ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ସେପ୍ଟେମ୍ବର ପୃଷ୍ଠା ୨୦-୨୫
  • କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ମେଷ ଓ ଛାଗଗୁଡ଼ିକର ଉଦାହରଣ
  • ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣ
  • ତୋଡ଼ାର ଉଦାହରଣ
  • କେଉଁମାନଙ୍କୁ “ଗ୍ରହଣ କରାଯିବ” ?
  • ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ
  • “ଜାଗ୍ରତ ଥାଅ”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ସେପ୍ଟେମ୍ବର ପୃଷ୍ଠା ୨୦-୨୫

ଅଧ୍ୟୟନ ଲେଖା ୩୮

ଗୀତ ୨୫ ଖାସ୍‌ ସମ୍ପତ୍ତି

କʼଣ ଆପଣ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେଉଛନ୍ତି ?

“ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।”—ମାଥି. ୨୪:୪୦.

କʼଣ ଶିଖିବା ?

ଆମେ ଯୀଶୁଙ୍କ ତିନୋଟି ଉଦାହରଣ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଦୁନିଆର ବ୍ୟବସ୍ଥାର ବିନାଶର ପୂର୍ବେ ଯେଉଁ ନ୍ୟାୟ କରାଯିବ ସେସମୟ ବିଷୟରେ ଏଥିରେ କʼଣ କୁହାଯାଇଛି ।

୧. ଯୀଶୁ ଖୁବ୍‌ ଶୀଘ୍ର କʼଣ କରିବେ ?

ଆଜି ଆମେ ବହୁତ ରୋମାଞ୍ଚକ ସମୟରେ ବଞ୍ଚୁଛୁ । ଖୁବ୍‌ ଶୀଘ୍ର ଯୀଶୁ ପୃଥିବୀରେ ଥିବା ପ୍ରତ୍ୟେକ ମଣିଷର ନ୍ୟାୟ କରିବେ । କିନ୍ତୁ ତାʼ ପୂର୍ବେ ଦୁନିଆରେ କʼଣ କʼଣ ହେବ, ସେବିଷୟରେ ସେ ନିଜ ଶିଷ୍ୟମାନଙ୍କୁ କହିଥିଲେ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଗୋଟିଏ “ଲକ୍ଷଣ” ବିଷୟରେ କହିଥିଲେ, ଯେଉଁଥିରୁ ସେମାନେ ବୁଝିପାରନ୍ତେ ଯେ ତାଙ୍କ ଆଗମନ ଓ ଦୁନିଆର ବ୍ୟବସ୍ଥାର “ଯୁଗାନ୍ତ” ଆରମ୍ଭ ହୋଇଯାଇଛି । (ମାଥି. ୨୪:୩) ଏହି ଲକ୍ଷଣ ବିଷୟରେ ମାଥିଉ ୨୪ ଓ ୨୫ ଅଧ୍ୟାୟରେ, ମାର୍କ ୧୩ ଅଧ୍ୟାୟ ଓ ଲୂକ ୨୧ ଅଧ୍ୟାୟରେ କୁହାଯାଇଛି ।

୨. (କ) ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ? (ଖ) ଯୀଶୁ ଯେଉଁ ଉଦାହରଣଗୁଡ଼ିକ ଦେଲେ, ସେଥିରୁ ଆମେ କʼଣ ବୁଝିପାରୁ ?

୨ ଯୀଶୁ ଆମକୁ ତିନୋଟି ଉଦାହରଣ ଦେଲେ ଏବଂ ସେହି ଉଦାହରଣରେ ଆମ ପାଇଁ ଚେତାବନୀ ଦିଆଯାଇଛି । ଏଥିରୁ ଆମେ ନ୍ୟାୟର ସମୟ ପାଇଁ ପ୍ରସ୍ତୁତ ହୋଇପାରିବା । ଏହି ତିନୋଟି ଉଦାହରଣ ହେଉଛି: ମେଷ ଓ ଛାଗଗୁଡ଼ିକର ଉଦାହରଣ, ନିର୍ବୁଦ୍ଧି ଓ ସୁବୁଦ୍ଧି କନ୍ୟାମାନଙ୍କ ଉଦାହରଣ ଏବଂ ତୋଡ଼ାର ଉଦାହରଣ । ଏହି ଉଦାହରଣଗୁଡ଼ିକରୁ ଆମେ ବୁଝିପାରୁ ଯେ ଯୀଶୁ ଆମ କାମଗୁଡ଼ିକ ଆଧାରରେ ଆମର ନ୍ୟାୟ କରିବେ । ଏହି ଲେଖାରେ ଆମେ ଏହି ତିନୋଟି ଉଦାହରଣ ଉପରେ ଚର୍ଚ୍ଚା କରିବା ଓ ଜାଣିବା ଯେ ଆମେ ସେଥିରୁ କʼଣ ଶିଖିପାରିବା । ଆସନ୍ତୁ ପ୍ରଥମେ ମେଷ ଓ ଛାଗଗୁଡ଼ିକର ଉଦାହରଣ ଉପରେ ଧ୍ୟାନ ଦେବା ।

ମେଷ ଓ ଛାଗଗୁଡ଼ିକର ଉଦାହରଣ

୩. ଯୀଶୁ କେବେ ଲୋକମାନଙ୍କ ନ୍ୟାୟ କରିବେ ?

୩ ମେଷ ଓ ଛାଗଗୁଡ଼ିକର ଉଦାହରଣ ଦେଇ ଯୀଶୁ ଏବିଷୟରେ ଜଣାଇଲେ ଯେ ସେ କେଉଁ ଆଧାରରେ ଲୋକମାନଙ୍କ ନ୍ୟାୟ କରିବେ । ସେ ଏହା ଦେଖିବେ ଯେ ଲୋକମାନେ ଖୁସିଖବର ଶୁଣିବା ପରେ କʼଣ କରିଛନ୍ତି ଏବଂ ତାଙ୍କ ଅଭିଷିକ୍ତ ଭାଇମାନଙ୍କ ସହଯୋଗ କରିଛନ୍ତି ନା ନାହିଁ । (ମାଥି. ୨୫:୩୧-୪୬) ଯୀଶୁ ମେଷଗୁଡ଼ିକୁ ଛାଗଗୁଡ଼ିକଠାରୁ କେବେ ଅଲଗା କରିବେ ? ସେ “ମହାକ୍ଲେଶ” ସମୟରେ ହର୍ମିଗିଦ୍ଦୋନ୍‌ର ଠିକ୍‌ ପୂର୍ବେ ଏପରି କରିବେ । (ମାଥି. ୨୪:୨୧) ଯେପରି ଜଣେ ପ୍ରତିପାଳକ ମେଷଗୁଡ଼ିକୁ ଛାଗଗୁଡ଼ିକରୁ ଅଲଗା କରେ, ଠିକ୍‌ ସେହିଭଳି ଯୀଶୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରୁଥିବା ଲୋକମାନଙ୍କୁ ସେହି ଲୋକମାନଙ୍କଠାରୁ ଅଲଗା କରିବେ, ଯେଉଁମାନେ ତାଙ୍କ ଭାଇମାନଙ୍କୁ ସହଯୋଗ କଲେ ନାହିଁ ।

