ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୧୨ ପୃଷ୍ଠା ୧୨୪-୧୩୪
  • ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବା ନିଜ ମିତ୍ରମାନଙ୍କୁ ରକ୍ଷା କରନ୍ତି
  • ଶୟତାନର ଅଭିଯୋଗ
  • ଆୟୁବଙ୍କ ଜୀବନରେ ଶୟତାନ ସମସ୍ୟା ଆଣିଲା
  • ଶୟତାନ ଆପଣଙ୍କ ଉପରେ ମଧ୍ୟ ଦୋଷାରୋପ କରିଛି
  • ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ
  • ଯିହୋବା ଯେଉଁ କାମଗୁଡ଼ିକୁ ଭଲ ପାʼନ୍ତି, ସେଗୁଡ଼ିକୁ ଭଲ ପାʼନ୍ତୁ
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆୟୁବ କିଏ ଥିଲେ ?
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆୟୁବ ନିଜ ସଚ୍ଚୋଟତା ବଜାୟ ରଖିଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୧୨ ପୃଷ୍ଠା ୧୨୪-୧୩୪

ବାର ଅଧ୍ୟାୟ

ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?

୧, ୨. ଯିହୋବାଙ୍କର ମିତ୍ରମାନଙ୍କ ମଧ୍ୟରୁ କେତେକଙ୍କ ନାମ କʼଣ ?

ଆପଣ କାହା ସହିତ ମିତ୍ରତା କରିବାକୁ ପସନ୍ଦ କରନ୍ତି ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯାହା ସହିତ ଆପଣଙ୍କ ଭଲ ପଟେ, ଯାହାକୁ ଆପଣଙ୍କୁ ଭଲ ଲାଗେ, ଯାହାର ସ୍ୱଭାବ ଭଲ ହୋଇଥାଏ ଏବଂ ଯାହାଠାରେ ଭଲ ଗୁଣଗୁଡ଼ିକ ରହିଥାଏ ।

୨ ଯିହୋବା ଈଶ୍ୱର ମଣିଷମାନଙ୍କ ମଧ୍ୟରୁ କେତେକଙ୍କୁ ନିଜ ମିତ୍ର ଭାବେ ବାଛନ୍ତି । ଉଦାହରଣସ୍ୱରୂପ, ପ୍ରାଚୀନ କାଳରେ ଅବ୍ରହାମ ଯିହୋବାଙ୍କ ମିତ୍ର ଥିଲେ । (ଯିଶାଇୟ ୪୧:୮; ଯାକୁବ ୨:୨୩) ଦାଉଦଙ୍କୁ ମଧ୍ୟ ଯିହୋବା ଭଲ ପାଉଥିଲେ । ଯିହୋବା ଦାଉଦଙ୍କ ବିଷୟରେ କହିଲେ: ‘ସେ ଆମ୍ଭର ମନ ପସନ୍ଦ ବ୍ୟକ୍ତି’ ଅଟେ । (ପ୍ରେରିତ ୧୩:୨୨) ଭବିଷ୍ୟଦ୍‌ବକ୍ତା ଦାନିୟେଲ ମଧ୍ୟ ଯିହୋବାଙ୍କ ପାଇଁ “ଅତ୍ୟନ୍ତ ପ୍ରିୟପାତ୍ର” ଥିଲେ ।— ଦାନିୟେଲ ୯:୨୩.

୩. ଅବ୍ରହାମ, ଦାଉଦ ଓ ଦାନିୟେଲ କିପରି ଯିହୋବାଙ୍କର ମିତ୍ର ହେଲେ ?

୩ ଅବ୍ରହାମ, ଦାଉଦ ଓ ଦାନିୟେଲ କିପରି ଯିହୋବାଙ୍କ ମିତ୍ର ହେଲେ ? ଯିହୋବା ଅବ୍ରହାମଙ୍କୁ କହିଥିଲେ: “ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ ।” (ଆଦି ପୁସ୍ତକ ୨୨:୧୮) ହଁ, ଯିହୋବା ଏପରି ଲୋକଙ୍କ ମିତ୍ର ହୁଅନ୍ତି, ଯେଉଁମାନେ ନମ୍ରତାର ସହିତ ତାହାଙ୍କ ଆଜ୍ଞା ପାଳନ କରିଥାʼନ୍ତି । ଏପରିକି ଗୋଟିଏ ସମଗ୍ର ରାଷ୍ଟ୍ର ମଧ୍ୟ ତାହାଙ୍କ ମିତ୍ର ହୋଇପାରିଥିଲା । ସେହି ରାଷ୍ଟ୍ର ଇସ୍ରାଏଲକୁ ଯିହୋବା କହିଲେ: ‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କର, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ।’ (ଯିରିମୀୟ ୭:୨୩, ଇଜି-ଟୁ-ରିଡ୍‌ ଭର୍ସନ) ଅତଏବ, ଯଦି ଆପଣ ପ୍ରକୃତରେ ଯିହୋବାଙ୍କ ମିତ୍ର ହେବାକୁ ଚାହାନ୍ତି, ତେବେ ଆପଣଙ୍କୁ ତାହାଙ୍କ ଆଜ୍ଞା ପାଳନ କରିବାକୁ ହେବ ।

ଯିହୋବା ନିଜ ମିତ୍ରମାନଙ୍କୁ ରକ୍ଷା କରନ୍ତି

୪, ୫. ଯିହୋବା ନିଜ ମିତ୍ରମାନଙ୍କୁ କିପରି ରକ୍ଷା କରନ୍ତି ?

୪ ବାଇବଲ କହେ ଯେ ଯିହୋବାଙ୍କ ପ୍ରତି ‘ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣା ବଳ ଦେଖାଇବା ପାଇଁ’ ଯିହୋବା ସୁଯୋଗ ଖୋଜିଥାʼନ୍ତି । (୨ ବଂଶାବଳୀ ୧୬:୯) ଗୀତସଂହିତା ୩୨:୮ ପଦରେ ଯିହୋବା ନିଜ ମିତ୍ରମାନଙ୍କୁ ପ୍ରତିଜ୍ଞା କରି କହନ୍ତି: “ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା [ପରାମର୍ଶ] ଦେବି ।”

