ପାଠ ୩୧
ଈଶ୍ୱରଙ୍କ ରାଜ୍ୟ କʼଣ ?
ବାଇବଲର ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ରାଜ୍ୟ । ଯିହୋବା ଏହି ରାଜ୍ୟ ଜରିଆରେ ପୃଥିବୀକୁ ଏକ ସୁନ୍ଦର ବଗିଚା ଭଳି କରିଦେବେ, ଯେପରି ସେ ଆରମ୍ଭରୁ ଚାହିଁଥିଲେ । କିନ୍ତୁ ଈଶ୍ୱରଙ୍କ ରାଜ୍ୟ କʼଣ ? ଆମେ କିପରି ଜାଣୁ ଯେ ଏହି ରାଜ୍ୟ ବର୍ତ୍ତମାନ ଶାସନ କରୁଛି ? ଈଶ୍ୱରଙ୍କ ରାଜ୍ୟ ଏବେ ଯାଏଁ କʼଣ କʼଣ କରିଛି ଏବଂ ଭବିଷ୍ୟତରେ କʼଣ କରିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏହି ପାଠରେ ଓ ପରବର୍ତ୍ତୀ ପାଠରେ ଦିଆଯିବ ।
୧. ଈଶ୍ୱରଙ୍କ ରାଜ୍ୟ କʼଣ ଏବଂ ଈଶ୍ୱର କାହାକୁ ଏହାର ରାଜା ଭାବେ ବାଛିଛନ୍ତି ?
ଯିହୋବା ଈଶ୍ୱର ସ୍ୱର୍ଗରେ ଏକ ସରକାର ଗଢ଼ିଛନ୍ତି, ଯାହାକୁ ଈଶ୍ୱରଙ୍କ ରାଜ୍ୟ ବୋଲି କୁହାଯାଏ । ଯିହୋବା ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଏହାର ରାଜା ଭାବେ ବାଛିଛନ୍ତି । (ମାଥିଉ ୪:୧୭; ଯୋହନ ୧୮:୩୬) ବାଇବଲରେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲେଖାଅଛି ଯେ ‘ସେ ରାଜା ଭାବେ ଯୁଗେ ଯୁଗେ ରାଜତ୍ୱ କରିବେ ।’ (ଲୂକ ୧:୩୨, ୩୩) ଯୀଶୁ ଜଣେ ରାଜା ଭାବେ ପୃଥିବୀର ସମସ୍ତ ଲୋକମାନଙ୍କ ଉପରେ ଶାସନ କରିବେ ।
୨. କେଉଁମାନେ ଯୀଶୁଙ୍କ ସହ ଶାସନ କରିବେ ?
ଯୀଶୁ ଏକୁଟିଆ ଶାସନ କରିବେ ନାହିଁ । ତାଙ୍କ ସହ ‘ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତିର’ ଲୋକମାନେ ରାଜା ଭାବେ ଶାସନ କରିବେ । (ପ୍ରକାଶିତ ବାକ୍ୟ ୫:୯, ୧୦) ଯୀଶୁ ପୃଥିବୀକୁ ଆସିବା ପରଠୁ ଅନେକ ଲୋକମାନେ ତାଙ୍କର ଶିଷ୍ୟ ହୋଇଛନ୍ତି । କିନ୍ତୁ କʼଣ ସେମାନେ ସମସ୍ତେ ତାଙ୍କ ସହ ମିଶି ସ୍ୱର୍ଗରେ ଶାସନ କରିବେ ? ଏପରି ନୁହେଁ । ସେମାନଙ୍କ ମଧ୍ୟରୁ କେବଳ ୧,୪୪,୦୦୦ ଜଣ ତାଙ୍କ ସହ ଶାସନ କରିବେ । ଆଉ ତାଙ୍କର ଅନ୍ୟ ଶିଷ୍ୟମାନେ ଏହି ପୃଥିବୀରେ ପ୍ରଜା ଭାବେ ରହିବେ ।
୩. ଈଶ୍ୱରଙ୍କ ରାଜ୍ୟ କାହିଁକି ମଣିଷ ସରକାରଠାରୁ ଅଧିକ ଭଲ ?