୪. ଆମେ କାହିଁକି ଭରସା ରଖିପାରିବା ଯେ ଯୀଶୁ ଲୋକମାନଙ୍କର ସଠିକ୍‌ ନ୍ୟାୟ କରିବେ ? (ଯିଶାଇୟ ୧୧:୩, ୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

୪ ବାଇବଲରେ କୁହାଯାଇଛି ଯେ ଯିହୋବା ଯୀଶୁଙ୍କୁ ନ୍ୟାୟୀ ନିଯୁକ୍ତ କରିଛନ୍ତି ଏବଂ ସେ ସଠିକ୍‌ ନ୍ୟାୟ କରିବେ । (ଯିଶାଇୟ ୧୧:୩, ୪ ପଢ଼ନ୍ତୁ ।) ସେ ଲୋକମାନଙ୍କ ବ୍ୟବହାର, ଚିନ୍ତାଧାରା ଓ ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ଏବଂ ଏ କଥା ଉପରେ ବି ଯେ ସେମାନେ ଅଭିଷିକ୍ତ ଭାଇମାନଙ୍କ ସହ କିପରି ବ୍ୟବହାର କରନ୍ତି । (ମାଥି. ୧୨:୩୬, ୩୭; ୨୫:୪୦) ଯୀଶୁଙ୍କୁ ଏବିଷୟରେ ଜଣାଥିବ ଯେ କିଏ ତାଙ୍କ ଅଭିଷିକ୍ତ ଭାଇମାନଙ୍କୁ ସହଯୋଗ କରିଛନ୍ତି ଏବଂ ତାଙ୍କ କାମରେ ସାହାଯ୍ୟ କରିଛନ୍ତି ।a ଆମେ କିପରି ତାଙ୍କ କାମରେ ସାହାଯ୍ୟ କରିପାରିବା ? ଗୋଟିଏ ବିଶେଷ ଉପାୟ ହେଉଛି, ପ୍ରଚାର କାମରେ ସେମାନଙ୍କୁ ସହଯୋଗ କରି । ଯେଉଁମାନେ ତାଙ୍କର ସହଯୋଗ କରିବେ, ସେମାନେ “ଧାର୍ମିକ” ଗଣିତ ହେବେ ଏବଂ ସେମାନଙ୍କ ପାଇଁ “ଅନନ୍ତ ଜୀବନ” ପାଇବାର ସୁଯୋଗ ଥିବ । (ମାଥି. ୨୫:୪୬; ପ୍ରକା. ୭:୧୬, ୧୭) ସତରେ ସେମାନଙ୍କୁ ବହୁତ ବଡ଼ ପୁରସ୍କାର ମିଳିବ ! ଆଉ ଯଦି ସେମାନେ ମହାକ୍ଳେଶରେ ଏବଂ ତାʼପରେ ବି ବିଶ୍ୱସ୍ତ ରହିବେ, ତାହେଲେ ସେମାନଙ୍କ ନାମ “ଜୀବନ ପୁସ୍ତକରେ” ସବୁଦିନ ପାଇଁ ଲେଖି ଦିଆଯିବ ।—ପ୍ରକା. ୨୦:୧୫.

ଯୀଶୁ ପୃଥିବୀ ଉପରେ ଗୋଟିଏ ସିଂହାସନରେ ବସିଛନ୍ତି ଏବଂ ଦୁଇଟି ଭିନ୍ନ ଭିନ୍ନ ସମୂହର ଲୋକମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି । ଚିତ୍ରଗୁଡ଼ିକ: ଭାଇଭଉଣୀମାନେ ଯିହୋବାଙ୍କ ଉପାସନା କରୁଛନ୍ତି । ୧. ଜଣେ ଭଉଣୀ ଟ୍ୟାବଲେଟ ଧରିଛନ୍ତି ଏବଂ ଆକାଶକୁ ଦେଖୁଛନ୍ତି । ୨. ଜଣେ ସ୍ୱାମୀ ସ୍ତ୍ରୀ ବାଇବଲ ପଢ଼ୁଛନ୍ତି । ୩. ଭାଇଭଉଣୀ ସଂଗଠନର ଗୋଟିଏ ବିଲ୍‌ଡିଙ୍ଗ ତିଆରି କରିବାରେ ସାହାଯ୍ୟ କରୁଛନ୍ତି । ୪. ଜଣେ ଭାଇ ଜେଲରେ ଅଛନ୍ତି ଓ ପ୍ରାର୍ଥନା କରୁଛନ୍ତି । ୫. ଜଣେ ବୃଦ୍ଧା ଭଉଣୀ ସଭାରେ ଉତ୍ତର ଦେଉଛନ୍ତି । ୬. ଜଣେ ଭଉଣୀ ହସ୍ପିଟାଲରେ ଅଛନ୍ତି ଏବଂ ଜଣେ ନର୍ସକୁ ଟ୍ରାକ୍ଟ ଦେଉଛନ୍ତି । ୭. ଜଣେ ବାପା ନିଜ ପରିବାର ସହ ଅଧ୍ୟୟନ କରୁଛନ୍ତି । ଚିତ୍ରଗୁଡ଼ିକ: ଲୋକମାନେ ବାଇବଲ ସିଦ୍ଧାନ୍ତ ଅନୁସାରେ ବଞ୍ଚୁ ନାହାନ୍ତି । ୧. ଜଣେ ଲୋକ ଜୁଆ ଖେଳୁଛି ଓ ପ୍ରାର୍ଥନା କରୁଛି । ୨. ଜଣେ ଲୋକ ଜଣେ ସ୍ତ୍ରୀଙ୍କୁ ପିଟୁଛି । ୩. ଲୋକମାନେ ରାଗି ଯାଇ ଆନ୍ଦୋଳନ କରୁଛନ୍ତି । ୪. ଜଣେ ବ୍ୟକ୍ତି ପାଖରେ ବନ୍ଧୁକ ଅଛି ଏବଂ ପାର୍କିଂ ଜାଗାରେ ଜଣେ ସ୍ତ୍ରୀଙ୍କ ପିଛା କରୁଛି । ୫. ଜଣେ ପାଦରି ସୈନିକମାନଙ୍କ ପାଇଁ ପ୍ରାର୍ଥନା କରୁଛି । ୬. ଜଣେ ସ୍ତ୍ରୀ ଡ୍ରଗସ୍‌ ନେଉଛି ।

