ଅଧ୍ୟୟନ ଲେଖା ୨୯
କʼଣ ଆପଣ ମହାକ୍ଳେଶ ପାଇଁ ପ୍ରସ୍ତୁତ ଅଛନ୍ତି ?
“ପ୍ରସ୍ତୁତ ହୋଇଥାଅ ।”—ମାଥି. ୨୪:୪୪.
ଗୀତ ୧୫୦ ହିଫାଜତ୍ କେ ଲିଏ ୟହୋୱା କି ଖୋଜ୍ କରେଁ
ଲେଖାର ଝଲକa
୧. କୌଣସି ବିପତ୍ତି ପାଇଁ ପୂର୍ବରୁ ପ୍ରସ୍ତୁତି କରିବା କାହିଁକି ଭଲ ଅଟେ ?
ପ୍ରସ୍ତୁତି କରିବା ଦ୍ୱାରା ଜୀବନ ବଞ୍ଚିପାରେ । ଯେପରି, କୌଣସି ବିପତ୍ତିର ସାମନା କରିବା ପାଇଁ ପୂର୍ବରୁ ଯେଉଁ ଲୋକମାନେ ପ୍ରସ୍ତୁତି କରିଥାଆନ୍ତି, ସେମାନଙ୍କ ବଞ୍ଚିବାର ସମ୍ଭାବନା ଅଧିକ ଥାଏ ଓ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ ବି କରିପାରନ୍ତି । ଲୋକମାନଙ୍କୁ ସହାୟତା ଯୋଗାଉ ଥିବା ୟୁରୋପର ଗୋଟିଏ ସଙ୍ଗଠନ କହେ, “ଆପଣଙ୍କ ଜୀବନ ବଞ୍ଚିବ ନା ନାହିଁ ତାହା ଏକଥା ଉପରେ ବି ନିର୍ଭର କରେ ଯେ ଆପଣ ପୂର୍ବରୁ କେତେ ଭଲଭାବେ ପ୍ରସ୍ତୁତି କରିଛନ୍ତି ।”
୨. ଆମେ ମହାକ୍ଳେଶ ପାଇଁ ପୂର୍ବରୁ ପ୍ରସ୍ତୁତି କରିବା କାହିଁକି ଉଚିତ୍ ? (ମାଥିଉ ୨୪:୪୪)
୨ ମହାକ୍ଳେଶ ହଠାତ୍ ଆରମ୍ଭ ହୋଇଯିବ । (ମାଥି. ୨୪:୨୧) କିନ୍ତୁ ଯେବେ ଏହା ଆସିବ, ତେବେ ସମସ୍ତେ ଆଶ୍ଚର୍ଯ୍ୟ ହେବେନି, ଯେପରି ଅନ୍ୟ ବିପତ୍ତି ସମୟରେ ହୁଏ । କାରଣ ଏବିଷୟରେ ଯୀଶୁ ପୂର୍ବରୁ ହିଁ କହିଥିଲେ । ପ୍ରାୟ ୨,୦୦୦ ବର୍ଷ ପୂର୍ବେ ସେ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଏହି ଦିନ ପାଇଁ ପ୍ରସ୍ତୁତ ରହନ୍ତୁ । (ମାଥିଉ ୨୪:୪୪ ପଢ଼ନ୍ତୁ ।) ଯଦି ଆମେ ପୂର୍ବରୁ ପ୍ରସ୍ତୁତ ରହିବା, ତେବେ ସେହି କଠିନ ସମୟର ସାମନା କରିବା ଆମ ପାଇଁ ଟିକେ ସହଜ ହୋଇଯିବ ଓ ଆମେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିପାରିବା ।—ଲୂକ ୨୧:୩୬.
୩. ଧୈର୍ଯ୍ୟ ଧରିବା, କରୁଣା ଓ ପ୍ରେମର ଗୁଣ ଥିବା ଯୋଗୁଁ ଆମେ ମହାକ୍ଳେଶର ସାମନା କରିବା ପାଇଁ କିପରି ପ୍ରସ୍ତୁତ ରହିପାରିବା ?
୩ ଆସନ୍ତୁ ଆମେ ଏପରି ତିନୋଟି ଗୁଣ ଉପରେ ଧ୍ୟାନ ଦେବା ଯାହାକୁ ବଢ଼ାଇବା ଦ୍ୱାରା ଆମେ ମହାକ୍ଳେଶର ସାମନା କରିବା ପାଇଁ ପ୍ରସ୍ତୁତ ରହିପାରିବା । ଆଗକୁ ଯାଇ ଯଦି ଆମକୁ ନ୍ୟାୟର କଡ଼ା ସନ୍ଦେଶ ଶୁଣାଇବା ପାଇଁ କୁହାଯିବ ଓ ଲୋକମାନେ ଆମ ବିରୋଧ କରିବେ, ତେବେ ଆମେ କʼଣ କରିବା ? (ପ୍ରକା. ୧୬:୨୧) ଯଦି ଆମ ଭିତରେ ଧୈର୍ଯ୍ୟର ଗୁଣ ଥିବ ତେବେ ଆମେ ଯିହୋବାଙ୍କ ଆଜ୍ଞା ପାଳନ କରିବା ଓ ଭରସା ରଖିବା ଯେ ସେ ଆମକୁ ବଞ୍ଚାଇବେ । ଆଉ ଗୋଟେ କଥା, ଯଦି ଭାଇଭଉଣୀମାନଙ୍କୁ କମ୍ ପଇସାରେ ନିଜର ଦେଖାଶୁଣା କରିବାକୁ ପଡ଼େ କିମ୍ବା ସେମାନଙ୍କ ପାଖରେ କିଛି ବି ନ ଥାଏ, ତେବେ ଆମେ କʼଣ କରିବା ? (ହବ. ୩:୧୭, ୧୮) ଯଦି ଆମ ହୃଦୟରେ କରୁଣାର ଭାବନା ଥିବ, ତେବେ ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମ ଦ୍ୱାରା ଯେତେ ସମ୍ଭବ, ଆମେ ସେତେ କରିବା । ଆଉ ରାଷ୍ଟ୍ରଗୁଡ଼ିକର ଏକତ୍ରିକରଣ ଯେବେ ଆମ ଉପରେ ଆକ୍ରମଣ କରିବ, ତେବେ ହୋଇପାରେ ଆମକୁ କିଛି ସମୟ ପାଇଁ ଅନେକ ଭାଇଭଉଣୀମାନଙ୍କ ସହିତ ରହିବାକୁ ପଡ଼ିପାରେ, ତେବେ ଆମେ କʼଣ କରିବା ? (ଯିହି. ୩୮:୧୦-୧୨) ଯଦି ଆମ ହୃଦୟରେ ସେମାନଙ୍କ ପାଇଁ ଗଭୀର ପ୍ରେମ ଥିବ, ତେବେ ଆମେ ସେହି କଠିନ ସମୟକୁ ପାର କରିପାରିବା ।
୪. ବାଇବଲରେ ଆମକୁ ଧୈର୍ଯ୍ୟ ଧରିବା ଓ ନିଜ ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣା ଓ ପ୍ରେମର ଗୁଣ ଲଗାତାର ବଢ଼ାଇବା ପାଇଁ କିପରି ପ୍ରୋତ୍ସାହନ ଦିଆଯାଇଛି ?
