ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ନଭେମ୍ବର ପୃଷ୍ଠା ୧୪-୧୯
  • ସମସ୍ୟା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମସ୍ୟା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯେବେ ଯିହୁଦୀମାନଙ୍କ ଉପରେ ସମସ୍ୟାଗୁଡ଼ିକ ଆସିଲା, ତେବେ କʼଣ ହେଲା ?
  • ଈଶ୍ୱରଙ୍କ ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେବା ଜାରି ରଖନ୍ତୁ
  • ଯିହୋବାଙ୍କ ଉପରେ କିପରି ଭରସା ବଢ଼ାଇବା ?
  • ଶେଷ ପର୍ଯ୍ୟନ୍ତ ଯିହୋବାଙ୍କ ଉପରେ ଭରସା ରଖନ୍ତୁ
  • ଏଜ୍ରା ଈଶ୍ୱରଙ୍କ ବ୍ୟବସ୍ଥା ଶିଖାଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିଖରୀୟଙ୍କ ଦର୍ଶନ ମନେ ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ନଭେମ୍ବର ପୃଷ୍ଠା ୧୪-୧୯

ଅଧ୍ୟୟନ ଲେଖା ୪୮

ସମସ୍ୟା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ

‘ତୁମ୍ଭେମାନେ ବଳବାନ ହୁଅ . . . କାରଣ ସୈନ୍ୟାଧିପତି ଯିହୋବା କହନ୍ତି, ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ ।’—ହାଗ. ୨:୪, ୫.

ଗୀତ ୧୧୮ “ହାମାରା ବିଶ୍ୱାସ୍‌ ବଢ଼ା”

ଲେଖାର ଝଲକa

୧-୨. (କ) ଯିହୁଦୀମାନଙ୍କ ଭଳି ଆଜି ଆମକୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ? (ଖ) ଯେବେ ଯିହୁଦୀ ଯିରୂଶାଲମ ଫେରିଲେ, ତାʼପରେ କʼଣ କʼଣ ହେଲା ? (“ହାଗୟ, ଯିଖରୀୟ ଏବଂ ଏଜ୍ରାଙ୍କ ସମୟରେ କʼଣ ହେଲା” ନାମକ ବକ୍ସ ଦେଖନ୍ତୁ ।)

କʼଣ ଆପଣ ଅନେକଥର ଭବିଷ୍ୟତ ବିଷୟରେ ଭାବି ଚିନ୍ତା କରିବାକୁ ଲାଗନ୍ତି ? ହୁଏତ ଆପଣଙ୍କ ଚାକିରି ଚାଲିଯାଇଛି ଆଉ ଏହା ଭାବି ଆପଣ ବହୁତ ଚିନ୍ତା କରୁଛନ୍ତି ଯେ ଆପଣ ନିଜ ପରିବାରର କିପରି ଭରଣପୋଷଣ କରିବେ । କିମ୍ବା ହୋଇପାରେ, ଆପଣଙ୍କ ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଉଥିବ, ପ୍ରଚାରରେ ଆପଣଙ୍କ ବିରୋଧ କରାଯାଉଥିବ କିମ୍ବା ଆପଣଙ୍କ ଉପରେ ଅତ୍ୟାଚାର କରାଯାଉଥିବ । ଆଉ ଏହି ସବୁ ସମସ୍ୟା ଯୋଗୁଁ ଆପଣଙ୍କୁ ନିଜ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ହେଉଛି । ସତରେ ଏପରି ପରିସ୍ଥିତିର ସାମନା କରିବା ବହୁତ କଷ୍ଟ ହୁଏ । ପ୍ରାଚୀନ ସମୟରେ ଯିହୁଦୀମାନଙ୍କୁ ବି ଏପରି ହିଁ କିଛି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥିଲା । ଆସନ୍ତୁ ଦେଖିବା ଯେ ସେସମୟରେ ଯିହୋବା କିପରି ସେମାନଙ୍କ ସାହାଯ୍ୟ କଲେ ଆଉ ଏଥିରୁ ଆମେ କʼଣ ଶିଖିପାରିବା ।

୨ କିଛି ଯିହୁଦୀ ଲମ୍ବା ସମୟରୁ ବାବିଲରେ ରହୁଥିଲେ ଆଉ ସେଠାରେ ବହୁତ ଆରାମରେ ବଞ୍ଚୁଥିଲେ । କିନ୍ତୁ ତାଙ୍କୁ ବାବିଲ ଛାଡ଼ି ଯିରୂଶାଲମ ଯିବାର ଥିଲା । ଗୋଟିଏ ଏପରି ଜାଗା ଯାହା ବିଷୟରେ ସେମାନେ ବେଶି କିଛି ଜାଣି ନ ଥିଲେ । ଏଥିପାଇଁ ସେମାନଙ୍କୁ ବହୁତ ବିଶ୍ୱାସର ଦରକାର ଥିଲା । ଆଉ ଯେବେ ସେମାନେ ଯିରୂଶାଲମ ପହଞ୍ଚିଲେ, ତେବେ ତାʼର କିଛି ସମୟ ପରେ ସେମାନଙ୍କୁ ପଇସାର ଅଭାବ ହେବାକୁ ଲାଗିଲା, ବିରୋଧ କରାଗଲା ଆଉ ରାଜନୈତିକ ଅସ୍ଥିରତାର ମଧ୍ୟ ସାମନା କରିବାକୁ ପଡ଼ିଲା । ଏହା ଯୋଗୁଁ କିଛି ଲୋକଙ୍କୁ ମନ୍ଦିର ତିଆରି କାମ ଉପରେ ଧ୍ୟାନ ଦେବା କଷ୍ଟ ଲାଗିଲା । କିନ୍ତୁ ପ୍ରାୟ ଖ୍ରୀଷ୍ଟ ପୂର୍ବ ୫୨୦ରେ ଯିହୋବା ହାଗୟ ଓ ଯିଖରୀୟ ନାମକ ଦୁଇଜଣ ଭବିଷ୍ୟଦ୍‌ବକ୍ତାଙ୍କୁ ଯିରୂଶାଲମ ପଠାଇଲେ ଯେ ସେମାନେ ସେଠାର ଲୋକଙ୍କ ମନରେ ପୁଣିଥରେ ଉତ୍ସାହ ଭରିଦିଅନ୍ତୁ । (ହାଗ. ୧:୧; ଯିଖ. ୧:୧) ଯେପରି ଆମେ ଆଗକୁ ଦେଖିବା, ସେହି ଭବିଷ୍ୟଦ୍‌ବକ୍ତାମାନେ ଲୋକମାନଙ୍କୁ ଯାହା କହିଲେ, ସେଥିରୁ ସେମାନଙ୍କ ଉତ୍ସାହ ବଢ଼ିଲା । କିନ୍ତୁ ପ୍ରାୟ ୫୦ ବର୍ଷ ପରେ ଯିହୁଦୀମାନଙ୍କ ଉତ୍ସାହ ପୁଣି କମ୍‌ ହୋଇଗଲା । କିନ୍ତୁ ସେସମୟରେ ଯିହୋବା ଏଜ୍ରା ନାମକ ଜଣେ ଦକ୍ଷ ନକଲକାରୀଙ୍କୁ ବାବିଲରୁ ଯିରୂଶାଲମ ପଠାଇଲେ, ଯାହାଦ୍ୱାରା ସେ ତାଙ୍କ ଲୋକମାନଙ୍କ ଉତ୍ସାହ ବଢ଼ାନ୍ତୁ ଏବଂ ସେମାନେ ସତ୍ୟ ଉପାସନାକୁ ପୁଣିଥରେ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତୁ ।—ଏଜ୍ରା ୭:୧, ୬.

