ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜୁଲାଇ ପୃଷ୍ଠା ୮-୧୩
  • ନିଜ ପ୍ରେମ ଲଗାତାର ବଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜ ପ୍ରେମ ଲଗାତାର ବଢ଼ାନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ
  • ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ
  • ଅନ୍ୟମାନଙ୍କୁ ପ୍ରେମ କରିବା ଦ୍ୱାରା ଅନେକ ଆଶିଷ ମିଳେ
  • ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯୁବାମାନେ, ବାପ୍ତିସ୍ମ ନେବା ପରେ ବି ଆଗକୁ ବଢ଼ିବା ଜାରି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜୁଲାଇ ପୃଷ୍ଠା ୮-୧୩

ଅଧ୍ୟୟନ ଲେଖା ୩୦

ନିଜ ପ୍ରେମ ଲଗାତାର ବଢ଼ାନ୍ତୁ

“ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ ।”—ଏଫି. ୪:୧୫.

ଗୀତ ୨ ୟହୋୱା ତେରା ନାମ୍‌

ଲେଖାର ଝଲକa

୧. ଯେବେ ଆପଣ ବାଇବଲ ଅଧ୍ୟୟନ କରିବା ଆରମ୍ଭ କରିଥିଲେ, ତେବେ ଆପଣ କେଉଁ କେଉଁ କଥା ଶିଖିଥିଲେ ?

ଟିକେ ସେହି ସମୟ ବିଷୟରେ ଭାବନ୍ତୁ ଯେବେ ଆପଣ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ । କʼଣ ଆପଣଙ୍କୁ ମନେଅଛି ଯେ ଆପଣ ସେସମୟରେ କେଉଁ କେଉଁ କଥା ଶିଖିଥିଲେ ? ହୁଏତ ଏହାଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଥିବ ଯେ ଜଣେ ସତ୍ୟ ଈଶ୍ୱର ଅଛନ୍ତି ଓ ତାଙ୍କ ନାମ ଯିହୋବା ଅଟେ । ଆପଣଙ୍କୁ ହୁଏତ ଏହାଜାଣି ବହୁତ ସାନ୍ତ୍ୱନା ମିଳିଥିବ ଯେ ଈଶ୍ୱର ଲୋକମାନଙ୍କୁ ନର୍କରେ ଯନ୍ତ୍ରଣା ଦିଅନ୍ତି ନାହିଁ । ଆଉ ଯେବେ ଆପଣ ଏବିଷୟରେ ଜାଣିଥିବେ ଯେ ଆପଣଙ୍କ ପ୍ରିୟଜନଙ୍କୁ ପୁଣିଥରେ ଜୀବିତ କରାଯିବ ଆଉ ଆପଣ ସବୁଦିନ ଯାଏ ତାଙ୍କ ସହିତ ନୂଆ ଦୁନିଆରେ ରହିପାରିବେ, ତେବେ ଆପଣଙ୍କୁ ବହୁତ ଖୁସି ଲାଗିଥିବ ।

୨. ଆପଣ ଆହୁରି ଉନ୍ନତି କରିବା ପାଇଁ ବାଇବଲର ସତ୍ୟଗୁଡ଼ିକ ଶିଖିବା ସହ ଆଉ କʼଣ କʼଣ କଲେ ? (ଏଫିସୀୟ ୫:୧, ୨)

୨ ଯେବେ ଆପଣ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବାକୁ ଲାଗିଲେ, ତେବେ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ବଢ଼ିବାକୁ ଲାଗିଲା । ଆପଣଙ୍କୁ ଇଚ୍ଛା ହେବାକୁ ଲାଗିଲା ଯେ ଆପଣ ଯାହା ଶିଖୁଛନ୍ତି ତାʼଅନୁସାରେ କାମ ବି କରନ୍ତୁ । ଆପଣ ବାଇବଲର ସିଦ୍ଧାନ୍ତ ଅନୁସାରେ ସଠିକ୍‌ ନିଷ୍ପତ୍ତି ନେବାକୁ ଲାଗିଲେ । ଆପଣ ଯିହୋବାଙ୍କୁ ଖୁସି କରିବାକୁ ଚାହୁଁଥିଲେ, ତେଣୁ ଆପଣ ନିଜ ଚିନ୍ତାଧାରାକୁ ବଦଳାଇଲେ ଏବଂ ସଠିକ୍‌ କାମ କରିବାକୁ ଲାଗିଲେ । ଯେପରି ଜଣେ ପିଲା ନିଜ ବାପାମାଆଙ୍କ ଭଳି ହେବା ପାଇଁ ଚେଷ୍ଟା କରେ, ସେହିଭଳି ଆପଣ ପିତା ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବାକୁ ଲାଗିଲେ ।—ଏଫିସୀୟ ୫:୧, ୨ ପଢ଼ନ୍ତୁ ।

୩. ଆମେ ନିଜକୁ କେଉଁ ପ୍ରଶ୍ନ ପଚାରିପାରିବା ?