୪ ଈଶ୍ୱରଙ୍କ ବାକ୍ୟରେ ଆମକୁ ଧୈର୍ଯ୍ୟ ଧରିବା, ନିଜ ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣାର ଭାବନା ଓ ପ୍ରେମର ଗୁଣ ଲଗାତାର ବଢ଼ାଇବା ପାଇଁ ପ୍ରୋତ୍ସାହନ ଦିଆଯାଇଛି । ଯେପରି ଲୂକ ୨୧:୧୯ ପଦରେ ଲେଖାଅଛି, “ଧୈର୍ଯ୍ୟ ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।” କଲସୀୟ ୩:୧୨ ପଦରେ ଲେଖାଅଛି, ‘କୋମଳତାର [“କରୁଣା,” NWT] . . . ଗୁଣ ପରିଧାନ କର ।’ ଏବଂ ୧ ଥେସଲନୀକୀୟ ୪:୯, ୧୦ ପଦରେ ଲେଖାଅଛି, “ତୁମ୍ଭେମାନେ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ନିଜେ ଶିକ୍ଷିତ ହୋଇଅଛ, . . . ପୁଣି, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆହୁରି ଅଧିକ ରୂପେ ତାହା କର ।” ଏହି ପଦଗୁଡ଼ିକରେ ଲେଖାଥିବା କଥାଗୁଡ଼ିକ ସେହି ଖ୍ରୀଷ୍ଟିୟାନମାନଙ୍କୁ କୁହାଯାଇଥିଲା ଯେଉଁମାନେ ପୂର୍ବରୁ ହିଁ ଧୈର୍ଯ୍ୟ ଧରୁଥିଲେ ଓ ଯେଉଁମାନଙ୍କ ହୃଦୟରେ ଅନ୍ୟମାନଙ୍କ ପାଇଁ କରୁଣା ଓ ପ୍ରେମର ଗୁଣ ଥିଲା । କିନ୍ତୁ ସେମାନଙ୍କୁ ଏହି ଗୁଣ ନିଜ ଭିତରେ ଲଗାତାର ବଢ଼ାଇବାର ଥିଲା । ଆମକୁ ବି ଏପରି କରିବାର ଅଛି । ଆସନ୍ତୁ ଧ୍ୟାନ ଦେବା ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଏହି ତିନୋଟି ଗୁଣ କିପରି ଦେଖାଇଲେ । ତାʼପରେ ଆମେ ଜାଣିବା ଯେ ଆମେ ସେମାନଙ୍କ ଭଳି କିପରି ହୋଇପାରିବା । ଏପରି ଭାବେ ଆମେ ମହାକ୍ଳେଶ ପାଇଁ ପ୍ରସ୍ତୁତ ରହିପାରିବା ।
ଧୈର୍ଯ୍ୟ ଧରିବାର ନିଷ୍ପତ୍ତିକୁ ଦୃଢ଼ କରନ୍ତୁ
୫. ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ କିପରି ଧୈର୍ଯ୍ୟ ଧରିଲେ ?
୫ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଧୈର୍ଯ୍ୟ ଧରିବା ଜରୁରୀ ଥିଲା । (ଏବ୍ରୀ ୧୦:୩୬) ସେମାନଙ୍କୁ ସେହି ସମସ୍ୟାଗୁଡ଼ିକର ସାମନା କରିବାକୁ ତ ପଡ଼ିଲା ଯାହା ଅନ୍ୟମାନେ କରୁଥିଲେ, କିନ୍ତୁ ସେମାନଙ୍କ ଉପରେ ଆହୁରି ଅନେକ ସମସ୍ୟା ବି ଆସିଲା । ଅନେକ ଖ୍ରୀଷ୍ଟିୟାନମାନେ ଯିହୁଦୀ ଧର୍ମଗୁରୁ ଓ ରୋମୀ ଅଧିକାରୀମାନଙ୍କଠାରୁ ବି ଅତ୍ୟାଚାର ସହୁଥିଲେ ଓ ସେମାନଙ୍କ ପରିବାର ଲୋକ ବି ସେମାନଙ୍କ ଶତ୍ରୁ ହୋଇଯାଇଥିଲେ । (ମାଥି. ୧୦:୨୧) ଆଉ ମଣ୍ଡଳୀରେ ବି ଅନେକଥର ସେମାନଙ୍କୁ ଏପରି ଅନେକ ଲୋକଙ୍କ ସାମନା କରିବାକୁ ପଡ଼ିଲା ଯେଉଁମାନେ ଖ୍ରୀଷ୍ଟଙ୍କ ଶିକ୍ଷା ବିରୁଦ୍ଧରେ ଶିଖାଉଥିଲେ । ଯେଉଁଥିରୁ ହୁଏତ ସେମାନଙ୍କ ଏକତା ଭାଙ୍ଗି ଯାନ୍ତା । (ପ୍ରେରି. ୨୦:୨୯, ୩୦) ତଥାପି ସେହି ଖ୍ରୀଷ୍ଟିୟାନମାନେ ଧୈର୍ଯ୍ୟ ଧରିଲେ । (ପ୍ରକା. ୨:୩) ସେମାନେ ଏହା କିପରି କରିପାରିଲେ ? ସେମାନେ ଶାସ୍ତ୍ରରେ ଦିଆଯାଇଥିବା ସେହି ଲୋକମାନଙ୍କ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲେ ଯେଉଁମାନେ ଧୈର୍ଯ୍ୟ ଧରିଥିଲେ, ଯେପରି ଆୟୁବ । (ଯାକୁ. ୫:୧୦, ୧୧) ସେମାନେ ଯିହୋବାଙ୍କୁ ସାହସ ପାଇଁ ପ୍ରାର୍ଥନା ବି କଲେ । (ପ୍ରେରି. ୪:୨୯-୩୧) ଆଉ ସେମାନେ ଏକଥାର ବି ଧ୍ୟାନ ରଖିଲେ ଯେ ଯଦି ସେମାନେ ଧୈର୍ଯ୍ୟ ଧରିବେ, ତେବେ ଯିହୋବା ସେମାନଙ୍କୁ ନିଶ୍ଚୟ ପୁରସ୍କାର ଦେବେ ।—ପ୍ରେରି. ୫:୪୧.
୬. ଭଉଣୀ ମେରିଟା ବିରୋଧର ସାମନା କରିବା ପାଇଁ ଯାହା କଲେ, ସେଥିରୁ ଆପଣ କʼଣ ଶିଖିଲେ ?
