“ଧୈର୍ଯ୍ୟ ଧରି ରୁହ”
ଶୟତାନର ଏହି ପୁରାତନ ରୀତି ବ୍ୟବସ୍ଥାର ସମାପ୍ତି ନିକଟତର ହୋଇ ଆସୁଛି, ତେଣୁ ଯିହୋବାଙ୍କ ମୁକ୍ତିର ଦିନ ନିମିତ ଅପେକ୍ଷାରେ ରହିବା ପାଇଁ ଧୈର୍ଯ୍ୟଧରି ରହିବା ଗୁରୁତ୍ୱପୂର୍ଣ୍ଣ । ବିଶେଷତଃ ଏହି ଶେଷଦିନରେ, ଶୟତାନ ଓ ତାʼର ମନ୍ଦ ଆତ୍ମାମାନେ ଯିହୋବାଙ୍କ ସାର୍ବଭୌମତ୍ୱର ପ୍ରଧାନ ବିଚାର୍ଯ୍ୟ ବିଷୟଠାରୁ ଆମର ଧ୍ୟାନ ଅନ୍ୟତ୍ର କରିବାକୁ ଏବଂ ଆମର ସ୍ୱାର୍ଥଜନିତ କାର୍ଯ୍ୟଗୁଡ଼ିକ ଦ୍ୱାରା ଆମକୁ ପ୍ରଲୋଭିତ କରି ପଥଭ୍ରଷ୍ଟ କରିବାକୁ ସଙ୍କଳ୍ପ କରିଛନ୍ତି । ଏହିପରିଭାବେ, ଆମେ ଶୟତାନର ଛଳନାତ୍ମକ ଫାନ୍ଦରେ ପଡ଼ି ରାଜ୍ୟ ପ୍ରଚାର କାର୍ଯ୍ୟକୁ ଛାଡ଼ି ଦେଇପାରୁ କିମ୍ବା ସେଥିରେ ଶିଥିଳ ହୋଇ ଯାଇପାରୁ । (ଯାକୁ. ୫:୭, ୮; ମାଥି. ୨୪:୧୩, ୧୪) କେଉଁ ରୀତିରେ ଆମେ ଆବଶ୍ୟକ ଧୈର୍ଯ୍ୟକୁ ପ୍ରଦର୍ଶିତ କରିପାରିବା?
୨ ଆତ୍ମ-ସଂଯମୀ ହେବା ଦ୍ୱାରା: ଆମର ପରିଚର୍ଯ୍ୟାରେ ଆମେ ଉଦାସୀନଭାବ କିମ୍ବା ବିରୋଧର ସମ୍ମୁଖୀନ ହେବା ସମୟରେ, ଆତ୍ମ-ସଂଯମ ଆମକୁ ପ୍ରଚାର କାର୍ଯ୍ୟରେ ଅବିଚଳିତଭାବେ ଲାଗି ରହିବାରେ ସାହାଯ୍ୟ କରିବ । ଯଦି ଆମେ ଅଶିଷ୍ଟ କିମ୍ବା ନିର୍ଦୟ ବ୍ୟକ୍ତିଙ୍କୁ ଭେଟୁ, ତେବେ ଆମେ ସହଜରେ ଭୟଭୀତ କିମ୍ବା କୁପିତ ହେବା ନାହିଁ । (୧ ପିତ. ୨:୨୩) ଏହି ଆନ୍ତରିକ ଶକ୍ତି ଦ୍ୱାରା ଆମେ ଆମର ପ୍ରଚାର କାର୍ଯ୍ୟ ପ୍ରତି ଉଦାସୀନଭାବ ବା ଦାରୁଣ ଘୃଣାଭାବ ଦେଖାଉଥିବା ଲୋକମାନଙ୍କ ପ୍ରତି ନିରାଶାତ୍ମକ କଥାଭାଷା କହିବା ନାହିଁ । ଆମେ ଭଲଭାବେ ଜାଣୁ ଯେ ଏପରି କଥାଭାଷା କଲେ ନିଜକୁ ଓ ପରିଚର୍ଯ୍ୟାରେ ଆମ ସହିତ କାର୍ଯ୍ୟ କରୁଥିବା ସାଥୀକୁ ନିରାଶ କରିବା ।
