ଅଧ୍ୟୟନ ଲେଖା ୩୨
ଯିହୋବାଙ୍କ ଭଳି ମୃଦୁଶୀଳ ବ୍ୟକ୍ତି ହୁଅନ୍ତୁ !
“ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ ।”—ଫିଲିପ୍. ୪:୫.
ଗୀତ ୮୯ ଶୁନ୍ କେ ଅମଲ୍ କରେଁ
ଲେଖାର ଝଲକa
ଆପଣ କେଉଁ ଗଛ ଭଳି ହେବା ପାଇଁ ଚାହାନ୍ତି ? (ପାରାଗ୍ରାଫ ୧)
୧. ଖ୍ରୀଷ୍ଟିୟାନମାନଙ୍କୁ କିପରି ଗୋଟିଏ ଗଛ ଭଳି ହେବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
“ଯେଉଁ ଗଛ ନଇଁ ଯାଏ, ତାହାକୁ ଜୋର୍ ପବନ ବି ଭାଙ୍ଗିପାରେନି ।” ଆଫ୍ରିକାର ଏହି କଥାରୁ ଜଣାପଡ଼େ ଯେ କିଛି ଗଛ ଏଥିପାଇଁ ଦୃଢ଼ ରହିପାରେ, କାରଣ ଦରକାର ସମୟରେ ସେ ନଇଁ ଯାଏ । ସେହିପରି ଯଦି ଜଣେ ଖ୍ରୀଷ୍ଟିୟାନ ଖୁସି ଖୁସି ଯିହୋବାଙ୍କ ସେବା କରିବା ପାଇଁ ଚାହେଁ, ତେବେ ତାକୁ ନଇଁବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ତାʼଅର୍ଥ, ଯେବେ ଆମ ପରିସ୍ଥିତି ବଦଳି ଯାଏ, ତେବେ ଆମକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ ଏବଂ ଯେବେ ଅନ୍ୟମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ନିଷ୍ପତ୍ତି ଆମଠାରୁ ଅଲଗା ଥାଏ, ତେବେ ଆମେ ସେମାନଙ୍କୁ ମୃଦୁପଣ ଦେଖାଇବା ଉଚିତ୍ ।
୨. (କ) କେଉଁ ଗୁଣ ବଢ଼ାଇଲେ ଆମେ ବଦଳୁଥିବା ପରିସ୍ଥିତିର ସାମନା କରିପାରିବା ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?
୨ ଆମେ ଯିହୋବାଙ୍କ ସେବକ ଅଟୁ, ତେଣୁ ଆମେ ବି ଅନ୍ୟମାନଙ୍କୁ ମୃଦୁପଣ ଦେଖାଇବା ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁ । ଆମେ ନମ୍ର ହେବା ଓ ଅନ୍ୟମାନଙ୍କ ପାଇଁ କରୁଣାର ଭାବନା ବି ଦେଖାଇବାକୁ ଚାହୁଁ । ଏହି ଲେଖାରେ ଆମେ ଜାଣିବା ଯେ ଏହି ଗୁଣ ବଢ଼ାଇବା ଯୋଗୁଁ କିପରି କିଛି ଖ୍ରୀଷ୍ଟିୟାନମାନେ ବଦଳୁଥିବା ପରିସ୍ଥିତିର ସାମନା କରିପାରିଲେ ଓ ଏହି ଗୁଣ ବଢ଼ାଇବା ଦ୍ୱାରା ଆମକୁ କିପରି ଲାଭ ହୋଇପାରିବ । କିନ୍ତୁ ପ୍ରଥମେ ଆମେ ଯିହୋବା ଓ ଯୀଶୁଙ୍କଠାରୁ ଶିଖିବା, ଯେଉଁମାନେ ମୃଦୁପଣ ଦେଖାଇବା ଓ ପରିବର୍ତ୍ତନ କରିବା ମାମଲାରେ ଆମ ପାଇଁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି ।
ଯିହୋବା ଓ ଯୀଶୁ ମୃଦୁଶୀଳ ଅଟନ୍ତି
୩. କେଉଁ କଥାରୁ ପ୍ରମାଣିତ ହୁଏ ଯେ ଯିହୋବା ମୃଦୁଶୀଳ ଈଶ୍ୱର ଅଟନ୍ତି ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତି ?
୩ ଯିହୋବାଙ୍କ ବିଷୟରେ କୁହାଯାଇଛି ଯେ ସେ “ଶୈଳ” ଅର୍ଥାତ୍ ଚଟାଣ ଅଟନ୍ତି, କାରଣ ସେ ଅଟଳ ରହନ୍ତି । (ଦ୍ୱିବି. ୩୨:୪) କିନ୍ତୁ ସେ ମୃଦୁଶୀଳ ଈଶ୍ୱର ବି ଅଟନ୍ତି ଓ ଦରକାର ସମୟରେ ପରିବର୍ତ୍ତନ କରିବା ପାଇଁ ବି ପ୍ରସ୍ତୁତ ରହନ୍ତି । ଦୁନିଆର ପରିସ୍ଥିତି ଯେପରି ଭାବେ ବଦଳୁଥାଏ, ସେ ନିଜ ଉଦ୍ଦେଶ୍ୟ ପୂରା କରିବା ପାଇଁ ପରିବର୍ତ୍ତନ କରନ୍ତି । ଯିହୋବା ମଣିଷମାନଙ୍କୁ ବି ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି । ତେଣୁ ଆମମାନଙ୍କଠାରେ ଏପରି ଦକ୍ଷତା ଅଛି ଯେ ଆମେ ବଦଳୁଥିବା ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିପାରିବା । ସେ ବାଇବଲରେ ଏପରି ସିଦ୍ଧାନ୍ତଗୁଡ଼ିକ ବି ଲେଖାଇଛନ୍ତି, ଯାହାକୁ ଧ୍ୟାନରେ ରଖି ଆମେ ଯେକୌଣସି ପରିସ୍ଥିତିରେ ବି ସଠିକ୍ ନିଷ୍ପତ୍ତି ନେଇପାରିବା । ଯିହୋବାଙ୍କ ଉଦାହରଣରୁ ଓ ସେ ଯେଉଁ ସିଦ୍ଧାନ୍ତ ଦେଇଛନ୍ତି, ସେଥିରୁ ପ୍ରମାଣିତ ହୁଏ ଯେ ସେ “ଶୈଳ” ଅର୍ଥାତ୍ ଚଟାଣ ଭଳି ଅଟଳ ରହନ୍ତି, ତାʼସହ ସେ ମୃଦୁଶୀଳ ଅଟନ୍ତି ଓ ପରିବର୍ତ୍ତନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହନ୍ତି ।
୪. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଯିହୋବା କିପରି ଭାବେ ମୃଦୁଶୀଳ ଈଶ୍ୱର ଅଟନ୍ତି । (ଲେବୀ ପୁସ୍ତକ ୫:୭, ୧୧)
