୂର୍ଣ୍ଣ ପୃଥିବୀକୁ ଫେରି ଆସିବେ । ସେମାନଙ୍କର ସ୍ୱାଗତ ଏକ ସୁସଙ୍ଗଠିତ ଲୋକଙ୍କ ଦ୍ୱାରା କରାଯାଇ ଯିହୋବା ଓ ରାଜତ୍ୱକାରୀ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦିଆଯିବ । ଯେତେବେଳେ ଶହଶହ କୋଟି ପୁନରୁତ୍‌ଥିତ ଲୋକ ସେମାନଙ୍କ ସୃଷ୍ଟି କର୍ତ୍ତାଙ୍କୁ ଜାଣିବେ ଓ ପ୍ରେମ କରିବେ, ସେତେବେଳେ ଯିହୋବଙ୍କ ଜ୍ଞାନରେ ପୃଥିବୀ ଅଭୂତପୂର୍ବ ଭାବେ ଭରିଯିବ ।

୧୮. ଯେତେବେଳେ ପୁନରୁତ୍‌ଥିତ ବ୍ୟକ୍ତିମାନେ ଅଭ୍ୟର୍ଥନା ଜଣାଇବେ ଆପଣ କʼଣ ଅନୁଭବ କରିବେ ?

୧୮ ପୁନରୁତ୍ଥାନ ଆମ ହୃଦୟକୁ କି ଆନନ୍ଦ ନଦେବ ! କିଏ ଆମର ଶତ୍ରୁ ମୃତ୍ୟୁର କାରଣରୁ କଷ୍ଟ ନ ଭୋଗିଛି ? ଯେତେବେଳେ ରୋଗ, ବ୍ୟାଧି, ଦୁର୍ଘଟଣା ଅଥବା ହିଂସ୍ରତା ଜନିତ କାରଣରୁ କୌଣସି ବନ୍ଧୁର ମୃତ୍ୟୁ ଘଟିଲେ ମିତ୍ରତାର ବନ୍ଧନ ଛିଣ୍ଡିଯାଏ, ସେତେବେଳେ ସମ୍ପୁର୍ଣ୍ଣରୂପେ କିଏ ଭାଙ୍ଗି ନ ପଡ଼େ ? ପାରଦୀଶର ସେହି ଆନନ୍ଦମୟ ପରିସ୍ଥିତି ବିଷୟରେ କଳ୍ପନା କରନ୍ତୁ, ମାଁ ବାପା, ପୁଅ, ଝିଅ, ସାଙ୍ଗ, ସାଥୀ, ଦୌଡ଼ିଯାଇ ଜଣେ ଅନ୍ୟଜଣକୁ ଆଲିଙ୍ଗନ କରିବେ ।

ଅବଷେଶରେ ସିଦ୍ଧତା !

୧୯. ହଜାର ବର୍ଷ ମଧ୍ୟରେ କେଉଁ ଅଲୌକିକ କାର୍ଯ୍ୟ ସଙ୍ଗଠିତ ହେବ ?

୧୯ ଏକ ସହସ୍ର ବର୍ଷ ଧରି ଏକ ଅଦ୍ଭୁତ ଅଲୌକିକ କାର୍ଯ୍ୟ ଘଟିତ ହେବ । ମାନବଜାତି ପାଇଁ ଖ୍ରୀଷ୍ଟଙ୍କର ହଜାର ବର୍ଷର ଶାସନ କାଳ ସମ୍ଭବତଃ ସବୁଠାରୁ ରୌମାଞ୍ଚକର ବିଷୟ ହେବ । ପ୍ରତ୍ୟେକ ବିଶ୍ୱସ୍ତ ଏବଂ ଆଜ୍ଞାକାରି ପରୁଷ ଓ ନାରୀ ପ୍ରତି ମୁକ୍ତି ମୂଲ୍ୟର ଉପକାରିତାକୁ ପ୍ରୟୋଗ କରିବା ପାଇଁ ଯିହୋବା ତାଙ୍କ ପୁତ୍ରଙ୍କୁ ନିର୍ଦ୍ଦେଶ ଦେବେ । ଏହି ଉପାୟରେ ସମସ୍ତ ପାପ ଦୂରିକରଣ ହେବ ଏବଂ ସିଦ୍ଧତାର ପ୍ରସାର ହେବ ।—୧ ଯୋହନ ୨:୨; ପ୍ରକାଶିତ ବାକ୍ୟ ୨୧:୧-୪.

୨୦. (କ) ସିଦ୍ଧ ହେବାର ଅର୍ଥ କʼଣ ? (ଖ) ଆର୍ମାଗେଦନ୍‌ରୁ ରକ୍ଷାପ୍ରାପ୍ତ ପୁନରୁତ୍‌ଥିତ ବ୍ୟକ୍ତିମାନେ କେବେଠାରୁ ସମ୍ପୂର୍ଣ୍ଣରୂପେ ଜୀବିତ ରହିବାକୁ ଆରମ୍ଭ କରିବେ ?

