୧୯୨୪—ଶହେ ବର୍ଷ ପୂର୍ବେ
‘ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ବାପ୍ତିସ୍ମ ପ୍ରାପ୍ତ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଖରେ ଅଧିକରୁ ଅଧିକ ଯିହୋବାଙ୍କ ସେବା କରିବାର ଗୋଟିଏ ବଢ଼ିଆ ସୁଯୋଗ ଅଛି ।’ ଏହି କଥା ଜାନୁୟାରୀ ୧୯୨୪ ମସିହାର ବୁଲେଟିନ୍ରେa ଛପାଯାଇଥିଲା । ବର୍ଷ ଗଡ଼ିବା ସହ ବାଇବଲ ବିଦ୍ୟାର୍ଥୀମାନେ ଦୁଇଟି ଉପାୟରେ ଏହି ପରାମର୍ଶ ମାନିଲେ । ପ୍ରଥମ, ସେମାନେ ସାହସର ସହ ପ୍ରଚାର କଲେ ଓ ଦ୍ୱିତୀୟ, ନୂଆ ନୂଆ ଉପାୟରେ ସେମାନେ ପ୍ରଚାର କଲେ ।
ସାହସର ସହ କାମ କରି ରେଡିଓ ଷ୍ଟେସନ ତିଆରି କଲେ
ନ୍ୟୁୟର୍କ ସିଟିର ଷ୍ଟେଟନ୍ ଆଇଲ୍ୟାଣ୍ଡରେ ଡବ୍ଲ୍ୟୁ.ବି.ବି.ଆର. ରେଡିଓ ଷ୍ଟେସନ ତିଆରି କରାଯାଉଥିଲା । ବୈଥେଲର ଭାଇମାନେ ଗତ ଏକ ବର୍ଷରୁ ଏହି କାମ ପାଇଁ ପରିଶ୍ରମ କରୁଥିଲେ । ଯେଉଁ ଜାଗାରେ ରେଡିଓ ଷ୍ଟେସନ ତିଆରି କରିବାର ଥିଲା, ପ୍ରଥମେ ସେହି ଜାଗାରୁ ଗଛସବୁ କଟାଗଲା ଏବଂ ଏହି ପ୍ରୋଜେକ୍ଟରେ କାମ କରୁଥିବା ଭାଇମାନଙ୍କ ପାଇଁ ଗୋଟିଏ ବଡ଼ ଘର ତିଆରି କରାଗଲା । ତାʼ ସହିତ ରେଡିଓ ଷ୍ଟେସନ ପାଇଁ ଗୋଟିଏ ବିଲ୍ଡିଙ୍ଗ ମଧ୍ୟ ତିଆରି କରାଗଲା । ତାʼପରେ ଭାଇମାନେ ଶୀଘ୍ର ପ୍ରସାରଣ ଆରମ୍ଭ କରିବା ପାଇଁ ଅଲଗା ଅଲଗା ଉପକରଣ ଏକାଠି କରିବାକୁ ଲାଗିଲେ । କିନ୍ତୁ ସେମାନଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଲା ।
ଭାଇମାନଙ୍କ ପାଇଁ ରେଡିଓ ଷ୍ଟେସନର ଆଣ୍ଟେନା ଲଗାଇବା ସବୁଠୁ କଠିନ ଥିଲା । ଏହି ଆଣ୍ଟେନା ୩୦୦ ଫୁଟ (୯୧ ମିଟର) ଲମ୍ବା ଥିଲା । ଭାଇମାନଙ୍କୁ ଏହାକୁ କାଠର ଦୁଇଟି ଖମ୍ବ ମଧ୍ୟରେ ଲଗାଇବାର ଥିଲା, ଯାହାର ଉଚ୍ଚତା ୨୦୦ ଫୁଟ (୬୧ ମିଟର) ଥିଲା । ପ୍ରଥମ ଚେଷ୍ଟାରେ ହିଁ ସେମାନେ ବିଫଳ ହୋଇଗଲେ । କିନ୍ତୁ ସେମାନେ ଯିହୋବାଙ୍କ ଉପରେ ଭରସା ରଖିଲେ ଏବଂ ତାଙ୍କ ଚେଷ୍ଟା ସଫଳ ହେଲା । ଭାଇ କେଲବନ୍ ପ୍ରୋସର, ଯିଏ ଏହି କାମରେ ସାହାଯ୍ୟ କରିଥିଲେ ସେ କହନ୍ତି, “ଯଦି ଆମେ ପ୍ରଥମ ଥରରେ ହିଁ ଏହି କାମ ପୂରା କରି ଦେଇଥାʼନ୍ତୁ ତାହେଲେ ଆମେ ନିଜକୁ ହିଁ ପ୍ରଶଂସା କରିଥାʼନ୍ତୁ ଏବଂ କହିଥାʼନ୍ତୁ, ‘ଆମେ ଏହି କାମ ପୂରା କରିଦେଲୁ ।’” କିନ୍ତୁ ଭାଇମାନେ ଏହି କାମ ପାଇଁ ସବୁ ପ୍ରଶଂସା ଯିହୋବାଙ୍କୁ ଦେଲେ । କିନ୍ତୁ ସେମାନଙ୍କୁ ଆଗକୁ ଯାଇ ଆହୁରି ସମସ୍ୟାର ସାମନା କରିବାକୁ ପଡ଼ନ୍ତା ।
