ଅଧ୍ୟୟନ ଲେଖା ୨୧
ଯିହୋବା ଆମ ପ୍ରାର୍ଥନାଗୁଡ଼ିକର କିପରି ଉତ୍ତର ଦିଅନ୍ତି ?
“ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !”—ମାଥି. ୭:୧୧
ଗୀତ ୪୧ ମେରି ଦୁଆ ଶୁନ !
ଲେଖାର ଝଲକa
୧-୨. ଯେବେ ପ୍ରାର୍ଥନା କରିବାର ମାମଲା ଆସେ, ତେବେ ଆମକୁ କʼଣ ଲାଗିପାରେ ?
କʼଣ ଆପଣଙ୍କ ମନରେ କେବେ ଏପ୍ରଶ୍ନ ଆସିଛି ଯେ ଜଣାନାହିଁ ଯିହୋବା ମୋ ପ୍ରର୍ଥନା ଶୁଣୁଛନ୍ତି ନା ନାହିଁ ? ଯଦି ଆପଣଙ୍କୁ ଏପରି ଲାଗେ ତେବେ ଆପଣ ଏକୁଟିଆ ନାହାନ୍ତି । ଅନେକ ଭାଇଭଉଣୀ କହିଛନ୍ତି ଯେ ସେମାନଙ୍କୁ ମଧ୍ୟ ଏପରି ହିଁ ଲାଗେ, ବିଶେଷ କରି ଯେବେ ସେମାନେ କୌଣସି ସମସ୍ୟାର ସାମନା କରୁଥିଲେ । ଯଦି ଆମେ ମଧ୍ୟ କୌଣସି ସମସ୍ୟାର ସାମନା କରୁଛୁ, ତେବେ ହୁଏତ ଆମକୁ ମଧ୍ୟ ଏହା ବୁଝିବା କଠିନ ଲାଗିପାରେ ଯେ ଯିହୋବା କିପରି ଆମ ପ୍ରାର୍ଥନାର ଉତ୍ତର ଦେଉଛନ୍ତି ।
୨ ଆସନ୍ତୁ ଜାଣିବା ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ନିଜ ସେବକମାନଙ୍କ ପ୍ରାର୍ଥନା ଶୁଣନ୍ତି । (୧ ଯୋହ. ୫:୧୫) ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା: ଅନେକଥର ଆମକୁ ଏପରି କାହିଁକି ଲାଗିପାରେ ଯେ ଯିହୋବା ଆମ ପ୍ରାର୍ଥନା ଶୁଣୁ ନାହାନ୍ତି ? ଯିହୋବା ଆଜି କେଉଁ ଉପାୟଗୁଡ଼ିକରୁ ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ।
ଯିହୋବା ହୁଏତ ସେପରି ଉତ୍ତର ଦେବେନି ଯେପରି ଆମେ ଚାହୁଁ
୩. ଯିହୋବା କାହିଁକି ଚାହାନ୍ତି ଯେ ଆମେ ତାଙ୍କୁ ପ୍ରାର୍ଥନା କରୁ ?
୩ ବାଇବଲରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଓ ଆମକୁ ବହୁତ ବହୁମୂଲ୍ୟ ମନେକରନ୍ତି । (ହାଗ. ୨:୭; ୧ ଯୋହ. ୪:୧୦) ତେଣୁ ସେ ପ୍ରୋତ୍ସାହନ ଦିଅନ୍ତି ଯେ ଆମେ ପ୍ରାର୍ଥନା କରି ତାଙ୍କୁ ସାହାଯ୍ୟ ମାଗୁ । (୧ ପିତ. ୫:୬, ୭) ସେ ଚାହାନ୍ତି ଯେ ତାଙ୍କ ସହିତ ଆମ ଭଲ ସମ୍ପର୍କ ରହୁ ଓ ଆମେ ସମସ୍ୟାଗୁଡ଼ିକର ସାହସର ସହ ସାମନା କରିପାରୁ । ତେଣୁ ସେ ଆମ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ।
ଯିହୋବା ଦାଉଦଙ୍କୁ ତାଙ୍କ ଶତ୍ରୁମାନଙ୍କଠାରୁ ରକ୍ଷା କରି ତାଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଲେ (ପାରାଗ୍ରାଫ ୪)
୪. ଆମେ କାହିଁକି କହିପାରିବା ଯେ ଯିହୋବା ନିଜ ସେବକମାନଙ୍କ ପ୍ରାର୍ଥନା ଶୁଣନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୪ ବାଇବଲରେ ଏପରି ଅନେକ ଘଟଣା ବିଷୟରେ କୁହାଯାଇଛି ଯେବେ ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କ ପ୍ରାର୍ଥନା ଶୁଣିଲେ । କʼଣ ଆପଣଙ୍କୁ ଏପରି କୌଣସି ଘଟଣା ମନେଅଛି ? ହୁଏତ ଆପଣ ରାଜା ଦାଉଦଙ୍କ ବିଷୟରେ ଭାବୁଥିବେ । ତାଙ୍କୁ ସାରା ଜୀବନ ଶତ୍ରୁମାନଙ୍କ ସାମନା କରିବାକୁ ପଡ଼ିଲା । ଯେଉଁମାନେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଚାହୁଁଥିଲେ । ତେଣୁ ସେ ପ୍ରାୟ ଯିହୋବାଙ୍କୁ ସାହାଯ୍ୟ ମାଗୁଥିଲେ । ଥରେ ସେ ଯିହୋବାଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ ।” (ଗୀତ. ୧୪୩:୧) ଯିହୋବା ଦାଉଦଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଶତ୍ରୁମାନଙ୍କଠାରୁ ରକ୍ଷା କଲେ । (୧ ଶାମୁ. ୧୯:୧୦, ୧୮-୨୦; ୨ ଶାମୁ. ୫:୧୭-୨୫) ତେଣୁ ଦାଉଦ ପୂରା ଭରସାର ସହ କହିପାରିଲେ, ‘ଯିହୋବା ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି ।’ ଦାଉଦଙ୍କ ଭଳି ଆମେ ବି ଯିହୋବାଙ୍କ ଉପରେ ଭରସା ରଖିପାରିବା ।—ଗୀତ. ୧୪୫:୧୮.
