ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୯ ପୃଷ୍ଠା ୯୪-୧୦୪
  • କʼଣ ଜଗତର ଅନ୍ତ ପାଖେଇ ଆସିଛି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଜଗତର ଅନ୍ତ ପାଖେଇ ଆସିଛି ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ସ୍ୱର୍ଗରେ ଯୁଦ୍ଧ
  • ଶେଷକାଳ
  • ଶେଷକାଳରେ ଲୋକମାନେ କିପରି ହେବେ
  • ଶେଷକାଳରେ ଭଲ ଖବର
  • ଆପଣ କʼଣ କରିବେ ?
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ପୃଥିବୀର ବିନାଶ କେବେ ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ଏହା ହିଁ ଶେଷ କାଳ !
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୯ ପୃଷ୍ଠା ୯୪-୧୦୪

ନଅ ଅଧ୍ୟାୟ

କʼଣ ଜଗତର ଅନ୍ତ ପାଖେଇ ଆସିଛି ?

୧. ଭବିଷ୍ୟତ ବିଷୟରେ ଆମେ କେଉଁଠାରୁ ଜାଣିପାରିବା ?

କʼଣ ଆପଣ କେବେ ଜଗତର ଖବର ଦେଖିବା କିମ୍ବା ଶୁଣିବା ମାତ୍ରେ ଭାବିଛନ୍ତି ଯେ ‘କେଜାଣି ଏହି ଜଗତର ଆଗକୁ କʼଣ ହେବ ?’ ଆଜି ଏତେ ଦୁର୍ଦ୍ଦଶା ଓ ନିଷ୍ଠୁରତା ଭରି ରହିଛି ଯେ କିଛି ଲୋକ ବିଶ୍ୱାସ କରନ୍ତି: ଖୁବ୍‌ ଶୀଘ୍ର ଏହି ଜଗତର ଅନ୍ତ ହୋଇଯିବ । କʼଣ ସତରେ ଏପରି ହେବ ? ଭବିଷ୍ୟତରେ କʼଣ ହେବ, ତାହା ଜାଣିବାର କୌଣସି ଉପାୟ ରହିଛି କି ? ଭବିଷ୍ୟତରେ କʼଣ ହେବ କୌଣସି ମଣିଷ କହିପାରେ ନାହିଁ, କିନ୍ତୁ ଯିହୋବା ଈଶ୍ୱର କହିପାରନ୍ତି । ସେ ଆମକୁ ବାଇବଲରେ ଆମର ଭବିଷ୍ୟତ ଓ ପୃଥିବୀର ଭବିଷ୍ୟତ ବିଷୟରେ କହିଛନ୍ତି ।— ଯିଶାଇୟ ୪୬:୧୦; ଯାକୁବ ୪:୧୪.

୨, ୩. (କ) ଯୀଶୁଙ୍କ ଶିଷ୍ୟମାନେ କʼଣ ଜାଣିବାକୁ ଚାହୁଁଥିଲେ ? (ଖ) ଯୀଶୁ ସେମାନଙ୍କୁ କʼଣ ଉତ୍ତର ଦେଲେ ?

୨ ଯେତେବେଳେ ଆମେ ବାଇବଲରେ ଜଗତର ଅନ୍ତ ବିଷୟରେ ପଢ଼ିଥାଉ, ଏହାର ଅର୍ଥ ପୃଥିବୀ ଗ୍ରହର ବିନାଶ ନୁହଁ, ବରଂ ପୃଥିବୀରେ ଭରି ରହିଥିବା ଦୁଷ୍ଟତାର ବିନାଶ ଅଟେ । ଯୀଶୁ ଖ୍ରୀଷ୍ଟ ଲୋକଙ୍କୁ ଶିଖାଇଥିଲେ ଯେ ଈଶ୍ୱରଙ୍କ ରାଜ୍ୟ ଏହି ପୃଥିବୀ ଉପରେ ଶାସନ କରିବ । (ଲୂକ ୪:୪୩) ତାହାଙ୍କ ଶିଷ୍ୟମାନେ ଜାଣିବାକୁ ଚାହୁଁଥିଲେ ଯେ ଈଶ୍ୱରଙ୍କ ରାଜ୍ୟର ଶାସନ କେବେ ଆରମ୍ଭ ହେବ । ତେଣୁ ସେମାନେ ଯୀଶୁଙ୍କୁ ପଚାରିଲେ: ‘ଏସବୁ କେବେ ଘଟିବ, ପୁଣି ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କʼଣ ହେବ ?’ (ମାଥିଉ ୨୪:୩) ଯୀଶୁ ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦେଇ ନ ଥିଲେ, ବରଂ ସେ ସେମାନଙ୍କୁ କହିଥିଲେ ଯେ ଯୁଗାନ୍ତର ଠିକ୍‌ ପୂର୍ବରୁ କʼଣ କʼଣ ଘଟିବ । ଏପରି କʼଣ ଘଟିବ ବୋଲି ଯୀଶୁ କହିଥିଲେ, ଯାହା ବର୍ତ୍ତମାନ ଆମ ସମୟରେ ଘଟୁଛି ?