୪ ଯିହୋବା ଯେପରି ଭାବେ ମଣିଷମାନଙ୍କ ସହ ବ୍ୟବହାର କରନ୍ତି, ସେଥିରୁ ବି ଜଣାପଡ଼େ ଯେ ସେ ମୃଦୁଶୀଳ ଈଶ୍ୱର ଅଟନ୍ତି । ସେ ସବୁବେଳେ ତାହା ହିଁ କରନ୍ତି ଯାହା ଠିକ୍ ଅଟେ, ଓ ସେ କେବେ ବି ଲୋକମାନଙ୍କ ସହ କଠୋରତାର ସହ ବ୍ୟବହାର କରନ୍ତି ନାହିଁ, ବରଂ ସେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତି । ଉଦାହରଣ ପାଇଁ, ଧ୍ୟାନ ଦିଅନ୍ତୁ ଯେ ଇସ୍ରାଏଲୀୟମାନଙ୍କୁ ଯିହୋବା କିପରି ଭାବେ ମୃଦୁପଣ ଦେଖାଇଲେ । ଇସ୍ରାଏଲରେ କିଛି ଲୋକ ଗରୀବ ଥିଲେ ଓ କିଛି ଧନୀ, ତେଣୁ ଯିହୋବା କେବେ ବି ଏହା ଆଶା କଲେନି ଯେ ସମସ୍ତେ ଗୋଟେ ପ୍ରକାରର ବଳିଦାନ ଚଢ଼ାନ୍ତୁ । କିଛି ମାମଲାରେ ସେ ଅନୁମତି ଦେଇଥିଲେ ଯେ ସମସ୍ତେ ନିଜ ଦକ୍ଷତା ଅନୁସାରେ ବଳିଦାନ ଚଢ଼ାଇପାରିବେ ।—ଲେବୀ ପୁସ୍ତକ ୫:୭, ୧୧ ପଢ଼ନ୍ତୁ ।
୫. ଆମେ କାହିଁକି କହିପାରିବା ଯେ ଯିହୋବା ନମ୍ର ଅଟନ୍ତି ଓ ତାଙ୍କ ଭିତରେ କରୁଣାର ଭାବନା ଅଛି ? ଉଦାହରଣ ଦେଇ ବୁଝାନ୍ତୁ ।
୫ ଯିହୋବା ମୃଦୁଶୀଳ ଈଶ୍ୱର ଅଟନ୍ତି ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତି, କାରଣ ସେ ନମ୍ର ଅଟନ୍ତି ଓ ତାଙ୍କ ହୃଦୟରେ ଲୋକମାନଙ୍କ ପାଇଁ କରୁଣାର ଭାବନା ଅଛି । ଟିକେ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ସେ କେତେ ନମ୍ର ଅଟନ୍ତି । ସେ ନିଷ୍ପତ୍ତି କରି ନେଇଥିଲେ ଯେ ସେ ସଦୋମ ଓ ସେଠାର ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । ସେ ନିଜ ସ୍ୱର୍ଗଦୂତଙ୍କୁ ପଠାଇ ଲୋଟଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେ ପର୍ବତ ଆଡ଼କୁ ପଳାଇ ଯାନ୍ତୁ । କିନ୍ତୁ ଲୋଟ ସେଠାକୁ ଯିବା ପାଇଁ ଡରୁ ଥିଲେ, ତେଣୁ ସେ ଈଶ୍ୱରଙ୍କୁ ବିନତି କଲେ ଯେ କʼଣ ସେ ଓ ତାଙ୍କ ପରିବାର ପାଖରେ ଥିବା ଛୋଟ ନଗର ସୋୟରରେ ଯାଇପାରିବେ । ଯିହୋବା ସୋୟର ସହରକୁ ବି ବିନାଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ତେଣୁ ଯିହୋବା କହିପାରିଥାନ୍ତେ ଯେ ସେ ତାଙ୍କୁ ଯାହା କହିଛନ୍ତି ଲୋଟ ଠିକ୍ ସେହିପରି କରନ୍ତୁ । କିନ୍ତୁ ସେ ଲୋଟଙ୍କୁ ମୃଦୁପଣ ଦେଖାଇଲେ ଓ ତାଙ୍କ କଥା ରଖିଲେ । ତେଣୁ ଯିହୋବା ସୋୟର ସହରକୁ ବିନାଶ କଲେନି । (ଆଦି. ୧୯:୧୮-୨୨) ବହୁତ ବର୍ଷ ପରେ ଯିହୋବା ନୀନିବୀର ଲୋକମାନଙ୍କ ଉପରେ ବି କରୁଣା କଲେ । କିପରି ? ସେ ଭବିଷ୍ୟଦ୍ବକ୍ତା ଯୂନସଙ୍କୁ ଏହା କହିବା ପାଇଁ ପଠାଇଥିଲେ ଯେ ସେ ଶୀଘ୍ର ସେହି ସହରକୁ ଓ ସେଠାର ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବେ । କିନ୍ତୁ ପରେ ଯେବେ ସେହି ଲୋକମାନେ ଅନୁତାପ କଲେ, ତେବେ ଯିହୋବା ସେମାନଙ୍କ ଉପରେ ଦୟା କଲେ ଓ ସେହି ସହର ଓ ସେଠାର ଲୋକମାନଙ୍କୁ ବିନାଶ କଲେ ନାହିଁ ।—ଯୂନ. ୩:୧, ୧୦; ୪:୧୦, ୧୧.
୬. ଉଦାହରଣ ଦେଇ ବୁଝାନ୍ତୁ ଯେ ଯୀଶୁ କିପରି ଯିହୋବାଙ୍କ ଭଳି ଅନ୍ୟମାନଙ୍କୁ ମୃଦୁପଣ ଦେଖାଇଲେ ।
୬ ଯିହୋବାଙ୍କ ଭଳି ଯୀଶୁ ବି ଲୋକମାନଙ୍କ ପାଇଁ ମୃଦୁପଣ ଦେଖାନ୍ତି । ପୃଥିବୀରେ ଯୀଶୁଙ୍କୁ ‘ହଜିଯାଇଥିବା ମେଷମାନଙ୍କୁ’ ପ୍ରଚାର କରିବା ପାଇଁ ପଠାଯାଇଥିଲା । କିନ୍ତୁ ଏହି ଦାୟିତ୍ୱକୁ ପୂରା କରିବା ସମୟରେ ସେ ସବୁବେଳେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁଥିଲେ । ଥରେ ଜଣେ ସ୍ତ୍ରୀ ଯିଏ ଇସ୍ରାଏଲୀୟ ନ ଥିଲେ, ସେ ତାଙ୍କୁ ବିନତି କଲେ ଯେ ସେ ତାଙ୍କ ଝିଅ ଭିତରେ ଥିବା ‘ଅତି ଭୟଙ୍କର ଦୁଷ୍ଟ ସ୍ୱର୍ଗଦୂତକୁ’ ବାହାର କରିଦିଅନ୍ତୁ । ତେବେ ଯୀଶୁ ସେହି ସ୍ତ୍ରୀଙ୍କ ପାଇଁ କରୁଣା ଦେଖାଇଲେ ଓ ସେ ତାଙ୍କ ଝିଅକୁ ଠିକ୍ କରିଦେଲେ । (ମାଥି. ୧୫:୨୧-୨୮) ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ପୃଥିବୀରେ ସେବା କରୁଥିବା ସମୟରେ ଯୀଶୁ ଥରେ କହିଥିଲେ, ‘ଯେ କେହି ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ତାହାକୁ ଅସ୍ୱୀକାର କରିବି ।’ (ମାଥି. ୧୦:୩୩) କିନ୍ତୁ ପିତର ଯୀଶୁଙ୍କୁ ତିନିଥର ଚିହ୍ନିବାରୁ ମନା କରି ଦେଇଥିଲେ, ତେବେ ଯୀଶୁ କʼଣ କଲେ ? ଯୀଶୁ ଜାଣିଥିଲେ ଯେ ପିତରଙ୍କୁ ନିଜ ଭୁଲ ପାଇଁ ସତରେ ଅନୁତାପ ଅଛି ଓ ସେ ଜଣେ ବିଶ୍ୱସ୍ତ ସେବକ ଅଟନ୍ତି, ତେଣୁ ସେ ପିତରଙ୍କୁ ଅସ୍ୱୀକାର କଲେନି । ଜୀବିତ ହେବା ପରେ ଯୀଶୁ ପିତରଙ୍କୁ ଭେଟିଲେ ଓ ସେ ତାଙ୍କୁ ନିଶ୍ଚୟ ଭରସା କରାଇଥିବେ ଯେ ସେ ତାଙ୍କୁ କ୍ଷମା କରିଦେଇଛନ୍ତି ଓ ଏବେ ବି ତାଙ୍କୁ ପ୍ରେମ କରନ୍ତି ।—ଲୂକ ୨୪:୩୩, ୩୪.
