ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଅଗଷ୍ଟ ପୃଷ୍ଠା ୧୪-୧୭
  • ମୋ ଜୀବନ ସାଥୀ ପର୍ନୋଗ୍ରାଫି ଦେଖିଲେ, କʼଣ କରିବି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୋ ଜୀବନ ସାଥୀ ପର୍ନୋଗ୍ରାଫି ଦେଖିଲେ, କʼଣ କରିବି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ଆପଣ କʼଣ କରିପାରିବେ ?
  • କʼଣ ଆପଣ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିପାରିବେ ?
  • ଯେବେ ଲାଗେ ଯେ ସେମାନେ ଏହି ଅଭ୍ୟାସ ଛାଡ଼ିପାରିବେନି
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଅଗଷ୍ଟ ପୃଷ୍ଠା ୧୪-୧୭
ଜଣେ ଭଉଣୀ ତଳେ ବସି କାନ୍ଦୁଛନ୍ତି । ଆଉ ପଛପଟେ ତାଙ୍କ ବାହାଘରର ଫୋଟ ଦେଖାଯାଉଛି ।

ମୋ ଜୀବନ ସାଥୀ ପର୍ନୋଗ୍ରାଫି ଦେଖିଲେ, କʼଣ କରିବି ?

  • “ମୋତେ ଏପରି ଲାଗିଲା ଯେ ମୋ ସ୍ୱାମୀ ଅନେକଥର ବ୍ୟଭିଚାର କରିଛନ୍ତି ।”

  • “ମୁଁ ନିଜକୁ ନୀଚ ମନେ କରୁଥିଲି । ଏପରି ଲାଗୁଥିଲା ଯେ ମୁଁ ବହୁତ ଅସୁନ୍ଦର ଓ ପୂରା ବେକାର ଅଟେ ।”

  • “ମୁଁ କାହା ସହିତ ବି ଏବିଷୟରେ କଥା ହୋଇପାରୁ ନ ଥିଲି ଓ ସବୁବେଳେ ଚିନ୍ତାରେ ବୁଡ଼ି ରହୁଥିଲି ।”

  • “ଏପରି ଲାଗୁଥିଲା ଯେ ଯିହୋବା ମୋ ଚିନ୍ତା କରନ୍ତିନି ।”

ଏହି କଥାଗୁଡ଼ିକରୁ ଜଣାପଡ଼େ ଯେ ଯେବେ ଜଣେ ବ୍ୟକ୍ତି ପର୍ନୋଗ୍ରାଫିa ଦେଖେ, ତେବେ ତାଙ୍କ ସ୍ତ୍ରୀଙ୍କୁ କିପରି ଲାଗେ । ଆଉ ଯଦି ଜଣେ ବ୍ୟକ୍ତି ମାସ ମାସ ଧରି କିମ୍ବା ଅନେକ ବର୍ଷରୁ ଲୁଚି ଲୁଚି ପର୍ନୋଗ୍ରାଫି ଦେଖୁଛି, ତେବେ ତାଙ୍କ ସ୍ତ୍ରୀଙ୍କୁ ଲାଗିପାରେ ଯେ ସେ ଏବେ ଆଉ ତାଙ୍କ ଉପରେ ଭରସା ହିଁ କରିପାରିବେନି । ଜଣେ ସ୍ତ୍ରୀ କହିଲେ, “ମୋତେ ଲାଗୁଥିଲା ଯେ ମୁଁ ନିଜ ସ୍ୱାମୀଙ୍କୁ ଭଲଭାବେ ଜାଣି ହିଁ ନାହିଁ, କେଜାଣେ ସେ ଆଉ କେତେ କଥା ମୋଠାରୁ ଲୁଚାଉଛନ୍ତି ।”

ଏହି ଲେଖା ଏପରି ସ୍ତ୍ରୀମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କ ସ୍ୱାମୀ ପର୍ନୋଗ୍ରାଫି ଦେଖୁଛନ୍ତି ।b ଏହି ଲେଖାରେ ବାଇବଲର ଏପରି ସିଦ୍ଧାନ୍ତଗୁଡ଼ିକ ବିଷୟରେ ବୁଝାଯାଇଛି, ଯେଉଁଥିରୁ ସେହି ସ୍ତ୍ରୀମାନଙ୍କୁ ସାନ୍ତ୍ୱନା ମିଳିବ ଓ ସେମାନଙ୍କୁ ଭରସା ହୋଇଯିବ ଯେ ଯିହୋବା ସେମାନଙ୍କୁ ପ୍ରେମ କରନ୍ତି ଓ ସାହାଯ୍ୟ କରିବା ପାଇଁ ଚାହାନ୍ତି । ଏଥିରୁ ସେମାନଙ୍କୁ ମନର ଶାନ୍ତି ମିଳିବ ଓ ସେମାନେ ଯିହୋବାଙ୍କ ନିକଟତର ହୋଇ ରହିପାରିବେ ।c

ଆପଣ କʼଣ କରିପାରିବେ ?

