ପାଠ ୨୫
ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?
ଆଜି ମଣିଷର ଜୀବନ ବହୁତ ଛୋଟ ଓ ବହୁତ ଦୁଃଖଭରା ହୋଇଥାଏ । ବାଇବଲ ବି ଏହା ହିଁ କହେ । (ଆୟୁବ ୧୪:୧) କିନ୍ତୁ କʼଣ ଈଶ୍ୱର ମଧ୍ୟ ଆମ ପାଇଁ ଏଇୟା ଚାହାନ୍ତି ? ଯଦି ନୁହେଁ, ତାହେଲେ ସେ ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି, ତାଙ୍କର ଉଦ୍ଦେଶ୍ୟ କʼଣ ? କʼଣ ତାଙ୍କର ଏହି ଉଦ୍ଦେଶ୍ୟ କେବେ ପୂରା ହେବ ? ବାଇବଲରେ ଏସବୁ ପ୍ରଶ୍ନର ଉତ୍ତର ମିଳେ । ତାହା ଜାଣିଲେ ଆପଣଙ୍କୁ ବହୁତ ଖୁସି ମିଳିବ ।
୧. ଯିହୋବା ଆମମାନଙ୍କ ପାଇଁ କʼଣ ଚାହାନ୍ତି ?
ଯିହୋବା ଚାହାନ୍ତି ଯେ ଲୋକମାନେ ସବୁବେଳେ ଖୁସିରେ ରହନ୍ତୁ । ସେ ପ୍ରଥମ ମଣିଷ, ଆଦମ ଓ ହବାକୁ ସୃଷ୍ଟି କରି ଏକ ସୁନ୍ଦର ବଗିଚାରେ ରଖିଥିଲେ । ତାʼର ନାମ ଥିଲା ଏଦନ । ତାʼପରେ ‘ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ, ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପିଲାଛୁଆ କର ଓ ସଂଖ୍ୟାରେ ବଢ଼ି ବଢ଼ି ଯାଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ଅଧିକାର କର ।’ (ଆଦି ପୁସ୍ତକ ୧:୨୮) ଯିହୋବା ଚାହୁଁଥିଲେ ଯେ ସେମାନଙ୍କର ପିଲାଛୁଆ ହୁଅନ୍ତୁ, ସେମାନେ ସାରା ପୃଥିବୀକୁ ଏକ ସୁନ୍ଦର ବଗିଚା ଭଳି କରିଦିଅନ୍ତୁ ଏବଂ ପଶୁପକ୍ଷୀଙ୍କର ଯତ୍ନ ନିଅନ୍ତୁ । ତାଙ୍କ ଇଚ୍ଛା ଥିଲା ଯେ କେହି ବି ରୋଗରେ ନ ପଡ଼ନ୍ତୁ ଏବଂ ସମସ୍ତେ ସବୁଦିନ ପାଇଁ ଖୁସିରେ ରହନ୍ତୁ ।
ଏହା ସତ ଯେ ଆଜି ଲୋକେ ଖୁସିରେ ନାହାନ୍ତି ଏବଂ ସେମାନଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ୁଛି ।a କିନ୍ତୁ ଯିହୋବା ଆଗରୁ ଯାହା ଚାହୁଁଥିଲେ, ତାହା ଆଜି ମଧ୍ୟ ଚାହାନ୍ତି । (ଯିଶାଇୟ ୪୬:୧୦, ୧୧) ଯିହୋବା ଚାହାନ୍ତି ଯେ ଯେଉଁ ଲୋକମାନେ ତାଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବିନା କୌଣସି ଦୁଃଖକଷ୍ଟରେ ସବୁଦିନ ପାଇଁ ଖୁସିରେ ରହନ୍ତୁ ।—ପ୍ରକାଶିତ ବାକ୍ୟ ୨୧:୩, ୪ ପଢ଼ନ୍ତୁ ।
୨. ଆମେ କʼଣ କଲେ ଖୁସିରେ ରହିପାରିବା ?
ଯିହୋବା ହିଁ ଆମ ଭିତରେ ତାଙ୍କୁ ଜାଣିବାର ଓ ତାଙ୍କୁ ଉପାସନା କରିବାର ଇଚ୍ଛା ଦେଇଛନ୍ତି । (ମାଥିଉ ୪:୪ ଓ ୫:୪-୬ ପଢ଼ନ୍ତୁ ।) ସେ ଚାହାନ୍ତି ଯେ ସବୁ ଲୋକ ତାଙ୍କ ସାଙ୍ଗ ହୁଅନ୍ତୁ, ‘ତାଙ୍କ ସକଳ ପଥରେ ଗମନ କରନ୍ତୁ, ତାଙ୍କୁ ପ୍ରେମ କରନ୍ତୁ ଓ ନିଜ ସମସ୍ତ ଅନ୍ତଃକରଣ’ ସହିତ ତାଙ୍କ ସେବା କରନ୍ତୁ । (ଦ୍ୱିତୀୟ ବିବରଣ ୧୦:୧୨; ଗୀତସଂହିତା ୨୫:୧୪) ଯଦି ଆମେ ଯିହୋବାଙ୍କୁ ଉପାସନା କରିବା, ତାହେଲେ ଯେତେ ସମସ୍ୟା ଆସିଲେ ମଧ୍ୟ ଆମେ ଖୁସିରେ ରହିପାରିବା । କାରଣ ଏପରି କରି ଆମେ ଯିହୋବାଙ୍କ ହୃଦୟ ଖୁସି କରୁଥିବା ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଯିହୋବା ପୃଥିବୀକୁ ଯେପରି ସୃଷ୍ଟି କରିଛନ୍ତି ସେଥିରୁ ତାଙ୍କ ପ୍ରେମ କିପରି ଜଣାପଡ଼େ ଏବଂ ସେ ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି ।
୩. ଯିହୋବା ଚାହାନ୍ତି ଯେ ଲୋକମାନେ ଖୁସିରେ ରହନ୍ତୁ
ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ଯିହୋବା ଏତେ ସୁନ୍ଦର ପୃଥିବୀ କାହିଁକି ସୃଷ୍ଟି କଲେ ?