୩ ଧୈର୍ଯ୍ୟର ସହିତ ଅବିରତଭାବେ ଲାଗିରହିବା ଦ୍ୱାରା: କ୍ଷେତ୍ର ପରିଚର୍ଯ୍ୟାରେ ଭଲ ଆଲୋଚନା କାଲା ପରେ, ଯଦି ଜଣେ ଆଗ୍ରହାନ୍ୱିତ ବ୍ୟକ୍ତିକୁ ଆମେ ଘରେ ନ ପାଉ, ତେବେ ଆମର ଧୈର୍ଯ୍ୟର ଚ୍ୟୁତି ହୋଇପାରେ । ସେହିଭଳି, ଯେଉଁମାନଙ୍କ ସହିତ ଆମେ ଅଧ୍ୟୟନ କରୁଅଛୁ, ସେମାନେ ଯଦି ଅତି ଧୀରଭାବରେ ପ୍ରଗତି କରନ୍ତି କିମ୍ବା ସତ୍ୟକୁ ଆପଣାର କରିବାକୁ ବିଳମ୍ବ କରନ୍ତି, ତେବେ ମଧ୍ୟ ଆମର ଧୈର୍ଯ୍ୟର ଚ୍ୟୁତି ହୋଇପାରେ । କିନ୍ତୁ, ଧୈର୍ଯ୍ୟର ସହିତ ଅବିରତଭାବେ ଲାଗିରହିଲେ ବେଳେବେଳେ ଫଳ ଭଲ ହୋଇଥାଏ । (ଗାଲା. ୬:୯) ଜଣେ ଭଉଣୀ ଜଣେ ଯୁବତୀଙ୍କ ପାଖକୁ ବାସ୍ତବରେ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପୂର୍ବରୁ ଅନେକ ଥର ଯାଇଥିଲେ । ପ୍ରଥମ ପାଞ୍ଚୋଟି ସାକ୍ଷାତରେ, ସେହି ଯୁବତୀ ଜଣକ ଅନ୍ୟ ଏକ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଷଷ୍ଠ ସାକ୍ଷାତରେ, ସେହି ଭଉଣୀ ଝଡ଼ବୃଷ୍ଟିର କାରଣକୁ ଓଦା ହୋଇଗଲେ, କିନ୍ତୁ ସେହି ଯୁବତୀ ଜଣକ ଘରେ ନ ଥିଲେ । କିନ୍ତୁ, ସେ ସେହି ଯୁବତୀଙ୍କୁ ଆଉ ଥରେ ସାକ୍ଷାତ କରିବାକୁ ମନସ୍ତ କଲେ, ତାʼପରେ ସେହି ଭଉଣୀ ସେଠାକୁ ଗଲେ ଓ ଦେଖିଲେ ଯେ ଯୁବତୀ ଜଣକ ଅଧ୍ୟୟନ କରିବାକୁ ରାଜି ଥିଲେ । ତାʼପରେ ସେହି ଛାତ୍ରୀ ଜଣକ ତାହାଙ୍କ ଅଧ୍ୟୟନରେ ଶୀଘ୍ର ପ୍ରଗତି କରି ନିଜକୁ ଯିହୋବାଙ୍କୁ ସମର୍ପଣ କରିଥିଲେ ।
୪ ଆମେ ଜାଣୁ ଯେ ଯିହୋବାଙ୍କ ଦିନ ଆସିବାରେ ବିଳମ୍ବ ହେବ ନାହିଁ । ତେଣୁ, ଆମେ ଏହି ବିଷୟ ମନରେ ରଖି ପରମେଶ୍ୱରଙ୍କ ଧୈର୍ଯ୍ୟ ଭଲ ଫଳ ଉତ୍ପନ କରିବ ବୋଲି ପରମେଶ୍ୱରଙ୍କ ହାତରେ ସବୁ ବିଷୟ ଛାଡ଼ି ଅପେକ୍ଷା କରିବା । (ହବ. ୨:୩; ୨ ପିତ. ୩:୯-୧୫) ଯେପରି ଯିହୋବା ଧୈର୍ଯ୍ୟ ଧରନ୍ତି, ସହିପରି ଆମେ ମଧ୍ୟ ଧୈର୍ଯ୍ୟ ଧରିବା ଉଚିତ୍ ଏବଂ ଆମର ପ୍ରଚାର କାର୍ଯ୍ୟକୁ ବନ୍ଦ କରିବା ନାହିଁ । ନିଜର କଠିନ ପରିଶ୍ରମ ପାଇଁ ଯିହୋବାଙ୍କଠାରେ ପ୍ରତିଫଳ ପାଇବା ନିମିତ “ବିଶ୍ୱାସ ଓ ଧୈର୍ଯ୍ୟ” ସହକାରେ ଅପେକ୍ଷା କରନ୍ତୁ ।—ଏବ୍ରୀ ୬:୧୦-୧୨.