ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଜୁଲାଇ ପୃଷ୍ଠା ୧୪-୧୯
  • ‘ସୁସ୍ଥିର ଓ ଅଟଳ ରହ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ସୁସ୍ଥିର ଓ ଅଟଳ ରହ’
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଅଟଳ ରହିବା ପାଇଁ କʼଣ କରିବା ?
  • ଶୟତାନ ଆମ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ
  • ଆମେ କିପରି ସୁସ୍ଥିର ରହିପାରିବା ?
  • ଅଟଳ ରହିବା ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ
  • ଦୃଢ଼ ରୁହ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଈଶ୍ୱରଙ୍କ ପରି ଜୀବନକୁ ବହୁମୂଲ୍ୟ ମନେ କରନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଜଣେ ନୂଆ ମୁଖିଆ ଏବଂ ଦୁଇ ଜଣ ସାହସୀ ସ୍ତ୍ରୀ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଜୁଲାଇ ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୩୧

‘ସୁସ୍ଥିର ଓ ଅଟଳ ରହ’

‘ହେ ମୋହର ପ୍ରିୟ ଭାଇମାନେ, ସୁସ୍ଥିର ଓ ଅଟଳ ରହ ।’—୧ କରି. ୧୫:୫୮.

ଗୀତ ୧୨୨ ଅଟଲ୍‌ ରହେଁ !

ଲେଖାର ଝଲକa

୧-୨. ଖ୍ରୀଷ୍ଟିୟାନମାନେ କିପରି ଗୋଟିଏ ବଡ଼ ବିଲ୍‌ଡିଙ୍ଗ ଭଳି ଅଟନ୍ତି ? (୧ କରିନ୍ଥୀୟ ୧୫:୫୮)

୧୯୭୮ ମସିହାରେ ଜାପାନର ଟୋକିୟୋ ସହରରେ ଗୋଟିଏ ୬୦ ତାଲା ବିଲ୍‌ଡିଙ୍ଗ ତିଆରି କରାଗଲା । ସେଠାରେ ପ୍ରାୟ ଭୂମିକମ୍ପ ଆସେ, ତେଣୁ ଲୋକେ ଭାବିବାକୁ ଲାଗିଲେ ଯେ ଏହି ବିଲ୍‌ଡିଙ୍ଗ ଭାଙ୍ଗିଯିବ । କିନ୍ତୁ ଏହାର କିଛି ବି କ୍ଷତି ହେଲାନି । କାରଣ ଏହାକୁ ଦୃଢ଼ ଓ ନମନୀୟ ଭାବେ ତିଆରି କରାଯାଇଥିଲା, ଯାହାଦ୍ୱାରା ଏହା ଭୂମିକମ୍ପର ପ୍ରଭାବକୁ ସହିପାରୁ । ଦେଖିବାକୁ ଗଲେ ଖ୍ରୀଷ୍ଟିୟାନମାନେ ବି ଏହି ବଡ଼ ବିଲ୍‌ଡିଙ୍ଗ ଭଳି ଅଟନ୍ତି । ତାହା କିପରି ?

୨ ଜଣେ ଖ୍ରୀଷ୍ଟିୟାନକୁ ଅଟଳ ଓ ଦୃଢ଼ ରହିବା ଉଚିତ୍‌, କିନ୍ତୁ ତାକୁ ପରିବର୍ତ୍ତନ କରିବା ପାଇଁ ବି ପ୍ରସ୍ତୁତ ରହିବା ଉଚିତ୍‌ । ଯେବେ ଯିହୋବାଙ୍କ ନିୟମ ମାନିବା ଓ ତାଙ୍କ ସ୍ତରଗୁଡ଼ିକ ଅନୁସାରେ ଚାଲିବାର ମାମଲା ଆସେ, ତେବେ ତାକୁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ସେ ଯେକୌଣସି ବି ପରିସ୍ଥିତିରେ ଏପରି କରିବ । (୧ କରିନ୍ଥୀୟ ୧୫:୫୮ ପଢ଼ନ୍ତୁ ।) ତାକୁ ଯିହୋବାଙ୍କ ଆଜ୍ଞା ପାଳନ କରିବା ପାଇଁ “ବାଧ୍ୟ” ଅର୍ଥାତ୍‌ ପ୍ରସ୍ତୁତ ରହିବା ଉଚିତ୍‌ ଓ କେବେ ବି ତାଙ୍କ ସ୍ତରଗୁଡ଼ିକୁ ଅଣଦେଖା କରିବା ଉଚିତ୍‌ ନୁହେଁ । କିନ୍ତୁ ତାʼସହ ତାକୁ “ମୃଦୁଶୀଳ” ବ୍ୟକ୍ତି ବି ହେବା ଉଚିତ୍‌ ଆଉ ଯେବେ ଦରକାର ପଡ଼େ ଓ ସମ୍ଭବ ହେଲେ, ପରିବର୍ତ୍ତନ କରିବା ପାଇଁ ବି ପ୍ରସ୍ତୁତ ରହିବା ଉଚିତ୍‌ । (ଯାକୁ. ୩:୧୭) ଏପରି ଖ୍ରୀଷ୍ଟିୟାନ ଗୋଟେ କଥାରେ ଅଡ଼ି ରହେନି ଆଉ ଏପରି ଭାବେନି ଯେ ଆମେ କିଛି ବି କରିଲେ ଚଳିବ । ଏହି ଲେଖାରେ ଜାଣିବା ଯେ ଆମେ କିପରି ଅଟଳ ରହିପାରିବା । ତାʼପରେ ଏପରି ପାଞ୍ଚଟି ଉପାୟ ଉପରେ ଧ୍ୟାନ ଦେବା, ଯାହାଯୋଗୁଁ ଶୟତାନ ଅଟଳ ରହିବାର ଆମ ନିଷ୍ପତ୍ତିକୁ ଦୁର୍ବଳ କରିବାକୁ ଚେଷ୍ଟା କରେ ଓ ଜାଣିବା ଯେ ଆମେ କିପରି ତାʼର ଫାନ୍ଦଗୁଡ଼ିକୁ ବିଫଳ କରିପାରିବା ।

ଅଟଳ ରହିବା ପାଇଁ କʼଣ କରିବା ?

୩. ପ୍ରେରିତ ୧୫:୨୮, ୨୯ ପଦରେ ଯିହୋବାଙ୍କ କେଉଁ ନିୟମଗୁଡ଼ିକ ବିଷୟରେ କୁହାଯାଇଛି ?

୩ ଯିହୋବାଙ୍କ ପାଖରେ ସବୁଠୁ ବେଶି ଅଧିକାର ଅଛି ଯେ ସେ ହିଁ ନିୟମ ତିଆରି କରନ୍ତୁ ଓ ସେ ନିଜ ଲୋକଙ୍କୁ ସ୍ପଷ୍ଟ ଭାବେ ନିୟମ ଦେଇଛନ୍ତି । (ଯିଶା. ୩୩:୨୨) ଉଦାହରଣ ପାଇଁ, ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ ଏପରି ତିନୋଟି ମାମଲା ବିଷୟରେ କହିଲା, ଯେଉଁଥିରେ ଖ୍ରୀଷ୍ଟିୟାନମାନଙ୍କୁ ଅଟଳ ରହିବା ଉଚିତ୍‌: (୧) ସେମାନଙ୍କୁ ମୂର୍ତ୍ତିପୂଜାଠାରୁ ଦୂରେଇ ରହିବା ଓ କେବଳ ଯିହୋବାଙ୍କ ଉପାସନା କରିବା ଉଚିତ୍‌, (୨) ରକ୍ତକୁ ପବିତ୍ର ମନେକରିବା ଉଚିତ୍‌ ଓ (୩) ବାଇବଲରେ ଦିଆଯାଇଥିବା ଯିହୋବାଙ୍କ ଉଚ୍ଚ ନୈତିକ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା ଉଚିତ୍‌ । (ପ୍ରେରିତ ୧୫:୨୮, ୨୯ ପଢ଼ନ୍ତୁ ।) ଆଜି ଖ୍ରୀଷ୍ଟିୟାନମାନେ ଏହି ତିନୋଟି ମାମଲାରେ କିପରି ଅଟଳ ରହିପାରିବେ ?