୩ ଆମେ ନିଜକୁ ଏପରି କିଛି ପ୍ରଶ୍ନ ପଚାରିପାରିବା, ‘ଯେବେ ମୁଁ ଖ୍ରୀଷ୍ଟିୟାନ ହୋଇଥିଲି, ସେସମୟରୁ ଏବେ ଯାଏ କʼଣ ମୁଁ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଛି ? କʼଣ ବାପ୍ତିସ୍ମର ପରଠାରୁ ମୁଁ ନିଜ ଚିନ୍ତାଧାରା ଓ କାମରେ ଆହୁରି ପରିବର୍ତ୍ତନ କରିଛି ? କʼଣ ମୁଁ ଯିହୋବାଙ୍କ ଭଳି ହେବା ପାଇଁ ଆହୁରି ଚେଷ୍ଟା କରୁଛି ? କʼଣ ମୁଁ ତାଙ୍କ ଭଳି ଭାଇଭଉଣୀଙ୍କୁ ପ୍ରେମ କରୁଛି ?’ ଯଦି ଆପଣଙ୍କୁ ଲାଗେ ଯେ “ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ” କରିଅଛନ୍ତି, ତେବେ ନିରାଶ ହୁଅନ୍ତୁ ନାହିଁ । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ କିଛି ଏପରି ହିଁ ଲାଗିଥିଲା । କିନ୍ତୁ ଯୀଶୁ ସେମାନଙ୍କୁ ପରିତ୍ୟାଗ କଲେ ନାହିଁ ଆଉ ସେ ଆପଣଙ୍କୁ ବି ପରିତ୍ୟାଗ କରିବେ ନାହିଁ । (ପ୍ରକା. ୨:୪, ୭) ସେ ଜାଣନ୍ତି ଯେ ଆମେ ପୁଣିଥରେ ସେହି ପ୍ରେମକୁ ବଢ଼ାଇପାରିବା ଯାହା ଆମ ଭିତରେ ପୂର୍ବେ ଥିଲା ।

୪. ଏହି ଲେଖାରେ ଆମେ କʼଣ ଚର୍ଚ୍ଚା କରିବା ?

୪ ଏହି ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଆମେ ଯିହୋବା ଓ ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ କିପରି ଲଗାତାର ବଢ଼ାଇପାରିବା । ତାʼପରେ ଆମେ ଜାଣିବା ଯେ ଯେବେ ଆମେ ସେମାନଙ୍କୁ ଆହୁରି ପ୍ରେମ କରିବା, ତେବେ ଆମକୁ ଓ ଅନ୍ୟମାନଙ୍କୁ କେଉଁ ଆଶିଷଗୁଡ଼ିକ ମିଳିବ ।

ଯିହୋବାଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ

୫-୬. (କ) ପ୍ରେରିତ ପାଉଲଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ? (ଖ) କିନ୍ତୁ କେଉଁ କାରଣରୁ ସେ ଲଗାତାର ଯିହୋବାଙ୍କ ସେବା କରିପାରିଲେ ?

୫ ପ୍ରେରିତ ପାଉଲ ଖୁସି ଖୁସି ଯିହୋବାଙ୍କ ସେବା କରୁଥିଲେ, କିନ୍ତୁ ଅନେକଥର ତାଙ୍କୁ ସମସ୍ୟାଗୁଡ଼ିକର ବି ସାମନା କରିବାକୁ ପଡ଼ିଲା । ସେ ପ୍ରାୟ ଦୂର ଦୂର ଜାଗାକୁ ଯାତ୍ରା କରୁଥିଲେ ଓ ସେସମୟରେ ଯାତ୍ରା କରିବା ଏତେ ସହଜ ବି ନ ଥିଲା । ଏପରି ଯାତ୍ରା ସମୟରେ ତାଙ୍କୁ ଅନେକଥର “ନଦୀର ବିପଦ” ଓ ‘ଡକାଇତଙ୍କ ବିପଦର’ ସାମନା କରିବାକୁ ପଡ଼ିଲା । ଅନେକଥର ତାଙ୍କୁ ବିରୋଧୀମାନେ ବି ମାରପିଟ୍‌ କଲେ । (୨ କରି. ୧୧:୨୩-୨୭) ଆଉ ଦୁଃଖର କଥା ଯେ ଅନେକଥର ଖ୍ରୀଷ୍ଟୀୟ ଭାଇମାନେ ମଧ୍ୟ ତାଙ୍କ ପରିଶ୍ରମର ଆଦର କଲେ ନାହିଁ ।—୨ କରି. ୧୦:୧୦; ଫିଲିପ୍‌. ୪:୧୫.

୬ ତଥାପି ପାଉଲ ଲଗାତାର ଯିହୋବାଙ୍କ ସେବା କରୁଥିଲେ । ସେ ଏହା କେଉଁ କାରଣ ଯୋଗୁଁ କରିପାରିଲେ ? ଶାସ୍ତ୍ରର ଅଧ୍ୟୟନ କରି ଓ ସେ ନିଜ ଅନୁଭୂତିରୁ ଏହା ସ୍ପଷ୍ଟ ଭାବେ ଜାଣିପାରିଲେ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି । ତାଙ୍କୁ ଭରସା ହୋଇଗଲା ଯେ ଯିହୋବା ଈଶ୍ୱର ତାଙ୍କୁ ପ୍ରେମ କରନ୍ତି । (ରୋମୀ. ୮:୩୮, ୩୯; ଏଫି. ୨:୪, ୫) ଆଉ ତାʼପରେ ସେ ବି ଯିହୋବାଙ୍କୁ ବହୁତ ପ୍ରେମ କରିବାକୁ ଲାଗିଲେ । ସେ ନିଜ ପ୍ରେମ କିପରି ଦେଖାଇଲେ ? ଲଗାତାର ‘ପବିତ୍ର ଲୋକମାନଙ୍କର ସେବା କରି ।’—ଏବ୍ରୀ ୬:୧୦.

୭. ଯିହୋବାଙ୍କ ପାଇଁ ନିଜ ପ୍ରେମ ବଢ଼ାଇବାର ଗୋଟିଏ ଉପାୟ କʼଣ ?

୭ ଆଜି ଆମେ ଈଶ୍ୱରଙ୍କ ପାଇଁ ନିଜ ପ୍ରେମ କିପରି ବଢ଼ାଇପାରିବା ? ପୂରା ହୃଦୟରୁ ବାଇବଲର ଅଧ୍ୟୟନ କରି । ଯେବେ ଆପଣ ବାଇବଲ ପଢ଼ନ୍ତି, ତେବେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ଯାହା ପଢ଼ିଲେ ସେଥିରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ । ନିଜକୁ ଏପରି କିଛି ପ୍ରଶ୍ନ ପଚାରନ୍ତୁ: ‘ଏହି ଘଟଣାରୁ କିପରି ଜଣାପଡ଼େ ଯେ ଯିହୋବା ମୋତେ ପ୍ରେମ କରନ୍ତି ? ଏଥିରେ ଏପରି କେଉଁ କଥା ଲେଖାଅଛି, ଯାହାଯୋଗୁଁ ମୋତେ ଏବେ ଯିହୋବାଙ୍କୁ ଆହୁରି ପ୍ରେମ କରିବା ପାଇଁ ଇଚ୍ଛା ହେଉଛି ?’