ଆପଣ ନିଜ ସ୍ୱାମୀଙ୍କ ସବୁ କାମ ଉପରେ ନଜର ରଖିପାରିବେ ନାହିଁ ଓ ସବୁବେଳେ ତାଙ୍କୁ କିଛି ଭୁଲ କରିବାରୁ ରୋକି ପାରିବେନି । କିନ୍ତୁ ଆପଣ ନିଜ ଦୁଃଖ ଟିକେ କମ୍‌ କରିବା ଓ ମନର ଶାନ୍ତି ପାଇବା ପାଇଁ କିଛି ପଦକ୍ଷେପ ନିଶ୍ଚୟ ଉଠାଇପାରିବେ । ଆସନ୍ତୁ ଏପରି କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।

ନିଜକୁ ଦୋଷ ଦିଅନ୍ତୁ ନାହିଁ । ଯେଉଁ ସ୍ତ୍ରୀଙ୍କ ସ୍ୱାମୀ ପର୍ନୋଗ୍ରାଫି ଦେଖନ୍ତି ହୁଏତ ସେହି ସ୍ତ୍ରୀଙ୍କୁ ଲାଗିପାରେ ଯେ ତାଙ୍କ ସ୍ୱାମୀଙ୍କ ଏପରି କାମ ପାଇଁ ସେ ହିଁ ଦାୟୀ ଅଟନ୍ତି । ଏଲିସ୍‌d ଭାବୁଥିଲେ, ‘ମୋ ସ୍ୱାମୀ ମୋ ପରିବର୍ତ୍ତେ ଅନ୍ୟ ସ୍ତ୍ରୀମାନଙ୍କୁ କାହିଁକି ଦେଖନ୍ତି ?’ ତାଙ୍କୁ ଲାଗୁଥିଲା ଯେ ତାଙ୍କ ନିଜ ଭିତରେ କିଛି ତ୍ରୁଟି ରହିଛି । କିଛି ସ୍ତ୍ରୀମାନଙ୍କୁ ଲାଗେ ଯେ ସେମାନେ ନିଜ ସ୍ୱାମୀ ସହ ଯେପରି ବ୍ୟବହାର କରୁଛନ୍ତି ତାʼଯୋଗୁଁ ହିଁ ପରିସ୍ଥିତି ଖରାପ ହୋଇଯାଉଛି । ଡେନିୟେଲ କହନ୍ତି, “ମୁଁ ନିଜ ସ୍ୱାମୀଙ୍କୁ ବହୁତ ରାଗୁଥିଲି । କିନ୍ତୁ ପରେ ମୋତେ ଲାଗୁଥିଲା ଯେ ମୁଁ ତାଙ୍କୁ ବହୁତ ରାଗୁଛି, ତେଣୁ ହିଁ ପରିସ୍ଥିତି ଆହୁରି ଖରାପ ହେଉଛି ।”

ଯଦି ଆପଣଙ୍କୁ ବି ଏପରି ଲାଗେ, ତେବେ ମନେରଖନ୍ତୁ ଯେ ଯିହୋବା ଏପରି ଭାବନ୍ତି ନାହିଁ ଯେ ଆପଣଙ୍କ ସ୍ୱାମୀଙ୍କ କାମଗୁଡ଼ିକ ପାଇଁ ଆପଣ ଦାୟୀ ଅଟନ୍ତି । ଯାକୁବ ୧:୧୪ ପଦରେ ଲେଖାଅଛି, “ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ ।” (ରୋମୀ. ୧୪:୧୨; ଫିଲିପ୍‌. ୨:୧୨) ଯିହୋବା ଆପଣଙ୍କୁ ଦୋଷ ଦେବା ପରିବର୍ତ୍ତେ ଆପଣଙ୍କୁ ବହୁମୂଲ୍ୟ ମନେକରନ୍ତି, କାରଣ ଆପଣ ତାଙ୍କର ବିଶ୍ୱସ୍ତ ଅଟନ୍ତି ।—୨ ବଂଶା. ୧୬:୯.

ଏହା ବି ମନେରଖନ୍ତୁ ଯେ ଯଦି ଜଣେ ବ୍ୟକ୍ତି ପର୍ନୋଗ୍ରାଫି ଦେଖେ, ତାʼଅର୍ଥ ଏହା ନୁହେଁ ଯେ ତାଙ୍କ ସ୍ତ୍ରୀରେ ତ୍ରୁଟି ଅଛି କିମ୍ବା ସେ ସୁନ୍ଦର ନାହାନ୍ତି । ଏବିଷୟରେ ଜ୍ଞାନ ରଖୁଥିବା ଜଣେ ବ୍ୟକ୍ତି କହନ୍ତି ଯେ ପର୍ନୋଗ୍ରାଫି ଦେଖିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମନରେ ସେକ୍ସ କରିବାର ଏପରି ପ୍ରବଳ ଇଚ୍ଛା ହୁଏ, ଯାହାକୁ କୌଣସି ବି ସ୍ତ୍ରୀ ପୂରା କରିପାରିବ ନାହିଁ ।

ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ । କୈଥରିନ୍‌ ଦିନରାତି ଭାବୁଥିଲେ ଯେ ତାଙ୍କ ସ୍ୱାମୀ ପର୍ନୋଗ୍ରାଫି ଦେଖନ୍ତି । ଫ୍ରାନ୍‌ସିସ୍‌ କହନ୍ତି, “ଯଦି ମୋତେ ଜଣାନାହିଁ ଯେ ମୋ ସ୍ୱାମୀ କେଉଁଠି ଅଛନ୍ତି, ତେବେ ମୁଁ ବହୁତ ବ୍ୟସ୍ତ ହୋଇଯାଏ, ଦିନସାରା ଚିନ୍ତିତ ରହେ ।” କିଛି ସ୍ତ୍ରୀମାନେ କହନ୍ତି ଯେ ଯେବେ ସେମାନେ ଏପରି ଖ୍ରୀଷ୍ଟିୟାନମାନଙ୍କ ସହ ଥାନ୍ତି ଯେଉଁମାନଙ୍କୁ ହୁଏତ ତାଙ୍କ ସ୍ୱାମୀଙ୍କ ଅଭ୍ୟାସ ବିଷୟରେ ଜଣାଅଛି, ତେବେ ସେମାନେ ବହୁତ ଲଜ୍ଜିତ ଅନୁଭବ କରନ୍ତି । ଆଉ କିଛି ସ୍ତ୍ରୀମାନେ କହିଲେ ଯେ ସେମାନେ ବହୁତ ଏକୁଟିଆ ଅନୁଭବ କରନ୍ତି, କାରଣ ସେମାନଙ୍କୁ ଲାଗେ ଯେ ତାଙ୍କ ଉପରେ କʼଣ ଘଟୁଛି, ତାହା କେହି ବି ବୁଝିପାରିବେନି ।

ଏହି ପରିସ୍ଥିତିଗୁଡ଼ିକରେ ଏପରି ଭାବନା ଆସିପାରେ । କିନ୍ତୁ ଯଦି ଆପଣ ଏବିଷୟରେ ଭାବୁଥିବେ, ତାହେଲେ ଅଧିକ ଚିନ୍ତିତ ହୋଇଯିବେ । ତେଣୁ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ ଚେଷ୍ଟା କରନ୍ତୁ । ତେବେ ଆପଣଙ୍କୁ ଏପରି ପରିସ୍ଥିତିର ସାମନା କରିବା ପାଇଁ ଆହୁରି ଶକ୍ତି ମିଳିବ ।—ଗୀତ. ୬୨:୨; ଏଫି. ୬:୧୦.

ଆପଣ ବାଇବଲରେ ସେହି ସ୍ତ୍ରୀମାନଙ୍କ ଘଟଣାଗୁଡ଼ିକ ପଢ଼ିପାରିବେ ଓ ଚିନ୍ତନ କରିପାରିବେ ଯେଉଁମାନେ ଚିନ୍ତିତ ଥିଲେ । କିନ୍ତୁ ସେମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ସାନ୍ତ୍ୱନା ପାଇଲେ । ଯିହୋବା ସମସ୍ତଙ୍କ ସମସ୍ୟା ତ ଦୂର କଲେନି, କିନ୍ତୁ ସେ ସେମାନଙ୍କୁ ମନର ଶାନ୍ତି ଦେଲେ । ହାନ୍ନାଙ୍କ ବିଷୟରେ ଭାବନ୍ତୁ । ସେ ନିଜ ପରିସ୍ଥିତି ପାଇଁ “ତିକ୍ତମନା” ଥିଲେ । କିନ୍ତୁ ଯେବେ ସେ ଲମ୍ବା ସମୟ ଯାଏ “ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା” କଲେ, ତେବେ ତାଙ୍କୁ ଭଲ ଲାଗିଲା । ସେ ଏହା ତ ଜାଣି ନ ଥିଲେ ଯେ ଆଗକୁ କʼଣ ହେବ, କିନ୍ତୁ ପ୍ରାର୍ଥନା ଯୋଗୁଁ ତାଙ୍କୁ ବହୁତ ଶାନ୍ତି ମିଳିଲା ।—୧ ଶାମୁ. ୧:୧୦, ୧୨, ୧୮; ୨ କରି. ୧:୩, ୪.

ସେହି ଭଉଣୀ ଯାହାଙ୍କୁ ପୂର୍ବ ଚିତ୍ରରେ ଦେଖାଯାଇଥିଲା ନିଜ ମନ କଥା ଖୋଲିକି କହୁଛନ୍ତି ଓ ଦୁଇଜଣ ପ୍ରାଚୀନ ଓ ତାଙ୍କ ସ୍ୱାମୀ ଧ୍ୟାନର ସହ ଶୁଣୁଛନ୍ତି ।

ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ପ୍ରାଚୀନମାନଙ୍କ ସାହାଯ୍ୟ ନେବାର ଦରକାର ପଡ଼ିପାରେ

ମଣ୍ଡଳୀର ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ । ସେମାନେ ଆପଣଙ୍କ ପାଇଁ “ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ” ହୋଇପାରିବେ । (ଯିଶା. ୩୨:୨) ହୁଏତ ସେମାନେ ଆପଣଙ୍କୁ ଏପରି କୌଣସି ଭଉଣୀଙ୍କ ବିଷୟରେ କହିବେ, ଯାହାଙ୍କୁ ଆପଣ ନିଜ ସବୁ କଥା ମନ ଖୋଲିକି କହିପାରିବେ ଓ ଯିଏ ଆପଣଙ୍କୁ ସାନ୍ତ୍ୱନା ଦେଇପାରିବେ ।—ହିତୋ. ୧୭:୧୭.

କʼଣ ଆପଣ ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିପାରିବେ ?