ଯିହୋବା ପାଉଲଙ୍କୁ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ଦେଇ ତାଙ୍କ ପ୍ରାର୍ଥନା ଶୁଣିଲେ (ପାରାଗ୍ରାଫ ୫)
୫. କʼଣ ପ୍ରାଚୀନ ସମୟରେ ଯିହୋବାଙ୍କ ସେବକମାନଙ୍କୁ ସବୁବେଳେ ତାଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ସେପରି ଭାବେ ମିଳିଲା ଯେପରି ସେମାନେ ଭାବିଥିଲେ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୫ ଯିହୋବା ହୁଏତ ସେପରି ଆମ ପ୍ରାର୍ଥନାର ଉତ୍ତର ଦେବେନି ଯେପରି ଆମେ ଭାବିଥିବା । ପ୍ରେରିତ ପାଉଲଙ୍କ ସହ ବି ଏପରି ହିଁ ହୋଇଥିଲା । ତାଙ୍କୁ ଗୋଟିଏ ସମସ୍ୟା ଥିଲା ଯାହାକୁ ସେ ନିଜ ‘ଶରୀରର କଣ୍ଟକ’ କହିଲେ । ସେ ତିନିଥର ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ତାଙ୍କ ଶରୀରରୁ ଏହି କଣ୍ଟକ ବାହାର କରିଦିଅନ୍ତୁ । କʼଣ ଯିହୋବା ତାଙ୍କ ପ୍ରାର୍ଥନାର ଉତ୍ତର ଦେଲେ ? ହଁ । କିନ୍ତୁ ସେପରି ନୁହେଁ ଯେପରି ପାଉଲ ଭାବିଥିଲେ । ଯିହୋବା ତାଙ୍କ ସମସ୍ୟା ଦୂର କଲେନି, କିନ୍ତୁ ତାଙ୍କୁ ସହିବାର ଶକ୍ତି ଦେଲେ ଯାହାଦ୍ୱାରା ସେ ବିଶ୍ୱସ୍ତତାର ସହ ତାଙ୍କ ସେବା କରିବା ଜାରି ରଖିଲେ ।—୨ କରି. ୧୨:୭-୧୦.
୬. ଅନେକଥର ଆମକୁ ଏପରି କାହିଁକି ଲାଗିପାରେ ଯେ ଯିହୋବା ଆମ ପ୍ରାର୍ଥନା ଶୁଣୁ ନାହାନ୍ତି ?
୬ ହୋଇପାରେ, ଆମେ ଯେପରି ଭାବିଥିବା ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ସେପରି ଉତ୍ତର ନ ଦେଇ ଅନ୍ୟ ଉପାୟରେ ଦେବେ । କିନ୍ତୁ ଆମେ ଭରସା ରଖିପାରିବା ଯେ ଯିହୋବା ଭଲଭାବେ ଜାଣନ୍ତି ଯେ ଆମ ପାଇଁ କʼଣ ଭଲ ଅଟେ । ବାଇବଲରେ ଲେଖାଅଛି, “ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରି ପାରନ୍ତି ।” (ଏଫି. ୩:୨୦) ତେଣୁ ସେ ହୁଏତ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଏପରି ସମୟରେ କିମ୍ବା ଏପରି ଭାବେ ଦେବେ ଯାହା ବିଷୟରେ ଆମେ କେବେ ଭାବି ହିଁ ନ ଥିବା ।
୭. ଆମକୁ ହୁଏତ କାହିଁକି ଅନ୍ୟ କଥା ପାଇଁ ପ୍ରାର୍ଥନା କରିବାକୁ ପଡ଼ିପାରେ ? ଗୋଟିଏ ଉଦାହରଣ ଦିଅନ୍ତୁ ।
୭ ଯେବେ ଆମେ ଆହୁରି ଭଲଭାବେ ବୁଝୁ ଯେ ଯିହୋବାଙ୍କ ଇଛା କʼଣ, ତେବେ ଆମେ ଯେଉଁ କଥା ପାଇଁ ପ୍ରାର୍ଥନା କରୁଥିଲୁ ତାʼପରିବର୍ତ୍ତେ ହୁଏତ ଆମକୁ ଅନ୍ୟ କଥା ପାଇଁ ପ୍ରାର୍ଥନା କରିବାକୁ ପଡ଼ିପାରେ । ଟିକେ ଭାଇ ମାର୍ଟିନ୍ ପୋର୍ଟଜିଙ୍ଗରଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ବିବାହର କିଛି ସମୟ ପରେ ତାଙ୍କୁ ନାଜି ଯାତନା ଶିବିରରେ ନିଆଗଲା । ଆରମ୍ଭରେ ସେ ଯିହୋବାଙ୍କୁ ଏହା ପ୍ରାର୍ଥନା କରୁଥିଲେ ଯେ ଯେମିତି ହେଲେ ବି ମୋତେ ଯାତନା ଶିବିରରୁ ମୁକ୍ତ କରିଦିଅନ୍ତୁ, ଯାହାଦ୍ୱାରା ସେ ନିଜ ସ୍ତ୍ରୀର ଯତ୍ନ ନେଇପାରନ୍ତେ ଓ ପୁଣିଥରେ ପ୍ରଚାର କରିପାରନ୍ତେ । କିନ୍ତୁ ୨ ସପ୍ତାହ ପରେ ବି କୌଣସି ପରିବର୍ତ୍ତନ ହେଲାନି । ଏପରି କିଛି ବି ହେଲାନି ଯାହାଦ୍ୱାରା ତାଙ୍କୁ ଲାଗାନ୍ତା ଯେ ଯିହୋବା ତାଙ୍କୁ ମୁକ୍ତ କରିବା ପାଇଁ ରାସ୍ତା ବାହାର କରୁଛନ୍ତି । ତେଣୁ ସେ ଏପରି ପ୍ରାର୍ଥନା କରିବାକୁ ଲାଗିଲେ, “ଯିହୋବା ମୋତେ ଦୟାକରି କହନ୍ତୁ ଯେ ଆପଣଙ୍କ ଇଚ୍ଛା କʼଣ ।” ତାʼପରେ ଭାଇ ମାର୍ଟିନ୍ ଅନ୍ୟ ଭାଇଭଉଣୀଙ୍କ ବିଷୟରେ ଭାବିଲେ ଯେଉଁମାନଙ୍କୁ ତାଙ୍କ ଭଳି ଶିବିରରେ ନିଆଯାଇଥିଲା । ଅନେକ ଭାଇଙ୍କୁ ନିଜ ସ୍ତ୍ରୀ ଓ ପିଲାମାନଙ୍କ ଚିନ୍ତା ହେଉଥିଲା । ଭାଇ ବୁଝିଗଲେ ଯେ ଯିହୋବା ତାଙ୍କଠାରୁ କʼଣ ଚାହାନ୍ତି । ତେଣୁ ସେ ଏବେ ପ୍ରାର୍ଥନା କଲେ, “ଯିହୋବା ଏହି ନୂଆ ଦାୟିତ୍ୱ ଦେବା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ । ମୋ ସାହାଯ୍ୟ କରନ୍ତୁ ଯେ ମୁଁ ଭାଇଭଉଣୀମାନଙ୍କ ସାହସ ବଢ଼ାଇପାରେ ଓ ସେମାନଙ୍କୁ ଦୃଢ଼ କରିପାରେ ।” ଆସନ୍ତା ୯ ବର୍ଷ ଯାଏ ଭାଇ ଯାତନା ଶିବିରରେ ଏପରି ହିଁ କଲେ ।
୮. ପ୍ରାର୍ଥନା କରିବା ସମୟରେ ଆମକୁ କେଉଁ ଜରୁରୀ କଥା ମନେରଖିବା ଉଚିତ୍ ?
୮ ଆମକୁ ମନେରଖିବା ଉଚିତ୍ ଯେ ଯିହୋବାଙ୍କର ଗୋଟିଏ ଉଦ୍ଦେଶ୍ୟ ଅଛି ଓ ସେ ତାହା ନିଜ ନିର୍ଦ୍ଧାରିତ ସମୟରେ ପୂରା କରିବେ । ସେ ଆମ ସବୁ ସମସ୍ୟାଗୁଡ଼ିକୁ ପୂରାପୂରି ଶେଷ କରିଦେବେ । ଆଉ ଏହା ସେ ନିଜ ରାଜ୍ୟ ଜରିଆରେ କରିବେ । ଯେବେ ତାଙ୍କ ରାଜ୍ୟ ଆସିବ ସେସମୟରେ ପ୍ରାକୃତିକ ବିପତ୍ତିଗୁଡ଼ିକ, ରୋଗ ଓ ମୃତ୍ୟୁ ଭଳି ବଡ଼ ବଡ଼ ସମସ୍ୟାଗୁଡ଼ିକ ସବୁଦିନ ପାଇଁ ଶେଷ ହୋଇଯିବ । ଆଉ ତାʼପରେ କୌଣସି ଦୁଃଖକଷ୍ଟ ନ ଥିବ । (ଦାନି. ୨:୪୪; ପ୍ରକା. ୨୧:୩, ୪) କିନ୍ତୁ ଯେବେ ଯାଏ ତାଙ୍କ ରାଜ୍ୟ ଆସିନି ଯିହୋବା ଶୟତାନକୁ ଏହି ଦୁନିଆ ଉପରେ ଶାସନ କରିବା ପାଇଁ ଅନୁମତି ଦେଇଛନ୍ତି ।b (ଯୋହ. ୧୨:୩୧; ପ୍ରକା. ୧୨:୯) ଯଦି ଆଜି ଯିହୋବା ମଣିଷର ସବୁ ସମସ୍ୟାଗୁଡ଼ିକୁ ଦୂର କରିଦିଅନ୍ତି, ତାହେଲେ ଏପରି ଲାଗିପାରେ ଯେ ଶୟତାନ ଏହି ଦୁନିଆ ଉପରେ ଭଲଭାବେ ଶାସନ କରୁଛି । ତେଣୁ ଆମକୁ ଯିହୋବାଙ୍କ ପ୍ରତିଜ୍ଞା ପୂରା ନ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯିହୋବା ଆମକୁ ନିଜ ପରିସ୍ଥିତିରେ ଛାଡ଼ି ଦେଇଛନ୍ତି । ଆସନ୍ତୁ ଜାଣିବା ଯେ ଯିହୋବା ଆମକୁ କେଉଁ ଉପାୟଗୁଡ଼ିକରୁ ସାହାଯ୍ୟ କରନ୍ତି ।
ଯିହୋବା ଆଜି ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?