୩ ଏହି ଅଧ୍ୟାୟରେ ଆମେ ଏପରି ପ୍ରମାଣଗୁଡ଼ିକ ବିଷୟରେ ଆଲୋଚନା କରିବା, ଯାହା ଦେଖାଏ ଯେ ଆମେ କିପରି ଯୁଗାନ୍ତର ଠିକ୍‌ ପୂର୍ବ ସମୟରେ ବଞ୍ଚୁଅଛୁ । କିନ୍ତୁ ତାʼ ପୂର୍ବରୁ ଆମକୁ ସ୍ୱର୍ଗରେ ହୋଇଥିବା ଏକ ଯୁଦ୍ଧ ବିଷୟରେ ଜାଣିବାକୁ ହେବ, ଯାହା ଆମକୁ ବୁଝିବାରେ ସାହାଯ୍ୟ କରିବ ଯେ ପୃଥିବୀରେ ପରିସ୍ଥିତି କାହିଁକି ଏତେ ଖରାପ ହୋଇଯାଇଛି ।

ସ୍ୱର୍ଗରେ ଯୁଦ୍ଧ

୪, ୫. (କ) ଯୀଶୁ ରାଜା ହେବା ପରେ ତୁରନ୍ତ ସ୍ୱର୍ଗରେ କʼଣ ହେଲା ? (ଖ) ପ୍ରକାଶିତ ବାକ୍ୟ ୧୨:୧୨ ପଦ ଅନୁସାରେ ଶୟତାନକୁ ସ୍ୱର୍ଗରୁ ଫିଙ୍ଗି ଦିଆଯିବା ପରେ ପୃଥିବୀରେ କʼଣ ଘଟିଲା ?

୪ ଆମେ ୮ ଅଧ୍ୟାୟରେ ଶିଖିଲୁ ଯେ ୧୯୧୪ ମସିହାରେ ଯୀଶୁ ସ୍ୱର୍ଗରେ ରାଜା ହେଲେ । (ଦାନିୟେଲ ୭:୧୩, ୧୪) ତାʼପରେ କʼଣ ହେଲା ? ପ୍ରକାଶିତ ବାକ୍ୟ ଆମକୁ କହେ: “ସ୍ୱର୍ଗରେ ଯୁଦ୍ଧ ହେଲା, ମୀଖାୟେଲ [ଅର୍ଥାତ୍‌ ଯୀଶୁ] ଓ ତାହାଙ୍କ ଦୂତମାନେ ସେହି ସର୍ପ [ଶୟତାନ] ସହିତ ଯୁଦ୍ଧ କଲେ । ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ ।”a ଶୟତାନ ଓ ତାʼର ଦୂତମାନେ ଯୁଦ୍ଧରେ ହାରିଗଲେ ଏବଂ ସେମାନଙ୍କୁ ପୃଥିବୀକୁ ଫିଙ୍ଗି ଦିଆଗଲା । କଳ୍ପନା କରି ଦେଖନ୍ତୁ ଯେ ସ୍ୱର୍ଗଦୂତମାନେ କେତେ ଆନନ୍ଦିତ ହୋଇଥିବେ ! କିନ୍ତୁ ପୃଥିବୀରେ ଲୋକମାନଙ୍କ ବିଷୟରେ କʼଣ ? ବାଇବଲ କହେ ଯେ ମଣିଷଜାତି ପାଇଁ ଏକ ସମସ୍ୟାପୂର୍ଣ୍ଣ ସମୟ ଆରମ୍ଭ ହୋଇଗଲା । କାହିଁକି ? “କାରଣ ସମୟ ଅତି ଅଳ୍ପ ବୋଲି ଜାଣି” ଶୟତାନ ଅତି କ୍ରୋଧରେ ଅଛି ।— ପ୍ରକାଶିତ ବାକ୍ୟ ୧୨:୭, ୯, ୧୨.

୫ ଶୟତାନ ଏହି ପୃଥିବୀରେ ଯେତେ ସମସ୍ୟା ଆଣିପାରିବ, ସେ ଆଣିଚାଲିଛି । ସେ ଅତି ହିଂସ୍ର ପାଲଟିଛି, କାରଣ ଈଶ୍ୱର ତାକୁ ଖୁବ୍‌ ଶୀଘ୍ର ହଟାଇବେ ଏବଂ ତାʼ ପାଖରେ ଅତି ଅଳ୍ପ ସମୟ ରହିଛି । ଆସନ୍ତୁ ଆମେ ଦେଖିବା ଯେ ଶେଷ କାଳରେ କʼଣ କʼଣ ଘଟିବ ବୋଲି ଯୀଶୁ କହିଥିଲେ ।— ଅଧିକ ବିବରଣୀ-୨୪ ପଢ଼ନ୍ତୁ ।

ଶେଷକାଳ

୬, ୭. ଯୁଦ୍ଧ ଏବଂ ଦୁର୍ଭିକ୍ଷ ବିଷୟରେ ଯୀଶୁଙ୍କ ଭବିଷ୍ୟତବାଣୀ କିପରି ପୂରଣ ହୋଇଛି ?