୮. ପ୍ରାର୍ଥନା କରିବା ଯୋଗୁଁ ଯିହୋବାଙ୍କ ପାଇଁ ଆମ ପ୍ରେମ କିପରି ବଢ଼ିପାରେ ?

୮ ଯିହୋବାଙ୍କ ପାଇଁ ନିଜ ପ୍ରେମ ବଢ଼ାଇବାର ଆଉ ଗୋଟିଏ ଉପାୟ ହେଉଛି, ପ୍ରତିଦିନ ହୃଦୟ ଖୋଲି ତାଙ୍କୁ ପ୍ରାର୍ଥନା କରିବା । (ଗୀତ. ୨୫:୪, ୫) ତାʼପରେ ଯିହୋବା ବି ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ । (୧ ଯୋହ. ୩:୨୧, ୨୨) ଏସିଆରେ ରହୁଥିବା ଭଉଣୀ କାୟଲା କହନ୍ତି, “ଆରମ୍ଭରେ ମୁଁ ଯିହୋବାଙ୍କୁ କେବଳ ଏଥିପାଇଁ ପ୍ରେମ କରୁଥିଲି, କାରଣ ମୁଁ ତାଙ୍କ ବିଷୟରେ ଅନେକ କଥା ଶିଖିଥିଲି । କିନ୍ତୁ ଯେବେ ମୁଁ ଦେଖିଲି ଯେ ସେ କିପରି ମୋ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉଛନ୍ତି, ତେବେ ମୁଁ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଲି । ତାʼପରେ ମୋତେ ନିଜର ସବୁ କାମରୁ ତାଙ୍କୁ ଖୁସି କରିବା ପାଇଁ ଇଚ୍ଛା ହେଲା ।”b

ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ

୯. ପାଉଲ ଯାହା କହିଲେ, ସେଥିରୁ କିପରି ଜଣାପଡ଼େ ଯେ ତୀମଥି ଭାଇଭଉଣୀମାନଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଥିଲେ ?

୯ ପାଉଲ ଖ୍ରୀଷ୍ଟିୟାନ ହେବାର କିଛି ସମୟ ପରେ ତୀମଥି ନାମକ ଜଣେ ଯୁବା ଭାଇଙ୍କୁ ଭେଟିଲେ । ତୀମଥି ଯିହୋବାଙ୍କୁ ଓ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ । ତାʼର କିଛି ବର୍ଷ ପରେ ପାଉଲ ଫିଲିପ୍‌ପୀୟ ମଣ୍ଡଳୀକୁ ଲେଖିଲେ, “ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାଙ୍କ [ତୀମଥିଙ୍କ] ବିନା ମୋʼ ନିକଟରେ ଆଉ କେହି ନାହିଁ ।” (ଫିଲିପ୍‌. ୨:୨୦) ଧ୍ୟାନ ଦିଅନ୍ତୁ ଯେ ପାଉଲ ଏପରି କହିଲେନି ଯେ ତୀମଥି ବହୁତ ଭଲଭାବରେ କାମ କରନ୍ତି କିମ୍ବା ବହୁତ ଭଲ ଭାଷଣ ଦିଅନ୍ତି । ତାʼପରିବର୍ତ୍ତେ ତାଙ୍କୁ ତୀମଥିଙ୍କ ଏହି କଥା ଭଲ ଲାଗିଲା ଯେ ତୀମଥି ଭାଇଭଉଣୀମାନଙ୍କ ଚିନ୍ତା କରନ୍ତି ଓ ସେମାନଙ୍କୁ ପ୍ରେମ କରନ୍ତି । ଏହି କାରଣ ଯୋଗୁଁ ହିଁ ଭାଇଭଉଣୀମାନେ ମଧ୍ୟ ତୀମଥିଙ୍କ ପରିଦର୍ଶନର ଅପେକ୍ଷା କରୁଥିଲେ ।—୧ କରି. ୪:୧୭.

୧୦. ଭଉଣୀ ଏନା ଓ ତାଙ୍କ ସ୍ୱାମୀ ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇଲେ ?

୧୦ ଆମେ ବି ନିଜ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ସୁଯୋଗ ଖୋଜୁ । (ଏବ୍ରୀ ୧୩:୧୬) ଟିକେ ଭଉଣୀ ଏନାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିଷୟରେ ପୂର୍ବ ଲେଖାରେ ଚର୍ଚ୍ଚା କରାଯାଇଥିଲା । ତାଙ୍କ ଅଞ୍ଚଳରେ ଗୋଟିଏ ଭୟଙ୍କର ଝଡ଼ ତୋଫାନ ଆସିଥିଲା । ଝଡ଼ ତୋଫାନ ପରେ ସେ ଓ ତାଙ୍କ ସ୍ୱାମୀ ଗୋଟିଏ ଖ୍ରୀଷ୍ଟୀୟ ପରିବାରକୁ ଭେଟିବା ପାଇଁ ଗଲେ । ସେଠାରେ ଯିବା ପରେ ଜଣାପଡ଼ିଲା ଯେ ସେମାନଙ୍କ ଘରର ଛାତ ପଡ଼ିଯାଇଛି । ତାʼଯୋଗୁଁ ସେହି ପରିବାର ପାଖରେ ଗୋଟିଏ ବି ସଫା କପଡ଼ା ନାହିଁ । ଭଉଣୀ ଏନା କହନ୍ତି, “ଆମେ ସେମାନଙ୍କ କପଡ଼ା ନେଇକି ଗଲୁ, ସେଗୁଡ଼ିକୁ ଧୋଇଲୁ, ଇସ୍ତ୍ରୀ କଲୁ ଓ ତାʼପରେ ଭଲଭାବେ ତାଙ୍କଠାରେ ପହଞ୍ଚାଇ ଦେଲୁ । ଏହା ଆମ ପାଇଁ ବହୁତ ସାଧାରଣ କାମ ଥିଲା, କିନ୍ତୁ ତାʼଯୋଗୁଁ ହିଁ ଆମେ ସେମାନଙ୍କ ବହୁତ ଭଲ ସାଙ୍ଗ ହୋଇଗଲୁ ଓ ଆମେ ଆଜି ଯାଏ ଭଲ ସାଙ୍ଗ ଅଛୁ ।” ଭଉଣୀ ଏନା ଓ ତାଙ୍କ ସ୍ୱାମୀ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ସେମାନେ ତାଙ୍କ ସାହାଯ୍ୟ କଲେ ।—୧ ଯୋହ. ୩:୧୭, ୧୮.

