ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୧୯ ପୃଷ୍ଠା ୧୯୭-୨୦୬
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ପ୍ରେମ ବଦଳରେ ତାହାଙ୍କ ପ୍ରତି ପ୍ରେମ ଦେଖାନ୍ତୁ
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
  • ଯିହୋବାଙ୍କ ବିଷୟରେ ଅନ୍ୟମାନଙ୍କୁ କହନ୍ତୁ
  • ପ୍ରକୃତ ଜୀବନ
  • ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ନିଜ ପ୍ରେମ ଲଗାତାର ବଢ଼ାନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୧୯ ପୃଷ୍ଠା ୧୯୭-୨୦୬

ଉଣେଇଶ ଅଧ୍ୟାୟ

ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ

୧, ୨. ଆଜିର କଠିନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଆମେ କାହାଠାରୁ ସାହାଯ୍ୟ ପାଇପାରିବା ?

କଳ୍ପନା କରନ୍ତୁ ଯେ ଆପଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ହଠାତ୍‌ ପାଗ ଭୟଙ୍କର ରୂପ ନିଏ । ବିଜୁଳି ଚମକିବାକୁ ଲାଗେ ଏବଂ ପ୍ରଚଣ୍ଡ ଘଡ଼ଘଡ଼ି ହୁଏ । ତାʼପରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଯାଏ । ଆପଣ ଆଶ୍ରୟ ନେବା ପାଇଁ କୌଣସି ଏକ ଜାଗା ଖୋଜନ୍ତି । ଠିକ୍‌ ସେତିକି ବେଳେ ଆପଣ ଏକ ଘର ଦେଖିବାକୁ ପାʼନ୍ତି । ଆପଣ ଦୌଡ଼ି ଯାଇ ସେଠାରେ ଆଶ୍ରୟ ନିଅନ୍ତି । ଏଭଳି ପରିସ୍ଥିତିରେ ଆପଣ ସେଠାରେ କେତେ ଶାନ୍ତିରେ ନିଃଶ୍ୱାସ ମାରିବେ !

୨ ଆଜି ଜଗତର ପରିସ୍ଥିତି ମଧ୍ୟ ଠିକ୍‌ ସେହିପରି ଅଟେ । ଏହା ଦିନକୁ ଦିନ ଆହୁରି ଖରାପ ହେବାକୁ ଲାଗିଛି । ଆପଣ ହୁଏତ ଭାବିପାରନ୍ତି, ‘ଏସବୁରୁ ରକ୍ଷା ପାଇବା ପାଇଁ ମୁଁ କେଉଁଠାକୁ ଯିବି ?’ ଗୀତସଂହିତାର ରଚୟିତା ଲେଖିଥିଲେ, “ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ ।” (ଗୀତସଂହିତା ୯୧:୨) ଆଜି ଆମେ ଯେତେ ମଧ୍ୟ ସମସ୍ୟାଗୁଡ଼ିକ ଦ୍ୱାରା ଘେରି ରହିଥାଉ ନା କାହିଁକି, ଯିହୋବା ଆମକୁ ନିଶ୍ଚୟ ରକ୍ଷା କରିପାରିବେ । କେବଳ ସେତିକି ନୁହଁ, ସେ ଆମକୁ ଏକ ସୁନ୍ଦର ଭବିଷ୍ୟତର ଆଶା ମଧ୍ୟ ଦେଇଥାʼନ୍ତି ।

୩. ଯିହୋବାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମକୁ କʼଣ କରିବାକୁ ହେବ ?

୩ ଯିହୋବା ଆମକୁ କିପରି ରକ୍ଷା କରନ୍ତି ? ସେ ଆମକୁ ନିଜ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ କରନ୍ତି । ଏପରି ଯେକେହି ଆମକୁ କ୍ଷତି ପହଞ୍ଚାଇବାକୁ ଚାହେଁ, ତାʼଠାରୁ ଯିହୋବା କାହିଁ କେତେ ଅଧିକ ଶକ୍ତିଶାଳୀ ଅଟନ୍ତି । ଯଦିଓ ବର୍ତ୍ତମାନ କୌଣସି ଦୁଃଖଦ ଘଟଣା ଯୋଗୁଁ ଆମର କିଛି ହାନି ହୁଏ, ତଥାପି ଆମେ ସମ୍ପୂର୍ଣ୍ଣ ଭରସା ରଖିପାରିବା ଯେ ଯିହୋବା ଭବିଷ୍ୟତରେ ଏହାର ନିଶ୍ଚୟ କ୍ଷତିପୂରଣ କରିବେ । ବାଇବଲରୁ ଆମକୁ ଏହି ପ୍ରେରଣା ମିଳେ: “ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ ।” (ଯିହୂଦା ୨୧) ଯଦି ଆମେ କଠିନ ପରିସ୍ଥିତିରେ ଯିହୋବାଙ୍କଠାରୁ ସାହାଯ୍ୟ ପାଇବାକୁ ଚାହୁଁ, ତେବେ ଆମକୁ ତାହାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବାକୁ ହେବ । ଆମେ ଏହି ସମ୍ପର୍କ କିପରି ରଖିପାରିବା ?

ଈଶ୍ୱରଙ୍କ ପ୍ରେମ ବଦଳରେ ତାହାଙ୍କ ପ୍ରତି ପ୍ରେମ ଦେଖାନ୍ତୁ

୪, ୫. ଯିହୋବା କିପରି ଦେଖାଇଛନ୍ତି ଯେ ସେ ଆମକୁ ପ୍ରେମ କରନ୍ତି ?