୬ ଯୁଦ୍ଧ: ଯୀଶୁ କହିଲେ, “ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ ।” (ମାଥିଉ ୨୪:୭) ଇତିହାସର ଯେକୌଣସି ସମୟ ଅପେକ୍ଷା ଆମ ସମୟରେ ଅଧିକ ଲୋକ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଜଗତର ଘଟଣାଗୁଡ଼ିକ ଉପରେ ନଜର ରଖୁଥିବା ଗୋଟିଏ ସଂଗଠନର ଏକ ରିପୋର୍ଟ ଦେଖାଏ ଯେ ୧୯୧୪ ମସିହାଠାରୁ ଏପର୍ଯ୍ୟନ୍ତ ଯୁଦ୍ଧଗୁଡ଼ିକରେ ୧୦ କୋଟିରୁ ଅଧିକ ଲୋକ ମରିଛନ୍ତି । ପ୍ରଥମ ଶତାବ୍ଦୀଠାରୁ ୧୯୦୦ ମସିହା ପର୍ଯ୍ୟନ୍ତ ଯେତେ ଲୋକ ଯୁଦ୍ଧରେ ମରିଥିଲେ, ତାʼ ଅପେକ୍ଷା ତିନି ଗୁଣ ଅଧିକ ଲୋକ କେବଳ ୧୯୦୦ରୁ ୨୦୦୦ ମସିହା ମଧ୍ୟରେ, ଅର୍ଥାତ୍‌ ମାତ୍ର ୧୦୦ ବର୍ଷ ମଧ୍ୟରେ ମରିଛନ୍ତି । ଟିକିଏ କଳ୍ପନା କରି ଦେଖନ୍ତୁ ଯେ ଯୁଦ୍ଧ ଯୋଗୁଁ ଲକ୍ଷ ଲକ୍ଷ ଲୋକ କେତେ ଦୁର୍ଦ୍ଦଶା ଓ ପୀଡ଼ା ଭୋଗିଛନ୍ତି !

ଶେଷକାଳର ଦୃଶ୍ୟ: ଏକ ବୋମା ବିଷ୍ଫୋରଣ, ଖାଦ୍ୟାଭାବରେ ପୀତ ଏକ ଶିଶୁ, ଏକ ସାମରିକ ବିମାନ, ମିକମ୍ପ ପରେ ଜଣେ ବ୍ୟକ୍ତି ସାବଶେଷ ତଳେ ଚାପି ହୋଇଯାଇଛନ୍ତି

୭ ଦୁର୍ଭିକ୍ଷ: ଯୀଶୁ କହିଲେ, ‘ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ହେବ ।’ (ମାଥିଉ ୨୪:୭) ଯଦିଓ ଆଜି ଆଗ ଅପେକ୍ଷା ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରାଯାଉଛି, ତଥାପି ଅନେକ ଲୋକ ଯଥେଷ୍ଟ ଖାଇବାକୁ ପାଉ ନାହାନ୍ତି । କାହିଁକି ? କାରଣ ସେମାନଙ୍କ ପାଖରେ ନା ଖାଦ୍ୟ କିଣିବା ପାଇଁ ପଇସା ଅଛି ନା ଚାଷ କରିବା ପାଇଁ ଜମି ଅଛି । ଆଜି ୧୦୦ କୋଟିରୁ ଅଧିକ ଲୋକଙ୍କ ପାଖରେ ଗୋଟିଏ ବେଳା ଖାଇବା ପାଇଁ ପଇସା ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ ଯେ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁମାନେ ମୁଖ୍ୟତଃ ଏଥିପାଇଁ ପ୍ରାଣ ହରାନ୍ତି, କାରଣ ଭଲ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ମିଳେ ନାହିଁ ।

୮, ୯. ଭୂମିକମ୍ପ ଏବଂ ରୋଗ ବିଷୟରେ ଯୀଶୁଙ୍କ ଭବିଷ୍ୟତବାଣୀ କିପରି ପୂରଣ ହୋଇଛି ?

୮ ଭୂମିକମ୍ପ: ଯୀଶୁ ଭବିଷ୍ୟତବାଣୀ କରିଥିଲେ, ‘ମହା ଭୂମିକମ୍ପ ହେବ ।’ (ଲୂକ ୨୧:୧୧) ବିଶେଷଜ୍ଞମାନେ କହନ୍ତି ଯେ ପ୍ରତିବର୍ଷ ଅନେକ ଶକ୍ତିଶାଳୀ ଭୂମିକମ୍ପ ହୋଇପାରେ । ୧୯୦୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ କେବଳ ଭୂମିକମ୍ପ ଯୋଗୁଁ ପ୍ରାଣ ହରାଇଛନ୍ତି । ଯଦିଓ ଆଜି ଟେକ୍ନୋଲୋଜି ସାହାଯ୍ୟରେ ଭୂମିକମ୍ପ ଆସିବାର ପୂର୍ବରୁ ଏବିଷୟରେ ଆଗ ଅପେକ୍ଷା ଶୀଘ୍ର ଅନୁମାନ କରାଯାଇପାରୁଛି, ତଥାପି ବହୁସଂଖ୍ୟାରେ ଲୋକ ପ୍ରାଣ ହରାଇଥାʼନ୍ତି ।