୪. ଆମେ କିପରି ଦେଖାଉ ଯେ ଆମେ କେବଳ ଯିହୋବାଙ୍କ ଉପାସନା କରୁ ? (ପ୍ରକାଶିତ ବାକ୍ୟ ୪:୧୧)

୪ ଆମେ ମୂର୍ତ୍ତିପୂଜାଠାରୁ ଦୂରେଇ ରହୁ ଓ କେବଳ ଯିହୋବାଙ୍କ ଉପାସନା କରୁ । ଯିହୋବା ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଇଥିଲେ ଯେ ସେମାନେ କେବଳ ତାଙ୍କର ଉପାସନା କରନ୍ତୁ । (ଦ୍ୱିବି. ୫:୬-୧୦) ଆଉ ଯେବେ ଶୟତାନ ଯୀଶୁଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କଲା, ତେବେ ଯୀଶୁ ସ୍ପଷ୍ଟ ଭାବେ କହିଲେ ଯେ ଆମକୁ କେବଳ ଯିହୋବାଙ୍କ ଉପାସନା କରିବା ଉଚିତ୍‌ । (ମାଥି. ୪:୮-୧୦) ତେଣୁ ଆମେ ମୂର୍ତ୍ତିପୂଜା କରି ନ ଥାଉ । ଆମେ ମଣିଷମାନଙ୍କୁ ମଧ୍ୟ ଈଶ୍ୱରଙ୍କ ସ୍ଥାନ ଦେଇ ନ ଥାଉ । ଯେପରି, ଧର୍ମଗୁରୁ, ବଡ଼ ବଡ଼ ରାଜନେତା, ଖେଳାଳି କିମ୍ବା ଫିଲ୍ମ ଅଭିନେତାମାନଙ୍କୁ । ଆମ ଈଶ୍ୱର କେବଳ ଯିହୋବା ଅଟନ୍ତି ଓ ଆମେ କେବଳ ତାଙ୍କ ଉପାସନା କରୁ, କାରଣ ତାଙ୍କ ଦ୍ୱାରା ହିଁ ସବୁକିଛି “ସୃଷ୍ଟ ହୋଇଅଛି ।”—ପ୍ରକାଶିତ ବାକ୍ୟ ୪:୧୧ ପଢ଼ନ୍ତୁ ।

୫. ଆମେ ଜୀବନ ଓ ରକ୍ତକୁ କାହିଁକି ପବିତ୍ର ମନେକରୁ ?

୫ ଆମେ ଯିହୋବାଙ୍କ ନିୟମ ଅନୁସାରେ ଜୀବନ ଓ ରକ୍ତକୁ ପବିତ୍ର ମନେକରୁ । କାହିଁକି ? କାରଣ ଜୀବନ ଯିହୋବାଙ୍କ ତରଫରୁ ମିଳିଥିବା ଗୋଟିଏ ବହୁମୂଲ୍ୟ ଉପହାର ଅଟେ ଓ ରକ୍ତ ଜୀବନର ପ୍ରତୀକ ଅଟେ । (ଲେବୀ. ୧୭:୧୪) ଯେବେ ଯିହୋବା ପ୍ରଥମଥର ମଣିଷମାନଙ୍କୁ ଜୀବଜନ୍ତୁର ମାଂସ ଖାଇବା ପାଇଁ ଅନୁମତୀ ଦେଲେ, ତେବେ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେମାନେ ରକ୍ତ ଖାଆନ୍ତୁ ନାହିଁ । (ଆଦି. ୯:୪) ଆଉ ଯେବେ ସେ ମୋଶାଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ ନିୟମ ଦେଲେ, ତେବେ ବି ସେ ଏହି ଆଜ୍ଞା ଦୋହରାଇଲେ । (ଲେବୀ. ୧୭:୧୦) ଆଉ ପ୍ରଥମ ଶତାବ୍ଦୀରେ ପ୍ରଶାସନ ଦଳ ଜରିଆରେ ବି ସେ ଏହା ହିଁ ନିର୍ଦ୍ଦେଶ ଦେଲେ ଯେ ‘ରକ୍ତରୁ . . . ଆପଣା ଆପଣାକୁ ରକ୍ଷା’ କର । (ପ୍ରେରି. ୧୫:୨୮, ୨୯) ତେଣୁ ଆଜି ଯେବେ ଆମକୁ ଚିକିତ୍ସା ମାମଲାରେ କୌଣସି ନିଷ୍ପତ୍ତି ନେବାର ଥାଏ, ତେବେ ବି ଆମେ ତାଙ୍କ ଆଜ୍ଞା ପାଳନ କରୁ ।b

୬. ଯିହୋବାଙ୍କ ଉଚ୍ଚ ନୈତିକ ସ୍ତରଗୁଡ଼ିକୁ ମାନିବା ପାଇଁ ଆମେ କେଉଁ ପଦକ୍ଷେପଗୁଡ଼ିକ ନେଉ ?

୬ ଆମେ ସବୁ ପରିସ୍ଥିତିରେ ଯିହୋବାଙ୍କ ଉଚ୍ଚ ନୈତିକ ସ୍ତରଗୁଡ଼ିକୁ ମାନିଥାଉ । (ଏବ୍ରୀ ୧୩:୪) ପ୍ରେରିତ ପାଉଲ ଆମକୁ କହିଲେ ଯେ ଆମେ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ “ମୃତ” କରିଦେବା ଉଚିତ୍‌ । ତାʼଅର୍ଥ ଯଦି ଆମ ମନରେ କିଛି ଖରାପ ଇଚ୍ଛାଗୁଡ଼ିକ ଆସେ, ତେବେ ସେଗୁଡ଼ିକୁ ତୁରନ୍ତ ବାହାର କରିବା ପାଇଁ ଆମେ କିଛି ଦୃଢ଼ ପଦକ୍ଷେପ ନେବା ଉଚିତ୍‌ । ଯେପରି, ଆମେ ଏପରି କିଛି ଦେଖିବାନି କିମ୍ବା ଏପରି କିଛି କାମ କରିବାନି, ଯାହାଦ୍ୱାରା ଆଗକୁ ଯାଇ ଆମେ ଅନୈତିକ କାମ କରିଦେଉ । (କଲ. ୩:୫; ଆୟୁ. ୩୧:୧) ଯଦି ଆମ ମନରେ କୌଣସି ଖରାପ ଇଚ୍ଛା ଆସେ, ତେବେ ଆମେ ତୁରନ୍ତ ନିଜ ମନରୁ ସେଗୁଡ଼ିକୁ ବାହାର କରିଦେଉ କିମ୍ବା ଯଦି ଆମକୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରାଯାଏ, ସେସମୟରେ ବି ଆମେ ମନା କରିଦେଉ । ଆମେ ଚାହୁଁନୁ ଯେ କୌଣସି ବି କାରଣ ଯୋଗୁଁ ଯିହୋବାଙ୍କ ସହ ଆମ ବନ୍ଧୁତା ଭାଙ୍ଗିଯାଉ ।

୭. ଆମେ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଓ କାହିଁକି ?

୭ ଯିହୋବା ଚାହାନ୍ତି ଯେ ଆମେ ‘ହୃଦୟ ସହ ଆଜ୍ଞା ମାନୁ ।’ (ରୋମୀ. ୬:୧୭) ତାଙ୍କ ଆଜ୍ଞା ମାନିଲେ ସବୁବେଳେ ଆମର ମଙ୍ଗଳ ହୁଏ, କିନ୍ତୁ ଏପରି ହୋଇପାରିବନି ଯେ ଆମେ ତାଙ୍କ କିଛି ଆଜ୍ଞାକୁ ମାନିବା ଓ କିଛିକୁ ନୁହେଁ । (ଯିଶା. ୪୮:୧୭, ୧୮; ୧ କରି. ୬:୯, ୧୦) ଆମେ ନିଜ ସବୁ କଥାରୁ ଯିହୋବାଙ୍କ ହୃଦୟ ଖୁସି କରିବା ପାଇଁ ପୂରା ଚେଷ୍ଟା କରୁ । ଗୀତସଂହିତାର ଲେଖକଙ୍କ ଭଳି ‘ଆମେ ଶେଷ ପର୍ଯ୍ୟନ୍ତ ସର୍ବଦା ଈଶ୍ୱରଙ୍କ ବିଧିସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛୁ ।’ (ଗୀତ. ୧୧୯:୧୧୨) କିନ୍ତୁ ଶୟତାନ ଆମ ଏହି ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ । ଏପରି କରିବା ପାଇଁ ସେ ଅନେକ ଫାନ୍ଦ ଆପଣାଏ ?

ଶୟତାନ ଆମ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ

୮. ଶୟତାନ କିପରି ଭାବେ ଆମ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ ?

୮ ଅତ୍ୟାଚାର । ଶୟତାନ ଆମ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଅନେକ ଉପାୟ ଆପଣାଇ ଆମ ଉପରେ ଅତ୍ୟାଚାର କରେ । ଅନେକଥର ଆମକୁ ମାରପିଟ୍‌ କରାଯାଏ ଓ ଯିହୋବାଙ୍କ ସ୍ତରଗୁଡ଼ିକୁ ନ ମାନିବା ପାଇଁ ଚାପ ପକାଯାଏ । ଶୟତାନ ଏହି ସୁଯୋଗ ଖୋଜୁଥାଏ ଯେ କେବେ ଆମକୁ “ଗ୍ରାସିବ” ଅର୍ଥାତ୍‌ ଯିହୋବାଙ୍କ ସହ ଆମ ସମ୍ପର୍କକୁ ଭାଙ୍ଗିଦେବ । (୧ ପିତ. ୫:୮) ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଧମକ ଦିଆଗଲା, ମାରପିଟ୍‌ କରାଗଲା ଓ ଅନେକ ଖ୍ରୀଷ୍ଟିୟାନଙ୍କୁ ଜୀବନରୁ ମାରି ଦିଆଗଲା । କାରଣ ସେମାନେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କ ଆଜ୍ଞା ପାଳନ କରିବେ । (ପ୍ରେରି. ୫:୨୭, ୨୮, ୪୦; ୭:୫୪-୬୦) ଶୟତାନ ଆଜି ବି ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରୁଛି । ଏହା ଆଜି ଆମେ ରୁଷ ଓ ଅନ୍ୟ ଦେଶଗୁଡ଼ିକରେ ସ୍ପଷ୍ଟ ଦେଖିପାରୁ, ଯେଉଁଠି ଭାଇଭଉଣୀମାନଙ୍କୁ ନିର୍ଦ୍ଦୟୀ ଭାବେ ଅତ୍ୟାଚାର କରାଯାଉଛି ଓ ସେମାନଙ୍କ ବିରୋଧ କରାଯାଉଛି ।

୯. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଆମକୁ ଲୁଚିକି କରାଯାଉଥିବା ଆକ୍ରମଣଗୁଡ଼ିକରୁ କାହିଁକି ସାବଧାନ ରହିବା ଉଚିତ୍‌ ।

୯ ଲୁଚିକି କରାଯାଉଥିବା ଆକ୍ରମଣ । ଶୟତାନ ଆମକୁ ସାମନାରୁ ଆକ୍ରମଣ କରିବା ସହିତ ‘ଚାତୁରିର’ ସହ ଅନେକ ଉପାୟ ଆପଣାଇ ଆକ୍ରମଣ କରେ । (ଏଫି. ୬:୧୧) ଟିକେ ଭାଇ ବୋବ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କର ଗୋଟିଏ ବଡ଼ ଅପରେସନ୍‌ ହେବାର ଥିଲା, ଯାହାଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଡାକ୍ତରଙ୍କୁ କହିଲେ ଯେ ସେ ଯେକୌଣସି ବି ପରିସ୍ଥିତିରେ ରକ୍ତ ନେବେନି । ତାଙ୍କର ଅପରେସନ୍‌ କରୁଥିବା ଡାକ୍ତର ମାନିଗଲେ । କିନ୍ତୁ ଅପରେସନ୍‌ର ଗୋଟେ ରାତି ପୂର୍ବେ ଭାଇଙ୍କ ପରିବାର ଲୋକେ ଘରକୁ ଚାଲିଗଲେ, ତେବେ ଅନ୍ୟ ଡାକ୍ତର (ବେହୋସ କରିବାର ଡାକ୍ତର) ଭାଇଙ୍କୁ ଭେଟିବା ପାଇଁ ଆସିଲେ । ସେ ଭାଇଙ୍କୁ କହିଲେ, ଦେଖିବାକୁ ଗଲେ ରକ୍ତର ଦରକାର ପଡ଼ିବନି, କିନ୍ତୁ ରକ୍ତ ନିଜ ପାଖରେ ରଖିବାରେ ଅସୁବିଧା କʼଣ ଅଛି, ଯଦି ଆବଶ୍ୟକ ହୁଏ ତାହେଲେ ତାହା କାମରେ ଆସିବ । ହୁଏତ ସେହି ଡାକ୍ତର ଭାବିଥିବେ ଯେ ଯେବେ ଭାଇଙ୍କ ପରିବାର ଲୋକେ ତାଙ୍କ ପାଖରେ ନ ଥିବେ, ତେବେ ସେ ନିଜ ମନ ପରିବର୍ତ୍ତନ କରିଦେବେ । କିନ୍ତୁ ଭାଇ ବୋବ୍‌ ନିଜ ନିଷ୍ପତ୍ତିରେ ଅଟଳ ରହିଲେ । ସେ ଡାକ୍ତରଙ୍କୁ ସ୍ପଷ୍ଟ ଭାବେ କହିଲେ ଯେ ସେ ଯେକୌଣସି ପରିସ୍ଥିତିରେ ବି ରକ୍ତ ଚଢ଼ାଇବେ ନାହିଁ ।