ଭବିଷ୍ୟତରେ ଯୀଶୁ ଲୋକମାନଙ୍କର ନ୍ୟାୟ କରିବେ ଏବଂ ନିଷ୍ପତ୍ତି ନେବେ ଯେ ସେମାନେ ମେଷ ଭଳି ଅଟନ୍ତି ନା ଛାଗ ଭଳି (ପାରାଗ୍ରାଫ ୪)


୫. ମେଷ ଓ ଛାଗଗୁଡ଼ିକର ଉଦାହରଣରୁ କʼଣ ଶିକ୍ଷା ମିଳେ ଏବଂ ଏଥିରୁ କାହାକୁ ଲାଭ ହେବ ?

୫ ପ୍ରମାଣିତ କରନ୍ତୁ ଯେ ଆପଣ ବିଶ୍ୱସ୍ତ ଅଟନ୍ତି । ମେଷ ଓ ଛାଗଗୁଡ଼ିକର ଉଦାହରଣରୁ ଯେଉଁ ଶିକ୍ଷା ମିଳେ ତାହା ବିଶେଷ କରି ସେମାନଙ୍କ ପାଇଁ ଅଟେ ଯେଉଁମାନଙ୍କୁ ପୃଥିବୀରେ ଅନନ୍ତ ଜୀବନ ବଞ୍ଚିବାର ଆଶା ଅଛି । ସେମାନେ ପ୍ରଚାର କାମରେ ଖ୍ରୀଷ୍ଟଙ୍କ ଭାଇମାନଙ୍କ ସହଯୋଗ କରିବା ସହିତ ସେମାନଙ୍କ ତରଫରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମଧ୍ୟ ମାନିବା ଉଚିତ୍‌ । ଏପରି କରି ସେମାନେ ଦେଖାଇପାରିବେ ଯେ ସେମାନେ ବିଶ୍ୱସ୍ତ ଅଟନ୍ତି । (ମାଥି. ୨୪:୪୫) କିନ୍ତୁ ଯେଉଁମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଅଛି ସେମାନଙ୍କ ପାଇଁ ଏହି ଉଦାହରଣରେ ଗୋଟିଏ ଜରୁରୀ ଶିକ୍ଷା ଅଛି ଏବଂ ଚେତାବନୀ ମଧ୍ୟ ଅଛି । ତାହା କʼଣ ? ଯେପରି ଆମେ ଦେଖିଥିଲୁ, ଯୀଶୁ ଲୋକମାନଙ୍କ ବ୍ୟବହାର, ଚିନ୍ତାଧାରା ଓ ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି, ତେଣୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ପ୍ରମାଣିତ କରିବାକୁ ପଡ଼ିବ ଯେ ସେମାନେ ବିଶ୍ୱସ୍ତ ଅଟନ୍ତି । ମେଷ ଓ ଛାଗଗୁଡ଼ିକର ଉଦାହରଣ ଛଡ଼ା ଯୀଶୁ ଆହୁରି ଦୁଇଟି ଉଦାହରଣ ଦେଲେ, ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଚେତାବନୀ ଅଛି । ଏହି ଉଦାହରଣଗୁଡ଼ିକ ମଧ୍ୟ ମାଥିଉ ୨୫ ଅଧ୍ୟାୟରେ ଦିଆଯାଇଛି । ଆସନ୍ତୁ ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ।

ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କ ଉଦାହରଣ

୬. ପାଞ୍ଚଜଣ କନ୍ୟାମାନେ ନିଜକୁ ସୁବୁଦ୍ଧି କିପରି ପ୍ରମାଣିତ କଲେ ? (ମାଥି. ୨୫:୬-୧୦)

୬ କନ୍ୟାମାନଙ୍କ ଉଦାହରଣରେ ଯୀଶୁ କହିଲେ ଯେ ଦଶଜଣ କନ୍ୟା ବରଙ୍କୁ ଭେଟିବା ପାଇଁ ଯାʼନ୍ତି । (ମାଥି. ୨୫:୧-୪) ସେମାନେ ବରଙ୍କ ସହ ବିବାହ ଭୋଜିରେ ଯିବା ପାଇଁ ଚାହୁଁଥିଲେ । ଯୀଶୁ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ “ସୁବୁଦ୍ଧି” ଓ ଅନ୍ୟ ପାଞ୍ଚଜଣଙ୍କୁ “ନିର୍ବୁଦ୍ଧି” କହିଲେ । ସୁବୁଦ୍ଧି କନ୍ୟାମାନେ ପୂରା ପ୍ରସ୍ତୁତି କରି ଆସିଥିଲେ ଓ ସେମାନେ ସତର୍କ ବି ଥିଲେ । ସେମାନେ ବରଙ୍କ ନ ଆସିବା ଯାଏ, ଏପରିକି ଅଧରାତି ପର୍ଯ୍ୟନ୍ତ ବି ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲେ । ସେଥିପାଇଁ ସେମାନେ ନିଜ ସାଙ୍ଗରେ ଦୀପ ଆଣିଥିଲେ ଓ ଦୀପ ଜଳାଇ ରଖିବା ପାଇଁ ପାତ୍ରରେ ତେଲ ବି ଆଣିଥିଲେ । (ମାଥିଉ ୨୫:୬-୧୦ ପଢ଼ନ୍ତୁ ।) ତାʼପରେ ଯେବେ ବର ଆସିଲେ, ତେବେ ସେହି ସୁବୁଦ୍ଧି କନ୍ୟାମାନେ ବିବାହ ଭୋଜି ପାଇଁ ତାଙ୍କ ସାଙ୍ଗରେ ଭିତରକୁ ଚାଲିଗଲେ । ଏହି କନ୍ୟାମାନଙ୍କ ଭଳି ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ଆସିବା ଯାଏ ଜାଗ୍ରତ ଥିବେ ଓ ବିଶ୍ୱସ୍ତ ହୋଇ ରହିବେ, ସେମାନଙ୍କୁ ବର ଅର୍ଥାତ୍‌ ଯୀଶୁ ନିଜ ସହ ସ୍ୱର୍ଗକୁ ନେଇଯିବେ, ଯେଉଁଠାରେ ସେମାନେ ଶାସନ କରିବେ ।b (ପ୍ରକା. ୭:୧-୩) କିନ୍ତୁ ଅନ୍ୟ ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନଙ୍କ ସହ କʼଣ ହୁଏ ?