୯ ରୋଗ: ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ “ମହାମାରୀ” ହେବ । ଭୟଙ୍କର ରୋଗଗୁଡ଼ିକ ଦ୍ରୁତ ବେଗରେ ବ୍ୟାପିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବ । (ଲୂକ ୨୧:୧୧) ଯଦିଓ ଡାକ୍ତରମାନେ ଅନେକ ରୋଗଗୁଡ଼ିକର ନୂଆ ନୂଆ ଚିକିତ୍ସା ପଦ୍ଧତି ଆବିଷ୍କାର କରିଛନ୍ତି, ତଥାପି ଏପରି ଅନେକ ରୋଗ ରହିଛି ଯେଉଁଗୁଡ଼ିକର କୌଣସି ଚିକିତ୍ସା ନାହିଁ । ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଟିବି, ମ୍ୟାଲେରିଆ ଓ ହଇଜା ଭଳି ରୋଗଗୁଡ଼ିକ ଯୋଗୁଁ ମରିଥାʼନ୍ତି । କେବଳ ସେତିକି ନୁହଁ, ଡାକ୍ତରମାନେ ୩୦ଟି ଆହୁରି ନୂଆ ରୋଗ ବିଷୟରେ ଜାଣିବାକୁ ପାଇଛନ୍ତି ଏବଂ ସେଗୁଡ଼ିକ ମଧ୍ୟରୁ କେତେକ ରୋଗର କୌଣସି ଚିକିତ୍ସା ନାହିଁ ।

ଶେଷକାଳରେ ଲୋକମାନେ କିପରି ହେବେ

ଶେଷକାଳର ଦୃଶ୍ୟ: ରୋଗରେ ପୀତ ଜଣେ ମହିଳା, ଲୋକମାନେ ଧନସମ୍ପତ୍ତି ଏକାଠି କରିବାରେ ଓ ସୁଖବିଳାସରେ ଲି ଅଛନ୍ତି, ସମସ୍ୟାରେ ଭରା ଏକ ପରିବାର, ଯୁଦ୍ଧ କ୍ଷେତରେ ସୈନିକ ଦଳ

୧୦. ବାଇବଲର ୨ ତୀମଥି ୩:୧-୫ ପଦରେ ଥିବା ଭବିଷ୍ୟତବାଣୀ ଆଜି କିପରି ପୂରଣ ହେଉଛି ?

୧୦ ବାଇବଲର ୨ ତୀମଥି ୩:୧-୫ ପଦରେ କୁହାଯାଇଛି: “ଶେଷକାଳରେ ଭୀଷଣ ସମୟ ଉପସ୍ଥିତ ହେବ ।” ପାଉଲ ଲେଖିଥିଲେ ଯେ ଶେଷକାଳରେ ଲୋକମାନଙ୍କର ଆଚରଣ କିପରି ହେବ । ସେ କହିଥିଲେ, ଲୋକମାନେ

  • ସ୍ୱାର୍ଥପର ହେବେ

  • ଧନଲୋଭୀ ହେବେ

  • ପିତାମାତାଙ୍କ କଥା ମାନିବେ ନାହିଁ

  • ବିଶ୍ୱାସଘାତକ ହେବେ

  • ନିଜ ପରିବାର ପ୍ରତି ସ୍ନେହଭାବ ରଖିବେ ନାହିଁ

  • ଆତ୍ମସଂଯମୀ ହେବେ ନାହିଁ

  • କ୍ରୋଧୀ ଓ ହିଂସ୍ର ହେବେ

  • ଈଶ୍ୱରଙ୍କ ଅପେକ୍ଷା ଭୋଗବିଳାସକୁ ଅଧିକ ଭଲ ପାଇବେ

  • ଈଶ୍ୱରଙ୍କୁ ପ୍ରେମ କରିବାର ବାହାନା କରିବେ, କିନ୍ତୁ ତାହାଙ୍କୁ ଜୀବନରେ ଅସ୍ୱୀକାର କରିବେ

୧୧. ଗୀତସଂହିତା ୯୨:୭ ପଦ ଅନୁସାରେ ଦୁଷ୍ଟଲୋକମାନଙ୍କର କʼଣ ହେବ ?

୧୧ ଆପଣ ଯେଉଁଠି ରହନ୍ତି, ତାʼର ଆଖପାଖରେ ଲୋକେ କʼଣ ଏପରି ଆଚରଣ କରନ୍ତି ? ସାରା ପୃଥିବୀରେ ଏପରି ଲୋକ ଭରି ରହିଛନ୍ତି । କିନ୍ତୁ ଈଶ୍ୱର ଖୁବ୍‌ ଶୀଘ୍ର ଏହା ପାଇଁ ପଦକ୍ଷେପ ନେବେ । ସେ ପ୍ରତିଜ୍ଞା କରନ୍ତି: “ଯେତେବେଳେ ଦୁଷ୍ଟଗଣ ତୃଣ ପରି ଅଙ୍କୁରିତ ଓ ଅଧର୍ମାଚାରୀମାନେ ପ୍ରଫୁଲ୍ଲ ହୁଅନ୍ତି, ସେତେବେଳେ ସେମାନଙ୍କ ନିତ୍ୟସ୍ଥାୟୀ ବିନାଶ ନିମନ୍ତେ ସେପରି ହୁଏ ।”— ଗୀତସଂହିତା ୯୨:୭.

ଶେଷକାଳରେ ଭଲ ଖବର

୧୨, ୧୩. ଶେଷକାଳରେ ଯିହୋବା ଆମକୁ କʼଣସବୁ ଶିଖାଇଛନ୍ତି ?

