ପାଠ ୩୦
ରାହାବ ଗୁପ୍ତଚରମାନଙ୍କୁ ଲୁଚାଇଲେ
ଯେବେ ଇସ୍ରାଏଲୀୟ ଗୁପ୍ତଚର ଯିରୀହୋ ସହରକୁ ଗଲେ, ତେବେ ସେମାନେ ରାହାବ ନାମକ ଜଣେ ସ୍ତ୍ରୀର ଘରେ ରହିଲେ । ଏହି କଥା ଯିରୀହୋର ରାଜାଙ୍କୁ ଜଣା ପଡ଼ିଗଲା । ତେଣୁ ସେ ନିଜ ସୈନିକମାନଙ୍କୁ ରାହାବଙ୍କ ଘରକୁ ପଠାଇଲେ । ରାହାବ ଗୁପ୍ତଚରମାନଙ୍କୁ ଛାତରେ ଲୁଚାଇ ଦେଲେ ଏବଂ ସୈନିକମାନଙ୍କୁ ଅନ୍ୟ ବାଟକୁ ପଠାଇ ଦେଲେ । ରାହାବ ଗୁପ୍ତଚରମାନଙ୍କୁ କହିଲେ, ‘ମୁଁ ତମମାନଙ୍କ ସାହାଯ୍ୟ କରିବି କାରଣ ମୁଁ ଜାଣିଛି ଯେ ଯିହୋବା ତମମାନଙ୍କ ସହିତ ଅଛନ୍ତି ଏବଂ ତମେ ଏହି ଦେଶକୁ ବିଜୟ ହାସଲ କରିବ । ମୋତେ ପ୍ରତିଜ୍ଞା କର ଯେ ତମେମାନେ ମୋ ପରିବାରକୁ ବଞ୍ଚାଇବ ।’
ଗୁପ୍ତଚରମାନେ ରାହାବଙ୍କୁ କହିଲେ, ‘ଆମେ ପ୍ରତିଜ୍ଞା କରୁଛୁ ଯେ ଯେକେହି ତମ ଘର ଭିତରେ ଥିବ ସେମାନଙ୍କୁ କିଛି ହେବ ନାହିଁ ।’ ତାʼପରେ ସେମାନେ କହିଲେ, ‘ତମେ ନିଜ ଝରକାରେ ଗୋଟିଏ ଲାଲ ରଙ୍ଗର ରଶି ବାନ୍ଧିବ ଏବଂ ତମ ପରିବାରକୁ ରକ୍ଷା କରାଯିବ ।’
ରାହାବ ଗୁପ୍ତଚରମାନଙ୍କୁ ଗୋଟିଏ ରଶି ସାହାଯ୍ୟରେ ଝରକାରୁ ତଳକୁ ଓହ୍ଲାଇବା ପାଇଁ ସାହାଯ୍ୟ କଲେ । ସେମାନେ ପାହାଡ଼ ଆଡ଼କୁ ଚାଲିଗଲେ ଏବଂ ତିନି ଦିନ ଯାଏ ସେଠାରେ ଲୁଚି ରହିଲେ । ତାʼପରେ ସେମାନେ ଯିହୋଶୂୟଙ୍କ ପାଖକୁ ଫେରିଗଲେ । ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀ ପାର କଲେ ଏବଂ କିଣାନ ଦେଶକୁ ଜିତିବା ପାଇଁ ପ୍ରସ୍ତୁତି କଲେ । ସବୁଠୁ ପ୍ରଥମେ ସେମାନେ ଯିରୀହୋ ସହରକୁ ଜିତିଲେ । ଜାଣିଛ କିପରି ? ଯିହୋବା ସେମାନଙ୍କୁ ଦିନକୁ ଥରେ ସହରର ଚାରିଆଡ଼େ ବୁଲିବା ପାଇଁ ଏବଂ ଏପରି ହିଁ ଛଅ ଦିନ ଯାଏ କରିବା ପାଇଁ କହିଲେ । ସପ୍ତମ ଦିନ ସେମାନେ ସାତ ଥର ସହରର ଚାରିଆଡ଼େ ବୁଲିଲେ । ଏହାପରେ ଯାଜକମାନେ ତୂରୀ ବଜାଇଲେ ଏବଂ ସୈନିକମାନେ ଉଚ୍ଚ ସ୍ୱରରେ ପାଟି କଲେ । ସେସମୟରେ ସହରର ପ୍ରାଚୀରଗୁଡ଼ିକ ଭୁଷୁଡ଼ି ପଡ଼ିଲା ! କିନ୍ତୁ ରାହାବଙ୍କ ଘର, ଯାହା ସହରର ପ୍ରାଚୀରରେ ଲାଗି ରହିଥିଲା, ଭାଙ୍ଗିଲା ନାହିଁ । ସେ ଓ ତାଙ୍କ ପରିବାର ବଞ୍ଚିଗଲେ କାରଣ ସେ ଯିହୋବାଙ୍କ ଉପରେ ଭରସା ରଖିଲେ ।
“ସେହି ପ୍ରକାରେ ମଧ୍ୟ ରାହାବ . . . ଦୂତମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ ?”—ଯାକୁବ ୨:୨୫