୧୦. ଦୁନିଆର ଲୋକମାନଙ୍କ ଭଳି ଚିନ୍ତାଧାରା ଆମ ପାଇଁ କାହିଁକି ଫାନ୍ଦ ହୋଇପାରେ ? (୧ କରିନ୍ଥୀୟ ୩:୧୯, ୨୦)

୧୦ ଦୁନିଆର ଲୋକମାନଙ୍କ ଚିନ୍ତାଧାରା । ଯଦି ଆମେ ଦୁନିଆର ଲୋକଙ୍କ ଭଳି ଭାବିବା, ତାହେଲେ ଆମେ ଯିହୋବାଙ୍କଠାରୁ ଦୂରେଇ ଯାଇପାରିବା ଓ ତାଙ୍କ ସ୍ତରଗୁଡ଼ିକୁ ଅଣଦେଖା କରିପାରିବା । (୧ କରିନ୍ଥୀୟ ୩:୧୯, ୨୦ ପଢ଼ନ୍ତୁ ।) “ଜଗତର ଜ୍ଞାନ” ଅର୍ଥାତ୍‌ ଦୁନିଆର ଲୋକମାନଙ୍କ ଚିନ୍ତାଧାରା ଏହା ଯେ ଆମେ ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପରିବର୍ତ୍ତେ ନିଜ ଇଚ୍ଛା ପୂରା କରୁ । ପ୍ରାଚୀନ ସମୟରେ ପର୍ଗମ ଓ ଥୁୟତୀରାର ଲୋକମାନଙ୍କ ମଧ୍ୟ ଏପରି ହିଁ ଚିନ୍ତାଧାରା ଥିଲା । ସେଠାରେ ଚାରିଆଡ଼େ ଅନୈତିକ କାମ ଓ ମୂର୍ତ୍ତିପୂଜା ହେଉଥିଲା । ଆଉ କିଛି ଖ୍ରୀଷ୍ଟିୟାନ ସେଠାର ଲୋକମାନଙ୍କ ଭଳି ଭାବିବାକୁ ଲାଗିଥିଲେ ଓ ସେମାନେ ଅନୈତିକ କାମଗୁଡ଼ିକ ପାଇଁ କୌଣସି ପଦକ୍ଷେପ ନେଉ ନ ଥିଲେ । ତେଣୁ ସେଠାର ମଣ୍ଡଳୀଗୁଡ଼ିକୁ ଯୀଶୁ ଶକ୍ତ ଭାବେ ପରାମର୍ଶ ଦେଲେ । (ପ୍ରକା. ୨:୧୪, ୨୦) ଆଜି ଆମ ଉପରେ ବି ଦୁନିଆର ଚିନ୍ତାଧାରା ଆପଣାଇବା ପାଇଁ ଚାପ ଆସେ । ହୁଏତ ଆମ ପରିବାର ଲୋକେ କିମ୍ବା ଚିହ୍ନା ପରିଚିତ ଲୋକମାନେ ଆମକୁ କହିବେ, ତମେ ବହୁତ ବେଶି ବାଇବଲ ନିୟମ ମାନ, କିଛି ନିୟମକୁ ନ ମାନିଲେ କʼଣ ହେବ । ଯେପରି, ହୁଏତ ସେମାନେ କହିବେ, ‘ନିଜ ଇଚ୍ଛା ପୂରା କରିବାରେ ଭୁଲ କʼଣ ? ଆଜି ଦୁନିଆ ବହୁତ ଉନ୍ନତି କରିଲାଣି, ତମେ ଏବେ ବି ସେହି ବାଇବଲ ଧରି ବସିଛ !’

୧୧. ଆମେ କେଉଁ କଥାରୁ ସାବଧାନ ରହିବା ଉଚିତ୍‌ ?

୧୧ ବେଳେବେଳେ ହୁଏତ ଆମକୁ ଯିହୋବାଙ୍କ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ବୁଝା ପଡ଼େନି ଓ ଆମେ କʼଣ କରିବା ଉଚିତ୍‌ ଓ କʼଣ ନୁହେଁ ତାହା ଜାଣି ନ ପାରୁ । ଏପରି ସମୟରେ ହୁଏତ ଆମେ “ଯାହା ଲିଖିତ ଅଛି, ତାହା ଅତିକ୍ରମ” କରିବା ପାଇଁ କିମ୍ବା ଅନ୍ୟ କୌଣସି ନିୟମ ତିଆରି କରିବା ପାଇଁ ଭାବିପାରୁ । (୧ କରି. ୪:୬) ଯୀଶୁଙ୍କ ସମୟରେ ଧର୍ମଗୁରୁମାନେ ମଧ୍ୟ ଏହି ଭୁଲ କରିଥିଲେ । ମୋଶାଙ୍କ ଜରିଆରେ ଦିଆଯାଇଥିବା ନିୟମ ଛଡ଼ା ସେମାନେ ଆହୁରି ଅନ୍ୟ ନିୟମ ତିଆରି କରିଦେଇଥିଲେ । ଆଉ ଏପରି କରିବା ଦ୍ୱାରା ସାଧାରଣ ଲୋକମାନଙ୍କ ଉପରେ ଯେପରି ଭାର ଲଦି ଦେଇଥିଲେ । (ମାଥି. ୨୩:୪) ଯିହୋବା ନିଜ ବାକ୍ୟ ଓ ତାଙ୍କ ସଙ୍ଗଠନ ଜରିଆରେ ସ୍ପଷ୍ଟ ଭାବେ ଆମକୁ ନିର୍ଦ୍ଦେଶ ଦିଅନ୍ତି । ଆମକୁ ଅନ୍ୟ କୌଣସି ନିୟମ ତିଆରି କରିବା ଆବଶ୍ୟକ ନାହିଁ । (ହିତୋ. ୩:୫-୭) ତେଣୁ ବାଇବଲରେ ଯାହା ଲେଖାଅଛି ଆମେ “ତାହା ଅତିକ୍ରମ” କରି ନ ଥାଉ । ଯେଉଁ ମାମଲାଗୁଡ଼ିକରେ ସମସ୍ତଙ୍କୁ ନିଜେ ନିଷ୍ପତ୍ତି ନେବାର ଅଛି, ସେଥିରେ ଆମେ ଭାଇଭଉଣୀମାନଙ୍କ ପାଇଁ କୌଣସି ନିୟମ ତିଆରି କରି ନ ଥାଉ ।

୧୨. ଶୟତାନ କିଭଳି “ନିରର୍ଥକ” କଥାଗୁଡ଼ିକୁ ପ୍ରୋତ୍ସାହନ ଦିଏ ?