ହାଗୟ, ଯିଖରୀୟ ଏବଂ ଏଜ୍ରାଙ୍କ ସମୟରେ କʼଣ ହେଲା

ହାଗୟ, ଯିଖରୀୟ ଏବଂ ଏଜ୍ରାଙ୍କ ଦିନରେ ହୋଇଥିବା ବିଶେଷ ଘଟଣାଗୁଡ଼ିକ କେବେ ହେଲା, ତାହାର ଗୋଟିଏ ଚାର୍ଟ । ଖ୍ରୀଷ୍ଟ ପୂର୍ବ ୫୩୭: ଯିହୁଦୀମାନେ ବାହାରୁଛନ୍ତି । ଖ୍ରୀଷ୍ଟ ପୂର୍ବ ୫୨୦: ଭବିଷ୍ୟଦ୍‌ବକ୍ତା ହାଗୟ ଓ ଯିଖରୀୟ ଯିରୂଶାଲମରେ ଇସ୍ରାଏଲୀୟମାନଙ୍କ ସହ କଥା ହେଉଛନ୍ତି । ଖ୍ରୀଷ୍ଟ ପୂର୍ବ ୫୧୫: ଯିରୂଶାଲମରେ ମନ୍ଦିର । ଖ୍ରୀଷ୍ଟ ପୂର୍ବ ୪୮୪: ରାଣୀ ଏଷ୍ଟର ରାଜା ଅକ୍ଷଶ୍ୱେରଶଙ୍କ ପାଖରେ ଆସୁଛନ୍ତି । ୪୬୮: ଏଜ୍ରା ଯିହୁଦୀମାନଙ୍କ ଗୋଟିଏ ସମୂହ ସହିତ ଯାଉଛନ୍ତି । ଖ୍ରୀଷ୍ଟ ପୂର୍ବ ୪୫୫: ଯିରୂଶାଲମର ପ୍ରାଚୀର ।

ଖ୍ରୀଷ୍ଟ ପୂର୍ବ

  1. ୫୩୭: ଯିହୁଦୀମାନଙ୍କ ପ୍ରଥମ ସମୂହ ବାବିଲରୁ ଯିରୂଶାଲମକୁ ଫେରିଲେ

  2. ୫୨୦: ହାଗୟ ଓ ଯିଖରୀୟ ଯିରୂଶାଲମରେ ଭବିଷ୍ୟତବାଣୀ କଲେ

  3. ୫୧୫: ମନ୍ଦିର ତିଆରି ହୋଇଗଲା

  4. ୪୮୪: ଯେବେ ଅକ୍ଷଶ୍ୱେରଶ ପ୍ରଥମ, ଯିହୁଦୀମାନଙ୍କୁ ମାରିଦେବା ପାଇଁ ଆଦେଶ ଜାରି କଲେ, ତେବେ ଏଷ୍ଟର ସେମାନଙ୍କୁ ବଞ୍ଚାଇବା ପାଇଁ ପଦକ୍ଷେପ ନେଲେ

  5. ୪୬୮: ଏଜ୍ରାଙ୍କ ସହ ଯିହୁଦୀମାନଙ୍କ ଦ୍ୱିତୀୟ ସମୂହ ବାବିଲରୁ ଯିରୂଶାଲମ ଫେରିଲା

  6. ୪୫୫: ଯିରୂଶାଲମର ପ୍ରାଚୀର ତିଆରି ହୋଇଗଲା

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ? (ହିତୋପଦେଶ ୨୨:୧୯)

୩ ପ୍ରାଚୀନ ସମୟରେ ହାଗୟ ଓ ଯିଖରୀୟ ଯେଉଁ ଭବିଷ୍ୟତବାଣୀଗୁଡ଼ିକ କଲେ, ସେଥିରୁ ଈଶ୍ୱରଙ୍କ ଲୋକଙ୍କୁ ବହୁତ ସାହାଯ୍ୟ ମିଳିଲା । ସେମାନେ ବିରୋଧ ସତ୍ତ୍ୱେ ଯିହୋବାଙ୍କ ଉପରେ ଭରସା ରଖିପାରିଲେ । ସେହି ଭବିଷ୍ୟତବାଣୀଗୁଡ଼ିକରୁ ଆଜି ଆମକୁ ବି ସାହାଯ୍ୟ ମିଳିପାରିବ । ଆମେ ସମସ୍ୟାଗୁଡ଼ିକ ସମୟରେ ବି ଯିହୋବାଙ୍କ ଉପରେ ନିଜ ଭରସା ରଖିପାରିବା । (ହିତୋପଦେଶ ୨୨:୧୯ ପଢ଼ନ୍ତୁ ।) ଆସନ୍ତୁ ଧ୍ୟାନ ଦେବା ଯେ ହାଗୟ ଓ ଯିଖରୀୟ ଈଶ୍ୱରଙ୍କ ତରଫରୁ କେଉଁ ସନ୍ଦେଶ ଦେଲେ ଆଉ ଏଜ୍ରା ଆମ ପାଇଁ କିପରି ବଢ଼ିଆ ଉଦାହରଣ ରଖିଲେ । ଏପରି କରିବାରୁ ଆମକୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ: ବାବିଲରୁ ଫେରିବା ପରେ ଯିହୁଦୀମାନଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା ? ସମସ୍ୟାଗୁଡ଼ିକ ସମୟରେ ଆମେ କାହିଁକି ଯିହୋବାଙ୍କ ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେବା ଉଚିତ୍‌ ? ଆଉ ସମସ୍ୟାଗୁଡ଼ିକ ସମୟରେ ଆମେ କିପରି ଯିହୋବାଙ୍କ ଉପରେ ଆହୁରି ଭରସା କରିପାରିବା ?

ଯେବେ ଯିହୁଦୀମାନଙ୍କ ଉପରେ ସମସ୍ୟାଗୁଡ଼ିକ ଆସିଲା, ତେବେ କʼଣ ହେଲା ?

୪-୫. ହୁଏତ କେଉଁ କାରଣରୁ ଯିହୁଦୀମାନଙ୍କ ଉତ୍ସାହ କମ୍‌ ହୋଇଯାଇଥିବ ?

୪ ବାବିଲରୁ ଫେରିଥିବା ଯିହୁଦୀ ଯେବେ ଯିରୂଶାଲମ ପହଞ୍ଚିଲେ, ତେବେ ସେମାନଙ୍କୁ ସେଠାରେ ବହୁତ କିଛି କରିବାର ଥିଲା । ସେମାନେ ଶୀଘ୍ର ଯିହୋବାଙ୍କ ପାଇଁ ବେଦି ତିଆରି କଲେ ଆଉ ମନ୍ଦିରର ମୂଳଦୁଆ ପକାଇଲେ । (ଏଜ୍ରା ୩:୧-୩, ୧୦) କିନ୍ତୁ କିଛି ସମୟ ପରେ ସେମାନଙ୍କର ଉତ୍ସାହ କମ୍‌ ହୋଇଗଲା । ତାହା କାହିଁକି ? କାରଣ ମନ୍ଦିର ତିଆରି କରିବା ସହିତ ସେମାନଙ୍କୁ ନିଜ ପାଇଁ ଘର ତିଆରି କରିବା, ଜମିରେ ବୀଜ ବୁଣିବା ଏବଂ ନିଜ ପରିବାରର ଆବଶ୍ୟକତାଗୁଡ଼ିକ ପୂରା କରିବାର ଥିଲା । (ଏଜ୍ରା ୨:୬୮, ୭୦) ଏହାଛଡ଼ା କିଛି ଲୋକ ମନ୍ଦିର ତିଆରି କାମକୁ ରୋକିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ । ସେମାନଙ୍କୁ ସେହି ବିରୋଧୀମାନଙ୍କର ବି ସାମନା କରିବାକୁ ପଡ଼ିଲା ।—ଏଜ୍ରା ୪:୧-୫.