୫ ଆମର ଗୋଟିଏ ଶକ୍ତିଶାଳୀ ଶତ୍ରୁ ରହିଛି, ଯିଏ ଈଶ୍ୱରଙ୍କ ସହିତ ଥିବା ଆମ ମିତ୍ରତାକୁ ଭାଙ୍ଗିବାକୁ ଚାହେଁ । କିନ୍ତୁ ଯିହୋବା ଆମକୁ ତାʼଠାରୁ ରକ୍ଷା କରିବାକୁ ଚାହାନ୍ତି । (ଗୀତସଂହିତା ୫୫:୨୨ ପଢ଼ନ୍ତୁ ।) ଯିହୋବାଙ୍କ ମିତ୍ର ହିସାବରେ ଆମେ ସମ୍ପୂର୍ଣ୍ଣ ହୃଦୟର ସହିତ ତାହାଙ୍କ ସେବା କରୁ । ଏପରିକି କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆମେ ତାହାଙ୍କ ବିଶ୍ୱସ୍ତ ରହୁ । ଗୀତସଂହିତାର ଲେଖକଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖିଥାଉ । ସେ ଯିହୋବାଙ୍କ ବିଷୟରେ ଲେଖିଲେ: ‘ସେ ମୋହର ଡାହାଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ ।’ (ଗୀତସଂହିତା ୧୬:୮; ୬୩:୮) କିନ୍ତୁ ଶୟତାନ ଯିହୋବାଙ୍କ ସହିତ ଆମ ମିତ୍ରତାକୁ କିପରି ଭାଙ୍ଗିବାକୁ ଚେଷ୍ଟା କରେ ?

ଶୟତାନର ଅଭିଯୋଗ

୬. ଶୟତାନ ମଣିଷମାନଙ୍କ ବିରୁଦ୍ଧରେ କʼଣ ଅଭିଯୋଗ ଆଣିଛି ?

୬ ଆମେ ୧୧ ଅଧ୍ୟାୟରେ ଶିଖିଲୁ ଯେ ଶୟତାନ ଯିହୋବାଙ୍କୁ ଜଣେ ମିଥ୍ୟାବାଦୀ ବୋଲି ଦୋଷାରୋପ କଲା । ସେ ଏହା ମଧ୍ୟ ଅଭିଯୋଗ କଲା ଯେ ଯିହୋବା ଆଦମ ଓ ହବା ସହିତ ଅନ୍ୟାୟ କରୁଛନ୍ତି, କାରଣ ସେମାନଙ୍କ ପାଇଁ କʼଣ ଭଲ ଓ କʼଣ ମନ୍ଦ ଅଟେ, ତାହା ନିର୍ଣ୍ଣୟ କରିବାର ଅଧିକାର ସେମାନଙ୍କୁ ସେ ଦେଇ ନାହାନ୍ତି । ବାଇବଲର ଆୟୁବ ନାମକ ବହି କହେ ଯେ ଯେଉଁ ମଣିଷମାନେ ଯିହୋବାଙ୍କ ମିତ୍ର ହେବାକୁ ଚାହାନ୍ତି, ଶୟତାନ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆଣିଛି । ଶୟତାନ ଦାବି କଲା ଯେ ସେମାନେ ଈଶ୍ୱରଙ୍କ ପ୍ରତି ପ୍ରେମ ଯୋଗୁଁ ତାହାଙ୍କ ସେବା କରି ନ ଥାʼନ୍ତି, ବରଂ ସେମାନେ ଈଶ୍ୱରଙ୍କଠାରୁ କିଛି ପାଇବା ଆଶାରେ ତାହାଙ୍କ ସେବା କରିଥାʼନ୍ତି । ଶୟତାନ ଏହା ମଧ୍ୟ ଦାବି କଲା ଯେ ସେ କାହାରିକୁ ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ଛିଡ଼ା କରିପାରିବ । ଆସନ୍ତୁ ଦେଖିବା ଯେ ଆମେ ଆୟୁବଙ୍କଠାରୁ କʼଣ ଶିଖିପାରିବା ଏବଂ ଯିହୋବା କିପରି ତାଙ୍କୁ ରକ୍ଷା କଲେ ।

୭, ୮. (କ) ଆୟୁବଙ୍କ ବିଷୟରେ ଯିହୋବାଙ୍କର କିପରି ଧାରଣା ଥିଲା ? (ଖ) ଶୟତାନ ଆୟୁବଙ୍କ ବିଷୟରେ କʼଣ କହିଲା ?

୭ ଆୟୁବ କିଏ ଥିଲେ ? ସେ ଜଣେ ଭଲ ଲୋକ ଥିଲେ, ଯିଏ ଆଜିଠାରୁ ପ୍ରାୟ ୩,୬୦୦ ବର୍ଷ ପୂର୍ବେ ବଞ୍ଚିଥିଲେ । ଯିହୋବା କହିଥିଲେ ଯେ ସେସମୟରେ ଆୟୁବଙ୍କ ପରି ଭଲ ଲୋକ ପୃଥିବୀରେ ଆଉ କେହି ନ ଥିଲେ । ଆୟୁବଙ୍କ ହୃଦୟରେ ଯିହୋବାଙ୍କ ପ୍ରତି ଗଭୀର ଆଦର ଥିଲା ଏବଂ ସେ ଦୁଷ୍ଟତାକୁ ଘୃଣା କରୁଥିଲେ । (ଆୟୁବ ୧:୮) ଆୟୁବ ପ୍ରକୃତରେ ଯିହୋବାଙ୍କର ଏକ ପ୍ରିୟ ମିତ୍ର ଥିଲେ ।

୮ କିନ୍ତୁ ଶୟତାନ ଦାବି କଲା ଯେ ଆୟୁବ କେବଳ ନିଜ ସ୍ୱାର୍ଥ ପାଇଁ ଯିହୋବାଙ୍କ ଉପାସନା କରୁଛି । ଶୟତାନ ଯିହୋବାଙ୍କୁ କହିଲା: “ତୁମ୍ଭେ କʼଣ ତାହାର ଚତୁର୍ଦ୍ଦିଗରେ, ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇ ନାହଁ ? ତୁମ୍ଭେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି । ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମ୍ଭକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ ।”— ଆୟୁବ ୧:୧୦, ୧୧.

୯. ଯିହୋବା ଶୟତାନକୁ କʼଣ କରିବା ପାଇଁ ଅନୁମତି ଦେଲେ ?