୧୨ ନିରର୍ଥକ କଥାଗୁଡ଼ିକ । ଶୟତାନ “ନିରର୍ଥକ” କଥା ଓ “ଜଗତର ପ୍ରାଥମିକ ଶିକ୍ଷା” ଜରିଆରେ ଲୋକମାନଙ୍କୁ ଭୁଲ ବାଟରେ ନିଏ ଓ ସେମାନଙ୍କ ଭିତରେ ଫାଟ ସୃଷ୍ଟି କରେ । (କଲ. ୨:୮) ପ୍ରଥମ ଶତାବ୍ଦୀରେ ବି ସେ ଏହି ଫାନ୍ଦ ଆପଣାଇଥିଲା । ସେସମୟରେ ସେ ଚେଷ୍ଟା କଲା ଯେ ଲୋକମାନେ ମନୁଷ୍ୟର ପରମ୍ପରା କିମ୍ବା କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ବା ଏପରି କିଛି ଯିହୁଦୀ ଶିକ୍ଷାଗୁଡ଼ିକୁ ମାନନ୍ତୁ ଯାହା ଶାସ୍ତ୍ର ବିରୁଦ୍ଧରେ ଅଟେ । ସେସମୟରେ କିଛି ଲୋକମାନେ ଏପରି ଶିକ୍ଷା ବି ଶିଖାଉଥିଲେ ଯେ ଖ୍ରୀଷ୍ଟିୟାନମାନଙ୍କୁ ମୋଶାଙ୍କ ନିୟମ ମାନିବା ଉଚିତ୍‌ । ଏହା ଏପରି କଥାଗୁଡ଼ିକ ଥିଲା ଯାହାଯୋଗୁଁ ଲୋକମାନେ ପ୍ରକୃତ ବୁଦ୍ଧି ପାଇଁ ଯିହୋବାଙ୍କ ଉପରେ ନିର୍ଭର ନ ରହି ମଣିଷମାନଙ୍କ ଉପରେ ନିର୍ଭର ରହୁଥିଲେ । ଆଜି ଶୟତାନ ଲୋକମାନଙ୍କୁ ଭୁଲ ବାଟରେ ନେବା ପାଇଁ ସୋସିଆଲ୍‌ ମିଡିଆ, ଟିଭି, ଖବରକାଗଜ ଇତ୍ୟାଦିର ବ୍ୟବହାର କରୁଛି ଓ ବେଳେବେଳେ ଏଥିରେ ନେତାମାନଙ୍କର ବି ହାତ ଥାଏ । ଏପରି ହେବାର ଆମେ କୋଭିଡ୍‌-୧୯ ମହାମାରୀ ସମୟରେ ଅଧିକ ଦେଖିଲୁ ।c ଯେଉଁ ଲୋକମାନେ ଏପରି କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ସେମାନେ ଅତ୍ୟଧିକ ଚିନ୍ତା କରିବାକୁ ଲାଗିଲେ । କିନ୍ତୁ ଯିହୋବାଙ୍କ ସାକ୍ଷୀମାନେ ସଙ୍ଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ଧ୍ୟାନ ଦେଲେ, ତେଣୁ ସେମାନେ ଅତ୍ୟଧିକ ଚିନ୍ତା କରିବାରୁ ବଞ୍ଚିଲେ ।—ମାଥି. ୨୪:୪୫.

୧୩. ଆମ ଧ୍ୟାନ ହଟି ନ ଯାଉ ତାʼପାଇଁ ଆମେ କାହିଁକି ସାବଧାନ ରହିବା ଉଚିତ୍‌ ?

୧୩ ଧ୍ୟାନ ଭଗ୍ନ କରୁଥିବା କଥାଗୁଡ଼ିକ । ଆମେ ‘ଉତ୍କୃଷ୍ଟ ବିଷୟଗୁଡ଼ିକରୁ’ ନିଜ ଧ୍ୟାନ ହଟାଇବା ଉଚିତ୍‌ ନୁହେଁ । (ଫିଲିପ୍‌. ୧:୯, ୧୦) ଯଦି ଆମେ ଅଦରକାରି କଥାଗୁଡ଼ିକ ଉପରେ ଅତ୍ୟଧିକ ଧ୍ୟାନ ଦେବାକୁ ଲାଗୁ, ତେବେ ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ପାଇଁ ଆମ ପାଖରେ ସମୟ ହିଁ ବଞ୍ଚିବନି । ଏପରିକି ଯଦି ଆମେ ଖାଇବା-ପିଇବା, ମନୋରଞ୍ଜନ କିମ୍ବା ଚାକିରି ବିଷୟରେ ଅଧିକ ଭାବିବା, ତାହେଲେ ଏସବୁ କାରଣ ଯୋଗୁଁ ବି ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକରୁ ଆମ ଧ୍ୟାନ ହଟିଯାଇପାରେ । (ଲୂକ ୨୧:୩୪, ୩୫) ତାʼଛଡ଼ା ଆମେ ପ୍ରତିଦିନ ସାମାଜିକ ଓ ରାଜନୈତିକ ମାମଲାଗୁଡ଼ିକରେ ଖବର ଶୁଣୁ । ଏବିଷୟରେ ସମସ୍ତଙ୍କ ମତ ଅଲଗା ଅଲଗା ଅଛି ଓ ଏହି ମାମଲାଗୁଡ଼ିକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ବି ହେଉଥାଏ । ଆମକୁ ସାବଧାନ ରହିବା ଉଚିତ୍‌ ଯେ ଏହି ମାମଲାଗୁଡ଼ିକ ଦ୍ୱାରା ଆମ ଧ୍ୟାନ ଭଲ କଥାଗୁଡ଼ିକରୁ ହଟି ନ ଯାଉ, ନହେଲେ ଆମେ ନିଜ ମନରେ କାହାରି ପକ୍ଷ ନେଇପାରିବା । ମନେରଖନ୍ତୁ, ଏବେ ଆମେ ଯେଉଁ ପାଞ୍ଚଟି କଥା ଉପରେ ଚର୍ଚ୍ଚା କଲୁ ତାହା ଶୟତାନର ଫାନ୍ଦଗୁଡ଼ିକ ଅଟେ, ଯାହାଦ୍ୱାରା ସେ ଆମ ସଠିକ୍‌ କାମ କରିବାର ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରେ । ଏବେ ଆସନ୍ତୁ ଆମେ ଦେଖିବା ଯେ ଆଜି ଆମେ ଶୟତାନର ଫାନ୍ଦଗୁଡ଼ିକୁ କିପରି ବିଫଳ କରିପାରିବା ଓ ସୁସ୍ଥିର ରହିପାରିବା ।

ଆମେ କିପରି ସୁସ୍ଥିର ରହିପାରିବା ?

ଚିତ୍ରଗୁଡ଼ିକ: ୧. ଗୋଟିଏ ବଡ଼ ବିଲ୍‌ଡିଙ୍ଗ ତିରି କରିବାର କାମ ଚାଲୁଛି, ଯାହାର ଭିତ୍ତିମୂଳ ବହୁତ ଦୃଢ଼ ଅଛି । ୨. ଜଣେ ଭାଇ ନିଜ ‘ନୋ ବ୍ଲଡ’ କାର୍ଡ ଭରୁଛନ୍ତି, ତାଙ୍କ ଟ୍ୟାବଲେଟରେ “ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !” ବହିର ପାଠ ୩୯ ଖୋଲାଅଛି ।

ସୁସ୍ଥିର ରହିବା ପାଇଁ ନିଜ ସମର୍ପଣ ଓ ବାପ୍ତିସ୍ମ ବିଷୟରେ ଭାବନ୍ତୁ, ବାଇବଲ ଅଧ୍ୟୟନ କରନ୍ତୁ ଓ ତାʼଉପରେ ଚିନ୍ତନ କରନ୍ତୁ, ନିଜ ହୃଦୟ ଦୃଢ଼ ରଖନ୍ତୁ ଓ ଯିହୋବାଙ୍କ ଉପରେ ଭରସା ରଖନ୍ତୁ (ପାରାଗ୍ରାଫ ୧୪-୧୮)

୧୪. ଯିହୋବାଙ୍କ ପକ୍ଷରେ ଅଟଳ ହୋଇ ଠିଆ ରହିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ?