ପର୍ନୋଗ୍ରାଫି ଦେଖିବାର ଖରାପ ଅଭ୍ୟାସକୁ ଛାଡ଼ିବା ପାଇଁ କʼଣ ଆପଣ ବି ନିଜ ସ୍ୱାମୀଙ୍କ ସାହାଯ୍ୟ କରିପାରିବେ ? ହୁଏତ ଆପଣ କରିପାରିବେ । ବାଇବଲରେ ବୁଝାଯାଇଛି ଯେ ଯଦି କୌଣସି ସମସ୍ୟାର ସମାଧାନ କରିବାର ଅଛି କିମ୍ବା କୌଣସି ଶକ୍ତିଶାଳୀ ଶତ୍ରୁକୁ ହରାଇବାର ଅଛି, ତେବେ “ଏକ ଜଣରୁ ଦୁଇ ଜଣ ଭଲ ।” (ଉପ. ୪:୯-୧୨) ଏବିଷୟରେ ଜ୍ଞାନ ରଖୁଥିବା ବ୍ୟକ୍ତିମାନେ କହନ୍ତି ଯେ ଯେବେ ସ୍ୱାମୀ ସ୍ତ୍ରୀ ପରସ୍ପରର ସହଯୋଗ କରନ୍ତି, ତେବେ ଅନେକ ସ୍ୱାମୀ ଏହି ଖରାପ ଅଭ୍ୟାସକୁ ଛାଡ଼ିପାରନ୍ତି ଓ ତାଙ୍କ ସ୍ତ୍ରୀ ପୁଣିଥରେ ତାଙ୍କ ଉପରେ ଭରସା କରିପାରନ୍ତି ।

ଆପଣଙ୍କ ସ୍ୱାମୀ ଏହି ଖରାପ ଅଭ୍ୟାସକୁ ଛାଡ଼ିବେ ନା ନାହିଁ, ଏହା ତାଙ୍କ ଉପରେ ହିଁ ନିର୍ଭର କରେ । କʼଣ ସେ ଏହି ଖରାପ ଅଭ୍ୟାସକୁ ଛାଡ଼ିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଓ କʼଣ ସେ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? କʼଣ ସେ ଯିହୋବାଙ୍କୁ ବିନତି କରିଛନ୍ତି ଯେ ସେ ଏପରି କରିବା ପାଇଁ ତାଙ୍କୁ ସାହସ ଦିଅନ୍ତୁ ଆଉ କʼଣ ସେ ଏବିଷୟରେ ପ୍ରାଚୀନମାନଙ୍କ ସହ କଥା ହୋଇଛନ୍ତି ? (୨ କରି. ୪:୭; ଯାକୁ. ୫:୧୪, ୧୫) କʼଣ ସେ ଏପରି କିଛି କରିବା ପାଇଁ ଭାବିଛନ୍ତି, ଯାହାଦ୍ୱାରା ତାଙ୍କ ମନରେ ପର୍ନୋଗ୍ରାଫି ଦେଖିବାର ଇଚ୍ଛା ନ ହେଉ ? ଯେପରି, କʼଣ ସେ ଭାବିଛନ୍ତି ଯେ ସେ ଫୋନ୍‌, ଟ୍ୟାବଲେଟ କିମ୍ବା କମ୍ପ୍ୟୁଟର ଇତ୍ୟାଦିର ଅତ୍ୟଧିକ ବ୍ୟବହାର କରିବେନି ଏବଂ ଏପରି କିଛି କରିବେନି, ଯାହାଦ୍ୱାରା ପର୍ନୋଗ୍ରାଫି ଦେଖିବାର ତାଙ୍କୁ ଇଚ୍ଛା ହୋଇପାରିବ ? (ହିତୋ. ୨୭:୧୨) କʼଣ ସେ ଆପଣଙ୍କ ସାହାଯ୍ୟ ନେବା ଓ ଆପଣଙ୍କୁ ସବୁକିଛି ସତ କହିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଯଦି ହଁ, ତେବେ ହୁଏତ ଆପଣ ତାଙ୍କ ସାହାଯ୍ୟ କରିପାରିବେ ।