୭. ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନଙ୍କ ସହ କʼଣ ହୁଏ ଓ କାହିଁକି ?

୭ ଯେବେ ବରଙ୍କ ଆସିବାର ସମୟ ହୋଇଯାଇଥିଲା ତେବେ ପାଞ୍ଚଜଣ ନିର୍ବୁଦ୍ଧି କନ୍ୟାମାନେ ପ୍ରସ୍ତୁତ ନ ଥିଲେ । ସେମାନଙ୍କ ଦୀପ ଲିଭିବାକୁ ଲାଗିଥିଲା ଆଉ ତାହାକୁ ଜଳାଇ ରଖିବା ପାଇଁ ତାଙ୍କ ପାଖରେ ତେଲ ବି ନ ଥିଲା, ତେଣୁ ସେମାନେ ତେଲ କିଣିବା ପାଇଁ ଚାଲିଗଲେ । ଆଉ ଏହି ସମୟ ମଧ୍ୟରେ ବର ଆସିଗଲେ ଆଉ ‘ଯେଉଁ କନ୍ୟାମାନେ ପ୍ରସ୍ତୁତ ଥିଲେ, ସେମାନେ ତାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା ।’ (ମାଥି. ୨୫:୧୦) ଯେତେବେଳେ ନିର୍ବୁଦ୍ଧି କନ୍ୟାମାନେ ଫେରିଲେ, ସେତେବେଳେ ସେମାନେ ବି ଭିତରକୁ ଯିବା ପାଇଁ ଚାହୁଁଥିଲେ । କିନ୍ତୁ ବର ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ।” (ମାଥି. ୨୫:୧୧, ୧୨) ସେହି ପାଞ୍ଚଜଣ କନ୍ୟାମାନେ ପୂରା ପ୍ରସ୍ତୁତ ହୋଇ ଆସି ନ ଥିଲେ, ସେଥିପାଇଁ ସେମାନେ ବର ଆସିବା ଯାଏ ଅପେକ୍ଷା କରିପାରିଲେ ନାହିଁ । ଏଥିରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ?

୮-୯. କନ୍ୟାମାନଙ୍କ ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୮ ପ୍ରମାଣିତ କରନ୍ତୁ ଯେ ଆପଣ ପ୍ରସ୍ତୁତ ଓ ସତର୍କ ଅଛନ୍ତି । କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ ଏହା ଭବିଷ୍ୟତବାଣୀ କରୁ ନ ଥିଲେ ଯେ ଯେବେ ସେ ମହାକ୍ଳେଶ ପୂର୍ବରୁ ଆସିବେ, ତେବେ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନ ପ୍ରସ୍ତୁତ ରହିବେ ଆଉ କିଛି ପ୍ରସ୍ତୁତ ରହିବେ ନାହିଁ । ଏହା ପରିବର୍ତ୍ତେ ସେ ବୁଝାଇବା ପାଇଁ ଚାହୁଁଥିଲେ ଯେ ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନ ତାଙ୍କ ଆସିବା ଯାଏ ଅପେକ୍ଷା କରନ୍ତି ନାହିଁ ଓ ବିଶ୍ୱସ୍ତ ରହନ୍ତି ନାହିଁ, ତେବେ ତାଙ୍କ ସହ କʼଣ ହେବ । ତାଙ୍କୁ ସ୍ୱର୍ଗରେ ପୁରସ୍କାର ମିଳିବ ନାହିଁ । (ଯୋହ. ୧୪:୩, ୪) ସତରେ ଏହା ବହୁତ ଗମ୍ଭୀର କଥା ଅଟେ ! ଯଦିଓ ଆମକୁ ସ୍ୱର୍ଗରେ କିମ୍ବା ପୃଥିବୀରେ ବଞ୍ଚିବାର ଆଶା ଅଛି, ତଥାପି ଆମ ସମସ୍ତଙ୍କୁ ଏହି ଉଦାହରଣରେ ଦିଆଯାଇଥିବା ଚେତାବନୀ ଉପରେ ଧ୍ୟାନ ଦେବା ଉଚିତ୍‌ । ଆମ ପ୍ରତ୍ୟେକଙ୍କୁ ଜାଗ୍ରତ ରହିବାର ଅଛି ଅର୍ଥାତ୍‌ ପ୍ରସ୍ତୁତ ରହିବାର ଅଛି ଓ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର ଅଛି ।—ମାଥି. ୨୪:୧୩.

୯ କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ କହୁଥିଲେ ଯେ ଆମ ପାଇଁ ସତର୍କ ରହିବା ଓ ପ୍ରସ୍ତୁତ ରହିବା ବହୁତ ଜରୁରୀ । ଏହା ପରେ ଯୀଶୁ ତୋଡ଼ାର ଉଦାହରଣ ଦିଅନ୍ତି । ଏହି ଉଦାହରଣରୁ ସେ ଆମକୁ ଶିଖାଇବା ପାଇଁ ଚାହାନ୍ତି ଯେ ଆମକୁ ପରିଶ୍ରମୀ ହେବା ଉଚିତ୍‌ ।

ଜଣେ ଭାଇ ଟିଭିରେ ଖବରଗୁଡ଼ିକ ଦେଖୁଛନ୍ତି ଏବଂ ଭାବୁଛନ୍ତି ଯେ ବାଇବଲରେ ଯାହା ଲେଖା ହୋଇଛି ସେମିତି ହିଁ ହେଉଛି । ଗୋଟିଏ ଛୋଟ ଚିତ୍ରରେ ଦଶଜଣ କନ୍ୟାମାନଙ୍କ ଚିତ୍ର ଦିଆଯାଇଛି, ଯେଉଁମାନଙ୍କ ବିଷୟରେ ଯୀଶୁ ଉଦାହରଣ ଦେଇଥିଲେ ।

ଆମ ସମସ୍ତଙ୍କୁ କନ୍ୟାମାନଙ୍କ ଉଦାହରଣରେ ଦିଆଯାଇଥିବା ଚେତାବନୀ ଉପରେ ଧ୍ୟାନ ଦେବା ଉଚିତ୍‌ । ଆମକୁ ସତର୍କ ଓ ପ୍ରସ୍ତୁତ ରହିବା ଉଚିତ୍‌ ଏବଂ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା ଉଚିତ୍‌ (ପାରାଗ୍ରାଫ ୮-୯)