୧୧. (କ) ଯେବେ ଆମେ ଅନ୍ୟମାନଙ୍କ ସହ ପ୍ରେମର ସହ ବ୍ୟବହାର କରୁ, ତେବେ ସେମାନଙ୍କୁ କିପରି ଲାଗେ ? (ଖ) ହିତୋପଦେଶ ୧୯:୧୭ ପଦ ଅନୁସାରେ ଯେବେ ଆମେ ପ୍ରେମ ଯୋଗୁଁ ଲୋକମାନଙ୍କ ପାଇଁ କିଛି କରୁ, ତେବେ ଯିହୋବା କʼଣ କରନ୍ତି ?

୧୧ ଯେବେ ଆମେ ଅନ୍ୟମାନଙ୍କ ସହ ପ୍ରେମର ସହ ବ୍ୟବହାର କରୁ ଓ ସେମାନଙ୍କ ସାହାଯ୍ୟ କରୁ, ତେବେ ପ୍ରାୟ ସେମାନେ ଧ୍ୟାନ ଦିଅନ୍ତି ଯେ ଆମେ କିପରି ଭାବେ ଯିହୋବାଙ୍କ ଦୃଷ୍ଟିକୋଣକୁ ଆପଣାଉଛୁ ଓ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁଛୁ । ଆମକୁ ହୁଏତ ଅନୁଭବ ହିଁ ହୁଏନି ଯେ ଆମେ ସେମାନଙ୍କ ପାଇଁ ଯାହା କରୁ, ତାହାକୁ ସେମାନେ କେତେ ବହୁମୂଲ୍ୟ ମନେକରନ୍ତି । ଟିକେ ପୁଣିଥରେ ଭଉଣୀ କାୟଲାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ଆଜି ବି ସେସମୟ ମନେଅଛି ଯେବେ କିଛି ବର୍ଷ ପୂର୍ବେ କିଛି ଭଉଣୀମାନେ ତାଙ୍କ ସାହାଯ୍ୟ କରିଥିଲେ । ସେ କହନ୍ତି, “ମୁଁ ସେହି ଭଉଣୀମାନଙ୍କର କୃତଜ୍ଞ ମନେକରେ, ଯେଉଁମାନେ ମୋତେ ପ୍ରଚାରରେ ନେଇକି ଯାଉଥିଲେ । ସେମାନେ ମୋତେ ଘରକୁ ନେବା ପାଇଁ ଆସୁଥିଲେ, ମୋତେ ଖାଇବା ପାଇଁ ନେଇକି ଯାଉଥିଲେ ଏବଂ ପୁଣି ଘରକୁ ବି ଛାଡ଼ି ଦେଉଥିଲେ । ଆଜି ଯେବେ ମୁଁ ସେବିଷୟରେ ଭାବେ, ତେବେ ମୋତେ ଅନୁଭବ ହୁଏ ଯେ ସେମାନେ କେବଳ ପ୍ରେମ ଯୋଗୁଁ ହିଁ ମୋ ପାଇଁ ବହୁତ କିଛି କରିଛନ୍ତି ।” ହୋଇପାରେ, ଆମେ ଯେଉଁମାନଙ୍କ ସାହାଯ୍ୟ କରୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଆମ ସାହାଯ୍ୟ କରିପାରିବେନି । ଯେଉଁମାନେ ଭଉଣୀ କାୟଲାଙ୍କ ସାହାଯ୍ୟ କଲେ, ସେମାନଙ୍କ ବିଷୟରେ ସେ କହନ୍ତି, “ସେମାନେ ମୋ ପାଇଁ ବହୁତ କିଛି କଲେ, କେତେ ଭଲ ହୁଅନ୍ତା ଯଦି ମୁଁ ବି ସେମାନଙ୍କ ପାଇଁ କିଛି କରିପାରନ୍ତି । କିନ୍ତୁ ମୁଁ ଜାଣିନି ଯେ ସେମାନେ କେଉଁଠି ରହନ୍ତି । କିନ୍ତୁ ଯିହୋବା ଜାଣନ୍ତି, ଆଉ ମୁଁ ପ୍ରାର୍ଥନା କରେ ଯେ ଯିହୋବା ତାଙ୍କ ପାଇଁ ମୋ ତରଫରୁ କିଛି କରନ୍ତୁ ।” ଭଉଣୀ କାୟଲା ବିଲକୁଲ୍‌ ଠିକ୍‌ କହିଲେ । ଯଦି ଆମେ କାହାରି ପାଇଁ ଟିକେ ବି କିଛି କରୁ, ତେବେ ଯିହୋବା ତାʼଉପରେ ଧ୍ୟାନ ଦିଅନ୍ତି । ସେ ତାହାକୁ ବହୁମୂଲ୍ୟ ମନେକରନ୍ତି । ଯିହୋବା ଏପରି ଭାବନ୍ତି ଯେ ଆମେ ତାଙ୍କୁ ଋଣ ଦେଇଛୁ ଆଉ ସେ ତାʼପାଇଁ ଆମକୁ ନିଶ୍ଚୟ ପୁରସ୍କାର ଦେବେ ।—ହିତୋପଦେଶ ୧୯:୧୭ ପଢ଼ନ୍ତୁ ।