୫ ସେହି ଯିହୁଦୀମାନଙ୍କୁ ଅନ୍ୟ କିଛି ସମସ୍ୟାଗୁଡ଼ିକର ବି ସାମନା କରିବାକୁ ପଡ଼ିଲା । ସେହି ସମୟରେ ରାଜନୈତିକ ଅସ୍ଥିରତା ଥିଲା ଏବଂ ଯିହୁଦୀମାନଙ୍କ ପାଇଁ ନିଜ ଆବଶ୍ୟକତାଗୁଡ଼ିକ ପୂରା କରିବା ପାଇଁ ମଧ୍ୟ କଷ୍ଟ ହୋଇଯାଇଥିଲା । କାରଣ ସେସମୟରେ ସେଠାରେ ପାରସିକମାନଙ୍କ ରାଜତ୍ୟ ଥିଲା । ଖ୍ରୀଷ୍ଟ ପୂର୍ବ ୫୩୦ରେ ପାରସ୍ୟର ରାଜା କୋରସ୍‌ର ମୃତ୍ୟୁ ହୋଇଗଲା । ଏହା ପରେ କ୍ୟାମବିସିସ୍‌ ପାରସ୍ୟର ରାଜା ହେଲେ ଏବଂ ସେ ନିଜ ସୈନ୍ୟମାନଙ୍କୁ ନେଇ ମିସରକୁ କବ୍ଜା କରିବା ପାଇଁ ବାହାରି ପଡ଼ିଲେ । ହୁଏତ ସେମାନେ ଇସ୍ରାଏଲର ଅଞ୍ଚଳ ଦେଇ ଯାଇଥିବେ ଏବଂ ରାସ୍ତାରେ ସୈନିକମାନେ ଇସ୍ରାଏଲୀୟମାନଙ୍କୁ କହିଥିବେ ଯେ ସେମାନେ ତାଙ୍କ ପାଇଁ ଖାଇବା ପିଇବା ଓ ରହିବାର ବ୍ୟବସ୍ଥା କରନ୍ତୁ । ଏହି କାରଣରୁ ସେମାନଙ୍କ ସମସ୍ୟାଗୁଡ଼ିକ ଆହୁରି ବଢ଼ିଯାଇଥିବ । କ୍ୟାମବିସିସ୍‌ଙ୍କ ମୃତ୍ୟୁ ପରେ ଦାରୀୟାବସ ପ୍ରଥମ ପାରସ୍ୟର ରାଜା ହେଲେ । ଯେବେ ସେ ଶାସନ କରିବା ଆରମ୍ଭ କଲେ, ସେସମୟରେ ମଧ୍ୟ ବହୁତ ସମସ୍ୟା ହେଉଥିଲା । ଲୋକେ ତାʼର ବିଦ୍ରୋହ କରୁଥିଲେ ଏବଂ ସାରା ପାରସ୍ୟ ସାମ୍ରାଜ୍ୟରେ ଅସ୍ଥିରତା ରହିଥିଲା । ଏହି ସବୁ କାରଣ ଯୋଗୁଁ ଅନେକ ଯିହୁଦୀଙ୍କୁ ଚିନ୍ତା ହେଉଥିଲା ଯେ ସେମାନେ ନିଜ ପରିବାରର ଭରଣପୋଷଣ କିପରି କରିବେ । ଆଉ ହୁଏତ ଏହି କାରଣରୁ କିଛି ଯିହୁଦୀଙ୍କୁ ଲାଗିଲା ଯେ ଏହା ମନ୍ଦିର ତିଆରି କରିବାର ସମୟ ନୁହେଁ ।—ହାଗ. ୧:୨.

୬. ଯିହୁଦୀମାନଙ୍କୁ ଆଉ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ଏବଂ ଯିଖରୀୟ ସେମାନଙ୍କୁ କେଉଁ କଥାର ଭରସା କରାଇଲେ ? (ଯିଖରୀୟ ୪:୬, ୭)

୬ ଯିଖରୀୟ ୪:୬, ୭ ପଢ଼ନ୍ତୁ । ପଇସାର ଅଭାବ ଓ ରାଜନୈତିକ ଅସ୍ଥିରତାକୁ ଛାଡ଼ି ଯିହୁଦୀମାନଙ୍କୁ ଲୋକମାନଙ୍କ ବିରୋଧର ମଧ୍ୟ ସାମନା କରିବାକୁ ପଡ଼ୁଥିଲା । ଖ୍ରୀଷ୍ଟ ପୂର୍ବ ୫୨୨ରେ ସେମାନଙ୍କ ଶତ୍ରୁମାନଙ୍କ ଷଡ଼ଯନ୍ତ୍ର ସଫଳ ହୋଇଗଲା ଓ ମନ୍ଦିର ତିଆରି କାମ ଉପରେ ରୋକ ଲଗାଗଲା । କିନ୍ତୁ ଯିଖରୀୟ ଯିହୁଦୀମାନଙ୍କୁ ଭରସା କରାଇଲେ ଯେ ଯିହୋବା ନିଜ ପବିତ୍ର ଶକ୍ତି ଦ୍ୱାରା ସବୁ ସମସ୍ୟା ଦୂର କରିଦେବେ । ଆଉ ଏପରି ହିଁ ହେଲା । ମନ୍ଦିର ତିଆରି କାମ ଉପରେ ଯେଉଁ ରୋକ ଲଗାଯାଇଥିଲା, ତାହା ଖ୍ରୀଷ୍ଟ ପୂର୍ବ ୫୨୦ରେ ରାଜା ଦାରୀୟାବସ ହଟାଇଦେଲେ । କେବଳ ଏତିକି ନୁହେଁ, ସେ ମନ୍ଦିର ତିଆରି କରିବା ପାଇଁ ଯିହୁଦୀମାନଙ୍କୁ ପଇସା ମଧ୍ୟ ଦେଲେ ଏବଂ ସେଠାର ରାଜ୍ୟପାଳମାନଙ୍କୁ କହିଲେ ଯେ ସେମାନେ ସେମାନଙ୍କୁ ପୂରା ପୂରା ସହଯୋଗ ଦିଅନ୍ତୁ ।—ଏଜ୍ରା ୬:୧, ୬-୧୦.

୭. ଯେବେ ଯିହୁଦୀମାନେ ଯିହୋବାଙ୍କର ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେଲେ, ତେବେ ଯିହୋବା ସେମାନଙ୍କୁ କେଉଁ ଆଶିଷଗୁଡ଼ିକ ଦେଲେ ?

୭ ଭବିଷ୍ୟଦ୍‌ବକ୍ତା ହାଗୟ ଓ ଯିଖରୀୟଙ୍କ ଜରିଆରେ ଯିହୋବା ନିଜ ଲୋକମାନଙ୍କୁ ପ୍ରତିଜ୍ଞା କଲେ ଯେ ଯଦି ସେମାନେ ମନ୍ଦିର ତିଆରି କାମରେ ପୂରା ଧ୍ୟାନ ଦେଉଥିବେ, ତେବେ ସେ ସେମାନଙ୍କୁ ସହଯୋଗ କରିବେ । (ହାଗ. ୧:୮, ୧୩, ୧୪; ଯିଖ. ୧:୩, ୧୬) ଏହାଶୁଣି ଯିହୁଦୀମାନଙ୍କୁ ବହୁତ ସାହସ ମିଳିଲା ଏବଂ ଖ୍ରୀଷ୍ଟ ପୂର୍ବ ୫୨୦ରେ ସେମାନେ ମନ୍ଦିର ତିଆରି କାମ ପୁଣି ଆରମ୍ଭ କରିଦେଲେ । ଆଉ ପାଞ୍ଚ ବର୍ଷ ମଧ୍ୟରେ ହିଁ ମନ୍ଦିର ତିଆରି ହୋଇଗଲା । ଯିହୁଦୀମାନେ ଅନେକ ସମସ୍ୟାର ସାମନା କରୁଥିଲେ, ତଥାପି ସେମାନେ ଯିହୋବାଙ୍କର ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେଲେ । ତେଣୁ ଯିହୋବା ସେମାନଙ୍କୁ ବହୁତ ଆଶିଷ ଦେଲେ । ସେମାନେ ନିଜ ପରିବାରର ଆବଶ୍ୟକତାଗୁଡ଼ିକୁ ପୂରା କରିବା ସହ ଯିହୋବାଙ୍କ ନିକଟତର ଆସିବା ପାଇଁ ମଧ୍ୟ ନିଜ ପରିବାରକୁ ସାହାଯ୍ୟ କରିପାରିଲେ । ଆଉ ଏହି କାରଣ ଯୋଗୁଁ ସେମାନେ ଖୁସିର ସହ ଯିହୋବାଙ୍କ ସେବା କରିବା ଜାରି ରଖିପାରିଲେ ।—ଏଜ୍ରା ୬:୧୪-୧୬, ୨୨.