୯. ଯେବେ ଆମକୁ କୌଣସି ନିଷ୍ପତ୍ତି ନେବାର ଥାଏ, ତେବେ ଯିହୋବା କିପରି ଆମର ସାହାଯ୍ୟ କରନ୍ତି ? ଗୋଟିଏ ଉଦାହରଣ ଦିଅନ୍ତୁ ।
୯ ଯିହୋବା ଆମକୁ ବୁଦ୍ଧି ଦିଅନ୍ତି । ସେ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଭଲ ନିଷ୍ପତ୍ତି ନେବା ପାଇଁ ବୁଦ୍ଧି ଦେବେ । ଆମକୁ ବିଶେଷ କରି ତେବେ ଯିହୋବାଙ୍କଠାରୁ ବୁଦ୍ଧି ଦରକାର ପଡ଼େ, ଯେବେ ଆମକୁ ଜୀବନର ବଡ଼ ବଡ଼ ନିଷ୍ପତ୍ତି ନେବାକୁ ପଡ଼େ । ଯେପରି ଆମେ ବିବାହ କରିବା ନା ନାହିଁ । (ଯାକୁ. ୧:୫) ଟିକେ ମାରିୟା ନାମକ ଅବିବାହିତ ଭଉଣୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ।c ସେ ଖୁସି ଖୁସି ଅଗ୍ରଦୂତ ସେବା କରୁଥିଲେ, ତାʼପରେ ସେ ଜଣେ ଭାଇଙ୍କୁ ଭେଟିଲେ । ସେ କହନ୍ତି, “ଯେପରି ଆମେ ପରସ୍ପରକୁ ଆହୁରି ଜାଣିବାକୁ ଲାଗିଲୁ ଆମେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲୁ । ମୋତେ ଜଣାଥିଲା ଯେ ଏବେ ମୋତେ ଗୋଟେ ନିଷ୍ପତ୍ତି ନେବାର ଅଛି ତେଣୁ ମୁଁ ଯିହୋବାଙ୍କୁ ବହୁତ ପ୍ରାର୍ଥନା କଲି । ମୁଁ ଜାଣିଥିଲି ଯେ ଯିହୋବାଙ୍କ ସାହାଯ୍ୟ ବିନା ମୁଁ ଠିକ୍ ନିଷ୍ପତ୍ତି ନେଇପାରିବିନି, କିନ୍ତୁ ମୁଁ ଏହା ବି ଜାଣିଥିଲି ଯେ ଯିହୋବା ମୋ ପାଇଁ କୌଣସି ନିଷ୍ପତ୍ତି ନେବେନି । ମୋତେ ନିଜେ ହିଁ ନିଷ୍ପତ୍ତି ନେବାକୁ ପଡ଼ିବ ।” ତାଙ୍କୁ ଲାଗେ ଯେ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ବୁଦ୍ଧି ଦେଲେ । କିପରି ? ଯେବେ ସେ ଆମ ପ୍ରକାସନଗୁଡ଼ିକରେ ଅନୁସନ୍ଧାନ କଲେ, ତେବେ ତାଙ୍କୁ ଏପରି ଅନେକ ଲେଖା ମିଳିଲା, ଯେଉଁଥିରେ ଏବିଷୟରେ ଭଲ ତଥ୍ୟ ଦିଆଯାଇଥିଲା ଓ ତାଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଲା । ସେ ନିଜ ମାଆଙ୍କ ସହ ବି ଏବିଷୟରେ କଥା ହେଲେ, ଯିଏ ଜଣେ ଯିହୋବାଙ୍କ ସାକ୍ଷୀ ଅଟନ୍ତି । ସେ ତାଙ୍କୁ ଭଲ ପରାମର୍ଶ ଦେଲେ ଯାହାଯୋଗୁଁ ସେ ଭାବୁକ ହୋଇ ନିଷ୍ପତ୍ତି ନେଲେନି । ସେ ଏବିଷୟରେ ବହୁତ ଭାବିଲେ ଓ ଶେଷରେ ସେ ଗୋଟିଏ ଭଲ ନିଷ୍ପତ୍ତି ନେଇପାରିଲେ ।
ଯିହୋବା ଆମକୁ କିପରି ଶକ୍ତି ଦିଅନ୍ତି ଯାହାଦ୍ୱାରା ଆମେ ଧୈର୍ଯ୍ୟ ଧରିପାରିବା ? (ପାରାଗ୍ରାଫ ୧୦)
୧୦. ଫିଲିପ୍ପୀୟ ୪:୧୩ ପଦ ଅନୁସାରେ ଯିହୋବା କିପରି ଭାବେ ନିଜ ସେବକମାନଙ୍କ ସାହାଯ୍ୟ କରନ୍ତି ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଯିହୋବା ଆମକୁ ଧୈର୍ଯ୍ୟ ଧରିବାର ଶକ୍ତି ଦିଅନ୍ତି । ଯେପରି ସେ ପାଉଲଙ୍କୁ ଶକ୍ତି ଦେଇଥିଲେ, ସେହିପରି ଆଜି ଯିହୋବା ଆମକୁ ବି ଶକ୍ତି ଦେଇପାରିବେ । ଯାହାଦ୍ୱାରା