ଚିତ୍ରଗୁଡ଼ିକ: ଜଣେ ଭାଇ ଯିହୋବାଙ୍କ ସେବାରେ ଅଧିକରୁ ଅଧିକ କରିବା ପାଇଁ ପରିଶ୍ରମ କରୁଛନ୍ତି । ୧. ଯେଉଁମାନେ ସଭା ପାଇଁ ଆସୁଛନ୍ତି, ସେ ସେମାନଙ୍କୁ ସ୍ୱାଗତ କରୁଛନ୍ତି । ୨. ସେ ସଭାରେ ଉତ୍ତର ଦେଉଛନ୍ତି । ୩. ଜଣେ ବୃଦ୍ଧା ଭଉଣୀ ୱିଲ୍‌ଚେୟାରରେ ଅଛନ୍ତି ଓ ସେ ଭାଇ ତାଙ୍କ ସହିତ କାର୍ଟ ଲଗାଇ ସାକ୍ଷ୍ୟ ଦେଉଛନ୍ତି । ୪. ସେ ଜଣେ ବୃଦ୍ଧ ଭାଇଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଛନ୍ତି, ଯିଏ ଚଲାବୁଲା କରିପାରନ୍ତି ନାହିଁ ।

ଯେଉଁ ଖ୍ରୀଷ୍ଟିୟାନ ଭାଇ ଉନ୍ନତି କରିବା ପାଇଁ ଚାହେଁ, ସେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ଖୋଜେ (ପାରାଗ୍ରାଫ ୧୨)

୧୨. ଭାଇମାନେ ନିଜ ମଣ୍ଡଳୀର ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଯଦି ଆପଣ ଜଣେ ଭାଇ ଅଟନ୍ତି, ତେବେ ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ ଦେଖାଇବା ଓ ଆଗକୁ ଆସି ସେମାନଙ୍କ ସାହାଯ୍ୟ କରିବା ପାଇଁ ଆପଣ କʼଣ କରିପାରିବେ ? ଟିକେ ଜୋର୍ଡନ ନାମକ ଜଣେ ଯୁବା ଭାଇଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଜଣେ ପ୍ରାଚୀନଙ୍କୁ ପଚାରିଲେ ଯେ କିପରି ଭାବେ ସେ ମଣ୍ଡଳୀର ଆହୁରି ସାହାଯ୍ୟ କରିପାରିବେ । ଜୋର୍ଡନ ପୂର୍ବରୁ ଯାହା କରୁଥିଲେ, ତାʼପାଇଁ ପ୍ରାଚୀନ ତାଙ୍କ ପ୍ରଶଂସା କଲେ ଓ ତାʼପରେ ତାଙ୍କୁ କିଛି ପରାମର୍ଶ ଦେଲେ । ଯେପରି, ସେ କହିଲେ ଯେ ସେ ସଭା ଆରମ୍ଭ ହେବାର ଟିକେ ସମୟ ପୂର୍ବରୁ ଆସିପାରିବେ ଓ ଅନ୍ୟମାନଙ୍କ ସ୍ୱାଗତ କରିପାରିବେ, ସଭାଗୁଡ଼ିକରେ ଭଲଭାବେ ଉତ୍ତର ଦେଇପାରିବେ, ଲଗାତାର ନିଜ ସମୂହ ସହ ପ୍ରଚାର କରିପାରିବେ ଏବଂ ଭାବିପାରିବେ ଯେ ସେ କେଉଁ ଉପାୟଗୁଡ଼ିକରୁ ଅନ୍ୟମାନଙ୍କ ସାହାଯ୍ୟ କରିପାରିବେ । ଜୋର୍ଡନ ସେହି ପ୍ରାଚୀନଙ୍କ ପରାମର୍ଶ ମାନିଲେ । ତାʼଯୋଗୁଁ ସେ ସବୁ କାମ ଭଲଭାବେ କରିବା ପାଇଁ ଶିଖିପାରିଲେ, ତାʼସହ ଭାଇଭଉଣୀମାନଙ୍କ ପାଇଁ ତାଙ୍କ ପ୍ରେମ ଆହୁରି ବଢ଼ିଗଲା । ଜୋର୍ଡନ ଗୋଟିଏ ବିଶେଷ କଥା ବି ଶିଖିଲେ । ତାହା ହେଉଛି, ଜଣେ ଭାଇ ସହାୟକ ସେବକ ହେବା ପରେ ଅନ୍ୟମାନଙ୍କ ସାହାଯ୍ୟ କରିବା ଆରମ୍ଭ କରନ୍ତି ନାହିଁ, ବରଂ ତାଙ୍କୁ ପୂର୍ବରୁ ହିଁ ଏପରି କରିବାର ଥାଏ ଓ ଆଗକୁ ବି ତାଙ୍କୁ ଲଗାତାର ଏପରି ହିଁ କରିବାକୁ ଥାଏ ।—୧ ତୀମ. ୩:୮-୧୦, ୧୩.

୧୩. ଭାଇ କ୍ରିଷ୍ଟିୟାନ ପ୍ରେମ ଯୋଗୁଁ କିପରି ଭାବେ ପୁଣିଥରେ ପ୍ରାଚୀନ ହୋଇ ସେବା କରିବାର ଯୋଗ୍ୟ ହୋଇପାରିଲେ ?