ଈଶ୍ୱରଙ୍କ ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେବା ଜାରି ରଖନ୍ତୁ

୮. ହାଗୟ ୨:୪, ୫ ପଦରେ ଲେଖାଥିବା କଥା ଉପରେ ଧ୍ୟାନ ଦେଲେ ଆମେ ଈଶ୍ୱରଙ୍କ ଇଚ୍ଛା ପୂରା କରିବା ଉପରେ କିପରି ଲଗାତାର ଧ୍ୟାନ ଦେଇପାରିବା ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୮ ମହାକ୍ଳେଶ ବହୁତ ନିକଟରେ ଅଛି । ତେଣୁ ଆମକୁ ମନେରଖିବା ଉଚିତ୍‌ ଯେ ଆଜି ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ବହୁତ ଜରୁରୀ ଅଟେ । (ମାର୍କ ୧୩:୧୦) କିନ୍ତୁ ଯଦି ଆମକୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼ୁଛି କିମ୍ବା ପ୍ରଚାର କରିବା ସମୟରେ ଆମର ବିରୋଧ କରାଯାଉଛି, ତେବେ ହୁଏତ ପ୍ରଚାର କାମରେ ପୂରା ଧ୍ୟାନ ଦେବା ଆମ ପାଇଁ କଷ୍ଟକର ହୋଇପାରେ । ତାହେଲେ ଆମେ ଯିହୋବା ଦେଇଥିବା କାମକୁ ନିଜ ଜୀବନରେ ପ୍ରଥମ ସ୍ଥାନ କିପରି ଦେଇପାରିବା ? ଆମକୁ ଏହାର ପୂରା ଭରସା ରଖିବା ଉଚିତ୍‌ ଯେ ‘ସୈନ୍ୟାଧିପତି ଯିହୋବା ଈଶ୍ୱର’b ଆମ ପକ୍ଷରେ ଅଛନ୍ତି । ଯଦି ଆମେ ନିଜ ଇଚ୍ଛା ପୂରା କରିବା ଅପେକ୍ଷା ଯିହୋବାଙ୍କ କାମକୁ ସବୁବେଳେ ମହତ୍ତ୍ୱ ଦେଉ, ତେବେ ସେ ଆମକୁ ସହଯୋଗ କରିବେ । ତେଣୁ ଆମକୁ ଡରିବାର ଆବଶ୍ୟକ ନାହିଁ ।—ହାଗୟ ୨:୪, ୫ ପଢ଼ନ୍ତୁ ।

୯-୧୦. ଜଣେ ସ୍ୱାମୀ ସ୍ତ୍ରୀ କିପରି ନିଜ ଜୀବନରେ ମାଥିଉ ୬:୩୩ ପଦରେ ଲେଖାଥିବା ଯୀଶୁଙ୍କ କଥାକୁ ସତ ହେବାର ଦେଖିଲେ ?

୯ ଏବେ ଟିକେ ଭାଇ ଓଲେଗ୍‌ ଏବଂ ତାଙ୍କ ସ୍ତ୍ରୀ ଇରିନାଙ୍କc ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେମାନେ ଦୁହେଁ ଅଗ୍ରଦୂତ ସେବା କରୁଛନ୍ତି । ଯେବେ ସେମାନେ ଅନ୍ୟ ଜାଗାକୁ ସେବା କରିବା ପାଇଁ ଗଲେ, ଠିକ୍‌ ସେହି ସମୟରେ ସେମାନଙ୍କ ଦେଶର ପରିସ୍ଥିତି ବହୁତ ଖରାପ ହୋଇଗଲା, ଯାହାଯୋଗୁଁ ତାଙ୍କ ଚାକିରି ଚାଲିଗଲା । ପ୍ରାୟ ଗୋଟେ ବର୍ଷ ଯାଏଁ ତାଙ୍କ ପାଖରେ ଭଲ ଚାକିରି ନ ଥିଲା, ବେଳେବେଳେ ତାଙ୍କ ପାଖରେ କାମ ରହୁଥିଲା ଆଉ ବେଳେବେଳେ ରହୁ ନ ଥିଲା । କିନ୍ତୁ ସେମାନେ ସବୁବେଳେ ଯିହୋବାଙ୍କ ପ୍ରେମ ଓ ତାଙ୍କ ଯତ୍ନ ଅନୁଭବ କଲେ ଏବଂ ଅନେକଥର ଭାଇଭଉଣୀ ବି ସେମାନଙ୍କ ସାହାଯ୍ୟ କଲେ । ଭାଇ ଓଲେଗ୍‌ ଆରମ୍ଭରେ ଟିକେ ନିରାଶ ହୋଇଯାଇଥିଲେ, କିନ୍ତୁ ସେମାନେ ଏହି ସମସ୍ୟାର ସାମନା କରିପାରିଲେ । ତାହା କିପରି ? ଭାଇ କହନ୍ତି, “ସେସମୟରେ ପ୍ରଚାର କାମ କରୁଥିବାରୁ ଆମକୁ ବହୁତ ସାହାଯ୍ୟ ମିଳିଲା । ତେଣୁ ଆମେ ସେହି କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିଲୁ, ଯାହା ସବୁଠୁ ଅଧିକ ମହତ୍ତ୍ୱ ରଖେ ।” ସେହି ସମୟ ମଧ୍ୟରେ ଭାଇ ଓଲେଗ୍‌ ଓ ତାଙ୍କ ସ୍ତ୍ରୀ କାମ ମଧ୍ୟ ଖୋଜୁଥିଲେ ଆଉ ପ୍ରଚାର କାମରେ ବି ଲାଗି ରହିଲେ ।

୧୦ ଦିନେ ଯେବେ ସେମାନେ ପ୍ରଚାର କରି ଘରକୁ ଫେରିଲେ, ତେବେ ସେମାନଙ୍କୁ ଜଣାପଡ଼ିଲା ଯେ ତାଙ୍କର ଜଣେ ସାଙ୍ଗ ପ୍ରାୟ ୧୬୦ କିଲୋମିଟର (୧୦୦ ମାଇଲ) ଯାତ୍ରା କରି ଆସିଥିଲେ ଆଉ ସେମାନଙ୍କ ପାଇଁ ଦୁଇ ଥଳି ଭରିକି ଖାଇବା ପିଇବା ଜିନିଷଗୁଡ଼ିକ ଆଣିଥିଲେ । ଭାଇ ଓଲେଗ୍‌ କହନ୍ତି, “ସେହି ଦିନ ପୁଣିଥରେ ଆମକୁ ଅନୁଭବ ହୋଇଗଲା ଯେ ଯିହୋବା ଓ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଆମର କେତେ ଚିନ୍ତା ଅଛି ! ଆମକୁ ଭରସା ହୋଇଗଲା ଯେ ହୁଏତ ଆମେ ବେଳେବେଳେ ଆଶା ହରାଇ ବସିବା, କିନ୍ତୁ ଯିହୋବା ନିଜ ସେବକମାନଙ୍କୁ କେବେ ବି ଭୁଲନ୍ତି ନାହିଁ ।”—ମାଥି. ୬:୩୩.

୧୧. ଆଜି ଆମେ କେଉଁ କଥାର ଭରସା ରଖିପାରିବା ?

୧୧ ଯିହୋବା ଚାହାନ୍ତି ଯେ ଆମେ ଶିଷ୍ୟ କରିବା କାମ ଉପରେ ପୂରା ଧ୍ୟାନ ଦେବା ଜାରି ରଖୁ, କାରଣ ଏଥିରୁ ଲୋକମାନଙ୍କ ଜୀବନ ବଞ୍ଚିବ । ଯିହୋବା ହାଗୟଙ୍କ ସମୟରେ ନିଜ ଲୋକମାନଙ୍କୁ ଏପରି ହିଁ କିଛି କହିଥିଲେ, ଯେପରି ଆମେ ପାରାଗ୍ରାଫ ୭ରେ ଦେଖିଲୁ । ସେ ହାଗୟଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ମନ୍ଦିର ତିଆରି କାମ ପୁଣିଥରେ ଆରମ୍ଭ କରନ୍ତୁ । ଏହା ଏପରି ହେବ ଯେପରି ସେମାନେ ପୁଣିଥରେ ମୂଳଦୁଆ ପକାଉଛନ୍ତି । ଯିହୋବା ପ୍ରତିଜ୍ଞା କଲେ ଯେ ଯଦି ସେମାନେ ଏପରି କରିବେ, ତେବେ ସେ ସେମାନଙ୍କୁ “ଆଶୀର୍ବାଦ” କରିବେ ଅର୍ଥାତ୍‌ ଆଶିଷଗୁଡ଼ିକ ଦେବେ । (ହାଗ. ୨:୧୮, ୧୯) ଆଜି ଆମେ ବି ଯଦି ଯିହୋବା ଦେଇଥିବା କାମ ଉପରେ ପୂରା ଧ୍ୟାନ ଦେବା ଜାରି ରଖିବା, ତେବେ ଆମେ ଭରସା ରଖିପାରିବା ଯେ ସେ ଆମକୁ ବି ଆଶିଷଗୁଡ଼ିକ ଦେବେ ।

ଯିହୋବାଙ୍କ ଉପରେ କିପରି ଭରସା ବଢ଼ାଇବା ?

୧୨. ଏଜ୍ରା ଆଉ ତାଙ୍କ ସାଙ୍ଗରେ ଯାତ୍ରା କରୁଥିବା ଯିହୁଦୀମାନଙ୍କୁ ଯିହୋବାଙ୍କ ଉପରେ କାହିଁକି ପୂରା ଭରସା ରଖିବାର ଥିଲା ?

୧୨ ଖ୍ରୀଷ୍ଟ ପୂର୍ବ ୪୬୮ରେ ବାବିଲରେ ରହୁଥିବା ଯିହୁଦୀମାନଙ୍କ ଦ୍ୱିତୀୟ ସମୂହ ଏଜ୍ରାଙ୍କ ସହ ଯିରୂଶାଲମକୁ ଗଲେ । ଏହି ଯାତ୍ରା ପାଇଁ ସେମାନଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ରଖିବାର ଥିଲା । ତାହା କାହିଁକି ? କାରଣ ସେମାନଙ୍କ ଯାତ୍ରା ବିପଦପୂର୍ଣ୍ଣ ଥିଲା । ସେମାନେ ନିଜ ସହ ବହୁତ ସୁନା ରୂପା ନେଇକି ଯାଉଥିଲେ, ଯାହା ମନ୍ଦିର ତିଆରି କାମ ପାଇଁ ଦାନରେ ଦିଆଯାଇଥିଲା ଆଉ ଡକାୟତମାନେ ସେମାନଙ୍କୁ ସହଜରେ ଲୁଟି ପାରିଥାʼନ୍ତେ । (ଏଜ୍ରା ୭:୧୨-୧୬; ୮:୩୧) ଏହାଛଡ଼ା ସେମାନଙ୍କୁ ଏହା ବି ଜଣାପଡ଼ିଲା ଯେ ଯିରୂଶାଲମରେ ମଧ୍ୟ ରହିବା ସୁରକ୍ଷିତ ନୁହେଁ, କାରଣ ଏବେ ସେଠାରେ ଅଧିକ ଲୋକ ରହନ୍ତିନି ଆଉ ପ୍ରାଚୀର ଏବଂ ଫାଟକ ଏବେ ବି ଭଗ୍ନ ହୋଇରହିଛି । ଏଜ୍ରାଙ୍କ ଭଳି ଆମେ ଯିହୋବାଙ୍କ ଉପରେ କିପରି ଆହୁରି ଭରସା ରଖିପାରିବା ?

୧୩. ଏଜ୍ରା ଯିହୋବାଙ୍କ ଉପରେ ନିଜର ଭରସା କିପରି ବଢ଼ାଇଲେ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୧୩ ଏଜ୍ରା ଦେଖିଥିଲେ ଯେ ସମସ୍ୟା ସମୟରେ କିପରି ଯିହୋବା ନିଜ ଲୋକମାନଙ୍କୁ ସମ୍ଭାଳି ଥିଲେ । ଅନେକ ବର୍ଷ ପୂର୍ବେ ଖ୍ରୀଷ୍ଟ ପୂର୍ବ ୪୮୪ରେ ରାଜା ଅକ୍ଷଶ୍ୱେରଶ ଏହି ଆଦେଶ ଜାରି କଲେ ଯେ ପାରସ୍ୟ ସାମ୍ରାଜ୍ୟରେ ଯେତେ ବି ଯିହୁଦୀ ଅଛନ୍ତି, ସେସମସ୍ତଙ୍କୁ ମାରି ଦିଆଯାଉ । (ଏଷ୍ଟ. ୩:୭, ୧୩-୧୫) ସେସମୟରେ ଏଜ୍ରା ବଧେ ବାବିଲରେ ରହୁଥିଲେ । ଏବେ ଏଜ୍ରା ଓ ତାଙ୍କ ସାଙ୍ଗରେ ଥିବା ଯିହୁଦୀମାନଙ୍କ ଜୀବନ ବିପଦରେ ଥିଲା ! ‘ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନରେ’ ଯିହୁଦୀମାନେ ଏହି ଆଦେଶ ବିଷୟରେ ଶୁଣିଲେ, ସେଠାରେ ସେମାନେ ମହାଶୋକ କରିବାକୁ ଲାଗିଲେ ଏବଂ କାନ୍ଦି କାନ୍ଦି ଦୁଃଖି ହେଲେ ଆଉ ଉପବାସ କରିବାକୁ ଲାଗିଲେ । ସେମାନେ ନିଶ୍ଚୟ ଯିହୋବାଙ୍କୁ ପ୍ରାର୍ଥନା କରିଥିବେ ଯେ ସେ ସେମାନଙ୍କୁ ସାହାଯ୍ୟ କରନ୍ତୁ । (ଏଷ୍ଟ. ୪:୩) କିଛି ସମୟ ପରେ ହିଁ ପରିସ୍ଥିତି ପୂରା ଓଲଟା ହୋଇଗଲା । ଯେଉଁ ଲୋକମାନେ ଯିହୁଦୀମାନଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କରିଥିଲେ, ଏବେ ସେମାନଙ୍କ ଜୀବନ ହିଁ ବିପଦରେ ଥିଲା । ଭାବନ୍ତୁ, ଏହାଜାଣି ଏଜ୍ରା ଏବଂ ଅନ୍ୟ ଯିହୁଦୀମାନଙ୍କୁ କିପରି ଲାଗିଥିବ ! (ଏଷ୍ଟ. ୯:୧, ୨) ସେସମୟରେ ଯାହା ବି ହେଲା, ତାʼଯୋଗୁଁ ଯିହୋବାଙ୍କ ଉପରେ ଏଜ୍ରାଙ୍କ ଭରସା ଆହୁରି ବଢ଼ିଗଲା । ତାଙ୍କୁ ବିଶ୍ୱାସ ହୋଇଯାଇଥିବ ଯେ ଭବିଷ୍ୟତରେ ଯଦି ପୁଣିଥରେ ସମସ୍ୟା ଆସେ, ତେବେ ଯିହୋବା ନିଶ୍ଚୟ ନିଜ ଲୋକମାନଙ୍କୁ ବଞ୍ଚାଇବେ ।d

୧୪. ସମସ୍ୟା ସମୟରେ ଜଣେ ଭଉଣୀ ନିଜ ଅନୁଭୂତିରୁ କʼଣ ଶିଖିଲେ ?