୪ ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିବା ପାଇଁ ଆମକୁ ଏହା ବୁଝିବା ଜରୁରୀ ଯେ ସେ ଆମକୁ କେତେ ପ୍ରେମ କରନ୍ତି । ଟିକିଏ ଭାବି ଦେଖନ୍ତୁ, ଯିହୋବା ଆମ ପାଇଁ କେତେ କʼଣ କରିଛନ୍ତି ! ସେ ଆମକୁ ଏଇ ସୁନ୍ଦର ପୃଥିବୀ ଦେଇଛନ୍ତି । ସେ ଭିନ୍ନ ଭିନ୍ନ ପ୍ରକାରର ଗଛଲତା ଓ ଜୀବଜନ୍ତୁ ସୃଷ୍ଟି କରିଛନ୍ତି, ଯେଉଁଗୁଡ଼ିକୁ ଦେଖି ଆମେ ଚକିତ ହେଉ । ଆମ ଖାଇବା ପାଇଁ ସେ ନାନା ପ୍ରକାରର ସୁଆଦିଆ ଖାଦ୍ୟ ଏବଂ ପିଇବା ପାଇଁ ପରିଷ୍କାର ପାଣି ଦେଇଛନ୍ତି । ସେ ବାଇବଲ ମାଧ୍ୟମରେ ଆମକୁ ତାହାଙ୍କ ନାମ ଏବଂ ତାହାଙ୍କ ମହାନ ଗୁଣଗୁଡ଼ିକ ବିଷୟରେ ଜଣାଇଛନ୍ତି । ଯିହୋବାଙ୍କ ପ୍ରେମର ସବୁଠାରୁ ବଡ଼ ପ୍ରମାଣ ହେଉଛି, ସେ ଆମର ଉଦ୍ଧାର ପାଇଁ ତାହାଙ୍କ ପ୍ରିୟ ପୁତ୍ର ଯୀଶୁଙ୍କୁ ନିଜ ଜୀବନ ବଳିଦାନ ଦେବାକୁ ଏହି ପୃଥିବୀକୁ ପଠାଇଲେ । (ଯୋହନ ୩:୧୬) ଏହି ବଳିଦାନ ଯୋଗୁଁ ହିଁ ଆମକୁ ଏକ ସୁନ୍ଦର ଭବିଷ୍ୟତର ଆଶା ମିଳିଛି ।

୫ ଯିହୋବା ଆମ ପାଇଁ ସ୍ୱର୍ଗରେ ତାହାଙ୍କ ରାଜ୍ୟ ମଧ୍ୟ ସ୍ଥାପନ କରିଛନ୍ତି । ଈଶ୍ୱରଙ୍କ ଏହି ରାଜ୍ୟ ଖୁବ୍‌ ଶୀଘ୍ର ଆମର ସମସ୍ତ ଦୁଃଖକଷ୍ଟକୁ ଦୂର କରିଦେବ ଏବଂ ସାରା ପୃଥିବୀକୁ ଏକ ସୁନ୍ଦର ଉଦ୍ୟାନରେ ପରିଣତ କରିବ । ସେଠାରେ ସମସ୍ତେ ଶାନ୍ତି ଓ ଖୁସିରେ ଚିରଦିନ ପାଇଁ ଜୀବନର ଆନନ୍ଦ ନେବେ । (ଗୀତସଂହିତା ୩୭:୨୯) ଯିହୋବାଙ୍କ ପ୍ରେମର ଆଉ ଏକ ଉଦାହରଣ ହେଉଛି, ସେ ଆଜି ଆମକୁ ଶିଖାନ୍ତି ଯେ ଆମେ କିପରି ଏକ ଉତ୍ତମ ଜୀବନ ପାଇପାରିବା । ସେ ଏହା ମଧ୍ୟ କହନ୍ତି ଯେ ଆମେ ତାହାଙ୍କ ସହିତ ପ୍ରାର୍ଥନାରେ କଥା ହୋଇପାରିବା ଏବଂ ସେ ଆମ ପ୍ରାର୍ଥନା ଶୁଣିବା ପାଇଁ ସର୍ବଦା ପ୍ରସ୍ତୁତ ରହନ୍ତି । ଯିହୋବା ସ୍ପଷ୍ଟ ଭାବେ ଦେଖାଇଛନ୍ତି ଯେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ସେ ପ୍ରେମ କରନ୍ତି ।

୬. ଯିହୋବାଙ୍କ ପ୍ରେମ ବଦଳରେ ଆପଣ କିପରି ତାହାଙ୍କ ପ୍ରତି ପ୍ରେମ ଦେଖାଇପାରିବେ ?

୬ ଯିହୋବାଙ୍କ ପ୍ରେମ ବଦଳରେ ଆପଣ କିପରି ତାହାଙ୍କ ପ୍ରତି ପ୍ରେମ ଦେଖାଇପାରିବେ ? ଯିହୋବା ଆପଣଙ୍କ ପାଇଁ ଯାହା କିଛି କରିଛନ୍ତି, ତାʼ ପାଇଁ କୃତଜ୍ଞତା ଦେଖାନ୍ତୁ । ଦୁଃଖର କଥା ଯେ ଆଜି ଅଧିକାଂଶ ଲୋକେ କାହାରି ପ୍ରତି କୃତଜ୍ଞତା ଦେଖାନ୍ତି ନାହିଁ । ଯେତେବେଳେ ଯୀଶୁ ପୃଥିବୀରେ ଥିଲେ, ସେତେବେଳେ ମଧ୍ୟ ଏଭଳି ପରିସ୍ଥିତି ଥିଲା । ଥରେ ଯେତେବେଳେ ସେ ଦଶ ଜଣ କୁଷ୍ଠରୋଗୀଙ୍କୁ ସୁସ୍ଥ କଲେ, ସେମାନଙ୍କ ମଧ୍ୟରୁ କେବଳ ଜଣେ ଆସି ତାହାଙ୍କୁ ଧନ୍ୟବାଦ ଜଣାଇଲା । (ଲୂକ ୧୭:୧୨-୧୭) ଯେଉଁ ଲୋକଟି ଯୀଶୁଙ୍କୁ ଧନ୍ୟବାଦ ଦେଇଥିଲା, ଆମେ ସେହି ବ୍ୟକ୍ତି ପରି ହେବା ଉଚିତ୍‌ । ଆମେ ସର୍ବଦା ଯିହୋବାଙ୍କଠାରେ କୃତଜ୍ଞ ରହିବା ଉଚିତ୍‌ ।