ଆମେ ସମସ୍ୟା ସମୟରେ ଧୈର୍ଯ୍ୟ ଧରିପାରିବା । (ଫିଲିପ୍ପୀୟ ୪:୧୩ ପଢ଼ନ୍ତୁ ।) ଭାଇ ବେନଜାମିନ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଯିହୋବା କିପରି ତାଙ୍କୁ ସମସ୍ୟା ସମୟରେ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ଦେଲେ । ଭାଇ ଓ ତାଙ୍କ ପରିବାରକୁ ଅନେକ ବର୍ଷ ଯାଏ ଆଫ୍ରିକାର ଶରଣାର୍ଥୀ ଶିବିରରେ ରହିବାକୁ ପଡ଼ିଲା । ଭାଇଙ୍କ ଯୁବାବସ୍ଥାର ଅଧିକାଂଶ ସମୟ ସେହି ଶିବିରଗୁଡ଼ିକରେ ହିଁ କଟିଗଲା । ସେ କହନ୍ତି, “ମୁଁ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି ଯେ ସେ ମୋତେ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା ମୁଁ ସଠିକ୍ କାମ କରିପାରେ ଓ ତାଙ୍କୁ ଖୁସି କରିପାରେ । ଆଉ ଯିହୋବା ମୋ ପ୍ରାର୍ଥନା ଶୁଣିଲେ, ସେ ମୋତେ ମନର ଶାନ୍ତି ଦେଲେ, ପ୍ରଚାର କରିବା ପାଇଁ ସାହସ ଦେଲେ ଓ ଏପରି ପ୍ରକାଶନ ଦେଲେ ଯାହାକୁ ପଢ଼ି ତାଙ୍କ ସହ ମୋ ସମ୍ପର୍କ ଦୃଢ଼ ରହିଲା ।” ଭାଇ ଏହା ବି କହନ୍ତି, “ଯେବେ ମୁଁ ଭାଇଭଉଣୀଙ୍କ ଅନୁଭୂତି ପଢ଼ିଲି ଓ ଜାଣିଲି ଯେ ଯିହୋବା କିପରି ସେମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କଲେ, ତେବେ ଯିହୋବାଙ୍କ ବିଶ୍ୱସ୍ତ ରହିବାର ମୋ ସଂକଳ୍ପ ଆହୁରି ଦୃଢ଼ ହୋଇଗଲା ।”
କʼଣ ଯିହୋବା ଭାଇଭଉଣୀମାନଙ୍କ ଜରିଆରେ କେବେ ଆପଣଙ୍କ ସାହାଯ୍ୟ କରିଛନ୍ତି ? (ପାରାଗ୍ରାଫ ୧୧-୧୨)d
୧୧-୧୨. ଯିହୋବା ଭାଇଭଉଣୀଙ୍କ ଜରିଆରେ କିପରି ଆମ ପ୍ରାର୍ଥନାର ଉତ୍ତର ଦେଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ଯିହୋବା ଭାଇଭଉଣୀଙ୍କ ଜରିଆରେ ଆମକୁ ସାହାଯ୍ୟ କରନ୍ତି । ଯୀଶୁ ନିଜ ଜୀବନ ବଳିଦାନ କରିବାର ଗୋଟେ ରାତି ପୂର୍ବେ ଯିହୋବାଙ୍କୁ ବହୁତ ବିନତି କଲେ । ସେ ପ୍ରାର୍ଥନା କଲେ ଯେ ତାଙ୍କ ଉପରେ ଯିହୋବାଙ୍କ ନିନ୍ଦା କରିବାର ଆରୋପ ଲଗା ନ ଯାଉ । ଯିହୋବା ଏପରି ତ କିଛି କଲେନି, ଯାହାଦ୍ୱାରା ତାଙ୍କ ଉପରେ ଏହି ଆରୋପ ଲଗା ନ ଯାଉ । କିନ୍ତୁ ତାଙ୍କ ସାହସ ବଢ଼ାଇବା ପାଇଁ ଯିହୋବା ତାଙ୍କ ଜଣେ ଭାଇଙ୍କୁ ଅର୍ଥାତ୍ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ । (ଲୂକ ୨୨:୪୨, ୪୩) ଆଜି ବି ଯିହୋବା ଭାଇଭଉଣୀଙ୍କ ଜରିଆରେ ଆମର ସାହାଯ୍ୟ କରିପାରିବେ । ହୁଏତ ସେମାନେ ଆମକୁ ଭେଟିବାକୁ ଆସିବେ କିମ୍ବା ଫୋନ୍ କରି ଆମର ସାହସ ବଢ଼ାଇବେ । ତେଣୁ ଆମ ସମସ୍ତଙ୍କୁ ଏପରି ସୁଯୋଗ ଖୋଜିବା କଥା ଯେବେ ଆମେ ପରସ୍ପରକୁ କୌଣସି “ମଙ୍ଗଳର ବାକ୍ୟ” କହି ସାହସ ବଢ଼ାଇପାରିବା ।—ହିତୋ. ୧୨:୨୫.