୭. ଫିଲିପ୍ପୀୟ ୪:୫ ପଦରେ ଆମକୁ କିପରି ନାମ ଅର୍ଜନ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି ?
୭ ଏବେ ଯାଏ ଆମେ ଦେଖିଲୁ ଯେ ଯିହୋବା ଓ ଯୀଶୁ ମୃଦୁଶୀଳ ଅଟନ୍ତି । ଆଉ ଯିହୋବା ଚାହାନ୍ତି ଯେ ଆମେ ବି ମୃଦୁଶୀଳ ବ୍ୟକ୍ତି ହେଉ । (ଫିଲିପ୍ପୀୟ ୪:୫ ପଢ଼ନ୍ତୁ ।) ଏହି ପଦକୁ ଗୋଟିଏ ବାଇବଲରେ ଏପରି ଅନୁବାଦ କରାଯାଇଛି, “ମୃଦୁଶୀଳ ବ୍ୟକ୍ତି ଭାବେ ତମେ ପରିଚିତ ହୁଅ ।” ତାହେଲେ ନିଜକୁ ପଚାରିପାରିବେ, ‘ଲୋକମାନେ ମୋ ବିଷୟରେ କʼଣ ଭାବନ୍ତି ? କʼଣ ମୁଁ ମୃଦୁଶୀଳ ବ୍ୟକ୍ତି ଅଟେ ? କʼଣ ମୁଁ ନଇଁବା ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହେ ? କିମ୍ବା ଲୋକେ ମୋତେ କଠୋର ଭାବନ୍ତି ? କʼଣ ମୁଁ ଏହା ଭାବେ ଯେ ମୁଁ ଯାହା କହି ଦେଇଛି ତାହା ହିଁ ଠିକ୍ ଅଟେ ଓ ସମସ୍ତେ ମୋ କଥା ହିଁ ମାନିବା ଉଚିତ୍ ? କିମ୍ବା ମୁଁ ଅନ୍ୟମାନଙ୍କ ଶୁଣିବା ପାଇଁ ପ୍ରସ୍ତୁତ ରହେ ଓ ସମ୍ଭବ ହେଲେ କʼଣ ମୁଁ ସେମାନଙ୍କ କଥା ମାନେ ?’ ଯେତେ ଅଧିକ ଆମେ ମୃଦୁପଣ ଦେଖାଉ କିମ୍ବା ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁ, ସେତେ ଅଧିକ ଆମେ ଯିହୋବା ଓ ଯୀଶୁଙ୍କ ଭଳି ହେଉ । ଆସନ୍ତୁ ଏପରି ଦୁଇଟି ମାମଲା ଉପରେ ଧ୍ୟାନ ଦେବା, ଯେଉଁଠି ପରିବର୍ତ୍ତନ କରିବା ପାଇଁ ଆମକୁ ପ୍ରସ୍ତୁତ ରହିବା ଉଚିତ୍ । ପ୍ରଥମ, ଯେବେ ପରିସ୍ଥିତି ବଦଳି ଯାଏ । ଦ୍ୱିତୀୟ, ଯେବେ ଲୋକମାନଙ୍କ ଚିନ୍ତାଧାରା କିମ୍ବା ନିଷ୍ପତ୍ତି ଆମଠାରୁ ଅଲଗା ଥାଏ ।
ପରିସ୍ଥିତି ବଦଳିଲେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହନ୍ତୁ
୮. କେଉଁ ପଦକ୍ଷେପ ନେବା ଦ୍ୱାରା ଆମେ ବଦଳୁଥିବା ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରିପାରିବା ? (ଫୁଟନୋଟ୍ ମଧ୍ୟ ଦେଖନ୍ତୁ ।)
୮ ଯେବେ ପରିସ୍ଥିତି ବଦଳି ଯାଏ, ତେବେ ପରିବର୍ତ୍ତନ କରିବା ଜରୁରୀ ହୋଇଯାଏ । କିଛି ପରିବର୍ତ୍ତନ ଯୋଗୁଁ ଆମ ଆଗରେ ଏପରି ସମସ୍ୟାଗୁଡ଼ିକ ଆସିପାରେ ଯାହା ବିଷୟରେ ଆମେ ହୁଏତ ଭାବି ବି ନ ଥିବା । ହୋଇପାରେ, ହଠାତ୍ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯିବ, ଆର୍ଥିକ କିମ୍ବା ରାଜନୈତିକ ପରିବର୍ତ୍ତନ ଯୋଗୁଁ ହୁଏତ ରାତାରାତି ଆମ ଜୀବନ ପୂରାପୂରି ବଦଳିଯାଏ । (ଉପ. ୯:୧୧; ୧ କରି. ୭:୩୧) ଏପରି ବି ହୋଇପାରେ ଯେ ଯିହୋବାଙ୍କ ସଙ୍ଗଠନରୁ ଆମକୁ ଯେଉଁ ଦାୟିତ୍ୱ ବା କାମ ଦିଆଯାଇଛି, ସେଥିରେ କିଛି ପରିବର୍ତ୍ତନ ହୋଇଯିବ । ଆମ ଆଗରେ ଯେପରି ବି ପରିସ୍ଥିତି ଥାଉ, ଯଦି ଆମେ ଆଗକୁ ଦିଆଯାଇଥିବା ଚାରୋଟି ପଦକ୍ଷେପ ନେବା, ତେବେ ଆମକୁ ବଦଳିଥିବା ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିବା ସହଜ ହୋଇଯିବ: (୧) ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କ ପରିସ୍ଥିତି ବଦଳି ଯାଇଛି, (୨) ଭବିଷ୍ୟତ ବିଷୟରେ ଭାବନ୍ତୁ, (୩) ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଓ (୪) ଅନ୍ୟମାନଙ୍କ ପାଇଁ କିଛି କରନ୍ତୁ ।b ଏବେ ଆସନ୍ତୁ ଆମେ ଏପରି କିଛି ଭାଇଭଉଣୀମାନଙ୍କ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେବା, ଯେଉଁମାନଙ୍କୁ ଏହି ପଦକ୍ଷେପ ନେବା ଦ୍ୱାରା ବଦଳିଥିବା ପରିସ୍ଥିତିର ସାମନା କରିବା ପାଇଁ ବହୁତ ସାହାଯ୍ୟ ମିଳିଲା ।
୯. ଯେବେ ଜଣେ ମିଶନାରୀ ସ୍ୱାମୀ ସ୍ତ୍ରୀଙ୍କ ପରିସ୍ଥିତି ହଠାତ୍ ବଦଳିଗଲା, ତେବେ ସେମାନେ କିପରି ତାʼର ସାମନା କଲେ ?