ତୋଡ଼ାର ଉଦାହରଣ

୧୦. ଦୁଇଜଣ ଦାସ କିପରି ପ୍ରମାଣିତ କଲେ ଯେ ସେମାନେ ନିଜ ମାଲିକର ବିଶ୍ୱସ୍ତ ଅଟନ୍ତି ? (ମାଥିଉ ୨୫:୧୯-୨୩)

୧୦ ତୋଡ଼ାର ଉଦାହରଣରେ ଯୀଶୁ ତିନିଜଣ ଦାସ ବିଷୟରେ କହନ୍ତି । ସେମାନଙ୍କ ମାଲିକ ବିଦେଶ ଯିବା ପୂର୍ବରୁ ସେହି ତିନିଜଣଙ୍କୁ ଡାକି କିଛି ତୋଡ଼ା ଦିଅନ୍ତି । ସେସମୟରେ ତୋଡ଼ାର ମୂଲ୍ୟ ବହୁତ ଅଧିକ ଥିଲା । ସେହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଦାସ ନିଜ ମାଲିକଙ୍କ ବିଶ୍ୱସ୍ତ ପ୍ରମାଣିତ ହୁଅନ୍ତି, କିନ୍ତୁ ଜଣେ ନୁହେଁ । (ମାଥି. ୨୫:୧୪-୧୮) ବିଶ୍ୱସ୍ତ ଦାସ କଠିନ ପରିଶ୍ରମ କରି ନିଜ ମାଲିକ ପାଇଁ ବହୁତ ଟଙ୍କା ରୋଜଗାର କରନ୍ତି । ଯେବେ ମାଲିକ ଫେରନ୍ତି, ତେବେ ଦେଖନ୍ତି ଯେ ସେହି ଦୁଇଜଣ ଦାସଙ୍କୁ ସେ ଯେଉଁ ପଇସା ଦେଇଥିଲେ ସେମାନେ ତାʼର ଦୁଇଗୁଣ ପଇସା ରୋଜଗାର କରନ୍ତି । ମାଲିକ ସେହି ଦୁଇଜଣଙ୍କୁ ପ୍ରଶଂସା କରନ୍ତି ଏବଂ କହନ୍ତି, ‘ତୁମ୍ଭେ ଆପଣା ମାଲିକର ଆନନ୍ଦର ସହଭାଗୀ ହୁଅ ।’ (ମାଥିଉ ୨୫:୧୯-୨୩ ପଢ଼ନ୍ତୁ ।) କିନ୍ତୁ ତୃତୀୟ ଦାସ ପାଖରେ ଯେଉଁ ପଇସା ଥିଲା, ସେ ତାହାର କʼଣ କରେ ?

୧୧. ମାଲିକ “ଅଳସ” ଦାସ ସହ କʼଣ କରନ୍ତି ଓ କାହିଁକି ?

୧୧ ତୃତୀୟ ଦାସକୁ ମାଲିକ ଗୋଟିଏ ତୋଡ଼ା ଦେଇଥିଲେ । କିନ୍ତୁ ସେହି ଦାସ ବହୁତ “ଅଳସ” ଥିଲା । ମାଲିକ ଚାହୁଁଥିଲେ ଯେ ସେ ସେହି ପଇସାରୁ ଆହୁରି ଅଧିକ ରୋଜଗାର କରୁ । କିନ୍ତୁ ଏପରି କରିବା ପରିବର୍ତ୍ତେ ସେ ସେହି ପଇସାକୁ ମାଟିରେ ପୋତି ଦିଏ । ଯେବେ ମାଲିକ ବିଦେଶରୁ ଫେରନ୍ତି, ତେବେ ସେ ଦେଖନ୍ତି ଯେ ସେହି ଦାସ କୌଣସି ପଇସା ରୋଜଗାର କରିନି । ତାʼସହ ତାʼ ବ୍ୟବହାର ବି ଠିକ୍‌ ନ ଥିଲା । ସେ ନିଜ ମାଲିକକୁ କ୍ଷମା ମାଗିବା ପରିବର୍ତ୍ତେ ତାଙ୍କୁ ଦୋଷ ଦେବାକୁ ଲାଗିଲା ଆଉ କହିଲା, ମୁଁ ଜାଣିଛି “ଆପଣ ଯେ ଜଣେ କଠିନ ଲୋକ ।” ଏହା ଶୁଣି ମାଲିକ ବହୁତ ରାଗିଯାʼନ୍ତି । ସେ ତାʼଠାରୁ ନିଜ ପଇସା ନେଇଯାʼନ୍ତି ଆଉ ତାକୁ ଘରୁ ବାହାରେ ପକାଇ ଦିଅନ୍ତି ।—ମାଥି. ୨୫:୨୪, ୨୬-୩୦.

୧୨. ଆଜି କେଉଁମାନେ ସେହି ଦୁଇଜଣ ପରିଶ୍ରମୀ ଦାସ ଭଳି ଅଟନ୍ତି ?

୧୨ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସେହି ଦୁଇଜଣ ପରିଶ୍ରମୀ ଦାସ ଭଳି ଅଟନ୍ତି । ସେମାନଙ୍କ ମାଲିକ ଯୀଶୁ ସେମାନଙ୍କୁ କହନ୍ତି, ‘ତୁମ୍ଭେ ଆପଣା ମାଲିକର ଆନନ୍ଦର ସହଭାଗୀ ହୁଅ ।’ ସେ ସେମାନଙ୍କୁ ପୁରସ୍କାର ଦିଅନ୍ତି ଅର୍ଥାତ୍‌ ସେମାନଙ୍କୁ ମୃତ ଲୋକମାନଙ୍କ ମଧ୍ୟରୁ ସବୁଠୁ ପ୍ରଥମେ ଜୀବିତ କରନ୍ତି । (ମାଥି. ୨୫:୨୧, ୨୩; ପ୍ରକା. ୨୦:୫ଖ) କିନ୍ତୁ ଯୀଶୁ ଏହି ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଗୋଟିଏ ଚେତାବନୀ ବି ଦେଉଥିଲେ । ସେ ଏହା ଚାହୁଁ ନ ଥିଲେ ଯେ ସେମାନେ ଅଳସ ଦାସ ଭଳି ହୁଅନ୍ତୁ । ତାହେଲେ ସେମାନଙ୍କୁ କʼଣ କରିବାର ଥିଲା ?

