ଭାଗ ୭
ଆପଣଙ୍କ ପିଲାକୁ କିପରି ଶିକ୍ଷା ଦେବେ
“ଏହି ଯେଉଁ ସକଳ କଥା ମୁଁ ଆଜି ତୁମ୍ଭକୁ ଆଜ୍ଞା କରୁଅଛି, ତାହା ତୁମ୍ଭେ ଆପଣା ହୃଦୟରେ ରଖିବ । ଆଉ ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ତାହା ଶିଖାଇବ ।”—ଦ୍ୱିତୀୟ ବିବରଣ ୬:୬, ୭
ଯେତେବେଳେ ଯିହୋବା ପରିବାରର ଆରମ୍ଭ କଲେ, ସେତେବେଳେ ସେ ପିଲାମାନଙ୍କ ଯତ୍ନ ନେବାର ଦାୟିତ୍ୱ ସେମାନଙ୍କ ପିତାମାତାଙ୍କୁ ଦେଲେ । (କଲସୀୟ ୩:୨୦) ପିତାମାତା ଭାବରେ ଏହା ଆପଣଙ୍କ ଦାୟିତ୍ୱ ଅଟେ ଯେ ଆପଣ ନିଜ ପିଲାକୁ ଯିହୋବାଙ୍କୁ ପ୍ରେମ କରିବା ଶିଖାନ୍ତୁ ଏବଂ ଏକ ଦାୟିତ୍ୱବାନ ବ୍ୟକ୍ତି ହେବାରେ ସାହାଯ୍ୟ କରନ୍ତୁ । (୨ ତୀମଥି ୧:୫; ୩:୧୫) ଆପଣ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିବା ଉଚିତ୍ ଯେ ଆପଣଙ୍କ ପୁଅ କିମ୍ବା ଝିଅର ହୃଦୟରେ କʼଣ ଅଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ୍ଷେତ୍ରରେ ଆପଣଙ୍କ ନିଜର ଉଦାହରଣ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜେ ଯିହୋବାଙ୍କ ବାକ୍ୟକୁ ନିଜ ହୃଦୟରେ ରଖିବା ପରେ ହିଁ ଆପଣ ନିଜ ପିଲାକୁ ଏବିଷୟରେ ସବୁଠାରୁ ଉତ୍ତମ ଭାବେ ଶିଖାଇପାରିବେ ।—ଗୀତସଂହିତା ୪୦:୮.
୧ ନିଜ ପିଲାଙ୍କ ପାଇଁ ଆପଣଙ୍କ ସହିତ କଥାବାର୍ତ୍ତା କରିବା ସହଜ କରନ୍ତୁ
ବାଇବଲ କʼଣ କହେ: ‘ଶୁଣିବାରେ ତତ୍ପର ଏବଂ କହିବାରେ ଧୀର ହୁଅ ।’ (ଯାକୁବ ୧:୧୯) ଆପଣ ନିଶ୍ଚୟ ଚାହିଁବେ ଯେ ଆପଣଙ୍କ ପିଲାମାନେ ଆପଣଙ୍କ ସହିତ ବିନା ସଂକୋଚରେ କଥା ହୁଅନ୍ତୁ । ସେମାନେ ଜାଣିବା ଜରୁରୀ ଯେ ଯେତେବେଳେ ସେମାନେ କଥା ହେବାକୁ ଚାହାନ୍ତି, ଆପଣ ସେମାନଙ୍କ କଥାକୁ ଶୁଣିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏକ ଶାନ୍ତ ପରିବେଶ ସୃଷ୍ଟି କରନ୍ତୁ, ଯାହାଫଳରେ ସେମାନେ ନିଜ ମନକଥା ଆପଣଙ୍କୁ ସହଜରେ କହିପାରିବେ । (ଯାକୁବ ୩:୧୮) ଯଦି ସେମାନେ ଭାବନ୍ତି ଯେ ଆପଣ ରାଗିଯାଇ ହଠାତ୍ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ, ତେବେ ହୁଏତ ସେମାନେ ମନଖୋଲି କଥା ହୋଇ ନ ପାରନ୍ତି । ପିଲାଙ୍କୁ ଧୈର୍ଯ୍ୟର ସହିତ ଶିଖାନ୍ତୁ ଏବଂ ସମୟ ସମୟରେ ସେମାନଙ୍କୁ ଆପଣ ଭଲ ପାʼନ୍ତି ବୋଲି ପ୍ରମାଣ ଦିଅନ୍ତୁ ।—ମାଥିଉ ୩:୧୭; ୧ କରିନ୍ଥୀୟ ୮:୧.