୯ ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କ ପରିସ୍ଥିତି ବଦଳି ଯାଇଛି । ଭାଇ ଏମାନ୍ୱେଲା ଓ ତାଙ୍କ ସ୍ତ୍ରୀ ଫ୍ରେଞ୍ଚେସ୍କୋଙ୍କୁ ଗୋଟିଏ ଅନ୍ୟ ଦେଶରେ ମିଶନାରୀ ଭାବେ ସେବା କରିବା ପାଇଁ ପଠାଯାଇଥିଲା । ସେମାନେ ସେଠାର ଭାଷା ଶିଖିବା ଆରମ୍ଭ କରିଥିଲେ ଓ ମଣ୍ଡଳୀର ଭାଇଭଉଣୀଙ୍କୁ ଜାଣିବା ପାଇଁ ଚେଷ୍ଟା ହିଁ କରୁଥିଲେ ଆଉ କୋଭିଡ୍-୧୯ ମହାମାରୀ ଆରମ୍ଭ ହୋଇଗଲା । ଏବେ ସେମାନେ ସେଠାର କୌଣସି ଭାଇଭଉଣୀମାନଙ୍କ ସହ ଭେଟି ପାରନ୍ତେନି । ତାʼପରେ ହଠାତ୍ ଭଉଣୀ ଫ୍ରେଞ୍ଚେସ୍କୋଙ୍କ ମାଆଙ୍କ ମୃତ୍ୟୁ ହୋଇଗଲା । ଭଉଣୀଙ୍କୁ ନିଜ ପରିବାର ସହ ଭେଟିବା ପାଇଁ ବହୁତ ଇଚ୍ଛା ହେଉଥିଲା, କିନ୍ତୁ ମହାମାରୀ ଯୋଗୁଁ ଭଉଣୀ ନିଜ ପରିବାର ସହ ଭେଟି ପାରିଲେନି । ଭଉଣୀ ଏହି କଠିନ ସମୟର ସାମନା କିପରି କରିପାରିଲେ ? ପ୍ରଥମ କଥା, ଭାଇ ଏମାନ୍ୱେଲା ଓ ଭଉଣୀ ଫ୍ରେଞ୍ଚେସ୍କୋ ପ୍ରତିଦିନ ଯିହୋବାଙ୍କୁ ବୁଦ୍ଧି ପାଇଁ ପ୍ରାର୍ଥନା କରୁଥିଲେ ଯେ ସେମାନଙ୍କ ଆଜିର ଦିନ ଯେମିତି ହେଲେ ବି କଟି ଯାଉ । ଯିହୋବା ତାଙ୍କ ପ୍ରାର୍ଥନାଗୁଡ଼ିକୁ ଶୁଣିଲେ ଓ ସଙ୍ଗଠନ ଜରିଆରେ ସଠିକ୍ ସମୟରେ ତାଙ୍କ ସାହାଯ୍ୟ କଲେ । ଉଦାହରଣ ପାଇଁ, ଗୋଟିଏ ଭିଡିଓରେ ଜଣେ ଭାଇ ଯେଉଁ କଥା କହିଥିଲେ, ସେଥିରୁ ତାଙ୍କୁ ବହୁତ ସାହସ ମିଳିଲା । ସେହି ଭାଇ କହିଥିଲେ, “ବଦଳିଥିବା ପରିସ୍ଥିତିରେ ଆମେ ନିଜକୁ ଯେତେ ଶୀଘ୍ର ପରିବର୍ତ୍ତନ କରିବା, ସେତେ ଶୀଘ୍ର ଆମ ଖୁସି ଫେରି ଆସିବ । ଏହି ବଦଳିଥିବା ପରିସ୍ଥିତିରେ ଆମେ ଭଲଭାବେ ଯିହୋବାଙ୍କ ସେବା କରିପାରିବା ।”c ଦ୍ୱିତୀୟ କଥା, ସେମାନେ ଭାବିଲେ ଯେ ସେ ଫୋନ୍ରେ ସାକ୍ଷ୍ୟ ଦେବାର ଦକ୍ଷତା ବଢ଼ାଇବେ ଓ ଯେବେ ସେମାନେ ଏପରି କରିଲେ, ତେବେ ସେମାନେ ଗୋଟିଏ ବାଇବଲ ଅଧ୍ୟୟନ ବି ଆରମ୍ଭ କରିପାରିଲେ । ତୃତୀୟ କଥା, ସେମାନଙ୍କ ମଣ୍ଡଳୀର ଭାଇଭଉଣୀମାନେ ଯେବେ ସେମାନଙ୍କ ସାହସ ବଢ଼ାଇବା ପାଇଁ ଚେଷ୍ଟା କଲେ ଓ ସାହାଯ୍ୟ କରିବା ପାଇଁ ଚାହିଁଲେ, ତେବେ ସେମାନେ ଖୁସି ଖୁସି ସାହାଯ୍ୟ ସ୍ୱୀକାର କଲେ ଓ ସେମାନଙ୍କ କୃତଜ୍ଞ ମନେକରିଲେ । ଯେପରି, ଜଣେ ଭଉଣୀ ପ୍ରତିଦିନ ସେମାନଙ୍କୁ ଗୋଟିଏ ମେସେଜ୍ ପଠାଉଥିଲେ ଯେଉଁଥିରେ ସେ ବାଇବଲର ଗୋଟିଏ ପଦ ବି ଲେଖୁଥିଲେ । ଆଉ ଏପରି ସେ ଗୋଟେ ବର୍ଷ ଯାଏ କରିଲେ । ଯଦି ଆମେ ବି ଏହା ସ୍ୱୀକାର କରିବା ଯେ ଆମ ପରିସ୍ଥିତି ବଦଳି ଯାଇଛି, ତେବେ ଆମେ ନିଜ ବଦଳିଥିବା ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିପାରିବା ଓ ଆମଦ୍ୱାରା ଯେତେ ହୋଇପାରିବ, ସେଥିରୁ ହିଁ ଆମେ ଖୁସି ପାଇପାରିବା ।
୧୦. ପରିସ୍ଥିତି ବଦଳିବା ସମୟରେ ଜଣେ ଭଉଣୀ କʼଣ ପରିବର୍ତ୍ତନ କଲେ ?