୨୦ ସିଦ୍ଧତା ! ଏହାର ଅର୍ଥ କʼଣ ? ଯିହୋବାଙ୍କ ବିରୁଦ୍ଧରେ ପାପ କରିବା ପୂର୍ବରୁ ଆଦମ ଓ ହବା ଯେଉଁ ଜୀବନ ଉପଭୋଗ କରୁଥିଲେ, ସେହିପରି ଜୀବନକୁ ଫେରିଯିବା । ଶାରୀରିକ, ମାନସିକ, ନୈତିକ, ଆଧ୍ୟାତ୍ମିକ—ଯେ କୌଣସି ଉପାୟରେ ସିଦ୍ଧ ମାନବ ଈଶ୍ୱରଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । କିନ୍ତୁ ସବୁ ମଣିଷ କʼଣ ଏପରି ହେବେ ? ନିଶ୍ଚୟ ନୁହେଁ ! ଯିହୋବାଙ୍କ ସୃଷ୍ଟି—ଗଛ, ଫୁଲ, ପଶୁ—ଆମକୁ ଶିକ୍ଷା ଦିଏ ଯେ ସେ ବିବିଧତାକୁ ଭଲ ପାଆନ୍ତି । ସିଦ୍ଧ ମଣିଷଙ୍କର ମଧ୍ୟ ବିଭିନ୍ନ ବ୍ୟକ୍ତିତ୍ୱ ଏବଂ ଭିନ୍ନ ପ୍ରତିକ୍ରିୟା ହେବ । ଈଶ୍ୱର ଯେପରି ଆଗରୁ ଚାହୁଁଥିଲେ, ପ୍ରତ୍ୟେକ ବ୍ୟକ୍ତି ସେହିପରି ଜୀବନ ଉପଭୋଗ କରିବେ । ପ୍ରକାଶିତ ବାକ୍ୟ ୨୦:୫ ପଦ କୁହେ: “ଅବଶିଷ୍ଟ ମୃତ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ ।” ଆର୍ମାଗେଦନ୍‌ରୁ ରକ୍ଷା ପ୍ରାପ୍ତ ମହା ଜନତା ପରି ପୁନରୁତ୍‌ଥିତ ବ୍ୟକ୍ତିମାନେ ଜୀବିତ ହେବେ, ସେତେବେଳେ ସେମାନେ ପାପହୀନ ସିଦ୍ଧତାରେ ପହଞ୍ଚିବେ ।

୨୧. (କ) ଖ୍ରୀଷ୍ଟଙ୍କ ହଜାର ବର୍ଷର ରାଜାତ୍ୱ କାଳରେ କʼଣ ଘଟିବ ? (ଖ) ଶେଷରେ ଶୟତାନ ଓ ତାହାର ପକ୍ଷରେ ଥିବା ସମସ୍ତ ଲୋକଙ୍କର କʼଣ ଘଟିବ ?

୨୧ ସିଦ୍ଧ ମଣିଷମାନେ ଗୋଟିଏ ପରୀକ୍ଷାର ସମ୍ମୁଖୀନ ହେବେ । ଏକ ହଜାର ବର୍ଷ ଶେଷରେ ଶୟତାନ ଓ ତାʼର ମନ୍ଦ ଦୂତମାନଙ୍କୁ ପାତାଳକୁଣ୍ଡରୁ ଅଳ୍ପ ଦିନ ପାଇଁ ମୁକ୍ତ କରାଯିବ, ଯିହୋବାଙ୍କ ପାଖରୁ ମଣିଷଙ୍କୁ ଦୂରକରିବା ପାଇଁ ଗୋଟିଏ ଶେଷ ପ୍ରଚେଷ୍ଟାକୁ ଅନୁମତି ଦିଆଯିବ । କେତେକ ଲୋକ ମନ୍ଦ ଇଚ୍ଛାକୁ ଯିହୋବାଙ୍କ ପ୍ରେମରେ ସ୍ଥାନ ଦେବେ, କିନ୍ତୁ ଏହି ବିଦ୍ରୋହର ସମୟ ସକ୍ଷିପ୍ତ କରାଯିବ । ଶୟତାନ ଓ ତାʼର ସକଳ ମନ୍ଦ ଦୂତମାନଙ୍କ ସଙ୍ଗେ ସ୍ୱାର୍ଥପର ବ୍ୟକ୍ତିମାନଙ୍କୁ ପ୍ରାଣଦଣ୍ଡ ଦିଆଯିବ । ସମସ୍ତ କୁକର୍ମୀ ସବୁଦିନ ପାଇଁ ନିର୍ମୂଳ ହେବେ ।—ପ୍ରକାଶିତ ବାକ୍ୟ ୨୦:୭-୧୦.

