ପାଠ ୧୬
ଯୀଶୁ ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ?
ଆପଣ ଯୀଶୁଙ୍କ ବିଷୟରେ କʼଣ ଜାଣିଛନ୍ତି ? ହୁଏତ ଆପଣ ତାଙ୍କର ଜନ୍ମ ଓ ମୃତ୍ୟୁ ବିଷୟରେ କିଛି କଥା ଜାଣିଥିବେ । କିନ୍ତୁ କʼଣ ଆମେ ତାଙ୍କ ବିଷୟରେ ଆହୁରି ଅଧିକ ଜାଣିପାରିବା ? ହଁ । ଯୀଶୁ ପୃଥିବୀରେ ଥିବା ବେଳେ ଅନେକ ମହତ୍ତ୍ୱପୂର୍ଣ୍ଣ କାମ କରିଥିଲେ । ଏହି ପାଠରେ ଆମେ ଦେଖିବା ଯେ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ଏବଂ ଏହା କିପରି ଆମକୁ ସାହାଯ୍ୟ କରିପାରିବ ।
୧. ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ କʼଣ ଥିଲା ?
ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ ଥିଲା “ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର” କରିବା । (ଲୂକ ୪:୪୩ ପଢ଼ନ୍ତୁ ।) ସେ ଲୋକମାନଙ୍କୁ ପ୍ରଚାର କରି କହିଲେ ଯେ ଈଶ୍ୱରଙ୍କ ରାଜ୍ୟ ବା ତାଙ୍କ ସରକାର ହିଁ ମଣିଷମାନଙ୍କ ସବୁ ସମସ୍ୟାକୁ ଦୂର କରିଦେବ ।a ସାଢ଼େ ତିନି ବର୍ଷ ଦିନ ରାତି ପରିଶ୍ରମ କରି ସେ ଲୋକମାନଙ୍କୁ ଏହି ସୁସମାଚାର ଶୁଣାଇଲେ ।—ମାଥିଉ ୯:୩୫.
୨. ଯୀଶୁ କାହିଁକି ଚମତ୍କାର କଲେ ?
ବାଇବଲରେ ଲେଖାଅଛି ଯେ ଯିହୋବା ଯୀଶୁଙ୍କ ଜରିଆରେ ‘ନାନା ଶକ୍ତିର କାର୍ଯ୍ୟ, ଅଦ୍ଭୁତ କର୍ମ ଓ ଚମତ୍କାର’ କଲେ । (ପ୍ରେରିତ ୨:୨୨) ଈଶ୍ୱରଙ୍କ ଶକ୍ତି ଦ୍ୱାରା ଯୀଶୁ ଝଡ଼କୁ ଶାନ୍ତ କଲେ, ହଜାର ହଜାର ଲୋକଙ୍କୁ ଖୁଆଇଲେ, ରୋଗୀମାନଙ୍କୁ ଠିକ୍ କଲେ ଏବଂ ମରିଯାଇଥିବା ଲୋକମାନଙ୍କୁ ବି ପୁଣି ଜୀବିତ କଲେ । (ମାଥିଉ ୮:୨୩-୨୭; ୧୪:୧୫-୨୧; ମାର୍କ ୬:୫୬; ଲୂକ ୭:୧୧-୧୭) ଯୀଶୁ ଯେଉଁ ଚମତ୍କାର କଲେ, ସେଥିରୁ ଜଣାପଡ଼େ ଯେ ତାଙ୍କୁ ଯିହୋବା ହିଁ ପଠାଇଥିଲେ । ଆଉ ଯିହୋବାଙ୍କ ପାଖରେ ହିଁ ଆମ ସମସ୍ୟାଗୁଡ଼ିକୁ ଦୂର କରିବାର ଶକ୍ତି ଅଛି ।
୩. ଆମେ ଯୀଶୁଙ୍କଠାରୁ କʼଣ ଶିଖୁ ?