୧୦ ଭବିଷ୍ୟତ ବିଷୟରେ ଭାବନ୍ତୁ ଓ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ରୋମାନିୟାରେ ରହୁଥିବା ଜଣେ ଭଉଣୀ କ୍ରିଷ୍ଟିନା ଜାପାନରେ ସେବା କରନ୍ତି । ପୂର୍ବେ ସେ ସେଠାର ଗୋଟିଏ ଇଂରାଜୀ ଭାଷା କହୁଥିବା ମଣ୍ଡଳୀରେ ଥିଲେ, କିନ୍ତୁ ପରେ ସେହି ମଣ୍ଡଳୀକୁ ବନ୍ଦ କରିଦିଆଗଲା । ତାʼଯୋଗୁଁ ଭଉଣୀଙ୍କୁ ଟିକେ ଦୁଃଖ ତ ହେଲା, କିନ୍ତୁ ସେ ସେହି ବିଷୟରେ ଲଗାତାର ଭାବୁ ନ ଥିଲେ । ତାʼପରିବର୍ତ୍ତେ ସେ ନିଷ୍ପତ୍ତି ନେଲେ ଯେ ସେ ଜାପାନିଜ ଭାଷା କହୁଥିବା ମଣ୍ଡଳୀରେ ଯିବେ ଓ ସେହି ଭାଷାରେ ଭଲଭାବେ ପ୍ରଚାର କରିବା ପାଇଁ ପୂରା ଚେଷ୍ଟା କରିବେ । ଭଉଣୀ ଜାପାନିଜ ଭାଷା ଭଲଭାବେ ଶିଖିବା ପାଇଁ ଚାହୁଁଥିଲେ, ତେଣୁ ସେ ଜଣେ ସ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ଯିଏ ପୂର୍ବେ ତାଙ୍କ ସହ କାମ କରୁଥିଲେ । ସେ ସେହି ସ୍ତ୍ରୀଙ୍କୁ ଏହା ବି ପଚାରିଲେ ଯେ ସେ କʼଣ ବାଇବଲ ଓ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାରୁ ତାଙ୍କୁ ଜାପାନିଜ ଭାଷା ଶିଖାଇପାରିବେ । ସେହି ସ୍ତ୍ରୀ ମାନିଗଲେ, ତାʼଯୋଗୁଁ କେବଳ ଭଉଣୀ କ୍ରିଷ୍ଟିନା ଭଲଭାବେ ଜାପାନିଜ ଭାଷା ଶିଖିପାରିଲେ ତାହା ନୁହେଁ, ବରଂ ସେ ସ୍ତ୍ରୀ ବି ବାଇବଲର ସନ୍ଦେଶ ଉପରେ ଆଗ୍ରହ ଦେଖାଇଲେ । ଏହି ଅନୁଭବରୁ ଆମେ କʼଣ ଶିଖୁ ? ଆମେ ଶିଖୁ ଯେ ଯଦି ଆମେ ଭବିଷ୍ୟତ ବିଷୟରେ ଭାବିବା ଓ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ ହଠାତ୍ ଆମ ପରିସ୍ଥିତି ବଦଳିବା ସତ୍ତ୍ୱେ ବି ଆମକୁ ଏପରି ଆଶିଷଗୁଡ଼ିକ ମିଳିବ ଯାହା ବିଷୟରେ ହୁଏତ ଆମେ ଭାବି ବି ନ ଥିବା ।
୧୧. ଯେବେ ଜଣେ ସ୍ୱାମୀ ସ୍ତ୍ରୀଙ୍କୁ ପଇସାର ଅଭାବ ହେଲା, ତେବେ ସେମାନେ ଏହାର ସାମନା କିପରି କଲେ ?
୧୧ ଅନ୍ୟମାନଙ୍କ ପାଇଁ କିଛି କରନ୍ତୁ । ଜଣେ ସ୍ୱାମୀ ସ୍ତ୍ରୀ ଗୋଟିଏ ଏପରି ଦେଶରେ ରହନ୍ତି ଯେଉଁଠି ଆମ କାମ ଉପରେ ରୋକ ଲାଗିଛି । ଯେବେ ସେହି ଦେଶରେ ସବୁକିଛି ଶେଷ ହୋଇଗଲା, ତେବେ ସେମାନଙ୍କୁ ପଇସାର ଅଭାବ ହେଲା । ବଦଳୁଥିବା ପରିସ୍ଥିତିରେ ସେମାନେ ନିଜକୁ କିପରି ପରିବର୍ତ୍ତନ କଲେ ? ପ୍ରଥମେ ସେମାନେ ନିଜ ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କଲେ । ତାʼପରେ ସେମାନେ ନିଷ୍ପତ୍ତି ନେଲେ ଯେ ସେମାନେ ନିଜ ସମସ୍ୟା ବିଷୟରେ ଅତ୍ୟଧିକ ଭାବିବା ପରିବର୍ତ୍ତେ ପ୍ରଚାର କାମ ଉପରେ ଅଧିକ ଧ୍ୟାନ ଦେବେ । ଏପରି ଭାବେ ସେମାନେ ଅନ୍ୟମାନଙ୍କ ସାହାଯ୍ୟ କରିବେ । (ପ୍ରେରି. ୨୦:୩୫) ଭାଇ କହନ୍ତି, “ପ୍ରଚାରରେ ଲାଗି ରହିବା ଯୋଗୁଁ ଆମମାନଙ୍କ ପାଖରେ ନିଜ ସମସ୍ୟାଗୁଡ଼ିକ ବିଷୟରେ ଭାବିବା ପାଇଁ ସମୟ ହିଁ ବଞ୍ଚୁ ନ ଥିଲା । ଆମେ ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଅଧିକ ଧ୍ୟାନ ଦେଉଥିଲୁ ।” ଯେବେ ଆମ ପରିସ୍ଥିତି ବଦଳି ଯାଏ, ତେବେ ଆମେ ମନେରଖିବା ଉଚିତ୍ ଯେ ଅନ୍ୟମାନଙ୍କ ସାହାଯ୍ୟ କରିବା ବହୁତ ଜରୁରୀ, ବିଶେଷ କରି ପ୍ରଚାର କାମ ଦ୍ୱାରା ।
୧୨. ପ୍ରଚାରରେ ପରିବର୍ତ୍ତନ କରିବା ମାମଲାରେ ଆମେ ପ୍ରେରିତ ପାଉଲଙ୍କଠାରୁ କʼଣ ଶିଖିପାରିବା ?
୧୨ ଆମକୁ ପ୍ରଚାରରେ ବି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଆମେ ଯେଉଁ ଲୋକମାନଙ୍କୁ ପ୍ରଚାର କରୁ, ସେମାନଙ୍କ ସଂସ୍କୃତି, ପରିବେଶ, ରହଣୀ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା ମାମଲାରେ ବି ଅଲଗା ଅଲଗା ମତ ଥାଏ । ଲୋକମାନଙ୍କ ପରିସ୍ଥିତିକୁ ଧ୍ୟାନରେ ରଖି କଥା ହେବା ମାମଲାରେ ପାଉଲ ଗୋଟିଏ ଭଲ ଉଦାହରଣ ଅଟନ୍ତି । ପାଉଲଙ୍କୁ ଯୀଶୁ ଖ୍ରୀଷ୍ଟ ‘ଅଣ-ଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ’ ବାଛିଥିଲେ । (ରୋମୀ. ୧୧:୧୩) କିନ୍ତୁ ସେ ଯିହୁଦୀ, ଶିକ୍ଷିତ, ଗାଁ ଲୋକମାନଙ୍କୁ, ବଡ଼ ବଡ଼ ଅଧିକାରୀ, ରାଜା ଓ ଗ୍ରୀକ୍ମାନଙ୍କୁ ମଧ୍ୟ ପ୍ରଚାର କଲେ । ଏପରି ଅନେକ ପ୍ରକାରର ଲୋକଙ୍କ ହୃଦୟରେ ସତ୍ୟର ବିଜ ବୁଣିବା ପାଇଁ ପାଉଲ ‘ସମସ୍ତଙ୍କ ନିକଟରେ ସବୁପ୍ରକାର ହୋଇଥିଲେ ।’ (୧ କରି. ୯:୧୯-୨୩) ସେ ଏକଥାର ବି ଧ୍ୟାନ ରଖିଲେ ଯେ ସେ ଯେଉଁ ଲୋକମାନଙ୍କୁ ପ୍ରଚାର କରୁଛନ୍ତି, ସେମାନେ କେଉଁ ସଂସ୍କୃତିର, କିପରି ପରିସ୍ଥିତିରେ ସେମାନଙ୍କ ଲାଳନପାଳନ ହୋଇଛି ଓ ସେମାନଙ୍କ ବିଶ୍ୱାସ କʼଣ । ତାʼପରେ ଯାଇ ସେ ତାଙ୍କ ଅନୁସାରେ ପ୍ରଚାର କରିବାର ଉପାୟ ଉପରେ ପରିବର୍ତ୍ତନ କରୁଥିଲେ । ସେହିପରି ଯଦି ଆମେ ଏବିଷୟରେ ଭାବିବା ଯେ ଆମେ ଅଲଗା ଅଲଗା ଲୋକମାନଙ୍କ ସହ କିପରି ଭାବେ କଥା ହେବା ଓ ତାʼଅନୁସାରେ ନିଜ ପ୍ରଚାର କରିବାର ଉପାୟରେ ପରିବର୍ତ୍ତନ କରିବା, ତେବେ ଆମେ ସେମାନଙ୍କୁ ଭଲଭାବେ ସାକ୍ଷ୍ୟ ଦେଇପାରିବା ।
ଅନ୍ୟମାନଙ୍କ ନିଷ୍ପତ୍ତିର ଆଦର କରନ୍ତୁ
ଯଦି ଆମେ ମୃଦୁଶୀଳ ବ୍ୟକ୍ତି ଅଟୁ, ତାହେଲେ ଆମେ ଅନ୍ୟମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ନିଷ୍ପତ୍ତିର ଆଦର କରିବା (ପାରାଗ୍ରାଫ ୧୩)
୧୩. ଯଦି ଆମେ ଅନ୍ୟମାନଙ୍କ ଚିନ୍ତାଧାରା ଓ ନିଷ୍ପତ୍ତିଗୁଡ଼ିକର ଆଦର କରିବା, ତେବେ ଆମେ ୧ କରିନ୍ଥୀୟ ୮:୯ ପଦ ଅନୁସାରେ କʼଣ କରିବାରୁ ବଞ୍ଚିପାରିବା ?