ଆପଣ ଏହା କିପରି କରିପାରିବେ ? ଟିକେ ଫେଲିସିୟାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍ୱାମୀ ଇଥନ୍‌ଙ୍କୁ ପିଲାବେଳରୁ ହିଁ ପର୍ନୋଗ୍ରାଫି ଦେଖିବାର ଅଭ୍ୟାସ ହୋଇଯାଇଥିଲା । କିନ୍ତୁ ଫେଲିସିୟା ସବୁବେଳେ ତାଙ୍କ ସହ ଧୈର୍ଯ୍ୟ ଧରନ୍ତି ଓ ତାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ଥାନ୍ତି । ତେଣୁ ଯେବେ ବି ତାଙ୍କ ସ୍ୱାମୀଙ୍କୁ ପର୍ନୋଗ୍ରାଫି ଦେଖିବା ପାଇଁ ଇଚ୍ଛା ହୁଏ, ତେବେ ସେ ସହଜରେ ତାଙ୍କ ସହ କଥା ହୋଇପାରନ୍ତି । ଇଥନ୍‌ କହନ୍ତି, “ମୁଁ ନିଜ ସ୍ତ୍ରୀଙ୍କୁ ସବୁକିଛି କହିଦିଏ, କିଛି ବି ଲୁଚାଏ ନାହିଁ । ସେ କିଛି ସୀମା ନିର୍ଦ୍ଧାରିତ କରିବା ପାଇଁ ପ୍ରେମର ସହ ମୋର ସାହାଯ୍ୟ କରନ୍ତି, ଯାହାଦ୍ୱାରା ମୁଁ ପର୍ନୋଗ୍ରାଫି ନ ଦେଖେ ଓ ମଝି ମଝିରେ ସେ ଏବିଷୟରେ ମୋ ସହ କଥା ବି ହୁଅନ୍ତି । ତାଙ୍କ ସାହାଯ୍ୟ ଯୋଗୁଁ ମୁଁ ଇଣ୍ଟରନେଟ୍‌ର ଅତ୍ୟଧିକ ବ୍ୟବହାର କରେନି ।” ତାଙ୍କ ସ୍ୱାମୀଙ୍କ ପୁରୁଣା ଅଭ୍ୟାସ ଯୋଗୁଁ ଫେଲିସିୟାଙ୍କୁ ଟିକେ ଖରାପ ତ ଲାଗେ, କିନ୍ତୁ ସେ କହନ୍ତି, “ଯଦି ମୁଁ ସବୁବେଳେ ରାଗୁଥିବି କିମ୍ବା ଏହା କହୁଥିବି ଯେ ତାଙ୍କ ଯୋଗୁଁ ମୋତେ ବହୁତ ଦୁଃଖ ପହଞ୍ଚେ, ତେବେ ପର୍ନୋଗ୍ରାଫିଠାରୁ ଦୂରରେ ରହିବା ତାଙ୍କ ପାଇଁ ସହଜ ହେବନି । ଆମେ ଦୁହେଁ ମିଶି ପ୍ରଥମେ ସେହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କଥା ହେଉ, ତାʼପରେ ସେ ମୋତେ ଅଧିକ ଦୁଃଖି ନ ରହିବା ପାଇଁ ସାହାଯ୍ୟ କରନ୍ତି ।”

ଏପରି ଭାବେ କଥାବାର୍ତ୍ତା ହେବା ଦ୍ୱାରା କେବଳ ଜଣେ ସ୍ୱାମୀଙ୍କୁ ନିଜ ଖରାପ ଅଭ୍ୟାସକୁ ଛାଡ଼ିବା ପାଇଁ ସାହାଯ୍ୟ ମିଳେନି, ବରଂ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ଉପରେ ପୁଣିଥରେ ଭରସା କରିପାରନ୍ତି । କାରଣ ଯେବେ ସ୍ୱାମୀ ଖୋଲିକି ନିଜ ସ୍ତ୍ରୀଙ୍କୁ କହନ୍ତି ଯେ ତାଙ୍କୁ କʼଣ କʼଣ କରିବା ପାଇଁ ଇଚ୍ଛା ହୁଏ କିମ୍ବା ସେ ସାରାଦିନ କʼଣ କରନ୍ତି ଏବଂ କୁଆଡ଼େ ଯାନ୍ତି, ତେବେ ସେମାନଙ୍କ ମଧ୍ୟରେ କିଛି ବି କଥା ଗୁପ୍ତ ରହେନି ।

କʼଣ ଆପଣ ବି ଏପରି କିଛି କରି ନିଜ ସ୍ୱାମୀଙ୍କ ସାହାଯ୍ୟ କରିପାରିବେ ? ତାହେଲେ ଭଲ ହେବ ଯେ ଆପଣ ଦୁଇଜଣ ମିଶି ଏହି ଲେଖା ପଢ଼ନ୍ତୁ ଓ ଏବିଷୟରେ କଥା ହୁଅନ୍ତୁ । ଆପଣଙ୍କ ସ୍ୱାମୀଙ୍କ ଲକ୍ଷ୍ୟ ହେବା କଥା ଯେ ସେ ଏହି ଖରାପ ଅଭ୍ୟାସକୁ ଛାଡ଼ି ଦେବେ ଓ ଏପରି କିଛି ପଦକ୍ଷେପ ନେବେ, ଯାହାଦ୍ୱାରା ଆପଣ ପୁଣିଥରେ ତାଙ୍କ ଉପରେ ଭରସା କରିପାରିବେ । ଆପଣ ତାଙ୍କର ସାହାଯ୍ୟ କରିବା ପାଇଁ ଚାହାନ୍ତି, ତେଣୁ ତାଙ୍କୁ ଆପଣଙ୍କ ଉପରେ ରାଗିବା ପରିବର୍ତ୍ତେ ଏହା ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯେ ତାଙ୍କ ଏହି ଅଭ୍ୟାସ ଯୋଗୁଁ ଆପଣଙ୍କ ଉପରେ କʼଣ ଘଟୁଛି । କିନ୍ତୁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ଆପଣଙ୍କ ଲକ୍ଷ୍ୟ ହେବା ଉଚିତ୍‌ ଯେ ଆପଣ ନିଜ ସ୍ୱାମୀଙ୍କୁ ଏହି ଅଭ୍ୟାସ ଛାଡ଼ିବା ପାଇଁ ପୂରା ପୂରା ସହଯୋଗ ଦେବେ ଓ ପୁଣିଥରେ ତାଙ୍କୁ ଆପଣଙ୍କ ଭରସା ଜିତିବା ପାଇଁ ସୁଯୋଗ ଦେବେ । ଆପଣ ଦୁଇଜଣଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ଲୋକମାନେ କାହିଁକି ପର୍ନୋଗ୍ରାଫି ଦେଖନ୍ତି ଓ ସେମାନେ କିପରି ଏହି ଅଭ୍ୟାସରୁ ମୁକ୍ତ ହୋଇପାରିବେ ।e