ଡବ୍ଲ୍ୟୁ.ବି.ବି.ଆର. ରେଡିଓ ଷ୍ଟେସନରେ ଆଣ୍ଟେନା ଲଗାଇବା ପାଇଁ ଗୋଟିଏ ଖମ୍ବ ଛିଡ଼ା କରିବା ସମୟର ଚିତ୍ର
ସେହି ସମୟରେ ବହୁତ କମ୍ ରେଡିଓ ଷ୍ଟେସନ ରହୁଥିଲା । ତେଣୁ ରେଡିଓ ଷ୍ଟେସନ ପାଇଁ ଉପକରଣ ସହଜରେ ମିଳୁ ନ ଥିଲା । କିନ୍ତୁ ଭାଇମାନଙ୍କୁ ୫୦୦ ୱାଟ୍ର ଗୋଟିଏ ପୁରୁଣା ଟ୍ରାନ୍ସମିଟର ମିଳିଲା ଯାହାକୁ ଜଣେ ବ୍ୟକ୍ତି ତିଆରି କରିଥିଲେ । ତାʼସହିତ ଭାଇମାନଙ୍କୁ ଗୋଟିଏ ମାଇକର ବି ଦରକାର ଥିଲା । ସେମାନେ ନୂଆ ମାଇକ କିଣିବା ପରିବର୍ତ୍ତେ ଟେଲିଫୋନ୍ର ମାଇକ ବ୍ୟବହାର କଲେ । ଏସବୁ କରିବା ପରେ ଫେବୃୟାରୀ ମାସର ଗୋଟିଏ ରାତିରେ ଭାଇମାନେ ଭାବିଲେ, “ଚାଲ ଦେଖିବା ପ୍ରସାରଣ ଠିକ୍ରେ ହେବ ନା ନାହିଁ ।” କିନ୍ତୁ ସେମାନେ କʼଣ ପ୍ରସାରଣ କରନ୍ତେ ? ସେମାନେ ରାଜ୍ୟଗୀତ ଗାଇବା ପାଇଁ ଭାବିଲେ । ଏହି ମଜାଦାର ଘଟଣାକୁ ମନେ ପକାଇ ଭାଇ ଅର୍ନେଷ୍ଟ ଲୋ କହନ୍ତି ଯେ ଯେବେ ଭାଇମାନେ ଗୀତ ଗାଉଥିଲେ, ତେବେ ଜଜ୍ ରଦରଫୋର୍ଡଙ୍କb ଫୋନ୍ ଆସିଲା । ସେ ୨୫ କିଲୋମିଟର (୧୫ ମିଲ୍) ଦୂର ବ୍ରୁକଲିନ୍ରେ ନିଜର ରେଡିଓରେ ସେମାନଙ୍କର ଗୀତ ଶୁଣୁଥିଲେ ।
ଭାଇ ରଦରଫୋର୍ଡ କହିଲେ, “କʼଣ ପାଟିତୁଣ୍ଡ ଚାଲିଛି, ବନ୍ଦ କର ସବୁ !” ଏହି କଥା ଶୁଣି ସମସ୍ତଙ୍କୁ ଟିକେ ଲାଜ ଲାଗିଲା ଏବଂ ସେମାନେ ତୁରନ୍ତ ନିଜ ପ୍ରସାରଣ ବନ୍ଦ କରିଦେଲେ । କିନ୍ତୁ ସେମାନେ ଗୋଟିଏ କଥା ବୁଝିଗଲେ ଯେ ସେମାନଙ୍କର ସବୁ ଉପକରଣ ଠିକ୍ରେ କାମ କରୁଛି ଏବଂ ପ୍ରଥମ ପ୍ରସାରଣ ଆରମ୍ଭ କରାଯାଇପାରିବ ।
ତାʼପରେ ୨୪ ଫେବୃୟାରୀ, ୧୯୨୪ ମସିହାରେ ଆମ ରେଡିଓ ଷ୍ଟେସନରୁ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରଣ କରାଗଲା । ସେହି କାର୍ଯ୍ୟକ୍ରମରେ ଭାଇ ରଦରଫୋର୍ଡ କହିଲେ ଯେ ଏହି ଷ୍ଟେସନ ଜରିଆରେ ଆମେ “ସେହି କାମ ଆହୁରି ଭଲଭାବରେ କରିପାରିବା ଯାହା ଆମ ରାଜା ଯୀଶୁ ଖ୍ରୀଷ୍ଟ ଆମକୁ ଦେଇଛନ୍ତି ।” ଭାଇ ଏହା ବି କହିଲେ ଯେ ଏହି ରେଡିଓ ଷ୍ଟେସନ ଏଥିପାଇଁ ତିଆରି କରାଗଲା, ଯାହାଦ୍ୱାରା “ସମସ୍ତ ଲୋକ ବାଇବଲର ସତ୍ୟ ଜାଣିପାରନ୍ତୁ, ଯଦିଓ ସେମାନେ କୌଣସି ବି ଧର୍ମ କିମ୍ବା ସମୂହର ଥାʼନ୍ତୁ ନା କାହିଁକି । ତାʼ ସହିତ ସମସ୍ତେ ଏହି କଥାକୁ ବୁଝିପାରିଲେ ଯେ ଆଜି ଆମେ କେଉଁ ସମୟରେ ବଞ୍ଚୁଛୁ ।”