୧୨ ଟିକେ ଭଉଣୀ ମୀରୟମଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେବାର କିଛି ସପ୍ତାହ ହିଁ ହୋଇଥିଲା । ଦିନେ ସେ ଘରେ ଏକୁଟିଆ ଥିଲେ ଓ ବହୁତ ଦୁଃଖି ଥିଲେ । କାନ୍ଦିକାନ୍ଦି ତାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା ଓ ସେ କାହାରି ସହିତ କଥା ହେବା ପାଇଁ ଚାହୁଁଥିଲେ । କିନ୍ତୁ ସେ କହନ୍ତି, “କାହାରିକୁ ଫୋନ୍ କରିବା ପାଇଁ ମୋ ପାଖରେ ସାହସ ହିଁ ନ ଥିଲା । ତେଣୁ ମୁଁ ଯିହୋବାଙ୍କୁ ପ୍ରାର୍ଥନା କଲି । ମୁଁ କାନ୍ଦିକାନ୍ଦି ପ୍ରାର୍ଥନା କରୁଥିଲି, ଠିକ୍ ସେତିକିବେଳେ ମୋତେ ଫୋନ୍ ଆସିଲା । ତାହା ଜଣେ ପ୍ରାଚୀନଙ୍କ ଫୋନ୍ ଥିଲା ଯିଏ ବହୁତ ଭଲ ସାଙ୍ଗ ଥିଲେ ।” ଭଉଣୀ ମୀରୟମଙ୍କୁ ସେହି ପ୍ରାଚୀନ ଓ ତାଙ୍କ ସ୍ତ୍ରୀଙ୍କଠାରୁ ବହୁତ ସାନ୍ତ୍ୱନା ମିଳିଲା । ତାଙ୍କୁ ଭରସା ଅଛି ଯେ ଯିହୋବା ହିଁ ସେହି ଭାଇଙ୍କୁ ଫୋନ୍ କରିବା ପାଇଁ ପ୍ରେରିତ କଲେ ।
ଯିହୋବା କିପରି ଭାବେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଆମ ସାହାଯ୍ୟ କରିବା ପାଇଁ ପ୍ରେରିତ କରିପାରିବେ ? (ପାରାଗ୍ରାଫ ୧୩-୧୪)
୧୩. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଯିହୋବା କିପରି ସେହି ଲୋକମାନଙ୍କ ଜରିଆରେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି, ଯେଉଁମାନେ ତାଙ୍କ ଉପାସନା କରନ୍ତିନି ।
୧୩ ଯିହୋବା ସେମାନଙ୍କ ଜରିଆରେ ମଧ୍ୟ ଆମର ସାହାଯ୍ୟ କରିପାରନ୍ତି, ଯେଉଁମାନେ ତାଙ୍କ ଉପାସନା କରନ୍ତି ନାହିଁ । (ହିତୋ. ୨୧:୧) ପ୍ରାଚୀନ ସମୟରେ ଯିହୋବା ରାଜା ଅର୍ତ୍ତକ୍ଷସ୍ତଙ୍କୁ ପ୍ରେରିତ କଲେ ଯେ ସେ ନିହିମୀୟାଙ୍କୁ ଯିରୂଶାଲମ ଯିବାର ଅନୁମତି ଦିଅନ୍ତୁ, ଯାହାଦ୍ୱାରା ସେ ସହରକୁ ପୁଣିଥରେ ତିଆରି କରିବାର କାମକୁ ପୂରା କରିପାରନ୍ତେ । (ନିହି. ୨:୩-୬) ଆଜି ମଧ୍ୟ ଯେବେ ଆମେ କୌଣସି ଚିନ୍ତାରେ ଥାଉ, ସେସମୟରେ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ପ୍ରେରିତ କରିପାରନ୍ତି, ଯେଉଁମାନେ ତାଙ୍କ ଉପାସନା କରନ୍ତି ନାହିଁ ।
୧୪. ଭଉଣୀ ସୁ ହିଙ୍ଗ୍ଙ୍କ ଅନୁଭବରୁ ଆପଣ କʼଣ ଶିଖିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୪ ଭଉଣୀ ସୁ ହିଙ୍ଗ୍ ଅନୁଭବ କଲେ ଯେ ଯିହୋବା ତାଙ୍କୁ ଡାକ୍ତରଙ୍କ ଜରିଆରେ ସାହାଯ୍ୟ କଲେ । ତାଙ୍କ ପୁଅକୁ କିଛି ମାନସିକ ରୋଗ ଅଛି । ଥରେ ସେ ବହୁତ ଉପରୁ ପଡ଼ିଗଲେ ଓ ତାଙ୍କୁ ବହୁତ ଆଘାତ ପହଞ୍ଚିଲା । ତାଙ୍କ ଦେଖାଶୁଣା କରିବା ପାଇଁ ଭଉଣୀ ଓ ତାଙ୍କ ସ୍ୱାମୀଙ୍କୁ ନିଜ ଚାକିରି ଛାଡ଼ିବାକୁ ପଡ଼ିଲା । ତେଣୁ ସେମାନଙ୍କୁ ପଇସାର ଅଭାବ ହେବାକୁ ଲାଗିଲା । ଭଉଣୀଙ୍କୁ ଲାଗିଲା ଯେ ଏବେ ସେ ଆଉ ସହିପାରିବେନି । ତାଙ୍କୁ ଏପରି ଲାଗୁଥିଲା ଯେପରି ଗୋଟିଏ ରବର ବ୍ୟାଣ୍ଡକୁ ଏତେ ଟଣା ଯାଇଛି ଯେ ତାହା କେତେବେଳେ ବି ଛିଣ୍ଡି ଯାଇପାରେ । ସେ ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ତାଙ୍କୁ ସାହାଯ୍ୟ ମାଗିଲେ । ତାʼପରେ ଏପରି କିଛି ହେଲା ଯେ ଡାକ୍ତର ତାଙ୍କ ସାହାଯ୍ୟ କରିବା ପାଇଁ ଭାବିଲେ । ଏପରି ଭାବେ ଭଉଣୀ ଓ ତାଙ୍କ ପରିବାରକୁ ସରକାରଙ୍କ ତରଫରୁ ସାହାଯ୍ୟ ମିଳିଲା ଓ କମ୍ ଖର୍ଚ୍ଚରେ ଗୋଟିଏ ଭଡ଼ାଘର ମିଳିଗଲା । ପରେ ଭଉଣୀ କହିଲେ, “ଆମେ ସ୍ପଷ୍ଟ ଭାବେ ଦେଖିପାରିଲୁ ଯେ ଏସବୁ ପଛରେ ଯିହୋବାଙ୍କ ହାତ ଥିଲା । ସେ ସତରେ “ପ୍ରାର୍ଥନା ଶ୍ରବଣକାରୀ” ଅଟନ୍ତି ।”—ଗୀତ. ୬୫:୨.