୧୪ ନିଜ ସମର୍ପଣ ଓ ବାପ୍ତିସ୍ମ ବିଷୟରେ ଭାବନ୍ତୁ । ଆପଣ ଯିହୋବାଙ୍କ ପକ୍ଷ ନେବା ପାଇଁ ଚାହୁଁଥିଲେ ତେଣୁ ଏହି ପଦକ୍ଷେପ ନେଲେ । ଭାବନ୍ତୁ ଆପଣଙ୍କୁ କେଉଁ କଥାରୁ ଭରସା ହୋଇଥିଲା ଯେ ଆପଣ ଯାହା ଶିଖୁଛନ୍ତି, ତାହା ହିଁ ସତ୍ୟ ଅଟେ । ଆପଣ ଯିହୋବାଙ୍କ ବିଷୟରେ ସଠିକ୍‌ ଜ୍ଞାନ ନେଲେ, ତାକୁ ଭଲଭାବେ ଜାଣିଲେ ଆଉ ତାଙ୍କ ଆଦର କରିବାକୁ ଲାଗିଲେ । ଆପଣ ନିଜ ବାପାଙ୍କ ଭଳି ତାଙ୍କୁ ପ୍ରେମ କରିବାକୁ ଲାଗିଲେ । ତାଙ୍କ ଉପରେ ଆପଣଙ୍କ ବିଶ୍ୱାସ ବଢ଼ିବାକୁ ଲାଗିଲା ଓ ଆପଣ ଯେଉଁ ଖରାପ କାମ କରିଥିଲେ ତାʼପାଇଁ ଅନୁତାପ କରିବାକୁ ଲାଗିଲେ । ଆପଣ ସେହି କାମଗୁଡ଼ିକୁ କରିବା ଛାଡ଼ିଦେଲେ, ଯାହାକୁ ଯିହୋବା ଘୃଣା କରନ୍ତି ଓ ସେହି କାମଗୁଡ଼ିକୁ କରିବାକୁ ଲାଗିଲେ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ତାʼପରେ ଯେବେ ଆପଣଙ୍କୁ ଅନୁଭବ ହେଲା ଯେ ଯିହୋବା ଆପଣଙ୍କୁ କ୍ଷମା କରିଦେଇଛନ୍ତି, ତେବେ ଆପଣଙ୍କୁ ଶାନ୍ତି ମିଳିଲା । (ଗୀତ. ୩୨:୧, ୨) ଆପଣ ସଭାରେ ଯିବାକୁ ଲାଗିଲେ ଆଉ ବାଇବଲରୁ ଯେଉଁ ବଢ଼ିଆ କଥାଗୁଡ଼ିକ ଶିଖୁଥିଲେ, ତାହା ଅନ୍ୟମାନଙ୍କୁ କହିବାକୁ ଲାଗିଲେ । ତାʼପରେ ଆପଣ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପିତ କରି ବାପ୍ତିସ୍ମ ନେଲେ । ଏବେ ଆପଣ ସେହି ପଥରେ ଚାଲୁଛନ୍ତି ଯାହା ଜୀବନ ଆଡ଼କୁ ନେଇଯାଏ ଓ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ଆପଣ ସବୁବେଳେ ଏହି ପଥରେ ଚାଲୁଥିବେ ।—ମାଥି. ୭:୧୩, ୧୪.

୧୫. ଅଧ୍ୟୟନ ଓ ଚିନ୍ତନ କରିବା କାହିଁକି ଜରୁରୀ ?

୧୫ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରନ୍ତୁ ଓ ତାʼଉପରେ ଚିନ୍ତନ କରନ୍ତୁ । ଯଦି ଗୋଟିଏ ଗଛର ଚେର ଦୃଢ଼ ଥିବ, ତେବେ ଯାଇ ଗଛ ଦୃଢ଼ ରହିପାରିବ । ସେହିପରି ଯଦି ଈଶ୍ୱରଙ୍କ ଉପରେ ଆମ ବିଶ୍ୱାସ ଦୃଢ଼ ଥିବ, ତେବେ ଯାଇ ଆମେ ଦୃଢ଼ ରହିପାରିବା । ଯେପରି ଭାବେ ଗଛ ବଢ଼ିବାକୁ ଲାଗେ ତାʼର ଚେର ମାଟିର ଗଭୀରକୁ ଯାଏ ଓ ଦୂର ଯାଏ ବ୍ୟାପିବାକୁ ଲାଗେ । ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ ଓ ତାʼଉପରେ ଚିନ୍ତନ କରୁ, ତେବେ ଆମର ବିଶ୍ୱାସ ଆହୁରି ବଢ଼ିଯାଏ । ଆମର ଏକଥା ଉପରେ ଭରସା ଆହୁରି ବଢ଼ିଯାଏ ଯେ ଈଶ୍ୱରଙ୍କ ରାସ୍ତାରେ ଯଦି ଆମେ ଚାଲିବା, ତେବେ ଆମର ଲାଭ ହେବ । (କଲ. ୨:୬, ୭) ଭାବନ୍ତୁ ପ୍ରାଚୀନ ସମୟରେ ଯିହୋବା କିପରି ନିଜ ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କୁ ମାର୍ଗଦର୍ଶନ ଦେଲେ ଓ ସେମାନଙ୍କ ରକ୍ଷା କଲେ ଏବଂ ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା । ଉଦାହରଣ ପାଇଁ, ଯେବେ ଜଣେ ସ୍ୱର୍ଗଦୂତ ଯିହିଜିକଲଙ୍କୁ ଦର୍ଶନରେ ଦେଖାଇଥିବା ମନ୍ଦିରର ମାପ ନେଉଥିଲେ, ତେବେ ଯିହିଜିକଲ ଧ୍ୟାନର ସହ ଦେଖିଲେ । ଦର୍ଶନରୁ ଯିହିଜିକଲଙ୍କ ବିଶ୍ୱାସ ଦୃଢ଼ ହୋଇଗଲା । ଆଉ ଏଥିରୁ ଆମେ ଶିଖୁ ଯେ ଶୁଦ୍ଧ ଉପାସନା ମାମଲାରେ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ କିପରି ଚାଲିବା ଉଚିତ୍‌ ।d (ଯିହି. ୪୦:୧-୪; ୪୩:୧୦-୧୨) ଯଦି ଈଶ୍ୱରଙ୍କ ବାକ୍ୟରେ ଲେଖାଥିବା ଗଭୀର କଥାଗୁଡ଼ିକୁ ଆମେ ଅଧ୍ୟୟନ ଓ ତାʼଉପରେ ଚିନ୍ତନ କରିବା, ତେବେ ପ୍ରାଚୀନ ସମୟର ସେବକଙ୍କ ଭଳି ଆମକୁ ବି ଲାଭ ହେବ ।

୧୬. ଭାଇ ବୋବ୍‌ଙ୍କ ହୃଦୟ “ଅଟଳ” ରହିବା ଯୋଗୁଁ ସେ ଶୟତାନର ଫାନ୍ଦଗୁଡ଼ିକରୁ କିପରି ବଞ୍ଚିପାରିଲେ ? (ଗୀତସଂହିତା ୧୧୨:୭)