ବାମ ପଟେ: ଭାଇ ରଦରଫୋର୍ଡ ସବୁଠୁ ପ୍ରଥମେ ରେଡିଓ ଷ୍ଟେସନରେ ଛିଡ଼ା ହୋଇଛନ୍ତି
ଡାହାଣ ପଟେ: ପ୍ରସାରଣ ପାଇଁ ଟ୍ରାନ୍ସମିଟର ଓ ଅନ୍ୟ ଉପକରଣ
ଆମର ପ୍ରଥମ କାର୍ଯ୍ୟକ୍ରମ ବହୁତ ଭଲ ଥିଲା । ଆଉ ଆଗାମୀ ୩୩ ବର୍ଷ ଯାଏ ଡବ୍ଲ୍ୟୁ.ବି.ବି.ଆର. ଜରିଆରେ ଯିହୋବାଙ୍କ ସଂଗଠନ ଅନେକ କାର୍ଯ୍ୟକ୍ରମ ପ୍ରସାରଣ କଲା ।
ସାହସର ସହ ପାଦରିମାନଙ୍କର ନିନ୍ଦା କଲେ
ଜୁଲାଇ ୧୯୨୪ ମସିହାରେ ବାଇବଲ ବିଦ୍ୟାର୍ଥୀ ଓହାୟୋର କଲମ୍ବସ ସହରରେ ଗୋଟିଏ ଅଧିବେଶନ ପାଇଁ ଏକାଠି ହେଲେ । ଏହି ଅଧିବେଶନରେ ସାରା ଦୁନିଆରୁ ଭାଇଭଉଣୀମାନେ ଆସିଥିଲେ । ସେଥିରେ ଅନେକ ଭାଷାରେ ଭାଷଣ ଦିଆଗଲା ଯେପରି, ଇଂରାଜୀ, ଆରାବିକ, ଇଟାଲିଆନ୍, ଗ୍ରୀକ୍, ଜର୍ମାନ, ପୋଲିଶ, ଫ୍ରେଞ୍ଚ, ୟୁକ୍ରାନିଆନ୍, ରୁଷିୟ, ଲିଥୁଆନିଆନ୍, ସ୍କାଣ୍ଡିନାଭିଆନ୍ ଏବଂ ହଙ୍ଗେରୀ ଭାଷାରେ । କାର୍ଯ୍ୟକ୍ରମର କିଛି ଭାଗ ରେଡିଓରେ ମଧ୍ୟ ପ୍ରସାରଣ କରାଗଲା । ତାʼଛଡ଼ା ଭାଇମାନେ ଓହାୟୋ ଷ୍ଟେଟ୍ ଜରନଲ୍ ନାମକ ଖବର କାଗଜରେ ପ୍ରତିଦିନର କାର୍ଯ୍ୟକ୍ରମ ବିଷୟରେ ଖବର ମଧ୍ୟ ଛପାଇଲେ ।
୧୯୨୪ ମସିହାରେ ଓହାୟୋର କଲମ୍ବସ ସହରରେ ହୋଇଥିବା ଅଧିବେଶନ
୨୪ ଜୁଲାଇ ଗୁରୁବାର ଦିନ ‘ସେବା ଦିବସ’ ରଖାଗଲା । ଏହି ଦିନ ଅଧିବେଶନରେ ଆସିଥିବା ୫,୦୦୦ରୁ ବି ଅଧିକ ଭାଇଭଉଣୀମାନେ ପ୍ରଚାରରେ ଭାଗ ନେଲେ । ସେମାନେ ପ୍ରାୟ ୩୦,୦୦୦ ବହି ବାଣ୍ଟିଲେ ଏବଂ ହଜାର ହଜାର ବାଇବଲ ଅଧ୍ୟୟନ ଆରମ୍ଭ କଲେ । ପରେ ପ୍ରହରୀଦୁର୍ଗରେ କୁହାଗଲା ଯେ “ଏହା ଅଧିବେଶନର ସୁବର୍ଣ୍ଣ ଦିନ ଥିଲା ।”
୨୫ ଜୁଲାଇ ଶୁକ୍ରବାର ଦିନ ଅଧିବେଶନର ଆଉ ଗୋଟିଏ ବିଶେଷ ଦିନ ଥିଲା । ନିଜ ଭାଷଣରେ ଭାଇ ରଦରଫୋର୍ଡ ଗୋଟିଏ ଦସ୍ତାବିଜ୍ ପଢ଼ିଲେ ଯେଉଁଥିରେ ଚର୍ଚ୍ଚର ପାଦରିମାନଙ୍କ ବିଷୟରେ ଖୋଲିକି ନିନ୍ଦା କରାଯାଇଥିଲା । ସେଠାରେ ଏହା ବି ଲେଖାଥିଲା ଯେ ରାଜନେତା, ଧର୍ମଗୁରୁ ଓ ବଡ଼ ବଡ଼ ବେପାରୀମାନେ “ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଜାଣିବାରୁ ରୋକୁଛନ୍ତି ଯାହା ଜରିଆରେ ପରମେଶ୍ୱର ମନୁଷ୍ୟ ଜାତିକୁ ଆଶିଷ ଦେବେ ।” ସେଠାରେ ଏହା ବି ଲେଖା ଯାଇଥିଲା ଯେ ଏ ସମସ୍ତ ବ୍ୟକ୍ତି “ଜାତିସଂଘକୁ ସହଯୋଗ ଦିଅନ୍ତି ଏବଂ ଦାବି କରନ୍ତି ଯେ ଆଜି ପରମେଶ୍ୱର ସେମାନଙ୍କ ଜରିଆରେ ହିଁ ସାରା ଦୁନିଆରେ ଶାସନ କରୁଛନ୍ତି । କିନ୍ତୁ ଏହା ପୂରାପୂରି ଭୁଲ ଅଟେ ।” ଲୋକମାନଙ୍କ ଯାଏ କଡ଼ା ସନ୍ଦେଶ ପହଞ୍ଚାଇବା ପାଇଁ ବାଇବଲ ବିଦ୍ୟାର୍ଥୀମାନଙ୍କୁ ସତରେ ବହୁତ ସାହସର ଦରକାର ଥିଲା ।
ଏହି ଅଧିବେଶନର ଭାଇଭଉଣୀଙ୍କ ଉପରେ କʼଣ ପ୍ରଭାବ ପଡ଼ିଲା ? ଏବିଷୟରେ ପ୍ରହରୀଦୁର୍ଗରେ କୁହାଯାଇଥିଲା, “କଲମ୍ବସରେ ହୋଇଥିବା ଅଧିବେଶନ ଯୋଗୁଁ ପ୍ରଭୁଙ୍କ ସେନାଙ୍କ ବିଶ୍ୱାସ ଦୃଢ଼ ହେଲା । . . . ସେମାନଙ୍କୁ ସାହସ ମିଳିଲା ଏବଂ ସେମାନେ ଶତ୍ରୁମାନଙ୍କ ବିରୋଧର ସାମନା କରିବା ପାଇଁ ପ୍ରସ୍ତୁତ ଥିଲେ ।” ଭାଇ ଲିଓ କ୍ଲୋସ କହିଲେ, “ଏହି ଅଧିବେଶନରୁ ଆମକୁ ବହୁତ ଉତ୍ସାହ ମିଳିଲା । ନିଜ ଅଞ୍ଚଳରେ ସନ୍ଦେଶ ଶୁଣାଇବା ପାଇଁ ଆମେ ପୂରାପୂରି ପ୍ରସ୍ତୁତ ଥିଲୁ ।”
ଏକ୍ଲିସିୟାସ୍ଟିକ୍ସ ଇଣ୍ଡିକ୍ଟଡ୍ ନାମକ ଟ୍ରାକ୍ଟ
ଭାଇ ରଦରଫୋର୍ଡ ନିଜ ଭାଷଣରେ ଯେଉଁ ଦସ୍ତାବିଜ୍ ପଢ଼ିଥିଲେ, ସେଥିରେ ଥିବା ତଥ୍ୟ ଆଗକୁ ଯାଇ ଗୋଟିଏ ଟ୍ରାକ୍ଟ ମାଧ୍ୟମରେ ଛପାଗଲା । ସେହି ଟ୍ରାକ୍ଟର ନାମ ଥିଲା, ଏକ୍ଲିସିୟାସ୍ଟିକ୍ସ ଇଣ୍ଡିକ୍ଟଡ୍ (ଚର୍ଚ୍ଚର ପାଦରିମାନଙ୍କ ଉପରେ ଆରୋପ) । ଅକ୍ଟୋବର ମାସରେ ବାଇବଲ ବିଦ୍ୟାର୍ଥୀମାନେ ଏହି ଟ୍ରାକ୍ଟର ଲକ୍ଷ ଲକ୍ଷ କପି ବାଣ୍ଟିଲେ । ଭାଇ ଫ୍ରେନ୍କ ଜନସନ୍ ଥରେ ଓକଲହୋମା ନାମକ ଛୋଟ ଅଞ୍ଚଳ କ୍ଲିଭଲାଣ୍ଡରେ ଏହି ଟ୍ରାକ୍ଟ ବାଣ୍ଟିଲେ । ଟ୍ରାକ୍ଟ ବାଣ୍ଟିବା ପରେ ତାଙ୍କୁ ଗୋଟିଏ ଜାଗାରେ ଭାଇଭଉଣୀମାନଙ୍କ ସହ ଭେଟିବାର ଥିଲା । କିନ୍ତୁ ଏବେ ବି ସେମାନଙ୍କ ସହିତ ଭେଟିବା ପାଇଁ ୨୦ ମିନିଟ୍ ବାକି ଥିଲା । କୌଣସି ଜାଗାରେ ଛିଡ଼ା ହୋଇ ସେମାନଙ୍କୁ ଅପେକ୍ଷା କରିବା ଭାଇଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ଥିଲା । କାରଣ ସେହି ଟ୍ରାକ୍ଟ ଯୋଗୁଁ ଲୋକମାନେ ବହୁତ ରାଗି ଯାଇଥିଲେ ଏବଂ ତାଙ୍କୁ ଖୋଜୁଥିଲେ । ତେଣୁ ଲୁଚିବା ପାଇଁ ଭାଇ ପାଖ ଚର୍ଚ୍ଚରେ ଗଲେ । ସେଠାରେ କେହି ବି ନ ଥିଲେ, ତେଣୁ ଭାଇ ଚର୍ଚ୍ଚର ବାଇବଲରେ ଏବଂ ପ୍ରତ୍ୟେକ ସିଟ୍ରେ ଗୋଟେ ଗୋଟେ ଟ୍ରାକ୍ଟ ରଖିଦେଲେ । ଆଉ ତୁରନ୍ତ ସେଠାରୁ ବାହାରି ଗଲେ । କିନ୍ତୁ ଏବେ ବି ତାଙ୍କ ପାଖରେ କିଛି ସମୟ ଥିଲା । ତେଣୁ ସେ ଆଉ ଦୁଇଟି ଚର୍ଚ୍ଚକୁ ଗଲେ ଆଉ ସେଠାରେ ବି ଟ୍ରାକ୍ଟ ରଖିଦେଲେ ।
ତାʼପରେ ଭାଇ ଶୀଘ୍ର ସେହି ଜାଗାକୁ ଗଲେ ଯେଉଁଠି ଭାଇଭଉଣୀମାନଙ୍କ ସହ ଭେଟିବାର ଥିଲା । ପାଖରେ ହିଁ ଗୋଟିଏ ପେଟ୍ରୋଲ ପମ୍ପ ଥିଲା ଏବଂ ଭାଇ ସେଠାରେ ଲୁଚିଗଲେ ଏବଂ ଦେଖିବାକୁ ଲାଗିଲେ ଯେ ଯେଉଁ ଲୋକମାନେ ତାଙ୍କୁ ଖୋଜୁଛନ୍ତି ସେମାନେ ତାଙ୍କ ପଛରେ ତ ଆସୁ ନାହାନ୍ତି । ଆଉ ସେପରି ହିଁ ହେଲା । ସେହି ଲୋକମାନେ ଗୋଟିଏ ଗାଡ଼ିରେ ସେହି ରାସ୍ତା ଦେଇ ଗଲେ, କିନ୍ତୁ ସେମାନେ ଭାଇ ଫ୍ରେନ୍କକୁ ଦେଖି ନ ପାରି ସେଠାରୁ ଚାଲିଗଲେ । ସେମାନଙ୍କ ଯିବାର ତୁରନ୍ତ ପରେ ଅନ୍ୟ ଭାଇଭଉଣୀମାନେ ଭାଇ ଫ୍ରେନ୍କକୁ ନେବା ପାଇଁ ଆସିଲେ । ସେହି ଭାଇମାନେ ପାଖ ଅଞ୍ଚଳରେ ହିଁ ପ୍ରଚାର କରୁଥିଲେ । ଭାଇ ସେମାନଙ୍କ ସହ ଗାଡ଼ିରେ ବସିଲେ ଏବଂ ସେମାନେ ସେଠାରୁ ଚାଲିଗଲେ ।
ଏହି ଘଟଣାକୁ ମନେ ପକାଇ ଜଣେ ଭାଇ କହନ୍ତି, “ସେହି ଅଞ୍ଚଳରୁ ବାହାରିବା ସମୟରେ ଆମେ ସେହି ତିନୋଟି ଚର୍ଚ୍ଚ ଦେଇ ଗଲୁ । ପ୍ରତ୍ୟେକ ଚର୍ଚ୍ଚ ବାହାରେ ପ୍ରାୟ ୫୦ ଜଣ ଲୋକ ଛିଡ଼ା ହୋଇଥିଲେ । କିଛି ଲୋକ ସେହି ଟ୍ରାକ୍ଟ ପଢ଼ୁଥିଲେ ଏବଂ କିଛି ଲୋକମାନେ ସେହି ଟ୍ରାକ୍ଟକୁ ପାଦରିମାନଙ୍କୁ ଦେଖାଉଥିଲେ । ସତରେ ସେହି ଦିନ ବଞ୍ଚିବା ବହୁତ କଷ୍ଟ ଥିଲା । ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଲୁ ଯେ ସେ ଆମକୁ ରକ୍ଷା କଲେ ଏବଂ ବୁଦ୍ଧି ଦେଲେ, ଯାହାଦ୍ୱାରା ଆମେ ରାଜ୍ୟର ଶତ୍ରୁମାନଙ୍କଠାରୁ ରକ୍ଷା ପାଇଲୁ ।”
ଅନେକ ଦେଶରେ ସାହସର ସହ ପ୍ରଚାର କରାଗଲା
ୟୋଷେଫ୍ କ୍ରେଟ୍