ଯୀଶୁ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରୁଥିଲେ । (ଯୋହନ ୮:୨୯ ପଢ଼ନ୍ତୁ ।) ତାଙ୍କୁ ବହୁତ ବିରୋଧର ସାମନା କରିବାକୁ ପଡ଼ିଥିଲା, ତଥାପି ସେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କ ଆଜ୍ଞା ପାଳନ କଲେ । ତାଙ୍କଠାରୁ ଆମେ ଶିଖୁ ଯେ ଜଣେ ମଣିଷ କଠିନ ପରିସ୍ଥିତି ସତ୍ତ୍ୱେ ଯିହୋବାଙ୍କ ଆଜ୍ଞା ପାଳନ କରିପାରିବ । ଏପରି ଭାବରେ ସେ ନିଜ ପଦଚିହ୍ନରେ ଚାଲିବା ପାଇଁ ଆମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇ ଦେଇ ଯାଇଛନ୍ତି ।—୧ ପିତର ୨:୨୧.
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଯୀଶୁ ଖୁସିର ଖବର ପ୍ରଚାର କରିବା ପାଇଁ ଯାହା କଲେ ଏବଂ ଯେଭଳି ଭାବେ ଚମତ୍କାର କଲେ, ସେଥିରୁ ଆମେ ଯୀଶୁଙ୍କ ବିଷୟରେ କʼଣ ଶିଖିପାରିବା ।
୪. ଯୀଶୁ ଅନ୍ୟମାନଙ୍କୁ ଖୁସିର ଖବର ଶୁଣାଇଲେ
ଯୀଶୁ ଅଧିକରୁ ଅଧିକ ଲୋକଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଧୂଳିମାଟି ଭରା ରାସ୍ତାରେ ଶହ ଶହ କିଲୋମିଟର ଚାଲି ଚାଲି ଗଲେ । ଲୂକ ୮:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
କʼଣ ଯୀଶୁ କେବଳ ସେମାନଙ୍କୁ ପ୍ରଚାର କରୁଥିଲେ, ଯେଉଁମାନେ ତାଙ୍କ କଥା ଶୁଣିବାକୁ ଆସୁଥିଲେ ?
ଯୀଶୁ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ କʼଣ କʼଣ କଲେ ?
ଈଶ୍ୱର ବହୁତ ପୂର୍ବରୁ ହିଁ କହିଥିଲେ ଯେ ମସୀହ ସୁସମାଚାରର ପ୍ରଚାର କରିବେ । ଯିଶାଇୟ ୬୧:୧, ୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯୀଶୁ ଏହି ଭବିଷ୍ୟତବାଣୀକୁ କିପରି ପୂରା କଲେ ?
ଆପଣ କʼଣ ଭାବନ୍ତି, କʼଣ ଆଜି ଲୋକମାନଙ୍କୁ ଏହି ସୁସମାଚାର ଶୁଣିବା ଜରୁରୀ ?
୫. ଯୀଶୁ ଭଲ ପରାମର୍ଶ ଦେଲେ
ଈଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଚାର ଶୁଣାଇବା ଛଡ଼ା, ଯୀଶୁ ଜୀବନ ବିଷୟରେ କିଛି ଭଲ ପରାମର୍ଶ ମଧ୍ୟ ଦେଲେ । ଏପରି କିଛି ବଢ଼ିଆ ପରାମର୍ଶ ସେ ନିଜ ଜଣାଶୁଣା ଉପଦେଶରେ ଦେଇଛନ୍ତି, ଯାହାକୁ ପାର୍ବତ୍ୟ ଉପଦେଶ ବୋଲି କୁହାଯାଏ । ମାଥିଉ ୬:୧୪, ୩୪ ଓ ୭:୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଏହି ପଦଗୁଡ଼ିକରେ ଯୀଶୁ କʼଣ ଭଲ ପରାମର୍ଶ ଦେଲେ ?
କʼଣ ଏହି ପରାମର୍ଶକୁ ମାନିଲେ ଆଜି ବି ଆମକୁ ଲାଭ ହେବ ?