୯ ଶୟତାନ ଆୟୁବଙ୍କ ଉପରେ ଦୋଷାରୋପ କଲା ଯେ ସେ ଯିହୋବାଙ୍କ ଉପାସନା କେବଳ ଏଥିପାଇଁ କରେ, କାରଣ ସେ ଈଶ୍ୱରଙ୍କଠାରୁ କିଛି ପାଇବାକୁ ଚାହେଁ । ଶୟତାନ ଏହା ମଧ୍ୟ ଦାବି କଲା ଯେ ସେ ଆୟୁବଙ୍କୁ ଯିହୋବାଙ୍କ ବିରୁଦ୍ଧରେ ଛିଡ଼ା କରିପାରିବ । ଯିହୋବା ଜାଣିଥିଲେ ଯେ ଏକଥା ସତ ନୁହେଁ । ତଥାପି ସେ ଶୟତାନକୁ ଆୟୁବଙ୍କର ପରୀକ୍ଷା ନେବା ପାଇଁ ଅନୁମତି ଦେଲେ । କାରଣ ଏହାଦ୍ୱାରା ପ୍ରମାଣିତ ହୋଇଥାʼନ୍ତା ଯେ ପ୍ରକୃତରେ ଆୟୁବଙ୍କ ହୃଦୟରେ ଯିହୋବାଙ୍କ ପ୍ରତି ଥିବା ପ୍ରେମ ଯୋଗୁଁ ହିଁ ସେ ତାହାଙ୍କ ମିତ୍ର ଥିଲେ ।

ଆୟୁବଙ୍କ ଜୀବନରେ ଶୟତାନ ସମସ୍ୟା ଆଣିଲା

୧୦. (କ) ଆୟୁବଙ୍କ ଜୀବନରେ ଶୟତାନ କିପରି ସମସ୍ୟା ଆଣିଲା ? (ଖ) ଆୟୁବଙ୍କ କʼଣ ପ୍ରତିକ୍ରିୟା ଥିଲା ?

୧୦ ଆୟୁବଙ୍କ ଜୀବନରେ ଶୟତାନ ଅନେକ ସମସ୍ୟା ଆଣିଲା । ସର୍ବପ୍ରଥମେ, ତାହାଙ୍କ କିଛି ପଶୁଗୁଡ଼ିକୁ ଛଡ଼ାଇ ନିଆଗଲା ଏବଂ ବାକିତକକୁ ମାରି ଦିଆଗଲା । ତାʼପରେ ଶୟତାନ ଆୟୁବଙ୍କ ଅଧିକାଂଶ ସେବକମାନଙ୍କୁ ହତ୍ୟା କରାଇଲା । ଏହିପରି ଭାବେ ଆୟୁବ ତାହାଙ୍କର ସବୁକିଛି ହରାଇଲେ । ଶେଷରେ ଶୟତାନ ଏକ ଭୟଙ୍କର ବାତ୍ୟା ଆଣି ଆୟୁବଙ୍କର ଦଶ ଜଣ ପୁଅଝିଅଙ୍କୁ ମାରିଦେଲା । ତଥାପି ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ‘ଏତେ ସବୁ ଘଟିଲା ପରେ ମଧ୍ୟ ଆୟୁବ ପାପ କଲେ ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍‌ କରିଛନ୍ତି ବୋଲି ସେ କହିଲେ ନାହିଁ ।’— ଆୟୁବ ୧:୧୨-୧୯, ୨୨, ଇଜି-ଟୁ-ରିଡ୍‌ ଭର୍ସନ ।

ଆୟୁବ ନିଜ ପନୀ ଓ ଦଶ ଜଣ ସନ୍ତାନମାନଙ୍କ ସହିତ ଖୁସିରେ ଜୀବନଯାପନ କରୁଛନ୍ତି

ଯିହୋବା ନିଜ ମିତ୍ର ଆୟୁବଙ୍କୁ ତାଙ୍କ ବିଶ୍ୱସ୍ତତା ପାଇଁ ଭରପୂର ଆଶିଷ ଦେଲେ

୧୧. (କ) ଆୟୁବଙ୍କ ଜୀବନରେ ଶୟତାନ ଆଉ କେଉଁ ସମସ୍ୟାଗୁଡ଼ିକ ଆଣିଲା ? (ଖ) ଆୟୁବଙ୍କ ପ୍ରତିକ୍ରିୟା କʼଣ ଥିଲା ?

୧୧ ଏହାପରେ ମଧ୍ୟ ଶୟତାନ ହାର୍‌ ମାନିଲା ନାହିଁ । ସେ ଦାବି କରି ଈଶ୍ୱରଙ୍କୁ କହିଲା, ତୁମ୍ଭେ “ତାହାର ଅସ୍ଥି ଓ ମାଂସ ସ୍ପର୍ଶ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ ।” ତାʼପରେ ଈଶ୍ୱର ଶୟତାନକୁ ପୁଣିଥରେ ଆୟୁବଙ୍କ ପରୀକ୍ଷା ନେବା ପାଇଁ ଅନୁମତି ଦେଲେ । ଆଉ, ଶୟତାନ ଆୟୁବଙ୍କୁ ଏକ ଅତି ଯନ୍ତ୍ରଣାଦାୟକ ରୋଗରେ ପୀଡ଼ିତ କଲା । (ଆୟୁବ ୨:୫, ୭) କିନ୍ତୁ, ଏଥର ମଧ୍ୟ ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ସେ କହିଲେ “ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା [ସଚ୍ଚୋଟତା] ଆପଣାଠାରୁ ଦୂର କରିବି ନାହିଁ !”— ଆୟୁବ ୨୭:୫.

୧୨. ଆୟୁବ କିପରି ପ୍ରମାଣିତ କଲେ ଯେ ଶୟତାନ ମିଥ୍ୟାବାଦୀ ଅଟେ ?

୧୨ ଆୟୁବଙ୍କୁ ଆଦୌ ଜଣା ନ ଥିଲା ଯେ ଶୟତାନ ତାଙ୍କ ଉପରେ ଦୋଷାରୋପ କରିଛି । ତାଙ୍କୁ ଏହା ମଧ୍ୟ ଜଣା ନ ଥିଲା ଯେ ତାଙ୍କ ଜୀବନରେ ଏତେ ଦୁଃଖକଷ୍ଟ କାହିଁକି ଆସୁଛି । ସେ ଭାବିଲେ ଯେ ଯିହୋବା ତାଙ୍କ ଜୀବନରେ ଏସମସ୍ତ ଦୁଃଖକଷ୍ଟ ଆଣୁଛନ୍ତି । (ଆୟୁବ ୬:୪; ୧୬:୧୧-୧୪) ଏହା ସତ୍ତ୍ୱେ, ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ଏଥିରୁ ସ୍ପଷ୍ଟ ହୋଇଗଲା ଯେ ଆୟୁବ ସ୍ୱାର୍ଥପର ନ ଥିଲେ । ତାଙ୍କ ହୃଦୟରେ ଯିହୋବାଙ୍କ ପ୍ରତି ଗଭୀର ପ୍ରେମ ଥିଲା । ଆଉ, ସେଇଥିପାଇଁ ସେ ଯିହୋବାଙ୍କ ମିତ୍ର ଥିଲେ । ଶୟତାନ କରିଥିବା ସମସ୍ତ ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲା !

୧୩. ଆୟୁବଙ୍କ ବିଶ୍ୱସ୍ତତାର ପରିଣାମ କʼଣ ହେଲା ?