ବାଇବଲ ବିଦ୍ୟାର୍ଥୀମାନେ ଅନ୍ୟ ଦେଶଗୁଡ଼ିକରେ ବି ଏହିପରି ଭାବେ ସାହସର ସହ ପ୍ରଚାର କଲେ । ଫ୍ରାନ୍ସର ଉତ୍ତରାଞ୍ଚଳରେ ଭାଇ ୟୋଷେଫ୍ କ୍ରେଟ୍ ପୋଲାଣ୍ଡରୁ ଆସିଥିବା ଲୋକମାନଙ୍କୁ ପ୍ରଚାର କଲେ, ଯେଉଁମାନେ ଖାଦାନରେ କାମ କରୁଥିଲେ । ଭାଇଙ୍କୁ ସେଠାରେ ଗୋଟିଏ ଭାଷଣ ଦେବାର ଥିଲା ଯାହାର ବିଷୟ ଥିଲା, “ମୃତ ଲୋକମାନଙ୍କର ଶୀଘ୍ର ପୁନରୁତ୍ଥାନ ହେବ ।” ଯେତେବେଳେ ଭାଇଭଉଣୀମାନେ ଲୋକମାନଙ୍କୁ ଭାଷଣର ନିମନ୍ତ୍ରଣ ବାଣ୍ଟିଲେ, ସେତେବେଳେ ଜଣେ ପାଦରି ନିଜ ଚର୍ଚ୍ଚର ଲୋକମାନଙ୍କୁ ଏହି ଭାଷଣ ଶୁଣିବା ପାଇଁ କଡ଼ାକଡ଼ି ଭାବେ ମନା କଲେ । କିନ୍ତୁ ଏପରି ହେଲା ନାହିଁ । ୫,୦୦୦ରୁ ବି ଅଧିକ ଲୋକମାନେ ସେହି ଭାଷଣ ଶୁଣିବା ପାଇଁ ଆସିଲେ ଆଉ ସେହି ପାଦରି ବି ସେଠାରେ ଆସିଲେ । ଭାଇ କ୍ରେଟ୍ ସେହି ପାଦରିଙ୍କୁ କହିଲେ ଯେ ଆପଣ ଯାହା ବିଶ୍ୱାସ କରନ୍ତି ସେବିଷୟରେ ଆମେ ସମସ୍ତଙ୍କ ସାମନାରେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ଚାହୁଁଛୁ । କିନ୍ତୁ ସେ ମନା କରିଦେଲେ । ଭାଇ କ୍ରେଟ୍ ଦେଖିଲେ ଯେ ଯେଉଁ ଲୋକମାନେ ଭାଷଣ ଶୁଣିବା ପାଇଁ ଆସିଛନ୍ତି ସେମାନେ ଈଶ୍ୱରଙ୍କ ବାକ୍ୟକୁ ଜାଣିବା ପାଇଁ ବହୁତ ଉତ୍ସୁକ ଅଛନ୍ତି । ସେଥିପାଇଁ ତାଙ୍କ ପାଖରେ ଯେତିକି ବି ପ୍ରକାଶନ ଥିଲା, ତାହା ସେ ଲୋକମାନଙ୍କୁ ବାଣ୍ଟିଦେଲେ ।—ଆମୋ. ୮:୧୧.
କ୍ଲୋଡ୍ ବ୍ରାଉନ୍
ଆଫ୍ରିକାରେ ଭାଇ କ୍ଲୋଡ୍ ବ୍ରାଉନ୍ ଗୋଲ୍ଡ କୋଷ୍ଟରେ ଖୁସିଖବର ଶୁଣାଇଲେ, ଯାହା ଏବେ ଘାନା ନାମରେ ଜଣାଯାଏ । ଭାଇ ସେଠାରେ ଅନେକ ଭାଷଣ ଦେଲେ ଆଉ ଅନେକଗୁଡ଼ିଏ ପ୍ରକାଶନ ବାଣ୍ଟିଲେ, ଯାହାଦ୍ୱାରା ସେଇଠି ଅନେକ ଲୋକଙ୍କୁ ସତ୍ୟ ଜାଣିବାକୁ ମିଳିଲା । ଜନ୍ ବ୍ଲେକସନ୍ ନାମକ ଜଣେ ବ୍ୟକ୍ତି ଭାଇ ବ୍ରାଉନ୍ଙ୍କ ଗୋଟିଏ ଭାଷଣ ଶୁଣିଲେ । ସେ ସେହି ସମୟରେ ଫାର୍ମାସିଷ୍ଟ (ଔଷଧ ବିଷୟରେ) ପଢ଼ୁଥିଲେ । ଭାଷଣ ଶୁଣିବା ପରେ ସେ ବୁଝିଗଲେ ଯେ ଏହା ହିଁ ସତ୍ୟ । ସେ କହନ୍ତି, “ସତ୍ୟ ଜାଣିଲା ପରେ ମୁଁ ବହୁତ ଖୁସି ଥିଲି । ଆଉ ମୁଁ ଏବିଷୟରେ ମୋ ସହ ପଢ଼ୁଥିବା ସବୁ ପିଲାମାନଙ୍କୁ କହିଲି ।”
ଜନ୍ ବ୍ଲେକସନ୍
ଜନ୍ ବାଇବଲର ଅଧ୍ୟୟନ କଲା ପରେ ବୁଝି ଯାଇଥିଲେ ଯେ ତ୍ରିଏକର ଶିକ୍ଷା ବାଇବଲର ନୁହେଁ । ଦିନେ ସେ ଚର୍ଚ୍ଚ ଗଲେ ଓ ସେଠାର ପାଦରିଙ୍କୁ ଏହି ବିଷୟରେ ପ୍ରଶ୍ନ କଲେ । ଆଉ ଏହା ଶୁଣି ପାଦରି ବହୁତ ରାଗିଗଲେ ଓ ପାଟି କରି କହିଲେ, “ତମେ ଖ୍ରୀଷ୍ଟିୟାନ ନୁହଁ, ଶୟତାନ ଅଟ । ବାହାରି ଯାଅ ଏଇଠୁ ।”