ହୁଏତ ଜଣେ ଶାସକ ଲୋକମାନଙ୍କ ପାଇଁ ଅନେକ ଭଲ କାମ କରିବା ପାଇଁ ଚାହିଁଥାଏ । କିନ୍ତୁ ତାʼ ପାଖରେ ସବୁକିଛି କରିବାର ଶକ୍ତି ନ ଥାଏ । କେବଳ ଏତିକି ନୁହେଁ, କିଛି ସମୟ ଗଲା ପରେ ତାʼ ଜାଗାରେ ଅନ୍ୟ କେହି ଶାସକ ଆସିଯାଏ । ସେ ହୁଏତ ତାʼ ଭଳି ଲୋକମାନଙ୍କ ପାଇଁ ଭଲ କାମ କରିବାକୁ ନ ଚାହେଁ । କିନ୍ତୁ ଯୀଶୁଙ୍କ ଜାଗାରେ ଅନ୍ୟ କେହି ରାଜା ଆସିବେ ନାହିଁ । କାରଣ ଈଶ୍ୱର ‘ଗୋଟିଏ ରାଜ୍ୟ ସ୍ଥାପନ କରିଛନ୍ତି, ଯାହା କଦାଚ ବିନଷ୍ଟ ହେବ ନାହଁ ।’ (ଦାନିୟେଲ ୨:୪୪) ଯୀଶୁ ସମଗ୍ର ପୃଥିବୀ ଉପରେ ଶାସନ କରିବେ ଏବଂ ସେ କାହାରି ସହ ଭେଦଭାବ କରିବେ ନାହଁ । ଯୀଶୁ ଏପରି ଏକ ରାଜା ଯିଏ ଅନ୍ୟମାନଙ୍କୁ ପ୍ରେମ କରନ୍ତି, ଦୟା ଓ ନ୍ୟାୟର ସହ ବ୍ୟବହାର କରନ୍ତି । ସେ ନିଜ ପ୍ରଜାମାନଙ୍କୁ ମଧ୍ୟ ପରସ୍ପରକୁ ପ୍ରେମ କରିବା, ଦୟା ଓ ନ୍ୟାୟର ସହ ବ୍ୟବହାର କରିବା ପାଇଁ ଶିଖାଇବେ ।—ଯିଶାଇୟ ୧୧:୯ ପଢ଼ନ୍ତୁ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଈଶ୍ୱରଙ୍କ ରାଜ୍ୟ କାହିଁକି ମଣିଷ ସରକାରଠାରୁ ଅଧିକ ଭଲ ।
୪. ଈଶ୍ୱରଙ୍କ ରାଜ୍ୟ ସାରା ପୃଥିବୀରେ ଶାସନ କରିବ
ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଅନ୍ୟ ଶାସକମାନଙ୍କଠାରୁ ଅଧିକ ଅଧିକାର ଓ ଶକ୍ତି ଅଛି । ମାଥିଉ ୨୮:୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି କହିପାରିବା ଯେ ଯୀଶୁଙ୍କ ପାଖରେ ଅନ୍ୟ ଶାସକମାନଙ୍କଠାରୁ ଅଧିକ ଅଧିକାର ଅଛି ?
ମଣିଷ ସରକାରଗୁଡ଼ିକ ବଦଳୁଥାଏ । ତାʼସହ ପ୍ରତି ସରକାର ପୃଥିବୀର କୌଣସି ଗୋଟିଏ ଅଞ୍ଚଳ ବା ଦେଶରେ ହିଁ ଶାସନ କରେ । କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଈଶ୍ୱରଙ୍କ ରାଜ୍ୟ ବିଷୟରେ କʼଣ କୁହାଯାଇଛି । ଦାନିୟେଲ ୭:୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଈଶ୍ୱରଙ୍କ “ରାଜ୍ୟ ଅବିନାଶ୍ୟ ।” ଆପଣ କʼଣ ଭାବନ୍ତି, ଏଥିରୁ ଆମକୁ କʼଣ ଲାଭ ହେବ ?
ଈଶ୍ୱରଙ୍କ ରାଜ୍ୟ ସାରା ପୃଥିବୀରେ ଶାସନ କରିବ । ଆପଣ କʼଣ ଭାବନ୍ତି, ଏଥିରୁ ଆମକୁ କʼଣ ଲାଭ ହେବ ?
୫. ମଣିଷ ସରକାର ନା ଈଶ୍ୱରଙ୍କ ରାଜ୍ୟ ?