୭. ଯିହୋବାଙ୍କ ପ୍ରତି ଆମ ପ୍ରେମ କେତେ ଗଭୀର ହେବା ଉଚିତ୍‌ ?

୭ ଆମେ ଯିହୋବାଙ୍କୁ ପ୍ରେମ କରିବା ଉଚିତ୍‌ । ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ନିଜ ସମସ୍ତ ହୃଦୟ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ଯିହୋବାଙ୍କୁ ପ୍ରେମ କରିବା ଉଚିତ୍‌ । (ମାଥିଉ ୨୨:୩୭ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ?

୮, ୯. ଆମେ ଯିହୋବାଙ୍କୁ ପ୍ରେମ କରୁ ବୋଲି ଆମେ କିପରି ଦେଖାଇପାରିବା ?

୮ ଆମେ ଯିହୋବାଙ୍କୁ ପ୍ରେମ କରୁ ବୋଲି କେବଳ କହିବା ଯଥେଷ୍ଟ କି ? ନା । ଯଦି ଆମେ ସମସ୍ତ ହୃଦୟ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ଯିହୋବାଙ୍କୁ ପ୍ରେମ କରୁ, ତେବେ ଆମେ ନିଜ କାମଗୁଡ଼ିକରେ ମଧ୍ୟ ଏହି ପ୍ରେମ ଦେଖାଇବା । (ମାଥିଉ ୭:୧୬-୨୦) ବାଇବଲ ସ୍ପଷ୍ଟ ଭାବେ କହେ ଯେ ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ, ତେବେ ଆମେ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା । କʼଣ ଏପରି କରିବା କଠିନ ଅଟେ ? କଦାପି ନୁହଁ, କାରଣ ଯିହୋବାଙ୍କ “ଆଜ୍ଞାସବୁ ଭାରସ୍ୱରୂପ ନୁହେଁ ।”— ୧ ଯୋହନ ୫:୩ ପଢ଼ନ୍ତୁ ।

୯ ଯେତେବେଳେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରୁ, ଆମ ଜୀବନ ଖୁସି ଓ ସନ୍ତୋଷରେ ଭରିଯାଏ । (ଯିଶାଇୟ ୪୮:୧୭, ୧୮) କିନ୍ତୁ ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିବା ପାଇଁ ଆମକୁ କʼଣ ସାହାଯ୍ୟ କରିବ ? ଆସନ୍ତୁ ଏବିଷୟରେ ଦେଖିବା ।

ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ

୧୦. ଆପଣ ଯିହୋବାଙ୍କ ବିଷୟରେ ଶିଖିବା କାହିଁକି ଜାରି ରଖିବା ଉଚିତ୍‌ ?

୧୦ ଯେଉଁ ଦିନଠାରୁ ଆପଣ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ, ସେହି ଦିନଠାରୁ ଆପଣ ଯିହୋବାଙ୍କୁ ଜାଣିବାକୁ ଲାଗିଲେ ଏବଂ ତାହାଙ୍କ ସହିତ ଆପଣଙ୍କ ମିତ୍ରତା ଘନିଷ୍ଠ ହେବାକୁ ଲାଗିଲା । ଏହି ମିତ୍ରତା ଏକ ନିଆଁ ଭଳି ଅଟେ, ଯାହାକୁ ଆପଣ ଜଳାଇ ରଖିବାକୁ ଚାହିଁବେ । ଯେପରି ନିଆଁକୁ ଜଳାଇ ରଖିବା ପାଇଁ କାଠ ଆବଶ୍ୟକ ହୁଏ, ଠିକ୍‌ ସେହିପରି ଯିହୋବାଙ୍କ ସହିତ ମିତ୍ରତା ବଜାୟ ରଖିବାକୁ ହେଲେ ଆପଣଙ୍କୁ ତାହାଙ୍କ ବିଷୟରେ ଶିଖିବା ଜାରି ରଖିବାକୁ ହେବ ।— ହିତୋପଦେଶ ୨:୧-୫.

ଜଣେ ଲୋକ ନିଆଁ ସାହାଯ୍ୟରେ ନିଜକୁ ଶୀତରୁ ରକ୍ଷା କରୁଛନ୍ତି

ନିଆଁକୁ ଜଳାଇ ରଖିବା ପାଇଁ ଯେପରି କାଠ ଆବଶ୍ୟକ ହୁଏ, ସେହିପରି ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମକୁ ବଜାୟ ରଖିବା ପାଇଁ ତାହାଙ୍କ ବିଷୟରେ ଶିଖିବା ଜାରି ରଖିବାକୁ ହେବ

୧୧. ବାଇବଲର ଶିକ୍ଷାଗୁଡ଼ିକ ଆପଣଙ୍କୁ କିପରି ପ୍ରଭାବ ପକାଇପାରେ ?