୧୪ ଯେବେ ଆମେ ଦେଖୁ ଯେ ଯିହୋବା ସମସ୍ୟାଗୁଡ଼ିକ ସମୟରେ କିପରି ଆମକୁ ସମ୍ଭାଳନ୍ତି, ତେବେ ତାଙ୍କ ଉପରେ ଆମର ଭରସା ଆହୁରି ବଢ଼ିଯାଏ । ପୂର୍ବ ୟୁରୋପରେ ରହୁଥିବା ଭଉଣୀ ଏନଷ୍ଟାସିଆଙ୍କ ସହ କିଛି ଏପରି ହିଁ ହେଲା । ତାଙ୍କ ଅଫିସ୍‌ର ଲୋକମାନେ ତାଙ୍କ ଉପରେ ଚାପ ପକାଇଲେ ଯେ ସେ ଗୋଟିଏ ରାଜନୈତିକ ମାମଲାରେ ସେମାନଙ୍କୁ ସହଯୋଗ କରନ୍ତୁ । ଏହା ଯୋଗୁଁ ଭଉଣୀଙ୍କୁ ନିଜ ଚାକିରି ଛାଡ଼ିବାକୁ ପଡ଼ିଲା । ସେ କହନ୍ତି, “ମୋ ସହିତ ପ୍ରଥମ ଥର ଏପରି ହେଉଥିଲା, ଯେବେ ମୋ ହାତରେ ଟିକେ ବି ଟଙ୍କା ନ ଥିଲା ।” ସେ ଏହା ବି କହିଲେ, “ମୁଁ ସବୁକିଛି ଯିହୋବାଙ୍କ ଉପରେ ଛାଡ଼ି ଦେଲି ଏବଂ ଯିହୋବା ବହୁତ ଭଲଭାବେ ସବୁକିଛି ସମ୍ଭାଳିଲେ । ଭବିଷ୍ୟତରେ ଯଦି ମୋର ଚାକିରି ଚାଲିବି ଯାଏ, ତେବେ ମୋତେ କୌଣସି ଡର ନ ଥିବ । ମୋ ପିତା ଯିହୋବା ଯେପରି ଭାବେ ଆଜି ମୋତେ ସମ୍ଭାଳିଲେ, ଠିକ୍‌ ସେହିପରି ସେ ଭବିଷ୍ୟତରେ ବି ସମ୍ଭାଳିବେ ।”

୧୫. ଏଜ୍ରା କେଉଁ କାରଣ ଯୋଗୁଁ ଯିହୋବାଙ୍କ ଉପରେ ନିଜ ଭରସା ବଜାୟ ରଖିପାରିଲେ ? (ଏଜ୍ରା ୭:୨୭, ୨୮)

୧୫ ଏଜ୍ରା ନିଜେ ବି ଅନୁଭବ କଲେ ଯେ ଯିହୋବା ତାଙ୍କ ସହଯୋଗ କଲେ । ଯେବେ ଏଜ୍ରା ଏବିଷୟରେ ଭାବିଥିବେ ଯେ ଯିହୋବା କିପରି ଅନେକଥର ତାଙ୍କୁ ସାହାଯ୍ୟ କରିଛନ୍ତି, ତେବେ ଏଥିରୁ ବି ଯିହୋବାଙ୍କ ଉପରେ ତାଙ୍କ ଭରସା ବଢ଼ିଯାଇଥିବ । ତେଣୁ ସେ କହିଲେ, ‘ମୋʼ ପରମେଶ୍ୱରଙ୍କ ହସ୍ତ ମୋର ସହାୟତା କଲା ।’ (ଏଜ୍ରା ୭:୨୭, ୨୮ ପଢ଼ନ୍ତୁ ।) ଆଉ ଏଜ୍ରା ନିଜ ବହିରେ ଛଅ ଥର ଏପରି ହିଁ କିଛି କଥା କହିଲେ ।—ଏଜ୍ରା ୭:୬, ୯; ୮:୧୮, ୨୨, ୩୧.

କେଉଁ ପରିସ୍ଥିତିରେ ହୁଏତ ଆମେ ସ୍ପଷ୍ଟ ଦେଖିପାରିବା ଯେ ଯିହୋବା ଆମ ସହଯୋଗ କରୁଛନ୍ତି ? (ପାରାଗ୍ରାଫ ୧୬)e

୧୬. କେଉଁ ପରିସ୍ଥିତିରେ ଆମେ ସ୍ପଷ୍ଟ ଦେଖିପାରୁ ଯେ ଯିହୋବା ଆମ ସହ ଅଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ କଠିନ ପରିସ୍ଥିତିରେ ଯିହୋବା କିପରି ଆମ ସାହାଯ୍ୟ କରିପାରିବେ ? ହୋଇପାରେ, ଆପଣଙ୍କୁ ଅଧିବେଶନରେ ଯିବା ପାଇଁ ଛୁଟି ଦରକାର । କିମ୍ବା ଆପଣ ଚାହାନ୍ତି ଯେ ଆପଣଙ୍କ କାମ କରିବାର ସମୟରେ କିଛି ପରିବର୍ତ୍ତନ କରାଯାଉ, ଯାହାଦ୍ୱାରା ଆପଣ ସଭାରେ ଯାଇପାରିବେ । ଏପରି ସମୟରେ ଯଦି ଆପଣ ସାହସର ସହ ନିଜ ବୋସ୍‌ ସହ କଥା ହେବେ, ତେବେ ଆପଣ ଦେଖିପାରିବେ ଯେ ଯିହୋବା କିପରି ଆପଣଙ୍କ ସହଯୋଗ କରନ୍ତି । ହୁଏତ ଆପଣ ଯେପରି ଭାବେ ଭାବୁଛନ୍ତି, ଯିହୋବା ତାʼଠୁ ବି ବଢ଼ିଆ ଉପାୟ ବାହାର କରିବେ । ସେସମୟରେ ଯିହୋବାଙ୍କ ଉପରେ ଆପଣଙ୍କ ଭରସା ଆହୁରି ବଢ଼ିଯିବ ।

ଏଜ୍ରା ଅନ୍ୟ ଇସ୍ରାଏଲୀୟମାନଙ୍କ ସହ ମନ୍ଦିରରେ କାନ୍ଦୁଛନ୍ତି । ଶଖନୀୟ ତାଙ୍କୁ ଠିଆ ହେବା ପାଇଁ ସାହାଯ୍ୟ କରୁଛନ୍ତି ।

ଲୋକମାନେ ଯେଉଁ ପାପ କରିଛନ୍ତି, ତାʼଯୋଗୁଁ ଏଜ୍ରା ମନ୍ଦିରରେ କାନ୍ଦୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି । ଲୋକମାନେ ମଧ୍ୟ କାନ୍ଦୁଛନ୍ତି । ତାʼପରେ ଶଖନୀୟ ଏଜ୍ରାଙ୍କ ସାହସ ବଢ଼ାନ୍ତି ଏବଂ ତାଙ୍କୁ କହନ୍ତି, “ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି । . . . ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ ।”​—ଏଜ୍ରା ୧୦:୨, ୪ (ପାରାଗ୍ରାଫ ୧୭)