୧୩ ଯେବେ ଆମେ ଅନ୍ୟମାନଙ୍କୁ ମୃଦୁପଣ ଦେଖାଇବା ତେବେ ଆମେ ସେମାନଙ୍କ ଚିନ୍ତାଧାରା ଓ ନିଷ୍ପତ୍ତିର ବି ଆଦର କରିବା । ଉଦାହରଣ ପାଇଁ କିଛି ଭଉଣୀମାନଙ୍କୁ ମେକଅପ୍ କରିବା ଭଲ ଲାଗେ, କିନ୍ତୁ କିଛି ଭଉଣୀଙ୍କୁ ଭଲ ଲାଗେନି । କିଛି ଖ୍ରୀଷ୍ଟିୟାନମାନଙ୍କୁ ସିମୀତ ପରିମାଣରେ ମଦ ପିଇବା ଭଲ ଲାଗେ, କିନ୍ତୁ କିଛି ଖ୍ରୀଷ୍ଟିୟାନମାନଙ୍କୁ ଜମା ବି ଭଲ ଲାଗେନି । ଆଉ ଆମେ ଚାହୁଁ ଯେ ଆମ ସ୍ୱାସ୍ଥ୍ୟ ଭଲ ରହୁ, କିନ୍ତୁ ଚିକିତ୍ସା ମାମଲାରେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ଚିନ୍ତାଧାରା ଅଲଗା ଥାଏ । ଯଦି ଆମେ ଏହା ଭାବିବା ଯେ ଆମେ ଯାହା ବିଶ୍ୱାସ କରୁ ତାହା ହିଁ ଠିକ୍ ଓ ନିଜ ମତ ଅନ୍ୟମାନଙ୍କ ଉପରେ ଲଦିବା ପାଇଁ ଚେଷ୍ଟା କରିବା, ତେବେ ଆମେ ସେମାନଙ୍କ ବିଶ୍ୱାସରୁ ଝୁଣ୍ଟିବାର କାରଣ ହେଉଥିବା ଓ ମଣ୍ଡଳୀରେ ଫାଟ ସୃଷ୍ଟି ହୋଇପାରେ । କିନ୍ତୁ ଆମେ କେବେ ବି ଏପରି କରିବା ପାଇଁ ଚାହିଁବାନି । (୧ କରିନ୍ଥୀୟ ୮:୯ ପଢ଼ନ୍ତୁ; ୧୦:୨୩, ୨୪) ଆସନ୍ତୁ ଏପରି ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁଥିରୁ ଆମେ ବୁଝିପାରିବା ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ଆମେ କିପରି ଭଲ ନିଷ୍ପତ୍ତି ନେଇପାରିବା ଓ ମଣ୍ଡଳୀରେ ଶାନ୍ତି ବଜାଏ ରଖିପାରିବା ।
ଯଦି ଆମେ ମୃଦୁଶୀଳ ବ୍ୟକ୍ତି ଅଟୁ, ତାହେଲେ ଆମେ ଅନ୍ୟମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ନିଷ୍ପତ୍ତିର ଆଦର କରିବା (ପାରାଗ୍ରାଫ ୧୪)
୧୪. କପଡ଼ା ପିନ୍ଧିବା ଓ ସାଜସଜ୍ଜା ମାମଲାରେ କିଛି ନିଷ୍ପତ୍ତି ନେବା ସମୟରେ ଆମେ ବାଇବଲର କେଉଁ ସିଦ୍ଧାନ୍ତ ଧ୍ୟାନରେ ରଖିପାରିବା ?
୧୪ କପଡ଼ା ପିନ୍ଧିବା ଓ ସାଜସଜ୍ଜା । ଆମେ କିପରି କପଡ଼ା ପିନ୍ଧିବା ଏବିଷୟରେ ଯିହୋବା ବହୁତଗୁଡ଼ିଏ ନିୟମ ଦେଇ ନାହାନ୍ତି, ବରଂ ସେ କିଛି ସିଦ୍ଧାନ୍ତ ଦେଇଛନ୍ତି । ଏଗୁଡ଼ିକୁ ଧ୍ୟାନରେ ରଖି ଆମେ ସଠିକ୍ ନିଷ୍ପତ୍ତି ନେଇପାରିବା । ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ସମୟରେ ଆମେ ‘ସୁବୁଦ୍ଧିର’ ବ୍ୟବହାର କରିବା ଉଚିତ୍, ଅନ୍ୟମାନଙ୍କ ପାଇଁ ମୃଦୁପଣ ଦେଖାଇବା ଉଚିତ୍ ଓ ଏପରି କପଡ଼ା ପିନ୍ଧିବା ଉଚିତ୍ ଯାହା ଭଲ ଓ ଈଶ୍ୱରଙ୍କ ସେବକମାନଙ୍କ ପାଇଁ ଉପଯୁକ୍ତ । (୧ ତୀମ. ୨:୯, ୧୦; ୧ ପିତ. ୩:୩) ତେଣୁ ଆମେ ଏପରି କପଡ଼ା ପିନ୍ଧି ନ ଥାଉ, ଯାହାଯୋଗୁଁ ଅଯଥାରେ ଲୋକମାନଙ୍କ ଧ୍ୟାନ ଆମ ଉପରେ ଯିବ । ଯିହୋବା ବାଇବଲରେ ଆମ ପାଇଁ ସିଦ୍ଧାନ୍ତ ଲେଖାଇଛନ୍ତି, ତେଣୁ ପ୍ରାଚୀନମାନେ ଧ୍ୟାନ ରଖନ୍ତି ଯେ ସେମାନେ କପଡ଼ା ପିନ୍ଧିବା ଓ ଚୁଟି କୁଣ୍ଡାଇବା ମାମଲାରେ ନିଜ ତରଫରୁ କୌଣସି ନିୟମ ତିଆରି କରନ୍ତୁ ନାହିଁ । ଧ୍ୟାନ ଦିଅନ୍ତୁ ଯେ ଗୋଟେ ମଣ୍ଡଳୀରେ ପ୍ରାଚୀନମାନେ କʼଣ କଲେ । ସେହି ମଣ୍ଡଳୀର ଯୁବା ଭାଇମାନେ ଚୁଟିର ଏପରି ଷ୍ଟାଇଲ୍ କରୁଥିଲେ, ଯାହା ସେସମୟରେ ବହୁତ ଲୋକପ୍ରିୟ ଥିଲା । ତାଙ୍କ ଚୁଟି ଛୋଟ ଥିଲା କିନ୍ତୁ ଭଲ ଦେଖାଯାଉ ନ ଥିଲା । ପ୍ରାଚୀନମାନେ ନିଜ ତରଫରୁ କୌଣସି ନିୟମ ତିଆରି ନ କରି ମଧ୍ୟ କିପରି ଯୁବାମାନଙ୍କୁ ସାହାଯ୍ୟ କଲେ ? ତାଙ୍କ ସର୍କିଟ ଅଧ୍ୟକ୍ଷ ସେମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ଯୁବାମାନଙ୍କୁ ଏପରି କହିପାରିବେ: “ଭାବନ୍ତୁ ଆପଣ ଷ୍ଟେଜ୍ରୁ କୌଣସି ଭାଗ ପରିବେଷଣ କରୁଛନ୍ତି, କିନ୍ତୁ ଆପଣ ଯାହା କହୁଛନ୍ତି ତାʼଉପରେ ଧ୍ୟାନ ଦେବା ପରିବର୍ତ୍ତେ ଭାଇଭଉଣୀମାନେ ଏକଥା ଉପରେ ଧ୍ୟାନ ଦେଉଛନ୍ତି ଯେ ଆପଣ କିପରି ଦେଖାଯାଉଛନ୍ତି । ତାʼଅର୍ଥ ଆପଣଙ୍କ ସାଜସଜ୍ଜାରେ କିଛି ସମସ୍ୟା ଅଛି ।” ଏପରି ଭାବେ ସହଜରେ ସେହି ସମସ୍ୟାର ସମାଧାନ ବି ହୋଇଗଲା । ଆଉ ଭାଇମାନଙ୍କୁ କୌଣସି ନିୟମ ତିଆରି କରିବାକୁ ପଡ଼ିଲାନି ।d
ଯଦି ଆମେ ମୃଦୁଶୀଳ ବ୍ୟକ୍ତି ଅଟୁ, ତାହେଲେ ଆମେ ଅନ୍ୟମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ନିଷ୍ପତ୍ତିର ଆଦର କରିବା (ପାରାଗ୍ରାଫ ୧୫)
୧୫. ସ୍ୱାସ୍ଥ୍ୟ ଓ ଚିକିତ୍ସା ସହ ଜଡ଼ିତ ମାମଲାରେ ନିଷ୍ପତ୍ତି ନେବା ପାଇଁ ଆମେ ବାଇବଲର କେଉଁ ନିୟମ ଓ ସିଦ୍ଧାନ୍ତଗୁଡ଼ିକ ଧ୍ୟାନରେ ରଖିପାରିବା ? (ରୋମୀୟ ୧୪:୫)
୧୫ ସ୍ୱାସ୍ଥ୍ୟ ଓ ଚିକିତ୍ସା । ପ୍ରତ୍ୟେକ ଖ୍ରୀଷ୍ଟିୟାନ ନିଜ ସ୍ୱାସ୍ଥ୍ୟର କିପରି ଯତ୍ନ ନେବ ତାହା ନିଜେ ନିଷ୍ପତ୍ତି ନେବା ଉଚିତ୍ । (ଗାଲା. ୬:୫) ଚିକିତ୍ସା ମାମଲାରେ ବାଇବଲରେ କିଛି ନିୟମ ହିଁ ଦିଆଯାଇଛି । ଯେପରି ଆମକୁ ରକ୍ତ ଓ ଯାଦୁବିଦ୍ୟାଠାରୁ ଦୂରେଇ ରହିବା ଉଚିତ୍ । (ପ୍ରେରି. ୧୫:୨୦; ଗାଲା. ୫:୧୯, ୨୦) ତାʼଛଡ଼ା ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ନିଜେ ନିଷ୍ପତ୍ତି ନେବାର ଅଛି ଯେ ସେ କିପରି ଚିକିତ୍ସା କରାଇବ । କିଛି ଖ୍ରୀଷ୍ଟିୟାନମାନଙ୍କୁ ଡାକ୍ତରଙ୍କଠାରୁ ଚିକିତ୍ସା କରାଇବା ଠିକ୍ ଲାଗେ, କିନ୍ତୁ କିଛିମାନଙ୍କୁ ଅନ୍ୟ ଉପାୟରେ ଚିକିତ୍ସା କରାଇବା ଠିକ୍ ଲାଗେ । ହୋଇପାରେ ଚିକିତ୍ସାର କୌଣସି ଉପାୟ ମାମଲାରେ ଆମ ମତ ଅନ୍ୟମାନଙ୍କଠାରୁ ଅଲଗା ଥିବ, କିନ୍ତୁ ଆମକୁ ନିଜ ମତ ଅନ୍ୟମାନଙ୍କ ଉପରେ ଲଦିବା ଉଚିତ୍ ନୁହେଁ । ଆମକୁ ଧ୍ୟାନ ରଖିବାର ଅଛି ଯେ ଏବିଷୟରେ ଭାଇଭଉଣୀମାନଙ୍କୁ ନିଜେ ନିଷ୍ପତ୍ତି ନେବାର ଅଧିକାର ଅଛି । ଆମ ସମସ୍ତଙ୍କୁ ଆଗକୁ ଦିଆଯାଇଥିବା କଥା ଉପରେ ଧ୍ୟାନ ଦେବା ଉଚିତ୍: (୧) ଈଶ୍ୱରଙ୍କ ରାଜ୍ୟରେ ହିଁ ସବୁ ରୋଗ ଦୂର ହୋଇଯିବ ଓ ଆମେ ପୂରାପୂରି ସୁସ୍ଥ ରହିପାରିବା । (ଯିଶା. ୩୩:୨୪) (୨) ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ “ସ୍ଥିର” କରିବା ଉଚିତ୍ ଯେ ତାଙ୍କ ପାଇଁ କେଉଁ ଚିକିତ୍ସା କରାଇବା ଭଲ ରହିବ । (ରୋମୀୟ ୧୪:୫ ପଢ଼ନ୍ତୁ ।) (୩) ଆମେ ଅନ୍ୟମାନଙ୍କ ନିଷ୍ପତ୍ତିଗୁଡ଼ିକୁ ଠିକ୍ କିମ୍ବା ଭୁଲ ପ୍ରମାଣ କରିବାନି ଓ ଆମେ ସେମାନଙ୍କ ବିଶ୍ୱାସରୁ ଝୁଣ୍ଟିବାର କାରଣ ହେବାନି । (ରୋମୀ. ୧୪:୧୩) (୪) ଆମେ ଭାଇଭଉଣୀଙ୍କୁ ପ୍ରେମ କରୁ ଓ ଧ୍ୟାନ ରଖୁ ଯେ ଆମ ପସନ୍ଦ ନାପସନ୍ଦଠାରୁ ମଣ୍ଡଳୀର ଏକତା ଅଧିକ ମହତ୍ତ୍ୱ ରଖେ । (ରୋମୀ. ୧୪:୧୫, ୧୯, ୨୦) ଯଦି ଆମେ ଏକଥା ଉପରେ ଧ୍ୟାନ ରଖିବା, ତେବେ ଭାଇଭଉଣୀଙ୍କ ସହ ଆମ ସମ୍ପର୍କ ଭଲ ରହିବ ଓ ମଣ୍ଡଳୀରେ ଶାନ୍ତି ବଜାଏ ରହିବ ।
ଯଦି ଆମେ ମୃଦୁଶୀଳ ବ୍ୟକ୍ତି ଅଟୁ, ତାହେଲେ ଆମେ ଅନ୍ୟମାନଙ୍କ ଚିନ୍ତାଧାରା ଓ ସେମାନଙ୍କ ନିଷ୍ପତ୍ତିର ଆଦର କରିବା (ପାରାଗ୍ରାଫ ୧୬)