ଘରକୁ ଯାଇ ଜନ୍ ସେହି ପାଦରିଙ୍କୁ ଗୋଟିଏ ଚିଠି ଲେଖିଲେ । ଚିଠିରେ ସେ ଲେଖିଲେ, ‘ଆପଣ ତ ତ୍ରିଏକର ଶିକ୍ଷାକୁ ବିଶ୍ୱାସ କରନ୍ତି । ତାହେଲେ ଆସନ୍ତୁ ଆପଣଙ୍କୁ ସମସ୍ତଙ୍କ ସାମନାରେ କିଛି ପ୍ରଶ୍ନ ପଚାରିବା ।’ ତେବେ ପାଦରି ଜନ୍ଙ୍କୁ ତାଙ୍କ ବଡ଼ ଟିଚରଙ୍କ ସହ ଭେଟିବା ପାଇଁ କହିଲେ । ଯେବେ ଜନ୍ ଟିଚରଙ୍କୁ ଭେଟିବା ପାଇଁ ଗଲେ ତେବେ ଟିଚର ତାଙ୍କୁ ପଚାରିଲେ, ‘କʼଣ ତମେ ପାଦରିଙ୍କୁ କୌଣସି ଚିଠି ଲେଖିଥିଲ ?’
ଜନ୍ କହିଲେ, “ହଁ ସାର୍, ମୁଁ ଲେଖିଥିଲି ।”
ଟିଚର ଜନ୍କୁ କହିଲେ ଯେ ସେ ପାଦରିଙ୍କୁ କ୍ଷମା ମାଗୁ । ତେବେ ଜନ୍ ପାଦରିଙ୍କୁ ଗୋଟିଏ ଚିଠିରେ ଲେଖିଲେ:
“ସାର୍, ମୋ ଟିଚର ଆପଣଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି । ମୁଁ କ୍ଷମା ମାଗିବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ପ୍ରଥମେ ଆପଣଙ୍କୁ ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଆପଣ ଯାହା ଶିଖାଉଛନ୍ତି, ତାହା ଭୁଲ ।”
ଯେବେ ଟିଚର ଏହି ଚିଠି ଦେଖିଲେ, ତେବେ ସେ ଆଶ୍ଚର୍ଯ୍ୟ ହେଲେ । ସେ କହିଲେ, “ବ୍ଲେକସନ୍, ଏହା ତମେ କʼଣ ଲେଖିଛ ?”
“ସାର୍, ମୋତେ ଯାହା ଲେଖିବାର ଥିଲା, ତାହା ମୁଁ ଲେଖିଦେଲି ।”
“ତମେ ଜଣେ ଚର୍ଚ୍ଚର ପାଦରିଙ୍କ ବିରୁଦ୍ଧରେ କିପରି କହିପାର ? ତମକୁ ତ ଜଣା ଅଛି, ଚର୍ଚ୍ଚ ପଛରେ ସରକାର ଅଛି । ଯଦି ତମର ଏପରି ହିଁ ବ୍ୟବହାର ରହିଲା, ତାହେଲେ ତମେ କଲେଜରେ ରହିପାରିବ ନାହିଁ ।”
“କିନ୍ତୁ ସାର୍, ଗୋଟିଏ କଥା କହନ୍ତୁ । . . . ଯେବେ ଆପଣ ଆମକୁ ପଢ଼ାନ୍ତି ଆଉ ଆମକୁ କୌଣସି କଥା ବୁଝାପଡ଼େ ନାହିଁ, ତେବେ ଆମେ ଆପଣଙ୍କୁ ପ୍ରଶ୍ନ ପଚାରିଥାଉ ନା ?”
“ହଁ, ପଚାରିଥାଅ ।”
“ସେହି ଦିନ ଏପରି ହିଁ କିଛି ହୋଇଥିଲା । ପାଦରି ଆମକୁ ବାଇବଲ ପଢ଼ାଉ ଥିଲେ ଆଉ ମୁଁ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲି । ଯଦି ସେ ସେହି ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ, ତାହେଲେ ସେଥିରେ ମୋର କʼଣ ଭୁଲ । ମୁଁ ତାଙ୍କୁ କʼଣ ପାଇଁ କ୍ଷମା ମାଗିବି ?”
ବ୍ଲେକସନ୍ଙ୍କୁ ପାଦରିଙ୍କୁ କ୍ଷମା ମାଗିବାକୁ ପଡ଼ିଲା ନାହିଁ ଆଉ ତାଙ୍କୁ କଲେଜରୁ ବି ବାହାର କରାଗଲା ନାହିଁ ।
ବାଇବଲ ବିଦ୍ୟାର୍ଥୀମାନେ ଆହୁରି କାମ କରିବା ପାଇଁ ପ୍ରସ୍ତୁତ ଥିଲେ
୧୯୨୪ ମସିହାରେ ଭାଇଭଉଣୀମାନେ ଯେଉଁଭଳି ଭାବେ ଉତ୍ସାହର ସହ ପ୍ରଚାର କଲେ, ସେବିଷୟରେ ଗୋଟିଏ ପ୍ରହରୀଦୁର୍ଗରେ ଲେଖାଥିଲା, ‘ଆମେ ବି ଦାଉଦଙ୍କ ଭଳି କହିପାରିବା, “ତୁମ୍ଭେ ବଳ ଦେଇ ଯୁଦ୍ଧାର୍ଥେ ମୋʼ କଟି ବାନ୍ଧିଅଛ ।” (ଗୀତ. ୧୮:୩୯) ଏହି ବର୍ଷ ଆମକୁ ବହୁତ ଉତ୍ସାହ ମିଳିଲା, କାରଣ ଯିହୋବା ଆମକୁ କିଭଳି ଭାବେ ସାହାଯ୍ୟ କଲେ ତାହା ଆମେ ଦେଖିପାରିଲୁ । ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ଖୁସିର ସହ ତାଙ୍କ ରାଜ୍ୟର ଖୁସିଖବରର ଘୋଷଣା କରୁଛନ୍ତି ।’
ବର୍ଷର ଶେଷରେ ଭାଇମାନେ ଭାବିଲେ ଯେ ସେମାନେ ଆଉ ଗୋଟିଏ ରେଡିଓ ଷ୍ଟେସନ ତିଆରି କରିବେ । ତାʼପରେ ସିକାଗୋ ପାଖରେ ଏହାକୁ ତିଆରି କରିବା ପାଇଁ ଆରମ୍ଭ କରାଗଲା । ଆଉ ଏହି ଷ୍ଟେସନକୁ ଗୋଟିଏ ନାମ ଦିଆଗଲା, “ୱର୍ଡ” (ଯାହାର ଓଡ଼ିଆରେ ଅର୍ଥ ହେଉଛି, “ବାକ୍ୟ ।”) ଏହି ନାମ ବିଲକୁଲ୍ ସଠିକ୍ ଥିଲା, କାରଣ ଏହି ରେଡିଓ ଷ୍ଟେସନ ଜରିଆରେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଦୂର ଦୂର ଜାଗାରେ ରହୁଥିବା ଲୋକମାନେ ଜାଣିପାରନ୍ତେ । ଏଥର ଭାଇମାନେ ୫,୦୦୦ ୱାଟ୍ର ଟ୍ରାନ୍ସମିଟର ଲଗାଇଲେ, ଯାହା ଜରିଆରେ ଅନେକ କିଲୋମିଟର ଯାଏ ଏପରିକି କାନାଡ଼ାର ଲୋକମାନେ ରାଜ୍ୟର ଖୁସିର ଖବର ଶୁଣିପାରନ୍ତେ ।
୧୯୨୫ ମସିହାରେ ଯିହୋବା ନିଜ ଲୋକମାନଙ୍କୁ ବାଇବଲର ସତ୍ୟକୁ ଆହୁରି ଭଲଭାବେ ବୁଝିବା ପାଇଁ ସାହାଯ୍ୟ କରନ୍ତେ । ସେମାନଙ୍କୁ ପ୍ରକାଶିତ ବାକ୍ୟ ୧୨ ଅଧ୍ୟାୟରେ ଲେଖାଥିବା କଥାଗୁଡ଼ିକର ଆହୁରି ଗଭୀର ଜ୍ଞାନ ମିଳନ୍ତା । ଏହି ନୂଆ ଜ୍ଞାନ ଯୋଗୁଁ କିଛି ଲୋକ ଯିହୋବାଙ୍କ ସେବା କରିବା ଛାଡ଼ି ଦିଅନ୍ତେ । କିନ୍ତୁ ଅନେକ ଲୋକମାନେ ଏହାକୁ ସ୍ୱୀକାର କରନ୍ତେ । ସେମାନଙ୍କୁ ସେହି ଘଟଣା ବିଷୟରେ ଜାଣି ଖୁସି ଲାଗନ୍ତା ଯାହା ସ୍ୱର୍ଗରେ ଘଟିଥିଲା ଆଉ ଯାହାର ପ୍ରଭାବ ପୃଥିବୀରେ ଲୋକମାନଙ୍କ ଉପରେ ପଡ଼ିଥିଲା ।
a ଏବେ ଏହାକୁ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା କୁହାଯାଏ ।
b ସେସମୟରେ ଭାଇ ଜେ. ଏଫ୍. ରଦରଫୋର୍ଡ ବାଇବଲ ବିଦ୍ୟାର୍ଥୀମାନଙ୍କର ନେତୃତ୍ୱ ନେଉଥିଲେ । ଲୋକମାନେ ତାଙ୍କୁ ବେଳେବେଳେ “ଜଜ୍” ଡାକୁଥିଲେ । କାରଣ ବୈଥେଲରେ ସେବା କରିବା ପୂର୍ବରୁ ସେ ମିଜୁରୀ ରାଜ୍ୟର ଗୋଟିଏ ଅଦାଲତରେ ଜଣେ ଜଜ୍ ଭାବେ କାମ କରିଥିଲେ ।