୧୨ ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଶେଷକାଳରେ ଜଗତ ଦୁଃଖକଷ୍ଟ ଓ ଯନ୍ତ୍ରଣାରେ ଭରିଯିବ । କିନ୍ତୁ ବାଇବଲ ଏହା ମଧ୍ୟ କହେ ଯେ ଏହି ସମୟରେ ଭଲ କାମଗୁଡ଼ିକ ମଧ୍ୟ ହେବ ।

ଯିହୋବାଙ୍କ ସାକ୍ଷୀମାନେ ସାରା ବୀରେ ରାଜ୍ୟର ସୁସମାଚାର ଚାର କରୁଛନ୍ତି

“ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।”— ମାଥିଉ ୨୪:୧୪

୧୩ ବାଇବଲ ବିଷୟରେ ସଠିକ୍‌ ଜ୍ଞାନର ବୃଦ୍ଧି ହେବ । ଭବିଷ୍ୟଦ୍‌ବକ୍ତା ଦାନିୟେଲ ଶେଷକାଳ ବିଷୟରେ ଲେଖିଥିଲେ । ସେ କହିଥିଲେ: ଶେଷକାଳରେ “ଜ୍ଞାନର ବୃଦ୍ଧି ହେବ ।” (ଦାନିୟେଲ ୧୨:୪) ଈଶ୍ୱର ନିଜ ଲୋକମାନଙ୍କୁ ବାଇବଲକୁ ସ୍ପଷ୍ଟ ଭାବେ ବୁଝିବା ପାଇଁ ଏପରି ସାମର୍ଥ୍ୟ ଦେଇଥାʼନ୍ତେ, ଯେପରି ସେ ଆଗରୁ କେବେ ମଧ୍ୟ ଦେଇ ନ ଥିଲେ । ଯିହୋବା ଏହା ବିଶେଷ କରି ୧୯୧୪ ମସିହାଠାରୁ କରିଆସୁଛନ୍ତି । ଉଦାହରଣସ୍ୱରୂପ, ସେ ଆମକୁ ତାହାଙ୍କ ନାମର ମହତ୍ତ୍ୱ ଏବଂ ପୃଥିବୀ ପାଇଁ ତାହାଙ୍କ ଉଦ୍ଦେଶ୍ୟ ବିଷୟରେ ଶିଖାଇଛନ୍ତି । ତାʼ ସହିତ, ମୁକ୍ତିର ମୂଲ୍ୟ, ମୃତ୍ୟୁ ପରେ ଆମର କʼଣ ହୁଏ ଓ ପୁନରୁତ୍ଥାନ ବିଷୟରେ ସତ୍ୟତା ଶିଖାଇଛନ୍ତି । ଆମେ ଶିଖିଛୁ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ଆମ ସମସ୍ତ ସମସ୍ୟାଗୁଡ଼ିକର ସମାଧାନ କରିପାରିବ । ଆମେ ଏହା ମଧ୍ୟ ଶିଖିଛୁ ଯେ ଜୀବନରେ କିପରି ପ୍ରକୃତ ଖୁସି ପାଇପାରିବା ଏବଂ ନିଜ ଦୈନନ୍ଦିନ ଜୀବନରେ କିପରି ଈଶ୍ୱରଙ୍କୁ ଖୁସି କରିପାରିବା । କିନ୍ତୁ ଈଶ୍ୱରଙ୍କ ସେବକମାନେ ଯାହା ଶିଖିଛନ୍ତି, ତାହା ସେମାନଙ୍କୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଏ ? ଅନ୍ୟ ଏକ ଭବିଷ୍ୟତବାଣୀ ଏହାର ଉତ୍ତର ଦେଇଥାଏ ।— ଅଧିକ ବିବରଣୀ-୨୧, ୨୫ ଦେଖନ୍ତୁ ।

୧୪. ରାଜ୍ୟର ସୁସମାଚାର କେତୋଟି ଦେଶ ଓ ଦ୍ୱୀପଗୁଡ଼ିକରେ ପ୍ରଚାର କରାଯାଉଛି ଏବଂ କେଉଁମାନେ ଏହା ପ୍ରଚାର କରୁଛନ୍ତି ?

୧୪ ବିଶ୍ୱବ୍ୟାପୀ ପ୍ରଚାର କାମ ହେବ । ଶେଷକାଳ ବିଷୟରେ କହିବାକୁ ଯାଇ ଯୀଶୁ କହିଲେ: “ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।” (ମାଥିଉ ୨୪:୩, ୧୪) ଆଜି ରାଜ୍ୟର ସୁସମାଚାରକୁ ୨୩୦ରୁ ଅଧିକ ଦେଶ ଓ ଦ୍ୱୀପଗୁଡ଼ିକରେ ଏବଂ ୭୦୦ରୁ ଅଧିକ ଭାଷାରେ ପ୍ରଚାର କରାଯାଉଛି । ସାରା ପୃଥିବୀରେ ‘ସବୁ ଜାତି ଓ ସବୁ ଗୋଷ୍ଠୀରୁ’ ଯିହୋବାଙ୍କ ସାକ୍ଷୀମାନେ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ଏବଂ ଏହା ମାନବଜାତି ପାଇଁ କʼଣ କରିବ, ତାହା ବୁଝିବା ପାଇଁ ସାହାଯ୍ୟ କରୁଛନ୍ତି । (ପ୍ରକାଶିତ ବାକ୍ୟ ୭:୯) ସେମାନେ ଏହି କାମ ପାଇଁ ପଇସାପତ୍ର ନିଅନ୍ତି ନାହିଁ । ଆଉ, ଠିକ୍‌ ଯେପରି ଯୀଶୁ ଭବିଷ୍ୟତବାଣୀ କରିଥିଲେ, ଅନେକ ଲୋକ ସେମାନଙ୍କୁ ଘୃଣା କରନ୍ତି ଏବଂ ନିର୍ଯ୍ୟାତନା ଦିଅନ୍ତି । (ଲୂକ ୨୧:୧୭) କିନ୍ତୁ ସେମାନଙ୍କ ପ୍ରଚାର କାମକୁ କୌଣସି ଶକ୍ତି ବନ୍ଦ କରିପାରିବ ନାହିଁ !