୧୧ ଯେପରି ଆପଣ ବାଇବଲ ଅଧ୍ୟୟନ କରିବା ଜାରି ରଖିବେ, ଆପଣ ଏପରି କଥାଗୁଡ଼ିକ ଶିଖିବେ, ଯାହା ଆପଣଙ୍କ ହୃଦୟକୁ ଛୁଇଁ ଯିବ । ଧ୍ୟାନ ଦିଅନ୍ତୁ, ଯୀଶୁ ଖ୍ରୀଷ୍ଟ ନିଜର ଦୁଇ ଜଣ ଶିଷ୍ୟଙ୍କୁ ବାଇବଲର କିଛି ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ବୁଝାଉଥିବା ସମୟରେ ସେମାନଙ୍କୁ କିପରି ଲାଗିଲା । ସେମାନେ କହିଲେ, “ଯେତେବେଳେ ପଥ ମଧ୍ୟରେ ସେ ଆମ୍ଭମାନଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିଲେ ଓ ଆମ୍ଭମାନଙ୍କୁ ଧର୍ମଶାସ୍ତ୍ର ବୁଝାଉଥିଲେ, ସେତେବେଳେ କଅଣ ଆମ୍ଭମାନଙ୍କ ହୃଦୟ ଉତ୍ତପ୍ତ ହେଉ ନ ଥିଲା ?”— ଲୂକ ୨୪:୩୨.

୧୨, ୧୩. (କ) ଯିହୋବାଙ୍କ ପ୍ରତି ଆମ ପ୍ରେମକୁ ସମୟକ୍ରମେ ହୁଏତ କʼଣ ହୋଇପାରେ ? (ଖ) ଯିହୋବାଙ୍କ ପ୍ରତି ଆମ ପ୍ରେମକୁ ଆମେ କିପରି ବଜାୟ ରଖିପାରିବା ?

୧୨ ଶାସ୍ତ୍ରପଦଗୁଡ଼ିକୁ ବୁଝିବା ପରେ ଶିଷ୍ୟମାନଙ୍କ ହୃଦୟରେ ଯେପରି ଉତ୍ସାହ ଭରିଯାଇଥିଲା, ଠିକ୍‌ ସେହିପରି ଯେତେବେଳେ ଆପଣ ପ୍ରଥମ ଥର ପାଇଁ ବାଇବଲର ସତ୍ୟଗୁଡ଼ିକୁ ବୁଝିବାକୁ ଲାଗିଲେ, ଆପଣଙ୍କ ହୃଦୟରେ ମଧ୍ୟ ଉତ୍ସାହ ଭରିଯାଇଥିବ । ଏହି ଉତ୍ସାହ ଯୋଗୁଁ ଆପଣ ଯିହୋବାଙ୍କୁ ଜାଣିଲେ ଏବଂ ତାହାଙ୍କୁ ପ୍ରେମ କରିବାକୁ ଲାଗିଲେ । କିନ୍ତୁ ସମୟକ୍ରମେ ଏହି ପ୍ରେମ ହୁଏତ ଥଣ୍ଡା ହୋଇଯାଇପାରେ । (ମାଥିଉ ୨୪:୧୨) ତେଣୁ ଆପଣ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଉଚିତ୍‌ ଯେ ଆପଣଙ୍କ ଏହି ପ୍ରେମ କେବେ ମଧ୍ୟ ଊଣା ନ ହେଉ ।

୧୩ ଥରେ ଯେତେବେଳେ ଆପଣ ଈଶ୍ୱରଙ୍କ ମିତ୍ର ହୋଇଯାʼନ୍ତି, ସେହି ମିତ୍ରତାକୁ ବଜାୟ ରଖିବା ପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ହେବ । ଆପଣଙ୍କୁ ଈଶ୍ୱର ଏବଂ ଯୀଶୁଙ୍କ ବିଷୟରେ ଶିଖିବା ଜାରି ରଖିବାକୁ ହେବ । ଏହା ସହିତ, ଆପଣ ଯାହା ଶିଖନ୍ତି, ତାʼ ଉପରେ ଗଭୀର ଭାବେ ଚିନ୍ତନ କରିବାକୁ ହେବ ଏବଂ ସେଗୁଡ଼ିକୁ ନିଜ ଜୀବନରେ ଲାଗୁ କରିବାକୁ ହେବ । (ଯୋହନ ୧୭:୩) ବାଇବଲ ପଢ଼ିବା କିମ୍ବା ଅଧ୍ୟୟନ କରିବା ସମୟରେ ନିଜକୁ ପଚାରନ୍ତୁ: ‘ଏଥିରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଶିଖୁଛି ? ମୁଁ କାହିଁକି ଈଶ୍ୱରଙ୍କୁ ନିଜ ସମ୍ପୂର୍ଣ୍ଣ ହୃଦୟ ଏବଂ ସମ୍ପୂର୍ଣ୍ଣ ପ୍ରାଣ ସହିତ ପ୍ରେମ କରିବା ଉଚିତ୍‌ ?’— ୧ ତୀମଥି ୪:୧୫.

୧୪. ପ୍ରାର୍ଥନା କରିବା ଦ୍ୱାରା ଯିହୋବାଙ୍କ ପ୍ରତି ଆମ ପ୍ରେମ କିପରି ଦୃଢ଼ ହୋଇ ରହିବ ?

୧୪ ଯଦି ଆପଣଙ୍କ କୌଣସି ପ୍ରିୟ ବନ୍ଧୁ ଥାʼନ୍ତି, ତେବେ ଆପଣ ନିଶ୍ଚିତ ଭାବେ ପ୍ରତିଦିନ ତାଙ୍କ ସହିତ କଥା ହେଉଥିବେ । ଆଉ, ଏପରି କରିବା ଜରୁରୀ ମଧ୍ୟ ଅଟେ, କାରଣ ଏହାଦ୍ୱାରା ଆପଣଙ୍କ ବନ୍ଧୁତା ଦୃଢ଼ ହୋଇ ରହିବ । ଠିକ୍‌ ସେହିପରି, ଯଦି ଆମେ ଯିହୋବାଙ୍କୁ ପ୍ରତିଦିନ ପ୍ରାର୍ଥନା କରିବା, ତେବେ ତାହାଙ୍କ ପ୍ରତି ଆମ ପ୍ରେମ ସବୁଦିନ ପାଇଁ ଦୃଢ଼ ହୋଇ ରହିବ । (୧ ଥେସଲନୀକୀୟ ୫:୧୭ ପଢ଼ନ୍ତୁ ।) ପ୍ରାର୍ଥନା ଆମ ସ୍ୱର୍ଗୀୟ ପିତାଙ୍କ ତରଫରୁ ମିଳିଥିବା ଏକ ବିଶେଷ ଉପହାର ଅଟେ । ଯେତେବେଳେ ଆମେ ପ୍ରାର୍ଥନା କରୁ, ଆମେ ମନ ଖୋଲି ତାହାଙ୍କ ସହିତ କଥା ହେବା ଉଚିତ୍‌ । (ଗୀତସଂହିତା ୬୨:୮) ଆମେ ମୁଖସ୍ତ ପ୍ରାର୍ଥନା କରିବା ଉଚିତ୍‌ ନୁହଁ, ବରଂ ହୃଦୟର ସହିତ ନିଜ କଥା ତାହାଙ୍କୁ କହିବା ଉଚିତ୍‌ । ହଁ, ଯଦି ଆମେ ବାଇବଲ ଅଧ୍ୟୟନ ଜାରି ରଖିବା ଏବଂ ହୃଦୟର ସହିତ ପ୍ରାର୍ଥନା କରିବା, ତେବେ ଯିହୋବାଙ୍କ ପ୍ରତି ଆମ ପ୍ରେମ ସବୁଦିନ ପାଇଁ ଦୃଢ଼ ହୋଇ ରହିବ ।

ଯିହୋବାଙ୍କ ବିଷୟରେ ଅନ୍ୟମାନଙ୍କୁ କହନ୍ତୁ

୧୫, ୧୬. ପ୍ରଚାର କାମକୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି ?

୧୫ ଯଦି ଆମେ ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ଚାହୁଁ, ତେବେ ଆମକୁ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହିବାକୁ ହେବ । ଯିହୋବାଙ୍କ ବିଷୟରେ ଅନ୍ୟମାନଙ୍କୁ କହିବା ଆମ ପାଇଁ ଏକ ସମ୍ମାନର ବିଷୟ ଅଟେ ! କେବଳ ସେତିକି ନୁହଁ, ଏହା ଯୀଶୁଙ୍କ ଦ୍ୱାରା ସମସ୍ତ ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଦିଆଯାଇଥିବା ଏକ ଦାୟିତ୍ୱ ମଧ୍ୟ ଅଟେ । ତେଣୁ ଆମ ମଧ୍ୟରୁ ପ୍ରତ୍ୟେକେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବା ଉଚିତ୍‌ । କʼଣ ଆପଣ ଏପରି କରୁଛନ୍ତି ?— ମାଥିଉ ୨୪:୧୪; ୨୮:୧୯, ୨୦.

୧୬ ପାଉଲ ପ୍ରଚାର କାମକୁ ଅତି ମୂଲ୍ୟବାନ ଭାବୁଥିଲେ । ତେଣୁ ସେ ଏହାକୁ ଏକ “ଧନ” ବୋଲି କହିଥିଲେ । (୨ କରିନ୍ଥୀୟ ୪:୭) ଯିହୋବା ଏବଂ ତାହାଙ୍କ ଉଦ୍ଦେଶ୍ୟ ବିଷୟରେ ଅନ୍ୟମାନଙ୍କୁ କହିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଅଟେ । ଏହି କାମ କରିବା ଦ୍ୱାରା ଆପଣ ଯିହୋବାଙ୍କ ସେବା କରିପାରିବେ ଏବଂ ଆପଣଙ୍କ ଏହି ସେବାକୁ ସେ ବହୁମୂଲ୍ୟ ମନେ କରିବେ । (ଏବ୍ରୀ ୬:୧୦) ପ୍ରଚାର କାମ କରିବା ଦ୍ୱାରା ଆପଣଙ୍କର ଏବଂ ଯେଉଁମାନେ ଆପଣଙ୍କ କଥା ଶୁଣନ୍ତି, ଉଭୟଙ୍କର ଲାଭ ହୋଇପାରିବ । କାରଣ ଏଥିରେ ଆପଣ ନିଜକୁ ଓ ଅନ୍ୟମାନଙ୍କୁ ଯିହୋବାଙ୍କ ନିକଟବର୍ତ୍ତୀ ହେବା ଏବଂ ଅନନ୍ତ ଜୀବନ ପାଇବା ପାଇଁ ସାହାଯ୍ୟ କରିଥାʼନ୍ତି । (୧ କରିନ୍ଥୀୟ ୧୫:୫୮ ପଢ଼ନ୍ତୁ ।) ଏହି କାମରୁ ଆପଣଙ୍କୁ ଯେଉଁ ଖୁସି ମିଳିବ, ତାହା ଆଉ ଅନ୍ୟ କୌଣସି କାମରୁ ମିଳିପାରିବ ନାହିଁ ।

୧୭. ପ୍ରଚାର କାମ କରିବା କାହିଁକି ଅତି ଜରୁରୀ ଅଟେ ?

