ପାଠ ୮୪
ଯୀଶୁ ପାଣି ଉପରେ ଚାଲିଲେ
ଯୀଶୁ ନା କେବଳ ରୋଗୀମାନଙ୍କୁ ଠିକ୍ କରିପାରୁଥିଲେ ଏବଂ ମରିଯାଇଥିବା ଲୋକମାନଙ୍କୁ ଜୀବିତ କରିପାରୁଥିଲେ ବରଂ ଝଡ଼ ତୋଫାନ ଓ ବର୍ଷାକୁ ମଧ୍ୟ ରୋକି ପାରୁଥିଲେ । ଥରେ ପାହାଡ଼ ଉପରେ ପ୍ରାର୍ଥନା କରିବା ପରେ ତଳେ ଗାଲିଲୀ ସମୁଦ୍ରରେ ସେ ଝଡ଼ ତୋଫାନ ଦେଖିଲେ । ତାଙ୍କ ପ୍ରେରିତମାନେ ନିଜ ନୌକାରେ ଥିଲେ ଏବଂ ସେମାନଙ୍କୁ ନୌକା ଚଲାଇବା ପାଇଁ ବହୁତ କଷ୍ଟ ହେଉଥିଲା । ଯୀଶୁ ତଳକୁ ଗଲେ ଏବଂ ପାଣି ଉପରେ ଚାଲି ସେମାନଙ୍କ ନୌକା ଆଡ଼କୁ ଗଲେ । ଯେବେ ପ୍ରେରିତମାନେ ଦେଖିଲେ ଯେ କେହି ପାଣି ଉପରେ ଚାଲୁଛନ୍ତି ତେବେ ସେମାନେ ଡରିଗଲେ । କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ‘ଡର ନାହିଁ, ମୁଁ ଅଟେ ।’
ପିତର କହିଲେ, ‘ପ୍ରଭୁ, ଯଦି ଆପଣ ଅଟନ୍ତି ତେବେ ମୋତେ ଆଜ୍ଞା ଦିଅନ୍ତୁ ଯେ ମୁଁ ଆପଣଙ୍କ ପାଖକୁ ପାଣି ଉପରେ ଚାଲିକି ଆସିବି ।’ ଯୀଶୁ ପିତରଙ୍କୁ କହିଲେ, ‘ମୋ ପାଖକୁ ଆସ ।’ ତେବେ ପିତର ସେହି ଝଡ଼ ତୋଫାନ ହେଉଥିବା ସମୟରେ ନୌକାରୁ ଓହ୍ଲାଇଲେ ଏବଂ ପାଣି ଉପରେ ଚାଲି ଯୀଶୁଙ୍କ ପାଖକୁ ଯିବାକୁ ଲାଗିଲେ । କିନ୍ତୁ ଯେମିତି ସେ ଯୀଶୁଙ୍କ ପାଖକୁ ପହଞ୍ଚିଲେ ସେ ଝଡ଼ ତୋଫାନକୁ ଦେଖିଲେ । ସେ ଡରିଗଲେ ଏବଂ ବୁଡ଼ିବାକୁ ଲାଗିଲେ । ପିତର ପାଟି କରି କହିଲେ, ‘ପ୍ରଭୁ ମୋତେ ରକ୍ଷା କର !’ ଯୀଶୁ ତାଙ୍କ ହାତ ଧରି ପକାଇଲେ ଏବଂ କହିଲେ, ‘ତମେ କାହିଁକି ସନ୍ଦେହ କଲ ? ତମ ବିଶ୍ୱାସ କାହିଁ ?’
ଯୀଶୁ ଓ ପିତର ନୌକା ଉପରେ ଚଢ଼ିଗଲେ ଏବଂ ତୁରନ୍ତ ଝଡ଼ ତୋଫାନ ଶାନ୍ତ ହୋଇଗଲା । କʼଣ ଆପଣ ଭାବିପାରିବେ ଏସବୁ ଦେଖି ପ୍ରେରିତମାନଙ୍କୁ କିପରି ଲାଗିଥିବ ? ସେମାନେ କହିଲେ, ‘ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର ।’
ଏପରି ଯୀଶୁ ଥରେ ନୁହେଁ ଆଉ ଏକ ସମୟରେ ମଧ୍ୟ ଝଡ଼ ତୋଫାନକୁ ଶାନ୍ତ କରିଥିଲେ । ଯେବେ ସେ ଓ ପ୍ରେରିତମାନେ ନୌକାରୁ ସମୁଦ୍ରର ଆରପାରିକୁ ଯାଉଥିଲେ, ତେବେ ସେ ନୌକାର ପଛ ଭାଗରେ ଶୋଇପଡ଼ିଲେ । ତାʼପରେ ଏକ ଭୟଙ୍କର ଝଡ଼ ତୋଫାନ ଆରମ୍ଭ ହେଲା । ଲହଡ଼ିଗୁଡ଼ିକ ଜୋର୍ରେ ନୌକାରେ ପିଟି ହେବାକୁ ଲାଗିଲା ଏବଂ ନୌକାରେ ପାଣି ଭରିଗଲା । ପ୍ରେରିତମାନେ ଯୀଶୁଙ୍କୁ ଉଠାଇଲେ ଏବଂ ସେମାନେ ପାଟି କରିବାକୁ ଲାଗିଲେ, ‘ଗୁରୁ, ଆମକୁ ରକ୍ଷା କର ନହେଲେ ଆମେ ସମସ୍ତେ ମରିଯିବା !’ ଯୀଶୁ ଉଠି ସମୁଦ୍ରକୁ କହିଲେ, ‘ଶାନ୍ତ ହୋଇ ଯା !’ ଝଡ଼ ତୋଫାନ ଓ ସମୁଦ୍ର ତୁରନ୍ତ ଶାନ୍ତ ହୋଇଗଲା । ଯୀଶୁ ପ୍ରେରିତମାନଙ୍କୁ ପଚାରିଲେ, ‘ତମ ବିଶ୍ୱାସ କାହିଁ ?’ ସେମାନେ ପରସ୍ପରକୁ କହିବାକୁ ଲାଗିଲେ, ‘ଝଡ଼ ତୋଫାନ ଓ ସମୁଦ୍ର ମଧ୍ୟ ତାଙ୍କ ଆଜ୍ଞା ମାନନ୍ତି ।’ ପ୍ରେରିତମାନେ ଶିଖିଲେ ଯେ ଯଦି ସେମାନେ ଯୀଶୁଙ୍କ ଉପରେ ପୂରା ଭରସା ରଖିବେ, ତେବେ ସେମାନଙ୍କୁ କୌଣସି ବି ଜିନିଷରୁ ଡରିବା ଦରକାର ନାହିଁ ।
‘ମୁଁ ଜୀବିତମାନଙ୍କ ଦେଶରେ ଯିହୋବାଙ୍କର ମଙ୍ଗଳ ଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି ।’—ଗୀତସଂହିତା ୨୭:୧୩