୧୩-୧୪. ତୋଡ଼ାର ଉଦାହରଣରୁ ଅଭିଷିକ୍ତ ଖ୍ରୀଷ୍ଟିୟାନ କʼଣ ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ପ୍ରମାଣିତ କରନ୍ତୁ ଯେ ଆପଣ ପରିଶ୍ରମୀ ଅଟନ୍ତି ଓ ମନପ୍ରାଣ ଦେଇ ସେବା କରନ୍ତି । କନ୍ୟାମାନଙ୍କ ଉଦାହରଣ ଭଳି ତୋଡ଼ାର ବି ଉଦାହରଣ ଦେଇ ଯୀଶୁ ଏହା ଭବିଷ୍ୟତବାଣୀ କରୁ ନ ଥିଲେ ଯେ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଳସ ହୋଇଯିବେ । ଏହା ପରିବର୍ତ୍ତେ ସେ ଏହା ବୁଝାଇବା ପାଇଁ ଚାହୁଁଥିଲେ ଯେ ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କ ଉତ୍ସାହ କମ୍‌ ହୋଇଯାଏ, ତାହେଲେ ତାଙ୍କ ସହ କʼଣ ହୋଇପାରେ । ତାଙ୍କୁ ଯେଉଁ “ଆହ୍ୱାନ” ଦିଆଯାଇଛି ଏବଂ “ମନୋନୟନ” କରାଯାଇଛି, ସେ ତାହାର ଯୋଗ୍ୟ ରହିବେ ନାହିଁ ଏବଂ ସେ ସେହି ସ୍ୱର୍ଗୀୟ ରାଜ୍ୟରେ ଯାଇପାରିବେ ନାହିଁ ।—୨ ପିତ. ୧:୧୦.

୧୪ କନ୍ୟାମାନଙ୍କ ଉଦାହରଣ ଦେଇ ଯୀଶୁ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କହୁଥିଲେ ଯେ ସେମାନଙ୍କୁ ସତର୍କ ଓ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ । ଆଉ ତୋଡ଼ାର ଉଦାହରଣ ଦେଇ ସେ କହିଲେ ଯେ ସେମାନଙ୍କୁ ମନପ୍ରାଣ ଦେଇ ସେବା କରିବାକୁ ପଡ଼ିବ । ଏହି ଉଦାହରଣଗୁଡ଼ିକ ଛଡ଼ା ଯୀଶୁ ଆଉ କିଛି ବି କହିଲେ ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଗୋଟିଏ ଚେତାବନୀ ଅଛି । ସେ ମାଥିଉ ୨୪:୪୦, ୪୧ ପଦରେ କହିଲେ ଯେ ଯେବେ ସେମାନଙ୍କର ନ୍ୟାୟ କରାଯିବ ଏବଂ ସେମାନଙ୍କୁ ମୁଦ୍ରାଙ୍କିତ କରାଯିବ, ତେବେ କʼଣ ହେବ ?

ଜଣେ ଅଭିଷିକ୍ତ ଭଉଣୀ ଜଣେ ଝିଅର ବାଇବଲ ଅଧ୍ୟୟନ କରାଉଛନ୍ତି । ଗୋଟିଏ ଛୋଟ ଚିତ୍ରରେ ଜଣେ ମାଲିକ ଓ ଦାସମାନଙ୍କୁ ଦେଖାଇଦିଆଯାଇଛି, ଯେଉଁମାନଙ୍କ ବିଷୟରେ ଯୀଶୁ ତୋଡ଼ାର ଉଦାହରଣରେ କହିଥିଲେ ।

ଯୀଶୁ ଚାହାନ୍ତି ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ତାଙ୍କ ଆସିବା ଯାଏ ମନପ୍ରାଣ ଦେଇ ସେବା କରନ୍ତୁ (ପାରାଗ୍ରାଫ ୧୩-୧୪)d


କେଉଁମାନଙ୍କୁ “ଗ୍ରହଣ କରାଯିବ” ?

୧୫-୧୬. ମାଥିଉ ୨୪:୪୦, ୪୧ ପଦରୁ କିପରି ଜଣାପଡ଼େ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଜାଗ୍ରତ ରହିବା ଦରକାର ?

୧୫ ଏହି ତିନୋଟି ଉଦାହରଣ ଦେବା ପୂର୍ବେ ଯୀଶୁ କହିଥିଲେ ଯେ ଯେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ନ୍ୟାୟ କରାଯିବ ଏବଂ ସେମାନଙ୍କୁ ମୁଦ୍ରାଙ୍କିତ କରାଯିବ, ସେସମୟରେ ଏହା ସ୍ପଷ୍ଟ ଜଣାପଡ଼ିବ ଯେ କାହା ଉପରେ ଯୀଶୁଙ୍କ ମଞ୍ଜୁରି ଅଛି । ସେ କହିଥିଲେ ଯେ ଦୁଇଜଣ ଲୋକ କ୍ଷେତରେ କାମ କରୁଥିବେ ଏବଂ ଦୁଇଜଣ ସ୍ତ୍ରୀ ଚକି ପେଷୁଥିବେ । ସେମାନଙ୍କୁ ଦେଖିଲେ ଏପରି ଲାଗିପାରେ ଯେ ସେମାନେ ଏକାଭଳି କାମ କରୁଛନ୍ତି । କିନ୍ତୁ ଯୀଶୁ କହିଲେ ଯେ “ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ ।” (ମାଥିଉ ୨୪:୪୦, ୪୧ ପଢ଼ନ୍ତୁ ।) ତାʼପରେ ସେ ନିଜ ଶିଷ୍ୟମାନଙ୍କୁ କହନ୍ତି, “ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ ।” (ମାଥି. ୨୪:୪୨) ଯୀଶୁ କନ୍ୟାମାନଙ୍କ ଉଦାହରଣ ଦେବା ପରେ ମଧ୍ୟ ଏପରି ହିଁ କିଛି କହିଥିଲେ । (ମାଥି. ୨୫:୧୩) ତାହେଲେ କʼଣ ଏହି ଦୁଇଟି ଉଦାହରଣ ମଧ୍ୟରେ କିଛି ସମ୍ପର୍କ ଅଛି ? ହୁଏତ ଥାଇପାରେ ? ଆଉ ଏଥିରୁ ଜଣାପଡ଼େ ଯେ ଯେଉଁ ଖ୍ରୀଷ୍ଟିୟାନ ସତରେ ଅଭିଷିକ୍ତ ଅଟନ୍ତି ଏବଂ ଯିଏ ବିଶ୍ୱସ୍ତ ରହିବେ, ଯୀଶୁ ସେମାନଙ୍କୁ ନିଜ ସହିତ ସ୍ୱର୍ଗକୁ “ଘେନି” ନେବେ, ଯେଉଁଠାରେ ସେମାନେ ତାଙ୍କ ସହିତ ମିଶି ଶାସନ କରିବେ ।—ଯୋହ. ୧୪:୩.