୧୩ ହୋଇପାରେ, ଆପଣ ପୂର୍ବେ ଜଣେ ପ୍ରାଚୀନ କିମ୍ବା ସହାୟକ ସେବକ ଥିଲେ । ସେସମୟରେ ଆପଣ ପ୍ରେମ ଯୋଗୁଁ ଭାଇଭଉଣୀମାନଙ୍କ ପାଇଁ ଯାହା ବି କଲେ, ତାହା ଯିହୋବା ଭୁଲି ନାହାନ୍ତି । (୧ କରି. ୧୫:୫୮) ଆଉ ଆଜି ଆପଣ ଯେପରି ଭାବେ ଭାଇଭଉଣୀମାନଙ୍କ ପାଇଁ ପ୍ରେମ ଦେଖାଉଛନ୍ତି, ତାʼଉପରେ ବି ଯିହୋବା ଧ୍ୟାନ ଦିଅନ୍ତି । ଟିକେ କ୍ରିଷ୍ଟିୟାନ ନାମକ ଜଣେ ଭାଇଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଜଣେ ପ୍ରାଚୀନ ଥିଲେ, କିନ୍ତୁ କିଛି ସମୟ ପରେ ତାଙ୍କଠାରୁ ଏହି ଦାୟିତ୍ୱ ଫେରାଇ ନିଆଗଲା । ସେସମୟରେ ତାଙ୍କୁ ଟିକେ ଦୁଃଖ ହେଲା, କିନ୍ତୁ ସେ କହନ୍ତି, “ମୁଁ ଯିହୋବାଙ୍କୁ ପ୍ରେମ କରୁଥିଲି, ତେଣୁ ମୁଁ ନିଷ୍ପତ୍ତି ନେଲି ଯେ ମୋ ଦ୍ୱାରା ଯେତେ ହୋଇପାରିବ, ମୁଁ ଯିହୋବାଙ୍କ ସେବା ଲଗାତାର କରୁଥିବି, ଯଦିଓ ମୋ ପାଖରେ କୌଣସି ଦାୟିତ୍ୱ ରହୁ ବା ନ ରହୁ ।” କିଛି ସମୟ ପରେ ତାଙ୍କୁ ପୁଣିଥରେ ପ୍ରାଚୀନ ନିଯୁକ୍ତ କରାଗଲା । ସେ କହନ୍ତି, “ପୂର୍ବେ ମୁଁ ଏହି ଦାୟିତ୍ୱକୁ ନେବା ପାଇଁ ପଛଘୁଞ୍ଚା ଦେଉଥିଲି । କିନ୍ତୁ ପରେ ମୁଁ ଭାବିଲି, ‘ଯଦି ଯିହୋବା ମୋ ଉପରେ ଦୟା କରୁଛନ୍ତି ଓ ମୋତେ ପୁଣିଥରେ ପ୍ରାଚୀନ ଭାବେ ସେବା କରିବା ପାଇଁ ସୁଯୋଗ ଦେଉଛନ୍ତି, ତାହେଲେ ମୋତେ ମନା କରିବା ଉଚିତ୍‌ ନୁହେଁ । ମୁଁ ତାଙ୍କୁ ଓ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରେ, ତେଣୁ ମୁଁ ଏହି ଦାୟିତ୍ୱ ନେବାରୁ ପଛଘୁଞ୍ଚା ଦେବିନି ।’”

୧୪. ଆପଣ ଭଉଣୀ ଏଲେନାଙ୍କ ଉଦାହରଣରୁ କʼଣ ଶିଖିଲେ ?

୧୪ ଯିହୋବାଙ୍କ ସେବକ ନିଜ ପଡ଼ୋଶୀମାନଙ୍କୁ ମଧ୍ୟ ପ୍ରେମ କରନ୍ତି । (ମାଥି. ୨୨:୩୭-୩୯) ଟିକେ ଜୋର୍ଜିଆରେ ରହୁଥିବା ଭଉଣୀ ଏଲେନାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ପୂର୍ବେ ମୁଁ ଲୋକମାନଙ୍କୁ କେବଳ ଏଥିପାଇଁ ପ୍ରଚାର କରୁଥିଲି, କାରଣ ମୁଁ ଯିହୋବାଙ୍କୁ ପ୍ରେମ କରେ । କିନ୍ତୁ ଯେପରି ଭାବେ ଯିହୋବାଙ୍କ ପାଇଁ ମୋ ପ୍ରେମ ବଢ଼ିବାକୁ ଲାଗିଲା, ମୁଁ ଲୋକମାନଙ୍କୁ ମଧ୍ୟ ଆହୁରି ପ୍ରେମ କରିବାକୁ ଲାଗିଲି । ମୁଁ ଭାବୁଥିଲି ଯେ ଲୋକମାନେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି ଓ ସେମାନଙ୍କୁ କେଉଁ ବିଷୟ ଉପରେ କଥା ହେବା ପାଇଁ ଭଲ ଲାଗିବ । ମୁଁ ଯେତେ ଅଧିକ ଏବିଷୟରେ ଭାବିଲି, ସେତେ ଅଧିକ ମୋତେ ସେମାନଙ୍କ ଆହୁରି ସାହାଯ୍ୟ କରିବାର ଇଚ୍ଛା ହେଲା ।”—ରୋମୀ. ୧୦:୧୩-୧୫.

ଅନ୍ୟମାନଙ୍କୁ ପ୍ରେମ କରିବା ଦ୍ୱାରା ଅନେକ ଆଶିଷ ମିଳେ

ଚିତ୍ରଗୁଡ଼ିକ: ୧. ଜଣେ ସ୍ୱାମୀ ସ୍ତ୍ରୀ କୋଭିଡ୍‌-୧୯ ମହାମାରୀ ସମୟରେ ଜଣେ ବୃଦ୍ଧା ଭଉଣୀଙ୍କୁ ତାଙ୍କ ଟ୍ୟାବଲେଟ ଚଲାଇବା ଶିଖାଉଛନ୍ତି । ସେ ଘର ବାହାରେ ବସିଛନ୍ତି ଓ ସମସ୍ତେ ମାସ୍କ ଓ ଗ୍ଲୋବସ୍‌ ପିନ୍ଧିଛନ୍ତି । ୨. କିଛି ଛୋଟ ଚିତ୍ରଗୁଡ଼ିକରେ ଦେଖାଇ ଦିଆଯାଇଛି ଯେ ପରେ ସେହି ବୃଦ୍ଧା ଭଉଣୀଙ୍କ ଅନେକ ସମ୍ପର୍କିୟ ଭିଡିଓ କନଫ୍ରେନସିଙ୍ଗ ଜରିଆରେ ସ୍ମାରକରେ ଉପସ୍ଥିତ ହୋଇଛନ୍ତି ।

ପ୍ରେମ ଯୋଗୁଁ କୌଣସି ଜଣେ ବ୍ୟକ୍ତିର ସାହାଯ୍ୟ କଲେ ଅନେକଙ୍କୁ ଲାଭ ହୋଇପାରେ (ପାରାଗ୍ରାଫ ୧୫-୧୬)

୧୫-୧୬. ଯେପରି ଚିତ୍ରଗୁଡ଼ିକରେ ଦେଖାଇ ଦିଆଯାଇଛି, ଅନ୍ୟମାନଙ୍କୁ ପ୍ରେମ କଲେ କେଉଁ ଆଶିଷଗୁଡ଼ିକ ମିଳେ ?

୧୫ ଯେବେ ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେବେ ଏଥିରୁ କେବଳ ତାଙ୍କୁ ନୁହେଁ, ବରଂ ଅନ୍ୟମାନଙ୍କୁ ବି ବହୁତ ଲାଭ ହୁଏ । ଟିକେ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । କୋଭିଡ୍‌-୧୯ ମହାମାରୀ ଆରମ୍ଭ ହେବାର କିଛି ସମୟ ପରେ ଭାଇ ପାଉଲୋ ଓ ତାଙ୍କ ସ୍ତ୍ରୀ ବୃଦ୍ଧା ଭଉଣୀମାନଙ୍କୁ ଶିଖାଇଲେ ଯେ ସେମାନେ ନିଜ ଫୋନ୍‌ କିମ୍ବା ଟ୍ୟାବଲେଟରେ କିପରି ସାକ୍ଷ୍ୟ ଦେଇପାରିବେ । ଜଣେ ଭଉଣୀଙ୍କୁ ଆରମ୍ଭରେ ଏପରି କରିବା ବହୁତ କଠିନ ଲାଗୁଥିଲା, କିନ୍ତୁ ପରେ ସେ ଶିଖିଗଲେ । ସେ ନିଜର ଅନେକ ସମ୍ପର୍କିୟଙ୍କୁ ସ୍ମାରକରେ ଆସିବା ପାଇଁ ନିମନ୍ତ୍ରଣ ଦେଲେ । ଆଶ୍ଚର୍ଯ୍ୟର କଥା, ସେମଧ୍ୟରୁ ୬୦ ଜଣ ଭିଡିଓ କନଫ୍ରେନସିଙ୍ଗ ଜରିଆରେ ସ୍ମାରକରେ ଉପସ୍ଥିତ ହେଲେ ! ଭାଇ ପାଉଲୋ ଓ ତାଙ୍କ ସ୍ତ୍ରୀ ଯେଉଁ ପରିଶ୍ରମ କଲେ, ତାʼଯୋଗୁଁ କେବଳ ସେହି ବୃଦ୍ଧା ଭଉଣୀଙ୍କୁ ନୁହେଁ, ବରଂ ତାଙ୍କ ସମ୍ପର୍କିୟମାନଙ୍କୁ ମଧ୍ୟ ଲାଭ ହେଲା । ତାʼପରେ ସେହି ବୃଦ୍ଧା ଭଉଣୀ ଭାଇ ପାଉଲୋଙ୍କୁ ଲେଖିଲେ, “ଆପଣ ଆମମାନଙ୍କୁ ଯେପରି ଭାବେ ଶିଖାଇଲେ, ତାʼପାଇଁ ଆପଣଙ୍କ ବହୁତ ଧନ୍ୟବାଦ । ଯିହୋବା ଯେପରି ଭାବେ ଆମ ଯତ୍ନ ନେଲେ ଓ ଆପଣ ଆମ ପାଇଁ ଯେଉଁ ପରିଶ୍ରମ କଲେ, ତାହାକୁ ମୁଁ କେବେ ବି ଭୁଲିବି ନାହିଁ ।”

୧୬ ଏପରି ଅନୁଭବଗୁଡ଼ିକରୁ ଭାଇ ପାଉଲୋ ଗୋଟିଏ ବିଶେଷ କଥା ଶିଖିଲେ । ତାହା ହେଉଛି ଯେ କୌଣସି ଦକ୍ଷତା କିମ୍ବା ଜ୍ଞାନଠାରୁ ଅଧିକ ଜରୁରୀ ଅଟେ, ଭାଇଭଉଣୀମାନଙ୍କୁ ପ୍ରେମ କରିବା । ସେ କହନ୍ତି, “ପୂର୍ବେ ମୁଁ ଜଣେ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରୁଥିଲି । ସେସମୟରେ ମୁଁ ଯେଉଁ ଭାଷଣ ଦେଉଥିଲି, ହୁଏତ ତାହା ଭାଇଭଉଣୀମାନଙ୍କୁ ମନେ ନ ଥିବ, କିନ୍ତୁ ମୁଁ ଯେପରି ଭାବେ ସେମାନଙ୍କୁ ସାହଯ୍ୟ କଲି, ତାହା ସେମାନଙ୍କୁ ଆଜି ବି ମନେଅଛି ।”

୧୭. ଯେବେ ଆମେ ଅନ୍ୟମାନଙ୍କୁ ପ୍ରେମ କରୁ, ତେବେ ଏଥିରୁ ଆଉ କାହାକୁ ଲାଭ ହୁଏ ?

