ଭାଗ ୮
ଇସ୍ରାଏଲୀୟମାନେ କିଣାନ ଦେଶରେ ପ୍ରବେଶ କଲେ
ଇସ୍ରାଏଲୀୟମାନେ ଯିହୋଶୂୟଙ୍କ ନେତୃତ୍ୱରେ କିଣାନ ଦେଶକୁ ଅଧିକାର କଲେ । ଯିହୋବା ନିଜ ଲୋକମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ନିମନ୍ତେ ବିଚାରକର୍ତ୍ତାମାନଙ୍କୁ ଶକ୍ତି ଦେଲେ
ଇସ୍ରାଏଲୀୟମାନଙ୍କ କିଣାନ ଦେଶରେ ପ୍ରବେଶ କରିବାର ଶହ ଶହ ବର୍ଷ ପୂର୍ବେ, ଯିହୋବା ଅବ୍ରହାମଙ୍କ ସନ୍ତାନମାନଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞାକରି ଥିଲେ । ବର୍ତ୍ତମାନ ଯିହୋଶୂୟଙ୍କ ନେତୃତ୍ୱରେ ଇସ୍ରାଏଲୀୟମାନେ ସେହି ପ୍ରତିଜ୍ଞାତ ଦେଶକୁ ଅଧିକାର କରିବାକୁ ଯାଉଛନ୍ତି ।
ଈଶ୍ୱର କିଣାନୀୟମାନଙ୍କୁ ଧ୍ୱଂସ କରିବାକୁ ନିଶ୍ଚିତ କରିଥିଲେ । ସେହି ଦେଶକୁ ସେମାନେ ନିର୍ଦୋଷର ରକ୍ତପାତ ଓ ଯୌନ ଅନୈତିକତାରେ ଭରି ଦେଇଥିଲେ । ଅତଏବ ଯେକୌଣସି କିଣାନୀୟ ସହରକୁ ଇସ୍ରାଏଲୀୟମାନେ ଅଧିକାର କରିବେ ତାʼର ସଂମ୍ପୂର୍ଣ୍ଣଭାବେ ଧ୍ୱଂସ କରାହେବ ।
କିଣାନ ଦେଶରେ ପ୍ରବେଶ କରିବାର ପୂର୍ବେ, ଯିହୋଶୂୟ, ତାହାଙ୍କ ଦୁଇଜଣ ଗୁପ୍ତଚରଙ୍କୁ ଯିରୀଖୋ ସହରକୁ ପଠାଇଲେ ଆଉ ସେମାନେ ରାହାବ ନାମକ ଜଣେ ସ୍ତ୍ରୀ ପାଖରେ ଆଶ୍ରୟ ନେଲେ । ସେ, ସେମାନଙ୍କୁ ଇସ୍ରାଏଲୀୟ ବୋଲି ଜାଣି ମଧ୍ୟ ନିଜ ଘରେ ଆଶ୍ରୟ ଦେଇ ରକ୍ଷା କଲେ । ଇସ୍ରାଏଲର ଈଶ୍ୱରଙ୍କ ଉପରେ ରାହାବଙ୍କର ବିଶ୍ୱାସ ଥିଲା, କାରଣ ସେ ଶୁଣିଥିଲେ ଯେ ଯିହୋବା ତାହାଙ୍କ ଲୋକମାନଙ୍କୁ କିପରି ଭାବେ ରକ୍ଷା କରିଥିଲେ । ସେ ସେହି ଗୁପ୍ତଚରମାନଙ୍କୁ ପ୍ରତିଜ୍ଞା କରାଇଲା, ଯେପରି ସହର ଧ୍ୱଂସବେଳେ ସେ ଓ ତାହାଙ୍କ ପରିବାର ରକ୍ଷା ପାଇବେ ।
ଶେଷରେ, ଯେତେବେଳେ ଇସ୍ରାଏଲୀୟମାନେ କିଣାନ ଦେଶରେ ପ୍ରବେଶ କରିଲେ ଏବଂ ଯିରୀଖୋ ସହର ଉପରେ ଆକ୍ରମଣ କରିବାକୁ ଆଗେଇଲେ, ଯିହୋବା ଆଶ୍ଚର୍ଯ୍ୟରୂପେ ଯିରୀଖୋ ସହରର ପ୍ରାଚୀରଗୁଡ଼ିକକୁ ଉଜାଡ଼ି ଧ୍ୱଂସ କରିଦେଲେ । ଯିହୋଶୂୟଙ୍କ ଦଳ ସହର ମଧ୍ୟରେ ପ୍ରବେଶ କରି ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ କରିଦେଲେ କିନ୍ତୁ ରାହାବ ଓ ତାହାଙ୍କ ପରିବାରକୁ ରକ୍ଷା କଲେ । ଏହାପରେ, ଯିହୋଶୂୟ ଛଅ ବର୍ଷର ବିଜୟ ଯାତ୍ରା ଦ୍ୱାରା ପ୍ରତିଜ୍ଞାତ ଦେଶର ଅଧିକାଂଶ ସ୍ଥାନଗୁଡ଼ିକୁ ନିଜ ଦଖଲରେ ଆଣିଲେ । ଏବଂ ସେହି ସ୍ଥାନଗୁଡ଼ିକକୁ ଇସ୍ରାଏଲର ବଂଶଧର ମଧ୍ୟରେ ବଣ୍ଟନ କରି ଦିଆଗଲା ।