୧୬ ପ୍ରମାଣିତ କରନ୍ତୁ ଯେ ଆପଣ ଜାଗ୍ରତ ଅଛନ୍ତି । ଯଦି ଜଣେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଜାଗ୍ରତ ରହନ୍ତି ନାହିଁ, ତେବେ ତାଙ୍କୁ “ମନୋନୀତ” ଲୋକମାନଙ୍କ ସହିତ ଏକାଠି କରାଯିବ ନାହିଁ । (ମାଥି. ୨୪:୩୧) ଏହି କଥା ଯିହୋବାଙ୍କ ସେସମସ୍ତ ସେବକଙ୍କ ଉପରେ ବି ଲାଗୁ ହୁଏ, ଯେଉଁମାନଙ୍କୁ ଏହି ପୃଥିବୀରେ ବଞ୍ଚିବାର ଆଶା ଅଛି । ସେମାନଙ୍କୁ ବି ଯୀଶୁଙ୍କ ଚେତାବନୀ ଉପରେ ଧ୍ୟାନ ଦେବାକୁ ପଡ଼ିବ । ସେମାନଙ୍କୁ ଜାଗ୍ରତ ଏବଂ ବିଶ୍ୱସ୍ତ ରହିବାକୁ ପଡ଼ିବ ।

୧୭. ଯଦି ଯିହୋବା ବର୍ତ୍ତମାନ ସମୟରେ କାହାରିକୁ ଅଭିଷେକ କରନ୍ତି, ତାହେଲେ ଆମକୁ କାହିଁକି ଚିନ୍ତିତ ହେବା ଉଚିତ୍‌ ନୁହେଁ ?

୧୭ ଆମେ ଯିହୋବାଙ୍କୁ ଭଲଭାବରେ ଜାଣିଛୁ, ତେଣୁ ଆମକୁ ପୂରା ଭରସା ଅଛି ଯେ ଯିହୋବା ଯାହା ବି କରିବେ ତାହା ପୂରାପୂରି ଠିକ୍‌ ଥିବ । ସେଥିପାଇଁ ଆମେ ଏହା ଭାବି ଚିନ୍ତା କରି ନ ଥାଉ ଯେ ଯିହୋବା ବର୍ତ୍ତମାନ ସମୟରେ କିଛି ବିଶ୍ୱସ୍ତ ଲୋକମାନଙ୍କୁ ପବିତ୍ର ଶକ୍ତିରୁ ଅଭିଷେକ କରିଛନ୍ତି ଏବଂ ସେମାନଙ୍କୁ ସ୍ୱର୍ଗ ଯିବା ପାଇଁ ବାଛିଛନ୍ତି ।c ଆମେ ଯୀଶୁଙ୍କ ସେହି ଉଦାହରଣ ମନେ ରଖୁ, ଯେଉଁଥିରେ ସେ କହିଥିଲେ ଯେ କିଛି ଶ୍ରମିକଙ୍କୁ ୧୧ ତମ ଘଟିକାରେ ଅଙ୍ଗୁର ବଗିଚାରେ କାମ କରିବା ପାଇଁ ଡକା ଯାଇଥିଲା । (ମାଥି. ୨୦:୧-୧୬) କିନ୍ତୁ ସେହି ଶ୍ରମିକମାନଙ୍କୁ ସେତିକି ହିଁ ମଜୁରି ମିଳେ ଯେତିକି ଦିନସାରା କାମ କରୁଥିବା ଶ୍ରମିକମାନଙ୍କୁ ଦିଆଯାଏ । ଠିକ୍‌ ସେହିଭଳି, ଜଣେ ଖ୍ରୀଷ୍ଟିୟାନଙ୍କୁ କେବେ ଅଭିଷେକ କରାଗଲା ତାହା ମହତ୍ତ୍ୱ ରଖେନି, ବରଂ ଯଦି ସେ ବିଶ୍ୱସ୍ତ ରହନ୍ତି ତାହେଲେ ତାଙ୍କୁ ମଧ୍ୟ ଅନ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଭଳି ସ୍ୱର୍ଗରେ ବଞ୍ଚିବାର ସୁଯୋଗ ମିଳିବ ।

ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ

୧୮-୧୯. ଆମେ ଯେଉଁ ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦେଲୁ, ସେଥିରୁ ଆମେ କʼଣ ଶିଖିଲୁ ଏବଂ ସେଥିରେ ଆମ ପାଇଁ କʼଣ ଚେତାବନୀ ଦିଆଯାଇଛି ?

୧୮ ଆମେ ଏହି ଲେଖାରେ କʼଣ ଶିଖିଲୁ ? ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଏହି ପୃଥିବୀରେ ସବୁଦିନ ପାଇଁ ବଞ୍ଚିବାର ଆଶା ଅଛି, ସେମାନେ ମେଷ ଓ ଛାଗଗୁଡ଼ିକର ଉଦାହରଣରୁ ଶିଖନ୍ତି ଯେ ସେମାନଙ୍କୁ ଆଜି ଏବଂ ଯେବେ ମହାକ୍ଳେଶ ଆସିବ ସେସମୟରେ ବି ଯିହୋବାଙ୍କ ବିଶ୍ୱସ୍ତ ରହିବାର ଅଛି । ଯଦି ସେମାନେ ବିଶ୍ୱସ୍ତ ରହନ୍ତି, ତେବେ ହର୍ମିଗିଦ୍ଦୋନ୍‌ ପୂର୍ବେ ଯେବେ ଯୀଶୁ ନ୍ୟାୟ କରିବେ, ତେବେ ସେ ସେମାନଙ୍କୁ ଧାର୍ମିକ ଗଣିତ କରିବେ ଏବଂ “ଅନନ୍ତ ଜୀବନ” ଦେବେ ।—ମାଥି. ୨୫:୪୬.