ଆପଣ କʼଣ କରିବେ ?

୧୫. (କ) କʼଣ ଆପଣ ବିଶ୍ୱାସ କରନ୍ତି ଯେ ଆମେ ଶେଷକାଳରେ ବଞ୍ଚୁଅଛୁ ? ଯଦି ହଁ, ତେବେ କାହିଁକି ? (ଖ) ଯେଉଁମାନେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତି ଏବଂ ଯେଉଁମାନେ ପାଳନ କରନ୍ତି ନାହିଁ, ସେମାନଙ୍କର କʼଣ ହେବ ?

୧୫ କʼଣ ଆପଣ ବିଶ୍ୱାସ କରନ୍ତି ଯେ ଆମେ ଶେଷକାଳରେ ବଞ୍ଚୁଅଛୁ ? ଶେଷକାଳ ବିଷୟରେ ବାଇବଲର ଅନେକଗୁଡ଼ିଏ ଭବିଷ୍ୟତବାଣୀ ଆଜି ପୂରଣ ହେଉଛି । ଯିହୋବା ଖୁବ୍‌ ଶୀଘ୍ର ସୁସମାଚାର ପ୍ରଚାର କାମକୁ ବନ୍ଦ କରିବା ପାଇଁ ଆଦେଶ ଦେବେ ଏବଂ ତାʼପରେ ତୁରନ୍ତ “ଯୁଗାନ୍ତ” ଆସିବ । (ମାଥିଉ ୨୪:୧୪) ଏହି ଯୁଗାନ୍ତ ବା ହର୍ମିଗିଦ୍ଦୋନ୍‌ରେ ଈଶ୍ୱର ସମସ୍ତ ଦୁଷ୍ଟତାକୁ ହଟାଇ ଦେବେ । ଯେକେହି ଯିହୋବାଙ୍କ ଏବଂ ତାହାଙ୍କ ପୁତ୍ରଙ୍କ ଆଜ୍ଞାକୁ ପାଳନ କରିବା ପାଇଁ ଅସ୍ୱୀକାର କରିବ, ଯିହୋବା ତାକୁ ବିନାଶ କରିବା ପାଇଁ ଯୀଶୁଙ୍କୁ ଏବଂ ତାହାଙ୍କ ଶକ୍ତିଶାଳୀ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରିବେ । (୨ ଥେସଲନୀକୀୟ ୧:୬-୯) ତାʼପରେ ଶୟତାନ ଓ ତାʼର ଦୁଷ୍ଟ ଦୂତମାନେ ଆଉ ଲୋକମାନଙ୍କୁ ପଥଭ୍ରଷ୍ଟ କରିପାରିବେ ନାହିଁ । ତାʼ ଛଡ଼ା, ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବାକୁ ଚାହାନ୍ତି ଏବଂ ତାହାଙ୍କ ରାଜ୍ୟକୁ ସ୍ୱୀକାର କରନ୍ତି, ସେମାନେ ସମସ୍ତେ ଈଶ୍ୱରଙ୍କ ପ୍ରତ୍ୟେକ ପ୍ରତିଜ୍ଞାକୁ ବାସ୍ତବରେ ପରିଣତ ହେବାର ଦେଖିବେ ।— ପ୍ରକାଶିତ ବାକ୍ୟ ୨୦:୧-୩; ୨୧:୩-୫.

୧୬. ଯେହେତୁ ଯୁଗାନ୍ତ ଅତି ନିକଟରେ ଅଛି, ଆପଣଙ୍କୁ କʼଣ କରିବାକୁ ହେବ ?

