ପାଠ ୧୩
ଯାକୁବ ଓ ଏଷୌ ବୁଝାମଣା କଲେ
ଯିହୋବା ଯାକୁବଙ୍କୁ ପ୍ରତିଜ୍ଞା କଲେ ଯେ ସେ ତାଙ୍କୁ ବିପଦଗୁଡ଼ିକରୁ ରକ୍ଷା କରିବେ ଯେପରି ସେ ଅବ୍ରହାମ ଓ ଇସ୍ହାକଙ୍କୁ ରକ୍ଷା କରିଥିଲେ । ଯାକୁବ ହାରଣ ନାମକ ଜାଗାରେ ରହିବାକୁ ଲାଗିଲେ । ସେଠାରେ ସେ ବିବାହ କଲେ ଆଉ ତାଙ୍କର ଗୋଟିଏ ବଡ଼ ପରିବାର ହେଲା ଏବଂ ସେ ବହୁତ ଧନୀ ହୋଇଗଲେ ।
ପରେ ଯିହୋବା ଯାକୁବଙ୍କୁ କହିଲେ, ‘ତମେ ନିଜ ଦେଶକୁ ଫେରି ଯାଅ ।’ ତେଣୁ ଯାକୁବ ଓ ତାଙ୍କ ପରିବାର ଗୋଟିଏ ଲମ୍ବା ଯାତ୍ରାରେ ବାହାରି ପଡ଼ିଲେ । ରାସ୍ତାରେ ଯାକୁବଙ୍କ କିଛି ସେବକ ତାଙ୍କୁ କହିଲେ, ‘ଆପଣଙ୍କ ଭାଇ ଏଷୌ ୪୦୦ ଲୋକଙ୍କ ସାଙ୍ଗରେ ଆସୁଛନ୍ତି !’ ଯାକୁବ ଡରିଗଲେ କାରଣ ତାଙ୍କୁ ଲାଗିଲା ଯେ ଏଷୌ ତାଙ୍କୁ ଓ ତାଙ୍କ ପରିବାରକୁ ଆଘାତ ପହଞ୍ଚାଇବେ । ସେ ଯିହୋବାଙ୍କୁ ପ୍ରାର୍ଥନା କଲେ, ‘ଦୟାକରି ମୋତେ ମୋ ଭାଇଙ୍କଠାରୁ ରକ୍ଷା କର ।’ ଆରଦିନ ଯାକୁବ ଏଷୌଙ୍କୁ ଉପହାରରେ ଅନେକଗୁଡ଼ିଏ ମେଣ୍ଢା, ଛେଳି, ଗାଈ, ଓଟ ଓ ଗଧ ପଠାଇଲେ ।
ସେହି ରାତି ଯେବେ ଯାକୁବ ଏକୁଟିଆ ଥିଲେ ତେବେ ସେ ଜଣେ ସ୍ୱର୍ଗଦୂତଙ୍କୁ ଦେଖିଲେ ! ସେହି ସ୍ୱର୍ଗଦୂତଙ୍କ ସହ ସେ କୁସ୍ତି ଲଢ଼ିବାକୁ ଲାଗିଲେ । ସେମାନେ ସକାଳ ଯାଏ କୁସ୍ତି ଲଢ଼ିଲେ । ଯାକୁବଙ୍କୁ ଆଘାତ ପହଞ୍ଚିଲା ତଥାପି ସେ ହାର ମାନିଲେ ନାହିଁ । ସ୍ୱର୍ଗଦୂତ ତାଙ୍କୁ କହିଲେ, ‘ମୋତେ ଛାଡ଼ ।’ କିନ୍ତୁ ଯାକୁବ କହିଲେ, ‘ତୁମ୍ଭେ ମୋତେ ଆଶୀର୍ବାଦ ନ ଦେଲେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ ।’
ଶେଷରେ ସ୍ୱର୍ଗଦୂତ ଯାକୁବଙ୍କୁ ଆଶୀର୍ବାଦ ଦେଲେ । ଏବେ ଯାକୁବଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ଏଷୌଙ୍କଠାରୁ ନିଶ୍ଚୟ ରକ୍ଷା କରିବେ ।
କିଛି ସମୟ ପରେ ଯାକୁବ ଦେଖିଲେ ଯେ ଦୂରରୁ ଏଷୌ ଓ ତାଙ୍କ ୪୦୦ ଲୋକ ଆସୁଛନ୍ତି । ଯାକୁବ ନିଜ ପରିବାରଠାରୁ ଆଗକୁ ଗଲେ ଏବଂ ତାଙ୍କ ଭାଇଙ୍କୁ ସାତ ଥର ନଇଁ ପ୍ରଣାମ କଲେ । ତେବେ ଏଷୌ ଦୌଡ଼ି ଯାକୁବଙ୍କ ପାଖକୁ ଗଲେ ଏବଂ ତାଙ୍କୁ କୁଣ୍ଢାଇ ପକାଇଲେ । ଦୁହେଁ ବହୁତ କାନ୍ଦିଲେ ଏବଂ ସେମାନେ ବୁଝାମଣା କଲେ । ଆପଣଙ୍କୁ କʼଣ ଲାଗେ, ଏଷୌଙ୍କ ସହ ବୁଝାମଣା କରିବା ପାଇଁ ଯାକୁବ ଯେଉଁ ପଦକ୍ଷେପ ନେଲେ ତାହା ଯିହୋବାଙ୍କୁ କିପରି ଲାଗିଥିବ ?
ପରେ ଏଷୌ ନିଜ ଘରକୁ ଫେରିଗଲେ ଏବଂ ଯାକୁବ ନିଜ ଯାତ୍ରାରେ ଆଗକୁ ବଢ଼ିଲେ । ଯାକୁବଙ୍କ ୧୨ ଜଣ ପୁଅ ଥିଲେ । ସେମାନଙ୍କ ନାମ ଥିଲା ରୁବେନ୍, ଶିମୀୟୋନ, ଲେବୀ, ଯିହୁଦା, ଦାନ୍, ନପ୍ତାଲି, ଗାଦ୍, ଆଶେର୍, ଇଷାଖର୍, ସବୂଲୂନ, ଯୋଷେଫ ଓ ବିନ୍ୟାମିନ । ଯାକୁବଙ୍କ ପୁଅ ଯୋଷେଫଙ୍କ ଜରିଆରେ ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କଲେ । କିପରି ? ଆସନ୍ତୁ ଦେଖିବା ।
“ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ ।”—ମାଥିଉ ୫:୪୪, ୪୫