୬ ଆଜି ଯଦି ଆମେ ବାଇବଲରେ ଓ ଆମ ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ଉଦାହରଣଗୁଡ଼ିକୁ ଲଗାତାର ପଢ଼ିବା ଓ ତାʼଉପରେ ଚିନ୍ତନ କରିବା, ତେବେ ଆମେ ବି ଧୈର୍ଯ୍ୟ ଧରିପାରିବା । ଆଲ୍ବାନିଆରେ ରହୁଥିବା ଭଉଣୀ ମେରିଟା ଏପରି କରିବା ଦ୍ୱାରା ହିଁ ଧୈର୍ଯ୍ୟ ଧରିପାରିଲେ । ତାଙ୍କ ପରିବାର ଲୋକେ ତାଙ୍କୁ ବହୁତ ବିରୋଧ କରୁଥିଲେ ଓ ମାରପିଟ୍ କରୁଥିଲେ । ସେ କହିଲେ, “ମୁଁ ବାଇବଲରେ ଆୟୁବଙ୍କ ଘଟଣା ପଢ଼ିଲି ଓ ତାʼଉପରେ ଚିନ୍ତନ କଲି । ତାଙ୍କ କାହାଣୀ ମୋ ହୃଦୟକୁ ଛୁଇଁ ଗଲା । ଆୟୁବଙ୍କୁ ବହୁତ କିଛି ସହିବାକୁ ପଡ଼ିଲା ! ଆଉ ସେ ତ ଏହା ବି ଜାଣି ନ ଥିଲେ ଯେ ତାଙ୍କ ଉପରେ ଏହି ସମସ୍ୟାଗୁଡ଼ିକ କିଏ ଆଣୁଛି । ତଥାପି ସେ କହିଲେ, “ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ ।” (ଆୟୁ. ୨୭:୫) ଆୟୁବ ଯାହା ସହିଲେ, ତାʼଆଗରେ ମୋ ସମସ୍ୟାଗୁଡ଼ିକ ତ କିଛି ବି ନୁହେଁ । କମ୍ରୁ କମ୍ ମୁଁ ଏହା ତ ଜାଣେ ଯେ ମୋ ଉପରେ ଏହି ପରୀକ୍ଷାଗୁଡ଼ିକ କିଏ ଆଣୁଛି ।”
୭. ହୋଇପାରେ ଆଜି ଆପଣ କୌଣସି ବଡ଼ ସମସ୍ୟାର ସାମନା କରୁ ନ ଥିବେ, ତଥାପି ଆପଣ କʼଣ କରିପାରିବେ ?
୭ ଧୈର୍ଯ୍ୟ ଧରିବା ପାଇଁ ଏହା ବି ଜରୁରୀ ଯେ ଆମେ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କରୁ ଏବଂ ତାଙ୍କୁ ନିଜର ସବୁ ଚିନ୍ତା ଓ ସମସ୍ୟାଗୁଡ଼ିକ କହୁ । (ଫିଲିପ୍. ୪:୬; ୧ ଥେସ. ୫:୧୭) ହୋଇପାରେ, ଏବେ ଆପଣ କୌଣସି ବଡ଼ ସମସ୍ୟାର ସାମନା କରୁ ନ ଥିବେ । କିନ୍ତୁ ଯେବେ ଆପଣ ଚିନ୍ତିତ ହୋଇଯାନ୍ତି କିମ୍ବା ଆପଣଙ୍କୁ କʼଣ କରିବାର ଅଛି, ତାହା ବୁଝା ପଡ଼େନି, ତେବେ ବି କʼଣ ଆପଣ ଯିହୋବାଙ୍କୁ ରାସ୍ତା ଦେଖାଇବା ପାଇଁ କହନ୍ତି ? ଯଦି ଆଜି ଆପଣ ପ୍ରତିଦିନର ଛୋଟ ଛୋଟ କଥାଗୁଡ଼ିକ ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗିବେ, ତେବେ ଆଗକୁ ଯାଇ ଆପଣ ବଡ଼ ବଡ଼ ସମସ୍ୟାଗୁଡ଼ିକରେ ମଧ୍ୟ ଯିହୋବାଙ୍କୁ ସାହାଯ୍ୟ ମାଗିବାରୁ ପଛଘୁଞ୍ଚା ଦେବେନି । ଆଉ ଆପଣଙ୍କୁ ଏକଥାର ଭରସା ଥିବ ଯେ ସେ ଜାଣନ୍ତି, ଠିକ୍ କେବେ ଓ କିପରି ଆପଣଙ୍କୁ ସାହାଯ୍ୟ କରିବେ ।—ଗୀତ. ୨୭:୧, ୩.
ଧୈର୍ଯ୍ୟ
ଯେବେ ଆମେ କୌଣସି ସମସ୍ୟା ସମୟରେ ଧୈର୍ଯ୍ୟ ଧରୁ, ତେବେ ଆମେ ପରେ ଆସୁଥିବା ସମସ୍ୟାର ସାମନା କରିବା ପାଇଁ ପ୍ରସ୍ତୁତ ରହିପାରୁ (ପାରାଗ୍ରାଫ ୮)
୮. ଆଜି ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିବା ଦ୍ୱାରା ଆମେ ଆଗକୁ ବି ଧୈର୍ଯ୍ୟ ଧରିପାରିବା, ଏହି କଥା ଆମକୁ ଭଉଣୀ ମୀରାଙ୍କ ଉଦାହରଣରୁ କିପରି ଜଣାପଡ଼େ ? (ଯାକୁବ ୧:୨-୪) (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ଆଜି ଯଦି ଆମେ ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିବା, ତେବେ ଏହା ସମ୍ଭବ ଯେ ଆମେ ଭବିଷ୍ୟତରେ ମଧ୍ୟ ମହାକ୍ଳେଶ ସମୟରେ ଧୈର୍ଯ୍ୟ ଧରିପାରିବା । (ରୋମୀ. ୫:୩) ଏହା ଆମେ କାହିଁକି କହିପାରିବା ? ଅନେକ ଭାଇଭଉଣୀ ଦେଖିଛନ୍ତି ଯେ ଯେବେ କୌଣସି ସମସ୍ୟା ସମୟରେ ସେମାନେ ଧୈର୍ଯ୍ୟ ଧରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିଲେ, ତେବେ ସେମାନଙ୍କୁ ଆଗକୁ ଆସୁଥିବା ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହାଯ୍ୟ ମିଳିଲା । ଏପରି ଭାବେ ଧୈର୍ଯ୍ୟ ଧରିବା ଯୋଗୁଁ ସେମାନଙ୍କ ଏହି ବିଶ୍ୱାସ ଆହୁରି ବଢ଼ିଗଲା ଯେ ଯିହୋବା ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ବିଶ୍ୱାସ ଦ୍ୱାରା ସେମାନେ ଆଗକୁ ଆସିଥିବା ପରୀକ୍ଷାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିପାରିଲେ । (ଯାକୁବ ୧:୨-୪ ପଢ଼ନ୍ତୁ ।) ଟିକେ ଆଲ୍ବାନିଆରେ ରହୁଥିବା ଭଉଣୀ ମୀରାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଅଗ୍ରଦୂତ ସେବା କରନ୍ତି । ସେ ବି ଦେଖିଲେ ଯେ ଯେପରି ଭାବେ ସେ ପୂର୍ବେ ସମସ୍ୟାଗୁଡ଼ିକ ସମୟରେ ଧୈର୍ଯ୍ୟ ଧରିଲେ, ତାʼଯୋଗୁଁ ହିଁ ସେ ଆଜି ବି ଧୈର୍ଯ୍ୟ ଧରିପାରୁଛନ୍ତି । ଅନେକଥର ଭଉଣୀ ମୀରାଙ୍କୁ ଲାଗେ ଯେ କେବଳ ତାଙ୍କ ଜୀବନରେ ହିଁ ଏତେ ସମସ୍ୟା ଅଛି । କିନ୍ତୁ ସେ ଭାବନ୍ତି ଯେ ଗତ ୨୦ ବର୍ଷରୁ ଯିହୋବା ଅନେକଥର ତାଙ୍କୁ ସମ୍ଭାଳିଛନ୍ତି । ଆଉ ସେ ନିଜକୁ କହନ୍ତି, “ଯିହୋବାଙ୍କ ବିଶ୍ୱସ୍ତ ରହ । ଅନେକ ବର୍ଷ ଯାଏ ଯିହୋବା ତମ ସାହାଯ୍ୟ କଲେ । ଭାବ ତମେ ଆଜି ଯାଏ କେତେ ସମସ୍ୟାଗୁଡ଼ିକୁ ପାର କରିନେଇଛ, କʼଣ ସେସବୁ ପରିଶ୍ରମ ବେକାର ହେବାକୁ ଦେବ ? ଏବେ ହାର୍ ମାନନି ।” ଆପଣ ବି ଭାବିପାରିବେ ଯେ ଏବେ ଯାଏ ସମସ୍ୟା ସମୟରେ ଧୈର୍ଯ୍ୟ ଧରିବା ପାଇଁ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରିଛନ୍ତି । ଭରସା ରଖନ୍ତୁ, ଯେବେ ବି ଆପଣ ସମସ୍ୟା ସମୟରେ ଧୈର୍ଯ୍ୟ ଧରନ୍ତି, ତେବେ ଯିହୋବା ତାʼଉପରେ ଧ୍ୟାନ ଦିଅନ୍ତି ଓ ତାʼପାଇଁ ସେ ଆପଣଙ୍କୁ ପୁରସ୍କାର ଦେବେ । (ମାଥି. ୫:୧୦-୧୨) ଏପରି କରିବା ଦ୍ୱାରା ଯେବେ ଆପଣ ଧୈର୍ଯ୍ୟ ଧରିବା ଶିଖିବେ, ତେବେ ମହାକ୍ଳେଶ ସମୟରେ ସମସ୍ୟାଗୁଡ଼ିକର ସାହସର ସହ ସାମନା କରିବା ପାଇଁ ପ୍ରସ୍ତୁତ ହୋଇପାରିବେ ।
କରୁଣାର ଭାବନା ଦେଖାନ୍ତୁ
୯. ସୁରିଆର ଆନ୍ତିୟଖିଆ ମଣ୍ଡଳୀର ଭାଇଭଉଣୀମାନେ କିପରି ଦେଖାଇଲେ ଯେ ସେମାନଙ୍କ ହୃଦୟରେ କରୁଣାର ଭାବନା ଅଛି ?
୯ ଧ୍ୟାନ ଦିଅନ୍ତୁ ଯେ ଥରେ ଯେବେ ଯିହୁଦାରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା, ତେବେ କʼଣ ହେଲା । ଯେବେ ସୁରିଆର ଆନ୍ତିୟଖିଆ ମଣ୍ଡଳୀର ଭାଇଭଉଣୀମାନେ ଏବିଷୟରେ ଶୁଣିଲେ, ତେବେ ନିଶ୍ଚୟ ସେମାନଙ୍କୁ ଯିହୁଦାର ଭାଇଭଉଣୀମାନଙ୍କ ଉପରେ ଦୟା ଆସିଥିବ ଓ ସେମାନଙ୍କ ହୃଦୟ କରୁଣାରେ ଭରି ଯାଇଥିବ । କେବଳ ଏତିକି ନୁହେଁ, ସେମାନେ ଯିହୁଦାର ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ପଦକ୍ଷେପ ମଧ୍ୟ ନେଲେ । ବାଇବଲରେ ଲେଖାଅଛି ଯେ ଆନ୍ତିୟଖିଆର “ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୁଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ ।” (ପ୍ରେରି. ୧୧:୨୭-୩୦) ଦେଖିବାକୁ ଗଲେ, ସେମାନେ ଯିହୁଦାର ଭାଇଭଉଣୀମାନଙ୍କଠାରୁ ବହୁତ ଦୂରରେ ଥିଲେ, ତଥାପି ସେମାନେ ସେମାନଙ୍କ ସାହାଯ୍ୟ କରିବାରୁ ପଛଘୁଞ୍ଚା ଦେଲେ ନାହିଁ ।—୧ ଯୋହ. ୩:୧୭, ୧୮.
କରୁଣା
ଯଦି ଆମ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣାର ଭାବନା ଥିବ, ତେବେ ପ୍ରାକୃତିକ ବିପତ୍ତି ଆସିଲେ ଆମେ ସେମାନଙ୍କ ସାହାଯ୍ୟ କରିବା (ପାରାଗ୍ରାଫ ୧୦)
୧୦. ଯେବେ କୌଣସି ବିପତ୍ତି ଆସେ, ତେବେ ଆମେ କେଉଁ ଉପାୟଗୁଡ଼ିକରୁ ଦେଖାଇପାରିବା ଯେ ଆମ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣା ଅଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଆଜି ଯେବେ କୌଣସି ପ୍ରାକୃତିକ ବିପତ୍ତି ଆସେ, ତେବେ ଆମେ କିପରି ଦେଖାଇପାରିବା ଯେ ଆମ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣାର ଭାବନା ଅଛି ? ଆମେ ସେମାନଙ୍କ ସାହାଯ୍ୟ କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇପାରିବା । ଆମେ କୌଣସି କାମରେ ସାହାଯ୍ୟ କରିବା ପାଇଁ ପ୍ରାଚୀନମାନଙ୍କ ସହିତ କଥା ହୋଇପାରିବା, ପୂରା ଦୁନିଆରେ ହେଉଥିବା କାମ ପାଇଁ ଦାନ ଦେଇପାରିବା କିମ୍ବା ସେଠାରେ ରହୁଥିବା ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିପାରିବା ।b (ହିତୋ. ୧୭:୧୭) ଉଦାହରଣ ପାଇଁ, ଯେବେ ୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀ ବ୍ୟାପିଥିଲା, ତେବେ ଭାଇଭଉଣୀମାନଙ୍କ ଦେଖାଶୁଣା କରିବା ପାଇଁ ପୂରା ଦୁନିଆରେ ୯୫୦ରୁ ବି ଅଧିକ ବିପତ୍ତି ରିଲିଫ୍ ସମିତି ତିଆରି କରାଗଲା । ଯେଉଁ ଭାଇଭଉଣୀମାନେ ରିଲିଫ୍ କାମରେ ସାହାଯ୍ୟ କରନ୍ତି, ସେମାନେ ସତରେ ପ୍ରଶଂସାର ଯୋଗ୍ୟ ଅଟନ୍ତି । ସେମାନଙ୍କ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣାର ଭାବନା ଅଛି, ତେଣୁ ସେମାନେ ରିଲିଫ୍ ସାମଗ୍ରୀ ପହଞ୍ଚାଇଲେ ଓ ଯିହୋବାଙ୍କ ଲଗାତାର ସେବା କରିବା ପାଇଁ ଭାଇଭଉଣୀମାନଙ୍କୁ ସାହାଯ୍ୟ କଲେ । ଆଉ ଅନେକ ଅଞ୍ଚଳରେ ତ ଭାଇଭଉଣୀମାନଙ୍କ ଘର କିମ୍ବା ଉପାସନାର ଜାଗାଗୁଡ଼ିକର ମଧ୍ୟ ମରାମତି କଲେ କିମ୍ବା ସେଗୁଡ଼ିକୁ ପୁଣିଥରେ ତିଆରି କଲେ ।—୨ କରି. ୮:୧-୪ ପଦ ସହ ତୁଳନା କରନ୍ତୁ ।
୧୧. କରୁଣାର ଭାବନା ଯୋଗୁଁ ଯେବେ ଆମେ ଭାଇଭଉଣୀମାନଙ୍କ ସାହାଯ୍ୟ କରୁ, ତେବେ ସେଥିରୁ କିପରି ଯିହୋବାଙ୍କ ମହିମା ହୁଏ ?
