ପାଠ ୯୬
ଯୀଶୁ ଶାଉଲଙ୍କୁ ବାଛିଲେ
ଶାଉଲ ଜଣେ ରୋମୀ ନାଗରିକ ଥିଲେ ଏବଂ ତାଙ୍କ ଜନ୍ମ ତାର୍ଷ ନଗରରେ ହୋଇଥିଲା । ସେ ଜଣେ ଫାରୂଶୀ ଥିଲେ ଏବଂ ଯିହୁଦୀମାନଙ୍କ ନିୟମକୁ ଭଲଭାବେ ଜାଣିଥିଲେ । ସେ ଖ୍ରୀଷ୍ଟିୟାନମାନଙ୍କୁ ଘୃଣା କରୁଥିଲେ । ସେ ଖ୍ରୀଷ୍ଟିୟାନ ପୁରୁଷ ଓ ସ୍ତ୍ରୀମାନଙ୍କୁ ସେମାନଙ୍କ ଘରୁ ଘୋଷାରି ବାହାର କରି ଜେଲରେ ବନ୍ଦୀ କରି ଦେଉଥିଲେ । ଥରେ ଯେବେ କ୍ରୋଧିତ ଭିଡ଼ ସ୍ତିଫାନ ନାମକ ଶିଷ୍ୟଙ୍କୁ ପଥରଗୁଡ଼ିକରୁ ମାରି ଦେଲେ ତେବେ ଶାଉଲ ପାଖରେ ଛିଡ଼ା ହୋଇ ଦେଖୁଥିଲେ ।
ଶାଉଲ ଯିରୂଶାଲମ ଛଡ଼ା ଅନ୍ୟ ଜାଗାଗୁଡ଼ିକର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ଚାହୁଁଥିଲେ । ସେ ମହାଯାଜକଙ୍କୁ କହିଲେ ଯେ ସେ ତାଙ୍କୁ ଦାମାସ୍କସ୍ ସହର ଯିବାକୁ ଦିଅନ୍ତୁ ଯାହାଦ୍ୱାରା ସେଠାର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଖୋଜି ଧରିପାରିବେ । ଯେବେ ଶାଉଲ ଦାମାସ୍କସ୍ ପାଖକୁ ପହଞ୍ଚିଲେ ତେବେ ହଠାତ୍ ତାଙ୍କ ଚାରିଆଡ଼େ ଆଲୋକ ଚମକି ଉଠିଲା । ସେ ତଳେ ପଡ଼ିଗଲେ । ତାଙ୍କୁ ଗୋଟିଏ ଶବ୍ଦ ଶୁଣାଗଲା, ‘ଶାଉଲ, ତମେ ମୋ ଉପରେ କାହିଁକି ଅତ୍ୟାଚାର କରୁଛ ?’ ଶାଉଲ କହିଲେ, “ଆପଣ କିଏ ?” ସେ ଉତ୍ତର ଦେଲେ, ‘ମୁଁ ଯୀଶୁ ଅଟେ । ତମେ ଦାମାସ୍କସ୍କୁ ଯାଅ । ସେଠାରେ ତମକୁ କୁହାଯିବ ଯେ ତମକୁ କʼଣ କରିବାର ଅଛି ।’ ଠିକ୍ ସେତେବେଳେ ଶାଉଲ ଅନ୍ଧ ହୋଇଗଲେ ଏବଂ ଲୋକମାନଙ୍କୁ ତାଙ୍କ ହାତ ଧରି ସହରକୁ ନେବାକୁ ପଡ଼ିଲା ।
ଦାମାସ୍କସ୍ରେ ହନନୀୟ ନାମକ ଜଣେ ବିଶ୍ୱସ୍ତ ଖ୍ରୀଷ୍ଟିୟାନ ଥିଲେ । ଯୀଶୁ ଏକ ଦର୍ଶନରେ ତାଙ୍କୁ କହିଲେ, ‘ସଳଖ ନାମକ ଗଳିରେ ଯିହୂଦାଙ୍କ ଘରକୁ ଯାଅ ଏବଂ ଶାଉଲଙ୍କ ବିଷୟରେ ପଚାର ।’ ହନନୀୟ କହିଲେ, ‘ପ୍ରଭୁ, ମୁଁ ସେହି ବ୍ୟକ୍ତି ବିଷୟରେ ସବୁକିଛି ଜାଣିଛି ! ସେ ଆପଣଙ୍କ ଶିଷ୍ୟମାନଙ୍କୁ ଜେଲରେ ବନ୍ଦୀ କରିଦିଏ ।’ କିନ୍ତୁ ଯୀଶୁ କହିଲେ, ‘ତମେ ତାʼ ପାଖକୁ ଯାଅ । ମୁଁ ଶାଉଲକୁ ବାଛିଛି ଯାହାଦ୍ୱାରା ସେ ଅନେକ ଦେଶକୁ ଯାଇ ଖୁସିର ଖବର ଶୁଣାଇବ ।’