୧୩ ଆୟୁବ ଜାଣି ନ ଥିଲେ ଯେ ସ୍ୱର୍ଗରେ କʼଣ ଚାଲିଛି, ତଥାପି ସେ ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ । ଏହିପରି ଭାବେ ସେ ପ୍ରମାଣିତ କଲେ ଯେ ଶୟତାନ କେତେ ଦୁଷ୍ଟ ଅଟେ । ଯିହୋବା ନିଜ ମିତ୍ର ଆୟୁବଙ୍କୁ ତାଙ୍କ ବିଶ୍ୱସ୍ତତା ପାଇଁ ଭରପୂର ଆଶିଷ ଦେଲେ ।— ଆୟୁବ ୪୨:୧୨-୧୭.

ଶୟତାନ ଆପଣଙ୍କ ଉପରେ ମଧ୍ୟ ଦୋଷାରୋପ କରିଛି

୧୪, ୧୫. ଶୟତାନ ସମସ୍ତ ମଣିଷମାନଙ୍କ ଉପରେ କʼଣ ଦୋଷାରୋପ କଲା ?

୧୪ ଆୟୁବଙ୍କ ସହିତ ଯାହା ଘଟିଲା, ସେଥିରୁ ଆପଣ କିଛି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ପାଇପାରିବେ । ଆଜି ଶୟତାନ ଆମ ଉପରେ ମଧ୍ୟ ଏହା ଦୋଷାରୋପ କରେ ଯେ ଆମେ ଯିହୋବାଙ୍କଠାରୁ କିଛି ପାଇବା ଆଶାରେ ତାହାଙ୍କ ସେବା କରିଥାଉ । ଆୟୁବ ୨:୪ ପଦ ଅନୁଯାୟୀ, ଶୟତାନ ଦାବି କଲା: “ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇଦେବ ।” (ଇଜି-ଟୁ-ରିଡ୍‌ ଭର୍ସନ) ଏହିପରି ଭାବରେ ଶୟତାନ କେବଳ ଆୟୁବଙ୍କ ଉପରେ ନୁହଁ, ବରଂ ସମସ୍ତ ମଣିଷମାନଙ୍କ ଉପରେ ଦୋଷାରୋପ କଲା ଯେ ସେମାନେ ସ୍ୱାର୍ଥପର ଅଟନ୍ତି । ଆୟୁବଙ୍କ ମୃତ୍ୟୁର ଶହ ଶହ ବର୍ଷ ପରେ ମଧ୍ୟ ଶୟତାନ ଯିହୋବାଙ୍କୁ ନିନ୍ଦା କରିବା ଏବଂ ତାହାଙ୍କ ସେବକମାନଙ୍କ ଉପରେ ଦୋଷାରୋପ କରିବା ବନ୍ଦ କଲା ନାହିଁ । ଉଦାହରଣସ୍ୱରୂପ, ହିତୋପଦେଶ ୨୭:୧୧ ପଦରେ ଆମେ ପଢ଼ୁ: ‘ହେ ମୋହର ପୁତ୍ର, ଜ୍ଞାନବାନ ହୁଅ ଓ ମୋʼ ମନକୁ ଆନନ୍ଦିତ କର; ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେଇପାରିବି ।’

୧୫ ଆପଣ ମଧ୍ୟ ଯିହୋବାଙ୍କ ଆଜ୍ଞା ପାଳନ କରିବା ଏବଂ ତାହାଙ୍କ ବିଶ୍ୱସ୍ତ ମିତ୍ର ହେବା ପାଇଁ ନିର୍ଣ୍ଣୟ କରିପାରିବେ । ଯଦି ଆପଣ ଏପରି କରନ୍ତି, ତେବେ ଶୟତାନକୁ ମିଥ୍ୟାବାଦୀ ରୂପେ ପ୍ରମାଣିତ କରିପାରିବେ । ଈଶ୍ୱରଙ୍କ ମିତ୍ର ହେବା ପାଇଁ ହୁଏତ ଆପଣଙ୍କୁ ନିଜ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ ହୋଇପାରେ । କିନ୍ତୁ ଆପଣ ସମ୍ପୂର୍ଣ୍ଣ ଭରସା ରଖିପାରିବେ ଯେ ଏହି ନିଷ୍ପତ୍ତି ଆପଣଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ ! ଏହା ଏକ ଗମ୍ଭୀର ନିଷ୍ପତ୍ତି ମଧ୍ୟ ଅଟେ । କାରଣ ଶୟତାନ ଦାବି କରିଛି ଯେ ଯଦି ଆପଣଙ୍କ ଜୀବନରେ ସମସ୍ୟା ଆସେ, ଆପଣ ଯିହୋବାଙ୍କର ବିଶ୍ୱସ୍ତ ରହିବେ ନାହିଁ । ସେ ଆମକୁ ଈଶ୍ୱରଙ୍କ ସହିତ ବିଶ୍ୱାସଘାତ କରିବା ପାଇଁ ପ୍ରଲୋଭିତ କରେ । କିନ୍ତୁ ସେ ଏହା କିପରି କରିଥାଏ ?

୧୬. (କ) ଶୟତାନ କେଉଁ କେଉଁ ଉପାୟରେ ଯିହୋବାଙ୍କ ସହିତ ଆମ ମିତ୍ରତାକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ ? (ଖ) ଶୟତାନ କିପରି ଭାବେ ଆପଣଙ୍କୁ ବ୍ୟକ୍ତିଗତ ଭାବେ ଯିହୋବାଙ୍କ ସେବା କରିବାଠାରୁ ଦୂରେଇ ନେବାକୁ ଚେଷ୍ଟା କରିପାରେ ?

୧୬ ଶୟତାନ ଅନେକ ଉପାୟରେ ଯିହୋବାଙ୍କ ସହିତ ଆମ ମିତ୍ରତାକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ । ସେ ‘ଗର୍ଜନ କରୁଥିବା ସିଂହ ଭଳି ଆମକୁ ମାରି ଖାଇବା ପାଇଁ’ ଆକ୍ରମଣ କରେ । (୧ ପିତର ୫:୮, ଇଜି-ଟୁ-ରିଡ୍‌ ଭର୍ସନ) ତେଣୁ ଯଦି ଆପଣଙ୍କ ବନ୍ଧୁ, ପରିବାରର ସଦସ୍ୟ କିମ୍ବା ଅନ୍ୟ କେହି ଆପଣଙ୍କୁ ବାଇବଲ ଅଧ୍ୟୟନ କରିବାରେ କିମ୍ବା ସଠିକ୍‌ ପଦକ୍ଷେପ ନେବାରେ ବାଧା ଦେବା ପାଇଁ ଚେଷ୍ଟା କରନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କାରଣ ଏହା ଶୟତାନର ଏକ ଆକ୍ରମଣ ହୋଇପାରେ ।a (ଯୋହନ ୧୫:୧୯, ୨୦) ଏହା ଛଡ଼ା, ଶୟତାନ ନିଜେ ଜଣେ “ଦୀପ୍ତିମୟ ଦୂତର” ଛଦ୍ମବେଶ ଧାରଣ କରି ଆମକୁ ଯିହୋବାଙ୍କ ଆଜ୍ଞା ନ ମାନିବା ପାଇଁ ପ୍ରଲୋଭିତ କରେ । (୨ କରିନ୍ଥୀୟ ୧୧:୧୪) ଶୟତାନ ଆଉ ଏକ ଉପାୟରେ ଆମକୁ ଯିହୋବାଙ୍କ ସେବା କରିବାଠାରୁ ଦୂରେଇ ନେଇଯିବାକୁ ଚେଷ୍ଟା କରେ । ତାହା ହେଉଛି, ସେ ଆମ ମନରେ ଏହି ଭାବନା ଭରିଦିଏ ଯେ ଆମେ ଈଶ୍ୱରଙ୍କ ସେବା କରିବା ପାଇଁ ଆଦୌ ଯୋଗ୍ୟ ନୋହୁଁ ।— ହିତୋପଦେଶ ୨୪:୧୦.

ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ

୧୭. ଆମେ ଯିହୋବାଙ୍କ ଆଜ୍ଞା କାହିଁକି ପାଳନ କରିଥାଉ ?

୧୭ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ଆମେ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରୁ । ତେବେ ତାହାଙ୍କ ଆଜ୍ଞା ପାଳନ କରିବାରେ ଆମକୁ କʼଣ ସାହାଯ୍ୟ କରିବ ? ବାଇବଲ କହେ: “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ ।” (ଦ୍ୱିତୀୟ ବିବରଣ ୬:୫) ଆମେ ଏଥିପାଇଁ ଯିହୋବାଙ୍କ ଆଜ୍ଞା ପାଳନ କରିଥାଉ, କାରଣ ଆମେ ତାହାଙ୍କୁ ପ୍ରେମ କରୁ । ଯେପରି ଧୀରେ ଧୀରେ ଯିହୋବାଙ୍କ ପ୍ରତି ଆମ ପ୍ରେମ ବଢ଼ିବ, ଆମେ ଏପରି ପ୍ରତ୍ୟେକ କାମ କରିବା ପାଇଁ ପ୍ରସ୍ତୁତ ରହିବା, ଯାହା ସେ ଆମଠାରୁ ଚାହାନ୍ତି । ଯୋହନ ଲେଖିଥିଲେ: “ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା, ଆଉ ତାହାଙ୍କ ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”— ୧ ଯୋହନ ୫:୩.

୧୮, ୧୯. (କ) ଯିହୋବା ଆମକୁ କେଉଁ କେଉଁ ମନ୍ଦ କାମଗୁଡ଼ିକଠାରୁ ଦୂରେଇ ରହିବା ପାଇଁ କହିଛନ୍ତି ? (ଖ) ଆମେ କିପରି ଜାଣୁ ଯେ ଯିହୋବା କେବେ ମଧ୍ୟ ଆମକୁ ଏପରି କୌଣସି କାମ କରିବାକୁ କହନ୍ତି ନାହିଁ, ଯାହା ଆମେ କରିପାରିବା ନାହିଁ ?

୧୮ ଯିହୋବା ଆମକୁ କହିଛନ୍ତି ଯେ ଆମେ କେଉଁ କେଉଁ ମନ୍ଦ କାମଗୁଡ଼ିକଠାରୁ ଦୂରେଇ ରହିବା ଉଚିତ୍‌ । ସେମଧ୍ୟରୁ କିଛି କାମ ତଳେ ଥିବା ବକ୍ସରେ ଦିଆଯାଇଛି, ଯାହାର ଶୀର୍ଷକ ହେଉଛି— “ଯିହୋବା ଯାହା ଘୃଣା କରନ୍ତି, ତାହା ଘୃଣା କରନ୍ତୁ ।” ଆରମ୍ଭରେ ହୁଏତ ଆପଣଙ୍କୁ ଲାଗିପାରେ ଯେ ଏଥିମଧ୍ୟରୁ କିଛି କାମ ଏତେ ଖରାପ ନୁହେଁ । କିନ୍ତୁ ଯେତେବେଳେ ଆପଣ ଏଥିରେ ଦିଆଯାଇଥିବା ବାଇବଲ ପଦ ପଢ଼ିବେ ଏବଂ ସେଗୁଡ଼ିକ ଉପରେ ଗଭୀର ଭାବେ ଚିନ୍ତା କରିବେ, ଆପଣ ବୁଝିପାରିବେ ଯେ ଯିହୋବାଙ୍କ ଆଜ୍ଞା ପାଳନ କରିବା ହିଁ ବୁଦ୍ଧିମତ୍ତାର କାମ ଅଟେ । ଆପଣଙ୍କୁ ହୁଏତ ଏହା ମଧ୍ୟ ଲାଗିପାରେ ଯେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ କରିବା ଜରୁରୀ ଅଟେ । ଯଦିଓ ଏପରି କରିବା ସହଜ ନୁହେଁ, ତଥାପି ଏହାଦ୍ୱାରା ଆପଣ ପ୍ରମାଣିତ କରିବେ ଯେ ଆପଣ ଯିହୋବାଙ୍କର ଜଣେ ବିଶ୍ୱସ୍ତ ମିତ୍ର ଅଟନ୍ତି । ଆଉ, ଆପଣଙ୍କୁ ଏଥିରୁ ଶାନ୍ତି ଓ ଖୁସି ମିଳିବ । (ଯିଶାଇୟ ୪୮:୧୭, ୧୮) ଆମେ କିପରି ଜାଣୁ ଯେ ଏହି ପରିବର୍ତ୍ତନ ଆମେ କରିପାରିବା ?