୧୬ ନିଜ ହୃଦୟକୁ “ଅଟଳ” କିମ୍ବା ଦୃଢ଼ କରନ୍ତୁ । ଯେବେ ରାଜା ଦାଉଦ ଗୋଟିଏ ଗୀତସଂହିତାରେ କହିଲେ, ‘ହେ ପରମେଶ୍ୱର, ମୋʼ ଚିତ୍ତ ବା ହୃଦୟ ସୁସ୍ଥିର ଅଛି ।’ ତେବେ ହୁଏତ ସେ କହୁଥିଲେ, କିଛି ବି ହୋଇଯାଉ ନା କାହିଁକି ଯିହୋବାଙ୍କ ପାଇଁ ତାଙ୍କ ପ୍ରେମ କମ୍‌ ହେବନି । (ଗୀତ. ୫୭:୭) ଆମ ହୃଦୟ ବି ଅଟଳ ରହିପାରିବ ଓ ଆମେ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା । (ଗୀତସଂହିତା ୧୧୨:୭ ପଢ଼ନ୍ତୁ ।) ଟିକେ ଭାଇ ବୋବ୍‌ଙ୍କ ଉଦାହରଣ ଉପରେ ପୁଣିଥରେ ଧ୍ୟାନ ଦିଅନ୍ତୁ, ଯେବେ ଡାକ୍ତର ତାଙ୍କୁ କହିଲେ ଯେ ଅପରେସନ୍‌ ସମୟରେ ସେ ରକ୍ତ ପାଖରେ ରଖିବେ, କାରଣ ଆବଶ୍ୟକ ସମୟରେ ତାହା କାମରେ ଆସିବ, ତେବେ ଧ୍ୟାନ ଦିଅନ୍ତୁ ଯେ କʼଣ ହେଲା । ସେ ତୁରନ୍ତ ଡାକ୍ତରଙ୍କୁ କହିଲେ ଯେ ଯଦି ସେ ରକ୍ତ ଚଢ଼ାଇବା ବିଷୟରେ ଭାବୁଛନ୍ତି, ତାହେଲେ ସେ ବିନା ଡେରି କରି ସେଠାରୁ ଚାଲିଯିବେ । ପରେ ସେ କହିଲେ, “ମୋତେ ମୋ ନିଷ୍ପତ୍ତି ଉପରେ ଟିକେ ବି ସନ୍ଦେହ ନ ଥିଲା । ମୋତେ ଟିକେ ବି ଚିନ୍ତା ନ ଥିଲା ଯେ ମୋ ସହିତ କʼଣ ହେବ ।”

ଚିତ୍ରଗୁଡ଼ିକ: ୧. ପୂର୍ବ ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଗୋଟିଏ ବଡ଼ ବିଲ୍‌ଡିଙ୍ଗ ପ୍ରାକୃତିକ ବିପତ୍ତି ଆସିବା ପରେ ମଧ୍ୟ ଦୃଢ଼ ଅଛି । ଦେଖିବାକୁ ଗଲେ, ଆଖପାଖର ଅନ୍ୟ ବିଲ୍‌ଡିଙ୍ଗଗୁଡ଼ିକ ଧସିଯାଇଛି । ୨. ପୂର୍ବ ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଭାଇ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି, ବହୁତ ରାତି ହୋଇଯାଇଛି ଓ ସେ ଜଣେ ଡାକ୍ତରଙ୍କ ସହ କଥା ହେଉଛନ୍ତି ।

ଯଦି ଆମେ ପୂର୍ବରୁ ହିଁ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବା, ତେବେ ବଡ଼ରୁ ବଡ଼ ସମସ୍ୟା ସମୟରେ ମଧ୍ୟ ଆମେ ସୁସ୍ଥିର ରହିପାରିବା (ପାରାଗ୍ରାଫ ୧୭)

୧୭. ଭାଇ ବୋବ୍‌ଙ୍କ ଉଦାହରଣରୁ ଆମେ କʼଣ ଶିଖୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ଭାଇ ବୋବ୍‌ଙ୍କ ଅଟଳ ରହିବାର କାରଣ ଥିଲା ଯେ ସେ ହସ୍ପିଟାଲ ଆସିବାର ବହୁତ ପୂର୍ବରୁ ହିଁ ନିଜ ନିଷ୍ପତ୍ତିରେ ଦୃଢ଼ ରହିବା ପାଇଁ ଭାବିନେଇ ଥିଲେ । ସେ ଏହା କିପରି କରିପାରିଲେ ? ପ୍ରଥମ କଥା, ସେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ । ଦ୍ୱିତୀୟ, ସେ ବାଇବଲର ସେହି ପଦ ଓ ସେହି ପ୍ରକାଶନଗୁଡ଼ିକୁ ଭଲଭାବେ ଅଧ୍ୟୟନ କଲେ, ଯେଉଁଠି ବୁଝାଯାଇଥିଲା ଯେ ଜୀବନ ଓ ରକ୍ତ ପବିତ୍ର ଅଟେ । ତୃତୀୟ, ତାଙ୍କୁ ଭରସା ଥିଲା ଯେ ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନିଲେ କେବଳ ଆଜି ଲାଭ ହେବନି, ବରଂ ଭବିଷ୍ୟତରେ ମଧ୍ୟ ଅନେକ ଆଶିଷ ମିଳିବ । ଆଜି ଆମ ଆଗରେ ବି ଯେକୌଣସି ସମସ୍ୟା ଆସୁ ନା କାହିଁକି, ଆମ ହୃଦୟ ବି ଅଟଳ ରହିପାରିବ ।

ପ୍ରବଳ ବର୍ଷା ହେଉଛି ଓ ବାରାକ୍‌ ଓ ତାଙ୍କ ଲୋକମାନେ ଗୋଟିଏ ପର୍ବତରୁ ତଳକୁ ଯାଇ ସୀଷରାଙ୍କ ସେନାଙ୍କ ସହ ଆକ୍ରମଣ କରୁଛନ୍ତି । ସୀଷରାଙ୍କ ଲୌହରଥ କାଦୁଅରେ ଫସିଯାଇଛି ।

ବାରାକ୍‌ ଓ ତାଙ୍କ ଲୋକମାନେ ସାହସର ସହ ସୀଷରାଙ୍କ ସେନାର ପିଛା କରୁଛନ୍ତି (ପାରାଗ୍ରାଫ ୧୮)