ଆପଣ କʼଣ କରିପାରିବେ:
ଯେତେବେଳେ ଆପଣଙ୍କ ପିଲାମାନେ ଆପଣଙ୍କ ସହିତ କଥା ହେବା ପାଇଁ ଚାହାନ୍ତି, ସେମାନଙ୍କୁ ସମୟ ଦିଅନ୍ତୁ
ଯେତେବେଳେ ସମସ୍ୟା ଦେଖାଦିଏ, କେବଳ ସେସମୟରେ ନୁହଁ, ବରଂ ନିଜ ପିଲାମାନଙ୍କ ସହିତ ସବୁବେଳେ କଥା ହୁଅନ୍ତୁ
୨ ସେମାନେ ପ୍ରକୃତରେ କʼଣ କହିବାକୁ ଚାହାନ୍ତି, ବୁଝିବାକୁ ଚେଷ୍ଟା କରନ୍ତୁ
ବାଇବଲ କʼଣ କହେ: “ଯିଏ କୌଣସି ବିଷୟରେ ବୁଝିବାର ଶକ୍ତି ଦେଖାଏ, ସେ ସଫଳତା ପାଇବ ।” (ହିତୋପଦେଶ ୧୬:୨୦, NW) ବେଳେ ବେଳେ ଆପଣଙ୍କୁ ନିଜ ପିଲାମାନଙ୍କ କେବଳ କଥାକୁ ନୁହଁ, ବରଂ ସେମାନଙ୍କ ଶବ୍ଦଗୁଡ଼ିକ ପଛରେ ଥିବା ପ୍ରକୃତ ଭାବନାଗୁଡ଼ିକୁ ବୁଝିବାକୁ ହେବ । ସାଧାରଣତଃ, ପିଲାମାନେ କଥାକୁ ବଡ଼ କରି କହନ୍ତି କିମ୍ବା ଏପରି କଥା କହି ଦିଅନ୍ତି, ଯାହା ସେମାନେ କହିବାକୁ ଚାହାନ୍ତି ନାହିଁ । ‘ଯେ ଶୁଣିବା ପୂର୍ବରୁ ଉତ୍ତର ଦିଏ, ସେ ଅଜ୍ଞାନୀ ଅଟେ ।’ (ହିତୋପଦେଶ ୧୮:୧୩) ନିଜ ପିଲାଙ୍କ ଉପରେ ଶୀଘ୍ର ରାଗି ଯାଆନ୍ତୁ ନାହିଁ ।—ହିତୋପଦେଶ ୧୯:୧୧.
ଆପଣ କʼଣ କରିପାରିବେ:
ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣଙ୍କ ପିଲାମାନେ ଯାହା କିଛି କହନ୍ତୁ ନା କାହିଁକି, ଆପଣ ସେମାନଙ୍କ କଥାରେ କେବେ ମଧ୍ୟ ବାଧା ଦେବେ ନାହିଁ କିମ୍ବା ସେମାନଙ୍କ ଉପରେ ରାଗିବେ ନାହିଁ
ମନେପକାନ୍ତୁ ଯେ ଯେତେବେଳେ ଆପଣ ସେମାନଙ୍କ ବୟସର ଥିଲେ, ସେତେବେଳେ ଆପଣଙ୍କୁ କିପରି ଲାଗୁଥିଲା ଏବଂ ସେସମୟରେ ଆପଣଙ୍କ ପାଇଁ କʼଣ ଅଧିକ ମହତ୍ତ୍ୱ ଥିଲା
୩ ଆପଣ ଦୁହିଙ୍କ ନିଷ୍ପତ୍ତି ଗୋଟିଏ ଅଟେ ବୋଲି ପ୍ରମାଣ ଦିଅନ୍ତୁ
ବାଇବଲ କʼଣ କହେ: “ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ ।” (ହିତୋପଦେଶ ୧:୮) ବାପା ଓ ମାଆ ଦୁହିଙ୍କୁ ଯିହୋବା ନିଜ ପିଲାମାନଙ୍କ ଉପରେ ଅଧିକାର ଦେଇଛନ୍ତି । ଆପଣ ନିଜ ପିଲାମାନଙ୍କୁ ଆପଣଙ୍କ ସମ୍ମାନ କରିବା ଏବଂ ଆପଣଙ୍କର କଥା ମାନିବା ଶିଖାଇବା ଉଚିତ୍ । (ଏଫିସୀୟ ୬:୧-୩) ଯଦି ପିତାମାତାମାନେ ‘ଏକ ମନରେ ମିଳିତ’ ନ ହୁଅନ୍ତି, ତେବେ ତାହା ପିଲାମାନେ ଜାଣିପାରନ୍ତି । (୧ କରିନ୍ଥୀୟ ୧:୧୦) ଯଦି ଆପଣ ଦୁହେଁ କୌଣସି ବିଷୟରେ ପରସ୍ପର ସହିତ ଏକମତ ନ ହୁଅନ୍ତି, ତେବେ ପିଲାମାନଙ୍କ ଆଗରେ ସେବିଷୟରେ କଥା ହୁଅନ୍ତୁ ନାହିଁ, କାରଣ ଏପରି କରିବା ଦ୍ୱାରା ପିଲାମାନଙ୍କ ଦୃଷ୍ଟିରେ ଆପଣଙ୍କ ସମ୍ମାନ କମିଯାଇପାରେ ।