ଆମକୁ କାହିଁକି ମଣିଷ ସରକାର ପରିବର୍ତ୍ତେ ଈଶ୍ୱରଙ୍କ ରାଜ୍ୟର ଆବଶ୍ୟକତା ରହିଛି ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ମଣିଷ ଶାସନ କରିବା ଯୋଗୁଁ କʼଣ ହୋଇଛି ?
ଉପଦେଶକ ୪:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
କʼଣ ଆପଣଙ୍କୁ ଲାଗେ ଯେ ଆମକୁ ମଣିଷ ସରକାର ପରିବର୍ତ୍ତେ ଈଶ୍ୱରଙ୍କ ରାଜ୍ୟର ଆବଶ୍ୟକତା ରହିଛି ? ଆପଣ ଏପରି କାହିଁକି କହିବେ ?
୬. ଈଶ୍ୱରଙ୍କ ରାଜ୍ୟର ରାଜାମାନେ ଆମକୁ ଭଲ ଭାବେ ବୁଝନ୍ତି
ଆମ ରାଜା ଯୀଶୁ ନିଜେ ଏହି ପୃଥିବୀରେ ମଣିଷ ଭାବେ ବଞ୍ଚିଥିଲେ, ତେଣୁ ସେ ଆମକୁ ଭଲ ଭାବେ ବୁଝିପାରିବେ ଏବଂ “ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି” ଦେଖାଇପାରିବେ । (ଏବ୍ରୀ ୪:୧୫) ଯିହୋବା ଯୀଶୁଙ୍କ ସହ ଶାସନ କରିବା ପାଇଁ ପୃଥିବୀରୁ ୧,୪୪,୦୦୦ ଜଣଙ୍କୁ ବାଛିଛନ୍ତି । ସେହି ବିଶ୍ୱସ୍ତ ପୁରୁଷ ଓ ସ୍ତ୍ରୀମାନଙ୍କୁ “ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି” ମଧ୍ୟରୁ ନିଆଯାଇଛି ।—ପ୍ରକାଶିତ ବାକ୍ୟ ୫:୯.
ଯୀଶୁ ଓ ତାଙ୍କ ସହ ଶାସନ କରୁଥିବା ରାଜାମାନେ ଆମକୁ ଓ ଆମ ଦୁଃଖକଷ୍ଟକୁ ଭଲ ଭାବେ ବୁଝନ୍ତି । ଏଥିରୁ ଆପଣଙ୍କୁ କାହିଁକି ସାନ୍ତ୍ୱନା ମିଳେ ?
ଯିହୋବା ଯୀଶୁଙ୍କ ସହ ଶାସନ କରିବା ପାଇଁ ଅଲଗା ଅଲଗା ଜାତି, ଭାଷା ଓ ଦେଶରୁ ସ୍ତ୍ରୀ-ପୁରୁଷମାନଙ୍କୁ ବାଛିଛନ୍ତି
୭. ଈଶ୍ୱରଙ୍କ ରାଜ୍ୟର ନିୟମଗୁଡ଼ିକ ଅନ୍ୟ ସରକାରର ନିୟମଗୁଡ଼ିକଠୁ ଅଧିକ ଭଲ
ସାଧାରଣତଃ ସରକାରଗୁଡ଼ିକ ନିଜ ନାଗରିକମାନଙ୍କର ଲାଭ ଓ ସୁରକ୍ଷା ପାଇଁ କିଛି ନିୟମ ତିଆରି କରିଥାଏ । ଠିକ୍ ସେହିପରି, ଈଶ୍ୱରଙ୍କ ରାଜ୍ୟ ବା ସରକାର ମଧ୍ୟ ନିଜ ନାଗରିକମାନଙ୍କ ଲାଭ ଓ ସୁରକ୍ଷା ପାଇଁ କିଛି ନିୟମ ତିଆରି କରିଛି । ୧ କରିନ୍ଥୀୟ ୬:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯଦି ସମସ୍ତେ ଚାଲିଚଳନ ବିଷୟରେ ଦିଆଯାଇଥିବା ଈଶ୍ୱରଙ୍କ ନିୟମଗୁଡ଼ିକୁ ମାନନ୍ତି, ତାହେଲେ ଏହି ଦୁନିଆର ପରିସ୍ଥିତି କିପରି ହୋଇଯିବ ?a
ଯିହୋବା ନିଜ ନାଗରିକମାନଙ୍କଠାରୁ ଆଶା କରନ୍ତି ଯେ ସେମାନେ ତାଙ୍କ ନିୟମଗୁଡ଼ିକୁ ମାନନ୍ତୁ । କʼଣ ଯିହୋବାଙ୍କୁ ଏପରି ଆଶା କରିବା ଠିକ୍ ? ଆପଣଙ୍କୁ ଏପରି କାହିଁକି ଲାଗେ ?