ଯଦି ଆପଣଙ୍କୁ ଲାଗେ ଯେ ଏବିଷୟରେ କଥା ହେବା ସମୟରେ କଥା ଆହୁରି ବଢ଼ିଯିବ, ତେବେ ଆପଣ ଚାହିଁଲେ ଜଣେ ପ୍ରାଚୀନଙ୍କୁ ଅନୁରୋଧ କରିପାରିବେ ଯେ ସେ ଏହି କଥାବାର୍ତ୍ତା ସମୟରେ ଟିକେ ଡେରି ଆପଣଙ୍କ ସାଙ୍ଗରେ ବସନ୍ତୁ ଓ ଆପଣଙ୍କ ସାହାଯ୍ୟ କରନ୍ତୁ । ମନେରଖନ୍ତୁ ଯେ ଆପଣଙ୍କ ସ୍ୱାମୀଙ୍କ ଏହି ଅଭ୍ୟାସ ଛାଡ଼ିବା ପରେ ବି ଆପଣଙ୍କୁ ହୁଏତ ପୁଣିଥରେ ତାଙ୍କ ଉପରେ ଭରସା କରିବା ପାଇଁ ଟିକେ ସମୟ ଲାଗିପାରେ । କିନ୍ତୁ ହାର୍‌ ମାନନ୍ତୁ ନାହିଁ ! ଆପଣଙ୍କ ସ୍ୱାମୀ ଆପଣ ଦୁଇଜଣଙ୍କ ସମ୍ପର୍କକୁ ସୁଧାରିବା ପାଇଁ ଯଦି ଟିକେ ବି କିଛି କରନ୍ତି, ତାହେଲେ ତାʼଉପରେ ଧ୍ୟାନ ଦିଅନ୍ତୁ । ଧୈର୍ଯ୍ୟ ଧରନ୍ତୁ ଓ ଏହି ଆଶା ଛାଡ଼ନ୍ତୁ ନାହିଁ ଯେ ଦିନେ ଆପଣ ଦୁଇଜଣଙ୍କ ସମ୍ପର୍କ ଦୃଢ଼ ହୋଇଯିବ ।—ଉପ. ୭:୮; ୧ କରି. ୧୩:୪.

ପ୍ରାଚୀନମାନେ କିପରି ସାହାଯ୍ୟ କରିପାରିବେ ?

  • ଯଦି ସ୍ତ୍ରୀ କଥାବାର୍ତ୍ତା ହେବା ପାଇଁ ପ୍ରସ୍ତୁତ ଥାନ୍ତି, ତେବେ ମଝି ମଝିରେ ସ୍ୱାମୀ ଓ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ସ୍ତ୍ରୀଙ୍କୁ ମନଖୋଲି କଥାବାର୍ତ୍ତା ହେବା ପାଇଁ ସୁଯୋଗ ଦିଅନ୍ତୁ ।—ଯିଶା. ୩୨:୧, ୨; ୧ ଥେସ. ୫:୧୪; ୧ ପିତ. ୫:୨, ୩.

  • ଏହି କଥାକୁ ବୁଝନ୍ତୁ ଯେ ପର୍ନୋଗ୍ରାଫି ଦେଖିବାର ଖରାପ ଅଭ୍ୟାସକୁ ଛାଡ଼ିବା ବହୁତ କଠିନ ହୋଇପାରେ ଆଉ ଏହା ବି ଯେ ଏହି ଅଭ୍ୟାସ ଛାଡ଼ିବା ପାଇଁ ଜଣେ ବ୍ୟକ୍ତିକୁ କʼଣ କରିବାକୁ ପଡ଼ିବ ।

  • ମନେରଖନ୍ତୁ, ଜଣେ ବ୍ୟକ୍ତିକୁ ଲାଗିପାରେ ଯେ ସେ ଏହି ଖରାପ ଅଭ୍ୟାସ ଛାଡ଼ି ଦେଇଛି, କିନ୍ତୁ ତାʼପରେ ବି ତାକୁ ସାହାଯ୍ୟ ଦରକାର ପଡ଼େ ।

  • ଧ୍ୟାନ ରଖନ୍ତୁ ଯେ ଆପଣ ସ୍ୱାମୀଙ୍କ କାମଗୁଡ଼ିକ ସପକ୍ଷରେ କହନ୍ତୁ ନାହିଁ ଏବଂ ଏପରି କିଛି କରନ୍ତୁ ନାହିଁ, ଯାହାଦ୍ୱାରା ଲାଗିପାରେ ଯେ ଏହି ସମସ୍ୟା ପାଇଁ ସ୍ତ୍ରୀ ଦାୟୀ ଅଟନ୍ତି ।

  • ସ୍ତ୍ରୀଙ୍କୁ ଏହା ଭାବିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେ ନିଜକୁ ସେପରି ହିଁ ମନେକରନ୍ତୁ, ଯେପରି ଯିହୋବା ମନେକରନ୍ତି ଓ ସେ ଲଗାତାର ଅଧ୍ୟୟନ ଓ ପ୍ରାର୍ଥନା କରନ୍ତୁ ।