୧୯ ଆମେ ଆହୁରି ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେଲୁ ଯେଉଁଥିରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଚେତାବନୀ ଥିଲା । ଯୀଶୁ ଦଶଜଣ କନ୍ୟାଙ୍କ ଉଦାହରଣ ଦେଇ କହିଲେ ଯେ ସେମଧ୍ୟରୁ ପାଞ୍ଚଜଣ କନ୍ୟା ସୁବୁଦ୍ଧି ଥିଲେ । ସେମାନେ ସତର୍କ ଥିଲେ ଏବଂ ବର ନ ଆସିବା ଯାଏ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ଥିଲେ । କିନ୍ତୁ ନିର୍ବୁଦ୍ଧି କନ୍ୟାମାନେ ପ୍ରସ୍ତୁତ ନ ଥିଲେ, ତେଣୁ ବର ସେମାନଙ୍କୁ ବିବାହ ଭୋଜିରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । ଏଥିରୁ ଆମେ ଶିଖୁ ଯେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ଏବଂ ଯେବେ ଯାଏ ଯୀଶୁ ଏହି ଦୁନିଆକୁ ବିନାଶ ନ କରନ୍ତି, ସେସମୟ ଯାଏ ଅପେକ୍ଷା କରିବାକୁ ପଡ଼ିବ । ତାʼପରେ ଆମେ ତୋଡ଼ାର ଉଦାହରଣ ଉପରେ ଧ୍ୟାନ ଦେଲୁ, ଯେଉଁଥିରେ କୁହାଯାଇଥିଲା ଯେ ଦୁଇଜଣ ବିଶ୍ୱସ୍ତ ଦାସ ବହୁତ ପରିଶ୍ରମୀ ଥିଲେ ଏବଂ ନିଜ ମାଲିକର କାମ ମନପ୍ରାଣ ଦେଇ କରୁଥିଲେ । ସେମାନଙ୍କ ପରିଶ୍ରମ ଦେଖି ମାଲିକ ବହୁତ ଖୁସି ହୋଇଯାʼନ୍ତି ଏବଂ ସେମାନଙ୍କୁ ପୁରସ୍କାର ଦିଅନ୍ତି । କିନ୍ତୁ ସେ ଅଳସ ଦାସକୁ ବାହାର କରିଦିଅନ୍ତି । ଏଥିରୁ ଆମେ କʼଣ ଶିଖୁ ? ଆମକୁ ବିନାଶ ଆସିବା ଯାଏ ଯିହୋବାଙ୍କ ସେବା କରିବା ଜାରି ରଖିବା ଉଚିତ୍‌ । ଶେଷରେ ଆମେ ଦେଖିଲୁ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଜାଗ୍ରତ ରହିବାକୁ ପଡ଼ିବ । ତେବେ ଯାଇ ଯୀଶୁ ସେମାନଙ୍କୁ ନିଜ ସହିତ ସ୍ୱର୍ଗକୁ “ଘେନି” ନେବେ । ସେମାନେ ସେସମୟକୁ ଆଗ୍ରହର ସହ ଅପେକ୍ଷା କରୁଛନ୍ତି, ଯେବେ ସେମାନେ ଯୀଶୁଙ୍କ ସହିତ ସ୍ୱର୍ଗରେ “ଏକତ୍ର” କରାଯିବେ । ହର୍ମିଗିଦ୍ଦୋନ୍‌ ଯୁଦ୍ଧ ପରେ ଯେବେ ମେଷଶାବକଙ୍କ ଅର୍ଥାତ୍‌ ଯୀଶୁଙ୍କ ବିବାହ ହେବ, ତେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ତାଙ୍କର କନ୍ୟା ହେବେ ।—୨ ଥେସ. ୨:୧; ପ୍ରକା. ୧୯:୭, ୯.

୨୦. ଯେଉଁମାନେ ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି, ଯିହୋବା ସେମାନଙ୍କୁ କʼଣ ପୁରସ୍କାର ଦେବେ ?

୨୦ ସେହି ସମୟ ବହୁତ ନିକଟ ଅଛି, ଯେବେ ଯୀଶୁ ଏହି ଦୁନିଆର ନ୍ୟାୟ କରିବେ । କିନ୍ତୁ ଆମକୁ ଡରିବା ଉଚିତ୍‌ ନୁହେଁ । ଯଦି ଆମେ ବିଶ୍ୱସ୍ତ ରହିବା, ତାହେଲେ ଆମ ପ୍ରେମମୟୀ ପିତା ଯିହୋବା ଆମକୁ ସେହି ଶକ୍ତି ଦେବେ ଯାହା “ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ,” ଯାହାଦ୍ୱାରା ଆମେ “ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ” ହୋଇପାରିବା । (୨ କରି. ୪:୭; ଲୂକ ୨୧:୩୬) ଆମ ଆଶା ସ୍ୱର୍ଗରେ ବଞ୍ଚିବାର ଥାଉ କିମ୍ବା ପୃଥିବୀରେ, ଯଦି ଆମେ ଯୀଶୁଙ୍କ ଉଦାହରଣରେ ଦିଆଯାଇଥିବା ଚେତାବନୀଗୁଡ଼ିକ ଉପରେ ଧ୍ୟାନ ଦେବା, ତେବେ ଆମେ ଯିହୋବାଙ୍କ ହୃଦୟ ଖୁସି କରିବା । ସେ ଆମ ଉପରେ ମହାକୃପା କରିବେ ଏବଂ ଆମ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖା ହୋଇରହିବ ।—ଦାନି. ୧୨:୧; ପ୍ରକା. ୩:୫.

ଏହି ଉଦାହରଣଗୁଡ଼ିକରୁ ଆମେ କʼଣ ଶିଖୁ ?

  • ମେଷ ଓ ଛାଗଗୁଡ଼ିକର ଉଦାହରଣ ।

  • ସୁବୁଦ୍ଧି ଓ ନିର୍ବୁଦ୍ଧି କନ୍ୟାମାନଙ୍କର ଉଦାହରଣ ।

  • ତୋଡ଼ାର ଉଦାହରଣ ।

ଗୀତ ୨୬ ତୁମ୍‌ନେ ମେରେ ଲିଏ କିୟା

a ମେ ୨୦୨୪ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?” ପଢ଼ନ୍ତୁ ।

b ଆହୁରି ଅଧିକ ଜାଣିବା ପାଇଁ ୧୫ ମାର୍ଚ୍ଚ, ୨୦୧୫ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “କ୍ୟା ଆପ୍‌ ‘ଜାଗ୍‌ତେ ରହେଙ୍ଗେ’ ?” ପଢ଼ନ୍ତୁ ।

c ଜାନୁୟାରୀ ୨୦୨୦ ମସିହାର ପ୍ରହରୀଦୁର୍ଗର ପୃଷ୍ଠା ୨୯-୩୦, ପାରା. ୧୧-୧୪ ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଜଣେ ଅଭିଷିକ୍ତ ଭଉଣୀ ଜଣେ ଝିଅ ସହ ଅଧ୍ୟୟନ କରୁଛନ୍ତି, ଯାହାକୁ ସେ ପ୍ରଚାର କରିବା ସମୟରେ ଭେଟିଥିଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