୧୬. ଜଣେ ପ୍ରାଚୀନ ଅନ୍ୟ ପ୍ରାଚୀନମାନଙ୍କ ପାଇଁ କିପରି ମୃଦୁପଣ ଦେଖାଇପାରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୬ ଅନ୍ୟମାନଙ୍କୁ ମୃଦୁପଣ ଦେଖାଇବା ମାମଲାରେ ପ୍ରାଚୀନମାନେ ଭଲ ଉଦାହରଣ ହେବା ଉଚିତ୍ । (୧ ତୀମ. ୩:୨, ୩) ଯେପରି ଜଣେ ପ୍ରାଚୀନଙ୍କୁ ଏହା ଭାବିବା ଉଚିତ୍ ନୁହେଁ ଯେ ସେ ଅନ୍ୟ ପ୍ରାଚୀନଙ୍କଠାରୁ ବୟସରେ ବଡ଼ କିମ୍ବା ତାଙ୍କ ପାଖରେ ଅଧିକ ଅନୁଭୂତି ଅଛି, ତେଣୁ ଅନ୍ୟ ପ୍ରାଚୀନମାନଙ୍କୁ ସବୁବେଳେ ତାଙ୍କ ହିଁ କଥା ମାନିବା ଉଚିତ୍ । ତାଙ୍କୁ ମନେରଖିବା ଉଚିତ୍ ଯେ ପବିତ୍ର ଶକ୍ତି ପ୍ରାଚୀନମାନଙ୍କ ସମୂହର କୌଣସି ବି ପ୍ରାଚୀନଙ୍କୁ ଏପରି କଥା କହିବା ପାଇଁ ପ୍ରେରିତ କରିପାରେ, ଯାହାଯୋଗୁଁ ସଠିକ୍ ନିଷ୍ପତ୍ତି ନିଆଯାଇପାରେ । ଆଉ ଯଦି ଅଧିକାଂଶ ପ୍ରାଚୀନମାନେ ଗୋଟିଏ କଥାରେ ରାଜି ହୋଇଯାଆନ୍ତି ଓ ତାହା ବାଇବଲ ସିଦ୍ଧାନ୍ତଗୁଡ଼ିକ ବିରୁଦ୍ଧରେ ନାହିଁ, ତାହେଲେ ଅନ୍ୟ ପ୍ରାଚୀନମାନେ ସେମାନଙ୍କୁ ମୃଦୁପଣ ଦେଖାନ୍ତି ଓ ଖୁସି ଖୁସି ସେମାନଙ୍କୁ ସହଯୋଗ କରନ୍ତି, ଯଦିଓ ସେହି ମାମଲାରେ ସେମାନଙ୍କ ମତ ଅନ୍ୟ ଥିବ ।
ମୃଦୁଶୀଳ ବ୍ୟକ୍ତି ହେବା ଓ ଆଶିଷଗୁଡ଼ିକ ପାଇବା
୧୭. ଯଦି ଆମେ ମୃଦୁଶୀଳ ବ୍ୟକ୍ତି ହେବା ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହିବା, ତେବେ ଆମକୁ କେଉଁ ଆଶିଷଗୁଡ଼ିକ ମିଳିବ ?
୧୭ ଯେବେ ଆମେ ମୃଦୁଶୀଳ ହେଉ ଓ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁ, ତେବେ ଆମକୁ ବହୁତଗୁଡ଼ିଏ ଆଶିଷ ମିଳେ । ଭାଇଭଉଣୀମାନଙ୍କ ସହ ଆମ ସମ୍ପର୍କ ଆହୁରି ଭଲ ହୋଇଯାଏ ଓ ମଣ୍ଡଳୀରେ ଶାନ୍ତି ବଜାଏ ରହେ । ଆମକୁ ଅଲଗା ଅଲଗା ଭାଇଭଉଣୀଙ୍କ ସହ ମିଶି ସେବା କରିବା ପାଇଁ ସୁଯୋଗ ମିଳେ । ଆମ ସମସ୍ତଙ୍କ ସ୍ୱଭାବ ଅଲଗା ଓ ଆମେ ସମସ୍ତେ ଅଲଗା ଅଲଗା ସଂସ୍କୃତିରୁ ଆସିଛୁ, ତଥାପି ଆମେ ଏକତାରେ ରହି ଯିହୋବାଙ୍କ ସେବା କରିପାରୁ, ଯାହାଯୋଗୁଁ ଆମକୁ ବହୁତ ଖୁସି ମିଳେ । ଆଉ ସବୁଠୁ ଜରୁରୀ କଥା, ଆମକୁ ଏହାଜାଣି ଖୁସି ମିଳେ ଯେ ଆମେ ମୃଦୁଶୀଳ ଈଶ୍ୱରଙ୍କ ଭଳି ହେଉଛୁ ।
ଗୀତ ୯୦ ଏକ୍ ଦୁଜେ କି ହିମ୍ମତ୍ ବନ୍ଧାଏଁ
a ମୃଦୁପଣ ଦେଖାଇବା ଓ ପରିବର୍ତ୍ତନ କରିବାର ମାମଲାରେ ଯିହୋବା ଓ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି । ଆଉ ସେମାନେ ଚାହାନ୍ତି ଯେ ଆମେ ବି ସେମାନଙ୍କ ଭଳି ହେଉ । ଯେବେ ଆମେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁ, ତେବେ ପରିସ୍ଥିତି ବଦଳିଲେ ଆମେ ସହଜରେ ପରିବର୍ତ୍ତନ କରିପାରୁ । ଯେପରି, ଯଦି ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ କିମ୍ବା ପଇସାର ଅଭାବ ହୁଏ, ତେବେ ତାʼର ସାମନା କରିବା ଆମ ପାଇଁ ଟିକେ ସହଜ ହୋଇଯାଏ । ଆଉ ଯେବେ ଆମେ ଅନ୍ୟମାନଙ୍କ ପାଇଁ ମୃଦୁପଣ ଦେଖାଉ, ତେବେ ମଣ୍ଡଳୀରେ ଶାନ୍ତି ଓ ଏକତା ବଜାୟ ରହେ ।
b ୨୦୧୬ ମସିହାର ସଜାଗ ହୁଅ ! ପତ୍ରିକାର ସଂଖ୍ୟା ୪ରେ ଦିଆଯାଇଥିବା ଲେଖା “ବଦଲ୍ତେ ହାଲାତ୍ କା ସାମ୍ନା କୈଶେ କରେ?” ପଢ଼ନ୍ତୁ ।
c ଏହି ଭିଡିଓ ଦେଖିବା ପାଇଁ jw.org ୱେବସାଇଟ୍ରେ “ଖୋଜନ୍ତୁ” ବକ୍ସରେ ଭାଇ ଦିମିତ୍ରି ମିହାଇଲୋଙ୍କ ଅନୁଭୂତୀ ଟାଇପ୍ କରନ୍ତୁ ।
d ପିନ୍ଧିବା ଓ ସାଜସଜ୍ଜା ମାମଲାରେ ଆହୁରି ଜାଣିବା ପାଇଁ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୫୨ ପଢ଼ନ୍ତୁ ।