୧୭ ଆଜି ପ୍ରଚାର କାମ କରିବା ଅତି ଜରୁରୀ ଅଟେ । ତେଣୁ ଆମେ “ବାକ୍ୟର ପ୍ରଚାର” କରିବା ଉଚିତ୍‌ ଏବଂ ‘ସମୟରେ ହେଉ କିମ୍ବା ଅସମୟରେ,’ ଏହି କାମରେ ଲାଗି ରହିବା ଉଚିତ୍‌ । (୨ ତୀମଥି ୪:୨) ଆମେ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ କହିବା ଜରୁରୀ ଅଟେ । ବାଇବଲ କହେ, “ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା . . . ଅତି ଶୀଘ୍ର ଆସୁଅଛି ।” ଯୁଗାନ୍ତ ଆସିବାରେ “ବିଳମ୍ବ ହେବ ନାହିଁ ।” (ସିଫନୀୟ ୧:୧୪; ହବକ୍‌କୂକ ୨:୩) ଯିହୋବା ଖୁବ୍‌ ଶୀଘ୍ର ଶୟତାନର ଏହି ଦୁଷ୍ଟ ଜଗତକୁ ବିନାଶ କରିଦେବେ । ସେହି ସମୟ ଆସିବା ପୂର୍ବରୁ ଲୋକମାନଙ୍କୁ ସତର୍କ କରିବା ଜରୁରୀ ଅଟେ, ଯାହାଫଳରେ ସେମାନେ ଯିହୋବାଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇପାରିବେ ।

୧୮. ଆମେ କାହିଁକି ଅନ୍ୟ ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ମିଶି ଯିହୋବାଙ୍କ ଉପାସନା କରିବା ଉଚିତ୍‌ ?

୧୮ ଯିହୋବା ଚାହାନ୍ତି ଯେ ଆମେ ଅନ୍ୟ ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ସହିତ ମିଶି ତାହାଙ୍କ ଉପାସନା କରୁ । ବାଇବଲ କହେ, “ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍‌ । କିଛି ଲୋକ ଯେପରି ମଣ୍ଡଳୀ ଉପାସନା ପରିତ୍ୟାଗ କରନ୍ତି, ଆମ୍ଭେ ସେପରି ଏକାଠି ମିଳିତ ହେବା ବନ୍ଦ କରିବା ଉଚିତ୍‌ ନୁହେଁ । ତାʼ ପରିବର୍ତ୍ତେ, ସେହି ଦିନଟି ନିକଟତର ହେଉଛି ଦେଖି ଆମ୍ଭେମାନେ ଏକାଠି ମିଳିତ ହୋଇ ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ୍‌ ।” (ଏବ୍ରୀ ୧୦:୨୪, ୨୫, ଇଜି-ଟୁ-ରିଡ୍‌ ଭର୍ସନ) ଆମେ ସମସ୍ତ ସଭାଗୁଡ଼ିକରେ ନିୟମିତ ଭାବେ ଉପସ୍ଥିତ ହେବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା ଉଚିତ୍‌ । ସଭାଗୁଡ଼ିକରେ ଆମକୁ ପରସ୍ପରର ଉତ୍ସାହ ବଢ଼ାଇବା ଏବଂ ପରସ୍ପରକୁ ମଜବୁତ୍‌ କରିବା ପାଇଁ ସୁଯୋଗ ମିଳିଥାଏ ।

୧୯. ଆମ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ପ୍ରେମ କରିବାରେ ଆମକୁ କʼଣ ସାହାଯ୍ୟ କରିବ ?

୧୯ ସଭାଗୁଡ଼ିକରେ ଉପସ୍ଥିତ ହୋଇ ଆପଣ ଭଲ ମିତ୍ର ମଧ୍ୟ ପାଇପାରିବେ, ଯେଉଁମାନେ ଆପଣଙ୍କୁ ଯିହୋବାଙ୍କ ଉପାସନା କରିବାରେ ସାହାଯ୍ୟ କରିବେ । ଆପଣ ଭିନ୍ନ ଭିନ୍ନ ଭାଇଭଉଣୀମାନଙ୍କୁ ଭେଟିବେ, ଯେଉଁମାନେ ଆପଣଙ୍କ ଭଳି ଯିହୋବାଙ୍କ ଉପାସନା କରିବା ପାଇଁ ସର୍ବଦା ଚେଷ୍ଟା କରିଥାʼନ୍ତି । ମନେ ରଖନ୍ତୁ, ଆମେ ସମସ୍ତେ ପାପୀ ଅଟୁ ଏବଂ ଭୁଲ୍‌ କରିଥାଉ । ତେଣୁ ଯଦି ଭାଇଭଉଣୀମାନଙ୍କ ମଧ୍ୟରୁ କେହି କୌଣସି ଭୁଲ୍‌ କରନ୍ତି ଏବଂ ଆପଣଙ୍କ ମନରେ କଷ୍ଟ ଦିଅନ୍ତି, ତେବେ ତାଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । (କଲସୀୟ ୩:୧୩ ପଢ଼ନ୍ତୁ ।) ସର୍ବଦା ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କର ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣ ସେମାନଙ୍କୁ ପ୍ରେମ କରିପାରିବେ ଏବଂ ଯିହୋବାଙ୍କ ଆହୁରି ନିକଟବର୍ତ୍ତୀ ହୋଇପାରିବେ ।

ପ୍ରକୃତ ଜୀବନ

୨୦, ୨୧. “ପ୍ରକୃତ ଜୀବନ” କʼଣ ଅଟେ ?