  • ସ୍ତ୍ରୀଙ୍କୁ ବିଶ୍ୱାସ କରାନ୍ତୁ ଯେ ଯିହୋବା, ପ୍ରାଚୀନଙ୍କ ସମୂହ ଓ ମଣ୍ଡଳୀର ଭାଇଭଉଣୀମାନେ ତାଙ୍କୁ ପ୍ରେମ କରନ୍ତି, ତାଙ୍କ ଆଦର କରନ୍ତି ଏବଂ ତାଙ୍କୁ ବହୁମୂଲ୍ୟ ମନେକରନ୍ତି ।

ଯେବେ ଲାଗେ ଯେ ସେମାନେ ଏହି ଅଭ୍ୟାସ ଛାଡ଼ିପାରିବେନି

ଯଦି ଆପଣଙ୍କ ସ୍ୱାମୀ ଏହି ଅଭ୍ୟାସ ଛାଡ଼ିବା ପରେ ମଧ୍ୟ ପୁଣିଥରେ ପର୍ନୋଗ୍ରାଫି ଦେଖନ୍ତି, ତେବେ କʼଣ ତାʼଅର୍ଥ ଏହା ଅଟେ ଯେ ସେ ନିଜ ଭୁଲ ପାଇଁ ଅନୁତାପ କରୁ ନାହାନ୍ତି କିମ୍ବା ସେ କେବେ ବଦଳିବେ ନାହିଁ ? ଏପରି ନୁହେଁ । ଯେଉଁ ଲୋକମାନଙ୍କୁ ଏହି ଖରାପ ଅଭ୍ୟାସ ହୋଇଯାଏ, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସାରା ଜୀବନ ଏହା ସହ ଲଢ଼ିବାକୁ ପଡ଼େ । ଅନେକଥର ତ ବର୍ଷ ବର୍ଷ ଧରି ଏହି ଅଭ୍ୟାସରୁ ଦୂରେଇ ରହିବା ପରେ ମଧ୍ୟ ଜଣେ ବ୍ୟକ୍ତି ପୁଣିଥରେ ସେହି ଭୁଲ କରିପାରେ । ତାଙ୍କ ସହ ପୁଣିଥରେ ଏପରି ନ ହେଉ, ତାʼପାଇଁ ସେ କʼଣ କରିପାରିବେ ? ଏହି ଅଭ୍ୟାସକୁ ଛାଡ଼ିବା ପାଇଁ ସେ ପୂର୍ବେ ଯେତେ ପରିଶ୍ରମ କରୁଥିଲେ, ଏବେ ତାʼଠାରୁ ବି ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯେପରି, ଯେବେ ତାଙ୍କୁ ଲାଗେ ଯେ ସେ ଏହି ଦୁର୍ବଳତା ଉପରେ ନିୟନ୍ତ୍ରଣ ପାଇଛନ୍ତି, ତେବେ ବି ହୁଏତ ତାଙ୍କୁ ଏହି ଅଭ୍ୟାସ ଛାଡ଼ିବା ପାଇଁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । (ହିତୋ. ୨୮:୧୪; ମାଥି. ୫:୨୯; ୧ କରି. ୧୦:୧୨) ତାଙ୍କୁ ‘ନିଜ ମନକୁ ନୂତନୀକୃତ’ କରିବାକୁ ପଡ଼ିବ ଓ “ମନ୍ଦତା ଘୃଣା” କରିବାକୁ ପଡ଼ିବ । ତାହା ପର୍ନୋଗ୍ରାଫି ଦେଖିବା ମାମଲାରେ ହେଉ କିମ୍ବା ଏପରି ହିଁ କୌଣସି ଖରାପ କାମ, ଯେପରି, ହସ୍ତମୈଥୁନ । (ଏଫି. ୪:୨୩; ଗୀତ. ୯୭:୧୦; ରୋମୀ. ୧୨:୯) କʼଣ ସେ ଏହି ସବୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ? ଯଦି ହଁ, ତାହେଲେ ହୁଏତ ଦିନେ ସେ ନିଜର ଏହି ଖରାପ ଅଭ୍ୟାସଠାରୁ ମୁକ୍ତ ହୋଇପାରିବେ ।f