୧୧ ଯେବେ କୌଣସି ବିପତ୍ତି ଆସେ, ତେବେ ଆମେ କରୁଣାରେ ଭରି ନିଜ ତରଫରୁ ଭାଇଭଉଣୀମାନଙ୍କ ପାଇଁ କିଛି କରୁ, ତେବେ ଲୋକମାନେ ତାʼଉପରେ ଧ୍ୟାନ ଦିଅନ୍ତି । ଉଦାହରଣ ପାଇଁ, ୨୦୧୯ ମସିହାରେ ଡୋରିୟନ୍ ନାମକ ଯେବେ ଗୋଟିଏ ଝଡ଼ ତୋଫାନ ଆସିଲା, ତେବେ ବହାମାସ୍ରେ ଆମ ଗୋଟିଏ ରାଜ୍ୟଘର ନଷ୍ଟ ହୋଇଗଲା । ଆମ ଭାଇଭଉଣୀ ଯେବେ ସେହି ରାଜ୍ୟଘରକୁ ନିର୍ମାଣ କରୁଥିଲେ, ତେବେ ସେମାନେ ଜଣେ ଠିକାଦାରକୁ ପଚାରିଲେ ଯେ ସେ ରାଜ୍ୟଘରର କିଛି କାମ କରିବା ପାଇଁ କେତେ ପଇସା ନେବେ । ସେ ସେମାନଙ୍କୁ କହିଲେ, ‘ମୁଁ ଆପଣଙ୍କ ଏହି କାମ ମାଗଣାରେ କରିବି । ମୁଁ ସାମଗ୍ରୀ ବି ଆଣିବି, ସାମାନ ବି ଆଣିବି ଓ ମଜୁରୀର ବି ପଇସା ନେବିନି । ମୁଁ କେବଳ ଆପଣମାନଙ୍କ ସଙ୍ଗଠନ ପାଇଁ ଏହା କରିବାକୁ ଚାହେଁ । ଆପଣମାନେ ନିଜ ସାଙ୍ଗମାନଙ୍କ ଯେପରି ଭାବେ ସାହାଯ୍ୟ କରୁଛନ୍ତି, ତାହା ମୋତେ ବହୁତ ଭଲ ଲାଗିଲା ।’ ଆଜି ଦୁନିଆରେ ଅଧିକାଂଶ ଲୋକ ଯିହୋବାଙ୍କୁ ଜାଣି ନାହାନ୍ତି, କିନ୍ତୁ ସେମଧ୍ୟରୁ ଅନେକ ଲୋକ ଯିହୋବାଙ୍କ ସାକ୍ଷୀମାନଙ୍କ ବ୍ୟବହାର ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତି । ଭାବନ୍ତୁ, ଏହା କେତେ ବଡ଼ କଥା ଅଟେ ଯେ ଆମେ କରୁଣାରେ ଭରି ଯେଉଁ କାମ କରୁ, ସେଗୁଡ଼ିକୁ ଦେଖି ଲୋକମାନଙ୍କ ମନରେ ସତ୍ୟ ଈଶ୍ୱରଙ୍କୁ ଜାଣିବାର ଇଚ୍ଛା ହୋଇପାରେ, ଯିଏ ‘ଦୟାସାଗର ଈଶ୍ୱର ଅଟନ୍ତି ।’—ଏଫି. ୨:୪.
୧୨. ଆଜି ଯଦି ଆମ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣାର ଭାବନା ଥିବ, ତେବେ ଏହା ଯୋଗୁଁ ଆମେ ମହାକ୍ଳେଶ ପାଇଁ କିପରି ପ୍ରସ୍ତୁତ ହୋଇପାରିବା ? (ପ୍ରକାଶିତ ବାକ୍ୟ ୧୩:୧୬, ୧୭)
୧୨ ମହାକ୍ଳେଶ ସମୟରେ ବି ଆମକୁ ନିଜ କାମଗୁଡ଼ିକରୁ ଏହା ଦେଖାଇବାକୁ ପଡ଼ିବ ଯେ ଆମ ହୃଦୟରେ ଭାଇଭଉଣୀମାନଙ୍କ ପାଇଁ କରୁଣାର ଭାବନା ଅଛି । ଏପରି କାହିଁକି ? ବାଇବଲରୁ ଜଣାପଡ଼େ ଯେ ଯେଉଁ ଲୋକମାନେ ଦୁନିଆର ସରକାରଗୁଡ଼ିକୁ ସହଯୋଗ କରନ୍ତି ନାହିଁ, ସେମାନଙ୍କୁ ଆଜି ବି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ଏବଂ ମହାକ୍ଳେଶ ସମୟରେ ବି କରିବାକୁ ପଡ଼ିବ । (ପ୍ରକାଶିତ ବାକ୍ୟ ୧୩:୧୬, ୧୭ ପଢ଼ନ୍ତୁ ।) ହୋଇପାରେ, ସେସମୟରେ ଆମର କିଛି ଭାଇଭଉଣୀମାନଙ୍କ ପାଖରେ ଖାଇବା ପିଇବାର ଜିନିଷ ନ ଥିବ କିମ୍ବା ରହିବା ପାଇଁ ଘର ନ ଥିବ । ଏପରି ସମୟରେ ଯେବେ ଆମେ କରୁଣାରେ ଭରି ନିଜ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା, ତେବେ ଆମ ରାଜା ଯୀଶୁ ଖ୍ରୀଷ୍ଟ ଯେବେ ନ୍ୟାୟ କରିବା ପାଇଁ ଆସିବେ, ତେବେ ସେ ଆମକୁ କହିବେ, ‘ଆସ, ରାଜ୍ୟର ଅଧିକାରୀ ହୁଅ ।’—ମାଥି. ୨୫:୩୪-୪୦.