୧୭. କଠିନ ପରିସ୍ଥିତିରେ ଏଜ୍ରା ଯାହା କଲେ ସେଥିରୁ କିପରି ଜଣାପଡ଼େ ଯେ ସେ ନମ୍ର ଥିଲେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୭ ଏଜ୍ରା ନମ୍ର ଥିଲେ, ସେ ଯିହୋବାଙ୍କୁ ସାହାଯ୍ୟ ମାଗିଲେ । ଯେବେ ବି ଏଜ୍ରାଙ୍କୁ ଏହା ଚିନ୍ତା ହେଉଥିଲା ଯେ ସେ ନିଜ ଦାୟିତ୍ୱଗୁଡ଼ିକୁ କିପରି ତୁଲାଇବେ, ତେବେ ସେ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲେ । (ଏଜ୍ରା ୮:୨୧-୨୩; ୯:୩-୫) ଯେବେ ଯିହୁଦୀମାନେ ଦେଖିଲେ ଯେ ଏଜ୍ରା ଯିହୋବାଙ୍କ ଉପରେ ପୂରାପୂରି ନିର୍ଭର ଅଛନ୍ତି, ତେବେ ସେମାନେ ଏଜ୍ରାଙ୍କୁ ସହଯୋଗ କଲେ ଏବଂ ତାଙ୍କ ଭଳି ଯିହୋବାଙ୍କ ଉପରେ ଭରସା ରଖିଲେ । (ଏଜ୍ରା ୧୦:୧-୪) ଏଥିରୁ ଆମେ କʼଣ ଶିଖୁ ? ଆଜି ହୁଏତ ଆମକୁ ବି ଏକଥାକୁ ନେଇ ଚିନ୍ତା ହେବ ଯେ ଆମେ ନିଜ ପରିବାରର ଆବଶ୍ୟକତାଗୁଡ଼ିକୁ କିପରି ପୂରା କରିବା କିମ୍ବା ସେମାନଙ୍କ ସୁରକ୍ଷା କିପରି କରିବା । ଏପରି ସମୟରେ ଆମକୁ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ତାଙ୍କ ଉପରେ ଭରସା ରଖିବା ଉଚିତ୍‌ ।

୧୮. ଆମେ ଯିହୋବାଙ୍କ ଉପରେ ନିଜର ଭରସା କିପରି ବଢ଼ାଇପାରିବା ?

୧୮ ଯେବେ ଆମେ ନମ୍ର ରହୁ ଏବଂ ଯିହୋବାଙ୍କୁ ପ୍ରାର୍ଥନା କରୁ ଆଉ ଭାଇଭଉଣୀମାନଙ୍କଠୁ ସାହାଯ୍ୟ ନେଉ, ତେବେ ଈଶ୍ୱରଙ୍କ ଉପରେ ଆମ ଭରସା ବଢ଼ିଯାଏ । ଟିକେ ଭଉଣୀ ଏରିକାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ତିନିଜଣ ପିଲା ଅଛନ୍ତି । ଥରେ ତାଙ୍କୁ ପାହାଡ଼ ଭଳି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଲା । କିଛି ସମୟ ପରେ ତାଙ୍କ ଜନ୍ମ ହୋଇ ନ ଥିବା ଶିଶୁର ମୃତ୍ୟୁ ହୋଇଗଲା ଆଉ ତାଙ୍କ ସ୍ୱାମୀଙ୍କ ବି ମୃତ୍ୟୁ ହୋଇଗଲା । ଏପରି ପରିସ୍ଥିତିରେ ବି ସେ ଯିହୋବାଙ୍କ ଉପରେ ଭରସା ରଖିଲେ । ସେହି ସମୟକୁ ମନେପକାଇ ଭଉଣୀ କହନ୍ତି, “ଆପଣ ଆଗରୁ ଜାଣିପାରିବେନି ଯେ ଯିହୋବା କିପରି ଆପଣଙ୍କ ସାହାଯ୍ୟ କରିବେ, କିନ୍ତୁ ସେ ନିଶ୍ଚୟ ସାହାଯ୍ୟ କରନ୍ତି । ଅନେକଥର ଏପରି ଉପାୟଗୁଡ଼ିକରୁ କରନ୍ତି ଯେ ଆପଣ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ମୋର ଅନେକ ପ୍ରାର୍ଥନାର ଉତ୍ତର ଭାଇଭଉଣୀମାନଙ୍କ ଜରିଆରେ ମିଳିଲା । ବେଳେବେଳେ ସେମାନେ ଉତ୍ସାହ ବଢ଼ାଇବା କଥାଗୁଡ଼ିକ କହିଲେ ଆଉ ବେଳେବେଳେ ମୋ ପାଇଁ କିଛି କଲେ । ମୁଁ ଶିଖିଲି ଯେ ଯଦି ମୁଁ ନିଜ ସାଙ୍ଗମାନଙ୍କୁ ଖୋଲିକି ନିଜ ଚିନ୍ତାଗୁଡ଼ିକୁ କହେ, ତେବେ ସେମାନେ ଆହୁରି ଭଲଭାବେ ମୋର ସାହାଯ୍ୟ କରିପାରିବେ ।”

ଶେଷ ପର୍ଯ୍ୟନ୍ତ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

୧୯-୨୦. ଯେଉଁ ଯିହୁଦୀମାନେ ଯିରୂଶାଲମ ଫେରିପାରି ନ ଥିଲେ, ସେମାନଙ୍କଠାରୁ ଆମେ କʼଣ ଶିଖିପାରିବା ?

୧୯ ଯେଉଁ ଯିହୁଦୀମାନେ ଯିରୂଶାଲମ ଫେରିପାରିଲେ ନାହିଁ, ସେମାନଙ୍କଠାରୁ ବି ଆମେ ଅନେକ କିଛି ଶିଖିପାରିବା । ସେମାନଙ୍କ ମଧ୍ୟରୁ ଅନେକ ଲୋକ ବୟସ୍କ ହୋଇଯାଇଥିଲା, କିଛି ରୋଗରେ ପଡ଼ିଥିଲେ ଆଉ କିଛି ଲୋକଙ୍କ ଉପରେ ପରିବାରର ଦାୟିତ୍ୱଗୁଡ଼ିକ ଥିଲା । ତେଣୁ ହୁଏତ ସେମାନେ ସେତେ କରିପାରିଲେନି, ଯେତେ ସେମାନେ ଚାହୁଁଥିଲେ । ତଥାପି ଯେଉଁ ଲୋକମାନେ ଯିରୂଶାଲମକୁ ଆସୁଥିଲେ, ସେମାନଙ୍କ ହାତରେ ସେମାନେ ମନ୍ଦିର ପାଇଁ ଖୁସି ଖୁସି ଦାନ ପଠାଇଲେ । (ଏଜ୍ରା ୧:୫, ୬) ଆଉ ଏପରି ଜଣାପଡ଼େ ଯେ ଯିହୁଦୀମାନଙ୍କ ପ୍ରଥମ ସମୂହ ବାବିଲରୁ ଯିରୂଶାଲମକୁ ଫେରିଲେ, ତାʼର ୧୯ ବର୍ଷ ପରେ ମଧ୍ୟ ବାବିଲରେ ରହୁଥିବା ଯିହୁଦୀମାନେ ଈଶ୍ୱରଙ୍କ ଭବନ ପାଇଁ ଦାନ ପଠାଉଥିଲେ ।—ଯିଖ. ୬:୧୦.

୨୦ କʼଣ ଆପଣ ନିଜ ପରିସ୍ଥିତି ଯୋଗୁଁ ଯିହୋବାଙ୍କ ସେବା ସେତେ କରିପାରୁ ନାହାନ୍ତି, ଯେତେ ଆପଣ ଚାହାନ୍ତି ? ଯଦି ହଁ, ତେବେ ବି ଆପଣ ଭରସା ରଖିପାରିବେ ଯେ ଆପଣ ହୃଦୟରୁ ଯାହା ବି କରନ୍ତି, ଯିହୋବା ତାକୁ ବହୁମୂଲ୍ୟ ମନେକରନ୍ତି । ଆମେ ଏହା କାହିଁକି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ଯିହୋବା ଭବିଷ୍ୟଦ୍‌ବକ୍ତା ଯିଖରୀୟଙ୍କୁ କʼଣ କହିଥିଲେ । ସେ ଭବିଷ୍ୟଦ୍‌ବକ୍ତାଙ୍କୁ କହିଲେ ଯେ ବାବିଲରେ ରହୁଥିବା ଯିହୁଦୀମାନେ ଯେଉଁ ସୁନା ରୂପା ଦାନ କଲେ, ସେଥିରୁ ଗୋଟିଏ ମୁକୁଟ ତିଆରି କରାଯାଉ । (ଯିଖ. ୬:୧୧) ଏହି “ମୁକୁଟମାନ” ଏକଥାର “ସ୍ମରଣାର୍ଥେ” କରାଯାଇଥିଲା ଯେ ବାବିଲରେ ରହୁଥିବା ଯିହୁଦୀମାନେ କିପରି ହୃଦୟ ଖୋଲି ଦାନ କରିଥିଲେ । (ଯିଖ. ୬:୧୪) ଠିକ୍‌ ସେହିଭଳି ଆମେ ବି ଭରସା ରଖିପାରିବା ଯେ ସମସ୍ୟାଗୁଡ଼ିକ ସମୟରେ ଆମେ ହୃଦୟରୁ ଯିହୋବାଙ୍କ ପାଇଁ ଯାହା ବି କରୁ, ସେ ତାହା କେବେ ବି ଭୁଲିବେନି ।—ଏବ୍ରୀ ୬:୧୦.

୨୧. ଆମକୁ ଏପରି କʼଣ କରିବାକୁ ପଡ଼ିବ, ଯେଉଁଥିରୁ ଆମେ ଭବିଷ୍ୟତରେ ସମସ୍ୟାଗୁଡ଼ିକ ସମୟରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିପାରିବା ?

୨୧ ଏହି ଶେଷକାଳରେ ଆମକୁ କୌଣସି ନା କୌଣସି ସମସ୍ୟାର ସାମନା କରିବାକୁ ହିଁ ପଡ଼ିବ ଏବଂ ଭବିଷ୍ୟତରେ ହୁଏତ ପରିସ୍ଥିତି ଆହୁରି ଖରାପ ହୋଇପାରେ । (୨ ତୀମ. ୩:୧, ୧୩) କିନ୍ତୁ ଆମକୁ ଅଧିକ ଚିନ୍ତା କରିବା ଦରକାର ନାହିଁ । ମନେରଖନ୍ତୁ ଯେ ଯିହୋବା ହାଗୟଙ୍କ ସମୟରେ ନିଜ ଲୋକମାନଙ୍କୁ କʼଣ କହିଥିଲେ, “ଆମ୍ଭେ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛୁ; ତୁମ୍ଭେମାନେ ଭୟ କର ନାହିଁ ।” (ହାଗ. ୨:୪, ୫) ଯଦି ଆମେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ କଠିନ ପରିଶ୍ରମ କରିବା, ତେବେ ଆମେ ବି ଭରସା ରଖିପାରିବା ଯେ ଯିହୋବା ଆମ ସହିତ ଥିବେ । ଏହାଛଡ଼ା, ଆମେ ହାଗୟ ଓ ଯିଖରୀୟଙ୍କ ଭବିଷ୍ୟତବାଣୀରୁ ଏବଂ ଏଜ୍ରାଙ୍କ ଉଦାହରଣରୁ ଯେଉଁ କଥାଗୁଡ଼ିକ ଶିଖିଲୁ, ତାହା ମାନିଲେ ମଧ୍ୟ ଆମକୁ ବହୁତ ଲାଭ ହେବ । ଭବିଷ୍ୟତରେ ଆମେ ଯେକୌଣସି ସମସ୍ୟାର ସାମନା କରୁ ନା କାହିଁକି, ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମକୁ ସମ୍ଭାଳିବେ ।

ଆପଣ କʼଣ ଉତ୍ତର ଦେବେ ?

  • ସମସ୍ୟାଗୁଡ଼ିକ ଆସିଲେ ଯିହୋବାଙ୍କ ସେବା କରିବା ପାଇଁ ଆମର ଉତ୍ସାହ କିପରି କମ୍‌ ହୋଇପାରେ ?

  • ସମସ୍ୟାଗୁଡ଼ିକ ଆସିଲେ ବି ଆମେ କାହିଁକି ଯିହୋବାଙ୍କ ଇଚ୍ଛା ପୂରା କରିବା ଉପରେ ଧ୍ୟାନ ଦେବା ଉଚିତ୍‌ ?

  • ସମସ୍ୟାଗୁଡ଼ିକ ସମୟରେ ଆମେ କିପରି ଯିହୋବାଙ୍କ ଉପରେ ଆହୁରି ଭରସା ରଖିପାରିବା ?

ଗୀତ ୧୨୨ ଅଟଲ୍‌ ରହେଁ !

a ଯେବେ ଆମକୁ ପଇସାର ଅଭାବ ହୁଏ, ରାଜନୈତିକ ଅସ୍ଥିରତା ଦେଖାଯାଏ କିମ୍ବା ପ୍ରଚାର କରିବା ସମୟରେ ଆମର ବିରୋଧ କରାଯାଏ, ସେସମୟରେ ଯିହୋବାଙ୍କ ଉପରେ ଭରସା ରଖିବା ବହୁତ ଜରୁରୀ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ତାଙ୍କ ଉପରେ ନିଜ ଭରସା କିପରି ବଢ଼ାଇପାରିବା ।

b ‘ସୈନ୍ୟାଧିପତି ଯିହୋବା,’ ଏହି ଶବ୍ଦ ହାଗୟ ବହିରେ ୧୪ ଥର ଆସିଛି । ଯିହୁଦୀ ଯେବେ ଏହି ଶବ୍ଦ ଶୁଣୁଥିବେ, ତେବେ ସେମାନଙ୍କୁ ମନେପଡ଼ୁଥିବ ଯେ ଯିହୋବାଙ୍କ ପାଖରେ ଅସୀମ ଶକ୍ତି ଅଛି ଏବଂ ତାଙ୍କ ପାଖରେ ସ୍ୱର୍ଗଦୂତମାନଙ୍କର ଗୋଟିଏ ବଡ଼ ବିଶାଳ ସେନା ଅଛି । ଏହି ଶବ୍ଦ ଶୁଣି ଆଜି ଆମକୁ ବି ଏହି କଥା ମନେପଡ଼େ ।—ଗୀତ. ୧୦୩:୨୦, ୨୧.

c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

d ଏଜ୍ରା ଈଶ୍ୱରଙ୍କ ବାକ୍ୟର ଦକ୍ଷ ନକଲକାରୀ ଥିଲେ । ତେଣୁ ଯିରୂଶାଲମ ଯିବା ପୂର୍ବରୁ ବି ତାଙ୍କୁ ଭରସା ଥିଲା ଯେ ଯିହୋବା ଯାହା ବି ଭବିଷ୍ୟତବାଣୀଗୁଡ଼ିକ କରିଛନ୍ତି, ତାହା ନିଶ୍ଚୟ ପୂରା ହେବ ।—୨ ବଂଶା. ୩୬:୨୨, ୨୩; ଏଜ୍ରା ୭:୬, ୯, ୧୦; ଯିରି. ୨୯:୧୪.

e ଚିତ୍ର ବିଷୟରେ: ଜଣେ ଭାଇ ଅଧିବେଶନରେ ଯିବା ପାଇଁ କାମ ଜାଗାରେ ନିଜ ମାଲିକଙ୍କୁ ଛୁଟି ମାଗନ୍ତି, କିନ୍ତୁ ମାଲିକ ମନା କରିଦିଅନ୍ତି । ତାʼପରେ ସେହି ଭାଇ ଯିହୋବାଙ୍କୁ ପ୍ରାର୍ଥନା କରି ସାହାଯ୍ୟ ମାଗନ୍ତି ଏବଂ ମାଲିକଙ୍କ ସହ ପୁଣିଥରେ କଥା ହେବା ପାଇଁ ପ୍ରସ୍ତୁତି କରନ୍ତି । ସେ ମାଲିକଙ୍କୁ ଅଧିବେଶନର ନିମନ୍ତ୍ରଣ ଦେଖାନ୍ତି ଓ ତାଙ୍କୁ କହନ୍ତି ଯେ ବାଇବଲରେ ଦିଆଯାଇଥିବା କଥାଗୁଡ଼ିକୁ ମାନିଲେ ଆମେ ଆହୁରି ଭଲ ବ୍ୟକ୍ତି ହୋଇପାରିବା । ମାଲିକଙ୍କୁ ଏହି କଥା ଭଲ ଲାଗେ ଏବଂ ସେ ଭାଇଙ୍କୁ ଛୁଟି ଦିଅନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