ବିଶ୍ୱାସ ଥିବା ଦ୍ୱାରା ହିଁ ଦେଖିପାରିବା ଯେ ଯିହୋବା କିପରି ଉତ୍ତର ଦିଅନ୍ତି
୧୫. ଜଣେ ଭଉଣୀଙ୍କୁ କିପରି ଅନୁଭବ ହେଲା ଯେ ଯିହୋବା ତାଙ୍କ ପ୍ରାର୍ଥନାର ଉତ୍ତର ଦେଉଛନ୍ତି ?
୧୫ ଯିହୋବା ସବୁବେଳେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଅଦ୍ଭୁତ ଭାବେ ତ ଦିଅନ୍ତିନି, କିନ୍ତୁ ନିଶ୍ଚୟ ଦିଅନ୍ତି । ସେ ଜାଣନ୍ତି ଯେ ତାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ କʼଣ ଦରକାର ଆଉ ଆମକୁ ଠିକ୍ ତାହା ହିଁ ଦିଅନ୍ତି । ତେଣୁ ସବୁବେଳେ ଏକଥାର ଧ୍ୟାନ ରଖନ୍ତୁ ଯେ ଯିହୋବା କିପରି ଭାବେ ଆପଣଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉଛନ୍ତି । ୟୋକୋ ନାମକ ଭଉଣୀଙ୍କୁ ଲାଗିଲା ଯେ ଯିହୋବା ତାଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉ ନାହାନ୍ତି । ସେସମୟରେ ସେ ଗୋଟିଏ ଖାତାରେ ସେହି କଥାଗୁଡ଼ିକୁ ଲେଖିବା ଆରମ୍ଭ କଲେ ଯାହା ବିଷୟରେ ସେ ପ୍ରାର୍ଥନା କରୁଥିଲେ । କିଛି ସମୟ ପରେ ଯେବେ ସେ ନିଜ ଖାତା ଦେଖିଲେ, ତେବେ ତାଙ୍କୁ ଅନୁଭବ ହେଲା ଯେ ଯିହୋବା ତାଙ୍କର ଅଧିକାଂଶ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇ ସାରିଛନ୍ତି ଓ କିଛି ଏପରି ପ୍ରାର୍ଥନାଗୁଡ଼ିକର ଉତ୍ତର ମଧ୍ୟ ଦେଇଛନ୍ତି ଯାହା ବିଷୟରେ ସେ ନିଜେ ବି ଭୁଲି ଯାଇଥିଲେ । ଆମକୁ ବି ମଝି ମଝିରେ ଏବିଷୟରେ ଭାବିବା ଉଚିତ୍ ଯେ ଯିହୋବା କିପରି ଭାବେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉଛନ୍ତି ।—ଗୀତ. ୬୬:୧୯, ୨୦.
୧୬. ପ୍ରାର୍ଥନା ମାମଲାରେ ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ବିଶ୍ୱାସ ଅଛି ? (ଏବ୍ରୀ ୧୧:୬)
୧୬ ଆମେ କେବଳ ପ୍ରାର୍ଥନା କରି ଏହା ଦେଖାଇ ନ ଥାଉ ଯେ ଆମକୁ ଯିହୋବାଙ୍କ ଉପରେ ବିଶ୍ୱାସ ଅଛି, ବରଂ ସେ ଆମ ପ୍ରାର୍ଥନାଗୁଡ଼ିକର ଯାହା ବି ଉତ୍ତର ଦିଅନ୍ତି, ତାହାକୁ ସ୍ୱୀକାର କରି ମଧ୍ୟ ଆମେ ନିଜ ବିଶ୍ୱାସ ଦେଖାଉ । (ଏବ୍ରୀ ୧୧:୬ ପଢ଼ନ୍ତୁ ।) ଟିକେ ଭାଇ ମାଇକ୍ ଓ ତାଙ୍କ ସ୍ତ୍ରୀ କ୍ରିସିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେମାନେ ଦୁହେଁ ବୈଥେଲ ସେବା କରିବା ପାଇଁ ଚାହୁଁଥିଲେ । ଭାଇ ମାଇକ୍ କହନ୍ତି, “ଆମେ ଦୁହେଁ ଅନେକ ବର୍ଷ ଯାଏ ବୈଥେଲ ସେବା ପାଇଁ ଫର୍ମ ଭରିଲୁ ଓ ବାରମ୍ବାର ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କଲୁ, କିନ୍ତୁ ଆମକୁ ସେଠାରେ ଡକାଗଲାନି ।” ସେମାନଙ୍କୁ ପୂରା ଭରସା ଥିଲା ଯେ ଯିହୋବା ଜାଣନ୍ତି ଯେ ସେମାନେ କିପରି ଆହୁରି ବଢ଼ିଆ ଉପାୟରେ ତାଙ୍କ ସେବା କରିପାରିବେ । ଆଉ ସେମାନଙ୍କ ଦ୍ୱାରା ଯେତେ ହୋଇପାରନ୍ତା, ସେମାନେ କଲେ । ସେମାନେ ଏପରି ଜାଗାରେ ଯାଇ ଅଗ୍ରଦୂତ ସେବା କଲେ, ଯେଉଁଠି ପ୍ରଚାରକମାନଙ୍କ ଅଧିକ ଆବଶ୍ୟକ ଥିଲା ଓ ଅନେକଥର ସଙ୍ଗଠନର ନିର୍ମାଣ କାମରେ ମଧ୍ୟ ସାହାଯ୍ୟ କଲେ । ଆଜି ସେମାନେ ସର୍କିଟ କାମ କରୁଛନ୍ତି । ଭାଇ କହନ୍ତି, “ଯିହୋବା ସବୁବେଳେ ଆମର ପ୍ରାର୍ଥନାଗୁଡ଼ିକର ଉତ୍ତର ସେପରି ଭାବେ ଦେଲେନି ଯେପରି ଆମେ ଚାହୁଁଥିଲୁ, କିନ୍ତୁ ସେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ନିଶ୍ଚୟ ଦେଲେ ଆଉ ତାହା ବି ଆମ ଆଶାଠୁ ବି ଅଧିକ ।”
୧୭-୧୮. ଗୀତସଂହିତା ୮୬:୬, ୭ ପଦ ଅନୁସାରେ ଆମେ କେଉଁ କଥାର ଭରସା ରଖିପାରିବା ?
