ପାଠ ୮
ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲାଭଳି ପାରିବାରିକ ଜୀବନ
ପରିବାରରେ ସ୍ୱାମୀଙ୍କ ସ୍ଥାନ କʼଣ ? (୧)
ସ୍ୱାମୀ ନିଜ ପତ୍ନୀ ସହିତ କିପରି ବ୍ୟବହାର କରିବା ଉଚିତ ? (୨)
ଜଣେ ପିତାଙ୍କ ଦାୟିତ୍ୱ କʼଣ ? (୩)
ପରିବାରରେ ପତ୍ନୀର ଭୂମିକା କʼଣ ? (୪)
ପରମେଶ୍ୱର ପିତା-ମାତା ଓ ସନ୍ତାନମାନଙ୍କଠାରୁ କʼଣ ଚାହାଁନ୍ତି ? (୫)
ବିଚ୍ଛେଦ ଓ ଛାଡ଼ପତ୍ର ଉପରେ ବାଇବଲର ଅଭିମତ କʼଣ ? (୬,୭)
୧. ବାଇବଲ କହେ, ଯେ ସ୍ୱାମୀ ପରିବାରର ମୁଖ୍ୟ ଅଟନ୍ତି । (୧ କରିନ୍ଥୀୟ ୧୧:୩) ଜଣେ ସ୍ୱାମୀର କେବଳ ଏକ ପତ୍ନୀ ରହିବା ଉଚିତ । ସେମାନଙ୍କୁ ଆଇନ ଦୃଷ୍ଟିରେ ଉଚିତ ରୂପେ ବିବାହିତ ହେବା ଉଚିତ ।—୧ ତୀମଥି ୩:୨; ତିତସ ୩:୧.
୨. ଜଣେ ସ୍ୱାମୀକୁ ନିଜ ଶରୀର ସଦୃଶ ଆପଣା ପତ୍ନୀକୁ ପ୍ରେମ କରିବା ଉଚିତ । ଯୀଶୁ ନିଜ ଅନୁଗାମୀମାନଙ୍କ ସହିତ ଯେପରି ବ୍ୟବହାର କରୁଥିଲେ, ସେହିପରି ନିଜ ସ୍ତ୍ରୀଙ୍କ ସହିତ ବ୍ୟବହାର କରିବା ଉଚିତ । (ଏଫିସୀୟ ୫:୨୫, ୨୮, ୨୯) ତାଙ୍କୁ କେବେହେଁ ନିଜ ସ୍ତ୍ରୀଙ୍କ ପ୍ରତି ଆଘାତ ବା ଦୁର୍ବ୍ୟବହାର କରିବା ଉଚିତ ନୁହେଁ । ବରଂ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଖାଇବା ଉଚିତ ।—କଲସୀୟ ୩:୧୯; ୧ ପିତର ୩:୭.
୩. ଜଣେ ପିତା ପରିବାରର ଭରଣପୋଷଣ କରିବା ପାଇଁ କଠିନ ପରିଶ୍ରମ କରିବା ଉଚିତ । ସେ ନିଜ ପତ୍ନୀ ଓ ସନ୍ତାନମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇବା ଉଚିତ । ଜଣେ ପିତାଙ୍କୁ ନିଜ ପରିବାରର ଆଧ୍ୟାତ୍ମିକ ଆବଶ୍ୟକତା ମଧ୍ୟ ଯୋଗାଇବା ଉଚିତ । (୧ ତୀମଥି ୫:୮) ନିଜ ପରିବାରକୁ ପରମେଶ୍ୱର ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଶିଖିବା ପାଇଁ ସାହାଯ୍ୟ କରିବାରେ ସେ ବାଟ କଢ଼େଇ ଥାନ୍ତି ।—ଦ୍ୱିତୀୟ ବିବରଣ ୬:୪-୯; ଏଫିସୀୟ ୬:୪.
୪. ଜଣେ ପତ୍ନୀ ନିଜ ସ୍ୱାମୀର ସୁସହକାରିଣୀ ହେବା ଉଚିତ । (ଆଦି ପୁସ୍ତକ ୨:୧୮) ସେ ପିଲାମାନଙ୍କ ଶିକ୍ଷାଦାନ ଓ ପ୍ରଶିକ୍ଷଣ କରିବାରେ ସ୍ୱାମୀଙ୍କୁ ସାହାଯ୍ୟ କରିବା ଉଚିତ । (ହିତୋପଦେଶ ୧:୮) ଯିହୋବା ଚାହାଁନ୍ତି ଯେ ପତ୍ନୀ ପରିବାରର ଯତ୍ନ ପ୍ରେମପୂର୍ବକ କରନ୍ତୁ । (ହିତୋପଦେଶ ୩୧:୧୦, ୧୫, ୨୬, ୨୭; ତିତସ ୨:୪, ୫) ସ୍ୱାମୀଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ରହିବା ଉଚିତ ।—ଏଫିସୀୟ ୫:୨୨, ୨୩, ୩୩.