୧୯ ଯିହୋବା କେବେ ମଧ୍ୟ ଆମକୁ ଏପରି କୌଣସି କାମ କରିବାକୁ କହନ୍ତି ନାହିଁ, ଯାହା ଆମେ କରିପାରିବା ନାହିଁ । (ଦ୍ୱିତୀୟ ବିବରଣ ୩୦:୧୧-୧୪) ସେ ଆମର ପ୍ରକୃତ ମିତ୍ର ଅଟନ୍ତି ଏବଂ ଆମ ବିଷୟରେ ଆମ ଅପେକ୍ଷା ସେ ଅଧିକ ଜାଣନ୍ତି । ହଁ, ସେ ଆମର ସାମର୍ଥ୍ୟ ଓ ଦୁର୍ବଳତାକୁ ଜାଣନ୍ତି । (ଗୀତସଂହିତା ୧୦୩:୧୪) ପାଉଲ ଆମକୁ କହନ୍ତି, ‘ତୁମ୍ଭେ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିପାର । ସେ କେବେହେଲେ ତୁମ୍ଭଙ୍କୁ ଅସହ୍ୟ ପରୀକ୍ଷାରେ ପଡ଼ିବାକୁ ଦେବେ ନାହିଁ । କିନ୍ତୁ ଯେତେବେଳେ ତୁମ୍ଭେ ପରୀକ୍ଷାର ସମ୍ମୁଖୀନ ହେବ, ସେତେବେଳେ ପରମେଶ୍ୱର ତୁମ୍ଭଙ୍କୁ ରକ୍ଷା ପାଇବାର ବାଟ ମଧ୍ୟ ଦେଖାଇଦେବେ, ଯାହାଦ୍ୱାରା ତୁମ୍ଭେ ସବୁକିଛି ସହିପାରିବ ।’ (୧ କରିନ୍ଥୀୟ ୧୦:୧୩, ଇଜି-ଟୁ-ରିଡ୍‌ ଭର୍ସନ) ଆମେ ସମ୍ପୂର୍ଣ୍ଣ ଭରସା ରଖିପାରିବା ଯେ ଯିହୋବା ଆମକୁ ସର୍ବଦା ସଠିକ୍‌ କାମ କରିବା ପାଇଁ ସାମର୍ଥ୍ୟ ଦେବେ । ସେ ଆମକୁ କଠିନ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ଧରିବା ପାଇଁ ତାହାଙ୍କ “ମହାଶକ୍ତି” ଦେବେ, ଯେଉଁ ଶକ୍ତି ସହିତ ସାଧାରଣ ମଣିଷର ଶକ୍ତିକୁ ତୁଳନା କରାଯାଇପାରିବ ନାହିଁ । (୨ କରିନ୍ଥୀୟ ୪:୭) ଯେତେବେଳେ ପାଉଲ ସମସ୍ୟାରେ ଥିଲେ, ଯିହୋବା ତାଙ୍କୁ ସାହାଯ୍ୟ କରିଥିଲେ । ତେଣୁ ସେ ନିଜ ଅନୁଭବରୁ କହିପାରିଲେ: ‘ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସବୁ କାମ କରିପାରେ ।’— ଫିଲିପ୍‌ପୀୟ ୪:୧୩.

ଯିହୋବା ଯେଉଁ କାମଗୁଡ଼ିକୁ ଭଲ ପାʼନ୍ତି, ସେଗୁଡ଼ିକୁ ଭଲ ପାʼନ୍ତୁ

୨୦. ଆମେ ଯିହୋବାଙ୍କ କେଉଁ ଗୁଣଗୁଡ଼ିକୁ ଅନୁକରଣ କରିବା ଉଚିତ୍‌ ଏବଂ କାହିଁକି ?

୨୦ ଯଦି ଆମେ ଯିହୋବାଙ୍କ ମିତ୍ର ହେବାକୁ ଚାହୁଁ, ତେବେ ଏପରି କାମଗୁଡ଼ିକୁ କରିବା ଛାଡ଼ି ଦେବା ଉଚିତ୍‌, ଯାହା ଯିହୋବା ଘୃଣା କରନ୍ତି । କିନ୍ତୁ ଏହା ସହିତ ଆମକୁ ଆହୁରି ମଧ୍ୟ କିଛି କାମ କରିବାକୁ ହେବ । (ରୋମୀୟ ୧୨:୯) ଈଶ୍ୱରଙ୍କ ମିତ୍ରମାନେ ଏପରି କାମଗୁଡ଼ିକୁ ଭଲ ପାʼନ୍ତି, ଯାହାକୁ ଈଶ୍ୱର ଭଲ ପାʼନ୍ତି । ଏହି କାମଗୁଡ଼ିକ ବିଷୟରେ ଗୀତସଂହିତା ୧୫:୧-୫ ପଦରେ କୁହାଯାଇଛି । (ପଢ଼ନ୍ତୁ ।) ଯିହୋବାଙ୍କ ମିତ୍ରମାନେ ତାହାଙ୍କ ଗୁଣଗୁଡ଼ିକୁ ମଧ୍ୟ ଅନୁକରଣ କରିଥାʼନ୍ତି । ସେହି ଗୁଣଗୁଡ଼ିକ ହେଉଛି— “ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା [କୋମଳତା] ଓ ଆତ୍ମସଂଯମ ।”— ଗାଲାତୀୟ ୫:୨୨, ୨୩.

୨୧. ଯିହୋବାଙ୍କ ଗୁଣଗୁଡ଼ିକୁ ଆପଣ ନିଜ ଜୀବନରେ ଦେଖାଇବା କିପରି ଶିଖିପାରିବେ ?

୨୧ ଆପଣ ଏହି ଉତ୍ତମ ଗୁଣଗୁଡ଼ିକୁ ଦେଖାଇବା କିପରି ଶିଖିପାରିବେ ? ଆପଣଙ୍କୁ ଜାଣିବାକୁ ହେବ ଯେ ଯିହୋବା କେଉଁ କାମଗୁଡ଼ିକୁ ଭଲ ପାʼନ୍ତି । ଏହା ଆପଣ ନିୟମିତ ଭାବେ ବାଇବଲ ପଢ଼ିବା ଏବଂ ଏହାର ଅଧ୍ୟୟନ କରିବା ଦ୍ୱାରା ଜାଣିପାରିବେ । (ଯିଶାଇୟ ୩୦:୨୦, ୨୧) ଯଦି ଆପଣ ଏପରି କରିଚାଲିବେ, ତେବେ ଧୀରେ ଧୀରେ ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମ ବଢ଼ିବ । ଆଉ, ଯେପରି ଆପଣଙ୍କ ପ୍ରେମ ବଢ଼ିବ, ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ଆପଣଙ୍କ ଇଚ୍ଛା ମଧ୍ୟ ବଢ଼ିବ ।

୨୨. ଯଦି ଆପଣ ଯିହୋବାଙ୍କ ଆଜ୍ଞା ପାଳନ କରିବେ, ଏହାର ପରିଣାମ କʼଣ ହେବ ?