୬. ଯୀଶୁ ଅନେକ ଚମତ୍କାର କଲେ
ଯିହୋବାଙ୍କ ଶକ୍ତି ସାହାଯ୍ୟରେ ଯୀଶୁ ଅନେକ ଚମତ୍କାର କରିଥିଲେ । ତାଙ୍କର ଗୋଟିଏ ଚମତ୍କାର ବିଷୟରେ ଜାଣିବା ପାଇଁ ମାର୍କ ୫:୨୫-୩୪ ପଢ଼ନ୍ତୁ କିମ୍ବା ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ସେ ମହିଳାକୁ କʼଣ ଭରସା ଥିଲା ?
ସେହି ଘଟଣାର କେଉଁ କଥା ଆପଣଙ୍କୁ ବହୁତ ଭଲ ଲାଗିଲା ?
ଯୋହନ ୫:୩୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯୀଶୁ ଯେଉଁ ଚମତ୍କାର କଲେ, ତାହା କେଉଁ “ବିଷୟରେ ସାକ୍ଷ୍ୟ ଦେଉଅଛି” ଅର୍ଥାତ୍ ସେଥିରୁ ଯୀଶୁଙ୍କ ବିଷୟରେ କʼଣ ଜଣାପଡ଼େ ?
କʼଣ ଆପଣ ଜାଣନ୍ତି ?
ଯୀଶୁଙ୍କ ବିଷୟରେ ଆମେ ଯାହା ବି ଜାଣୁ, ତାʼର ଅଧିକାଂଶ କଥା ସୁସମାଚାରର ଚାରୋଟି ବହିରେ ଲେଖାଯାଇଛି । ସେଗୁଡ଼ିକ ହେଉଛି— ମାଥିଉ, ମାର୍କ, ଲୂକ ଓ ଯୋହନ । ପ୍ରତ୍ୟେକ ଲେଖକ ନିଜ ନିଜ ବହିରେ ଯୀଶୁଙ୍କ ବିଷୟରେ କିଛି ବିଶେଷ କଥା ଲେଖିଛନ୍ତି, ଯାହା ଅନ୍ୟ ସୁସମାଚାର ବହିଗୁଡ଼ିକରେ ମିଳେନି । ଯେତେବେଳେ ଆମେ ଏହି ଚାରୋଟି ବହିଗୁଡ଼ିକୁ ପଢ଼ୁ, ସେତେବେଳେ ଆମେ ଜାଣିପାରୁ ଯେ ଯୀଶୁଙ୍କ ଜୀବନ କିପରି ଥିଲା ।
ମାଥିଉ
ସେ ସୁସମାଚାରର ପ୍ରଥମ ବହି ଲେଖିଛନ୍ତି । ଯୀଶୁ ଯାହା ଶିଖାଇଲେ, ସେହି କଥାଗୁଡ଼ିକ ଆମେ ଏ ବହିରେ ପାଉ । ବିଶେଷ କରି ଈଶ୍ୱରଙ୍କ ରାଜ୍ୟ ବିଷୟରେ ।
ମାର୍କ
ତାଙ୍କର ବହି ଅନ୍ୟ ସବୁ ସୁସମାଚାର ବହିଗୁଡ଼ିକରୁ ସବୁଠୁ ଛୋଟ । ଯେତେବେଳେ ଆପଣ ଏହି ବହି ପଢ଼ିବେ, ସେତେବେଳେ ଆପଣଙ୍କୁ ଲାଗିବ ଯେ ସତେ ଯେପରି ଆପଣ ସେହି ରୋମାଞ୍ଚକର ଘଟଣାଗୁଡ଼ିକୁ ନିଜ ଆଖିରେ ଦେଖୁଛନ୍ତି ।
ଲୂକ
ତାଙ୍କର ବହିରୁ ଆମେ ପ୍ରାର୍ଥନା କରିବାର ମହତ୍ତ୍ୱ ବିଷୟରେ ଜାଣିପାରୁ । ତାʼସହ ଯୀଶୁ ସ୍ତ୍ରୀମାନଙ୍କ ସହିତ କିପରି ବ୍ୟବହାର କରୁଥିଲେ ତାହା ମଧ୍ୟ ଜାଣିପାରୁ ।
ଯୋହନ
ତାଙ୍କର ବହିରୁ ଜଣାପଡ଼େ ଯେ ଯୀଶୁ କିଭଳି ବ୍ୟକ୍ତି ଥିଲେ, କାରଣ ଯୀଶୁ ନିଜ ସାଙ୍ଗ ଓ ଅନ୍ୟ ଲୋକମାନଙ୍କୁ କʼଣ କʼଣ କହିଥିଲେ ସେବିଷୟରେ ଯୋହନ ଅନେକ କଥା ଏ ବହିରେ ଲେଖିଛନ୍ତି ।
କିଛି ଲୋକ କହନ୍ତି: “ଯୀଶୁ କେବଳ ଆମକୁ ଭଲ ବାଟ ଦେଖାଇବାକୁ ଆସିଥିଲେ ।”
ଆପଣ କʼଣ ଭାବନ୍ତି ?
ଆମେ କʼଣ ଶିଖିଲୁ ?
ଯୀଶୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କଲେ, ଅନେକ ଚମତ୍କାର କଲେ ଏବଂ ସବୁ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ପାଳନ କଲେ ।
ଆପଣ କʼଣ କହିବେ ?
ଯୀଶୁଙ୍କ ପାଇଁ ସବୁଠୁ ଜରୁରୀ କାମ କʼଣ ଥିଲା ?
ଯୀଶୁ ଯେଉଁ ଚମତ୍କାର କଲେ, ସେଥିରୁ କʼଣ ଜଣାପଡ଼େ ?
ଯୀଶୁ ଜୀବନ ବିଷୟରେ କେଉଁ କେଉଁ ଭଲ ପରାମର୍ଶ ଦେଲେ ?
ଅଧିକ ଜାଣନ୍ତୁ
ଯୀଶୁ କେଉଁ ବିଷୟରେ ଅଧିକ କଥା ହେଉଥିଲେ ?
“ଈଶ୍ୱରଙ୍କ ରାଜ୍ୟ ଯୀଶୁଙ୍କ ପାଇଁ କʼଣ ଅର୍ଥ ରଖୁଥିଲା ?” (ପ୍ରହରୀଦୁର୍ଗ ଲେଖା-ହି)
ଆସନ୍ତୁ ଦେଖିବା ଯେ ଆମେ କାହିଁକି ଭରସା କରିପାରିବା ଯେ ଯୀଶୁ ସତରେ ଚମତ୍କାର କରିଥିଲେ ।
“ଯୀଶୁଙ୍କ ଚମତ୍କାରଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?” (ପ୍ରହରୀଦୁର୍ଗ-ହି, ୧୫ ଜୁଲାଇ, ୨୦୦୪)
ଯେତେବେଳେ ଜଣେ ବ୍ୟକ୍ତି ଜାଣିଲେ ଯେ ଯୀଶୁ ଅନ୍ୟମାନଙ୍କର କେତେ ଚିନ୍ତା କରୁଥିଲେ, ସେତେବେଳେ ଏହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଲା । ଆସନ୍ତୁ ତାଙ୍କର କାହାଣୀ ପଢ଼ିବା ।
ଜାଣନ୍ତୁ ଯେ ଯୀଶୁଙ୍କ ପ୍ରଚାର ସେବାର କିଛି ବିଶେଷ ଘଟଣାଗୁଡ଼ିକ କʼଣ ଥିଲା ଏବଂ ସେଗୁଡ଼ିକ କେଉଁ କ୍ରମରେ ଘଟିଥିଲା ।
“ଯୀଶୁଙ୍କ ଜୀବନର କିଛି ବିଶେଷ ଘଟଣା” (ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ-ହି, ଅତିରିକ୍ତ ଲେଖା କ୭)
a ପାଠ ୩୧-୩୩ରେ ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅଧିକ ଶିଖିବା ।