ଆପଣ କʼଣ କରିପାରିବେ:
ପରସ୍ପର ସହିତ କଥାବାର୍ତ୍ତା ହୁଅନ୍ତୁ ଏବଂ ଏହା ନିର୍ଣ୍ଣୟ କରନ୍ତୁ ଯେ ଆପଣ ନିଜ ପିଲାମାନଙ୍କୁ କିପରି ଅନୁଶାସନ ଦେବେ
ପିଲାମାନଙ୍କୁ ତାଲିମ୍ ଦେବା ବିଷୟରେ ଯଦି ଆପଣ ଦୁହିଙ୍କ ମତ ଭିନ୍ନ ଅଟେ, ତେବେ ନିଜ ଜୀବନସାଥୀଙ୍କ ଦୃଷ୍ଟିକୋଣକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ
୪ ଯୋଜନା ପ୍ରସ୍ତୁତ କରନ୍ତୁ
ବାଇବଲ କʼଣ କହେ: “ବାଳକକୁ ଏପରି ଶିକ୍ଷା ଦିଅ, ଯେଉଁ ବାଟରେ ସେ ଚାଲିବା ଉଚିତ୍ ।” (ହିତୋପଦେଶ ୨୨:୬, NW) ଆପଣଙ୍କ ପିଲାମାନଙ୍କୁ ଭଲ ଶିକ୍ଷା ଆପେ ଆପେ ମିଳିପାରିବ ନାହିଁ । ସେମାନଙ୍କୁ ତାଲିମ୍ ଦେବା ପାଇଁ ଆପଣଙ୍କୁ ଏକ ଭଲ ଯୋଜନା ପ୍ରସ୍ତୁତ କରିବାକୁ ହେବ, ଯେଉଁଥିରେ ସେମାନଙ୍କୁ ଅନୁଶାସନ ଦେବା ମଧ୍ୟ ସାମିଲ୍ ହେବା ଉଚିତ୍ । (ଗୀତସଂହିତା ୧୨୭:୪; ହିତୋପଦେଶ ୨୯:୧୭) ଅନୁଶାସନ ଦେବାର ଅର୍ଥ ଏହା ନୁହେଁ ଯେ କେବଳ ଦଣ୍ଡ ଦେବା । ବରଂ ଏଥିରେ ଏହା ମଧ୍ୟ ସାମିଲ୍ ଅଛି ଯେ ନିୟମଗୁଡ଼ିକ ପଛରେ ରହିଥିବା କାରଣଗୁଡ଼ିକୁ ବୁଝିବାରେ ନିଜ ପିଲାମାନଙ୍କୁ ସାହାଯ୍ୟ କରିବା । (ହିତୋପଦେଶ ୨୮:୭) ତାʼ ସହିତ, ସେମାନଙ୍କୁ ଯିହୋବାଙ୍କ ବାକ୍ୟକୁ ଭଲ ପାଇବା ଏବଂ ସେଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ବୁଝିବା ଶିଖାନ୍ତୁ । (ଗୀତସଂହିତା ୧:୨) ଏହାଦ୍ୱାରା ସେମାନଙ୍କ ବିବେକ ଭଲ ଓ ମନ୍ଦ ମଧ୍ୟରେ ପାର୍ଥକ୍ୟ କରିବା ଶିଖିବ ।—ଏବ୍ରୀ ୫:୧୪.
ଆପଣ କʼଣ କରିପାରିବେ:
ଈଶ୍ୱରଙ୍କୁ ଜଣେ ବାସ୍ତବିକ ବ୍ୟକ୍ତି ଭାବରେ ଦେଖିବା ପାଇଁ ଆପଣ ନିଜ ପିଲାମାନଙ୍କୁ ସାହାଯ୍ୟ କରନ୍ତୁ, ଯାହାଙ୍କ ଉପରେ ସେମାନେ ଭରସା କରିପାରିବେ
ମନ୍ଦ ଚାଲିଚଳନଗୁଡ଼ିକୁ ଚିହ୍ନିବା ଏବଂ ସେଥିରୁ ଦୂରେଇ ରହିବା ପିଲାମାନଙ୍କୁ ଶିଖାନ୍ତୁ, ଯେପରି—ଇଣ୍ଟରନେଟ୍ ଓ ସୋସିଅଲ୍ ନେଟ୍ୱର୍କରେ ଭରି ରହିଥିବା ଅନୈତିକତା । ସେମାନଙ୍କୁ ଶିଖାନ୍ତୁ ଯେ ଯେଉଁମାନେ ଅନ୍ୟମାନଙ୍କୁ ନିଜ ଯୌନ ଲାଳସାର ଶିକାର କରିନିଅନ୍ତି, ସେମାନଙ୍କଠାରୁ କିପରି ଦୂରେଇ ରହିପାରିବେ
“ବାଳକକୁ ଏପରି ଶିକ୍ଷା ଦିଅ, ଯେଉଁ ବାଟରେ ସେ ଚାଲିବା ଉଚିତ୍”