୨୨ ଆପଣଙ୍କୁ ନିଜ ଜୀବନରେ ଯେଉଁ ପରିବର୍ତ୍ତନ କରିବାକୁ ହେବ, ତାହା ଏପରି ଅଟେ ସତେ ଯେପରି ଆପଣ ପୁରୁଣା ପୋଷାକ ପରିତ୍ୟାଗ କରି ନୂଆ ପୋଷାକ ପିନ୍ଧୁଛନ୍ତି । ବାଇବଲ କହେ ଯେ ଆପଣଙ୍କୁ “ପୁରାତନ ସ୍ୱଭାବ . . . ପରିତ୍ୟାଗ କରି ନୂତନ ସ୍ୱଭାବ ପରିଧାନ” କରିବାକୁ ହେବ । (କଲସୀୟ ୩:୯, ୧୦) ଯଦିଓ ଏହି ପରିବର୍ତ୍ତନ କରିବା ସହଜ ନୁହେଁ, ତଥାପି ଆମେ ଯଦି ଏପରି କରିବା ଏବଂ ଯିହୋବାଙ୍କ ଆଜ୍ଞା ପାଳନ କରିବା, ତେବେ ସେ ପ୍ରତିଜ୍ଞା କରନ୍ତି ଯେ ସେ ଆମକୁ “ମହାଫଳ” ଦେବେ । (ଗୀତସଂହିତା ୧୯:୧୧) ଯିହୋବାଙ୍କ ଆଜ୍ଞା ପାଳନ କରିବା ଏବଂ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ । ଯିହୋବାଙ୍କ ସେବା କରନ୍ତୁ; କିନ୍ତୁ ଭବିଷ୍ୟତରେ କିଛି ପାଇବା ଆଶାରେ ନୁହଁ, ବରଂ ତାହାଙ୍କ ପ୍ରତି ପ୍ରେମ ଯୋଗୁଁ ଏହା କରନ୍ତୁ । ଏପରି ପ୍ରେମ ଯେଉଁଥିରେ କୌଣସି ସ୍ୱାର୍ଥ ନ ଥିବ । ତେବେ ଯାଇ ଆପଣ ଈଶ୍ୱରଙ୍କର ପ୍ରକୃତ ମିତ୍ର ହୋଇପାରିବେ !

a ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ ବିରୋଧ କରୁଥିବା ସମସ୍ତେ ଶୟତାନର ନିୟନ୍ତ୍ରଣରେ ଅଛନ୍ତି । କିନ୍ତୁ ଶୟତାନ ଏହି ‘ଜଗତର ଅଧିପତି’ ଅଟେ ଏବଂ ‘ସମସ୍ତ ଜଗତ ତାʼର ଅଧୀନରେ’ ରହିଛି । ତେଣୁ ଯେତେବେଳେ କିଛି ଲୋକ ଆମକୁ ଯିହୋବାଙ୍କ ସେବା କରିବାରେ ବିରୋଧ କରନ୍ତି, ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହଁ ।— ୨ କରିନ୍ଥୀୟ ୪:୪; ୧ ଯୋହନ ୫:୧୯.

ଯିହୋବା ଯାହା ଘୃଣା କରନ୍ତି, ତାହା ଘୃଣା କରନ୍ତୁ

  • ହତ୍ୟା

    ଯାତ୍ରା ପୁସ୍ତକ ୨୦:୧୩; ୨୧:୨୨, ୨୩

  • ଯୌନ ଅନୈତିକତା

    ଲେବୀ ପୁସ୍ତକ ୨୦:୧୦, ୧୩, ୧୫, ୧୬; ରୋମୀୟ ୧:୨୪, ୨୬, ୨୭, ୩୨; ୧ କରିନ୍ଥୀୟ ୬:୯, ୧୦

  • ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା

    ଦ୍ୱିତୀୟ ବିବରଣ ୧୮:୯-୧୩; ୧ କରିନ୍ଥୀୟ ୧୦:୨୧, ୨୨; ଗାଲାତୀୟ ୫:୨୦, ୨୧

  • ମୂର୍ତ୍ତିପୂଜା

    ୧ କରିନ୍ଥୀୟ ୧୦:୧୪

  • ଅତ୍ୟଧିକ ମଦ୍ୟପାନ

    ୧ କରିନ୍ଥୀୟ ୫:୧୧

  • ଚୋରୀ

    ଲେବୀ ପୁସ୍ତକ ୬:୨, ୪; ଏଫିସୀୟ ୪:୨୮

  • ମିଛ କହିବା

    ହିତୋପଦେଶ ୬:୧୬, ୧୯; କଲସୀୟ ୩:୯; ପ୍ରକାଶିତ ବାକ୍ୟ ୨୨:୧୫

  • ଲୋଭ

    ୧ କରିନ୍ଥୀୟ ୫:୧୧

  • ହିଂସା

    ଗୀତସଂହିତା ୧୧:୫; ହିତୋପଦେଶ ୨୨:୨୪, ୨୫; ମଲାଖି ୨:୧୬; ଗାଲାତୀୟ ୫:୨୦, ୨୧

  • ଖରାପ ଭାଷା ଏବଂ ବାଜେ ଗପସପ

    ଲେବୀ ପୁସ୍ତକ ୧୯:୧୬; ଏଫିସୀୟ ୫:୪; କଲସୀୟ ୩:୮

  • ରକ୍ତର ଭୁଲ୍‌ ବ୍ୟବହାର

    ଆଦି ପୁସ୍ତକ ୯:୪; ପ୍ରେରିତ ୧୫:୨୦, ୨୮, ୨୯

  • ପରିବାରର ଭରଣପୋଷଣ କରିବାକୁ ଅସ୍ୱୀକାର କରିବା

    ୧ ତୀମଥି ୫:୮

  • ଯୁଦ୍ଧ କିମ୍ବା ରାଜନୀତିରେ ଭାଗ ନେବା

    ଯିଶାଇୟ ୨:୪; ଯୋହନ ୬:୧୫; ୧୭:୧୬

  • ଧୂମ୍ରପାନ ଏବଂ ନିଶାଦ୍ରବ୍ୟ ସେବନ

    ମାର୍କ ୧୫:୨୩; ୨ କରିନ୍ଥୀୟ ୭:୧

ସାରାଂଶ

ସତ୍ୟ-୧: ଯିହୋବାଙ୍କ ମିତ୍ରମାନେ ତାହାଙ୍କ ଆଜ୍ଞା ପାଳନ କରନ୍ତି

‘ତୁମ୍ଭେମାନେ ଆମ୍ଭ ଆଜ୍ଞା ପାଳନ କର, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବ ।’— ଯିରିମୀୟ ୭:୨୩, ଇଜି-ଟୁ-ରିଡ୍‌ ଭର୍ସନ

ଈଶ୍ୱରଙ୍କ ମିତ୍ର ହେବା କʼଣ ଆମ ପାଇଁ ସମ୍ଭବ ଅଟେ ?