୧୬ ଶୟତାନ ଦ୍ୱାରା ଶାସିତ ଏହି ଜଗତର ଖୁବ୍‌ ଶୀଘ୍ର ସମାପ୍ତି ହେବ । ତେଣୁ ଏହା ଅତି ଜରୁରୀ ଅଟେ ଯେ ଆମେ ନିଜକୁ ପଚାରିବା ଉଚିତ୍‌: ‘ମୋତେ କʼଣ କରିବାକୁ ହେବ ?’ ଯିହୋବା ଚାହାନ୍ତି ଯେ ଆପଣ ବାଇବଲରୁ ଅଧିକରୁ ଅଧିକ ଶିଖନ୍ତୁ । ଅତଏବ, ଆପଣ ନିଜ ବାଇବଲ ଅଧ୍ୟୟନକୁ ଅତି ଗୁରୁତର ଭାବେ ନେବା ଉଚିତ୍‌ । (ଯୋହନ ୧୭:୩) ବାଇବଲକୁ ବୁଝିବାରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହରେ ସଭାଗୁଡ଼ିକର ଆୟୋଜନ କରନ୍ତି । ସେହି ସଭାଗୁଡ଼ିକରେ ନିୟମିତ ଭାବେ ଉପସ୍ଥିତ ହେବା ପାଇଁ ଚେଷ୍ଟା କରନ୍ତୁ । (ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।) ଯଦି ଆପଣ ଜାଣିବାକୁ ପାʼନ୍ତି ଯେ ଆପଣଙ୍କୁ ନିଜ ଜୀବନରେ ପରିବର୍ତ୍ତନ କରିବାକୁ ହେବ, ତେବେ ଏଥିରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରିଚାଲିବେ, ତେବେ ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତା ଆହୁରି ମଜବୁତ୍‌ ହେବ ।— ଯାକୁବ ୪:୮.

୧୭. ଯେତେବେଳେ ଯୁଗାନ୍ତ ଆସିବ, ଅଧିକାଂଶ ଲୋକେ କାହିଁକି ଆଶ୍ଚର୍ଯ୍ୟ ହେବେ ?

୧୭ ପାଉଲ କହିଥିଲେ ଯେ ଦୁଷ୍ଟଲୋକଙ୍କ ଉପରେ ବିନାଶ “ରାତ୍ରିରେ ଚୋର ଆସିଲା ପରି” ଆସିବ, ଅର୍ଥାତ୍‌ ଏହା ଏପରି ସମୟରେ ଆସିବ, ଯେତେବେଳେ ଅଧିକାଂଶ ଲୋକ ଏହା ଆଶା କରି ନ ଥିବେ । (୧ ଥେସଲନୀକୀୟ ୫:୨) ଆମେ ଯେ ଅନ୍ତିମ କାଳରେ ବଞ୍ଚୁଅଛୁ, ଅଧିକାଂଶ ଲୋକ ଏହାର ପ୍ରମାଣଗୁଡ଼ିକୁ ଅସ୍ୱୀକାର କରିବେ ବୋଲି ଯୀଶୁ ଖ୍ରୀଷ୍ଟ ଭବିଷ୍ୟତବାଣୀ କରିଥିଲେ । ସେ କହିଥିଲେ: ‘ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ [କିମ୍ବା ଶେଷକାଳରେ] ସେପ୍ରକାର ଘଟିବ । କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ଲିପ୍ତ ଥିଲେ, ପୁଣି ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାରେ ହେବ ।’— ମାଥିଉ ୨୪:୩୭-୩୯.

୧୮. ଯୀଶୁ ଆମକୁ କିପରି ସତର୍କ କରାଇଥିଲେ ?

୧୮ ଯୀଶୁ ସତର୍କ କରାଇଥିଲେ ଯେ ଆମେ “ଲମ୍ପଟତା, ମଦ୍ୟପାନ ଓ ଜୀବନର ନାନାଦି ଦୁଃଶ୍ଚିନ୍ତାରେ” ପଥଭ୍ରଷ୍ଟ ହେବା ଅନୁଚିତ୍‌ । ସେ କହିଥିଲେ ଯେ ଯୁଗାନ୍ତ ହଠାତ୍‌ ଏକ “ଫାନ୍ଦ ପରି” ଆସିବ । ସେ ଏହା ମଧ୍ୟ କହିଥିଲେ ଯେ ଏହି ଯୁଗାନ୍ତ “ସମଗ୍ର ପୃଥିବୀ ପୃଷ୍ଠରେ ବାସ କରୁଥିବା ସମସ୍ତଙ୍କ ଉପରେ ଆସିବ ।” ତାʼପରେ ସେ ପୁଣି କହିଲେ: “ସର୍ବଦା ଜାଗ୍ରତ ଥାଅ ଏବଂ ଯାହାସବୁ ଘଟିବାକୁ ଯାଉଛି, ସେଥିରୁ ତୁମେ ଯେପରି ଉଦ୍ଧାର ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହେବ, ଏଥିପାଇଁ ପ୍ରାର୍ଥନା କର ।” (ଲୂକ ୨୧:୩୪-୩୬, NIBV) ଯୀଶୁଙ୍କ ଚେତାବନୀକୁ ମାନିବା କାହିଁକି ଏତେ ଜରୁରୀ ଅଟେ ? କାରଣ ଖୁବ୍‌ ଶୀଘ୍ର ଶୟତାନର ଦୁଷ୍ଟ ଜଗତକୁ ବିନାଶ କରାଯିବ । ଯେଉଁମାନେ ଯିହୋବା ଏବଂ ଯୀଶୁଙ୍କ ମଞ୍ଜୁରି ପାଆନ୍ତି, କେବଳ ସେମାନେ ଏହି ଯୁଗାନ୍ତରୁ ରକ୍ଷା ପାଇବେ ଏବଂ ପାରଦୀଶରେ ଚିରଦିନ ପାଇଁ ଜୀବିତ ରହିବେ ।— ଯୋହନ ୩:୧୬; ୨ ପିତର ୩:୧୩.

a ମୀଖାୟେଲ ଯୀଶୁ ଖ୍ରୀଷ୍ଟଙ୍କର ଅନ୍ୟ ନାମ ଅଟେ । ଅଧିକ ଜାଣିବା ପାଇଁ ଅଧିକ ବିବରଣୀ-୨୩ ପଢ଼ନ୍ତୁ ।

ସାରାଂଶ

ସତ୍ୟ-୧: ଯିହୋବା ଆମକୁ ଭବିଷ୍ୟତ ବିଷୟରେ କହନ୍ତି

‘ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ଘଟି ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ ।’— ଯିଶାଇୟ ୪୬:୧୦

ଜଗତର ଶେଷକାଳ ବିଷୟରେ ଆମେ କʼଣ ଜାଣୁ ?