ଭାଇଭଉଣୀମାନଙ୍କ ପାଇଁ ଲଗାତାର ପ୍ରେମ ବଢ଼ାନ୍ତୁ
୧୩. ଯେପରି ରୋମୀୟ ୧୫:୭ ପଦରେ ପ୍ରୋତ୍ସାହନ ଦିଆଯାଇଛି, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ପରସ୍ପର ମଧ୍ୟରେ ପ୍ରେମର ବନ୍ଧନକୁ କିପରି ଦୃଢ଼ କଲେ ?
୧୩ ପ୍ରଥମ ଶତାବ୍ଦୀରେ ପ୍ରତ୍ୟେକ ଜଣ ଏହା ସ୍ପଷ୍ଟ ଭାବେ ଦେଖିପାରନ୍ତେ ଯେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ କେତେ ପ୍ରେମ ଅଛି । କିନ୍ତୁ କʼଣ ଭାଇଭଉଣୀମାନଙ୍କ ପାଇଁ ପରସ୍ପରକୁ ପ୍ରେମ କରିବା ସହଜ ହୋଇଥିବ ? ଟିକେ ରୋମ ମଣ୍ଡଳୀର ଭାଇଭଉଣୀମାନଙ୍କ ବିଷୟରେ ଭାବନ୍ତୁ । ସେଠାର କିଛି ଭାଇଭଉଣୀମାନେ ଯିହୁଦୀ ଥିଲେ ଓ ସେମାନଙ୍କୁ ଛୋଟ ବେଳୁ ହିଁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ଶିଖା ଯାଇଥିଲା । କିନ୍ତୁ କିଛି ଭାଇଭଉଣୀମାନେ ଅଣଯିହୁଦୀ ଥିଲେ ଓ ସେମାନଙ୍କ ଲାଳନପାଳନ ପୂରାପୂରି ଅଲଗା ପରିବେଶରେ ହୋଇଥିଲା । କିଛି ଖ୍ରୀଷ୍ଟିୟାନ ଦାସ ଥିଲେ ଆଉ କିଛି ମୁକ୍ତ ଥିଲେ । ଆଉ କିଛି ଖ୍ରୀଷ୍ଟିୟାନ ଏପରି ବି ଥିଲେ ଯେଉଁମାନେ ନିଜ ପାଇଁ ଦାସ ରଖିଥିଲେ । ସେହି ଭାଇଭଉଣୀ ପରସ୍ପରଠାରୁ ବହୁତ ଅଲଗା ଥିଲେ, ତଥାପି ସେମାନେ ପରସ୍ପରକୁ ପ୍ରେମ କରୁଥିଲେ । ସେମାନେ ଏହା କିପରି କରିପାରିଲେ ? ପାଉଲ ସେମାନଙ୍କୁ ଅନୁରୋଧ କଲେ, “ପରସ୍ପରକୁ ଗ୍ରହଣ କର ।” (ରୋମୀୟ ୧୫:୭ ପଢ଼ନ୍ତୁ ।) ଏହାର ଅର୍ଥ କʼଣ ଅଟେ ? ଏହି ପଦରେ ଯେଉଁ ଶବ୍ଦର ଅନୁବାଦ “ଗ୍ରହଣ କର” କରାଯାଇଛି, ତାʼର ଅର୍ଥ ହେଉଛି କାହାରି ସହିତ ପ୍ରେମର ସହ ବ୍ୟବହାର କରିବା କିମ୍ବା ଅତିଥି ସତ୍କାର କରିବା, ଯେପରି କାହାରିକୁ ନିଜ ଘରେ ଡାକିବା କିମ୍ବା ସେମାନଙ୍କ ସହିତ ସାଙ୍ଗ ହେବା । ଯେପରି ପାଉଲ ଫିଲୀମୋନଙ୍କୁ କହିଲେ ଯେ ସେ ନିଜ ଦାସ ଅନୀସିମଙ୍କୁ ‘ଗ୍ରହଣ କରନ୍ତୁ’ ଯିଏ ତାଙ୍କ ପାଖରୁ ପଳାଇ ଯାଇଥିଲେ । (ଫିଲୀ. ୧୭) ପ୍ରୀସ୍କା ଓ ଆକ୍ୱିଲା ଆପଲ୍ଲଙ୍କ ସ୍ୱାଗତ କଲେ । ସେ ଖ୍ରୀଷ୍ଟଙ୍କ ଶିକ୍ଷାଗୁଡ଼ିକ ବିଷୟରେ ସେମାନଙ୍କଠାରୁ କମ୍ ଜାଣିଥିଲେ, ତଥାପି ସେମାନେ ତାଙ୍କୁ ନିଜ ସାଙ୍ଗ କଲେ ଓ ‘ତାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖିଲେ ।’ (ପ୍ରେରି. ୧୮:୨୬) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଅଲଗା ଅଲଗା ପରିବେଶରୁ ଥିଲେ ଓ ସମାଜରେ ସେମାନଙ୍କ ଅଲଗା ଅଲଗା ପଦବୀ ଥିଲା । କିନ୍ତୁ ଏହି କାରଣ ଯୋଗୁଁ ସେମାନେ ପରସ୍ପର ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦେଲେ ନାହିଁ, ବରଂ ସେମାନେ ପରସ୍ପରକୁ ଗ୍ରହଣ କଲେ ।
ପ୍ରେମ
ଆମକୁ ସବୁ ଭାଇଭଉଣୀମାନଙ୍କ ପ୍ରେମ ଦରକାର (ପାରାଗ୍ରାଫ ୧୫)
୧୪. ଭଉଣୀ ଏନା ଓ ତାଙ୍କ ସ୍ୱାମୀ କିପରି ଭାବେ ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ ଦେଖାଇଲେ ?