୨୦ ଯିହୋବା ଚାହାନ୍ତି ଯେ ତାହାଙ୍କ ସମସ୍ତ ମିତ୍ରମାନେ ଉତ୍ତମ ଜୀବନ ପାଆନ୍ତୁ । ବାଇବଲ ଆମକୁ ଶିଖାଏ ଯେ ଭବିଷ୍ୟତରେ ଆମ ଜୀବନ ଆଜିର ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ।

ଏକ ସୁଖୀ ପରିବାର ପାରଦୀଶରେ ଜୀବନର ଉପଭୋଗ କରୁଛନ୍ତି

ଯିହୋବା ଚାହାନ୍ତି ଯେ ଆପଣଙ୍କୁ “ପ୍ରକୃତ ଜୀବନ” ମିଳୁ । କʼଣ ଆପଣ ମଧ୍ୟ ଏହା ଚାହାନ୍ତି ?

୨୧ ଭବିଷ୍ୟତରେ ଆମେ କେବଳ ୭୦ କିମ୍ବା ୮୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ନାହିଁ, ବରଂ ଆମେ ଚିରଦିନ ପାଇଁ ଜୀବିତ ରହିବା । ଏହି ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରାଯିବ । ଚାରିଆଡ଼େ ଖୁସି ଓ ଶାନ୍ତି ଭରିଯିବ । ଆମେ ଉତ୍ତମ ସ୍ୱାସ୍ଥ୍ୟରେ ‘ଅନନ୍ତ ଜୀବନର’ ଆନନ୍ଦ ନେବା । ଏହି ଜୀବନକୁ ବାଇବଲ “ପ୍ରକୃତ ଜୀବନ” ବୋଲି କହିଥାଏ । ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ ଆମକୁ ଏହି ପ୍ରକୃତ ଜୀବନ ଦେବେ । କିନ୍ତୁ ଏହି ପ୍ରକୃତ ଜୀବନକୁ ଦୃଢ଼ ଭାବରେ ‘ଧରି ରଖିବା’ ପାଇଁ ଆମକୁ ନିଜ ତରଫରୁ ସମ୍ପୂର୍ଣ୍ଣ ଚେଷ୍ଟା କରିବାକୁ ହେବ ।— ୧ ତୀମଥି ୬:୧୨, ୧୯.

୨୨. (କ) ଆମେ ‘ପ୍ରକୃତ ଜୀବନକୁ’ କିପରି ଦୃଢ଼ ଭାବରେ ‘ଧରି ରଖିପାରିବା’ ? (ଖ) ଆମେ କାହିଁକି ଅନନ୍ତ ଜୀବନ ନିଜେ ହାସଲ୍‌ କରିପାରିବା ନାହିଁ ?

୨୨ ଆମେ ‘ପ୍ରକୃତ ଜୀବନକୁ’ କିପରି ଦୃଢ଼ ଭାବରେ ‘ଧରି ରଖିପାରିବା’ ? ଆମେ “ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ” ହେବା ଉଚିତ୍‌ । (୧ ତୀମଥି ୬:୧୮) ଏହାର ଅର୍ଥ ହେଉଛି, ଆମେ ବାଇବଲରୁ ଯାହା ଯାହା ଶିଖୁ, ସେଗୁଡ଼ିକୁ ଲାଗୁ କରିବା ଜରୁରୀ ଅଟେ । କିନ୍ତୁ ଆମେ କେବଳ ନିଜ ପରିଶ୍ରମ ଦ୍ୱାରା ପ୍ରକୃତ ଜୀବନ ପାଇପାରିବା ନାହିଁ । ବାସ୍ତବରେ କହିବାକୁ ଗଲେ, ଆମେ ଅନନ୍ତ ଜୀବନ ନିଜେ ହାସଲ୍‌ କରିପାରିବା ନାହିଁ । ଏହା ତ ଯିହୋବାଙ୍କର “ଅନୁଗ୍ରହ” ଅଟେ । ସେ ଭବିଷ୍ୟତରେ ନିଜ ବିଶ୍ୱସ୍ତ ସେବକମାନଙ୍କୁ ଏହି ଦାନ ଦେବେ । (ରୋମୀୟ ୫:୧୫) ହଁ, ଆମ ସ୍ୱର୍ଗୀୟ ପିତା ନିଜ ବିଶ୍ୱସ୍ତ ସେବକମାନଙ୍କୁ ପ୍ରକୃତରେ ଏହି ଦାନ ଦେବା ପାଇଁ ଚାହାନ୍ତି ।

୨୩. ବର୍ତ୍ତମାନ ଆପଣ ସଠିକ୍‌ ନିଷ୍ପତ୍ତି ନେବା କାହିଁକି ଜରୁରୀ ଅଟେ ?

୨୩ ଆପଣ ନିଜକୁ ପଚାରନ୍ତୁ, ‘ମୁଁ ଈଶ୍ୱରଙ୍କ ଉପାସନା କʼଣ ଏପରି ପଦ୍ଧତିରେ କରୁଛି, ଯାହା ସେ ମଞ୍ଜୁର କରନ୍ତି ?’ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ ଆପଣଙ୍କୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ, ତେବେ ସେଗୁଡ଼ିକୁ ତୁରନ୍ତ କରନ୍ତୁ । ଯଦି ଆମେ ଯିହୋବାଙ୍କଠାରେ ଭରସା ରଖିବା ଏବଂ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିବା, ତେବେ ଯିହୋବା ଆମ ପାଇଁ ଆଶ୍ରୟସ୍ଥଳ ହେବେ । ସେ ନିଜ ବିଶ୍ୱସ୍ତ ଲୋକମାନଙ୍କୁ ଶୟତାନର ଜଗତର ଏହି ଶେଷକାଳରେ ସୁରକ୍ଷିତ ରଖିବେ । ସେ ଏହା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଯେ ଆମେ ପାରଦୀଶରେ ପରିଣତ ସୁନ୍ଦର ପୃଥିବୀରେ କିପରି ଚିରଦିନ ପାଇଁ ଜୀବିତ ରହିବା, ଠିକ୍‌ ଯେପରି ସେ ଆରମ୍ଭରୁ ପ୍ରତିଜ୍ଞା କରିଥିଲେ । ହଁ, ଯଦି ଆପଣ ବର୍ତ୍ତମାନ ସଠିକ୍‌ ନିଷ୍ପତ୍ତି ନେବେ, ତେବେ ଆପଣ ପ୍ରକୃତ ଜୀବନ ପାଇପାରିବେ !

ସାରାଂଶ

ସତ୍ୟ-୧: ଯିହୋବା ଆପଣଙ୍କୁ ପ୍ରେମ କରନ୍ତି

‘ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।’— ଯୋହନ ୩:୧୬

ଈଶ୍ୱର କିପରି ଦେଖାନ୍ତି ଯେ ସେ ଆପଣଙ୍କୁ ପ୍ରେମ କରନ୍ତି ?

  • ଗୀତସଂହିତା ୯୧:୨

    ଯିହୋବା ଆମର ଆଶ୍ରୟ ଅଟନ୍ତି । ସେ ଆଜି ଆମକୁ ନିଜ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ କରନ୍ତି ।

  • ଗୀତସଂହିତା ୩୭:୨୯

    ସେ ଆମକୁ ଏକ ସୁନ୍ଦର ଭବିଷ୍ୟତର ଆଶା ଦେଇଛନ୍ତି ।

  • ୧ ତୀମଥି ୬:୧୨, ୧୯

    ଈଶ୍ୱର ଏହି ପୃଥିବୀକୁ ଏକ ସୁନ୍ଦର ପାରଦୀଶରେ ପରିଣତ କରିଦେବେ । ଚାରିଆଡ଼େ ଖୁସି ଓ ଶାନ୍ତି ଭରିଯିବ । ଆମେ ଉତ୍ତମ ସ୍ୱାସ୍ଥ୍ୟରେ ଅନନ୍ତ ଜୀବନର ଆନନ୍ଦ ନେବା ।

ସତ୍ୟ-୨: ଯିହୋବା ଚାହାନ୍ତି ଯେ ଆପଣ ତାହାଙ୍କୁ ପ୍ରେମ କରନ୍ତୁ

“ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ।”— ମାଥିଉ ୨୨:୩୭

ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ଏହା ଆପଣଙ୍କୁ କʼଣ କରିବା ପାଇଁ ପ୍ରେରଣା ଦିଏ ?

  • ଲୂକ ୧୭:୧୨-୧୭

    ଈଶ୍ୱର ଆପଣଙ୍କ ପାଇଁ ଯାହା କିଛି କରିଛନ୍ତି, ତାʼ ପାଇଁ କୃତଜ୍ଞତା ଦେଖାନ୍ତୁ ।

  • ମାଥିଉ ୭:୧୬-୨୦

    ପ୍ରତିଦିନ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ଦ୍ୱାରା ଆପଣଙ୍କ ପ୍ରେମର ପ୍ରମାଣ ଦିଅନ୍ତୁ ।

  • ୧ ଯୋହନ ୫:୩

    ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତୁ ।

  • ୧ ତୀମଥି ୬:୧୮

    ଅନ୍ୟମାନଙ୍କର ମଙ୍ଗଳ କରିବା ପାଇଁ ପରିଶ୍ରମ କରନ୍ତୁ ।

ସତ୍ୟ-୩: ଯିହୋବାଙ୍କ ପ୍ରତି ଆପଣଙ୍କ ପ୍ରେମକୁ ଆହୁରି ଦୃଢ଼ କରିଚାଲନ୍ତୁ

“ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖ ।”— ଯିହୂଦା ୨୧

ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିବାରେ ଆପଣଙ୍କୁ କʼଣ ସାହାଯ୍ୟ କରିବ ?

  • ୧ ଥେସଲନୀକୀୟ ୫:୧୭

    ନିରନ୍ତର ପ୍ରାର୍ଥନା କରନ୍ତୁ ।

  • ମାଥିଉ ୨୮:୧୯, ୨୦; ୨ ତୀମଥି ୪:୨

    ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତୁ ।

  • ହିତୋପଦେଶ ୨:୧-୫

    ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ ।

  • ଏବ୍ରୀ ୧୦:୨୪, ୨୫

    ସମସ୍ତ ସଭାଗୁଡ଼ିକରେ ନିୟମିତ ଭାବେ ଉପସ୍ଥିତ ହୁଅନ୍ତୁ । ଆପଣଙ୍କ ଖ୍ରୀଷ୍ଟିୟାନ ଭାଇଭଉଣୀମାନେ ଆପଣଙ୍କୁ ଯିହୋବାଙ୍କର ଆହୁରି ନିକଟବର୍ତ୍ତୀ ହେବାରେ ସାହାଯ୍ୟ କରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