୫.ପରମେଶ୍ୱର ଚାହାଁନ୍ତି ଯେ, ପିଲାମାନେ ଯେପରି ପିତାମାତାଙ୍କ ଆଜ୍ଞା ପାଳନ କରନ୍ତୁ । (ଏଫିସୀୟ ୬:୧-୩) ସେ ଚାହାନ୍ତି ପିତାମାତା ନିଜ ସନ୍ତାନମାନଙ୍କୁ ଶିକ୍ଷା ଦେବେ ଓ ସଂଶୋଧନ କରିବେ । ପିତାମାତା ନିଜ ସନ୍ତାନମାନଙ୍କ ପାଇଁ ଆଧ୍ୟାତ୍ମିକ ଓ ଭାବାତ୍ମକ ଆବଶ୍ୟକତା ପୂରଣ କରିବା ନିମନ୍ତେ ସେମାନଙ୍କ ସହିତ ସମୟ କଟେଇବା ଓ ବାଇବଲ ଅଧ୍ୟୟନ କରିବା ଉଚିତ । (ଦ୍ୱିତୀୟ ବିବରଣ ୧୧:୧୮, ୧୯; ହିତୋପଦେଶ ୨୨:୬, ୧୫) ପିତାମାତା କେବେହେଁ ପିଲାମାନଙ୍କୁ କଠୋର କିମ୍ବା ନିଷ୍ଠୁର ଭାବେ ଅନୁଶାସନ କରିବା ଉଚିତ ନୁହେଁ ।—କଲସୀୟ ୩:୨୧.
୬. ଯେତେବେଳେ ବିବାହ-ସାଥୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ବାଇବଲର ପରାମର୍ଶ ଗ୍ରହଣ କରିବା ପାଇଁ ଚେଷ୍ଟା କରିବା ଉଚିତ । ବାଇବଲ ଆମ୍ଭମାନଙ୍କୁ ପ୍ରେମପୂର୍ଣ୍ଣ ଓ କ୍ଷମାଶୀଳ ହେବାକୁ ଉପଦେଶ ଦିଏ । (କଲସୀୟ ୩:୧୨-୧୪) ଛୋଟ ଛୋଟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପୃଥକଭାବେ ରହିବା ପରମେଶ୍ୱରଙ୍କ ବାକ୍ୟ ଉତ୍ସାହିତ କରେ ନାହିଁ । କିନ୍ତୁ ଜଣେ ପତ୍ନୀ ନିଜ ସ୍ୱାମୀକୁ ଛାଡ଼ିବା ପାଇଁ ସ୍ଥିର କରି ପାରେ ଯଦି (୧) ସ୍ୱାମୀ ଅବାଧ୍ୟତାପୂର୍ବକ ପରିବାରର ଭରଣପୋଷଣ କରିବା ପାଇଁ ମନା କରେ, (୨) ସ୍ୱାମୀଙ୍କ ହିଂସ୍ର ବ୍ୟବହାର ପତ୍ନୀଙ୍କ ଶରୀର ଓ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇଉଠେ କିମ୍ବା (୩) ତାଙ୍କର ଅତ୍ୟଧିକ ବିରୋଧ ତାଙ୍କୁ ଯିହୋବାଙ୍କ ଉପାସନା କରିବାରେ ଅସମ୍ଭବ କରେ ।—୧ କରିନ୍ଥୀୟ ୭:୧୨, ୧୩.
୭. ବିବାହ-ସାଥୀ ପରସ୍ପର ବିଶ୍ୱସ୍ତ ହେବା ଉଚିତ । ବ୍ୟଭିଚାର ପରମେଶ୍ୱର ଓ ନିଜ ସାଥୀ ବିରୁଦ୍ଧରେ ପାପ ଅଟେ । (ଏବ୍ରୀ ୧୩:୪) କେବଳ ବ୍ୟଭିଚାର ହିଁ ଗୋଟିଏ କାରଣ, ଯାହା ଜଣେ ଖ୍ରୀଷ୍ଟିୟାନକୁ ବିବାହ ବିଚ୍ଛେଦ ଓ ପୁନର୍ବିବାହ ପାଇଁ ଅନୁମତି ଦିଏ । (ମାଥିଉ ୧୯:୭-୯; ରୋମୀୟ ୭:୨, ୩) ଯେତେବେଳେ ଲୋକେ ଶାସ୍ତ୍ରୀୟ ସମ୍ମତି ବିନା ବିବାହବିଚ୍ଛେଦ କରି ଅନ୍ୟ ଜଣକୁ ବିବାହ କରନ୍ତି, ଯିହୋବା ଏଭଳି କାର୍ଯ୍ୟକୁ ଘୃଣା କରନ୍ତି ।—ମଲାଖି ୨:୧୪-୧୬.
[୧୬, ୧୭ ପୃଷ୍ଠାରେ ଚିତ୍ର]
ପରମେଶ୍ୱର ପିତା-ମାତାଠାରୁ ନିଜ ସନ୍ତାନମାନଙ୍କୁ ଶିକ୍ଷାଦାନ ଓ ସୁଧାରିବା ପାଇଁ ଆଶା କରନ୍ତି
[୧୭ ପୃଷ୍ଠାରେ ଚିତ୍ର]
ପ୍ରେମମୟ ପିତା ନିଜ ପରିବାର ପାଇଁ ଭୌତିକ ଓ ଆଧ୍ୟାତ୍ମିକ ବ୍ୟବସ୍ଥା କରନ୍ତି ।