୧୪ ଆମେ ବି ନିଜ ଭାଇଭଉଣୀମାନଙ୍କ ସହିତ ସାଙ୍ଗ ହୋଇ ଓ ସେମାନଙ୍କ ସହିତ ସମୟ ବିତାଇ, ନିଜ ପ୍ରେମ ଦେଖାଇପାରିବା । ତେବେ ସେମାନେ ବି ଆମକୁ ପ୍ରେମ କରିବେ । (୨ କରି. ୬:୧୧-୧୩) ଟିକେ ଭଉଣୀ ଏନା ଓ ତାଙ୍କ ସ୍ୱାମୀଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେମାନଙ୍କୁ ପଶ୍ଚିମ ଆଫ୍ରିକାରେ ମିଶନାରୀ ସେବା କରିବା ପାଇଁ ପଠାଗଲା । ସେହି ଜାଗାକୁ ପହଞ୍ଚିବାର କିଛି ସମୟ ପରେ ହିଁ କୋଭିଡ୍-୧୯ ମହାମାରୀ ଆରମ୍ଭ ହୋଇଗଲା । ତେଣୁ ସେମାନେ ସେଠାର ମଣ୍ଡଳୀର ଭାଇଭଉଣୀମାନଙ୍କୁ ଭେଟିପାରିଲେ ନାହିଁ । ତାହେଲେ ସେମାନେ ଭାଇଭଉଣୀମାନଙ୍କ ପାଇଁ ନିଜ ପ୍ରେମ କିପରି ଦେଖାଇପାରିଲେ ? ସେମାନେ ଭିଡିଓ କଲ୍ କରି ଭାଇଭଉଣୀମାନଙ୍କ ସହିତ କଥାବାର୍ତ୍ତା ହେଲେ ଓ ସେମାନଙ୍କୁ କହିଲେ ଯେ ସେମାନେ ସେମାନଙ୍କୁ ଆହୁରି ଭଲଭାବେ ଜାଣିବା ପାଇଁ ଚାହାନ୍ତି । ସେମାନଙ୍କର ଏହି ପ୍ରେମ ଭାଇଭଉଣୀମାନଙ୍କର ହୃଦୟକୁ ଛୁଇଁ ଗଲା । ତାʼପରେ ସେମାନେ ଭାଇଭଉଣୀମାନଙ୍କୁ ପ୍ରାୟ ଫୋନ୍ କରିବାକୁ ଲାଗିଲେ ଓ ମେସେଜ୍ ପଠାଇବାକୁ ଲାଗିଲେ । ଏହି ସ୍ୱାମୀ ସ୍ତ୍ରୀ ଭାଇଭଉଣୀମାନଙ୍କ ସହ ଚିହ୍ନା ପରିଚୟ ବଢ଼ାଇବା ପାଇଁ କାହିଁକି ଏତେ ପରିଶ୍ରମ କଲେ ? ଭଉଣୀ ଏନା କହନ୍ତି, “ମୋର ଓ ମୋ ପରିବାରର ଭାଇଭଉଣୀମାନେ ଭଲ ଓ ଖରାପ ସମୟରେ ଯେପରି ଭାବେ ସହଯୋଗ କଲେ, ସେମାନଙ୍କ ସେହି ପ୍ରେମ ମୁଁ ଆଜି ଯାଏ ଭୁଲିନି । ତାʼଯୋଗୁଁ ମୋତେ ଇଚ୍ଛା ହୁଏ ଯେ ମୁଁ ବି ଭାଇଭଉଣୀମାନଙ୍କୁ ସେହିପରି ପ୍ରେମ କରେ ।”
୧୫. ସମସ୍ତ ଭାଇଭଉଣୀମାନଙ୍କୁ ପ୍ରେମ କରିବା ବିଷୟରେ ଆପଣ ଭଉଣୀ ୱନେସାଙ୍କଠାରୁ କʼଣ ଶିଖିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୫ ଅନେକ ମଣ୍ଡଳୀଗୁଡ଼ିକରେ ଏପରି ଭାଇଭଉଣୀମାନେ ଅଛନ୍ତି, ଯେଉଁମାନଙ୍କ ଲାଳନପାଳନ ଅଲଗା ଅଲଗା ପରିବେଶରେ ହୋଇଛି ଓ ସେମାନଙ୍କ ସ୍ୱଭାବ ବି ଅଲଗା ଅଲଗା ଅଛି । ଯଦି ଆମେ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ ସେମାନଙ୍କ ପାଇଁ ଆମ ପ୍ରେମ ବଢ଼ିପାରେ । ନ୍ୟୁଜିଲ୍ୟାଣ୍ଡରେ ସେବା କରୁଥିବା ଭଉଣୀ ୱନେସାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ନିଜ ମଣ୍ଡଳୀର କିଛି ଭାଇଭଉଣୀଙ୍କ ସହ ସାଙ୍ଗ ହେବା ବହୁତ କଠିନ ଲାଗୁଥିଲା, କାରଣ ସେହି ଭାଇଭଉଣୀମାନଙ୍କ ସ୍ୱଭାବ ଏପରି ଥିଲା ଯେଉଁଥିରୁ ସେ ବହୁତ ବିରକ୍ତ ହୋଇଯାଉଥିଲେ । କିନ୍ତୁ ସେ ଭାବିଲେ ଯେ ସେ ସେହି ଭାଇଭଉଣୀମାନଙ୍କଠାରୁ ଦୂରେ ରହିବା ପରିବର୍ତ୍ତେ, ସେମାନଙ୍କ ସହିତ ଆହୁରି ସମୟ ବିତାଇବେ । ଏପରି କରିବା ଦ୍ୱାରା ସେ ଜାଣିପାରିଲେ ଯେ ସେମାନଙ୍କଠାରେ ଏପରି କେଉଁ ଗୁଣ ଅଛି, ଯାହା ଯିହୋବାଙ୍କୁ ବହୁତ ପସନ୍ଦ । ସେ କହନ୍ତି, “ଏବେ ମୋ ସ୍ୱାମୀ ଜଣେ ସର୍କିଟ ଅଧ୍ୟକ୍ଷ ଅଟନ୍ତି ଓ ଆମେ ଏପରି ଅନେକ ଭାଇଭଉଣୀମାନଙ୍କୁ ଭେଟୁ, ଯେଉଁମାନଙ୍କ ସ୍ୱଭାବ ଆମଠାରୁ ପୂରାପୂରି ଅଲଗା ଅଛି । ଆଉ ମୁଁ ସହଜରେ ସେମାନଙ୍କ ସହ ମିଶି ଯାଏ । ମୋତେ ଅଲଗା ଅଲଗା ଭାଇଭଉଣୀମାନଙ୍କ ସହିତ ଭେଟିବା ବହୁତ ଭଲ ଲାଗେ । ଯିହୋବା ବି ଅଲଗା ଅଲଗା ପ୍ରକାରର ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି, ଏହି କାରଣ ଯୋଗୁଁ ହିଁ ସେ ସବୁ ପ୍ରକାରର ଲୋକମାନଙ୍କୁ ନିଜ ତରଫକୁ ଟାଣିଛନ୍ତି ।” ଯେବେ ଆମେ ଯିହୋବାଙ୍କ ଭଳି ଭାଇଭଉଣୀମାନଙ୍କ ଭଲ ଗୁଣଗୁଡ଼ିକୁ ଦେଖିବା, ତେବେ ଦେଖାଇବା ଯେ ଆମେ ସେମାନଙ୍କୁ ପ୍ରେମ କରୁ ।—୨ କରି. ୮:୨୪.
ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ଭାଇଭଉଣୀମାନଙ୍କ ସହ ମିଶି ତାଙ୍କ ଉପାସନା କରିବା ଜାରି ରଖିବା, ତେବେ ମହାକ୍ଳେଶ ସମୟରେ ସେ ଆମର ରକ୍ଷା କରିବେ (ପାରାଗ୍ରାଫ ୧୬)
୧୬. ମହାକ୍ଳେଶ ସମୟରେ ଭାଇଭଉଣୀମାନଙ୍କୁ ପ୍ରେମ କରିବା କାହିଁକି ବହୁତ ଜରୁରୀ ହୋଇଯିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ମହାକ୍ଳେଶ ସମୟରେ ବି ଆମକୁ ଭାଇଭଉଣୀମାନଙ୍କୁ ପ୍ରେମ କରିବାକୁ ପଡ଼ିବ । ଯେବେ ମହାକ୍ଳେଶ ଆରମ୍ଭ ହେବ, ତେବେ ଯିହୋବା କିପରି ଆମର ରକ୍ଷା କରିବେ ? ଧ୍ୟାନ ଦିଅନ୍ତୁ ଯେ ପ୍ରାଚୀନ ସମୟରେ ଯେବେ ବାବିଲ ଉପରେ ଆକ୍ରମଣ କରାଗଲା, ତେବେ ଯିହୋବା ନିଜ ଲୋକମାନଙ୍କୁ କʼଣ ପରାମର୍ଶ ଦେଲେ । ସେ ସେମାନଙ୍କୁ କହିଲେ, “ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ ।” (ଯିଶା. ୨୬:୨୦) ମହାକ୍ଳେଶ ସମୟରେ ବି ଯିହୋବାଙ୍କ ଲୋକମାନଙ୍କୁ କିଛି ଏପରି ହିଁ କରିବାକୁ ପଡ଼ିପାରେ । “ଅନ୍ତରାଳୟ” ବା ଭିତର କୋଠରୀର ଅର୍ଥ ଆମ ମଣ୍ଡଳୀଗୁଡ଼ିକ ହୋଇପାରେ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ନିଜ ଭାଇଭଉଣୀମାନଙ୍କ ସହ ମିଶି ତାଙ୍କ ଉପାସନା କରିବା ଜାରି ରଖିବା, ତାହେଲେ ମହାକ୍ଳେଶ ସମୟରେ ସେ ଆମର ରକ୍ଷା କରିବେ । ତେଣୁ ଏହା ବହୁତ ଜରୁରୀ ଯେ ଆଜି ଆମେ ନିଜ ଭାଇଭଉଣୀମାନଙ୍କ ଦୁର୍ବଳତାଗୁଡ଼ିକୁ କେବଳ ସହ୍ୟ କରୁ ତାହା ନୁହେଁ, ବରଂ ସେମାନଙ୍କୁ ପ୍ରକୃତ ପ୍ରେମ କରୁ ଯଦିଓ ଏପରି କରିବା ଆମକୁ କଠିନ ଲାଗେ । ଏପରି କରିବା ଦ୍ୱାରା ଆଗକୁ ଯାଇ ଆମର ଜୀବନ ବଞ୍ଚିବ !
ଏବେଠୁ ପ୍ରସ୍ତୁତି କରନ୍ତୁ
୧୭. ଯଦି ଆମେ ଏବେଠୁ ନିଜକୁ ପ୍ରସ୍ତୁତ ରଖିବା, ତେବେ ମହାକ୍ଳେଶ ସମୟରେ ଆମେ କʼଣ କରିପାରିବା ?
୧୭ ଯେବେ ‘ଯିହୋବାଙ୍କ ମହାଦିନ’ ଆରମ୍ଭ ହେବ, ତେବେ ସମସ୍ତ ଲୋକମାନଙ୍କ ପାଇଁ ତାହା ବହୁତ କଠିନ ସମୟ ଥିବ । (ସିଫ. ୧:୧୪, ୧୫) ଯିହୋବାଙ୍କ ଲୋକମାନଙ୍କୁ ମଧ୍ୟ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ । କିନ୍ତୁ ଯଦି ଆମେ ଏବେଠୁ ନିଜକୁ ପ୍ରସ୍ତୁତ ରଖିବା, ତେବେ ଆମେ ସେସମୟରେ ଶାନ୍ତ ରହିପାରିବା ଓ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା । ଆମ ଆଗରେ ଯେକୌଣସି ବି ସମସ୍ୟା ଆସୁ ନା କାହିଁକି, ଆମେ ଧୈର୍ଯ୍ୟ ଧରିପାରିବା । ଆଉ ଯେବେ ଆମ ଭାଇଭଉଣୀମାନେ କୌଣସି ସମସ୍ୟାର ସାମନା କରୁଥିବେ, ତେବେ ଆମ ହୃଦୟରେ ସେମାନଙ୍କ ପାଇଁ କରୁଣାର ଭାବନା ଥିବ । ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ଆମ ଦ୍ୱାରା ଯେତେ ସମ୍ଭବ, ଆମେ ସେତେ କରିବା । ଆଉ ଯଦି ଆଜି ଆମେ ଭାଇଭଉଣୀମାନଙ୍କୁ ପ୍ରେମ କରିବା, ତାହେଲେ ସେସମୟରେ ମଧ୍ୟ ସେମାନଙ୍କୁ ସହଯୋଗ କରିବା ଛାଡ଼ିବାନି । ତାʼପରେ ଯିହୋବା ଆମକୁ ନୂଆ ଦୁନିଆରେ ଅନନ୍ତ ଜୀବନ ଦେବେ, ଯେଉଁଠି ସବୁ ବିପତ୍ତି ଓ ସମସ୍ୟାଗୁଡ଼ିକ ପୂର୍ବ କଥା ହୋଇଯାଇଥିବ ।—ଯିଶା. ୬୫:୧୭.
ଗୀତ ୧୪୪ ରଖୋ ତୁମ୍ ଇନାମ୍ ପେ ନଜର୍ !
a ଖୁବ୍ ଶୀଘ୍ର ମହାକ୍ଳେଶ ଆରମ୍ଭ ହେବାକୁ ଯାଉଛି । ତାହା ବହୁତ କଠିନ ସମୟ ଥିବ । ସେହି ସମୟରେ ଏପରି ଘଟଣାଗୁଡ଼ିକ ଘଟିବ ଯାହା ଏବେ ଯାଏ ଘଟି ନାହିଁ । ଯଦି ଆମେ ଆଜି ଧୈର୍ଯ୍ୟ ଧରିବା, ଭାଇଭଉଣୀମାନଙ୍କୁ ପ୍ରେମ କରିବା ଓ ସେମାନଙ୍କ ପାଇଁ ଆମ ହୃଦୟରେ କରୁଣାର ଭାବନା ଥିବ, ତେବେ ଆମେ ସେହି ସମୟର ସାମନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବା । ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ଏହି ଗୁଣ କିପରି ଦେଖାଇଲେ, ଆମେ ସେମାନଙ୍କ ଭଳି କିପରି ହୋଇପାରିବା । ଆଉ ଏହି ଗୁଣଗୁଡ଼ିକ ଦେଖାଇବା ଦ୍ୱାରା ଆମେ ମହାକ୍ଳେଶ ପାଇଁ କିପରି ପ୍ରସ୍ତୁତ ରହିପାରିବା ।
b ଯେଉଁ ଭାଇଭଉଣୀମାନେ ରିଲିଫ୍ କାମ ପାଇଁ ସାହାଯ୍ୟ କରିବାକୁ ଚାହାନ୍ତି, ସେମାନଙ୍କୁ ‘ସ୍ଥାନୀୟ ଯୋଜନା ଓ ନିର୍ମାଣ କାମର’ ଫର୍ମ (DC-50) କିମ୍ବା ‘ସ୍ୱେଚ୍ଛାସେବା କାର୍ଯ୍ୟକ୍ରମ’ ପାଇଁ ଫର୍ମ (A-19) ଭରିବା ଉଚିତ୍ । ଆଉ ଯେବେ ଯାଏ ସେମାନଙ୍କୁ ଡକା ନ ଯାଏ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ।