ପାଠ ୧୨
ଯାକୁବ ଉତ୍ତରାଧିକାରୀ ହେଲେ
ଯେବେ ଇସ୍ହାକ ୪୦ ବର୍ଷର ଥିଲେ, ତେବେ ସେ ରିବିକାକୁ ବାହା ହେଲେ । ସେ ରିବିକାକୁ ବହୁତ ଭଲ ପାଉଥିଲେ । କିଛି ସମୟ ପରେ ସେମାନଙ୍କ ଯାଆଁଳା ପୁଅ ଜନ୍ମ ହେଲେ ।
ବଡ଼ ପୁଅର ନାମ ଏଷୌ ଥିଲା ଏବଂ ଛୋଟ ପୁଅର ନାମ ଯାକୁବ । ଏଷୌକୁ ଘରୁ ବାହାରେ ରହିବା ପସନ୍ଦ ଥିଲା ଏବଂ ସେ ଜଣେ ଭଲ ଶିକାରୀ ଥିଲା । କିନ୍ତୁ ଯାକୁବଙ୍କୁ ଘରେ ରହିବା ଭଲ ଲାଗୁଥିଲା ।
ସେସମୟରେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ, ତାʼର ଜମି ଏବଂ ପଇସାର ଅଧିକାଂଶ ଭାଗ ବଡ଼ ପୁଅକୁ ମିଳୁଥିଲା । ତାଙ୍କୁ ଉତ୍ତରାଧିକାରୀ କୁହାଯାଏ । ଇସ୍ହାକଙ୍କ ପରିବାରର ଉତ୍ତରାଧିକାରରେ ଯିହୋବାଙ୍କ ସେହି ପ୍ରତିଜ୍ଞାଗୁଡ଼ିକ ବି ସାମିଲ୍ ଥିଲା ଯାହା ସେ ଅବ୍ରହାମଙ୍କୁ କରିଥିଲେ । ଏଷୌ ସେହି ପ୍ରତିଜ୍ଞାଗୁଡ଼ିକର ମହତ୍ତ୍ୱ ବୁଝୁ ନ ଥିଲା, କିନ୍ତୁ ଯାକୁବଙ୍କୁ ସେହି ପ୍ରତିଜ୍ଞାଗୁଡ଼ିକର ମହତ୍ତ୍ୱ ଜଣାଥିଲା ।
ଥରେ ଏଷୌ ସାରା ଦିନ ଶିକାର କରିବା ପରେ ଥକି ଯାଇ ଘରକୁ ଆସିଲା । ଯାକୁବ ଖାଇବା ତିଆରି କରୁଥିଲେ । ଏଷୌକୁ ଖାଇବାର ସୁଗନ୍ଧ ଆସିଲା ଆଉ ସେ ଯାକୁବଙ୍କୁ କହିଲା, ‘ମୋତେ ବହୁତ ଭୋକ ଲାଗୁଛି ! ତୁ ଯେଉଁ ମସୁର ଡାଲି ରାନ୍ଧୁଛୁ, ଟିକେ ମୋତେ ଦେ !’ ଯାକୁବ କହିଲେ, ‘ପ୍ରଥମେ ତୁ ମୋତେ ପ୍ରତିଜ୍ଞା କର ଯେ ତୁ ମୋତେ ତୋର ଉତ୍ତରାଧିକାର ଦେଇ ଦେବୁ ।’ ଏଷୌ କହିଲା, ‘ମୁଁ ନିଜ ଉତ୍ତରାଧିକାର ରଖି କʼଣ କରିବି ? ତୁ ନେଇ ଯା । ମୋତେ କେବଳ ଖାଇବା ପାଇଁ ଦେ ।’ ଆପଣଙ୍କୁ କʼଣ ଲାଗେ ଏଷୌ ଠିକ୍ କାମ କଲା ? ନୁହେଁ । ଏଷୌ କେବଳ ଗୋଟିଏ ଗିନା ଡାଲି ପାଇଁ ଏକ ବହୁମୂଲ୍ୟ ଜିନିଷ ଦେଇ ଦେଲା ।
ଯେବେ ଇସ୍ହାକ ବହୁତ ବୁଢ଼ା ହୋଇଗଲେ, ତେବେ ନିଜ ବଡ଼ ପୁଅକୁ ଆଶୀର୍ବାଦ ଦେବାର ସମୟ ଆସିଗଲା । କିନ୍ତୁ ରିବିକା ଛୋଟ ପୁଅ ଯାକୁବଙ୍କୁ ସେହି ଆଶୀର୍ବାଦ ପାଇବା ପାଇଁ ସାହାଯ୍ୟ କଲେ । ଯେବେ ଏଷୌକୁ ଜଣା ପଡ଼ିଲା ତେବେ ସେ ବହୁତ ରାଗିଗଲା ଏବଂ ସେ ନିଜ ଯାଆଁଳା ଭାଇକୁ ମାରି ଦେବା ପାଇଁ ଭାବିଲା । ଇସ୍ହାକ ଓ ରିବିକା ଯାକୁବଙ୍କୁ ବଞ୍ଚାଇବା ପାଇଁ ଚାହୁଁଥିଲେ, ତେଣୁ ସେମାନେ ତାକୁ କହିଲେ, ‘ତମେ ନିଜ ମାମୁଁ ଲାବନ ପାଖକୁ ଯାଅ ଏବଂ ଏଷୌର ରାଗ କମ୍ ନ ହେବା ପର୍ଯ୍ୟନ୍ତ ସେଇଠି ରହିବ ।’ ଯାକୁବ ନିଜ ବାପାମାଆଙ୍କ କଥା ମାନିଲେ ଏବଂ ନିଜ ଜୀବନ ରକ୍ଷା ପାଇଁ ସେଠାରୁ ପଳାଇଗଲେ ।
“ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ ? ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ ?”—ମାର୍କ ୮:୩୬, ୩୭