ଆପଣ କʼଣ କରିବେ ?

୨୨. ପାରଦୀଶରେ କି କାର୍ଯ୍ୟ କରିବା ପାଇଁ ଆପଣ ପ୍ରତ୍ୟାଶା କରନ୍ତି ?

୨୨ ଯେଉଁମାନେ ଯିହୋବା ପରମେଶ୍ୱରଙ୍କୁ ପ୍ରେମ କରିବେ ଓ ପୃଥିବୀର ପାରଦୀଶରେ ବାସ କରିବେ, ସେମାନଙ୍କ ସମ୍ମୁଖରେ ନିତ୍ୟତା ପ୍ରସାରିତ ହେବ । ସେମାନଙ୍କ ଆନନ୍ଦ ଆମେ କଦାଚିତ୍‌ କଳ୍ପନା କରିପାରୁ ଆଉ ସେଥିରେ ମଧ୍ୟ ଅଂଶ ନେଇପାରୁ । ସଙ୍ଗୀତ, କଳା ଓ ଶିଳ୍ପ—ସିଦ୍ଧ ମାନବଜାତିର ସମ୍ପାଦିତ କାର୍ଯ୍ୟ, ଏହି ପୁରାତନ ପୃଥିବୀର ଶ୍ରେଷ୍ଠ ଗୁରୁଙ୍କ କୃତି ଠାରୁ ଉତ୍କୃଷ୍ଟତର ହେବ ! ସର୍ବୋପରି ମଣିଷ ସିଦ୍ଧ ହେବ ଓ ସେମାନଙ୍କ ପାଖରେ ସୀମାହିନ ସମୟ ରହିବ । କଳ୍ପନା କରନ୍ତୁ, ଆପଣ ସିଦ୍ଧ ମାନବ ହେଲେ କʼଣ ସବୁ କରିବାକୁ ସମର୍ଥ ହେବେ । ଏହା ମଧ୍ୟ ଚିନ୍ତାକରନ୍ତୁ ଯେ ଆପଣ ସହମାନବଙ୍କ ସହିତ ଯିହୋବାଙ୍କ ସୃଷ୍ଟି ସମ୍ବନ୍ଧରେ—ବିଶ୍ୱର ଶତ ଶତ କୋଟି ଛାୟାପଥ ଓ କ୍ଷୁଦ୍ର ପରମାଣୁ ବିଷୟରେ ଅନେକ କିଛି ଶିଖିବେ । ଯାହା କିଛି ମାନବଜାତି ସାଧନ କରିବ ତାହା ଆମ ପ୍ରେମମୟ ସ୍ୱର୍ଗସ୍ଥ ପିତା ଯିହୋବାଙ୍କ ହୃଦୟକୁ ଆନନ୍ଦିତ କରିବ ।—ଗୀତସଂହିତା ୧୫୦:୧-୬.

୨୩. ପାରଦୀଶରେ ଜୀବନ କାହିଁକି ବିରକ୍ତିକର ହେବ ନାହିଁ ?

୨୩ ସେତେବେଳେ ଜୀବନ ବିରକ୍ତିକର ହେବନାହିଁ । ସମୟ ଅତିବାହିତ ହେଲେ ଏହା ଆହୁରି ଅଧିକରୁ ଆଧିକ ଆକର୍ଷଣୀୟ ହେବ । ଆପଣ ଜାଣନ୍ତି ଯେ ପରମେଶ୍ୱର ବିଷୟକ ଜ୍ଞାନର ଶେଷ ନାହିଁ । (ରୋମୀୟ ୧୧:୩୩) ଏକ ନୂତନ ଦିବସ ଅନ୍ୱେଷଣ କରି ଚିରକାଳ ଅଧିକରୁ ଅଧିକ ଶିଖିବାକୁ ହେବ । (ଉପଦେଶକ ୩:୧୧) ଯେତେବେଳେ ଆପଣ ଯିହୋବା ପରମେଶ୍ୱରଙ୍କ ବିଷୟରେ ଶିଖିବେ, ଆପଣ ଅଳ୍ପ ସମୟ ପାଇଁ ନୁହେଁ—ମାତ୍ର ଆନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବେ ।—ଗୀତସଂହିତା ୨୨:୨୬.

୨୪, ୨୫. ଈଶ୍ୱର ବିଷୟକ ଜ୍ଞାନସହିତ ଐକ୍ୟ ରଖି ବର୍ତ୍ତମାନ କାହିଁକି ତୁମେ ଜୀବନ-ଯାପନ କରିବା ଉଚିତ୍‌ ?