  • ଦାନିୟେଲ ୭:୧୩, ୧୪

    ୧୯୧୪ ମସିହାରେ ଯୀଶୁ ସ୍ୱର୍ଗରେ ରାଜା ହେଲେ ।

  • ମାଥିଉ ୨୪:୩-୧୪

    ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ମାନବଜାତି ପାଇଁ ଘୋର ସଂକଟର ସମୟ ଆସିବ ।

  • ପ୍ରକାଶିତ ବାକ୍ୟ ୧୨:୭-୯, ୧୨

    ଯୀଶୁ ରାଜା ହେବାର ତୁରନ୍ତ ପରେ ଶୟତାନକୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦେଲେ । ଶୟତାନ ଅତି ହିଂସ୍ର ପାଲଟିଛି, କାରଣ ଈଶ୍ୱର ତାକୁ ଖୁବ୍‌ ଶୀଘ୍ର ହଟାଇବେ ଏବଂ ତାʼ ପାଖରେ “ସମୟ ଅତି ଅଳ୍ପ” ରହିଛି ।

ସତ୍ୟ-୨: ଆମେ ଜଗତର ଶେଷକାଳରେ ବଞ୍ଚୁଅଛୁ

‘ଯୁଗାନ୍ତର ଲକ୍ଷଣ କʼଣ ହେବ ?’— ମାଥିଉ ୨୪:୩

କʼଣ ଆପଣ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରଣ ହେଉଥିବାର ଦେଖି ପାରୁଛନ୍ତି ?

  • ମାଥିଉ ୨୪:୭; ଲୂକ ୨୧:୧୧

    ଆଜି ଯୁଦ୍ଧ, ଦୁର୍ଭିକ୍ଷ, ଭୂମିକମ୍ପ ଓ ରୋଗ ଯେତେ ମାତ୍ରାରେ ହେଉଛି, ଆଗରୁ ଏପରି କେବେ ମଧ୍ୟ ହୋଇ ନ ଥିଲା ।

  • ୨ ତୀମଥି ୩:୧-୫

    ପାଉଲ ଲେଖିଥିଲେ ଯେ ଶେଷକାଳରେ ଲୋକମାନଙ୍କର ଆଚରଣ କିପରି ହେବ ।

  • ଦାନିୟେଲ ୧୨:୪

    ଈଶ୍ୱର ନିଜ ଲୋକମାନଙ୍କୁ ଆଜି ବାଇବଲକୁ ଏପରି ସ୍ପଷ୍ଟ ଭାବେ ବୁଝିବା ପାଇଁ ସାହାଯ୍ୟ କରୁଛନ୍ତି, ଯେପରି ସେ ଆଗରୁ କେବେ ମଧ୍ୟ କରି ନ ଥିଲେ ।

  • ମାଥିଉ ୨୪:୧୪

    ରାଜ୍ୟର ସୁସମାଚାର ସାରା ପୃଥିବୀରେ ପ୍ରଚାର କରାଯାଉଛି ।

ସତ୍ୟ-୩: ଯିହୋବାଙ୍କୁ ଖୁସି କରିବା ପାଇଁ ବର୍ତ୍ତମାନ ପଦକ୍ଷେପ ନିଅନ୍ତୁ

‘ରାତିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଆସିବ ।’— ୧ ଥେସଲନୀକୀୟ ୫:୨

ଯେହେତୁ ଯୁଗାନ୍ତ ଅତି ନିକଟରେ ଅଛି, ଆପଣଙ୍କୁ କʼଣ କରିବାକୁ ହେବ ?

  • ଯୋହନ ୧୭:୩

    ବାଇବଲ ବିଷୟରେ ଅଧିକରୁ ଅଧିକ ଶିଖିବା ଜାରି ରଖନ୍ତୁ ।

  • ଏବ୍ରୀ ୧୦:୨୪, ୨୫

    ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକରେ ଉପସ୍ଥିତ ହୋଇ ଅଧିକରୁ ଅଧିକ ଶିଖନ୍ତୁ ।

  • ଯାକୁବ ୪:୮

    ନିଜ ଜୀବନରେ ଜରୁରୀ ପରିବର୍ତ୍ତନ କରନ୍ତୁ, ଯାହାଫଳରେ ଆପଣ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବେ ।

  • ଲୂକ ୨୧:୩୪-୩୬

    ପଥଭ୍ରଷ୍ଟ ହୁଅନ୍ତୁ ନାହିଁ ଏବଂ ଯିହୋବାଙ୍କ ଉପାସନାକୁ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