୧୮. ବାରାକ୍‌ଙ୍କ ଉଦାହରଣରୁ ଆମେ ଯିହୋବାଙ୍କ ଉପରେ ଭରସା ରଖିବା ବିଷୟରେ କʼଣ ଶିଖୁ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୮ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ଟିକେ ଧ୍ୟାନ ଦିଅନ୍ତୁ ଯେ ଯେବେ ବାରାକ୍‌ ଯିହୋବାଙ୍କ ଉପରେ ଭରସା ରଖିଲେ ଓ ତାଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନିଲେ, ତେବେ କିପରି ଯିହୋବା ତାଙ୍କୁ ଜୟ ହାସଲ କରାଇଲେ । ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିଲେ, ପୂରା ଦେଶରେ କାହାରି ପାଖରେ ବି ଢାଲ କି ବର୍ଚ୍ଛା ନ ଥିଲା । (ବିଚା. ୫:୮) ତଥାପି ଯିହୋବା ବାରାକ୍‌ଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେ କିଣାନର ସେନାପତି ସୀଷରାଙ୍କ ସହ ଯୁଦ୍ଧ କରନ୍ତୁ । ସୀଷରାଙ୍କ ସେନା ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଓ ୯୦୦ ଲୌହରଥ ଥିଲା । ଭବିଷ୍ୟଦ୍‌ବକ୍ତ୍ରୀ ଦବୋରା ବାରାକ୍‌ଙ୍କୁ କହିଲେ ଯେ ସେ ପାହାଡ଼ ଅଞ୍ଚଳର ତଳକୁ ଯାଇ ଘାଟିରେ ସୀଷରାଙ୍କ ସହ ଯୁଦ୍ଧ କରନ୍ତୁ । ବାରାକ୍‌ ଜାଣିଥିଲେ ଯେ ତାଙ୍କ ଶତ୍ରୁ ସେନା ପାଖରେ ଲୌହରଥ ଅଛି ଓ ସେମାନେ ପଡ଼ିଆ ଅଞ୍ଚଳରେ ଶୀଘ୍ର ଆକ୍ରମଣ କରିପାରିବେ, ତେଣୁ ତାଙ୍କ ସହ ଯୁଦ୍ଧ କରିବା ଆହୁରି କଠିନ ହେବ । ତଥାପି ସେ ଯିହୋବାଙ୍କ ଆଜ୍ଞା ପାଳନ କଲେ । ଯେବେ ବାରାକ୍‌ ଓ ତାଙ୍କ ସେନା ତାବୋର ପର୍ବତ ତଳକୁ ଗଲେ, ତେବେ ଯିହୋବା ପ୍ରବଳ ବର୍ଷା କରାଇଲେ । ସୀଷରାଙ୍କ ଲୌହରଥ କାଦୁଅରେ ଫସିଗଲା ଓ ବାରାକ୍‌ଙ୍କୁ ଯିହୋବା ଜୟ ହାସଲ କରାଇଲେ । (ବିଚା. ୪:୧-୭, ୧୩-୧୬) ସେହିପରି, ଆଜି ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା ଓ ତାଙ୍କ ସଙ୍ଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନିବା, ତେବେ ଯିହୋବା ଆମକୁ ବି ଜୟ ହାସଲ କରାଇବେ ।—ଦ୍ୱିବି. ୩୧:୬.

ଅଟଳ ରହିବା ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ

୧୯. ଆପଣ ଅଟଳ ରହିବା ପାଇଁ କାହିଁକି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ?

୧୯ ଯେବେ ଯାଏ ଆମେ ଏହି ଦୁନିଆରେ ବଞ୍ଚିଛୁ, ଆମକୁ ଅଟଳ ରହିବା ପାଇଁ ଲଗାତାର ସଂଘର୍ଷ କରିବାକୁ ପଡ଼ିବ । (୧ ତୀମ. ୬:୧୧, ୧୨; ୨ ପିତ. ୩:୧୭) ତେଣୁ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଯଦି ଆମ ଉପରେ ଅତ୍ୟାଚାର କରାଯାଏ, ଲୁଚିକି ଆକ୍ରମଣ କରାଯାଏ କିମ୍ବା ଆମ ଆଖପାଖର ଲୋକମାନେ ଆମ ବିଷୟରେ କିଛି ବି ଭାବନ୍ତୁ, ନିରର୍ଥକ କଥା କହନ୍ତୁ କିମ୍ବା ଏପଟ ସେପଟର କଥା କହନ୍ତୁ, ତେବେ ବି ଆମେ ହାର୍‌ ମାନିବାନି । (ଏଫି. ୪:୧୪) ତାʼପରିବର୍ତ୍ତେ ଆମେ ଅଟଳ ରହିବା, ସୁସ୍ଥିର ରହିବା, ସବୁ ପରିସ୍ଥିତିରେ ଯିହୋବାଙ୍କ ଆଜ୍ଞା ପାଳନ କରିବା ଓ ତାଙ୍କର ଲଗାତାର ଉପାସନା କରୁଥିବା । କିନ୍ତୁ ଦରକାର ପଡ଼ିଲେ ଆମେ ପରିବର୍ତ୍ତନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବା । ପରବର୍ତ୍ତୀ ଲେଖାରେ ଆମେ ଚର୍ଚ୍ଚା କରିବା ଯେ ଏହି ମାମଲାରେ ଯିହୋବା ଓ ଯୀଶୁ କିପରି ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି ।

ଆପଣ କʼଣ ଉତ୍ତର ଦେବେ ?

  • ଯେବେ ଯିହୋବାଙ୍କ ନିୟମ ଓ ସ୍ତରଗୁଡ଼ିକୁ ମାନିବାର ମାମଲା ଆସେ, ତେବେ ଅଟଳ ରହିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

  • ସୁସ୍ଥିର ରହିବାର ଆମ ନିଷ୍ପତ୍ତିକୁ ଦୁର୍ବଳ କରିବା ପାଇଁ ଶୟତାନ କେଉଁ ଫାନ୍ଦଗୁଡ଼ିକ ଆପଣାଏ ?

  • ସୁସ୍ଥିର ରହିବା ପାଇଁ ଆମେ କେଉଁ ଚାରୋଟି ପଦକ୍ଷେପ ନେଇପାରିବା

ଗୀତ ୧୨୯ ହମ୍‌ ଧୀରଜ୍‌ ଧରଙ୍ଗେ

a ଆଦମ ଓ ହବାଙ୍କ ସମୟରୁ ଶୟତାନ ମଣିଷମାନଙ୍କ ମନରେ ଏହି କଥା ପୂରାଇବା ପାଇଁ ଚେଷ୍ଟା କରୁଛି ଯେ ସେମାନେ ନିଜେ ହିଁ ନିଜ ପାଇଁ ଠିକ୍‌ ଭୁଲ ନିଷ୍ପତ୍ତି ନେବା ଉଚିତ୍‌ । ସେ ଆଜି ବି ଏହା ହିଁ ଚାହେଁ ଯେ ଆମେ ଯିହୋବାଙ୍କ ନିୟମ ଓ ସଙ୍ଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ମାନିବା ପରିବର୍ତ୍ତେ ନିଜ ଇଚ୍ଛା ଅନୁସାରେ କାମ କରୁ । ଏହି ଲେଖାରେ ଜାଣିବା ଯେ ଆମେ ଏପରି ଚିନ୍ତାଧାରାରୁ କିପରି ବଞ୍ଚିପାରିବା । ସୁସ୍ଥିର ହୋଇ ଯିହୋବାଙ୍କ ଆଜ୍ଞା ପାଳନ କରିବାର ଆମ ନିଷ୍ପତ୍ତିକୁ କିପରି ଦୃଢ଼ କରିପାରିବା ।

b ରକ୍ତ ମାମଲାରେ ଯିହୋବା ଯେଉଁ ଆଜ୍ଞା ଦେଇଛନ୍ତି, ତାହା ଜଣେ ଖ୍ରୀଷ୍ଟିୟାନ କିପରି ମାନିପାରିବ, ଏବିଷୟରେ ଆହୁରି ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୯ ପଢ଼ନ୍ତୁ ।

c jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “ଜରା ସମ୍ଭଲ୍‌କର୍‌, କହିଁ ୟେ ଅଫୱାହେଁ ତୋ ନହିଁ ?” ପଢ଼ନ୍ତୁ ।

d ଏବିଷୟରେ ଆହୁରି ଜାଣିବା ପାଇଁ, ସାରି ଧରତି ପର ୟହୋୱା କି ଶୁଦ୍ଧ ଉପାସନା ବାହାଲ ! ବହିର ଅଧ୍ୟାୟ ୧୩ ଓ ୧୪ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