୨୪ ପାରଦୀଶରେ ଏକ ସୁନ୍ଦର ଭବିଷ୍ୟତ ପାଇଁ ଆପଣଙ୍କ ପ୍ରଚେଷ୍ଟା କିମ୍ବା ତ୍ୟାଗ ସ୍ୱୀକାର କʼଣ ସ୍ପୃହଣୀୟ ନୂହେଁ ? ଅବଶ୍ୟ ତାହା ଉପଯୁକ୍ତ ! ହଁ, ସେହି ଚମତ୍କାର ଭବିଷ୍ୟତର ଚାବିକାଠିକୁ ଯିହୋବା ଆପଣଙ୍କ ପାଇଁ ପ୍ରେରଣ କରିଛନ୍ତି । ସେହି ଚାବିଟି ଈଶ୍ୱର ବିଷୟକ ଜ୍ଞାନ ଅଟେ । ଆପଣ କʼଣ ତାହା ଉପଯୋଗ କରିବେ ?

୨୫ ଯଦି ଆପଣ ଯିହୋବାଙ୍କୁ ଭଲ ପାଆନ୍ତି, ତେବେ ତାଙ୍କର ଇଚ୍ଛା ପାଳନ କଲେ ଆପଣ ଆନନ୍ଦିତ ହେବେ । (୧ ଯୋହନ ୫:୩) ଯେତେବେଳେ ଆପଣ ସେହି ବିଷୟକୁ ଅନୁକରଣ କରିବେ, କେତେ ଆଶୀର୍ବାଦ ପାଇବେ ! ଯଦି ଈଶ୍ୱର ବିଷୟକ ଜ୍ଞାନକୁ ପ୍ରୟୋଗ କରନ୍ତି, ଏପରିକି ଏହି ଜଞ୍ଜାଳଗ୍ରସ୍ତ ଜଗତରେ ମଧ୍ୟ ତାହା ଆପଣଙ୍କ ପାଇଁ ଆନନ୍ଦମୟ ଜୀବନ ଆଣିପାରିବ । ଏହା ହେଲା ସେହି ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ ! ତେଣୁ ଭବିଷ୍ୟତରେ ଅପରିମେୟ ପୁରସ୍କାର ଅଛି । ବର୍ତ୍ତମାନ ସମୟ ଆପଣଙ୍କ କାମ ପାଇଁ ଅନୂକୁଳ । ଈଶ୍ୱର ବିଷୟକ ଜ୍ଞାନ ସହିତ ସାମ୍ୟ ରଖି ଜୀବନ ଯାପନ କରିବା ପାଇଁ ଦୃଢ଼ ସଂକଳ୍ପ କରନ୍ତୁ । ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ପ୍ରଦର୍ଶନ କରନ୍ତୁ । ଯିହୋବାଙ୍କ ନାମକୁ ସମ୍ମାନ କରନ୍ତୁ ଏବଂ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣ କରନ୍ତୁ । ଯିହୋବା ଈଶ୍ୱର ପ୍ରକୃତ ପ୍ରଜ୍ଞା ଓ ଜ୍ଞାନର ଉତ୍ସ, ସେ ତାଙ୍କ ପ୍ରେମମୟ ହୃଦୟରେ ଆପଣଙ୍କ ପାଇଁ ଆନନ୍ଦିତ ହେବେ । (ଯିରିମିୟ ୩୧:୩; ସିଫନିୟ ୩:୧୭) ଆଉ ସେ ଅନନ୍ତ କାଳ ପର୍ଯ୍ୟନ୍ତ ଆପଣଙ୍କୁ ଭଲ ପାଇବେ !

ଆପଣଙ୍କ ଜ୍ଞାନ ପରୀକ୍ଷା କରନ୍ତୁ

“ପ୍ରକୃତରୂପେ ଜୀବନ” କʼଣ ?

ଆର୍ମାଗେଦନ୍‌ ପରେ ପୃଥିବୀରେ କʼଣ ଘଟିବ ?

ପୃଥିବୀରେ କେଉଁମାନେ ପୁନରୁତ୍‌ଥିତ ହେବେ ?

କିପରି ମନୁଷ୍ୟଜାତି ସମ୍ପୂର୍ଣ୍ଣ ସିଦ୍ଧ ହେବେ ଏବଂ ସର୍ବଶେଷରେ ପରୀକ୍ଷିତ ହେବେ ?

ପାରଦୀଶ ବିଷୟରେ ଆପଣଙ୍କ ଆଶା କʼଣ ?

[୧୮୮, ୧୮୯ ପୃଷ୍ଠାରେ ଚିତ୍ର]

ଯେତେବେଳେ ପୃଥିବୀ ପରମେଶ୍ୱଙ୍କ ଜ୍ଞାନରେ ପୂର୍ଣ୍ଣ ହୋଇଯିବ, ସେତେବେଳେ ଆପଣ ସେଠାରେ ବାସ କରିବା ପାଇଁ ଆଶା ରଖିଛନ୍ତି କି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