ସେ ଭଉଣୀ ବାଇବଲ ପଢ଼ୁଛନ୍ତି ।

ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ଚେଷ୍ଟା କରନ୍ତୁ

ଯଦି ଆପଣଙ୍କ ସ୍ୱାମୀ ବଦଳିବା ପାଇଁ ଚାହୁଁ ନାହାନ୍ତି, ତେବେ ଆପଣ କʼଣ କରିପାରିବେ ? ଏହା ସତ ଯେ ତାʼଯୋଗୁଁ ଆପଣଙ୍କୁ ବହୁତ ଦୁଃଖ ଲାଗିବ ଓ ବହୁତ ରାଗ ବି ଲାଗିବ ଏବଂ ହୁଏତ ଆପଣଙ୍କୁ ଲାଗିବ ଯେ ସେ ଆପଣଙ୍କୁ ଧୋକା ଦେଇଛନ୍ତି । ଏପରି ସମୟରେ ଯିହୋବାଙ୍କ ଉପରେ ନିଜର ସମସ୍ତ ଚିନ୍ତାର ଭାର ପକାଇ ଦିଅନ୍ତୁ । ସେ ଆପଣଙ୍କୁ ମନର ଶାନ୍ତି ଦେବେ । (୧ ପିତ. ୫:୭) ତେଣୁ ଅଧ୍ୟୟନ, ଚିନ୍ତନ ଓ ପ୍ରାର୍ଥନା କରନ୍ତୁ । ଏପରି ଭାବେ ଯେବେ ଆପଣ ଯିହୋବାଙ୍କ ନିକଟତର ହେବା ପାଇଁ ଚେଷ୍ଟା କରିବେ, ତେବେ ସେ ମଧ୍ୟ ଆପଣଙ୍କ ନିକଟତର ହେବେ । ଯିଶାଇୟ ୫୭:୧୫ ପଦରେ ଲେଖାଅଛି ଯେ ଯିହୋବା ସେମାନଙ୍କ ସାଙ୍ଗେ ରହନ୍ତି ଯେଉଁମାନେ “ଚୂର୍ଣ୍ଣ ଓ ନମ୍ରମନା” ଅଟନ୍ତି, ଯାହାଦ୍ୱାରା ସେମାନଙ୍କ ଖୁସି ପୁଣିଥରେ ଫେରି ଆସୁ । ଆପଣ ବିଶ୍ୱସ୍ତତାର ସହ ଯିହୋବାଙ୍କ ଲଗାତାର ସେବା କରନ୍ତୁ । ପ୍ରାଚୀନମାନଙ୍କ ସାହାଯ୍ୟ ନିଅନ୍ତୁ । ଆଉ ଏହା ଆଶା ରଖନ୍ତୁ ଯେ ଆପଣଙ୍କ ସ୍ୱାମୀ ଦିନେ ନା ଦିନେ ନିଜ କାମ ପାଇଁ ଅନୁତାପ କରିବେ ଓ ନିଜକୁ ବଦଳାଇବେ ।—ରୋମୀ. ୨:୪; ୨ ପିତ. ୩:୯.

a “ପର୍ନୋଗ୍ରାଫିର” ଅର୍ଥ ହେଉଛି, ଏପରି ଅଶ୍ଳୀଳ ଭିଡିଓ, ଚିତ୍ର, ଲେଖା କିମ୍ବା ସଙ୍ଗୀତଗୁଡ଼ିକ, ଯାହା ଏପରି ଭାବେ ତିଆରି କରାଯାଇଛି ଯେ ଜଣେ ବ୍ୟକ୍ତିର ମନରେ ସେକ୍ସ କରିବାର ଇଚ୍ଛା ହୁଏ ।

b ଏହି ଲେଖାକୁ ଏପରି ପ୍ରସ୍ତୁତ କରାଯାଇଛି, ଯେପରି ସ୍ୱାମୀମାନେ ପର୍ନୋଗ୍ରାଫି ଦେଖନ୍ତି । କିନ୍ତୁ ଏଥିରେ ଦିଆଯାଇଥିବା ସିଦ୍ଧାନ୍ତ ଏପରି ସ୍ୱାମୀମାନଙ୍କୁ ବି ସାହାଯ୍ୟ କରିପାରିବ ଯେଉଁମାନଙ୍କ ସ୍ତ୍ରୀ ପର୍ନୋଗ୍ରାଫି ଦେଖନ୍ତି ।

c ଯଦି ଜଣେ ବ୍ୟକ୍ତି ପର୍ନୋଗ୍ରାଫି ଦେଖେ, ତାହେଲେ ବାଇବଲ ଅନୁସାରେ ତାʼସାଥୀ ଏହି କାରଣ ଯୋଗୁଁ ତାଙ୍କୁ ଛାଡ଼ପତ୍ର ଦେଇପାରିବେନି ।—ମାଥି. ୧୯:୯.

d ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ  ।

e ଆପଣ ଏବିଷୟରେ jw.org ୱେବସାଇଟ୍‌ରେ ଓ ଆମ ପ୍ରକାଶନଗୁଡ଼ିକରେ ଆହୁରି ତଥ୍ୟ ପଢ଼ିପାରିବେ । ଯେପରି jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା, “ପର୍ନୋଗ୍ରାଫି ସେ ତବାହ୍‌ ହୋ ଶକ୍ତି ହୈ ଶାଦିସୁଦା ଜିନ୍ଦଗି” ଓ “କ୍ୟା ଗନ୍ଦି ତସୱିରେଁ ୟା ଭିଡିଓ ଦେଖନେ ମେଁ କୋଇ ବୁରାଇ ହୈ ?” ଏବଂ ୧ ଜୁଲାଇ, ୨୦୧୪ ମସିହାର ପ୍ରହରୀଦୁର୍ଗର, ପୃଷ୍ଠା ୯-୧୧ରେ ଦିଆଯାଇଥିବା ଲେଖା, “ଆପ ଅପ୍‌ନେ କଦମୋଁ କୋ ବହକ୍‌ନେ ସେ ରୋକ୍‌ ସକତେ ହୈଁ !” ଦେଖନ୍ତୁ ।

f ପର୍ନୋଗ୍ରାଫି ଦେଖିବାର ଖରାପ ଅଭ୍ୟାସ ଛାଡ଼ିବା ବହୁତ କଠିନ ହୋଇଥାଏ, ତେଣୁ କିଛି ସ୍ୱାମୀ ସ୍ତ୍ରୀ ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ସହିତ ଏହା ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କୌଣସି ଡାକ୍ତର କିମ୍ବା ବିଶେଷଜ୍ଞଙ୍କଠାରୁ ବି ପରାମର୍ଶ ନେବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