ଯେବେ ହନନୀୟ ଶାଉଲଙ୍କୁ ଭେଟିଲେ ତେବେ ସେ କହିଲେ, ‘ଶାଉଲ ମୋ ଭାଇ, ଯୀଶୁ ମୋତେ ତମ ପାଖକୁ ପଠାଇଛନ୍ତି ଯାହାଦ୍ୱାରା ମୁଁ ତମ ଆଖି ଖୋଲି ଦିଏ ।’ ସେହି ସମୟରେ ଶାଉଲ ପୁଣିଥରେ ଦେଖିବାକୁ ଲାଗିଲେ । ସେ ଯୀଶୁଙ୍କ ବିଷୟରେ ଶିଖିଲେ ଏବଂ ତାଙ୍କ ଶିଷ୍ୟ ହୋଇଗଲେ । ଶାଉଲ ବାପ୍ତିସ୍ମ ନେଇ ଖ୍ରୀଷ୍ଟିୟାନ ହୋଇଗଲେ ଏବଂ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କ ସହ ସଭାଘରଗୁଡ଼ିକରେ ପ୍ରଚାର କରିବାକୁ ଲାଗିଲେ । କʼଣ ଆପଣ ଭାବିପାରିବେ ଯିହୁଦୀମାନେ ଏହା ଦେଖି କେତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ ଶାଉଲ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ଶିଖାଉଛନ୍ତି ? ଯିହୁଦୀମାନେ କହିଲେ, ‘କʼଣ ଏ ସେହି ବ୍ୟକ୍ତି ନୁହେଁ ଯିଏ ଯୀଶୁଙ୍କ ଶିଷ୍ୟମାନଙ୍କୁ ଖୋଜି ଧରୁଥିଲା ?’
ତିନି ବର୍ଷ ଯାଏ ଶାଉଲ ଦାମାସ୍କସ୍ର ଲୋକମାନଙ୍କୁ ପ୍ରଚାର କଲେ । ଯିହୁଦୀମାନେ ଶାଉଲଙ୍କୁ ଘୃଣା କରୁଥିଲେ ଏବଂ ତାଙ୍କୁ ମାରି ଦେବା ପାଇଁ ଷଡ଼ଯନ୍ତ୍ର କରିବାକୁ ଲାଗିଲେ । କିନ୍ତୁ ଭାଇମାନଙ୍କୁ ଏବିଷୟରେ ଜଣା ପଡ଼ିଗଲା ଏବଂ ସେମାନେ ଶାଉଲଙ୍କୁ ଜୀବନ ରକ୍ଷା କରି ପଳାଇବା ପାଇଁ ସାହାଯ୍ୟ କଲେ । ସେମାନେ ତାଙ୍କୁ ଗୋଟିଏ ବଡ଼ ଟୋକେଇରେ ବସାଇଲେ ଏବଂ ସହରର ପ୍ରାଚୀରରେ ତିଆରି ଗୋଟିଏ ଝରକାରୁ ତଳକୁ ଓହ୍ଲାଇ ଦେଲେ ।
ଯେବେ ଶାଉଲ ଯିରୂଶାଲମକୁ ଗଲେ ତେବେ ସେ ସେଠାର ଭାଇମାନଙ୍କ ସହ ମିଶିବା ପାଇଁ ଚେଷ୍ଟା କଲେ । କିନ୍ତୁ ସେମାନେ ତାଙ୍କୁ ଡରୁଥିଲେ । ସେସମୟରେ ବର୍ଣ୍ଣବ୍ବା ନାମକ ଜଣେ ଶିଷ୍ୟ, ଯିଏ ଅନ୍ୟମାନଙ୍କ ବହୁତ ସାହାଯ୍ୟ କରୁଥିଲେ, ଶାଉଲଙ୍କୁ ପ୍ରେରିତମାନଙ୍କ ପାଖକୁ ନେଇଗଲେ ଏବଂ ସେମାନଙ୍କୁ ଭରସା ଦେଲେ ଯେ ସେ ସତରେ ବଦଳି ଯାଇଛନ୍ତି । ଶାଉଲ ଯିରୂଶାଲମର ମଣ୍ଡଳୀ ସହ ଉତ୍ସାହର ସହିତ ଖୁସିର ଖବର ଶୁଣାଇବାକୁ ଲାଗିଲେ । ପରେ ସେ ପାଉଲ ନାମରେ ପରିଚିତ ହେଲେ ।
‘ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ ।’—୧ ତୀମଥି ୧:୧୫