୧୭ ଅନ୍ୟମାନଙ୍କୁ ପ୍ରେମ କରିବା ଯୋଗୁଁ ଆମକୁ ବି ଲାଭ ହୁଏ ଓ ଅନେକଥର ଏପରି ଲାଭ ହୁଏ, ଯେପରି ଆମେ ଭାବି ବି ନ ଥାଉ । ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ଭାଇ ଜୋନାଥନଙ୍କ ସହ ବି ଏପରି ହିଁ କିଛି ହେଲା । ଥରେ ଶନିବାର ଦ୍ୱିପହର ସମୟରେ ସେ ଦେଖିଲେ ଯେ ଜଣେ ଅଗ୍ରଦୂତ ସେବା କରୁଥିବା ଭାଇ ଟାଣ ଖରାରେ ରାସ୍ତା କଡ଼ରେ ଲୋକମାନଙ୍କୁ ସାକ୍ଷ୍ୟ ଦେଉଛନ୍ତି । ସେ ଭାବିଲେ ଯେ ଆର ସପ୍ତାହରୁ ଶନିବାର ଦ୍ୱିପହରରେ ସେ ବି ତାଙ୍କ ସହ ପ୍ରଚାର କରିବେ । ସେ କେବଳ ଅଗ୍ରଦୂତ ସେବା କରୁଥିବା ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ତାଙ୍କୁ ଜଣା ନ ଥିଲା ଯେ ସେଥିରୁ ତାଙ୍କୁ ନିଜକୁ ବି ବହୁତ ଲାଭ ହେବ । ସେ କହିଲେ, “ସେସମୟରେ ମୋତେ ପ୍ରଚାର କରିବା ପାଇଁ ମଜା ଆସୁ ନ ଥିଲା । କିନ୍ତୁ ଯେବେ ମୁଁ ଦେଖିଲି ଯେ ସେହି ଅଗ୍ରଦୂତ ସେବା କରୁଥିବା ଭାଇ ଲୋକମାନଙ୍କୁ କେତେ ଭଲଭାବେ ଶିଖାନ୍ତି ଓ ପ୍ରଚାରରେ କେତେ ଭଲ ପରିଣାମ ମିଳୁଛି, ତେବେ ମୋ ଭିତରେ ବି ପ୍ରଚାର କରିବା ପାଇଁ ଉତ୍ସାହ ବଢ଼ିଲା । ଆମେ ଦୁଇଜଣ ଭଲ ସାଙ୍ଗ ହୋଇଗଲୁ । ତାଙ୍କ ସହ ସମୟ ବିତାଇ ମୁଁ ଆହୁରି ଉନ୍ନତି କରିପାରିଲି, ମୋତେ ପ୍ରଚାରରେ ମଜା ଆସିବାକୁ ଲାଗିଲା ଓ ମୁଁ ଯିହୋବାଙ୍କ ଆହୁରି ନିକଟତର ହୋଇପାରିଲି ।”

୧୮. ଯିହୋବା ଆମଠାରୁ କʼଣ ଚାହାନ୍ତି ?

୧୮ ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ଓ ଅନ୍ୟମାନଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାଉ । ଯେପରି ଆମେ ଏହି ଲେଖାରେ ଜାଣିଲୁ, ବାଇବଲ ପଢ଼ି, ତାʼଉପରେ ଚିନ୍ତନ କରି ଓ ଲଗାତାର ପ୍ରାର୍ଥନା କରି ଆମେ ଈଶ୍ୱରଙ୍କ ପାଇଁ ନିଜ ପ୍ରେମ ବଢ଼ାଇପାରିବା । ଆମେ ଭାଇଭଉଣୀମାନଙ୍କୁ ଅଲଗା ଅଲଗା ଉପାୟରେ ସାହାଯ୍ୟ କରି ସେମାନଙ୍କ ପାଇଁ ନିଜ ପ୍ରେମ ବଢ଼ାଇପାରିବା । ଯେତେ ଅଧିକ ଯିହୋବା ଓ ଭାଇଭଉଣୀଙ୍କ ପାଇଁ ଆମ ପ୍ରେମ ବଢ଼ିବ, ସେତେ ଅଧିକ ଆମେ ସେମାନଙ୍କ ଆହୁରି ନିକଟତର ଅନୁଭବ କରିବା ଓ ସେମାନଙ୍କ ସହ ଆମ ବନ୍ଧୁତା ବଜାୟ ରହିବ !

ଆପଣ କʼଣ ଉତ୍ତର ଦେବେ ?

  • ଆପଣ ଯିହୋବାଙ୍କ ପାଇଁ ନିଜ ପ୍ରେମ କିପରି ବଢ଼ାଇପାରିବେ ?

  • ଆପଣ ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିବେ ?

  • ଅନ୍ୟମାନଙ୍କୁ ପ୍ରେମ କରିବା ଯୋଗୁଁ କେଉଁ ଆଶିଷଗୁଡ଼ିକ ମିଳେ ?

ଗୀତ ୧୦୯ ଗେହ୍‌ରା ପ୍ୟାର୍‌ କରେଁ

a ଆମ ବାପ୍ତିସ୍ମ ଏବେ ଏବେ ହୋଇଛି କିମ୍ବା ଆମେ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଛୁ, ଆମେ ସମସ୍ତେ ଆହୁରି ଉନ୍ନତି କରିପାରିବା । ଏହି ଲେଖାରେ ଏପରି କରିବାର ଗୋଟିଏ ବିଶେଷ ଉପାୟ ଉପରେ ଚର୍ଚ୍ଚା କରାଯିବ । ତାହା ହେଉଛି, ଯିହୋବା ଓ ଅନ୍ୟମାନଙ୍କ ପାଇଁ ନିଜର ପ୍ରେମ ବଢ଼ାଇବା । ଯେବେ ଆମେ ଏହି ଲେଖା ଉପରେ ଚର୍ଚ୍ଚା କରିବା, ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣ ଏହି ମାମଲାରେ ଏବେ ଯାଏ କେତେ ଉନ୍ନତି କରିଛନ୍ତି । ଆଉ ଆଗକୁ ଆପଣ କିପରି ଆହୁରି ଉନ୍ନତି କରିପାରିବେ ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ  ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