୧୭ ଗୀତସଂହିତା ୮୬:୬, ୭ ପଢ଼ନ୍ତୁ । ଦାଉଦଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କ ପ୍ରାର୍ଥନାଗୁଡ଼ିକୁ ଶୁଣିଲେ ଓ ତାʼର ଉତ୍ତର ଦେଲେ । ଦାଉଦଙ୍କ ଭଳି ଭରସା ଆମେ ବି ରଖିପାରିବା । ଏହି ଲେଖାରେ ଆମେ ଯେଉଁ ଲୋକମାନଙ୍କ ଉଦାହରଣଗୁଡ଼ିକ ଉପରେ ଚର୍ଚ୍ଚା କଲୁ, ସେଥିରୁ ଆମକୁ ଭରସା ହୋଇଯାଏ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ମଧ୍ୟ ଉତ୍ତର ଦେବେ । ସେ ଆମକୁ ବୁଦ୍ଧି ଦେଇପାରିବେ ଓ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶକ୍ତି ଦେଇପାରିବେ । ହୁଏତ ସେ ଭାଇଭଉଣୀମାନଙ୍କ ଜରିଆରେ ଆମ ସାହାଯ୍ୟ କରିବେ କିମ୍ବା ସେମାନଙ୍କ ଜରିଆରେ, ଯେଉଁମାନେ ତାଙ୍କ ଉପାସନା କରନ୍ତିନି ।
୧୮ ହୁଏତ ଯିହୋବା ପ୍ରତିଥର ସେପରି ଭାବେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେନି ଯେପରି ଆମେ ଚାହୁଁ, କିନ୍ତୁ ସେ ନିଶ୍ଚୟ ଉତ୍ତର ଦେବେ । ସେ ଜାଣନ୍ତି ଯେ ଆମକୁ କେବେ କେଉଁ ଜିନିଷର ଆବଶ୍ୟକ ଅଛି ଓ ସେ ଆମକୁ ତାହା ହିଁ ଦେବେ । ତେଣୁ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଓ ବିଶ୍ୱାସ ରଖନ୍ତୁ ଯେ ଆଜି ସେ ଆପଣଙ୍କ ଯତ୍ନ ନେବେ ଓ ନୂଆ ଦୁନିଆରେ “ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ” କରିବେ ।—ଗୀତ. ୧୪୫:୧୬.
ଗୀତ ୪୬ ତେରା ଏହସାନ୍ ମାନତେ ୟହୋୱା
a ଯିହୋବା ଆମକୁ ଭରସା କରାନ୍ତି ଯେ ଯଦି ଆମେ ତାଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କରିବା, ତେବେ ସେ ଆମ ପ୍ରାର୍ଥନା ନିଶ୍ଚୟ ଶୁଣିବେ । ବିଶେଷ କରି ଯେବେ ଆମେ କୌଣସି କଠିନ ପରିସ୍ଥିତିର ସାମନା କରୁ, ତେବେ ଆମେ ଭରସା ରଖିପାରିବା ଯେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ଯାହା ଦରକାର ସେସବୁ ସେ ନିଶ୍ଚୟ ଦେବେ । ଆସନ୍ତୁ ଜାଣିବା ଯେ ଯିହୋବା କିପରି ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି ।
b ଯିହୋବା ଶୟତାନକୁ ଏହି ଦୁନିଆରେ ଶାସନ କରିବା ପାଇଁ କାହିଁକି ଅନୁମତି ଦେଇଛନ୍ତି, ଏବିଷୟରେ ଆହୁରି ଜାଣିବା ପାଇଁ ଜୁନ୍ ୨୦୧୭ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଅହମ୍ ମସ୍ଲେ କୋ ହମେସା ୟାଦ୍ ରଖିଏ” ପଢ଼ନ୍ତୁ ।
c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
d ଚିତ୍ର ବିଷୟରେ: ଜଣେ ମାଆ ନିଜ ଝିଅ ସହ ଗୋଟିଏ ଦେଶରେ ଶରଣାର୍ଥୀ ଭାବେ ଆସିଛନ୍ତି । ସେଠାର ଭାଇଭଉଣୀ ପ୍ରେମର ସହ ସେମାନଙ୍କ ସ୍ୱାଗତ କରୁଛନ୍ତି । ସେମାନେ ତାଙ୍କ ଆବଶ୍ୟକ ପୂରା କରିବା ପାଇଁ ବ୍ୟବସ୍ଥା ମଧ୍ୟ କରିଛନ୍ତି ।