ବହୁବର୍ଷ ଧରି ସେବା କରିବା ପରେ ଯିହୋଶୂୟ ସମସ୍ତ ଇସ୍ରାଏଲୀୟମାନଙ୍କୁ ଏକତ୍ରିତ କଲେ । ସେ ସେମାନଙ୍କୁ ମନେପକାଇ ଦେଲେ ଯେ ଯିହୋବା କିପରିଭାବେ ତାଙ୍କର ପୂର୍ବପୁରୁଷମାନଙ୍କର ରକ୍ଷା କରିଛନ୍ତି ଏବଂ ସେମାନଙ୍କୁ ଯିହୋବାଙ୍କୁ ସେବା କରିବାକୁ ଉତ୍ସାହିତ କଲେ । ଯିହୋଶୂୟ ଓ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁ ପରେ, ଇସ୍ରାଏଲୀୟମାନେ ଯିହେବାଙ୍କୁ ଛାଡ଼ି ମିଥ୍ୟା ଦେବତାମାନଙ୍କର ପୂଜା କରିବାକୁ ଲାଗିଲେ । ପ୍ରାୟ ୩୦୦ ବର୍ଷ ଧରି ଇସ୍ରାଏଲୀୟମାନେ ଯିହୋବାଙ୍କ ନିୟମକୁ ସଠିକଭାବେ ପାଳନ କରି ନ ଥିଲେ । ସେହି ସମୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ ନିର୍ଯାତନା ଦେବା ପାଇଁ ସେମାନଙ୍କ ଶତ୍ରୁ ପଲେଷ୍ଟୀୟମାନଙ୍କୁ ଅନୁମତି ଦେଲେ । କିନ୍ତୁ ଇସ୍ରାଏଲୀୟମାନେ ଯେତେବେଳେ ପୁଣିଥରେ ଯିହୋବାଙ୍କ ଶରଣାଗତ ହୁଅନ୍ତି, ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଯିହୋବା, ସର୍ବମୋଟ ୧୨ଜଣ ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତି କଲେ ।
ବିଚାରକର୍ତ୍ତାମାନଙ୍କ ବିବରଣ ପୁସ୍ତକରେ ଉଲ୍ଲେଖିତ ବିଚାରକର୍ତ୍ତାଙ୍କ ସମୟକାଳ, ଓଥନିୟେଲଙ୍କଠାରୁ ଆରମ୍ଭ ହୋଇ ଶାମ୍ଶୋନ୍ଙ୍କ ସମୟରେ ଶେଷ ହୁଏ, ଯିଏ କି ପୃଥିବୀରେ ସବୁଠାରୁ ଶକ୍ତିଶାଳୀ ଥିଲେ । ବିଚାରକର୍ତ୍ତାମାନଙ୍କ ବିବରଣ ପୁସ୍ତକରେ ଯେଉଁ ରୋମାଞ୍ଚକ ଘଟଣାଗୁଡ଼ିକ ଉଲ୍ଲେଖ ହୋଇଛି, ତାହା ବାରମ୍ବାର ଏକମାତ୍ର ସତ୍ୟକୁ କହେ ଏବଂ ତାହାହେଲା: ଯିହୋବାଙ୍କ ଆଜ୍ଞାକାରିତା ଆଶୀର୍ବାଦ ଆଣିଥାଏ କିନ୍ତୁ ତାହାଙ୍କ ପ୍ରତି ଅବାଧ୍ୟତା ବିପଦ ଆଣିଥାଏ ।
—ଏହା ଯିହୋଶୂୟ; ବିଚାରକର୍ତ୍ତାମାନଙ୍କ ବିବରଣ; ଲେବୀୟପୁସ୍ତକ ୧୮:୨୪, ୨୫ ଉପରେ ଆଧାରିତ ।