ଉପଦେଶକ ୩:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯିହୋବା ମଣିଷମାନଙ୍କ ହୃଦୟରେ କିପରି ବିଚାର ରଖିଛନ୍ତି ? ଏଥିରୁ ଯିହୋବାଙ୍କ ଉଦ୍ଦେଶ୍ୟ ବିଷୟରେ କʼଣ ଜଣାପଡ଼େ ?
୪. ଯିହୋବାଙ୍କ ଇଚ୍ଛା ବଦଳି ନାହିଁ
ଗୀତସଂହିତା ୩୭:୧୧, ୨୯ ଓ ଯିଶାଇୟ ୫୫:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଇଚ୍ଛା ବଦଳି ନାହିଁ ?
ଯେପରି ଗୋଟିଏ ଭଙ୍ଗା ଘରକୁ ପୁଣିଥରେ ଠିକ୍ କରାଯାଇପାରେ, ଠିକ୍ ସେହିପରି ଈଶ୍ୱର ମଧ୍ୟ ପୃଥିବୀକୁ ଠିକ୍ କରିଦେବେ, ଯାହାକୁ ଆଜି ଲୋକେ ବରବାଦ କରୁଛନ୍ତି । ସେ ପୃଥିବୀକୁ ପୁଣିଥରେ ସୁନ୍ଦର କରିଦେବେ ଏବଂ ଭଲ ଲୋକମାନଙ୍କୁ ସେଠାରେ ରହିବାକୁ ଦେବେ
୫. ଯିହୋବାଙ୍କ ଉପାସନା କଲେ ହିଁ ଆମକୁ ପ୍ରକୃତ ଖୁସି ମିଳେ
ଯିହୋବା ଆମକୁ କାହିଁକି ସୃଷ୍ଟି କରିଛନ୍ତି, ତାହା ଜାଣିଲେ ହିଁ ଆମକୁ ପ୍ରକୃତ ଖୁସି ମିଳିବ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ଟେରୁମି ଯେତେବେଳେ ଜାଣିଲେ ଯେ ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି, ସେତେବେଳେ ତାଙ୍କ ଜୀବନ କିପରି ବଦଳିଗଲା ?
ଉପଦେଶକ ୧୨:୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯିହୋବା ଆମ ପାଇଁ ଯାହା କିଛି କରିଛନ୍ତି, ତା ବଦଳରେ ଆମକୁ କʼଣ କରିବା ଉଚିତ୍ ?
କିଛି ଲୋକ କହନ୍ତି: “ମଣିଷ ଜନ୍ମ ହୋଇଛି ମାନେ ଦିନେ ନା ଦିନେ ନିଶ୍ଚୟ ମରିବ ।”
ଯଦି କେହି ଆପଣଙ୍କୁ ଏପରି କହନ୍ତି, ତାହେଲେ ଆପଣ ତାଙ୍କୁ କʼଣ କହିବେ ?
ଆମେ କʼଣ ଶିଖିଲୁ ?
ଯିହୋବା ଚାହାନ୍ତି ଯେ ଆମେ ଏହି ପୃଥିବୀରେ ସବୁଦିନ ପାଇଁ ରହୁ । ସେ ଚାହାନ୍ତି ନାହିଁ ଯେ ଆମ ଉପରେ ଦୁଃଖକଷ୍ଟ ଆସୁ । ଯଦି ଆମେ ହୃଦୟରୁ ତାଙ୍କ ଉପାସନା କରିବା, ତାହେଲେ ଆମେ ଆଜି ବି ଖୁସିରେ ରହିପାରିବା ।
ଆପଣ କʼଣ କହିବେ ?
ଯିହୋବା ଆଦମ ଓ ହବାକୁ କାହିଁକି ସୃଷ୍ଟି କରିଥିଲେ ?
ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଇଚ୍ଛା ବଦଳି ନାହିଁ ?
କʼଣ କଲେ ଆମେ ଆଜି ବି ଖୁସିରେ ରହିପାରିବା ?
ଅଧିକ ଜାଣନ୍ତୁ
ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ଏଦନ ବଗିଚା ସତରେ ଥିଲା ।
ଜାଣନ୍ତୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଏ ପୃଥିବୀ କେବେ ବି ବିନାଶ ହେବ ନାହିଁ ।
“କʼଣ ପୃଥିବୀ କେବେ ବିନାଶ ହେବ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜାଣନ୍ତୁ ଯେ ଜୀବନର ଉଦ୍ଦେଶ୍ୟ ବିଷୟରେ ବାଇବଲରେ କʼଣ ଲେଖାଅଛି ।
“ଆମ ଜୀବନର ଉଦ୍ଦେଶ୍ୟ କʼଣ ଅଟେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜଣେ ବ୍ୟକ୍ତି ପାଖରେ ସବୁକିଛି ଥିଲା, ତଥାପି ତାଙ୍କୁ ନିଜ ଜୀବନରେ କିଛି ଖାଲି ଖାଲି ଲାଗୁଥିଲା । ତାହା କʼଣ ଥିଲା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ ।
a ପରବର୍ତ୍ତୀ ପାଠରେ ଆମେ ଦେଖିବା ଯେ ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ।