ଅଧ୍ୟୟନ ଲେଖା ୪୯
କʼଣ ଯିହୋବା ମୋ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ ?
“ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା ।”—ଯିରି. ୨୯:୧୨.
ଗୀତ ୪୧ ମେରି ଦୁଆ ସୁନ୍ !
ଲେଖାର ଝଲକa
୧-୨. ଆମକୁ ହୁଏତ ଏପରି କାହିଁକି ଲାଗିବ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉ ନାହାନ୍ତି ?
‘ଯିହୋବାଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ ।’ (ଗୀତ. ୩୭:୪) ଯିହୋବା ଆମକୁ କେତେ ବଢ଼ିଆ ପ୍ରତିଜ୍ଞା କରିଛନ୍ତି ! କିନ୍ତୁ କʼଣ ତାʼଅର୍ଥ ଏହା ଅଟେ ଯେ ଆମେ ଯିହୋବାଙ୍କଠାରୁ ଯାହା ବି ମାଗିବା, ସେ ଆମକୁ ତୁରନ୍ତ ଦେବେ ? ଦେଖିବାକୁ ଗଲେ ଏପରି ସବୁବେଳେ ହୁଏନି । ଏହି ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ଭଉଣୀ ଯାହାଙ୍କ ବିବାହ ହୋଇ ନାହିଁ, ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବାକୁ ଚାହୁଁଥିଲେ । ଆଉ ସେ ଏଥିପାଇଁ ଯିହୋବାଙ୍କୁ ପ୍ରାର୍ଥନା ମଧ୍ୟ କଲେ, ଅନେକ ବର୍ଷ ହୋଇଗଲାଣି କିନ୍ତୁ ତାଙ୍କୁ ଏବେ ଯାଏଁ ଡକାଯାଇନି । ଜଣେ ଭାଇ ମଣ୍ଡଳୀରେ ଆହୁରି ଅଧିକ ସେବା କରିବା ପାଇଁ ଚାହାନ୍ତି, କିନ୍ତୁ ତାଙ୍କୁ ଗୋଟିଏ ବଡ଼ ରୋଗ ଅଛି । ତେଣୁ ସେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି ଯେ ସେ ଠିକ୍ ହୋଇଯାʼନ୍ତୁ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହୁଏନି । ଜଣେ ବାପାମାଆ ପ୍ରାର୍ଥନା କରନ୍ତି ଯେ ତାଙ୍କ ପିଲା ସବୁଦିନ ଯିହୋବାଙ୍କ ସେବା କରୁଥାଉ, କିନ୍ତୁ ସେ ଯିହୋବାଙ୍କଠାରୁ ଦୂରେଇ ଯାଏ ।
୨ କʼଣ ଆପଣ ମଧ୍ୟ କୌଣସି କଥା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଛନ୍ତି, କିନ୍ତୁ ଏବେ ଯାଏଁ ଆପଣଙ୍କୁ ଉତ୍ତର ମିଳିନି ? ଯଦି ଏପରି ଅଟେ, ତେବେ ହୁଏତ ଆପଣ ଭାବିବାକୁ ଲାଗିବେ ଯେ ଯିହୋବା ଅନ୍ୟମାନଙ୍କର ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି, କିନ୍ତୁ ଆପଣଙ୍କର ନୁହେଁ । କିମ୍ବା ହୁଏତ ଆପଣ ଭାବିବାକୁ ଲାଗିବେ ଯେ ଆପଣଙ୍କ ଦ୍ୱାରା ହିଁ କିଛି ଭୁଲ ହୋଇଯାଇଥିବ, ଯାହାଦ୍ୱାରା ଯିହୋବା ଆପଣଙ୍କ ପ୍ରାର୍ଥନା ଶୁଣୁ ନାହାନ୍ତି । ଭଉଣୀ ଜେନିସ୍ଙ୍କୁb ମଧ୍ୟ ଏପରି ହିଁ ଲାଗିଥିଲା । ସେ ଆଉ ତାଙ୍କ ସ୍ୱାମୀ ବୈଥେଲରେ ସେବା କରିବା ପାଇଁ ଚାହୁଁଥିଲେ ଆଉ ସେମାନେ ଏକଥା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଥିଲେ । ଭଉଣୀ କହନ୍ତି, “ମୋତେ ପୂରା ଭରସା ଥିଲା ଯେ ଆମେ କିଛି ଦିନ ଭିତରେ ହିଁ ବୈଥେଲରେ ଥିବା ।” କେତେ ମାସ ଓ ବର୍ଷ ବିତିଗଲା କିନ୍ତୁ ସେମାନଙ୍କୁ ଡକା ଗଲାନି । ଭଉଣୀ କହନ୍ତି, “ମୁଁ ବହୁତ ଦୁଃଖି ହୋଇଯାଇଥିଲି, ମୁଁ ଯିହୋବାଙ୍କୁ ବୈଥେଲ ଯିବା ପାଇଁ ବହୁତ ପ୍ରାର୍ଥନା କରିଥିଲି । ମୋତେ ବୁଝାପଡ଼ୁ ନ ଥିଲା ଯେ ଯିହୋବା କାହିଁକି ମୋର ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଉ ନାହାନ୍ତି । ମୁଁ ଭାବିବାକୁ ଲାଗିଲି ଯେ ଯିହୋବା କାହିଁକି ମୋତେ ରାଗିଛନ୍ତି, ମୁଁ ଏପରି କʼଣ କରିଦେଲି ?”
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଅନେକଥର ହୁଏତ ଆମେ ଭାବୁ ଯେ ଜଣାନାହିଁ ଯିହୋବା ଆମ ପ୍ରାର୍ଥନାଗୁଡ଼ିକୁ ଶୁଣୁଛନ୍ତି ନା ନାହିଁ । ପ୍ରାଚୀନ ସମୟରେ ଈଶ୍ୱରଙ୍କ କିଛି ସେବକଙ୍କୁ ମଧ୍ୟ ଏପରି ହିଁ ଲାଗିଥିଲା । (ଆୟୁ. ୩୦:୨୦; ଗୀତ. ୨୨:୨; ହବ. ୧:୨) କେଉଁ କଥାରୁ ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଆପଣଙ୍କ ପ୍ରାର୍ଥନାଗୁଡ଼ିକୁ ଶୁଣିବେ ଏବଂ ନିଶ୍ଚୟ ତାʼର ଉତ୍ତର ଦେବେ ? (ଗୀତ. ୬୫:୨) ଏହା ଜାଣିବା ପାଇଁ ଆସନ୍ତୁ ପ୍ରଥମେ ଏହି ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦେବା: (୧) ଆମେ ଯିହୋବାଙ୍କଠାରୁ କʼଣ ଆଶା କରିପାରିବା ? (୨) ଯିହୋବା ଆମଠୁ କʼଣ ଆଶା କରନ୍ତି ? ଏବଂ (୩) ବେଳେବେଳେ ଆମକୁ ହୁଏତ କାହିଁକି ଅନ୍ୟ କୌଣସି କଥା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ ?
ଆମେ ଯିହୋବାଙ୍କଠାରୁ କʼଣ ଆଶା କରିପାରିବା ?
୪. ଯେପରି ଯିରିମୀୟ ୨୯:୧୨ ପଦରୁ ଜଣାପଡ଼େ, ଯିହୋବା ଆମକୁ କʼଣ ପ୍ରତିଜ୍ଞା କରିଛନ୍ତି ?
୪ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମ ପ୍ରାର୍ଥନାଗୁଡ଼ିକୁ ଶୁଣିବେ । (ଯିରିମୀୟ ୨୯:୧୨ ପଢ଼ନ୍ତୁ ।) ଆମେ ଯିହୋବାଙ୍କ ବିଶ୍ୱସ୍ତତାର ସହ ସେବା କରୁ, ତେଣୁ ସେ ଆମକୁ ବହୁତ ପ୍ରେମ କରନ୍ତି ଆଉ ସବୁବେଳେ ଆମ ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତି । (ଗୀତ. ୧୦:୧୭; ୩୭:୨୮) କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆମେ ଯିହୋବାଙ୍କୁ ଯାହା ବି ମାଗିବା, ସେ ଆମକୁ ଦେବେ । ଆମେ ଯେଉଁ ଜିନିଷଗୁଡ଼ିକ ପାଇଁ ପ୍ରାର୍ଥନା କରୁ, ସେଥି ମଧ୍ୟରୁ କିଛି ହୁଏତ ଆମକୁ ନୂଆ ଦୁନିଆରେ ହିଁ ମିଳିବ ।
୫. ଆମର ପ୍ରାର୍ଥନାଗୁଡ଼ିକୁ ଶୁଣିବା ସମୟରେ ଯିହୋବା କେଉଁ କଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତି ? ବୁଝାନ୍ତୁ ।
୫ ଯେବେ ଆମେ ଯିହୋବାଙ୍କୁ କୌଣସି କଥା ପାଇଁ ପ୍ରାର୍ଥନା କରୁ, ତେବେ ସେ ଧ୍ୟାନ ଦିଅନ୍ତି ଯେ ସେହି କଥା ତାଙ୍କ ଉଦ୍ଦେଶ୍ୟ ସହିତ କିପରି ଜଡ଼ିତ ଅଛି । (ଯିଶା. ୫୫:୮, ୯) ଯିହୋବାଙ୍କ ଇଚ୍ଛା ଯେ ପୃଥିବୀରେ ସମସ୍ତ ଲୋକ ତାଙ୍କୁ ରାଜା ସ୍ୱୀକାର କରନ୍ତୁ ଏବଂ ଖୁସିର ସହ ତାଙ୍କ ସେବା କରନ୍ତୁ । କିନ୍ତୁ ଶୟତାନ ଦାବି କଲା ଯେ ଯଦି ଲୋକେ ନିଜ ଉପରେ ଶାସନ କରିବେ, ତେବେ ସେମାନେ ଅଧିକ ଖୁସି ରହିପାରିବେ । (ଆଦି. ୩:୧-୫) ଏହି ଦାବିକୁ ମିଛ ପ୍ରମାଣିତ କରିବା ପାଇଁ ଯିହୋବା ଲୋକମାନଙ୍କୁ ନିଜ ଉପରେ ଶାସନ କରିବା ପାଇଁ ଦେଇଛନ୍ତି । ଆଉ ଲୋକମାନଙ୍କ ଶାସନ ଯୋଗୁଁ ଆଜି ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ । (ଉପ. ୮:୯) କିନ୍ତୁ ଆମେ ଜାଣୁ ଯେ ଯିହୋବା ଏବେ ସବୁ ସମସ୍ୟାଗୁଡ଼ିକୁ ଦୂର କରିବେନି । କାରଣ ଯଦି ସେ ଏପରି କରିବେ, ତେବେ ଲୋକେ ଭାବିପାରିବେ ଯେ ମଣିଷମାନେ ଭଲଭାବେ ଶାସନ କରୁଛନ୍ତି, ତେଣୁ ସମସ୍ୟାଗୁଡ଼ିକ ନାହିଁ ।
୬. ଯଦି ଆମେ ମନେରଖିବା ଯେ ଯିହୋବା ଯାହା ବି କରନ୍ତି, ପ୍ରେମ ଯୋଗୁଁ କରନ୍ତି ଏବଂ କେବେ ବି ଅନ୍ୟାୟ କରନ୍ତିନି, ତେବେ ଆମେ କʼଣ ଭରସା ରଖିପାରିବା ?
୬ ହୁଏତ ଯିହୋବା ଏକାଭଳି ପ୍ରାର୍ଥନାଗୁଡ଼ିକର ଅଲଗା ଅଲଗା ଉପାୟରେ ଉତ୍ତର ଦେବେ । ଏହି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଥରେ ହିଜକୀୟ ରାଜା ରୋଗରେ ପଡ଼ିଗଲେ । ଆଉ ସେ ଯିହୋବାଙ୍କୁ ବିନତି କଲେ ଯେ ସେ ତାଙ୍କୁ ଠିକ୍ କରିଦିଅନ୍ତୁ ଏବଂ ଯିହୋବା ତାଙ୍କୁ ଠିକ୍ କରିଦେଲେ । (୨ ରାଜା. ୨୦:୧-୬) ଏହାର ଅନେକ ବର୍ଷ ପରେ ପ୍ରେରିତ ପାଉଲ ମଧ୍ୟ ଯିହୋବାଙ୍କୁ ଏପରି ହିଁ କିଛି ପ୍ରାର୍ଥନା କଲେ । ତାଙ୍କୁ ହୁଏତ କୌଣସି ରୋଗ ଥିଲା, ଯାହାକୁ ସେ ‘ଶରୀରର କଣ୍ଟକ’ କହିଲେ । ସେ ଯିହୋବାଙ୍କୁ ବିନତି କଲେ ଯେ ସେ ସେହି କଣ୍ଟକକୁ ବାହାର କରିଦିଅନ୍ତୁ, କିନ୍ତୁ ଯିହୋବା ଏପରି କଲେନି । (୨ କରି. ୧୨:୭-୯) ଏବେ ଧ୍ୟାନ ଦିଅନ୍ତୁ ଯେ ପ୍ରେରିତ ଯାକୁବ ଏବଂ ପିତରଙ୍କ ସହ କʼଣ ହୋଇଥିଲା । ରାଜା ହେରୋଦ ସେ ଦୁଇଜଣଙ୍କୁ ଜୀବନରୁ ମାରି ଦେବା ପାଇଁ ଚାହୁଁଥିଲା । ତେବେ ମଣ୍ଡଳୀର ଭାଇଭଉଣୀମାନେ ପିତରଙ୍କ ପାଇଁ ପ୍ରାର୍ଥନା କଲେ ଏବଂ ନିଶ୍ଚୟ ଯାକୁବଙ୍କ ପାଇଁ ବି କରିଥିବେ । ତଥାପି ଯାକୁବଙ୍କୁ ମାରି ଦିଆଗଲା, କିନ୍ତୁ ପିତରଙ୍କୁ ଗୋଟିଏ ଚମତ୍କାର ଜରିଆରେ ବଞ୍ଚାଇ ନିଆଗଲା । (ପ୍ରେରି. ୧୨:୧-୧୧) ହୁଏତ ଆମେ ଭାବିପାରୁ, ‘ଯିହୋବା କାହିଁକି ପିତରଙ୍କୁ ରକ୍ଷା କଲେ ଓ ଯାକୁବଙ୍କୁ ନୁହେଁ ?’ ବାଇବଲରେ ଏବିଷୟରେ କିଛି କୁହାଯାଇନି ।c କିନ୍ତୁ ଆମେ ଏକଥାର ଭରସା ରଖିପାରିବା ଯେ ଯିହୋବା “କେବେ ବି ଅନ୍ୟାୟ କରନ୍ତିନି ।” (ଦ୍ୱିବି. ୩୨:୪, NWT) ଆଉ ଆମେ ଜାଣୁ ଯେ ଯିହୋବା ଯାକୁବ ଓ ପିତର ଦୁଇଜଣଙ୍କଠୁ ଖୁସି ଥିଲେ । (ପ୍ରକା. ୨୧:୧୪) ହୋଇପାରେ, ବେଳେବେଳେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ମଧ୍ୟ ସେପରି ମିଳିବନି ଯେପରି ଆମେ ଭାବିଥିଲୁ । ଏପରି ସମୟରେ ଆମେ ମନେ ରଖିପାରିବା ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଏବଂ ସେ କେବେ ବି ଅନ୍ୟାୟ କରନ୍ତି ନାହିଁ । ତେଣୁ ଆମେ ଭରସା ରଖିବା ଯେ ସେ ଆମ ପ୍ରାର୍ଥନାଗୁଡ଼ିକର ଯାହା ବି ଉତ୍ତର ଦେବେ, ତାହା ଆମ ମଙ୍ଗଳ ପାଇଁ ଥିବ ଆଉ ଆମେ କେବେ ବି ସେବିଷୟରେ କୌଣସି ଅଭିଯୋଗ କରିବାନି ।—ଆୟୁ. ୩୩:୧୩.
୭. ଆମକୁ କʼଣ କରିବା ଉଚିତ୍ ନୁହେଁ ଏବଂ କାହିଁକି ?
୭ ଆମେ ଅନ୍ୟମାନଙ୍କ ସହ ନିଜର ତୁଳନା କରିବା ଉଚିତ୍ ନୁହେଁ । କିନ୍ତୁ ବେଳେବେଳେ ହୁଏତ ଆମେ ଏପରି କରିବାକୁ ଲାଗିବା । ଯେପରି ହୋଇପାରେ, ଆମେ ଯିହୋବାଙ୍କୁ କୌଣସି କଥା ପାଇଁ ପ୍ରାର୍ଥନା କରିଥିବା, କିନ୍ତୁ ସେପରି କିଛି ହୋଇ ନ ଥିବ । ଆଉ ପରେ ଜଣାପଡ଼େ ଯେ ଅନ୍ୟ କେହି ମଧ୍ୟ ଏପରି ହିଁ କିଛି କଥା ପାଇଁ ପ୍ରାର୍ଥନା କରିଥିଲେ ଆଉ ତାଙ୍କର ପ୍ରାର୍ଥନା ଶୁଣାଗଲା । ଭଉଣୀ ଏନାଙ୍କ ସହ ବି ଏପରି ହିଁ କିଛି ହୋଇଥିଲା । ତାଙ୍କ ସ୍ୱାମୀଙ୍କୁ କ୍ୟାନସର ହୋଇଯାଇଥିଲା ଆଉ ସେ ପ୍ରାର୍ଥନା କରିଥିଲେ ଯେ ଯିହୋବା ତାଙ୍କୁ ଠିକ୍ କରିଦିଅନ୍ତୁ । ପ୍ରାୟ ସେହି ସମୟ ଭିତରେ ଆଉ ଦୁଇଜଣ ବୃଦ୍ଧା ଭଉଣୀଙ୍କୁ ମଧ୍ୟ କ୍ୟାନସର ହୋଇଯାଇଥିଲା । ଭଉଣୀ ଏନା ନିଜ ସ୍ୱାମୀ ଏବଂ ସେହି ଦୁଇଜଣ ବୃଦ୍ଧା ଭଉଣୀଙ୍କ ପାଇଁ ଯିହୋବାଙ୍କୁ ହୃଦୟରୁ ପ୍ରାର୍ଥନା କଲେ । ସେହି ଦୁଇ ବୃଦ୍ଧା ଭଉଣୀ ଠିକ୍ ହୋଇଗଲେ, କିନ୍ତୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ଆରମ୍ଭରେ ଭଉଣୀ ଏନାଙ୍କୁ ଲାଗିଲା ଯେ ସେହି ଭଉଣୀମାନେ ଏଥିପାଇଁ ଠିକ୍ ହୋଇଗଲେ, କାରଣ ଯିହୋବା ସେମାନଙ୍କୁ ବଞ୍ଚାଇଲେ । ତେଣୁ ସେ ଭାବିବାକୁ ଲାଗିଲେ, ‘ଯଦି ଯିହୋବା ସେହି ଭଉଣୀମାନଙ୍କୁ ବଞ୍ଚାଇଲେ, ତାହେଲେ ମୋ ସ୍ୱାମୀଙ୍କୁ କାହିଁକି ବଞ୍ଚାଇଲେ ନାହିଁ ?’ ଆମକୁ ଏହା ଜଣାନାହିଁ ଯେ ଏପରି କାହିଁକି ହେଲା । କିନ୍ତୁ ଆମେ ଏହା ତ ନିଶ୍ଚୟ ଜାଣୁ ଯେ ଯିହୋବା ଆମ ସବୁ ଦୁଃଖକଷ୍ଟକୁ ସବୁଦିନ ପାଇଁ ବିନାଶ କରିଦେବେ । ସେ ନିଜର ସେହି ସମସ୍ତ ସେବକମାନଙ୍କୁ ପୁଣିଥରେ ଜୀବିତ କରିବା ପାଇଁ ବହୁତ ଉତ୍ସୁକ, ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି ।—ଆୟୁ. ୧୪:୧୫.
୮. (କ) ଯିଶାଇୟ ୪୩:୨ ପଦ ଅନୁସାରେ ଯିହୋବା କିପରି ଆମକୁ ସହଯୋଗ କରନ୍ତି ? (ଖ) ସମସ୍ୟାଗୁଡ଼ିକ ସମୟରେ ପ୍ରାର୍ଥନା କରିବାରୁ ଆମକୁ କିପରି ସାହାଯ୍ୟ ମିଳିପାରିବ ? (ପ୍ରାର୍ଥନା କଲେ ସାହସ ମିଳେ ନାମକ ଭିଡିଓ ଦେଖନ୍ତୁ ।)
୮ ଯିହୋବା ସବୁବେଳେ ଆମକୁ ସହଯୋଗ କରିବେ । ଯିହୋବା ଆମ ପିତା ଅଟନ୍ତି ଏବଂ ଆମକୁ ବହୁତ ପ୍ରେମ କରନ୍ତି । ସେ ଚାହାନ୍ତିନି ଯେ ଆମକୁ କୌଣସି କଷ୍ଟ ହେଉ । (ଯିଶା. ୬୩:୯) କିନ୍ତୁ ଆମ ଉପରେ କିଛି ସମସ୍ୟା ନ ଆସିବା ପାଇଁ ସେ କୌଣସି ଚମତ୍କାର କରନ୍ତି ନାହିଁ । ଅନେକଥର ଆମକୁ ନଦୀ କିମ୍ବା ନିଆଁ ଭଳି ସମସ୍ୟାର ସାମନା କରିବାକୁ ପଡ଼େ । (ଯିଶାଇୟ ୪୩:୨ ପଢ଼ନ୍ତୁ ।) କିନ୍ତୁ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଏସବୁ “ଦେଇ ଯିବା” କିମ୍ବା ଏସବୁକୁ ପାର କରିବା ପାଇଁ ଆମକୁ ସାହାଯ୍ୟ କରିବେ । ଏହି ସମସ୍ୟାଗୁଡ଼ିକ ଆମକୁ ବୁଡ଼େଇପାରିବନି ଆଉ ନା ଜଳାଇପାରିବ । ଯିହୋବା ନିଜ ପବିତ୍ର ଶକ୍ତି ମଧ୍ୟ ଦେବେ, ଯାହାଦ୍ୱାରା ଆମେ ଏହି ସମସ୍ୟାଗୁଡ଼ିକୁ ସହିପାରିବା । (ଲୂକ ୧୧:୧୩; ଫିଲିପ୍. ୪:୧୩) ଆମେ ଭରସା ରଖିପାରିବା ଯେ ଏହି ସମସ୍ୟାଗୁଡ଼ିକ ସହ ଲଢ଼ିବା ପାଇଁ ଆଉ ତାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ଯାହା ଦରକାର, ସେ ସବୁବେଳେ ଆମକୁ ତାହା ଦେବେ ।d
ଯିହୋବା ଆମଠୁ କʼଣ ଆଶା କରନ୍ତି ?
୯. ଯେପରି ଯାକୁବ ୧:୬, ୭ ପଦରେ କୁହାଯାଇଛି, ଆମକୁ କାହିଁକି ବିଶ୍ୱାସ ରଖିବା ଉଚିତ୍ ଯେ ଯିହୋବା ଆମର ସାହାଯ୍ୟ କରିବେ ?
୯ ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ଉପରେ ଭରସା କରୁ । (ଏବ୍ରୀ ୧୧:୬) ଅନେକଥର ଆମକୁ ଲାଗିପାରେ ଯେ ଆମେ ନିଜ ସମସ୍ୟାଗୁଡ଼ିକୁ ପାର କରିପାରିବାନି । ହୁଏତ ଆମେ ଏପରି ବି ଭାବିବାକୁ ଲାଗିବା ଯେ ଜଣାନାହିଁ ଯେ ଯିହୋବା ଆମ ସାହାଯ୍ୟ କରିବେ ନା ନାହିଁ । କିନ୍ତୁ ବାଇବଲରେ ଆମକୁ ଭରସା କରାଇ ଦିଆଯାଇଛି ଯେ ଈଶ୍ୱରଙ୍କ ଶକ୍ତିରୁ ଆମେ ‘ପ୍ରାଚୀର ବି ଡେଇଁପାରିବା ।’ (ଗୀତ. ୧୮:୨୯) ତେଣୁ ଆମକୁ ଚିନ୍ତା କରିବା ଉଚିତ୍ ନୁହେଁ ଆଉ ଯିହୋବାଙ୍କ ଉପରେ ସନ୍ଦେହ କରିବା ବି ଉଚିତ୍ ନୁହେଁ । ଏହାଛଡ଼ା ଯେବେ ବି ଆମେ ଯିହୋବାଙ୍କୁ ପ୍ରାର୍ଥନା କରୁ, ତେବେ ଆମକୁ ବିଶ୍ୱାସ ରଖିବା ଉଚିତ୍ ଯେ ସେ ଆମର ପ୍ରାର୍ଥନା ଶୁଣିବେ ଆଉ ଉତ୍ତର ଦେବେ ।—ଯାକୁବ ୧:୬, ୭ ପଢ଼ନ୍ତୁ ।
୧୦. ଉଦାହରଣ ଦେଇ କହନ୍ତୁ ଯେ ଆମେ କିପରି ନିଜ ପ୍ରାର୍ଥନାଗୁଡ଼ିକ ଅନୁସାରେ କାମ କରିପାରିବା ।
୧୦ ଯିହୋବା ଚାହାନ୍ତି ଯେ ଆମେ ନିଜ ପ୍ରାର୍ଥନାଗୁଡ଼ିକ ଅନୁସାରେ କାମ କରୁ । ଯେପରି ହୋଇପାରେ, ଜଣେ ଭାଇ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି ଯେ ତାଙ୍କୁ ଅଧିବେଶନରେ ଯିବା ପାଇଁ କାମରୁ ଛୁଟି ମିଳିଯାଉ । ଯିହୋବା ହୁଏତ କିପରି ତାଙ୍କର ପ୍ରାର୍ଥନାର ଉତ୍ତର ଦେବେ ? ହୁଏତ ସେହି ଭାଇଙ୍କୁ ନିଜ ମାଲିକଙ୍କ ପାଖକୁ ଯାଇ କଥା ହେବା ପାଇଁ ସାହସ ଦେବେ । କିନ୍ତୁ ମାଲିକଙ୍କ ପାଖକୁ ଯାଇ ଭାଇଙ୍କୁ ହିଁ କଥା ହେବାକୁ ପଡ଼ିବ । ହୁଏତ ତାଙ୍କୁ ଛୁଟି ପାଇଁ ବାରମ୍ବାର ମାଲିକଙ୍କ ସହ କଥା ହେବାକୁ ପଡ଼ିବ । କିମ୍ବା ସେ ମାଲିକଙ୍କୁ କହିପାରିବେ ଯେ ସେ ଛୁଟି ଦିନଗୁଡ଼ିକ ବଦଳରେ ଅନ୍ୟ କୌଣସି ଦିନରେ କାମ କରିଦେବେ । କିମ୍ବା ମାଲିକଙ୍କୁ ଏହା ବି କହିପାରିବେ ଯେ ଛୁଟି ବଦଳରେ ସେ ତାଙ୍କ ପଇସା କାଟିପାରିବେ ।
୧୧. ଆମକୁ ନିଜ ଚିନ୍ତାଗୁଡ଼ିକ ବିଷୟରେ କାହିଁକି ବାରମ୍ବାର ପ୍ରାର୍ଥନା କରିବା ଉଚିତ୍ ?
୧୧ ଯିହୋବା ଚାହାନ୍ତି ଯେ ଆମେ ନିଜ ଚିନ୍ତାଗୁଡ଼ିକ ବିଷୟରେ ବାରମ୍ବାର ପ୍ରାର୍ଥନା କରୁ । (୧ ଥେସ. ୫:୧୭) ଯୀଶୁ ନିଜ ଶିଷ୍ୟମାନଙ୍କୁ ଯାହା କହିଥିଲେ, ସେଥିରୁ ଜଣାପଡ଼େ ଯେ ଅନେକଥର ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଆମକୁ ତୁରନ୍ତ ମିଳେନି । (ଲୂକ ୧୧:୯) ତେଣୁ ଆମକୁ ହାର୍ ମାନିବା ଉଚିତ୍ ନୁହେଁ । ଆମକୁ ବାରମ୍ବାର ହୃଦୟରୁ ପ୍ରାର୍ଥନା କରିବା ଉଚିତ୍ । (ଲୂକ ୧୮:୧-୭) ଯେବେ ଆମେ ବାରମ୍ବାର କୌଣସି କଥା ପାଇଁ ପ୍ରାର୍ଥନା କରୁ, ତେବେ ଜଣାପଡ଼େ ଯେ ଆମେ କେବଳ ପ୍ରାର୍ଥନା କରୁନୁ, ବରଂ ଏହି କଥା ଆମ ପାଇଁ ବହୁତ ଜରୁରୀ ଅଟେ । ଏପରି ଭାବେ ଆମେ ଏହା ବି ଦେଖାଉ ଯେ ଆମକୁ ପୂରା ବିଶ୍ୱାସ ଅଛି ଯେ ଯିହୋବା ଆମର ସାହାଯ୍ୟ କରିପାରିବେ ।
ବେଳେବେଳେ ଆମକୁ ହୁଏତ କାହିଁକି ଅନ୍ୟ କୌଣସି କଥା ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ ?
୧୨. (କ) ଆମେ ନିଜକୁ ପ୍ରାର୍ଥନାଗୁଡ଼ିକ ବିଷୟରେ କʼଣ ପ୍ରଶ୍ନ ପଚାରିବା ଉଚିତ୍ ଓ କାହିଁକି ? (ଖ) କେଉଁ ଭଳି ପ୍ରାର୍ଥନାଗୁଡ଼ିକରୁ ଜଣାପଡ଼ିବ ଯେ ଆମେ ଯିହୋବାଙ୍କ ଆଦର କରୁ ? (“କʼଣ ମୋ ପ୍ରାର୍ଥନାଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଆଦର କରେ ?” ନାମକ ବକ୍ସ ଦେଖନ୍ତୁ ।)
୧୨ ହୋଇପାରେ, ଆମେ କୌଣସି କଥା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିଛୁ, କିନ୍ତୁ ଏବେ ଯାଏଁ ତାହା ପୂରା ହୋଇ ନାହିଁ । ଏପରି ସମୟରେ ଆମେ ନିଜକୁ ତିନୋଟି ପ୍ରଶ୍ନ ପଚାରିପାରିବା । ପ୍ରଥମ,‘କʼଣ ମୁଁ ସଠିକ୍ କଥା ପାଇଁ ପ୍ରାର୍ଥନା କରୁଛି ?’ ଅନେକଥର ଆମକୁ ଲାଗେ, ଆମକୁ ଜଣାଅଛି ଯେ ଆମ ପାଇଁ ସବୁଠୁ ଭଲ କʼଣ ଅଟେ । କିନ୍ତୁ ହୋଇପାରେ, ଆଗକୁ ଯାଇ ଆମକୁ ସେଥିରୁ ଲାଭ ମିଳିବନି । ହୁଏତ ଆମେ ଯିହୋବାଙ୍କୁ ପ୍ରାର୍ଥନା କରୁ ଯେ ସେ ଆମର କୌଣସି ସମସ୍ୟାକୁ ଯେକୌଣସି ଉପାୟରୁ ସମାଧାନ କରିଦିଅନ୍ତୁ । କିନ୍ତୁ ହୋଇପାରେ, ସେ ତାʼଠୁ ବି ଭଲ କିଛି ଭାବିଥିବେ । ଏହା ବି ହୋଇପାରେ ଯେ ଆମେ ଯେଉଁ କଥା ପାଇଁ ପ୍ରାର୍ଥନା କରୁଛୁ, ତାହା ତାଙ୍କ ଇଚ୍ଛା ଅନୁସାରେ ହୋଇ ନ ଥିବ । (୧ ଯୋହ. ୫:୧୪) ଆସନ୍ତୁ ଆଉ ଥରେ ସେହି ବାପାମାଆଙ୍କ ବିଷୟରେ କଥା ହେବା ଯେଉଁମାନେ ପ୍ରାର୍ଥନା କରିଥିଲେ ଯେ ତାଙ୍କ ପିଲା ଯିହୋବାଙ୍କ ସେବା କରୁଥାଉ । ଏପରି ପ୍ରାର୍ଥନା କରିବା ଭୁଲ ନୁହେଁ, କିନ୍ତୁ ଦେଖିବାକୁ ଗଲେ ଯିହୋବା କାହାରିକୁ ମଧ୍ୟ ତାଙ୍କ ସେବା କରିବା ପାଇଁ ଜବରଦସ୍ତି କରନ୍ତି ନାହିଁ । ସେ ଚାହାନ୍ତି ଯେ ଆମେ ଓ ଆମ ପିଲାମାନେ ମଧ୍ୟ ନିଜ ଇଚ୍ଛାରୁ ତାଙ୍କ ସେବା କରୁ । (ଦ୍ୱିବି. ୧୦:୧୨, ୧୩; ୩୦:୧୯, ୨୦) ତେବେ ହୁଏତ ସେହି ବାପାମାଆ ଏହା ପ୍ରାର୍ଥନା କରିପାରିବେ ଯେ ସେମାନେ ନିଜ ପିଲାର ହୃଦୟରେ ସତ୍ୟର ବୀଜ ବୁଣିପାରନ୍ତୁ, ଯାହାଦ୍ୱାରା ସେ ନିଜେ ଯିହୋବାଙ୍କୁ ପ୍ରେମ କରିବ ଆଉ ତାଙ୍କ ସାଙ୍ଗ ହୋଇପାରିବ ।—ହିତୋ. ୨୨:୬; ଏଫି. ୬:୪.
୧୩. ଏବ୍ରୀ ୪:୧୬ ପଦ ଅନୁସାରେ ଯିହୋବା କେବେ ଆମ ସାହାଯ୍ୟ କରିବେ ? ବୁଝାନ୍ତୁ ।
୧୩ ଦ୍ୱିତୀୟ ପ୍ରଶ୍ନ ଯାହା ଆମେ ନିଜକୁ ପଚାରିପାରିବା, ତାହା ହେଉଛି,‘କʼଣ ଯିହୋବାଙ୍କ ଦୃଷ୍ଟିରେ ମୋ ଅନୁରୋଧ ପୂରା କରିବାର ଏହା ସଠିକ୍ ସମୟ ଅଟେ ?’ ହୁଏତ ଆମେ ଭାବୁ ଯେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଆମକୁ ଏବେ ହିଁ ମିଳିବା କଥା । କିନ୍ତୁ ଦେଖିବାକୁ ଗଲେ ଯିହୋବା ଜାଣନ୍ତି ଯେ ଆମର ସାହାଯ୍ୟ କରିବାର ସଠିକ୍ ସମୟ କʼଣ ଅଟେ । (ଏବ୍ରୀ ୪:୧୬ ପଢ଼ନ୍ତୁ ।) ଯେବେ ଆମକୁ ପ୍ରାର୍ଥନାର ଉତ୍ତର ତୁରନ୍ତ ମିଳେନି, ତେବେ ହୁଏତ ଆମେ ଭାବିପାରିବା ଯେ ଯିହୋବା କହୁଛନ୍ତି, ‘ମୁଁ ତମର ପ୍ରାର୍ଥନାର ଉତ୍ତର ଦେବିନି ।’ କିନ୍ତୁ ହୁଏତ ସେ କହୁଥିବେ, ‘ମୁଁ ଉତ୍ତର ଦେବି, କିନ୍ତୁ ଏବେ ନୁହେଁ ।’ ପୁଣିଥରେ ସେହି ଯୁବା ବିଷୟରେ ଭାବନ୍ତୁ ଯିଏ ଯିହୋବାଙ୍କୁ ପ୍ରାର୍ଥନା କରିଥିଲା ଯେ ସେ ତାଙ୍କ ରୋଗ ଠିକ୍ କରିଦିଅନ୍ତୁ । ଯଦି ଯିହୋବା କୌଣସି ଚମତ୍କାର କରି ତାକୁ ଠିକ୍ କରିଦିଅନ୍ତେ, ତେବେ ଶୟତାନ ଯିହୋବାଙ୍କୁ କହିପାରନ୍ତା ଯେ ସେ ଭାଇକୁ ରୋଗରୁ ଠିକ୍ କରିଦେଲେ, ତେଣୁ ସେ ତାଙ୍କ ସେବା କରୁଛି । (ଆୟୁ. ୧:୯-୧୧; ୨:୪) ଆମେ ମନେରଖିବା ଉଚିତ୍ ଯେ ଯିହୋବା ଆଗରୁ ହିଁ ନିର୍ଦ୍ଧାରିତ କରିଛନ୍ତି ଯେ ସେ ସବୁ ପ୍ରକାରର ରୋଗକୁ ଦୂର କରିଦେବେ । (ଯିଶା. ୩୩:୨୪; ପ୍ରକା. ୨୧:୩, ୪) କିନ୍ତୁ ସେସମୟ ଯାଏଁ ଆମେ ତାଙ୍କଠାରୁ ଏହା ଆଶା କରିପାରିବାନି ଯେ ସେ ଚମତ୍କାର କରି ଆମକୁ ଠିକ୍ କରିଦେବେ । ତାହେଲେ ହୁଏତ ସେହି ଭାଇ ଯିହୋବାଙ୍କୁ ଏପରି ପ୍ରାର୍ଥନା କରିପାରିବେ ଯେ ସେ ତାଙ୍କୁ ରୋଗରୁ ଲଢ଼ିବା ଆଉ ତାଙ୍କ ବିଶ୍ୱସ୍ତତାର ସହ ସେବା କରିବା ପାଇଁ ଶକ୍ତି ଦିଅନ୍ତୁ ଏବଂ ମନର ଶାନ୍ତି ଦିଅନ୍ତୁ ।—ଗୀତ. ୨୯:୧୧.
୧୪. ଭଉଣୀ ଜେନିସ୍ଙ୍କ ଉଦାହରଣରୁ ଆପଣ କʼଣ ଶିଖିଲେ ?
୧୪ ପୁଣିଥରେ ଭଉଣୀ ଜେନିସ୍ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ ଯିଏ ବୈଥେଲରେ ସେବା କରିବା ପାଇଁ ପ୍ରାର୍ଥନା କରିଥିଲେ । ପାଞ୍ଚ ବର୍ଷ ପରେ ତାଙ୍କୁ ଅନୁଭବ ହେଲା ଯେ ଯିହୋବା ତାଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇଥିଲେ, କିନ୍ତୁ ସେପରି ନୁହେଁ ଯେପରି ସେ ଭାବିଥିଲେ । ଭଉଣୀ କହନ୍ତି, “ସେସମୟରେ ଯିହୋବା ମୋତେ ବହୁତ କିଛି ଶିଖାଇଲେ ଏବଂ ଖ୍ରୀଷ୍ଟିୟାନ ଗୁଣ ବଢ଼ାଇବା ପାଇଁ ସାହାଯ୍ୟ କଲେ । ମୋତେ ଅନୁଭବ ହେଲା ଯେ ଯିହୋବାଙ୍କ ଉପରେ ମୋତେ ଆହୁରି ଭରସା କରିବାର ଅଛି ଏବଂ ଆହୁରି ଭଲଭାବେ ବ୍ୟକ୍ତିଗତ ଅଧ୍ୟୟନ କରିବାର ଅଛି । ମୁଁ ଏହା ବି ଶିଖିଲି ଯେ ମୋ ଖୁସି ଏକଥା ଉପରେ ନିର୍ଭର କରେନି ଯେ ମୁଁ କେଉଁଠି ସେବା କରୁଛି ।” ପରେ ଭଉଣୀ ଜେନିସ୍ଙ୍କ ସ୍ୱାମୀଙ୍କୁ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ କୁହାଗଲା ଏବଂ ଭଉଣୀ ତାଙ୍କୁ ପୂରା ସହଯୋଗ କଲେ । ଅତୀତକୁ ମନେପକାଇ ଭଉଣୀ ଜେନିସ୍ କହନ୍ତି, “ଯିହୋବା ମୋ ପ୍ରାର୍ଥନାର ଉତ୍ତର ଦେଇଥିଲେ, ସେପରି ନୁହେଁ ଯେପରି ମୁଁ ଭାବୁଥିଲି । ମୋତେ ଏହି କଥାକୁ ବୁଝିବା ପାଇଁ ଟିକେ ସମୟ ଲାଗିଲା ଯେ ଯିହୋବା କେତେ ବଢ଼ିଆ ଉପାୟରେ ମୋ ପ୍ରାର୍ଥନାର ଉତ୍ତର ଦେଲେ । କିନ୍ତୁ ମୁଁ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ମୋତେ ପ୍ରେମ କଲେ ଆଉ ମୋ ଉପରେ କୃପା କଲେ ।”
ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ କୌଣସି ପ୍ରାର୍ଥନାର ଉତ୍ତର ମିଳି ନାହିଁ, ତେବେ କʼଣ ଆପଣ ନିଜ ପ୍ରାର୍ଥନାରେ ଟିକେ ପରିବର୍ତ୍ତନ କରିବେ ? (ପାରାଗ୍ରାଫ ୧୫)f
୧୫. ଅନେକଥର ଯିହୋବାଙ୍କୁ କମ୍ ଶବ୍ଦରେ କହିବା କାହିଁକି ଭଲ ହେବ ଯେ ଆମେ କʼଣ ଚାହୁଁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୫ ତୃତୀୟ ପ୍ରଶ୍ନ ଯାହା ଆମେ ନିଜକୁ ପଚାରିପାରିବା, ତାହା ହେଉଛି,‘ମୁଁ ଯେଉଁ କଥା ପାଇଁ ପ୍ରାର୍ଥନା କରୁଛି, କʼଣ ମୋତେ ସେଥିରେ କିଛି ପରିବର୍ତ୍ତନ କରିବା ଉଚିତ୍ ?’ ଏହା ସତ ଯେ ଆମକୁ ସ୍ପଷ୍ଟ ଭାବେ ଯିହୋବାଙ୍କୁ କହିବାର ଅଛି ଯେ ଆମକୁ କʼଣ ଦରକାର, କିନ୍ତୁ ବେଳେବେଳେ ଆମେ ତାହା କମ୍ ଶବ୍ଦରେ କହିବା ଭଲ ହେବ । ଏପରି କଲେ ଆମେ ଜାଣିପାରିବା ଯେ ଯିହୋବାଙ୍କ ଇଚ୍ଛା କʼଣ । ଏବେ ସେହି ଭଉଣୀଙ୍କ ବିଷୟରେ ଭାବନ୍ତୁ, ଯିଏ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବେ ବୋଲି ପ୍ରାର୍ଥନା କରୁଥିଲେ । ସେ ସ୍କୁଲରେ ଏଥିପାଇଁ ଯିବାକୁ ଚାହୁଁଥିଲେ, ଯାହାଦ୍ୱାରା ସେ ଅଧିକ ଆବଶ୍ୟକ ଥିବା ଜାଗାରେ ଯାଇ ସେବା କରିପାରିବେ । ସ୍କୁଲରେ ଯିବା ପାଇଁ ସେ ପ୍ରାର୍ଥନା କରିବା ସହ ଏହା ବି ବିନତି କରିପାରିଥାʼନ୍ତେ ଯେ ଯିହୋବା ଆହୁରି ଅଧିକ ସେବା କରିବାର ସୁଯୋଗ ଖୋଜିବାରେ ତାଙ୍କୁ ସାହାଯ୍ୟ କରନ୍ତୁ । (ପ୍ରେରି. ୧୬:୯, ୧୦) ତାʼପରେ ସେ ନିଜ ପ୍ରାର୍ଥନା ଅନୁସାରେ କାମ ବି କରିପାରିବେ । ଯେପରି, ସେ ନିଜ ସର୍କିଟ ଅଧ୍ୟକ୍ଷଙ୍କୁ ପଚାରିପାରିବେ ଯେ ଆଖପାଖ ମଣ୍ଡଳୀରେ କʼଣ ଅଗ୍ରଦୂତମାନଙ୍କ ଅଧିକ ଆବଶ୍ୟକ ଅଛି । କିମ୍ବା ଶାଖା କାର୍ଯ୍ୟାଳୟକୁ ଲେଖିକି ପଚାରିପାରିବେ ଯେ ଏପରି କେଉଁ ଜାଗା ଅଛି ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକ ଅଛି ।e
୧୬. ଆମେ କେଉଁ କଥାର ଭରସା ରଖିପାରିବା ?
୧୬ ଏହି ଲେଖାରେ ଆମେ ଜାଣିଲୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ । କିନ୍ତୁ ସେ ଆମ ପ୍ରାର୍ଥନାର ଉତ୍ତର ଯେପରି ଭାବେ ଦିଅନ୍ତି, ସେଥିରୁ ଜଣାପଡ଼େ ଯେ ସେ ଆମକୁ କେତେ ପ୍ରେମ କରନ୍ତି ଆଉ ସେ କେବେ ବି ଅନ୍ୟାୟ କରନ୍ତିନି । (ଗୀତ. ୪:୩; ଯିଶା. ୩୦:୧୮) ହୋଇପାରେ, ବେଳେବେଳେ ଆମକୁ ନିଜ ପ୍ରାର୍ଥନାଗୁଡ଼ିକର ଉତ୍ତର ସେପରି ମିଳିବନି ଯେପରି ଆମେ ଭାବିଥିଲୁ । କିନ୍ତୁ ଆମେ ଭରସା ରଖିପାରିବା ଯେ ଯିହୋବା କେବେ ବି ଆମ ପ୍ରାର୍ଥନାଗୁଡ଼ିକୁ ଅଣଦେଖା କରିବେ ନାହିଁ । ସେ ଆମକୁ ବହୁତ ପ୍ରେମ କରନ୍ତି ଏବଂ ସେ କେବେ ବି ଆମକୁ ନିଜ ପରିସ୍ଥିତିରେ ଛାଡ଼ିବେନି । (ଗୀତ. ୯:୧୦) ଆସନ୍ତୁ ଆମେ “ସବୁବେଳେ ତାହାଙ୍କଠାରେ ନିର୍ଭର” ରହିବା ଏବଂ ତାହାଙ୍କ ଛାମୁରେ ମନର ସବୁ କଥା ଖୋଲିକି କହିବା ।—ଗୀତ. ୬୨:୮.
ଗୀତ ୪୩ ଧନ୍ୟୱାଦ୍ କି ପ୍ରାର୍ଥନା
a ଏହି ଲେଖାରେ ଜାଣିବା ଯେ ଆମେ କାହିଁକି ଯିହୋବାଙ୍କ ଉପରେ ଭରସା ରଖିପାରିବା ଯେ ସେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି । ଆଉ ସେ ଯେପରି ଭାବେ ଉତ୍ତର ଦିଅନ୍ତି, ସେଥିରୁ ଜଣାପଡ଼େ ଯେ ସେ ଆମକୁ କେତେ ପ୍ରେମ କରନ୍ତି ଏବଂ କେବେ ବି ଆମ ସହ ଅନ୍ୟାୟ କରନ୍ତି ନାହିଁ ।
b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
c ଫେବୃୟାରୀ ୨୦୨୨ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଭରସା ରଖନ୍ତୁ ଯେ ଯିହୋବା ଯାହା ମଧ୍ୟ କରନ୍ତି ଠିକ୍ କରନ୍ତି” ପାରାଗ୍ରାଫ ୩-୬ ପଢ଼ନ୍ତୁ ।
d ଯିହୋବା କିପରି ସମସ୍ୟାଗୁଡ଼ିକୁ ସହିବା ପାଇଁ ଆମକୁ ସାହାଯ୍ୟ କରନ୍ତି, ଏବିଷୟରେ ଅଧିକ ଜାଣିବା ପାଇଁ jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ ପ୍ରାର୍ଥନା କଲେ ସାହସ ମିଳେ ଦେଖନ୍ତୁ ।
e ଯଦି ଆପଣ କୌଣସି ଅନ୍ୟ ଶାଖାର ଅଞ୍ଚଳରେ ଯାଇ ସେବା କରିବା ପାଇଁ ଚାହାନ୍ତି, ତେବେ ଏବିଷୟରେ ଜାଣିବା ପାଇଁ ୟହୋୱା କି ମରଜି ପୁରି କରନେ କେ ଲିଏ ସଙ୍ଗଠିତ୍ ବହିର ଅଧ୍ୟାୟ ୧୦ର ପାରାଗ୍ରାଫ ୬-୯ ପଢ଼ନ୍ତୁ ।
f ଚିତ୍ର ବିଷୟରେ: ଦୁଇଜଣ ଭଉଣୀ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବାର ଫର୍ମ ଭରନ୍ତି । କିନ୍ତୁ ତାʼ ପୂର୍ବେ ସେମାନେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି । ପରେ ସେମାନଙ୍କ ମଧ୍ୟରୁ ଜଣକୁ ସ୍କୁଲ ପାଇଁ ଡକାଗଲା, କିନ୍ତୁ ଅନ୍ୟ ଜଣକୁ ନୁହେଁ । ଯେଉଁ ଭଉଣୀଙ୍କୁ ଡକାଗଲାନି ସେ ବହୁତ ବେଶି ଦୁଃଖି ହେଲେନି । ତାʼ ପରିବର୍ତ୍ତେ ସେ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ସେ ଆହୁରି ଅଧିକ ସେବା କରିବାର ଅନ୍ୟ ଉପାୟ ଖୋଜିବା ପାଇଁ ତାଙ୍କୁ ସାହାଯ୍ୟ କରନ୍ତୁ । ତାʼପରେ ସେ ଶାଖା କାର୍ଯ୍ୟାଳୟକୁ ଚିଠି ଲେଖିକି କହିଲେ ଯେ ସେ ଏପରି ଜାଗାରେ ଯାଇ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକ ଅଛି ।