କେଉଁ କଥାରୁ ଜଣାପଡ଼େ ଯେ ଯେଉଁମାନେ ଈଶ୍ୱରଙ୍କ ନିୟମଗୁଡ଼ିକୁ ମାନନ୍ତି ନାହିଁ, ସେମାନେ ମଧ୍ୟ ବଦଳିପାରିବେ ?—ପଦ ୧୧ ଦେଖନ୍ତୁ ।
ସରକାରଗୁଡ଼ିକ ନିଜ ନାଗରିକମାନଙ୍କ ଲାଭ ଓ ସୁରକ୍ଷା ପାଇଁ ନିୟମ ତିଆରି କରିଥାଏ । ଈଶ୍ୱରଙ୍କ ରାଜ୍ୟ ବା ସରକାର ମଧ୍ୟ ନିଜ ନାଗରିକମାନଙ୍କ ଲାଭ ଓ ସୁରକ୍ଷା ପାଇଁ ନିୟମଗୁଡ଼ିକ ତିଆରି କରିଛି । କିନ୍ତୁ ଏହି ନିୟମଗୁଡ଼ିକ ମଣିଷର ନିୟମଗୁଡ଼ିକଠାରୁ ଅଧିକ ଭଲ
କିଛି ଲୋକ କହନ୍ତି: “ଈଶ୍ୱରଙ୍କ ରାଜ୍ୟ ଆମ ହୃଦୟରେ ଅଛି ।”
ଆପଣ କʼଣ ଉତ୍ତର ଦେବେ ?
ଆମେ କʼଣ ଶିଖୁଲୁ ?
ଈଶ୍ୱରଙ୍କ ରାଜ୍ୟ ଏକ ସରକାର ଅଟେ । ଏହି ସରକାର ସ୍ୱର୍ଗରୁ ପୃଥିବୀ ଉପରେ ଶାସନ କରିବ ।
ଆପଣ କʼଣ କହିବେ ?
କେଉଁମାନେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ?
ଈଶ୍ୱରଙ୍କ ରାଜ୍ୟ କାହିଁକି ମଣିଷ ସରକାରଠାରୁ ଅଧିକ ଭଲ ?
ଯିହୋବା ନିଜ ରାଜ୍ୟର ନାଗରିକମାନଙ୍କଠାରୁ କʼଣ ଆଶା କରନ୍ତି ?
ଅଧିକ ଜାଣନ୍ତୁ
ଈଶ୍ୱରଙ୍କ ରାଜ୍ୟ କେଉଁଠି ଅଛି ? ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ଯୀଶୁ କʼଣ କହିଲେ ।
“କʼଣ ଈଶ୍ୱରଙ୍କ ରାଜ୍ୟ ଆମ ହୃଦୟରେ ଅଛି ?” (jw.org ୱେବସାଇଟ୍ରେ ଥିବା ଲେଖା)
ଯିହୋବାଙ୍କ ସାକ୍ଷୀମାନେ କାହିଁକି ମଣିଷ ସରକାରଠୁ ଅଧିକ ଈଶ୍ୱରଙ୍କ ରାଜ୍ୟର ବିଶ୍ୱସ୍ତ ରହନ୍ତି ?
ଆସନ୍ତୁ ଜାଣିବା ଯେ ବାଇବଲରେ ୧,୪୪,୦୦୦ ଜଣ ଲୋକଙ୍କ ବିଷୟରେ କʼଣ କୁହାଯାଇଛି, ଯେଉଁମାନଙ୍କୁ ଯିହୋବା ଯୀଶୁଙ୍କ ସହ ଶାସନ କରିବାକୁ ବାଛିଛନ୍ତି ।
ଜେଲରେ ବନ୍ଦୀ ଥିବା ଜଣେ ମହିଳାକୁ କେଉଁ କଥାରୁ ଭରସା ହେଲା ଯେ କେବଳ ଈଶ୍ୱର ହିଁ ଏହି ଦୁନିଆରୁ ଅନ୍ୟାୟ ଦୂର କରିପାରିବେ ?