  • ଆଦି ପୁସ୍ତକ ୨୨:୧୮; ଯାକୁବ ୨:୨୩

    ଅବ୍ରହାମ ଯିହୋବାଙ୍କ ମିତ୍ର ହେଲେ, କାରଣ ସେ ତାହାଙ୍କ ଆଜ୍ଞା ପାଳନ କଲେ ଏବଂ ତାହାଙ୍କୁ ବିଶ୍ୱାସ କଲେ ।

  • ୨ ବଂଶାବଳୀ ୧୬:୯

    ଯେଉଁମାନେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କରନ୍ତି ।

  • ଗୀତସଂହିତା ୨୫:୧୪; ୩୨:୮

    ଯିହୋବା ନିଜ ମିତ୍ରମାନଙ୍କୁ ଶିକ୍ଷା ଦିଅନ୍ତି ।

  • ଗୀତସଂହିତା ୫୫:୨୨

    ଯିହୋବା ନିଜ ମିତ୍ରମାନଙ୍କୁ ବିପଦ ସମୟରେ ସମ୍ଭାଳିବେ ।

ସତ୍ୟ-୨: ଆୟୁବ ଈଶ୍ୱରଙ୍କ ମିତ୍ର ଥିଲେ ଏବଂ ତାହାଙ୍କର ବିଶ୍ୱସ୍ତ ହୋଇ ରହିଲେ

“ଏହିସବୁରେ ଆୟୁବ ପାପ କଲା ନାହିଁ, ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ ।”— ଆୟୁବ ୧:୨୨

ଆୟୁବଙ୍କ ଜୀବନରେ ଶୟତାନ କିପରି ସମସ୍ୟା ଆଣିଲା ଏବଂ ଆୟୁବଙ୍କର କʼଣ ପ୍ରତିକ୍ରିୟା ଥିଲା ?

  • ଆୟୁବ ୧:୧୦, ୧୧

    ଶୟତାନ ଦାବି କଲା ଯେ ଆୟୁବ ସ୍ୱାର୍ଥପର ଅଟେ ଏବଂ ସେ ଈଶ୍ୱରଙ୍କୁ ପ୍ରେମ କରେ ନାହିଁ ।

  • ଆୟୁବ ୧:୧୨-୧୯; ୨:୭

    ଯିହୋବା ଶୟତାନକୁ ଆୟୁବଙ୍କର ପରୀକ୍ଷା ନେବା ପାଇଁ ଅନୁମତି ଦେଲେ । ଶୟତାନ ଆୟୁବଙ୍କର ସବୁକିଛି ଛଡ଼ାଇ ନେଲା ଏବଂ ତାଙ୍କୁ ଏକ ଅତି ଯନ୍ତ୍ରଣାଦାୟକ ରୋଗରେ ପୀଡ଼ିତ କଲା ।

  • ଆୟୁବ ୨୭:୫

    ଆୟୁବଙ୍କୁ ଜଣା ନ ଥିଲା ଯେ ତାଙ୍କ ଜୀବନରେ ଏତେ ଦୁଃଖକଷ୍ଟ କାହିଁକି ଆସୁଛି, ତଥାପି ସେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ ।

ସତ୍ୟ-୩: ଶୟତାନ ଆପଣଙ୍କୁ ଯିହୋବାଙ୍କଠାରୁ ଦୂରେଇ ନେଇଯିବାକୁ ଚେଷ୍ଟା କରେ

“ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇଦେବ ।”— ଆୟୁବ ୨:୪, ଇଜି-ଟୁ-ରିଡ୍‌ ଭର୍ସନ

ଶୟତାନ କିପରି ଯିହୋବାଙ୍କ ସହିତ ଆମ ମିତ୍ରତାକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ ?

  • ୨ କରିନ୍ଥୀୟ ୧୧:୧୪

    ଶୟତାନ ଆମକୁ ଯିହୋବାଙ୍କ ଆଜ୍ଞା ନ ମାନିବା ପାଇଁ ପ୍ରଲୋଭିତ କରେ ।

  • ହିତୋପଦେଶ ୨୪:୧୦

    ସେ ଆମ ମନରେ ଏହି ଭାବନା ଭରିଦିଏ ଯେ ଆମେ ଯିହୋବାଙ୍କ ସେବା କରିବା ପାଇଁ ଆଦୌ ଯୋଗ୍ୟ ନୋହୁଁ ।

  • ୧ ପିତର ୫:୮

    ଶୟତାନ ଆମ ଜୀବନରେ ସମସ୍ୟା ଆଣିଥାଏ ।

  • ହିତୋପଦେଶ ୨୭:୧୧

    ଯିହୋବାଙ୍କ ଆଜ୍ଞା ପାଳନ କରିବା ଏବଂ ତାହାଙ୍କ ବିଶ୍ୱସ୍ତ ମିତ୍ର ହେବା ପାଇଁ ନିଷ୍ପତ୍ତି ନିଅନ୍ତୁ । ଏଥିରୁ ପ୍ରମାଣିତ ହେବ ଯେ ଶୟତାନ ମିଥ୍ୟାବାଦୀ ଅଟେ ।

ସତ୍ୟ-୪: ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, କାରଣ ଆମେ ତାହାଙ୍କୁ ପ୍ରେମ କରୁ

“ଈଶ୍ୱରଙ୍କୁ ପ୍ରେମ କରିବାର ଅର୍ଥ, ତାହାଙ୍କ ଆଜ୍ଞା ପାଳନ କରିବା ।”— ୧ ଯୋହନ ୫:୩

ଆପଣ ଯିହୋବାଙ୍କ ମିତ୍ର କିପରି ହୋଇପାରିବେ ?

  • ଦ୍ୱିତୀୟ ବିବରଣ ୬:୫

    ଈଶ୍ୱରଙ୍କୁ ପ୍ରେମ କରନ୍ତୁ । ଏଥିରୁ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ଆପଣଙ୍କୁ ପ୍ରୋତ୍ସାହନ ମିଳିବ ।

  • ଯିଶାଇୟ ୪୮:୧୭, ୧୮

    ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ ଏବଂ ଆପଣଙ୍କୁ ସର୍ବଦା ଲାଭ ହେବ ।

  • ଦ୍ୱିତୀୟ ବିବରଣ ୩୦:୧୧-୧୪

    ଭରସା ରଖନ୍ତୁ ଯେ ଯିହୋବା କେବେ ମଧ୍ୟ ଆପଣଙ୍କୁ ଏପରି କୌଣସି କାମ କରିବାକୁ କହିବେ ନାହିଁ, ଯାହା ଆପଣ କରିପାରିବେ ନାହିଁ ।

  • ଫିଲିପ୍‌ପୀୟ ୪:୧୩

    ସର୍ବଦା ସଠିକ୍‌ କାମ କରନ୍ତୁ ଏବଂ ଏଥିପାଇଁ ଯିହୋବା ଆପଣଙ୍କୁ ଶକ୍ତି ଦେବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